ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ – ମୂଳ ବାସିନ୍ଦାଙ୍କ ଅସ୍ମିତାର ଲଢେଇ !
ପ୍ରସାଦ ରାଓ
ସେପ୍ଟେମ୍ବର, ୦୫/୨୦୨୪
ଚଳିତ ମାସରେ ଜମ୍ମୁ-କଶ୍ମୀରରେ ତିନି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ୨୦୧୯ ଅଗଷ୍ଟରେ ଜମ୍ମୁ-କଶ୍ମୀର ‘ରାଜ୍ୟପାହ୍ୟା’ ହରାଇ କେନ୍ଦ୍ର ଶାସିତ ଅଂଚଳରେ ପରିଣତ ହେବା ପରେ ଏହା ହେଉଛି ପ୍ରଥମ ନିର୍ବାଚନ । ୨୦୧୯ରେ ଅନୁଷ୍ଠାତ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ବିଜେପିର ଲୋକସଭାରେ ଅପୂର୍ବ ସଂଖ୍ୟାଗରିଷ୍ଠତା ହାସଲ କରିବା ପରେ ଦ୍ୱିତୀୟ ପାଳି ସରକାରର ପ୍ରଥମ ପଦକ୍ଷେପ ଥିଲା ଜମ୍ମୁ-କଶ୍ମୀରରୁ ସମ୍ବିଧାନର ୩୭୦ ଧାରା ଉଚ୍ଛେଦ ଏବଂ ରାଜ୍ୟକୁ ଦୁଇ ଭାଗରେ ବିଭାଜିତ କରି ଦୁଇଟି କେନ୍ଦ୍ର ଶାସିତ ଅଂଚଳରେ ପରିଣତ କରିବା । ସଂସଦର ନିମ୍ନ ସଦନରେ ବିରୋଧୀଙ୍କ ସଂଖ୍ୟା ବଳ ନଥିବାରୁ ସରକାରଙ୍କ ଏହି ପଦକ୍ଷେପକୁ ବିରୋଧୀ ରୋକିବାରେ ସଫଳ ହୋଇନଥିଲେ । ରାଜ୍ୟସଭାରେ ସରକାର ସଂଖ୍ୟାନ୍ୟୁନ ଥାଇ ମଧ୍ୟ କିଛି ଆଂଚଳିକ ରାଜନୈତିକ ଦଳଙ୍କ ସମର୍ଥନରେ ନିଜ ଲକ୍ଷ୍ୟ ସାଧନରେ ସଫଳ ହୋଇଥିଲେ । ମୋଦୀ ସରକାରଙ୍କ ନିଷ୍ପତ୍ତିକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଥିଲା । ପରେ, ସୁପ୍ରିମ କୋର୍ଟ ମଧ୍ୟ ମୋଦୀ ସରକାରଙ୍କ ନିଷ୍ପତ୍ତି ଆଇନ ସମ୍ମତ କହି ରାୟ ଦେବା ସହ ୨୦୨୪ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ କରାଇବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଥିଲେ । ସୁପ୍ରିମ କୋର୍ଟଙ୍କ ଏହି ନିର୍ଦେଶକୁ କାର୍ଯ୍ୟକାରୀ କରିବାକୁ ଯାଇ ଭାରତୀୟ ନିର୍ବାଚନ ଆୟୋଗ ସେପ୍ଟେମ୍ବର ୧୮, ୨୫ ଓ ଅକ୍ଟୋବର ୦୧ ତାରିଖରେ ରାଜ୍ୟରେ ବିଧାନସଭା ନିର୍ବାଚନ କରାଉଛନ୍ତି । ରାଜ୍ୟ କେନ୍ଦ୍ର ଶାସିତ ଅଂଚଳ ହେବା ପରେ ଏହା ହେଉଛି ପ୍ରଥମ ବିଧାନସଭା ନିର୍ବାଚନ । କେନ୍ଦ୍ର ସରକାର ୨୦୧୯ ଲୋକସଭା ନିର୍ବାଚନରେ ପାଇଥିବା ଆଶାତୀତ ସଫଳତା (୫୪୩ରୁ ୩୦୩)କୁ ଉପଯୋଗ କରି ଜମ୍ମୁ-କଶ୍ମୀରର ‘ରାଜ୍ୟ ମାନ୍ୟତା’ ଅପହରଣ କରିଛନ୍ତି । ଭାରତରେ ମିଶ୍ରଣ ପରରୁ ରାଜ୍ୟରେ ଲାଗୁ ଥିବା ସମ୍ବିଧାନର ୩୭୦ ଧାରା ଏବଂ ସେହି ଧାରାରେ ମିଳୁଥିବା ସମସ୍ତ ସ୍ୱତନ୍ତ୍ର ସୁବିଧା, ସୁଯୋଗ ଉଚ୍ଛେଦ ହୋଇଛି । ରାଜ୍ୟ ମଧ୍ୟ ବିଭାଜିତ ହୋଇଛି । ଏସବୁ ଦ୍ୱାରା ରାଜ୍ୟରେ ଯେଉଁ ଆତଙ୍କବାଦ ଚାଲିଥିଲା ତାହା ବହୁ ପରିମାଣରେ ହ୍ରାସ ପାଇବା ସହ ବିଭାଜିତ ଜମ୍ମୁ-କଶ୍ମୀର ଅର୍ଥନୈତିକ ପ୍ରଗତି ପଥରେ ଅଗ୍ରସର ହେଉଥିବା କେନ୍ଦ୍ର ସରକାର ଦାବି କରୁଥିବା ବେଳେ ବିରୋଧୀ କହୁଛନ୍ତି – ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ କରାଯାଇ ‘ରାଜ୍ୟ ମାନ୍ୟତା’ ଅପହରଣ କରାଯିବା ଏବଂ ରାଜ୍ୟକୁ ଦୁଇ ଭାଗରେ ବାଂଟି ଦୁଇଟି କେନ୍ଦ୍ର ଶାସିତ ଅଂଚଳରେ ପରିଣତ କରାଯିବା ଥିଲା ରାଜ୍ୟର ମୂଳ ବାସିନ୍ଦାଙ୍କ ପ୍ରତି ବିଶ୍ୱାସଘାତକତା ଏବଂ ଅସ୍ମିତା ଉପରେ ପ୍ରହାର । ତେଣୁ, ଚଳିତ ମାସରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବିରୋଧୀ ଯଦି କ୍ଷମତାକୁ ଆସିବାରେ ସଫଳ ହୁଅନ୍ତି ତେବେ ଜମ୍ମୁ-କଶ୍ମୀରକୁ ପୁନଃ ରାଜ୍ୟ ମାନ୍ୟତା ଦିଆଯିବା ସକାଶେ କେନ୍ଦ୍ର ସହ ଲଢେଇ କରିବେ । ରାଜ୍ୟରୁ ଉଚ୍ଛେଦ ହୋଇଥିବା ୩୭୦ ଧାରାର ପୁନଃ ପ୍ରବର୍ତ୍ତନ ଦିଗରେ ପଦକ୍ଷେପ ନିଆଯିବ ବୋଲି ଜମ୍ମୁ-କଶ୍ମୀରର ଆଂଚଳିକ ରାଜନୈତିକ ଦଳ ‘ନ୍ୟାସନାଲ କନ୍ଫରେନ୍ସ’ ନିର୍ବାଚନ ପ୍ରତିଶ୍ରୁତି ଦେଇଥିବା ବେଳେ କଂଗ୍ରେସ ‘ରାଜ୍ୟ ମାନ୍ୟତା’ର ପୁନଃ ପ୍ରବର୍ତ୍ତନ କରାଯିବ ବୋଲି ତାହାର ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଛି । ନ୍ୟାସନାଲ କନ୍ଫସେନ୍ସ (ଏନସି) ହେଉଛି ରାଜ୍ୟର ପ୍ରମୁଖ ରାଜନୈତିକ ଦଳ, ଯାହାର ନେତୃତ୍ୱ ନେଉଛନ୍ତି ଅବିଭକ୍ତ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଗଠିତ ବିରୋଧୀ ମେଂଟ ‘ଇଣ୍ଡିଆ’ରେ ଉଭୟ କଂଗ୍ରେସ ଓ ଏନସି ଭାଗିଦାର ଅଛନ୍ତି । ଗତ ଲୋକସଭା ନିର୍ବାଚନରେ ବିରୋଧୀ ‘ଇଣ୍ଡି’ ମେଂଟକୁ ଆଶାଠାରୁ ଅଧିକ (୨୩୪ ଆସନ) ସଫଳତା ମିଳିଥିବା ବେଳେ ବିଜେପିର ସଂଖ୍ୟା ୩୦୩ରୁ ୨୪୦କୁ ହ୍ରାସ ପାଇଛି । କେନ୍ଦ୍ରରେ ସରକାର ଗଠନ ପାଇଁ ୨୭୪ ସଂଖ୍ୟାର ଆବଶ୍ୟକତା ଥିବା ବେଳେ ବିଜେପି ଏକାକୀ ସେହି ସଂଖ୍ୟା ପାଖାପାଖି ପହଂଚି ନଥିବାରୁ ସରକାର କରିବା ପାଇଁ ଆନ୍ଧ୍ରର ଟିଡ଼ିପି (ତେଲୁଗୁ ଦେଶମ ପାର୍ଟି) ଓ ବିହାରର ଜେଡିୟୁ (ଜନତା ଦଳ-ୟୁନାଇଟେଡ)ର ସାହାରା ନେଇଛି । ମୋଟାମୋଟି ଭାବେ କହିବାକୁ ଗଲେ କେନ୍ଦ୍ରରେ ବିଜେପି ନୁହେଁ, ଏନଡିଏ (ଜାତୀୟ ଗଣତାନ୍ତ୍ରିକ ମେଂଟ) ସରକାର ପ୍ରତିଷ୍ଠା ହୋଇଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏନ.ଚନ୍ଦ୍ରବାବୁ ନାଇଡୁ ଓ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସାହାରାରେ ତାଙ୍କ ତୃତୀୟ ପାଳି ଶାସନ କରୁଛନ୍ତି । ଲୋକସଭା ନିର୍ବାଚନରେ ବିଜେପିକୁ ଦୟନୀୟ ସ୍ଥିତିରେ ପକାଇଥିବା ‘ଇଣ୍ଡି’ ମେଂଟ ବିଭିନ୍ନ ରାଜ୍ୟରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନରେ ତାହାର ପୁନରାବୃତ୍ତି କରିବାକୁ ସଂକଳ୍ପ ନେଇଛି ଏବଂ ପ୍ରଥମେ ହେଉଥିବା ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନରେ ତାହାର ପ୍ରୟୋଗ କରିବାକୁ ଯାଉଛି । ଜମ୍ମୁ-କଶ୍ମୀରରେ କଂଗ୍ରେସ ଓ ଏନସି ଏକାଠି ମିଶି ନିର୍ବାଚନୀ ଲଢିବାକୁ ଯାଉଥିବା ଓ ସେମାନଙ୍କ ମଧ୍ୟରେ ଆସନ ବୁଝାମଣା ପ୍ରାୟତଃ ସରିଥିବା ବିଜେପି ପାଇଁ ଚିନ୍ତାର କାରଣ ହୋଇଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗତକାଲି ଜମ୍ମୁ-କଶ୍ମୀରରେ ତାଙ୍କ ପ୍ରଥମ ନିର୍ବାଚନ ସଭାରେ ଭାଷଣ ଦେଇ ‘ଇଣ୍ଡି’ ମେଂଟର ସହଯୋଗୀଙ୍କ ସହାୟତାରେ ବିଜେପି ଅପହରଣ କରି ନେଇଥିବା ‘ରାଜ୍ୟ ମାନ୍ୟତା’ର ପୁନଃ ପ୍ରତିଷ୍ଠା କରିବେ ବୋଲି ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟପକ୍ଷରେ, କଂଗ୍ରେସ ସହ ମେଂଟରେ ଥିବା ଏନସି (ନ୍ୟାସନାଲ କନ୍ଫରେନ୍ସ) ମୁଖ୍ୟ ଫାରୁକ ଅବଦୁଲ୍ଲା ଦଳର ନିର୍ବାଚନ ଇସ୍ତାହାରରେ କେନ୍ଦ୍ର ସରକାର ରାଜ୍ୟରୁ ଉଚ୍ଛେଦ କରିଥିବା ସମ୍ବିଧାନର ୩୭୦ ଧାରାକୁ ପୁନଃ ଅବସ୍ଥାପିତ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ରାଜ୍ୟର ମୂଳ ବାସିନ୍ଦାଙ୍କୁ ପ୍ରଲୁବ୍ଧ କରିବ ବୋଲି ବିରୋଧୀ ଆଶା କରୁଛନ୍ତି । କଂଗ୍ରେସ-ଏନସି ମେଂଟରେ ନିର୍ବାଚନ ଲଢୁଥିବାରୁ ଚିନ୍ତାରେ ପଡିଥିବା ବିଜେପି କଂଗ୍ରେସକୁ ଘେରିବା ଆରମ୍ଭ କରିଛି ଏବଂ ରାଜ୍ୟରୁ ଉଚ୍ଛେଦ ହୋଇଥିବା ୩୭୦ ଧାରାର ପୁନଃପ୍ରବର୍ତ୍ତନ ପାଇଁ ଏନସି ନେତା ଫାରୁକ ଅବଦୁଲ୍ଲା ଦଳର ନିର୍ବାଚନ ଇସ୍ତାହାରରେ ଯେଉଁ ପ୍ରତିଶ୍ରୁତି ଦେଇଛନ୍ତି ତାହାକୁ ନେଇ ରାହୁଲ ଗାନ୍ଧୀଙ୍କୁ ପ୍ରଶ୍ନ କରିବା ଆରମ୍ଭ କରିଛି । କେନ୍ଦ୍ର ସରକାର ରାଜ୍ୟର ଅନଗ୍ରସର ଶ୍ରେଣୀ ଓ ଜାତିଙ୍କ ପାଇଁ ନିକଟରେ ଯେଉଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଛନ୍ତି କଂଗ୍ରେସ-ଏନସି ମେଂଟ ସରକାର ଆସିଲେ ତାହା ଉଚ୍ଛେଦ ହୋଇଯିବ ବୋଲି ବିଜେପି ନେତାମାନେ ବୟାନ ଦେଇ ରାଜ୍ୟର ପଛୁଆ ଜାତି ଓ ବର୍ଗଙ୍କୁ ଭୟଭିତ କରିବାକୁ ଉଦ୍ୟମ କରୁଥବା ବେଳେ କଂଗ୍ରେସର ବ୍ୟାଖ୍ୟାନ ହେଉଛି – କେନ୍ଦ୍ର ସରକାର ପଡୋଶୀ ରାଷ୍ଟ୍ର ଦ୍ୱାରା ପ୍ରୟୋଜିତ ଆତଙ୍କବାଦକୁ ରୋକିବା ନାମରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ପାଂଚ ବର୍ଷ ତଳେ ୩୭୦ ଧାରା ଉଚ୍ଛେଦ କରିଥିଲେ ଓ ରାଜ୍ୟର ବିଭାଜନ କରି ଦୁଇଟି କେନ୍ଦ୍ର ଶାସିତ ଅଂଚଳ କରିଥିଲେ । ତେବେ, ଆଜି ମଧ୍ୟ ରାଜ୍ୟ ଆତଙ୍କବାଦ ଦ୍ୱାରା ପୀଡିତ । ବହୁ ଯବାନ ଓ ସାଧାରଣ ଲୋକ ପ୍ରତ୍ୟହ ସହିଦ ହେଉଛନ୍ତି । ରାଜ୍ୟରେ ବେକାରୀ ବଢିଛି । ଦରଦାମ ଲଗାମ ଛଡା ହୋଇଛି । କୌଣସି କେନ୍ଦ୍ର ଶାସିତ ଅଂଚଳକୁ ପୂର୍ଣ୍ଣାଂଗ ରାଜ୍ୟର ମାନ୍ୟତା ଦିଆଯାଉଥିଲା । କିନ୍ତୁ, ଗୋଟିଏ ପୂର୍ଣ୍ଣାଂଗ ରାଜ୍ୟକୁ ପାଂଚ ବର୍ଷ ତଳେ ବିଭାଜନ କରାଯାଇ ଦୁଇଟି କେନ୍ଦ୍ର ଶାସିତ ଅଂଚଳ କରାଯିବା ବିଜେପି ଶାସନରେ ହିଁ ଦେଖିବାକୁ ମିଳିଛି । ଗଲା ପାଂଚ ବର୍ଷରେ ବିଜେପି ରାଜ୍ୟର ବିକାଶ କରିବା ଦୂରେ ଥାଏ, ମୂଳ ବାସିନ୍ଦାଙ୍କୁ ବିଭିନ୍ନ ବାଟରେ ଠକିଛି ବୋଲି କଂଗ୍ରେସର ଜାତୀୟ ପ୍ରବକ୍ତାମାନେ ବିତର୍କ ସମୟରେ କଟାକ୍ଷ କରୁଛନ୍ତି । ବିଜେପି ଓ ‘ଇଣ୍ଡି’ ମେଂଟର ଏହି ଦୁଇଟି ପରସ୍ପର ବିରୋଧୀ ବ୍ୟାଖ୍ୟାନକୁ ନେଇ ଜମ୍ମୁ-କଶ୍ମୀର ରାଜନୀତି ସରଗରମ ଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତିଙ୍କ ପିଡିପି (ପିପୁଲ୍ସ ଡେମୋକ୍ରେଟିକ ପାର୍ଟି) ଉପରେ ରାଜନୈତିକ ବିଶ୍ଲେଷକଙ୍କ ନଜର ରହିଛି । ପିଡିପି ପାକ୍ ପ୍ରୟୋଜିତ ଆତଙ୍କବାଦକୁ ସମର୍ଥନ ଦେଉଥିବା ରାଜନୈତିକ ଦଳ ଭାବେ ଜାତୀୟ ରାଜନୀତିରେ ପରିଚିତ । ବିଜେପି ଓ ପିଡିପିର ରାଜନୈତିକ ବିଚାରଧାରା ସଂପୂର୍ଣ୍ଣ ଓଲଟା ହୋଇଥିଲେ ମଧ୍ୟ ୨୦୧୪ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନରେ କୌଣସି ଦଳକୁ ସରକାର ଏକାକୀ ଗଢିବାକୁ ସଂଖ୍ୟା ନ ମିଳିବାରୁ ବିଜେପି-ପିଡିପି ମେଂଟରେ ସରକାର କରିଥିଲେ ଓ ପ୍ରଥମେ ମେହବୁବା ମୁଫତିଙ୍କ ପିତା ଏବଂ ତାଙ୍କ ମୃତ୍ୟୁ ପରେ ନିଜେ ମେହେବୁବା ରାଜ୍ୟର ମୁଖ୍ୟମନ୍ତ୍ରୀ ରହିଥିଲେ । ତେବେ, ଆତଙ୍କବାଦୀଙ୍କୁ ପ୍ରୋତ୍ସହାନ ପ୍ରସଙ୍ଗରେ ବିଜେପି ସରକାରରୁ ସମର୍ଥନ ପ୍ରତ୍ୟାହାର କରି ନେବାରୁ ମେହେବୁବା ସରକାରଙ୍କ ପତନ ଘଟିଥିଲା । ଏହାଥିଲା ଅବିଭାଜିତ ଜମ୍ମୁ-କଶ୍ମୀରର ଶେଷ ନିର୍ବାଚିତ ସରକାର । ବିଜେପି ଯେତେବେଳ ୨୦୨୪ ବିଧାନସଭା ନିର୍ବାଚନରେ କଂଗ୍ରେସ-ଏନସି ମେଂଟକୁ ନେଇ ପ୍ରଶ୍ନ ଉଠାଉଛି କଂଗ୍ରେସ ବିଜେପିକୁ ୨୦୧୪ରେ ବିଜେପି ପିଡିପି ସହ କରିଥିବା ମେଂଟ ସରକାରର ଆଇନା ଦେଖାଉଛି । ୨୦୧୯ ଅଗଷ୍ଟରେ ୩୭୦ ଧାରା ଉଚ୍ଛେଦ ଏବଂ ରାଜ୍ୟକୁ ଦୁଇଟି କେନ୍ଦ୍ର ଶାସିତ ଅଂଚଳରେ ବିଭାଜିତ କରାଯିବା ପରେ ଜମ୍ମୁ-କଶ୍ମୀରରେ ରାଜ୍ୟପାଳଙ୍କ ମାଧ୍ୟମରେ କେନ୍ଦ୍ରୀୟ ଶାସନ ଚାଲିଛି । କେନ୍ଦ୍ରୀୟ ଶାସନ ପ୍ରାରମ୍ଭରେ ରାଜ୍ୟରେ ଏନସି ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା, ତାଙ୍କ ପୁଅ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏବଂ ପିଡିିପି ମୁଖ୍ୟ ମେହେବୁବା ମୁଫତିଙ୍କୁ ଦୀର୍ଘ ମାସ ଧରି ଗୃହ ବନ୍ଦୀ କରି ରଖା ଯାଇଥିଲା । ପରେ ସେମାନେ ମୁକ୍ତ ହୋଇ ରାଜନୈତିକ କାର୍ଯ୍ୟକଳାପ କରୁଛନ୍ତି । ଏବେ ବହୁ ପ୍ରତିକ୍ଷୀତ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଏନସିର ଭୂମିକା ସ୍ପଷ୍ଟ ହୋଇସାରିଛି । ତେବେ, ମେହେବୁବାଙ୍କ ଭୂମିକା ଅସ୍ପଷ୍ଟ । ସେ ‘ଇଣ୍ଡି’ ମେଂଟ ସହ ରହିବେ ନା ଅତୀତରେ ତାଙ୍କ ସରକାରର ପତନ ଘଟାଇ ଥିବା ବିଜେପି ନେତୃତ୍ୱାଧୀନ ଏନଡିଏ ଆଡକୁ ଢଳିବେ (?) – ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ । ଏଭଳି ଏକ ଜଟିଳ ରାଜନୈତିକ ପରିସ୍ଥିତିରେ ଜମ୍ମୁ-କଶ୍ମୀରରେ ଭୋଟ ହେଉଥିବାରୁ ରାଜ୍ୟର ମୂଳ ବାସିନ୍ଦା କାହାକୁ କ୍ଷମତାସୀନ କରିବେ – ତାହା ଉପରେ ସମଗ୍ର ଦେଶର ନଜର ରହିବା ସ୍ୱାଭାବିକ ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS