ଆନ୍ଧ୍ରର ଦୁଇ ୱାଇଏସଆରସିପି ସାଂସଦଙ୍କ ଇସ୍ତଫା, ଜଗନ ରେଡ୍ଡୀଙ୍କୁ ବଡ ଝଟକା …
ପ୍ରସାଦ ରାଓ
ଅଗଷ୍ଟ,୨୯/୨୦୨୪
ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ୱାଇଏସଆରସିପି ମୁଖ୍ୟ ଜଗନ ମୋହନ ରେଡ୍ଡୀଙ୍କୁ ଦଳର ଦୁଇ ଜଣ ରାଜ୍ୟସଭା ସାଂସଦ ଏମ.ଭେଂକଟରମଣା ଓ ବି.ମସ୍ତାନ ରାଓ ଆଜି ବଡ ଝଟକା ଦେଇଛନ୍ତି । ଦୁଇ ରାଜ୍ୟସଭା ସାଂସଦ ୱାଇଏସଆରସିପିର ପ୍ରଥମିକ ସଦସ୍ୟତା ଓ ରାଜ୍ୟସଭାରୁ ଇସ୍ତଫା ଦେଇଥିବା ଉପ ରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକର ଆଜି ସର୍ବୋଚ୍ଚ ସଦନରେ ସୂଚନା ଦେଇଛନ୍ତି । ଦୁଇ ୱାଇଏସଆରସିପି ସାଂସଦଙ୍କ ଇସ୍ତଫା ଯୋଗୁଁ ରାଜ୍ୟସଭାରେ ଦଳର ସାଂସଦ ସଂଖ୍ୟା ୦୯କୁ ଖସିଛି । ଏମ.ଭେଂକଟରମଣାଙ୍କ କାର୍ଯ୍ୟକାଳ ଜୁନ ୨୦୨୬ ଓ ବି.ମସ୍ତାନ ରାଓଙ୍କ କାର୍ଯ୍ୟକାଳ ୨୦୨୮ ଜୁନ ପର୍ଯ୍ୟନ୍ତ ଥିଲା । ସେମାନେ ମୁଖ୍ୟମନ୍ତ୍ରୀ ଏନ.ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି (ଟିଡିପି)ରେ ଯୋଗଦେଇ ରାଜ୍ୟରୁ ପୁନର୍ବାର ରାଜ୍ୟସଭାକୁ ଯାଇ ପାରନ୍ତି ବୋଲି ଆଲୋଚନା ହେଉଛି । ୨୦୨୪ ଆନ୍ଧ୍ର ପ୍ରଦେଶ ବିଧାନସଭା ନିର୍ବାଚନରେ ଟିଡିପିର ବିପୁଳ ବିଜୟ ହୋଇଥିବା ବେଳେ ଜଗନ ମୋହନ ରେଡ୍ଡୀଙ୍କ ଦଳ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ଲୋକସଭାରେ ମଧ୍ୟ ୱାଇଏସଆରସିପି ସାଂସଦଙ୍କ ସଂଖ୍ୟା ୦୪କୁ ଖସି ଯାଇଛି । ରେଡ୍ଡୀଙ୍କ ଦଳରୁ ଇସ୍ତଫା ଦେଇଥିବା ଦୁଇ ରାଜ୍ୟସଭା ସାଂସଦ ଭେଂକଟରମଣା ଓ ମସ୍ତାନ ରାଓ ନିକଟରେ ଟିଡିପି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଭେଟିଥିଲେ । ୨୦୧୯ରୁ ରାଜ୍ୟସଭାରେ ଟିଡିପିର ଜଣେ ହେଲେ ସାଂସଦ ନାହାନ୍ତି । ୱାଇଏସଆରସିପିରୁ ଇସ୍ତଫା ଦେଇ ଟିଡିପିରେ ଯୋଗଦେବାକୁ ଯାଉଥିବା ଭେଂକଟରମାଣା ଓ ମସ୍ତାନ ରାଓଙ୍କୁ ପୁନଃ ରାଜ୍ୟସଭାକୁ ପଠାଇ ଟିଡିପି ସର୍ବୋଚ୍ଚ ସଦନରେ ତା’ର ଖାତା ଖୋଲିବାକୁ ଯାଉଛି । ମସ୍ତାନ ରାଓ ପୂର୍ବରୁ ଟିଡିପିରେ ଥିଲେ ଓ ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ କାଭାଲି ଆସନରୁ ବିଧାୟକ ରହିଥିଲେ । ୨୦୧୯ରେ ସେ ଦଳ ଛାଡି ୱାଇଏସଆରସିପିରେ ସାମିଲ ହୋଇଥିଲେ । ସେହିଭଳି, ଭେଂକଟରମଣା କଂଗ୍ରେସରେ ଥାଇ ଦୁଇ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଓ ଜଗନ ମୋହନ ରେଡ୍ଡୀଙ୍କ ପିତା ସ୍ୱର୍ଗତ ୱାଇ.ଏସ.ରାଜଶେଖର ରେଡ୍ଡୀ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଥିବା ସମୟରେ ତାଙ୍କ ସରକାରରେ ମନ୍ତ୍ରୀ ଥିଲେ । ରାଜ୍ୟରେ ୱାଇଏସଆରସିପିର ବିପର୍ଯ୍ୟୟ ପରେ କେନ୍ଦ୍ର ରାଜନୀତିରେ ଦଳର ପ୍ରଭାବ ହ୍ରାସ ପାଇଛି । ତେଣୁ, ଦଳର ନେତା ଟିଡିପି ମୁହାଁ ହେଉଥିବା ଜଣାପଡିଛି । ୱାଇଏସଆରସିପିର ଏହି ଦୁଇ ରାଜ୍ୟସଭା ସାଂସଦ ଦଳରୁ ଓ ସଂସଦରୁ ଇସ୍ତଫା ଦେଇ ଟିଡିପି ମୁହାଁ ହେଉଥିବା ବିଜେପି ପାଇଁ ଖୁସି ଖବର ହୋଇଛି । ରାଜ୍ୟସଭାରେ ବିଜେପି ନେତୃତ୍ୱାଧୀନ ଏନଡିଏର ଆବଶ୍ୟକ ସଂଖ୍ୟାଗରିଷ୍ଠତା ନଥିବାରୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାସ୍ କରାଇବା ପାଇଁ ୱାଇଏସଆରସିପି ଏବଂ ଓଡ଼ିଶାର ବିଜେଡ଼ି ଭଳି ଆଂଚଳିକ ଦଳଙ୍କ ଉପରେ ନିର୍ଭରଶୀଳ ରହୁଥିଲା । ଗଲା ରାଜ୍ୟସଭା ନିର୍ବାଚନରେ ରାଜ୍ୟସଭାରେ ଏନଡିଏର ସାଂସଦଙ୍କ ସଂଖ୍ୟା ବୃଦ୍ଧି ପାଇଁ ଏକକ ସଂଖ୍ୟାଗରିଷ୍ଠତା ହାସଲ କରିଛି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଆନ୍ଧ୍ର ପ୍ରଦେଶର ତେଲୁଗୁ ଦେଶମ ପାର୍ଟି (ଟିଡିପି) ଶାସକ ମେଂଟ (ଏନଡିଏ)ରେ ସାମିଲ ହୋଇଥିବାରୁ ୱାଇଏସଆରସିପିରୁ ଇସ୍ତଫା ଦେଇଥିବା ଦୁଇ ରାଜ୍ୟସଭା ସାଂସଦ ଟିଡିପିରୁ ରାଜ୍ୟସଭାକୁ ଗଲେ ରାଜ୍ୟସଭାରେ ଏନଡିଏ ଅଧିକ ସଶକ୍ତ ହେବ । ଗତ ବିଧାନସଭା ନିର୍ବାଚନରେ ଓଡ଼ିଶାରେ ବିଜେଡ଼ିର ବିପର୍ଯ୍ୟୟ ପରେ ୨୦୨୦ରୁ ରାଜ୍ୟସଭାକୁ ଯାଇଥିବା ବିଜେଡ଼ି ସାଂସଦ ମମତା ମହାନ୍ତ ନିକଟରେ ବିଜେଡ଼ିର ପ୍ରାଥମିକ ସଦସ୍ୟତା ଓ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ । ୨୦୨୬ ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକାଳ ଥିଲା । ବିଜେପି ତାଙ୍କୁ ପୁନର୍ବାର ରାଜ୍ୟସଭାକୁ ପଠାଇ ସଂସଦର ସର୍ବୋଚ୍ଚ ଗୃହରେ ନିଜ ସଂଖ୍ୟା ବଢାଇବା ଭଳି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ.ଚନ୍ଦ୍ରବାବୁ ନାଇଡୁ ମଧ୍ୟ ରାଜ୍ୟସଭାରେ ଟିଡିପିର ଖାତା ଖୋଲିବାକୁ ୱାଇଏସଆରସିପି ରାଜ୍ୟସଭା ସାଂସଦଙ୍କୁ ମୋହରା କରିଥିବା ଦୁଇ ୱାଇଏସଆରସିପି ସାଂସଦଙ୍କ ଇସ୍ତଫା ଓ ଟିଡିପିରେ ଯୋଗଦେବା ସମ୍ଭାବନାରୁ ସ୍ପଷ୍ଟ ହେଉଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS