ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅପରାଧୀଙ୍କୁ ମୃତ୍ୟୁଦଣ୍ଡ: ବେଂଗଲ ବିଧାନସଭାରେ ବିଲ୍ ପାରିତ
ପ୍ରସାଦ ରାଓ
ସେପ୍ଟେମ୍ବର, ୦୩/୨୦୨୪
ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ ଅପରାଧୀଙ୍କୁ ମୃତ୍ୟୁଦଣ୍ଡ ଦିଆଯିବାକୁ ଆଜି ପଶ୍ଚିମ ବଂଗ ବିଧାନସଭାରେ ଏକ ବିଲ୍ ଗୃହୀତ କରାଯାଇଛି । ଦୁଷ୍କର୍ମ ପରେ ଜଣେ ମହିଳାଙ୍କୁ ନିସଂଗ କରିଦେଇଥିବା ବ୍ୟକ୍ତିଙ୍କୁ ମଧ୍ୟ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯିବାକୁ ଏହି ବିଲ୍ ରେ ପ୍ରାବଧାନ ରଖାଯାଇଛି । ବିଧାନସଭାରେ ‘ଅପରାଜିତା ମହିଳା ଓ ଶିଶୁ (ପଶ୍ଚିମ ବଂଗ କ୍ରିମିନାଲ ଲ’ ଆମେଣ୍ଡମେଂଟ) ବିଲ୍ ନାମକ ବିଲ୍ ପାରିତ କରାଯିବା ସମୟରେ ବିରୋଧୀ ବିଜେପି ବିଧାୟକମାନେ ପ୍ରତିଶ୍ରୁତି ମୁତାବକ ଭୋଟ ଡିଭିଜନ ପାଇଁ କୌଣସି ଦାବି ଉପସ୍ଥାପନ କରିନଥିଲେ । ଭାରତୀୟ ନ୍ୟାୟ ସଂହିତା-୨୦୨୩, ଭାରତୀୟ ନାଗରିକ ସୁରକ୍ଷା ସଂହିତା-୨୦୨୩ ଏବଂ ପୋକ୍ସୋ (ପ୍ରୋଟେକ୍ସନ ଅଫ୍ ଚାଇଲ୍ଡ ଫ୍ରମ୍ ସେକ୍ସୁଆଲ ଅଫେନ୍ସ) ଆଇନରେ ଥିବା ବ୍ୟବସ୍ଥାରେ ଆବଶ୍ୟକ ସଂଶୋଧନ ପାଇଁ ପାରିତ କରାଯାଇଥିବା ଏହି ବିଲ୍ ଉପରେ ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଧାନସଭା ଗୃହରେ ଆଲୋଚନା କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡା ସମାଲୋଚନା କରିଛନ୍ତି । ସେ କହିଛନ୍ତି, ତାଙ୍କ ସରକାର ଯାହା କରିଛନ୍ତି ପ୍ରଧାନମନ୍ତ୍ରୀ ତାହା କରିପାରି ନାହାନ୍ତି । ମହିଳାଙ୍କ ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀ କୌଣସି ପଦକ୍ଷେପ ନେଇ ନଥିବାରୁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ମମତା ଆହ୍ୱାନ ଦେଇଛନ୍ତି । ଏହି ବିଲ୍ ରେ କେନ୍ଦ୍ରୀୟ ଆଇନରେ କେତେକ ସଂଶୋଧନ ପାଇଁ ପ୍ରସ୍ତାବ ଥିବାରୁ ରାଷ୍ଟ୍ରପତିଙ୍କ ଅନୁମୋଦନର ଆବଶ୍ୟକତା ରହିଛି । ତେଣୁ, ପଶ୍ଚିମ ବଂଗ ରାଜ୍ୟପାଳ କାଳବିଳମ୍ବ ନକରି ଏହି ବିଲ୍ କୁ ଅନୁମୋଦନ ଦେବା ସହ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଇବାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିବେଦନ କରିବା ସହ ବିଲ୍ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ଆଇନରେ ପରିଣତ ହେବା ପରେ ତାହାକୁ କାର୍ଯ୍ୟକାରୀ କରିବା ରାଜ୍ୟ ସରକାରଙ୍କ ଦାୟିତ୍ୱ ବୋଲି କହିଛନ୍ତି । ପଶ୍ଚିମ ବଂଗ ବିଧାନସଭାରେ ବିଜେପି ମୁଖ୍ୟ ବିରୋଧୀ ଦଳ ଥିବାରୁ ବିଧାନସଭାର ବିରୋଧୀ ଦଳ ନେତା ଏହି ବିଲ୍ କୁ ତୁରନ୍ତ ଅନୁମୋଦନ ପାଇଁ ରାଜ୍ୟପାଳଙ୍କୁ ପ୍ରବର୍ତ୍ତାନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ଗତ ଅଗଷ୍ଟ ୦୯ ତାରିଖରେ ପଶ୍ଚିମ ବଂଗର ରାଜଧାନୀ କୋଲକାତାସ୍ଥିତ ଆର.ଜି.କର ସରକାରୀ ମେଡିକାଲ କଲେଜରେ ତାଲିମରେ ଥିବା ଜଣେ ଡାକ୍ତରାଣୀଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯିବା ଘଟଣାରେ ରାଜ୍ୟ ସରକାର ଦେଶବ୍ୟାପୀ ତୀବ୍ର ସମାଲୋଚନାର ସମ୍ମୁଖୀନ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ତୁରନ୍ତ ବିଚାରଣା ଓ ଦୋଷୀଙ୍କ ଦଣ୍ଡିବିଧାନ ପାଇଁ ଅଧିକ ସଂଖ୍ୟାରେ ଫାଷ୍ଟ୍ ଟ୍ରାକ୍ କୋର୍ଟ ଖୋଲା ଯିବାକୁ ଏବଂ ଅପରାଧୀଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିବାକୁ କେନ୍ଦ୍ର ସରକାର ଏକ କଡା ଆଇନ ଆଣିବାକୁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଥିଲେ । ଦୁଷ୍କର୍ମ ଓ ହତ୍ୟାରେ ସଂପୃକ୍ତ ଅପରାଧୀଙ୍କୁ ଫାଶୀ ଦିଆଯିବାର ପ୍ରାବଧାନ କରାଯିବାକୁ ସେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରିଥିଲେ । ତେବେ, ପ୍ରଧାନମନ୍ତ୍ରୀ ମୋଦୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦୁଇଟି ଚିଠିର ଉତ୍ତର ଦେଇ ନାହାନ୍ତି । ଅପରପକ୍ଷରେ, କେନ୍ଦ୍ର ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଚିଠିର ଉତ୍ତର ଦେଇ କେନ୍ଦ୍ର ସରକାର ରାଜ୍ୟ ପାଇଁ ମଂଜୁର କରିଥିବା ଫାଷ୍ଟ୍ ଟ୍ରାକ୍ କୋର୍ଟ ମଧ୍ୟରୁ ଅଧିକାଂଶ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ କରାଯାଇନଥିବା ପାଲଟା ଅଭିଯୋଗ କରିଛନ୍ତି । ଅଗଷ୍ଟ ୦୯ ତାରିଖ ଭୋରରେ କୋଲକାତା ଆର.ଜି.କର ମେଡିକାଲ କଲେଜ ଓ ହସ୍ପିଟାଲରେ ଘଟିଥିବା ତାଲିମରେ ଥିବା ଡାକ୍ତରାଣୀଙ୍କ ପ୍ରତି ଦୁଷ୍କର୍ମ ଓ ହତ୍ୟା ଘଟଣାରେ ରାଜ୍ୟ ସରକାରଙ୍କ ଭୂମିକାକୁ କେନ୍ଦ୍ର ସରକାର କଡା ସମାଲୋଚନା କରୁଥିବା ବେଳେ ନ୍ୟାୟ ଦାବିରେ କୋଲକାତାରେ ଡାକ୍ତର ଓ ଡାକ୍ତରୀ ଛାତ୍ରଙ୍କ ପ୍ରତିବାଦ ଆନ୍ଦୋଳନ ଜାରି ରହିଛି । ଏହି ଘୃଣ୍ୟ ଘଟଣାକୁ ଚାପାଇ ଦେବା ପାଇଁ ମେଡିକାଲ କଲେଜ କର୍ତ୍ତୃପକ୍ଷ, କୋଲକାତା ପୁଲିସ ଏବଂ ରାଜ୍ୟ ସରକାର ମିଳିତ ଭାବେ ଉଦ୍ୟମ କରିଥିଲେ ବୋଲି ଅଭିଯୋଗ କରି ବିଜେପି ମୁଖ୍ୟମନ୍ତ୍ରୀ ପଦରୁ ମମତା ବାନାର୍ଜୀଙ୍କ ଇସ୍ତଫା ଦାବିରେ ଆନ୍ଦୋଳନ ଚଳାଇଛି । କୋଲକାତା ପୁଲିସ ଘଟଣାର ନିରପେକ୍ଷ ତଦନ୍ତ କରିବା ବଦଳରେ ପ୍ରମାଣ ନଷ୍ଟ ଉଦ୍ୟମ କରିଥିବା ଅଭିଯୋଗ ହେବାରୁ କୋଲକାତା ହାଇକୋର୍ଟ ଘଟଣାର ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର କରିଥିଲେ । ଅଗଷ୍ଟ ୧୬ ତାରିଖରୁ ସିବିଆଇ ଏହି ଘଟଣାର ତଦନ୍ତ କରୁଛି । କୋଲକାତା ପୁଲିସ ସଂଜୟ ରାୟ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରିଥିଲେ । ସିବିଆଇ ସଂଜୟକୁ ନିଜ ହେପାଜତକୁ ନେଇ ଜେରା କରିବା ପରେ ଦୁଷ୍କର୍ମ ଓ ହତ୍ୟାରେ ସେ ଏକମାତ୍ର ଅଭିଯୁକ୍ତ କହିଥିବା ବେଳେ ଅନ୍ୟାନ୍ୟ କାରଣରୁ ଜଣେ ସିକ୍ୟୁରିଟି ଗାର୍ଡ ସମତେ ତିନି ଜଣଙ୍କୁ ଗିରଫ କରିଛନ୍ତି । ଗତକାଲି ସଂପୃକ୍ତ ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ଅଧ୍ୟକ୍ଷ ଡକ୍ଟର ସନ୍ଦୀପ ଘୋଷଙ୍କୁ ସିବିାଇ ଗିରଫ କରିଛି । ତେବେ, ତାଙ୍କ ବିରୋଧରେ ଗୁରୁତର ଅର୍ଥନୈତିକ ଡ ଅନ୍ୟାନ୍ୟ ଅଭିଯୋଗର ତଦନ୍ତ ଚାଲିଛି । ଡକ୍ଟର ଘୋଷଙ୍କୁ ସିବିଆଇ ଦୀର୍ଘ ଦିନ ଜେରା କରିବା ପରେ ଗତକାଲି ଗିରଫ କରିଥବା ସୂଚନା ଦେଇଛି । ଟ୍ରେନି ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ରାତିରେ ଅନ୍ୟ ଚାରି ଜଣ ଡାକ୍ତର ତାଙ୍କ ସହ ରାତ୍ରୀ ଡ୍ୟୁଟିରେ ଥିଲେ । ସେମାନେ ଏକାଠି ଖାଇଥିଲେ, ଟିଭି ଦେଖିଥିଲେ ଏବଂ ବିଳମ୍ବ ରାତ୍ରୀରେ ପୀଡିତା ହସ୍ପିଟାଲର ସେମିନାର ହଲ୍ ରେ ରହିଯାଇଥିବା ବେଳେ ଅନ୍ୟ ଡାକ୍ତରମାନେ ନିଜ ନିଜ ୱାର୍କ ଷ୍ଟେସନକୁ ଚାଲି ଯାଇଥିଲେ । ସେଦିନ ରାତ୍ରୀ ଡ୍ୟୁଟିରେ ଥବା ଡାକ୍ତର, ହସ୍ପିଟାଲ କର୍ମଚାରୀ ଓ ଅନ୍ୟ କିଛି ଲୋକଙ୍କୁ ସିବିଆଇ ଜେରା କରିଛି । ଅଭିଯୁକ୍ତ ସଂଜୟ ରାୟ ଓ କଲେଜ ଅଧ୍ୟକ୍ଷ ଡକ୍ଟର ସନ୍ଦୀପ ଘୋଷଙ୍କ ଲାଇ-ଡିଟେକ୍ସନ୍ ଟେଷ୍ଟ ହୋଇଛି । ଅଗଷ୍ଟ ୦୮ ତାରିଖ ରାତିରେ ଟ୍ରେନି ଡାକ୍ତର ହସ୍ପିଟାଲରେ ଡ୍ୟୁଟିରେ ଥିଲେ । ୦୯ ତାରିଖ ଭୋରରେ ନାରକୀୟ ଦୁଷ୍କର୍ମ ଓ ହତ୍ୟା ଘଟଣା ଘଟିଥିଲା । ୦୯ ତାରିଖ ସକାଳେ ହସ୍ପିଟାଲର ସେମିନାର ହଲ୍ ରୁ ପୀଡିତାଙ୍କ ରକ୍ତ ଜୁଡୁବୁଡୁ ଶବ ଉଦ୍ଧାର ହୋଇଥିଲା । ମୃତା ଡାକ୍ତରାଣୀଙ୍କ ଶବ ମିଳିବା ପରେ ମେଡିକାଲ କର୍ତ୍ତୃପକ୍ଷ ପୀଡିତାଙ୍କ ପରିବାରକୁ ମିଥ୍ୟା ସୂଚନା ଦେଇଥିବା ଅଭିଯୋଗ ହୋଇଥିଲା । ପରବର୍ତ୍ତୀ ସମୟରେ ଅପରାଧ ସ୍ଥଳକୁ ପୁଲିସ ସୁରକ୍ଷା ବଳୟରେ ରଖିବାର ଆବଶ୍ୟକତା ଥିବା ବେଳେ ହଜାର ହଜାର ସଂଖ୍ୟକ ଦୁର୍ବୁତ୍ତ ଅପରାଧ ସ୍ଥାନରେ ପ୍ରବେଶ କରି ବ୍ୟାପକ ଭଂଗାରୁଜା କରିଥିଲେ । ଯାହାକି ପଶ୍ଚିମ ବଂଗ ସରକାର ଓ କୋଲକାତା ପୁଲିସକୁ ସନ୍ଦେହ ଘେରରେ ରଖିଛି । ପୁଲିସ ଜାଣତରେ ଶାସକ ଦଳ (ଟିଏମସି)ର ଗୁଣ୍ଡାମାନେ ପ୍ରମାଣ ନଷ୍ଟ ପାଇଁ ସେମିନାର ହଲ୍ ରେ ପ୍ରବେଶ କରି ବ୍ୟାପକ ଭଂଗାରୁଜା କରିଥିଲେ ବୋଲି ବିଜେପି ଅଭିଯୋଗ କରିଛି । ଦୁଷ୍କର୍ମ ଓ ହତ୍ୟା ଘଟଣା ଘଟିବାର ଦୀର୍ଘ ସମୟ ପରେ କୋଲକାତା ପୁଲିସ ଏହାକୁ ନେଇ ମାମଲା ପଂଜୀକୃତ କରିବା ଏବଂ ପୁଲିସ ତଦନ୍ତରେ ଶିଥିଳତାର ପ୍ରମାଣ ମିଳିବା ପରେ ସୁପ୍ରିମ କୋର୍ଟ ମଧ୍ୟ ରାଜ୍ୟ ସରକାରଙ୍କୁ ଭର୍ଛନା କରିଛନ୍ତି । କର୍ମ କ୍ଷେତ୍ରରେ ମହିଳାଙ୍କୁ ଉଚପଯୁକ୍ତ ସୁରକ୍ଷା କିଭଳି ଦେଇ ହେବ ସେନେଇ ପ୍ରସ୍ତାବ ଦେବାକୁ ଦେଶର ସର୍ବୋଚ୍ଚ ନ୍ୟାୟପାଳିକା ପକ୍ଷରୁ ଏକ ବିଶେଷଜ୍ଞ କମିଟି ମଧ୍ୟ ଗଠନ କରାଯାଇଛି ଏବଂ ନିଧାର୍ଯ୍ୟ ସମୟ ସୀମା ମଧ୍ୟମରେ ରିପୋର୍ଟ ଉପସ୍ଥାପନ କରିବାକୁ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କମିଟିକୁ ନିର୍ଦେଶ ଦେଇଛନ୍ତି । ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଧାନସଭାରେ ଆଜି ନିଜର ବକ୍ତବ୍ୟ ରଖି ପଶ୍ଚିମ ବଂଗରେ କିଛି ଘଟିଲେ ବିଜେପି ବିଧାୟକମାନେ ହଡକଂପ ସୃଷ୍ଟି କରୁଥିବା ବେଳେ ବିଜେପି ଶାସିତ ରାଜ୍ୟରେ ସମାନ ଧରଣର ଘଟଣା ଘଟିଲେ ମୁହଁ ଖୋଲୁ ନଥିବାରୁ କଡା ସମାଲୋଚନା କରିଥିଲେ । ୟୁପି, ରାଜସ୍ଥାନ, ଗୁଜରାଟ ଭଳି ରାଜ୍ୟରେ ବିଭିନ୍ନ ସମୟରେ ଘଟିଥିବା ଦୁଷ୍କର୍ମ ଓ ହତ୍ୟା ଘଟଣାର ସେ ଉଦାହରଣ ଦେଇଥିଲେ । ୨୦ ଦିନରୁ ଅଧିକ ହେଲା ସିବିଆଇ କୋଲକାତା ଦୁଷ୍କର୍ମ ଓ ହତ୍ୟା ଘଟଣାର ତଦନ୍ତ କରୁଥିବା ବେଳେ ଆଜି ସୁଦ୍ଧା ପୀଡିତାଙ୍କ ପରିବାରକୁ ନ୍ୟାୟ ମିଳି ନାହିଁ । ‘ଆମେ ସିବିଆଇ ନିକଟରୁ ନ୍ୟାୟ ଚାହୁଁଛୁ’ ବୋଲି ମମତା ବିଧାନସଭାରେ କହିଛନ୍ତି । ବିଧାନସଭାରେ ଆଜି ସରକାରଙ୍କ ଦ୍ୱାରା ଆଗତ ସଂଶୋଧନ ବିଲ୍ ପାରିତ ହେବା ବେଳେ ବିଜେପି ବିଧାୟକମାନେ ଭୋଟ ଡିଭିଜନ ପାଇଁ ଦାବି ଉଠାଇ ନଥିଲେ ମଧ୍ୟ ତରବରିଆ ଭାବେ ଏହି ଗୃହରେ ଆଗତ କରାଯାଇଥିବାରୁ ସମାଲୋଚନା କରିଛନ୍ତି । ‘ଆମେ ବିଲ୍ କୁ ସମର୍ଥନ କରିବୁ । ଭୋଟ ଡିଭିଜନ ପାଇଁ ଦାବି କରିବୁ ନାହିଁ । ତେବେ, ଅଧିକ ଅନୁଧ୍ୟାନ ପାଇଁ ବିଲ୍ ଏକ କମିଟିକୁ ପଠାନଯାଇ ତରବରିଆ ଭାବେ ଗୃହରେ ଆଗତ କରାଯିବାର କାରଣ କଣ ?’ ବୋଲି ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ପ୍ରଶ୍ନ କରିଛନ୍ତି । ଏହି ବିଲ୍ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ତୁରନ୍ତ ପଠାଇବାକୁ ସେମାନେ ରାଜ୍ୟପାଳଙ୍କୁ ନିବଦେନ କରିବେ । ତେବେ, ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଆଇନକୁ କାର୍ଯ୍ୟକାରୀ କରିବା ଦାୟିତ୍ୱ ରାଜ୍ୟ ସରକାରଙ୍କ ବୋଲି ବିରୋଧୀ ଦଳ ନେତା ସ୍ପଷ୍ଟ କରି ଦେଇଛନ୍ତି । ମମତା ସରକାର ଆଜି ବିଧାନସଭାରେ ପାରିତ କରିଥିବା ବିଲ୍ ସାମୟିକ ଭାବେ ରାଜ୍ୟ ସରକାରଙ୍କୁ ଆଶ୍ୱସ୍ତି ଦେଇଥିଲେ ମଧ୍ୟ ରାଜ୍ୟରେ ଚାଲିଥିବା ଡାକ୍ତର ଓ ଡାକ୍ତରୀ ଛାତ୍ରଙ୍କ ଆନ୍ଦୋଳନରେ ପୂର୍ଣ୍ଣଛେଦ ଟାଣିବାରେ ଏହି କୌଶଳ କେତେମାତ୍ରାରେ ସଫଳ ହେବ, ତାହା ଆଗକୁ ଜଣାପଡିବ ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS