‘ବୁଲଡୋଜର ନ୍ୟାୟ’ ଆଇନସମ୍ମତ ନୁହେଁ – ସୁପ୍ରିମ କୋର୍ଟ
ପ୍ରସାଦ ରାଓ
ସେପ୍ଟେମ୍ବର, ୦୨/୨୦୨୪
ଦେଶରେ ବୃଦ୍ଧି ପାଉଥିବା ‘ବୁଲଡୋଜର ନ୍ୟାୟ’କୁ ନେଇ ଆଜି ସୁପ୍ରିମ କୋର୍ଟ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି । ଜଣେ ବ୍ୟକ୍ତି କୌଣସି ଆପରାଧରେ ସଂପୃକ୍ତ ଅଛି ବୋଲି ଆଇନରେ ଥିବା ନିର୍ଦେଶାବଳୀକୁ ଅଣଦେଖା କରି କେମିତି ତା’ ଘର ଭାଂଗି ଦିଆଯିବ (?) ବୋଲି ସୁପ୍ରିମ କୋର୍ଟ ପ୍ରଶ୍ନ କରିଛନ୍ତି । ଏପରିକି, କୋର୍ଟ ଦ୍ୱାରା ଦଣ୍ଡିତ ହୋଇଥିବା ବ୍ୟକ୍ତିଙ୍କ ଘରକୁ ବୁଲଡୋଜର ଲଗାଇ ଭାଂଗିବା ଆଇନସିଦ୍ଧ ନୁହେଁ ବୋଲି କୋର୍ଟ କହିଛନ୍ତି । କୌଣସି ଘର ଭାଂଗିବା ପୂର୍ବରୁ କି କି ନିର୍ଦେଶାବଳୀ ପାଳନ କରାଯିବା ଆବଶ୍ୟକ ସେନେଇ ସୁପ୍ରିମ କୋର୍ଟ ସୂଚିତ କରିବା ସହ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଦେଶର ସର୍ବୋଚ୍ଚ ନ୍ୟାୟାଳୟ ବେଆଇନ ନିର୍ମାଣ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରୁନାହାନ୍ତି । ତେବେ, ଏଥିସକାଶେ ଆଇନରେ ଥିବା ନିର୍ଦେଶାବଳୀର ସଠିକ୍ ପାଳନ ହେବା ଆବଶ୍ୟକ । ଦିଲ୍ଲୀର ଜାହାଂଗୀରପୁରୀ ଓ ରାଜସ୍ଥାନର ଉଦୟପୁରରୁ ଦେଶର ସର୍ବାଚ୍ଚ ନ୍ୟାୟାଳୟରେ ହୋଇଥିବା ଦୁଇଟି ଆବେଦନ ଉପରେ ଶୁଣାଣୀ କରି ସୁପ୍ରିମ କୋର୍ଟ ବଚାରପତି ଜଷ୍ଟିସ ବି.ଆର.ଗଭାଇ ଓ ଜଷ୍ଟିସ କେ.ଭି.ବିଶ୍ୱନାଥନ ଆଜି ଏହା କହିବା ସହ ସେପ୍ଟେମ୍ବର ୧୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣୀ କରିବେ ବୋଲି କହିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ସୁପ୍ରିମ କୋର୍ଟର ବରିଷ୍ଠ ଆଇନଜୀବୀ ଦୁଷ୍ୟନ୍ତ ଡାଭେ ପକ୍ଷ ରଖିଥିଲେ । ଦେଶବ୍ୟାପୀ ଏଭଳି ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଯେଭଳି ନହେବ ସେଦିଗରେ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦେଶ ଦେବାକୁ ଡାଭେ ସୁପ୍ରିମ କୋର୍ଟ ଖଣ୍ଡପୀଠଙ୍କୁ ନିବେଦନ କରିଥିବା ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହଟ୍ଟା ଖଣ୍ଡପୀଠକୁ ଜଣାଇ ଥିଲେ ଯେ, କୌଣସି ବ୍ୟକ୍ତି ଆପରାଧିକ କାର୍ଯ୍ୟରେ ସଂପୃକ୍ତ ଅଛି ବୋଲି ତା’ର ସ୍ଥାବର ସଂପତ୍ତିକୁ ବୁଲଡୋଜର ଲଗାଇ ଭଂଗାଯାଇ ପାରିବ ନାହିଁ । କେବଳ ବେଆଇନ ନିର୍ମାଣ ହୋଇଥିଲେ ଭଂଗାଯାଇ ପାରିବ । ଅଦାଲତଙ୍କ ସମ୍ମୁଖରେ ଭୁଲ ତଥ୍ୟ ଉପସ୍ଥାପନ କରାଯାଇଛି ବୋଲି ମେହଟ୍ଟା ଯୁକ୍ତି ଉପସ୍ଥାପନ କରିଥିଲେ । ସିଲିସିଟର ଜେନେରାଲ ମେହଟ୍ଟୋଙ୍କ ଯୁକ୍ତି ଶୁଣିବା ପରେ ଜଷ୍ଟିସ ଗଭାଇ କହିଥିଲେ, ସେ (ଏସଜି) ଯଦି ଏକଥା ସ୍ୱୀକାର କରୁଛନ୍ତି ତେବେ ଖଣ୍ଡପୀଠ ତାହାକୁ ଭିତ୍ତି କରି ଏକ ନିର୍ଦେଶାବଳୀ ଆଣିିବାକୁ ପ୍ରସ୍ତୁତ । ଜଣେ ବ୍ୟକ୍ତି କୌଣସି ଆପରାଧୀକ ମାମଲାରେ ସଂପୃକ୍ତ ବୋଲି ତା’ ଘର କେମିତି ଭାଂଗି ଦିଆଯିବ ? ଏପରିକି, ସେ କୋର୍ଟ ଦ୍ୱାରା ଦଣ୍ଡିତ ବ୍ୟକ୍ତି ହୋଇଥାଉନା କାହିଁକି (!) ବୋଲି ଜଷ୍ଟିସ ଗଭାଇ ପ୍ରଶ୍ନ କରିଛନ୍ତି । ‘ଯଦି ଆପଣ କହୁଛନ୍ତି ନିର୍ମାଣ କାର୍ଯ୍ୟ ଅନଧିକୃତ ଏବଂ ମୁନସିପାଲ ଆଇନର ଉଲଂଘନ କରୁଛି, ତେବେ ତାହାର ଉଚ୍ଛେଦକୁ ବ୍ୟବସ୍ଥିତ କରିବା ପାଇଁ ନିୟମର ଆବଶ୍ୟକତା ରହିଛି । ସେହି ନିୟମାବଳୀ ମଧ୍ୟ ଡକୁମେଂଟେଡ ହେବା ଆବଶ୍ୟକ’ ବୋଲି ସୁପ୍ରିମ କୋର୍ଟ କହିଛନ୍ତି । ଖଣ୍ଡପୀଠର ଅନ୍ୟତମ ସଦସ୍ୟ ଜଷ୍ଟିସ ବିଶ୍ୱନାଥନ କହିଛନ୍ତି, ବେଆଇନ ନିର୍ମାଣକୁ ଉଚ୍ଛେଦ କରିବା ପୂର୍ବରୁ ସଂପୃକ୍ତ ନିୟମ ଉଲଂଘନକାରୀଙ୍କୁ ପ୍ରଥମେ ନୋଟିସ ଦିଆଯିବା, ନୋଟିସର ଉତ୍ତର ରଖିବାକୁ ଓ ଆଇନର ସହାୟତା ନେବାକୁ ସମୟ ଦିଆଯିବା ଆବଶ୍ୟକ । ସର୍ବଶେଷରେ ଉଚ୍ଛେଦ କଥା ଆସୁଛି । ‘ସର୍ବସାଧାରଣଙ୍କ ରାସ୍ତାରେ କୌଣସି ଅବୈଧ ନିର୍ମାଣକୁ ଆମେ ସୁରକ୍ଷା ଦେବା ସପକ୍ଷରେ ନାହୁଁ । ତେବେ, ତାହାକୁ ଉଚ୍ଛେଦ କରିବା ସକାଶେ ଆଇନରେ ଥିବା ନିର୍ଦେଶାବଳୀ ପାଳନ କରାଯିବା ଆବଶ୍ୟକ’ ବୋଲି ସୁପ୍ରିମ କୋର୍ଟ ଖଣ୍ଡପୀଠ କହିଛନ୍ତି । ଦିଲ୍ଲୀ ଜାହାଙ୍ଗୀରପୁରୀରେ ହୋଇଥିବା ଉଚ୍ଛେଦ କାର୍ଯ୍ୟ ବିରୋଧରେ କୋର୍ଟରେ ଆବେଦନ କରିଥିବା ଆବେଦନକାରୀଙ୍କ ଓକିଲ ଡାଭେ ଓ ସି.ୟୁ.ସିଂହ ଖଣ୍ଡପୀଠକୁ ସୂଚିତ କରିଥିଲେ ଯେ, ସେହି ଅଂଚଳରେ ୫୦ରୁ ୬୦ ବର୍ଷ ଧରି ରହିଥିବା ଓ ଭଡାରେ ଲାଗି ଥିବା ଘରକୁ ଭାଂଗି ଦିଆଯାଇଛି । ଏହାର କାରଣ ଭାବେ ଦର୍ଶାଯାଇଛି, ଘର ମାଲିକଙ୍କ ପୁଅ ଓ ଭଡାଟିଆ ଆପରାଧୀକ କାର୍ଯ୍ୟକଳାପରେ ସଂପୃକ୍ତ । ରାଜସ୍ଥାନର ଉଦୟପୁରରୁ ହୋଇଥିବା ଆବେଦନରେ ଆବେଦନକାରୀ ଦର୍ଶାଇଛନ୍ତି, ଘରେ ଭଡାକୁ ଥିବା ଜଣେ ଛାତ୍ର ତା’ର ସ୍କୁଲ ସାଥୀକୁ ଛୁରୀ ଭୁଶିଥିବାରୁ ତାଙ୍କ ଘରକୁ ବୁଳଡୋଜର ଲଗାଇ ଭାଂଗି ଦିଆଯାଇଛି । କୌଣସି ବ୍ୟକ୍ତିଙ୍କ ପୁଅ ଯଦି କିଛି ଅସାମାଜିକ କାର୍ଯ୍ୟରେ ଲିପ୍ତ ହୋଇଛି, ସେହି ଅପରାଧ ପାଇଁ ବାପାଙ୍କ ଘରକୁ କେମିତି ଭାଂଗି ଦିଆଯିବ ବୋଲି ବିଚାରପତି ଜଷ୍ଟିସ ବିଶ୍ୱନାଥନ ପ୍ରଶ୍ନ କରିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣୀ ଆସନ୍ତା ୧୭ ତାରିଖକୁ ଧାର୍ଯ୍ୟ କରି ସୁପ୍ରିମ କୋର୍ଟ ଏହି ସମସ୍ୟା ଉପରେ ସମାଧାନକେମିତି ହେବ, ତାହା ଉପରେ ପ୍ରସ୍ତାବମାନ ଆହ୍ୱାନ କରିଛନ୍ତି । ଆଇନରେ ଥିବା ବ୍ୟବସ୍ଥା ଅନୁସାରେ ହିଁ ସ୍ଥାୟୀ ବା ସ୍ଥାବର ସଂପତ୍ତିର ଉଚ୍ଛେଦ ହୋଇପାରିବ ବୋଲି ୟୁପି ସରକାର ସୁପ୍ରିମ କୋର୍ଟରେ ଦାଖଲ କରିଥିବା ସତ୍ୟପାଠକୁ ଜଷ୍ଟିସ ଗଭାଇ ପ୍ରଶଂସା କରିବା ସହ ସେହି ଆଧାରରେ ସମଗ୍ର ଦେଶରେ ଏଭଳି ସମସ୍ୟାର ମୁକାବିଲା ପାଇଁ ନିର୍ଦେଶାବଳୀ ପ୍ରସ୍ତୁତ କରାଯିବା ଉପରେ ସୁପ୍ରିମ କୋର୍ଟ ଖଣ୍ଡପୀଠ ଗୁରୁତ୍ୱ ଦେଇଛନ୍ତି । ଆଜିର ଶୁଣାଣୀ ସମୟରେ କୋର୍ଟରୁମରେ ପିଟିସନକାରୀଙ୍କ ଓକିଲ ଦୁଷ୍ୟନ୍ତ ଡାଭେ ଓ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କ ମଧ୍ୟ ଜୋରଦାର କଥା କଟାକଟି ଚାଲିବାରୁ ଜଷ୍ଟିସ ଗଭାଇ ସେଥିରେ ହସ୍ତକ୍ଷେପ କରିବାକୁ ବାଧ୍ୟ ହୋଇଥିଲେ । କୋର୍ଟରୁମ ଯୁଦ୍ଧକ୍ଷେତ୍ର ନୁହେଁ ବୋଲି ସେ ଦୁଇ ପକ୍ଷ ଓକିଲଙ୍କୁ ଚେତାଇ ଦେଇଥିଲେ । ଏଠାରେ ସୂଚନାଯୋଗ୍ୟ, ଅପରାଧୀ ବା ଅଭିଯୁକ୍ତଙ୍କ ବିରୋଧରେ ‘ବୁଲଡୋଜର କାର୍ଯ୍ୟାନୁଷ୍ଠାନ’ ପ୍ରଥମେ ୟୁପିରୁ ଆରମ୍ଭ ହେଇଛି ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରି ଦେଶବ୍ୟାପୀ ‘ବୁଲଡୋଜର ବାବା’ ନାମରେ ପ୍ରସିଦ୍ଧି ଲାଭ କରିଛନ୍ତି । ଯୋଗୀଙ୍କୁ ଦେଖି ଅନ୍ୟ ବିଜେପି, ଅଣ-ବିଜେପି ରାଜ୍ୟ ସରକାରମାନେ ଅପରାଧୀ ବା ଅଭିଯୁକ୍ତଙ୍କ ବିରୋଧରେ ସମାନ କାର୍ଯ୍ୟାନୁଷ୍ଠାନର ଆଶ୍ରୟ ନେଇଛନ୍ତି, ଯାହାକି ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ଅଦାଲତରେ ଜଣେ ବ୍ୟକ୍ତି ଦୋଷୀ ସାବ୍ୟସ୍ତ ନ ହେଉଣୁ ତାଙ୍କୁ ଅପରାଧୀ ଦର୍ଶାଇ ଘରଦ୍ୱାର ଭଂଗାଯିବା ଭାରତୀୟ ସମ୍ବିଧାନ ଓ ଆଇନ ବ୍ୟବସ୍ଥାର ବିରୋଧୀ ହୋଇଥିବାରୁ ସଚେତନ ନାଗରିକ ମହଲରେ ଏହାକୁ ନେଇ ପ୍ରଶ୍ନ ଉଠୁଥିଲା । ଅଭିଯୁକ୍ତ ହେଉ ବା ଅପରାଧୀ, ଆଇନରେ ଥିବା ବ୍ୟବସ୍ଥା ବାହାରେ କାହାରି ବିରୋଧରେ ‘ବୁଲଡୋଜର କାର୍ଯ୍ୟାନୁଷ୍ଠାନ’ ଆଇନସମ୍ମତ ନୁହେଁ । ସୁପ୍ରିମ କୋର୍ଟ ଖଣ୍ଡପୀଠ ଏହା ସ୍ପଷ୍ଟ କରିଥିବାରୁ ଆଗକୁ ରାଜ୍ୟ ସରକାରମାନଙ୍କ ଆଭିମୁଖ୍ୟ କଣ ରହିବ, ତାହା ଉପରେ ସମସ୍ତଙ୍କ ନଜର ରହିବ ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS