ଡାକ୍ତରଙ୍କୁ ସୁପ୍ରିମ କୋର୍ଟଙ୍କ ଚେତାବନୀ: କାର୍ଯ୍ୟକ୍ଷେତ୍ରକୁ ଫେର, ନହେଲେ କାର୍ଯ୍ୟାନୁଷ୍ଠାନ ହୋଇପାରେ


ପ୍ରସାଦ ରାଓ
ସେପ୍ଟେମ୍ବର ୦୯/୨୦୨୪
କୋଲକାତାର ଆର.ଜି.କର ମେଡିକାଲ କଲେଜ ହସ୍ପିଟାଲରେ ଅଗଷ୍ଟ ୦୯ ତାରିଖରେ ଘଟିଥିବା ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ପ୍ରତିବାଦ ଆନ୍ଦୋଳନ ଜାରି ରଖିଥିବା ଡାକ୍ତରମାନେ ଆସନ୍ତା କାଲି (ମଂଗଳବାର) ସନ୍ଧ୍ୟା ୫ଟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅନ୍ତୁ, ନହେଲେ ସେମାନଙ୍କ ବିରୋଧରେ ଭବିଷ୍ୟତରେ ପ୍ରତିକୂଳ କାର୍ଯ୍ୟାନୁଷ୍ଠାନର ହୋଇପାରେ ବୋଲି ସୁପ୍ରିମ କୋର୍ଟ ଆଜି ଚେତାଇ ଦେଇଛନ୍ତି । କୋଲକାତାରେ ଘଟିଥିବା ଏହି ଦୁଷ୍କର୍ମ ଓ ହତ୍ୟା ଘଟଣାର ସିବିଆଇ ତଦନ୍ତ ଚାଲି ଥିବା ବେଳେ ସୁପ୍ରିମ କୋର୍ଟ ନିଜ ଆଡୁ ଘଟଣାକୁ ସଂଜ୍ଞାନକୁ ନେଇ ଶୁଣାଣୀ କରୁଛନ୍ତି । ସୁପ୍ରମି କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ ଗଠିତ ତିନି ଜଣିଆ ବେଂଚ ଆଜି ମାମଲାର ଶୁଣାଣୀ କରିବା ସମୟରେ ଆନ୍ଦୋଳନରତ ଡାକ୍ତରଙ୍କୁ ଏହି ଚେତାବନୀ ଦେଇଛନ୍ତି । ରାଜ୍ୟ ସରକାର ହସ୍ପିଟାଲଗୁଡିକରେ କାର୍ଯ୍ୟରତ ଡାକ୍ତରମାନଙ୍କ ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ପାଂଠି ମଂଜୁର କରିଛନ୍ତି, ଜିଲ୍ଲାପାଳମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ ହେବ ବୋଲି ପଶ୍ଚିମ ବଂଗ ସରକାର ଅଦାଲତରେ ସତ୍ୟପାଠ ଦାଖଲ କରିଥିବାରୁ ଆନ୍ଦୋଳନରତ ଡାକ୍ତରମାନେ କାଲି ସନ୍ଧ୍ୟା ସୁଦ୍ଧା ନିଜ ନିଜ କାର୍ଯ୍ୟକ୍ଷେତ୍ରକୁ ଫେରି ଯାଆନ୍ତୁ, ନଚେତ ପ୍ରତିକୂଳ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇପାରନ୍ତି ବୋଲି ସୁପ୍ରିମ କୋର୍ଟ ବେଂଚ ଚେତାଇ ଦେଇଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ କହିଛନ୍ତି, ‘ଡାକ୍ତରମାନେ କାର୍ଯ୍ୟକ୍ଷେତ୍ରକୁ ଫେରି ରୋଗୀ ସେବା ଆରମ୍ଭ କରିବା ଆମେ ଚାହୁଁଛୁ । ସେମାନଙ୍କ ନିରାପତ୍ତାର ବ୍ୟବସ୍ଥା ଆମେ କରୁଛି । ସେମାନେ ମଧ୍ୟ ସମାନ ଭାବେ ସହଯୋଗର ହାତ ବଢାଇବା ଆବଶ୍ୟକ । କାଲି ସନ୍ଧ୍ୟା ୦୫ଟା ସୁଦ୍ଧା ସେମାନେ କାର୍ଯ୍ୟ କ୍ଷେତ୍ରକୁ ନ ଫେରିଲେ ରାଜ୍ୟ ସରକାରଙ୍କ ଆଡୁ ଯେଉଁ ଶଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବ ତାହାକୁ ଆମେ ରୋକିପାରିବୁ ନାହିଁ ।’ ଯେଉଁ ଡାକ୍ତରମାନେ ଅଦାଲତ ଦ୍ୱାରା ଧାର୍ଯ୍ୟ ସମୟ ଭିତରେ କାର୍ଯ୍ୟକ୍ଷେତ୍ରରେ ଯୋଗ ଦେବେ ସେମାନଙ୍କ ବିରୋଧରେ ରାଜ୍ୟ ସରକାର କୌଣସି ଶୃଙ୍ଖଳାଗତ କାର୍ଯାନୁଷ୍ଠାନ ଗ୍ରହଣ କରିବେ ନାହିଁ ବୋଲି ପଶ୍ଚିମ ବଂଗ ସରକାରଙ୍କ ଓକିଲ ବରିଷ୍ଠ ଆଇନଜୀବୀ କପିଲ ସିବଲ୍ ଆଜି ସୁପ୍ରିମ କୋର୍ଟରେ ପ୍ରତିଶ୍ରୁତି ଦେଇଛନ୍ତି । ପଶ୍ଚିମ ବଂଗ ସରକାରଙ୍କ ପକ୍ଷରୁ ସୁପ୍ରିମ କୋର୍ଟରେ ଦାଖଲ କରାଯାଇଥିବା ସତ୍ୟପାଠରେ କୁହାଯାଇଛି, ଅଗଷ୍ଟ ୦୯ ତାରିଖ ଘଟଣା ପରରୁ ୨୮ ଦିନ ହେଲା ମେଡିକାଲ କଲେଜ ହସ୍ପିଟାଲ ରେସିଡେଂଟ ଡାକ୍ତରମାନେ କାର୍ଯ୍ୟବନ୍ଦ ଆନେ୍ଦାଳନରେ ଥିବାରୁ ରୋଗୀ ସେବା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ସେବା ନ ମିଳିବାରୁ ଅନ୍ୟୁନ ୨୩ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି ବୋଲି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଜଣାଇଛନ୍ତି । ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଏହି ସୂଚନା ଦେବାରୁ ଡାକ୍ତରଙ୍କ ପକ୍ଷରୁ ଅଦାଲତରେ ଉପସ୍ଥିତ ଥିବା ବରିଷ୍ଠ ଆଇନଜୀବୀ ଗୀତା ଲୁଥର କୋର୍ଟକୁ ଜଣାଇ ଥିଲେ, ବରିଷ୍ଠ ଡାକ୍ତରମାନେ କାର୍ଯ୍ୟରେ ଯୋଗ ଦେଇଥିବା ବେଳେ ଜୁନିୟର ଡାକ୍ତରମାନେ ସେମାନଙ୍କୁ ଧମକ ଦିଆଯାଉଥିବା ଓ ହଇରାଣ କରାଯାଉଥିବାରୁ କାର୍ଯ୍ୟରେ ଅନୁପସ୍ଥିତ ଅଛନ୍ତି । ବାସ୍ତବ ପରିସ୍ଥିତି ସଂପର୍କରେ ସେ ଅବଗତ ଅଛନ୍ତି, ତେବେ ସିନିୟର ଡାକ୍ତରମାନେ କାମ କରୁଥିବାରୁ ସେମାନେ କାମ କରିବେ ନାହିଁ ବଜୁନିୟର ଡାକ୍ତରମାନେ କହିଲେ ହେବ ନାହିଁ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ କହିଛନ୍ତି । ଏଠାରେ ସୂଚନା ଯୋଗ୍ୟ, କୋଲକାତା ଆର.ଜି କର ମେଡିକାଲ କଲେଜ ହସ୍ପିଟାଲରେ ଅଗଷ୍ଟ ୦୮ ତାରିଖରେ ରାତ୍ରୀ ଡ୍ୟୁଟିରେ ଥିବା ଜଣେ ପୋଷ୍ଟଗ୍ରାଜୁଏଟ୍ ଟ୍ରେନିଂ ଡାକ୍ତରଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ୦୯ ତାରିଖ ସକାଳେ ହସ୍ପିଟାଲ ସେମିନାର ହଲ୍ ରୁ ଉଦ୍ଧାର କରାଯାଇଥିଲା । ଭୋର ସମୟରେ ବିଶ୍ରାମ ନେଉଥିବା ଅବସ୍ଥାରେ ତାଙ୍କ ପ୍ରତି ଦୁଷ୍କର୍ମ ହୋଇଥିବା ଏବଂ ଶ୍ୱାସରୁଦ୍ଧ କାରଣରୁ ଟ୍ରେନି ଡାକ୍ତରଙ୍କ ମୃତ୍ୟୁ ଘଟିଥିବା ଶବ ବ୍ୟବଚ୍ଛେଦରୁ ଜଣାପଡିଥିଲା । ଘଟଣା ସଂପର୍କରେ ପୁଲିସକୁ ଅବଗତ କରିବାରେ ମେଡିକାଲ କର୍ତ୍ତୃପକ୍ଷ ଅବହେଳା କରିଥିବା, କୋଲକାତା ପୁଲିସ ମାମଲା ରୁଜୁ କରିବାରେ ୧୪ ଘଂଟା ସମୟ ନେବା, ପ୍ରଥମେ ଏହା ଏକ ଆତ୍ମହତ୍ୟା ଘଟଣା ବୋଲି ପୀଡିତାଙ୍କ ପରିବାରକୁ ଅବଗତ କରାଯିବା, ପୀଡିତାଙ୍କ ବାପା, ମା’ଙ୍କୁ ଘଂଟା ଘଂଟା ଧରି ଝିଅ ଶବ ନିକଟରୁ ଦୂରେଇ ରଖାଯିବା, ସଂପୃକ୍ତ ମେଡିକାଲ କଲେଜ ହସ୍ପିଟାଲର ଅଧ୍ୟକ୍ଷ ସାମାଜିକ ଗଣମାଧ୍ୟମରେ ଟ୍ରୋଲ୍ ହେଉଥିବା ଦର୍ଶାଇ ଇସ୍ତଫା ଦେବାର କିଛି ଘଂଟା ମଧ୍ୟରେ ତାଙ୍କୁ କୋଲକତାର ଅନ୍ୟ ଏକ ସରକାରୀ ମେଡିକାଲ କଲେଜ ହସ୍ପିଟାଲରେ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯିବା, ଅପରାଧ ଘଟିଥିବା ସ୍ଥଳକୁ ସୁରକ୍ଷିତ ରଖିବାରେ ପୁଲିସ ବିଫଳ ହେବା ପ୍ରଭୃତି ଘଟଣା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଟିଏମସି ସରକାରକୁ କାଠଗଡାରେ ଠିଆ କରାଇଛି । କୋଲକାତା ହାଇକୋର୍ଟଙ୍କ ନିର୍ଦେଶରେ ସିବିଆଇ ଅଗଷ୍ଠ ୦୯ ତାରିଖ ଘଟଣାର ତଦନ୍ତ କରୁଛନ୍ତି । ପୁଲିସ ତଦନ୍ତ ସମୟରେ ଗିରଫ ହୋଇଥିବା ସଂଜୟ ରାୟ ନାମକ ଭଲେଂଟିୟର ପୁଲିସ କର୍ମଚାରୀ ହିଁ ଏକାମାତ୍ର ଦୁଷ୍କର୍ମକାରୀ, ଏହା ଗଣଦୁଷ୍କର୍ମ ନୁହେଁ ବୋଲି ସିବିଆଇ ସର୍ବୋଚ୍ଚ ନ୍ୟାୟାଳୟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିଛନ୍ତି । ସିବିଆଇ ଘଟଣାର ତଦନ୍ତ କରୁଥିବା ବେଳେ ରାଜ୍ୟ ସରକାର ନ୍ୟାୟ ଦିଅନ୍ତୁ ବୋଲି ଦାବିରେ ପଶ୍ଚିମ ବଂଗରେ ଡାକ୍ତର, ଡାକ୍ତରୀ ଛାତ୍ର ଏବଂ କ୍ଷୁବ୍ଧ ଜନତାଙ୍କ ଲଗାତର ଆନ୍ଦୋଳନ ଚାଲିଛି । ତାଙ୍କ ସରକାରକୁ ବଦନାମ କରିବା ପାଇଁ ବିଜେପି ପକ୍ଷରୁ ଏଭଳି ଅଶାନ୍ତ ବାତାବରଣ ସୃଷ୍ଟି କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ କରିବା ସହ ରାଜ୍ୟ ବିଧାନସଭାରେ ଏକ ବିଲ୍ ପାରିତ କରାଇ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଆସିଲେ ତାହାର ତ୍ୱରିତ ତଦନ୍ତ, ବିଚାରଣା ଏବଂ ଦୋଷୀଙ୍କୁ ଫାସୀ ଦିଆଯିବା ନିମନ୍ତେ ଆଇନରେ ସଂଶୋଧନ ପାଇଁ ପ୍ରସ୍ତାବ ଦେଇଛନ୍ତି । ବିଧାନସଭାରେ ସର୍ବସମ୍ମତ ଭାବେ ଗୃହୀତ ଏହି ବିଲ୍ ରାଜ୍ୟପାଳଙ୍କ ନିକଟକୁ ଯାଇଛି । ରାଜ୍ୟପାଳ ତାହାକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇବେ ଏବଂ ରାଷ୍ଟ୍ରପତି ଅନୁମୋଦନ ଦେଲେ ତାହା ଆଇନରେ ପରିଣତ ହେବ । ଏଭଳି ସ୍ଥିତିରେ ସୁପ୍ରିମ କୋର୍ଟ ନିଜ ଆଡୁ ଅଗଷ୍ଟ ୦୯ ତାରିଖ ଘଟଣାର ବିଚାରଣ କରୁଛନ୍ତି । ଆଜି ସୁପ୍ରିମ କୋର୍ଟ ବେଂଚ ପଶ୍ଚିମ ବଂଗ ସରକାରଙ୍କୁ କେତେକ ସ୍ପଷ୍ଟୀକରଣ ମାଗି ଆସନ୍ତା ୧୭ ତାରିଖରେ ପୁନର୍ବାର ଶୁଣାଣୀ ହେବ ବୋଲି ତାରିଖ ଧାର୍ଯ୍ୟ କରିଛନ୍ତି । ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡଙ୍କ ସହ ବିଚାରପତି ଜଷ୍ଟିସ ମନୋଜ ମିଶ୍ର ଓ ଜଷ୍ଟିସ ଜେ.ବି.ପର୍ଡିୱାଲଙ୍କ ବେଂଚ ଏହି ମାମଲାର ଶୁଣାଣୀ କରୁଛନ୍ତି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS