ସପ୍ତାହାନ୍ତ ବିଚାର: ଏବେ, ହରିୟାଣାରେ ମୁହାଁମୁହିଁ ଭିନେଶ ଓ ବ୍ରିଜ ଭୂଷଣ !


ପ୍ରସାଦ ରାଓ
ସେପ୍ଟେମ୍ବର ୦୮/୨୦୨୪
ଭାରତୀୟ କୁସ୍ତି ଜଗତରେ ଦୁଇଟି ପରିଚିତ ନାମ ହେଉଛନ୍ତି ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫଆଇ)ର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ ସିଂହ ଓ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗଟ । ବ୍ରିଜ ଭୂଷଣ ଡବ୍ଲୁଏଫଆଇ ସଭାପତି ଥିବା ସମୟରେ କିଛି ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ଉତ୍ପୀଡନ ଦେଇଥିବା ଅଭିଯୋଗରେ ଅଭିଯୁକ୍ତ ଥାଇ ଅଦାଲତରେ ବିଚାରଣାର ସମ୍ମୁଖୀନ ହେଉଥିବା ବେଳେ ଭିନେଶ ଫୋଗଟ୍ ନିକଟରେ ପ୍ୟାରିସରେ ସରିଥିବା ଅଲିଂପିକ୍ସର ମହିଳା କୁସ୍ତି ବିଭାଗରେ ଫାଇନାଲ ପର୍ଯ୍ୟନ୍ତ ପହଂଚି ମାତ୍ର ଶହେ ଗ୍ରାମ ଓଜନ ଅଧିକ ଥିବାରୁ ଫାଇନାଲ ଖେଳିବାରୁ ବଂଚିତ ହୋଇଥିବା ଜଣେ ତାରକା କୁସ୍ତିଯୋଦ୍ଧା । ଗତ ବର୍ଷ ସେମାନେ ଦିଲ୍ଲୀ ରାଜରାସ୍ତାରେ ମୁହାଁମୁହିଁ ହୋଇଥିଲେ ଯୌନ ଉତ୍ପୀଡନ ଅଭିଯୋଗକୁ ନେଇ । ଭିନେଶ ଫୋଗଟ୍, ସାକ୍ଷୀ ମଲ୍ଲିକ ଓ ବଜରଂଗ ପୁନିଆଙ୍କ ନେତୃତ୍ୱରେ ଦେଶର ପରିଚିତ ମହିଳା କୁସ୍ତିଯୋଦ୍ଧାମାନେ ବ୍ରିଜ ଭୂଷଣଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ଆଣି ଦିଲ୍ଲୀ ପୁଲିସରେ ଏତଲା ଦେଇଥିଲେ । ତେବେ, ବ୍ରିଜ ଭୂଷଣ ବିଜେପିର ତିନି ଥରର ସାଂସଦ ଥିବାରୁ ପୁଲିସ ଏତଲା ପଂଜୀକରଣରେ ଟାଳଟୁଳ ନୀତି ପ୍ରଦର୍ଶନ କରିବାରୁ ମହିଳା କୁସ୍ତିଯୋଦ୍ଧାମାନେ ଦୀର୍ଘ ଦିନ ଧରି ଦିଲ୍ଲୀର ‘ଯନ୍ତର ମନ୍ତର’ ପଡିଆରେ ଧାରଣାରେ ବସିବା ସହ ରାଷ୍ଟ୍ରପତିଙ୍କ ବାସଭବନ ଅଭିମୁଖେ ଶୋଭାଯାତ୍ରା ବାହାର କରି ପୁଲିସ ଜୁଲମର ଶିକାର ହୋଇଥିଲେ । ପରେ, ସୁପ୍ରିମ କୋର୍ଟଙ୍କ ନିର୍ଦେଶରେ ଦିଲ୍ଲୀ ପୁଲିସ କୁସ୍ତିଯୋଦ୍ଧାଙ୍କ ଅଭିଯୋଗ ଆଧାରରେ ମାମଲା ପଂଜୀକରଣ କରିଥିଲେ ସୁଦ୍ଧା ବ୍ରିଜ ଭୂଷଣ ଗିରଫ ହୋଇନଥିଲେ । ଦିଲ୍ଲୀ ପୁଲିସ ମାମଲାର ତଦନ୍ତ କରି ମହିଳା କୁସ୍ତିଯୋଦ୍ଧାଙ୍କ ଅଭିଯୋଗରେ ସତ୍ୟତା ଥିବା ଜାଣିବା ପରେ ବ୍ରିଜ ଭୂଷଣଙ୍କ ବିରୋଧରେ କୋର୍ଟରେ ଚାର୍ଜସିଟ୍ ଦାକଲ କରିଛନ୍ତି ସତ, କିନ୍ତୁ ଆଜି ସୁଦ୍ଧା ତାଙ୍କୁ ଗିରଫ କରି ନାହାନ୍ତି । ବ୍ରିଜ ଭୂଷଣଙ୍କ ଏହି କଥିତ କୁକର୍ମ ଆଜି ମଧ୍ୟ ବିଜେପିକୁ ଲଜ୍ଜିତ କରୁଛି । ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ପ୍ରଥମେ ବ୍ରିଜ ଭୂଷଣଙ୍କୁ ନିର୍ବାଚନ ଲଢିବାକୁ ଟିକଟ ଦେଇ ପରେ ବିରୋଧର ସମ୍ମୁଖୀନ ହେବାରୁ ତାହା ପ୍ରତ୍ୟାହାର କରି ନେଇଥିଲା । କିନ୍ତୁ, ତାଙ୍କ ପୁଅ ଦଳୀୟ ଟିକଟ ପାଇ ବ୍ରିଜ ଭୂଷଣଙ୍କ ସ୍ଥାନରେ ଏବେ ସାଂସଦ ଅଛନ୍ତି । ବ୍ରିଜ ଭୂଷଣ ତାଙ୍କ ବିରୋଧରେ ମହିଳା କୁସ୍ତିଯୋଦ୍ଧାଙ୍କ ଯୌନ ଉତ୍ପୀଡନ ଅଭିଯୋଗକୁ ବାରମ୍ବାର ଅସ୍ୱୀକାର କରୁଥିଲେ ମଧ୍ୟ ଅଦାଲତରେ ବିଚାରଣା ଚାଲି ଥିବାରୁ ଅଭିଯୋଗ-ମୁକ୍ତ ହୋଇପାରି ନାହାନ୍ତି । ଅପରପକ୍ଷରେ, ଯୌନ ଉତ୍ପୀଡନ ଅଭିଯୋଗର ମୁଖ୍ୟ କାରପଟଦାର କୁହାଯାଉଥିବା ଭିନେଶ ଫୋଗଟ୍ ପ୍ୟାରିସ ଅଲିଂପିକ୍ସରେ ଫାଇନାଲରେ ପହଂଚି ଶେଷ ମ୍ୟାଚ୍ ଖେଳିବାରୁ ବଂଚିତ ହୋଇ ପଦକ-ଶୂନ୍ୟ ଭାବେ ଭାରତ ଫେରିବା ପରେ ଏବେ ରାଜନୈତିକ ମଇଦାନରେ ଉତୁରିଛନ୍ତି । ଦୁଇ ଦିନ ତଳେ କଂଗ୍ରେସରେ ଯୋଗଦେବା ପୂର୍ବରୁ ବିଜେପି ଦୃଷ୍ଟିରେ ସେ ଥିଲେ ‘ଭାରତ କି ବେଟି’ । ପ୍ୟାରିସ ଅଲିଂପିକ୍ସରେ ଭିନେଶଙ୍କ ପ୍ରତି ଅନ୍ୟାୟ ହୋଇଥିବା ବିଜେପି କହିବା ସହ ମାତ୍ର ଶହେ ଗ୍ରାମ ଓଜନ ଅଧିକ ଥିବା କାରଣରୁ ତାଙ୍କୁ ଫାଇନାଲ ଖେଳରୁ ବଂଚିତ କରାଯିବାରୁ କ୍ଷୋଭ ପ୍ରକାଶ କରୁଥିଲା । ତାଙ୍କୁ ଅନ୍ତତଃ ରୌପ୍ୟ ପଦକୁ ମିଳିବା ଉଚିତ ବୋଲି ଭିନେଶ ଆନ୍ତର୍ଜାତିକ କ୍ରୀଡା ଟ୍ରିବ୍ୟୁନାଲରେ ଯେଉଁ ଦାବି ଉପସ୍ଥାପନ କରିଥିଲେ ତାହାକୁ ସମର୍ଥନ କରି ଭାରତ ସରକାର ତାଙ୍କ ସପକ୍ଷରେ ଲଢିବା ପାଇଁ ଜଣେ ବିଜ୍ଞ ଓକିଲଙ୍କୁ ନିଯୁକ୍ତ କରିଥିଲେ । ତେବେ, ଆନ୍ତର୍ଜାତିକ କ୍ରୀଡା ଟ୍ରିବ୍ୟୁନାଲ ଭିନେଶଙ୍କ ବିରୋଧରେ ରାୟ ଦେବାରୁ ଭିନେଶ ଖାଲି ହାତ (କୌଣସି ପଦକ ନପାଇ) ଭାରତ ଫେରିଥିଲେ । ଭିନେଶ ଭାରତ ଫେରିବା ପରେ ଦିଲ୍ଲୀରେ ତଥା ତାଙ୍କ ରାଜ୍ୟ ହରିୟାଣାରେ ଜଣେ ସ୍ୱାର୍ଣ୍ଣ ବିଜେତା ଚାଂପିୟନଙ୍କୁ ଦିଆଯିବା ଭଳି ଭବ୍ୟ ସମ୍ବର୍ଧନା ଦିଆଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଚାଂପିୟନଙ୍କ ଚାଂପିୟନ କହି ସ୍ୱାଗତ କରିବା ସହ ତାଙ୍କ ପ୍ରତି ମାତ୍ରାଧିକ ସଂବେଦନଶୀଳତା ପ୍ରଦର୍ଶନ କରିଥିଲେ । ତେବେ, ଭିନେଶ କେନ୍ଦ୍ର ସରକାର ଓ ବିଜେପି ପ୍ରତି କୃତଜ୍ଞତା ପ୍ରଦର୍ଶନ କରିବା ବଦଳରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିବା ପରଦିନ ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗଦେବା ଏବଂ ଦଳ ତାଙ୍କୁ ହରିୟାଣାର ଜୁଲାନା ବିଧାନସଭା ଆସନରୁ ପ୍ରାର୍ଥୀ କରିବା ବିଜେପିର ଗାତ୍ରଦାହ ହୋଇଛି । ଏବେ ଭିନେଶ ଫୋଗଟ୍ ବିଜେପି ଆଖିରେ ‘ଭାରତ କି ବେଟୀ’ ନୁହନ୍ତି ‘କଂଗ୍ରେସ କି ବେଟୀ’ । ବିଜେପି ନେତାଙ୍କ ବ୍ୟାଖ୍ୟାନ ବଦଳିବା ପରେ ଗଲା ଏକ ବର୍ଷ ଧରି ଯୌନ ଉତ୍ପୀଡନ ଅଭିଯୋଗର ସମ୍ମୁଖୀନ ହୋଇ କ୍ଷମତାରୁ ହଟିଥିବା ରେସିଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ଡବ୍ଲୁଏଫଆଇ) ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିଜେପିରେ ଗୁରୁତ୍ୱ ବଢି ଯାଇଛି । ଗଣମାଧ୍ୟମରେ ବୟାନ ଦେଇ ଭିନେଶ ଫୋଗଟ୍ ଓ ଅନ୍ୟ ମହିଳା କୁସ୍ତିଯୋଦ୍ଧାଙ୍କ ଅଭିଯୋଗ କଂଗ୍ରେସର ଷଡଯନ୍ତ୍ର ଥିଲା ବ୍ରିଜ ଭୂଷଣ କହିବା ଆରମ୍ଭ କରିଛନ୍ତି । ଅକ୍ଟୋବର ୦୫ ତାରିଖରେ ହେବାକୁ ଥିବା ହରିୟାଣା ବିଧାନସଭା ନିର୍ବାଚନରେ ତାଙ୍କୁ ଯଯଦି ପ୍ରଚାର କରିବାକୁ ଅନୁମତି ମିଳିବ ସେ ଭିନେଶଙ୍କୁ ପରାଜୟର ରାସ୍ତା ଦେଖାଇବେ ବୋଲି ବ୍ରିଜ ଭୂଷଣ ଦୃଢୋକ୍ତି ପ୍ରକାଶ କରିଛନ୍ତି । ବ୍ରିଜ ଭୂଷଣଙ୍କ କହିବା ମୁତାବକ, ଦୁଇ ବର୍ଷ ତଳେ ମହିଳା କୁସ୍ତିଯୋଦ୍ଧାମାନେ ତାଙ୍କ ବିରୋଧରେ ଯେଉଁ ଯୌନ ଉତ୍ପୀଡନ ଅଭିଯୋଗ ଆଣି ତାଙ୍କୁ ଗିରଫ କରାଯିବା ଦାବିରେ ଦିଲ୍ଲୀ ରାଜରାସ୍ତାରେ ଯେଉଁ ଶକ୍ତି ପ୍ରଦର୍ଶନ କରିଥିଲେ ତାହା ପଛରେ କଂଗ୍ରେସ ନେତାଙ୍କ ଷଡଯନ୍ତ୍ର ଥିଲା । ବହୁ ପୂର୍ବରୁ ସେ ଏହି ଅଭିଯୋଗ କରି ଆସୁଛନ୍ତି । ଦେଶର ଦୁଇ ଆନ୍ତର୍ଜାତିକ ତାରକା କୁସ୍ତିଯୋଦ୍ଧା ଭିନେଶ ଫୋଗଟ୍ ଓ ବଜରଂଗ ପୁନିଆ ଦୁଇ ଦିନ ତଳେ କଂଗ୍ରେସରେ ଯୋଗ ଦେଇଥିବା ହେଉଛି ତାହାର ପ୍ରମାଣ । ୨୦୨୩ ଜାନୁୟାରୀ ୧୮ରୁ ତାଙ୍କ ବିରୋଧରେ ଯେଉଁ ଆନ୍ଦୋଳନ ଚାଲିଥିଲା ତାହା ପଛରେ କଂଗ୍ରେସର ରାଜନୈତିକ ଷଡଯନ୍ତ୍ର ଥିଲା । ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଡ୍ଡା, ତାଙ୍କ ପୁଅ କଂଗ୍ରେସ ନେତା ଦୀପେନ୍ଦର ସିଂହ ହୁଡ୍ଡା ଷଡଯନ୍ତ୍ରର ସ୍କ୍ରିପ୍ଟ୍ ପ୍ରସ୍ତୁତ କରିଥିଲେ । ସେହି ଅନୁସାରେ ମହିଳା କୁସ୍ତିଯୋଦ୍ଧାମାନେ ଭିନେଶ, ବଜରଂଗ ଓ ସାକ୍ଷୀ ମଲ୍ଲିକଙ୍କ ନେତୃତ୍ୱରେ ଦିଲ୍ଲୀ ସଡକରେ ପ୍ରତିବାଦ ଆନ୍ଦୋଳନର ଅୟମାରମ୍ଭ କରିଥିଲେ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ତାଙ୍କ ଭଉଣୀ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଏହି ଷଡଯନ୍ତ୍ରରେ ସାମିଲ ଥିଲେ ବୋଲି ବିଜ ଭୂଷଣ ଗଣମାଧ୍ୟମରେ ଅଭିଯୋଗ କରିଛନ୍ତି । ଭିନେଶ ଓ ବଜରଂଗଙ୍କ ନେତୃତ୍ୱରେ ଦିଲ୍ଲୀ ସଡକରେ ଦୀର୍ଗ ଦିନ ଧରି ଯେଉଁ ଆନ୍ଦୋଳନ ଚାଲିଲା ତାହା ହରିୟାଣା ମହିଳା ଓ ଯୁବତୀଙ୍କୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ ନଥିଲା, ଏହାଦ୍ୱାରା ହରିୟାଣାର ମହିଳା ଦେଶବାସୀଙ୍କ ସମ୍ମୁଖରେ ଅପଦସ୍ତ ହୋଇଛନ୍ତି । ହରିୟାଣାବାସୀଙ୍କୁ ଏହା ଅବଗତ କରାଯିବ । ବ୍ରିଜ ଭୂଷଣଙ୍କ ଦାବି ହେଉଛି, ହରିୟାଣା ନିର୍ବାଚନରେ ଜଣେ ସାଧାରଣ ବିଜେପି କର୍ମୀ କଂଗ୍ରେସର ବିଧାୟକ ପ୍ରାର୍ଥୀ ଭିନେଶ ଫୋଗଟଙ୍କୁ ହରାଇବାକୁ ଯଥେଷ୍ଟ । ତାଙ୍କୁ ଯଦି ଦଳର ପ୍ରଚାର ପାଇଁ ଅନୁମତି ମିିଳିବ ସେ ଭିନେଶଙ୍କୁ ହରାଇ ଦେଖାଇବେ । ବ୍ରିଜ ଭୂଷଣ ଗଣମାଧ୍ୟମରେ ଏଭଳି ବୟାନ ଦେଉଥିବା ବେଳେ କଂଗ୍ରେସରେ ସାମିଲ ହୋଇଥିବା ଭିନେଶ ଓ ବଜରଂଗ କହିଛନ୍ତି, ସେମାନେ କୌଣସି ପ୍ରକାର ଭୟଭିତ ନୁହନ୍ତି । ପଛଘୁଂଚା ନଦେଇ ସେମାନେ ନିର୍ବାଚନର ସାମ୍ନା କରିବେ । ଗତ ଶୁକ୍ରବାର ଦିନ କଂଗ୍ରେସର କେନ୍ଦ୍ରୀୟ ନିବାଚନ କମିଟି ହରିୟାଣାର ୯୦ ବିଧାନସଭା ଆସନରୁ ୩୨ଟି ପାଇଁ ଯେଉଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ସେଥିରେ ଭିନେଶଙ୍କ ନାମ ରହିଛି । ଭିନେଶ ଫୋଗଟ୍ ହରିୟାଣାର ଜୁଲାନା ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇଥିବା ବେଳେ ଅନ୍ୟତମ ଆନ୍ତର୍ଜାତିକ ତାରକା କୁସ୍ତିଯୋଦ୍ଧା ବଜରଂଗ ପୁନିଆ ନିଖିଳ ଭାରତ କିଶାନ କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ (ୱାର୍କିଂଙ୍ଗ୍ ଚେୟାରମ୍ୟାନ) ଭାବେ ନିଯୁକ୍ତି ହୋଇଛନ୍ତି । ତା’ ପୂର୍ବରୁ ଭିନେଶ ଓ ବଜରଂଗ ଗୁରୁବାର ଦିନ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭେଟି ଥିଲେ ଏବଂ ଶୁକ୍ରବାର କଂଗ୍ରେସ ସାଧାରଣ ସଂପାଦକ କେ.ସି.ଭେନୁଗୋପାଳ, ହରିୟାଣାର କଂଗ୍ରେସ ମୁଖ୍ୟ ଉଦୟ ଭାନ, ହରିୟାଣା ପାଇଁ ଏଆଇସିସିର ପ୍ରଭାରୀ ଦୀପକ ବାବରିଆ ଓ କଂଗ୍ରେସର ଜାତୀୟ ମୁଖପାତୟ ପୱନ ଖେରାଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଥିଲେ । ଭିନେଶ ଓ ବଜରଂଗ କହିଛନ୍ତି, ଡବ୍ଲୁଏଫଆଇ ପୂର୍ବତନ ସଭାପତି ବ୍ରିଜ ଭୂଷଣଙ୍କ ଦ୍ୱାରା ମହିଳା କୁସ୍ତିଯୋଦ୍ଧାମାନେ ଯୌନ ଉତ୍ପୀଡନର ଶିକାର ହୋଇଥିବା ଅଭିଯୋଗ କରି ସେମାନେ ଯେତେବେଳେ ଦିଲ୍ଲୀରେ ପ୍ରତିବାଦ ଆନ୍ଦୋଳନ ଚଳାଇ ଥିଲେ ଓ ଦିଲ୍ଲୀ ପୁଲିସ ଦ୍ୱାରା ରାଜରାସ୍ତାରେ ନିର୍ଯ୍ୟାତିତ ହୋଇଥିଲେ ସେତେବେଳେ ବିଜେପି ବ୍ୟତୀତ ଅନ୍ୟ ସମସ୍ତ ରାଜନୈତିକ ଦଳର ସେମାନଙ୍କ ପ୍ରତି ସମର୍ଥନ ଜଣାଇ ଠିଆ ହୋଇଥିଲେ । ବିଜେପି କେବଳ ଯୌନ ଉତ୍ପୀଡନକାରୀ ବ୍ରିଜ ଭୂଷଣ ଶରଣ ସିଂହଙ୍କୁ ସୁରକ୍ଷା ଦେଇଥିଲା । ଏବେ ବିଜେପିର ଆଭିମୁଖ୍ୟକୁ ନେଇ ସେମାନେ ଭୟଭିତ ନୁହନ୍ତି, ସେମାନଙ୍କ ସଂଗ୍ରାମ ଜାରି ରଖିବେ । ଭିନେଶ ଓ ବଜରଂଗ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖର୍ଗେଙ୍କୁ ମଧ୍ୟ ଭେଟିଛନ୍ତି । ଭିନେଶ ରେଳବାଇରେ ଚାକିରୀ କରୁଥିଲେ । କଂଗ୍ରେସରେ ଯୋଗଦେବା ପୂର୍ବରୁ ସେ ଚାକିରୀରୁ ଇସ୍ତଫା ଦେଇଛନ୍ତି । ତେବେ, ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ରେଳ ମନ୍ତ୍ରଣାଳୟ ପକ୍ଷରୁ ତାଙ୍କୁ ଶୁକ୍ରବାର ଦିନ କାରଣଦର୍ଶାଅ ନୋଟିସ ଜାରି ହୋଇଛି । ରେଳ ମନ୍ତ୍ରଣାଳୟ ରାଜନୀତି ନକରି ଅବିଳମ୍ବେ ଭିନେଶଙ୍କ ଇସ୍ତଫା ଗ୍ରହଣ କରୁ ଓ ତାଙ୍କୁ ନିଜ କବଳରୁ ମୁକ୍ତ କରୁ ବୋଲି କଂଗ୍ରେସ ପକ୍ଷରୁ ଦାବି କରାଯାଇଥିବା କଂଗ୍ରେସ ସାଧାରଣ ସଂପାଦକ କେ.ସି.ବେଣୁଗୋପଳ ଗଣମାଧ୍ୟମକୁ କହିଛନ୍ତି । ଭିନେଶ ଗଣମାଧ୍ୟମକୁ ଭୋଟିବା ବେଳେ ପ୍ୟାରିସ ଅଲିଂପିକ୍ସର ଫାଇନାଲ ଖେଳିବାକୁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ନେଇ ପ୍ରଶ୍ନର ସମ୍ମୁଖୀନ ହୋିଥିଲେ ମଧ୍ୟ ଏସଂପର୍କରେ କିଛି ଟିପ୍ପଣୀ ଦେବାକୁ ମନା କରିଥିଲେ । ତେବେ, ବରଜଂଗ କହିଥିଲେ, ଭିନେଶ ଫାଇନାଲ ଖେଳିବାକୁ ଅଯୋଗ୍ୟ ଘୋଷଣା ହେବା ଦିନ ସମଗ୍ର ଦେଶରେ ଦୁଃଖର ଛାଇ ଥିବା ବେଳେ ବିଜେପିର ଆଇଟି ସେଲ୍ ଉତ୍ସବ ପାଳନ କରିଥିଲା । ଭିନେଶ କହିଛନ୍ତି, ପ୍ୟାରିସ ଅଲିଂପିକ୍ସ ଯୋଗ୍ୟତା ଅର୍ଜନ କରିବାକୁ ସେ ଜାତୀୟସ୍ତରରେ ହୋଇଥିବା ପ୍ରତିଯୋଗିତାକୁ ଏଡାଇବାକୁ ଦିଲ୍ଲୀ ରାଜରାସ୍ତାରେ ପ୍ରତିବାଦ ଆନ୍ଦୋଳନରେ ମାତି ଥିଲେ ବୋଲି ବିଜେପି ଆଇଟି ସେଲ୍ ଯେଉଁ ପ୍ରଚାର କରୁଥିଲା ତାହା ଭିତ୍ତିହୀନ ବୋଲି ସେ ପ୍ୟାରିସ ଅଲିଂପିକ୍ସର ଫାଇନାଲରେ ପହଂଚି ସିଦ୍ଧ କରିଛନ୍ତି । ବ୍ରିଜ ଭୂଷଣ ଶରଣ ସିଂହଙ୍କ ଯୌନ ଉତ୍ପୀଡନ ବିରୋଧରେ ସେମାନେ ଦିଲ୍ଲୀରେ ଆନ୍ଦୋଳନରେ ଥିଲେ । ଭିନେଶ ଓ ବଜରଂଗ ରାଜନୈତିକ ଉଦ୍ଦେଶ୍ୟ ରଖି ଏଭଳି ଏକ ଆନ୍ଦୋଳନର ସୂତ୍ରପାତ କରିଥିଲେ ବୋଲି ବିଜେପି ଏବେ ପ୍ରତିଷ୍ଠା କରିବାକୁ ଉଦ୍ୟମ ଆରମ୍ଭ କରିଥିବା ବେଳେ ଯୌନ ଉତ୍ପୀଡନକାରୀକୁ ବିଜେପି ସୁରକ୍ଷା ଦେଉଥିଲା ବୋଲି ଭିନେଶ ଓ ବଜରଂଗଙ୍କ ପକ୍ଷରୁ ପାଲଟା ଅଭିଯୋଗ ହୋଇଛି । ବିଜେପି ମହିଳା, କୃଷକ ଓ ସେନା ବିରୋଧୀ (ଅଗ୍ନୀବୀର ନିଯୁକ୍ତିକୁ ନେଇ) ବୋଲି ବଜରଂଗ ପୁନିଆ ଗଣମାଧ୍ୟମରେ ଅଭିଯୋଗ କରିଛନ୍ତି । ହରିୟାଣା ନିର୍ବାଚନରେ କୃଷକ, ସୌନିକ ଓ କ୍ରୀଡାବିତଙ୍କ ବଡ ଯୋଗଦାନ ରହିଥିବାରୁ ଏବଂ ଏହି ତିନ ଶ୍ରେଣୀ ବିଜେପି ଶାସନକୁ ନେଇ ଅସନ୍ତୁଷ୍ଟ ଥିବାରୁ କଂଗ୍ରେସର ପ୍ରଚାର ସେହିମାନଙ୍କୁ ନେଇ ତ୍ୱରାନ୍ୱିତ ହେବ ବୋଲି ଆଶା କରାଯାଉଥିବା ବେଳେ ବିଜେପି ତାହାକୁ କାଟିବା ପାଇଁ କଂଗ୍ରେସର ଷଡଯନ୍ତ୍ର କଥା କହିବା ଆରମ୍ଭ କରିଛି । ଭିନେଶ ଓ ବଜରଂଗ ପୁନିଆଙ୍କ ଭଳି ଆନ୍ତର୍ଜାତିକ ତାରକା କ୍ରୀଡାବିତ ଏବେ କଂଗ୍ରେସ ଶିବିରରେ ଅଛନ୍ତି । ଏହି ଦୁଇ ବ୍ୟାଖ୍ୟାନକୁ ନେଇ ସହ ପ୍ରାର୍ଥୀ ଚୟନକୁ ନେଇ ହରିୟାଣା ବିଜେପିରେ ବିଦ୍ରୋହ କଂଗ୍ରେସ ପାଇଁ ଶୁଭଂକର ମନେ ହୋଇଛି । ହରିୟାଣା ବିଧାନସଭା ପାଇଁ ଅକ୍ଟୋବର ୫ ତାରିଖ ଦିନ ଭୋଟ ହୋଇ ଫଳାଫଳ ୦୮ ତାରିଖ ଆସିବାକୁ ଥିବାରୁ ହରିୟାଣାବାସୀ କାହାକୁ ଗ୍ରହଣ କଲେ ଓ କାହାକୁ ପ୍ରତ୍ୟାଖାନ କଲେ – ତାହା ସେଦିନ ସ୍ପଷ୍ଟ ହୋଇଯିବ ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS