ମହିଳାଙ୍କ ସୁରକ୍ଷା ଏବେ ବିତର୍କର ପ୍ରମୁଖ ପ୍ରସଙ୍ଗ !
ପ୍ରସାଦ ରାଓ
ଅଗଷ୍ଟ, ୩୧/୨୦୨୪
କୋଲକାତା ଆର.ଜି.କର ମେଡିକାଲ କଲେଜ ଓ ହସ୍ପିଟାଲରେ ଅଗଷ୍ଟ ୦୮ ତାରିଖ ରାତିରେ ଘଟିଥିବା ଦୁଷ୍କର୍ମ ଓ ହତ୍ୟା ଘଟଣା କାର୍ଯ୍ୟକ୍ଷେତ୍ରରେ ମହିଳା କେତେ ଅସୁରକ୍ଷିତ, ତାହାର ଏକ ଜ୍ୱଳନ୍ତ ଉଦାହରଣ ହୋଇଛି । ଏହି ଘଟଣାକୁ ନେଇ ଡାକ୍ତର ଓ ଛାତ୍ରଙ୍କ ପ୍ରତିବାଦ ଆନ୍ଦୋଳନ ଏକ ରାଜନୈତିକ ଆନ୍ଦୋଳନରେ ରୂପାନ୍ତରିତ ହୋଇଥିବା ବେଳେ ମହିଳାଙ୍କ ସୁରକ୍ଷା ପାଇଁ ଦେଶରେ ଏକ କଠୋର ଆଇନ ପ୍ରଣୟନର ଆବଶ୍ୟକତା ରହିଛି ବୋଲି ଉଭୟ ଶାସକ ଓ ବିରୋଧୀ ଅନୁଭବ କରୁଛନ୍ତି । ଗତ ୨୦ ଦିନ ହେଲା ବିଭିନ୍ନ ଫୋରମ, ବିଶେଷକରି ଜାତୀୟ ଓ ଆଂଚଳିକ ଗଣମାଧ୍ୟମରେ ଏହାକୁ ନେଇ କୋଳାହଳମୟ ବିତର୍କ ଚାଲିଛି । ଘଟଣାକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କଡା ପ୍ରତିକ୍ରିୟା ରଖିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁହଁ ଖୋଲିଛନ୍ତି । ଆଜି ସୁପ୍ରିମ କୋର୍ଟର ୭୫ ବର୍ଷ ଅବସରରେ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଆୟୋଜିତ ଏକ ଦୁଇ ଦିନିଆ ସମ୍ମିଳନୀକୁ ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ମହିଳାଙ୍କ ସୁରକ୍ଷା ପାଇଁ ଦେଶରେ ଆନେକ କଠୋର ଆଇନ ରହିଛି । ତେବେ, ସେଗୁଡିକୁ ଅଧିକ କାର୍ଯ୍ୟକ୍ଷମ କରାଯିବା ଆବଶ୍ୟକ । ସୁପ୍ରିମ କୋର୍ଟ ପକ୍ଷରୁ ଏହି ସମ୍ମିଳନୀର ଆୟୋଜନ କରାଯାଇଛି । ଆଜି ଓ ଆସନ୍ତା କାଲି ଦୁଇ ଦିନ ଧରି ଚାଲିବାକୁ ଥିବା ଜିଲ୍ଲା ବିଚାର ବ୍ୟବସ୍ଥା (ଡିଷ୍ଟ୍ରିକ୍ଟ ଜୁଡିସିଆରି) ଉପରେ ସମ୍ମିଳନୀରେ ପାଂଚଟି ୱାର୍କିଂ ସେସନ ରଖାଯାଇଛି । ଏଥିରେ ଜିଲ୍ଲାସ୍ତରରେ ବିଚାର ବିଭାଗର ଭିତ୍ତିଭୂମି, ମାନବ ସମ୍ଭଳ, ବିଚାର ବିଭାଗର ସୁରକ୍ଷା, ତାଲିମ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା ହେବାକୁ ଥିବା ଜଣାପଡିଛି । କୋଲକାତା ଘଟଣା ପରେ ମହିଳା, ବିଶେଷକରି କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କୁ ଯଥେଷ୍ଟ ସୁରକ୍ଷା ଯୋଗାଇ ଦେବା ସକାଶେ କେନ୍ଦ୍ର ସରକାରଙ୍କ ପକ୍ଷରୁ କଠୋର ଆଇନ ପ୍ରଣୟନ ଓ ଦଣ୍ଡବିଧାନ ହେବାର ଆବଶ୍ୟକତା ରହିଛି ବୋଲି ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦୁଇଟି ଚିଠି ଲେଖିଥିବା ବେଳେ ପ୍ରଧାନମନ୍ତ୍ରୀ ତାହାର ଉତ୍ତର ଦେଇ ନଥିବାରୁ ମମତା ସାମାଜିକ ଗଣମାଧ୍ୟମ ଜରିଆରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି । ଦୁଷ୍କର୍ମ ଓ ହତ୍ୟା ଭଳି ଅମାନୁଷିକ ଘଟଣାରେ ସଂପୃକ୍ତ ଲୋକଙ୍କୁ ଫାସୀ ଭଳି କଠୋର ଦଣ୍ଡ ଦିଆଯିବା ସକାଶେ କେନ୍ଦ୍ର ସରକାର ତୁରନ୍ତ ଆଇନ ପ୍ରଣୟନ କରିବାକୁ ମମତା ତାଙ୍କ ଚିଠିରେ ଦାବି କରିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ବଦଳରେ କେନ୍ଦ୍ର ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମମତାଙ୍କୁ ପ୍ରଥମ ଚିଠିର ଉତ୍ତର ଦେଇଥିଲେ । ସଂଘୀୟ ବ୍ୟବସ୍ଥାରେ ଜଣେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠିର ଉତ୍ତର ପ୍ରଧାନମନ୍ତ୍ରୀଙ୍କଠାରୁ ଆଶା କରିଥାଏ । କିନ୍ତୁ, ପ୍ରଧାନମନ୍ତ୍ରୀ ତାହାର ଉତ୍ତର ନଦେଇ ଜଣେ କେନ୍ଦ୍ର ମନ୍ତ୍ରୀ ଉତ୍ତର ରଖିବା ସମ୍ମାନଜନକ ନୁହେଁ ବୋଲି ମମତା ତାଙ୍କ ଦ୍ୱିତୀୟ ଚିଠିରେ ଜଣାଇଛନ୍ତି ଏବଂ କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କୁ ଯଥେଷ୍ଟ ସୁରକ୍ଷା ଯୋଗାଇ ଦେବାକୁ କେନ୍ଦ୍ର ସରକାର କଠୋର ଆଇନ ପ୍ରଣୟନ କରିବା ଦାବି ଦେହରାଇଛନ୍ତି । ତେବେ, ପ୍ରଧାନମନ୍ତ୍ରୀ ମୋଦୀ ମମତାଙ୍କ ଦ୍ୱିତୀୟ ଚିଠିର ଉତ୍ତର ମଧ୍ୟ ଦେଇନଥିବା ବେଳେ ଆଜି ନୂଆଦିଲ୍ଲୀରେ ସୁପ୍ରିମ କୋର୍ଟ ଦ୍ୱାରା ଆୟୋଜିତ ଜିଲ୍ଲାସ୍ତର ବିଚାର ବ୍ୟବସ୍ଥା ଉପରେ ଆୟୋଜିତ ଦୁଇ ଦିନିଆ ସମ୍ମିଳନୀ ଉଦ୍ଘାଟନ ଅବସରରେ ତାହାର ଉତ୍ତର ରଖିଛନ୍ତି । ମହିଳାମାନଙ୍କ ସୁରକ୍ଷା, ବିଶେଷକରି କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ସୁରକ୍ଷାକୁ ନେଇ ସେ ଉଦବିଗ୍ନ । ମହିଳାଙ୍କ ପ୍ରତି ଯୌନ ଉତ୍ପୀଡନ ଘଟଣାରେ ତ୍ୱରିତ ବିଚାରଣା ଓ ଦଣ୍ଡବିଧାନର ଆବଶ୍ୟକ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । କୋଲକାତା ଘଟଣା ପରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶରେ ମହିଳା ଓ ବାଳିକାମାନଙ୍କ ପ୍ରତି ଅତ୍ୟାଚାର ବୃଦ୍ଧି ପାଉଥିବା ଘଟଣାରେ ଲଗାତର ଉଦବେଗ ପ୍ରକାଶ କରିଆସୁଛନ୍ତି । ମହିଳାଙ୍କ ସୁରକ୍ଷା, ବିଶେଷକରି ମହିଳା ଓ ବାଳିକାମାନଙ୍କ ପ୍ରତି ଯୌନ ଉତ୍ପୀଡନ ମାମଲାଗୁଡିକୁ ରାଜ୍ୟ ସରକାରମାନେ ଗୁରୁତ୍ୱ ଦେଇ ଅଗ୍ରାଧିକାର ଭିତ୍ତିରେ ବିଚାରଣା ଓ ଦଣ୍ଡବିଧାନ ବ୍ୟବସ୍ଥା କରିବାକୁ ସେ ଆହ୍ୱାନ ଦେଉଛନ୍ତି । ଆଜି ଭାରତ ମଣ୍ଡପମ୍ ରେ ସୁପ୍ରିମ କୋର୍ଟ ଦ୍ୱାରା ଆୟୋଜିତ ଦୁଇ ଦିନିଆ ସମ୍ମିଳନୀର ଉଦ୍ଘାଟନ ଅବସରରେ ମଧ୍ୟ ପ୍ରଧାନମନ୍ତ୍ରୀ ତାହାକୁ ଦୋହରାଇଛନ୍ତି । କୋଲକାତା ଆର.ଜି.କର ମେଡିକାଲ କଲେଜ ହସ୍ପିଟାଲରେ ଅଗଷ୍ଟ ୦୮ ତାରିଖ ବିଳମ୍ବ ରାତ୍ରୀରେ ଘଟିଥିବା ଦୁଷ୍କର୍ମ ଓ ହତ୍ୟା ଘଟଣାର ତଦନ୍ତରେ ପଶ୍ଚିମ ବଂଗ ପୁଲିସର ସନ୍ଦେହଜନକ ଅବହେଳା କୋଲକାତା ହାଇକୋର୍ଟ ଓ ସୁପ୍ରିମ କୋର୍ଟରେ ମଧ୍ୟ ସମାଲୋଚିତ ହୋଇଛି । କୋଲକାତା ହାଇକୋର୍ଟ ମାମଲା ଅଧିକ ଦିନ କୋଲକାତା ପୁଲିସ ହାତରେ ରହିଲେ ପ୍ରମାଣ ନଷ୍ଟ ହୋଇଯିବା ଆଶଙ୍କା ବ୍ୟକ୍ତ କରି ତଦନ୍ତ ଦାୟିତ୍ୱ ସିବିଆଇ ହାତରେ ନ୍ୟସ୍ତ କରିଥିଲେ । ସୁପ୍ରିମ କୋର୍ଟ ମଧ୍ୟ ଅଗଷ୍ଟ ୦୮-୦୯ ଭୋରରେ ଆର.ଜି.କର ମେଡିକାଲ କଲେଜ ଓ ହସ୍ପିଟାଲରେ ଘଟିଥିବା ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନିଜ ଆଡୁ ସଂଜ୍ଞାନକୁ ନେଇ ବିଚାରଣା ଆରମ୍ଭ କରିଛନ୍ତି ଓ ପଶ୍ଚିମ ବଂଗ ସରକାର, ଆର.ଜି.କର ମେଡିକାଲ କଲେଜ ହସ୍ପିଟାଲ କର୍ତ୍ତୃପକ୍ଷ ଏବଂ କୋଲକାତା ପୁଲିସର ସନ୍ଦିଗ୍ଧ ଅବହେଳାକୁୁ କଡା ସମାଲୋଚନା କରିଛନ୍ତି । ଗୋଟିଏ ପଟେ, ଟ୍ରେନି ଡାକ୍ତରଙ୍କ କ୍ଷତବିକ୍ଷତ ଶବ ୦୯ ତାରିଖ ସକାଳେ ସଂପୃକ୍ତ ମେଡିକାଲ କଲେଜ ହସ୍ପିଟାଲର ସେମିନାର ହଲ୍ ରୁ ଉଦ୍ଧାର କରାଯିବା ପରେ କୋଲକାତାରେ କାର୍ଯ୍ୟରତ ଡାକ୍ତର ଓ ସ୍ୱାସ୍ଥ୍ୟସେବା ସହ ସଂପୃକ୍ତ ଛାତ୍ରଛାତ୍ରୀଙ୍କ ପ୍ରତିବାଦ ଆନ୍ଦୋଳନ ଜାରି ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବି କରି ବିଜେପି ତାହାର ଆନ୍ଦୋଳନକୁ ଅଧିକ ଶାଣିତ କରିଛି । କଂଗ୍ରେସର ଜାତୀୟ ନେତୃତ୍ୱ ମମତାଙ୍କ ପ୍ରତି ସାମାନ୍ୟ କୋହଳ ମନୋଭାବ ପ୍ରଦର୍ଶନ କରୁଥିଲେ ମଧ୍ୟ ପଶ୍ଚିମ ବଂଗରେ କଂଗ୍ରେସ ନେତାମାନେ ବିଜେପି ସହ ସ୍ୱର ମିଳାଇବାକୁ ପଛାଇ ନାହାନ୍ତି । ଫଳରେ, ପଶ୍ଚିମ ବଂଗ ରାଜନୀତି ସରଗରମ ରହିଛି । ପଶ୍ଚିମ ବଂଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଗତକାଲି ନୂଆଦିଲ୍ଲୀରେ ପହଂଚି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଭୋଟିବା ସହ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସଂପର୍କରେ ଏକ ରିପୋର୍ଟ ଉପସ୍ଥାପନ କରିଥିବାରୁ ପଶ୍ଚିମ ବଂଗରେ ରାଷ୍ଟ୍ରପତି ଶାସନ ଜାରି ହୋଇପାରେ ବୋଲି କେତେକ ମହଲ ଆଶଙ୍କା କରୁଛନ୍ତି । ବିଜେପି ଏଭଳି ସମ୍ଭାବନାକୁ ଅଗ୍ରାହ୍ୟ କରୁଥିଲେ ମଧ୍ୟ ରାଜ୍ୟ ବିଜେପି ନେତୃତ୍ୱ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଯେଭଳି ଭାବେ ଘେରୁଛନ୍ତି କେନ୍ଦ୍ର ସରକାରଙ୍କ ଆଡୁ କେତେବେଳେ କି ନିଷ୍ପତ୍ତି ହେବ ଆଗୁଆ କହିବା ସମ୍ଭବ ନୁହେଁ ବୋଲି ରାଜନୈତିକ ବିଶ୍ଲେଷକମାନେ କହୁଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS