ମୋହନ ସରକାରରେ ସବୁ ଠିକଠାକ୍ ଚାଲିଛି ତ ?
ପ୍ରସାଦ ରାଓ
ସେପ୍ଟେମ୍ବର, ୦୪/୨୦୨୪
ଏଥିରେ କିଛି ସନ୍ଦେହ ନାହିଁ ଯେ ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପି ଶାସନକୁ ଆସିଛି । କେଉଁଝର ଜିଲ୍ଲାରୁ ବିଧାନସଭାକୁ ଆସିଥିବା ବିଧାୟକ ମୋହନ ଚରଣ ମାଝୀ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ନିଯୁକ୍ତ ହେବା ସହ ରାଜ୍ୟର ଶାସନ ଭାର ସମ୍ଭାଳିଛନ୍ତି । ସରକାରକୁ ମାତ୍ର ତିନି ମାସରୁ କିଛି ଅଧିକ ସମୟ ହୋଇଛି । ସରକାର ଚଳାଇବାରେ ଅଭିଜ୍ଞତାର ଅଭାବ ରାଜ୍ୟ ବିଜେପି ଶାସନରେ ଜଳ ଜଳ ଦିଶୁଛି । ବିଶେଷକରି, ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଘୋଷଣା କରିବାରେ ମନ୍ତ୍ରୀମାନେ ଯେତିିକି ବ୍ୟଗ୍ରତା ଦେଖାଉଛନ୍ତି ନିଷ୍ପତ୍ତି ପ୍ରତ୍ୟାହାରରେ ମଧ୍ୟ ସେତିକି ବ୍ୟଗ୍ରତା ଦେଖାଉ ଥିବା ସରକାରଙ୍କ ଦୁର୍ବଳତାକୁ ପଦାରେ ପକାଉଛି । ରାଜ୍ୟର ସମ୍ମାନଜନକ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାରର ନାମ ପରିବର୍ତ୍ତନ ହେଉ ବା ଓଡ଼ିଶାରେ ହାଇକୋର୍ଟର ବେଂଚ ପ୍ରତିଷ୍ଠାକୁ ନେଇ ହେଉ – ସରକାର ନିର୍ବିଚାରରେ ଗୋଟିଏ ଘୋଷଣା କରୁଛନ୍ତି, ପରେ ତାହାକୁ ଢୋକିବାର ପ୍ରୟାସ କରୁଛନ୍ତି, ଯାହାକି ସରକାରଙ୍କୁ ଲୋକହସା କରୁଛି । ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାରର ନାମ ରାଜ୍ୟ ସରକାରଙ୍କ କ୍ରୀଡା ପୁରସ୍କାର ହେଲା ବୋଲି ରାଜ୍ୟ ସରକାର ପ୍ରଥମେ ବିଜ୍ଞପ୍ତି ଜାରି କରିଦେଲେ । କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଲା । ଏହାର ଏକମାତ୍ର ଉଦ୍ଦେଶ୍ୟ ଥିଲା ଏହି ସମ୍ମାନଜନକ କ୍ରୀଡା ପୁରସ୍କାରରୁ ବିଜୁ ବାବୁଙ୍କୁ ନାମକୁ ହଟାଇବା । ଏହାକୁ ନେଇ ରାଜ୍ୟବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରୁ ମୁଖ୍ୟମନ୍ତ୍ରୀ ତୁରନ୍ତ ଗଣମାଧ୍ୟମ ସାମ୍ନାକୁ ଆସି ରାଜ୍ୟ ସରକାର ଏଭଳି କିଛି ନିଷ୍ପତ୍ତି ନେଇ ନାହାନ୍ତି, ପୂର୍ବ ଭଳି ପୁରସ୍କାରର ନାମ ‘ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର’ ରହିବ ବୋଲି ଘୋଷଣା କଲେ । ରାଜ୍ୟ କ୍ରୀଡା ବିଭାଗ ମନ୍ତ୍ରୀ ସଫେଇ ଦେବାକୁ ଯାଇ କ୍ରୀଡା ପୁରସ୍କାରର ନାମ ପରିବର୍ତ୍ତନ ନେଇ ସେ କିଛି ଜାଣନ୍ତି ନାହିଁ ବୋଲି କହିଲେ । ମୁଖ୍ୟମନ୍ତ୍ରୀ ଓ କ୍ରୀଡା ବିଭାଗ ମନ୍ତ୍ରୀଙ୍କ ଅଗୋଚରରେ ଏଭଳି ନିଷ୍ପତ୍ତି କିଏ ନେଲା ଏବଂ ତାହା ମଧ୍ୟ ସରକାରୀ ବିଜ୍ଞପ୍ତି ଆକାରରେ ପ୍ରକାଶ ପାଇଲା ? ଏହାର ଉତ୍ତର ସରକାରଙ୍କଠାରୁ ମିଳି ନାହିଁ । ମୁଖ୍ୟମନ୍ତ୍ରୀ ବା ବିଭାଗୀୟ ମନ୍ତ୍ରୀ ପରବର୍ତ୍ତୀ ସମୟରେ ପ୍ରକାଶିତ ସରକାରୀ ବିଜ୍ଞପ୍ତିକୁ ନେଇ କିଛି ଖୋଲତାଡ କଲେ କି (?) ବା କ୍ରୀଡା ବିଭାଗର ଯେଉଁ ପଦସ୍ଥ ଅଧକାରୀଙ୍କ ଦ୍ୱାରା ଏହି ବିଜ୍ଞପ୍ତି ପ୍ରକାଶ ପାଇଲା ତାଙ୍କ ବିରୋଧରେ କୌଣସି ସରକାରୀ କାର୍ଯ୍ୟାନୁଷ୍ଠାନ ହୋଇଛି କି ନାହିଁ – ତାହାକୁ ନେଇ ସମସ୍ତେ ଅନ୍ଧାରରେ । ମୋହନ ସରକାର କ୍ଷମତାକୁ ଆସିବା ପରେ ପୂର୍ବ ସରକାର ଅମଳରେ ରାଜ୍ୟରେ କାର୍ଯ୍ୟକାରୀ ହୋଇଥିବା ଅନ୍ୟୁନ ୪୦ଟି ଯୋଜନା ବା କାର୍ଯ୍ୟକ୍ରମର କେବଳ ନାମ ବଦଳାଇଛନ୍ତି ଓ ବଜେଟରେ ସେସବୁ କାର୍ଯ୍ୟକ୍ରମ ବାବଦରେ କିଛି ଅଧିକ ଅର୍ଥ ବ୍ୟବସ୍ଥା କରି ନୂଆ ନାମରେ ଆଗକୁ ବଢାଉଛନ୍ତି । ରାଜ୍ୟ ବିଧାନସଭାର ବଜେଟ ଅଧିବେଶନ ସମୟରେ ତାହା ନଜରକୁ ଆସିଛି । ଏହି ସରକାର କେବଳ ‘ନାମ ପରିବର୍ତ୍ତନ’ କରିବା ସରକାର । ସରକାରଙ୍କ ନିକଟରେ ନୂଆ ଯୋଜନା କିଛି ନାହିଁ । ପୂର୍ବ ସରକାରଙ୍କ ଯୋଜନା ସବୁ ହିଁ ନାମ ବଦଳାଇ କାର୍ଯ୍ୟକାରୀ କରାଯାଉଛି ବୋଲି ବଜେଟ ଉପସ୍ଥାପନ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କଟାକ୍ଷ କରିଥିଲେ । ପୂର୍ବ ସରକାର ରାଜ୍ୟର ମହିଳାମାନଙ୍କୁ ଅର୍ଥନୈତିକ ଦୃଷ୍ଟିରୁ ସଶକ୍ତ ଓ ସ୍ୱାବଲମ୍ବୀ କରିବା ପାଇଁ ‘ମିଶନ ଶକ୍ତି’ କାର୍ଯ୍ୟକାରୀ କରିଥିଲେ । ଲକ୍ଷାଧିକ ମହିଳା ଏଥିରେ ସାମିଲ ହୋଇଥିଲେ । ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ ଏହି ଯୋଜନାର ସ୍ଥାୟିତ୍ୱକୁ ନେଇ କଳ୍ପନାଜଳ୍ପନା ଚାଲିଥିବା ବେଳେ ମୋହନ ସରକାର ‘ମିଶନ ଶକ୍ତି’ କାର୍ଯ୍ୟକ୍ରମକୁ ଚାଲୁ ରଖିବେ ବୋଲି ମହିଳା ଓ ଶିଶୁ କଲ୍ୟାଣ ବିଭାଗ ମନ୍ତ୍ରୀ ଘୋଷଣା କରି ରାଜ୍ୟବାସୀଙ୍କୁ ଆଶ୍ୱସ୍ତ କରିଥିଲେ । ତେବେ, ‘ମିଶନ ଶକ୍ତି’ କାର୍ଯ୍ୟକ୍ରମ ଆଉ ପୂର୍ବ ଭଳି ଚର୍ଚ୍ଚରେ ନାହିଁ । ରାଜ୍ୟର ମହିଳାଙ୍କ ପାଇଁ ନୂଆ ସରକାରଙ୍କ ନୂଆ ଯୋଜନା ‘ସୁଭଦ୍ରା’ ଏବେ ଚର୍ଚ୍ଚିତ ଯୋଜନା ହୋଇଛି । ୨୦୨୪ ସାଧାରଣ ନିର୍ବାଚନ ସମୟରେ ବିଜେପି ନେତୃତ୍ୱ ମହିଳାଙ୍କ ପାଇଁ ‘ସୁଭଦ୍ରା’ ଯୋଜନା ଘୋଷଣା କରି ରାଜ୍ୟର ସମସ୍ତ ମହିଳାଙ୍କୁ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ ଏବଂ ସମସ୍ତଙ୍କୁ ୫୦ ହଜାର ଟଙ୍କାର ଭାଉଚର ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ତେବେ, ବିଜେପି କ୍ଷମତାକୁ ଆସିବା ପରେ ଏହି ଯୋଜାନର ରୂପରେଖ ବଦଳି ଯାଇଛି । କେବଳ ୨୧ରୁ ୬୦ ବର୍ଷ ବୟସର ମହିଳାଙ୍କୁ ଏହି ଯୋଜନା ଅନ୍ତର୍ଭୁକ୍ତ କରାଯିବ ଏବଂ ଆର୍ଥିକ ଦୃଷ୍ଟିରୁ ଅସ୍ୱଚ୍ଛଳ ମହିଳାମାନେ ହିଁ ଏହାର ଲାଭାର୍ଥୀ ହେବେ ବୋଲି ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ମନ୍ତ୍ରୀ ଗାଇଡଲାଇନ ଜାରି କରିଛନ୍ତି । ଏହି ଯୋଜନାର ଲାଭାର୍ଥୀ ହେବାକୁ ଯୋଗ୍ୟ ମହିଳାଙ୍କୁ ଆବେଦନ କରିବାକୁ କୁହାଯାଇଛି । ଯେଉଁମାନେ ଯୋଜନାର ଲାଭାର୍ଥୀ ହେବେ ସେମାନଙ୍କୁ ବର୍ଷକୁ ଦୁଇଟି କିସ୍ତିରେ ଦଶ ହଜାର ଟଙ୍କା ଲେଖାଏଁ ପାଂଚ ବର୍ଷରେ ୫୦ ହଜାର ଟଙ୍କା ବ୍ୟାଙ୍କ ଟ୍ରାନ୍ସଫର ମାଧ୍ୟମ ମିଳିବ ବୋଲି ନିୟମାବଳୀରେ ବ୍ୟବସ୍ଥା ରହିଛି । ଲାଭାର୍ଥୀଙ୍କ ମଧ୍ୟରୁ ଯଦି କେହି ଆର୍ଥିକ ସ୍ୱଚ୍ଛଳ ବୋଲି ପରେ ଜଣାପଡିବ ସେମାନଙ୍କୁ ଦିଆଯାଇଥିବା ଟଙ୍କା ଫେରାଇ ନିଆଯିବ ଏବଂ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମଧ୍ୟ ବିଭାଗୀୟ ମନ୍ତ୍ରୀ ଚେତାବନୀ ଦେଇଛନ୍ତି । ଆସନ୍ତା ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନରେ ଏହି ଯୋଜନାର ଶୁଭାରମ୍ଭ ହେବ ଏବଂ ପ୍ରଧାନମନ୍ତ୍ରୀ ନିଜେ ତାହାର ଶୁଭାରମ୍ଭ କରିବେ ବୋଲି ସରକାର ଘୋଷଣା କରିଛନ୍ତି । ଭୋଟ ମାଗିବା ସମୟରେ ବିଜେପି ଏତେସବୁ କହିନଥିଲା । ରାଜ୍ୟର ସମସ୍ତ ମହିଳା ଆଶା କରିଥିଲେ ସେମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ମିଳିବ ଓ ସେହି ଟଙ୍କାରେ ସେମାନେ ନିଜ ପାଇଁ କିଛି ଉପାର୍ଜନର ବ୍ୟବସ୍ଥା କରିବେ । କିନ୍ତୁ, ବିଜେପି ସରକାର ଯୋଜନାକୁ ଏଭଳି ମୋଡି ଦେଲେ ଯେ ରାଜ୍ୟର ଅଧାରୁ ଅଧିକ ମହିଳା ଆବେଦନ କରିବା ପାଇଁ ଯୋଗ୍ୟ ନୁହନ୍ତି । ଯେଉଁ ମହିଳାମାନେ ନିଜକ ଯୋଗ୍ୟ ଭାବି ଆବେଦନ କରିବେ ସେଥିରେ କେତେ ମହିଳା ‘ସୁଭଦ୍ରା’ରେ ଅନ୍ତର୍ଭୁକ୍ତ ହେବେ – ତାହା ମା’ ଗଂଗେ ଜାଣନ୍ତି । ପୂର୍ବ ସରକାର ଅମଳରେ ସୁଲଭ ମୂଲ୍ୟରେ ଖାଦ୍ୟଶସ୍ୟ ବଂଟନ ପାଇଁ ଆଖିବୁଜା ରେସନ କାର୍ଡ ବିତରଣ ହୋଇଥିଲା । ପରେ, ଅଯୋଗ୍ୟମାନେ ରେସନ କାର୍ଡ ନେଇ ଯାଇଥିବା ଦର୍ଶାଇ କିଛି ହିତାଧିକାରୀଙ୍କ କାର୍ଡ ପ୍ରତ୍ୟାହାର କରାଯିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇଥିଲା । ନୂଆ ସରକାରରେ ‘ସୁଭଦ୍ରା’ ଯୋଜନାରେ ସେଭଳି ହେବ ନାହିଁ ତ ? ଏହା ବଡ ପ୍ରଶ୍ନ ହୋଇଛି । ‘ସୁଭଦ୍ରା’ ଯୋଜନାକୁ ନେଇ ଏବେ ବିଧାନସଭା ଉଠୁଛି, ପଡୁଛି । ୨୦୨୪ ସାଧାରଣ ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ବିଭିନ୍ନ ସାଧାରଣ ସଭାରେ ‘ସୁଭଦ୍ରା’ ଯୋଜନା ବିଷୟରେ ଘୋଷଣା କରିଥିଲେ । ଓଡ଼ିଶାରେ ବିଜେପିର ସରକାର ଆସିଲେ ପ୍ରତ୍ୟେକ ମହିଳା ଏହି ଯୋଜନାରେ ୫୦ ହଜାର ଟଙ୍କା ଲେଖାଏ ପାଇବେ ବୋଲି ଘୋଷଣା କରିଥିଲେ । ଏବେ, ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଥିବା ବେଳେ ରାଜ୍ୟ ସରକାର ତାହାକୁ ଯେମିତି ମୋଡି, ବାଂକି ଦେଇଛନ୍ତି ବିରୋଧୀ ତାହାକୁ ନେଇ ପ୍ରଶ୍ନ କରୁଛନ୍ତି । ସବୁ ମହିଳାଙ୍କୁ ଟଙ୍କା ଦେବ କହିଥିଲ, ଏବେ ସିଲେକ୍ଟିଭ୍ କାହିଁକି (?) ବୋଲି ଉଭୟ ବିଜେଡ଼ି ଓ କଂଗ୍ରେସ ବିଧାୟକମାନେ ବିଧାନସଭାରେ ରାଜ୍ୟ ସରକାରଙ୍କୁ ଘେରୁଛନ୍ତି । ଏବେ ଆମେ ଆସିବା, ଓଡ଼ିଶାରେ ଦୀର୍ଘ ବର୍ଷ ଧରି ଚାଲିଥିବା ହାଇକୋର୍ଟ ବେଂଚ୍ ପ୍ରତିଷ୍ଠା ଆନ୍ଦୋଳନକୁ । ଓଡ଼ିଶା ହାଇକୋର୍ଟ କଟକରେ ଥିବାରୁ ରାଜ୍ୟର ଦୂରଦୂରାନ୍ତ ଅଂଚଳରେ ରହୁଥିବା ମହକିଲମାନେ ହାଇକୋର୍ଟକୁ ଆସିବାରେ ଖର୍ଚ୍ଚାନ୍ତ ହେଉଛନ୍ତି । ସେମାନଙ୍କ ସମୟର ମଧ୍ୟ ଅପଚୟ ଘଟୁଛି । ତେଣୁ, ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ଦୁିଟି ବେଂଚ ପ୍ରତିଷ୍ଠା କରାଯାଇ ଜନସାଧାରଣଙ୍କ ଦୂଆର ମୁହଁରେ ନ୍ୟାୟ ପହଂଚାଇବାକୁ କେବଳ ଓକିଲ ନୁହନ୍ତି, ରାଜ୍ୟର ବିଭିନ୍ନ ଅଂଚଳର ବୁଦ୍ଧିଜୀବୀ ଓ ନାଗରିକମାନେ ସରକାରଙ୍କ ନିକଟରେ ଦାବି କରି ଆସୁଛନ୍ତି । ଓକିଲ ଆନ୍ଦାଳନ ପ୍ରଥମେ ଶାନ୍ତିପୂର୍ଣ୍ଣ ଥିଲା । ପରେ, ତାହା ହିଂସାତ୍ମକ ହୋଇଥିଲା । ପୂର୍ବ ସରକାର ବିଭିନ୍ନ ଆଳ ଦେଖାଇ ଓକିଲ ଓ ନାଗରିକମାନଙ୍କ ଏହି ଦାବିକୁ ଗଡାଇ ଚାଲି ଥିଲେ । ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ହାଇକୋର୍ଟ ବେଂଚ ପ୍ରତିଷ୍ଠା ପାଇଁ ଦାବି ଆସିବାରୁ ଏବଂ ଓକିଲମାନେ ଆନ୍ଦୋଳନରେ ବସିବାରୁ ରାଜ୍ୟ ସରକାର ଏହି ଦାବିକୁ ଟାଳିବାକୁ ଅପୂର୍ବ ସୁଯୋଗ ପାଇଥିଲେ । ବିରୋଧୀ ଦଳରେ ଥିବା ସମୟରେ ବିଜେପି ହାଇକୋର୍ଟବେଂଚ ପ୍ରତିଷ୍ଠା ଦାବିରେ ଓକିଲ ଓ ନାଗରିକଙ୍କ ଆନ୍ଦୋଳନକୁ ସମର୍ଥନ ଦେଉଥିଲା । ହାଇକୋର୍ଟ ବେଂଚ ପାଇଁ ରାଜ୍ୟ ସରକାର ସ୍ଥାନ ନିରୁପଣ କରି କେନ୍ଦ୍ର ନିକଟରେ ପ୍ରସ୍ତାବ ରଖିଲେ କେନ୍ଦ୍ର ସରକାର ସେଦିଗରେ ଆବଶ୍ୟକ ପଦକ୍ଷେପ ନେବେ ବୋଲି କେନ୍ଦ୍ରରେ ଶାସନରେ ଥିବା ବିଜେପି ସରକାରଙ୍କ ମନ୍ତ୍ରୀମାନେ ବିିଭିନ୍ନ ସମୟରେ ବୟାନ ଦେଇଥିବା କାହାରିକୁ ଅଛପା ନାହିଁ । ଓଡ଼ିଶାରେ ଥିବା ଅଣ-ବିଜେପି ସରକାର (ନବୀନ ସରକାର)ଙ୍କୁ କାଠଗଡାରେ ଠିଆ କରିବାକୁ କେନ୍ଦ୍ର ସରକାରଙ୍କ ଆଡୁ ଏହି ଚାଲ୍ ଚାଲିଥିଲା । ପଶ୍ଚିମ ଓଡ଼ିଶା ଓକିଲମାନେ ଆନ୍ଦୋଳନ ସମୟରେ ହିଂସାର ଅଶ୍ରୟ ନେଇ ଜେଲ ମଧ୍ୟ ଯାଇଥିଲେ । ଦୀର୍ଘ ଦିନ ସେମାନେ ଜେଲରେ ରହିବା ପରେ ସୁପ୍ରିମ କୋର୍ଟଙ୍କ ସର୍ତ୍ତକୁ ମାନି ନେଇ ମୁକ୍ତ ହୋଇଥିଲେ । ଏବେ ବି ସେମାନଙ୍କ ବିରୋଧରେ ମାମଲା ଚାଲିଛି । ରାଜ୍ୟରେ ବିଜେପି ସରକାର ଆସିଲେ ସେମାନଙ୍କ ଦାବି ପୂରଣ ହେବ ବୋଲି ଓକିଲମାନ ଆଶା କରିଥିବା ବେଳେ ସୁପ୍ରିମ କୋର୍ଟଙ୍କ ରାୟ ଅନୁଯାୟୀ ଓଡ଼ିଶାର କୌଣସି ସ୍ଥାନରେ ହାଇକୋର୍ଟ ବେଂଚ ପ୍ରତିଷ୍ଠାର ଯଥାର୍ଥତା ନାହିଁ ବୋଲି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ ୦୨ ତାରିଖ ଦିନ ବିଧାନସଭାରେ ବୟାନ ଦେଇ ସବୁ ପକ୍ଷଙ୍କୁ ଚକିତ କରିଛନ୍ତି । ବିଜେଡ଼ି ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ଏହା କହିଥିବା ବେଳେ ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗଣାଧ୍ୟମରେ ଭିନ୍ନ ବୟାନ ଦେଇଛନ୍ତି । ଏପ୍ରସଙ୍ଗ ଉପରେ ସବିଶେଷ ଆଲୋଚନା ପରେ ରାଜ୍ୟ ସରକାର ଯାହା କିଛି ନିଷ୍ପତ୍ତି ନେବେ କହି ହରିଚନ୍ଦନ ରାଜ୍ୟବାସୀଙ୍କୁ ଭ୍ରମିତ କରିବାର ଉଦ୍ୟମ କରିଛନ୍ତି । ପୂର୍ବତନ ବିରୋଧୀ ଦଳ ନେତା ତଥା ସମ୍ବଲପୁରର ବିଜେପି ବିଧାୟକ ଜୟନାରାୟଣ ମିଶ୍ର ତାଙ୍କ ପ୍ରଥମ ପ୍ରତିକ୍ରିୟାରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାର ବିରୋଧ କରି ଅନ୍ୟ କିଛି ରାଜ୍ୟରେ ହାଇକୋର୍ଟର ଏକାଧିକ ବେଂଚ୍ କାର୍ଯ୍ୟକ୍ଷମ ଥିବା ବେଳେ ଓଡ଼ିଶାରେ କାହିଁକି ହେବ ନାହିଁ ବୋଲି ପ୍ରଶ୍ନ କରିଥିଲେ । ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟ ବିଧାନସଭାର ପୂର୍ବତନ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଗତକାଲି ଗଣମାଧ୍ୟମରେ ଏକ ବୟାନ ଦେଇ ବଲାଂଗୀରରେ ହାଇକୋର୍ଟ ବେଂଚ ପ୍ରତିଷ୍ଠା ନହେଲେ ଜୋରଦାର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି । ହାଇକୋର୍ଟ ବେଂଚ ପ୍ରତିଷ୍ଠାକୁ ନେଇ ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଶାସକ ବିଜେପି ସମେତ ବିରୋଧୀ ବିଜେଡ଼ି ଓ କଂଗ୍ରେସ ବିଧାୟକ ମହଲରେ ତୀବ୍ର ପ୍ରତିକ୍ରି୍ରୟା ସୃଷ୍ଟି କରିଛି । ମୁଖ୍ୟମନ୍ତ୍ରୀ ଏହା ଅନୁଭବ କରିବା ପରେ ଗତକାଲି ବିଧାନସଭାରେ ସ୍ପଷ୍ଟୀକରଣ ଦେଇଛନ୍ତି । ତାଙ୍କ ଦୁଇ ତାରିଖ ବୟାନ ସୁପ୍ରିମ କୋର୍ଟଙ୍କ ରାୟ ଆଧାରରେ ଥିଲା । ରାଜ୍ୟବାସୀଙ୍କୁ ତ୍ୱରିତ ବେଗରେ ନ୍ୟାୟ ଦେବାକୁ ସରକାର ବଦ୍ଧ ପରିକର । ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ହାଇକୋର୍ଟ ବେଂଚ ପ୍ରତିଷ୍ଠା ପ୍ରସଙ୍ଗ ସରକାରଙ୍କ ବିଚାରାଧୀନ ରହିଛି ବୋଲି ମୁଖ୍ୟମନ୍ତ୍ରୀ ମାଝୀ ଯେଉଁ ପରିବର୍ତ୍ତୀ ବୟାନ ଦେଇଛନ୍ତି ତାହା ତାଙ୍କ ଅସହାୟତାକୁ ପ୍ରତିଫଳିତ କରୁଛି । ଏଠାରେ ସୂଚନାଯୋଗ୍ୟ, ରାଜ୍ୟରେ ହାଇକୋର୍ଟ ବେଂଚ ଦାବିକୁ ନେଇ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହେବାରୁ ସୁପ୍ରିମ କୋର୍ଟ ସେଥିରେ ହସ୍ତକ୍ଷେପ କରିଥିଲେ । ଆଜି ଦିନରେ ଜିଲ୍ଲା କୋର୍ଟରୁ ଆରମ୍ଭ କରି ସୁପ୍ରିମ କୋର୍ଟ ପର୍ଯ୍ୟନ୍ତ ସମସ୍ତ ବିଚାର ବ୍ୟବସ୍ଥା ଅନଲାଇନ୍ ବା ଡିଜିଟାଲାଇଜ୍ ହୋଇସାରିଥିବାରୁ କୌଣସି ସ୍ଥାନରେ ହାଇକୋର୍ଟ ବେଂଚ ପ୍ରତିଷ୍ଠା ଦାବିର କୌଣସି ଯଥାର୍ଥତା ନାହିଁ ବୋଲି ସୁପ୍ରିମ କୋର୍ଟ ରାୟ ଦେଇଥିଲେ । ତେବେ, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଓକିଲ ଓ ନାଗରିକମାନେ ସେମାନଙ୍କ ପୂର୍ବ ଦାବିରେ ଅଡି ରହିଛନ୍ତି । ମୁଖ୍ୟମନ୍ତ୍ରୀ ଖୋଦ୍ ପଶ୍ଚିମ ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଛନ୍ତି । ସେ ହାଇକୋର୍ଟ ବେଂଚ ପ୍ରତିଷ୍ଠା ପ୍ରସଙ୍ଗରେ ବୁଝି ବିଚାରୀ ବିଧାନସଭାରେ ଉତ୍ତର ଦେବା ଉଚିତ ଥିଲା । କିନ୍ତୁ, ମୁଖ୍ୟମନ୍ତ୍ରୀ ଯେଉଁ ଠୋ..ଠୋ ଉତ୍ତର ଦେଲେ ତାହା ସରକାରଙ୍କ ଅଡୁଆ ବଢାଇବା ସହ ମୁଖ୍ୟମନ୍ତ୍ରୀଙ୍କ ଅସହାୟତାକୁ ପଦାରେ ପକାଇଛି । ଏଥିରୁ ରାଜ୍ୟରେ ସରକାର କେମିତି ଚାଲିଛି (!) ସ୍ପଷ୍ଟ ବୋଲି ସାଧାରଣରେ ଆଲୋଚନା ଆରମ୍ଭ ହୋଇଯାଇଛି ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS