ଆମେରିକାରେ ରାହୁଲ ଗାନ୍ଧୀଙ୍କ ବକ୍ତବ୍ୟ ଭାରତ ବିରୋଧୀ ?
ପ୍ରସାଦ ରାଓ
ସେପ୍ଟେମ୍ବର ୧୦/୨୦୨୪
କଂଗ୍ରେସ ନେତା ରାହୁଲ ଗାନ୍ଧୀ ଯେବେ ବି ବିଦେଶ ଗସ୍ତରେ ଯାଇଛନ୍ତି ଏବଂ ବିଦେଶ ମାଟିରେ ଥାଇ ବିଭିନ୍ନ ବିତର୍କରେ ଭାଗ ନେବା ଅବସରରେ ସାଂପ୍ରତିକ ରାଜନୈତିକ ସ୍ଥିତିକୁ ନେଇ ବୟାନ ଦେଇଛନ୍ତି ବିଜେପି ତାଙ୍କୁ ଘେରିବାକୁ ପଛାଇ ନାହିଁ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏଭଳି ଅନେକ ଥର ଘଟିଥିଲା । ରାହୁଲ ଗାନ୍ଧୀ ବିଦେଶ ଗସ୍ତର ଥିବା ଅବସରରେ ଯାହାବି ବ୍ୟକ୍ତବ୍ୟ ରଖୁଥିଲେ ତାହାକୁ ନେଇ ବିଜେପିର ନେତୃବର୍ଗ ତୀବ୍ର ପ୍ରତିକ୍ରିୟାଶୀଳ ହେଉଥିଲେ । ରାହୁଲ ବିଦେଶ ମାଟିରୁ ଭାରତକୁ ନିନ୍ଦିତ କଲା ଭଳି ମନ୍ତବ୍ୟମାନ ଦେଉଛନ୍ତି ବୋଳି ଅଭିଯୋଗ କରୁଥିଲେ । ସେତେବେଳେ ରାହୁଲ ଗାନ୍ଧୀ ବିଜେପି ନେତୃବର୍ଗଙ୍କ ଆଖିରେ ଜଣେ ଅପରିପକ୍ୱ ଓ ଆମେଚର୍ ରାଜନୀତିଜ୍ଞ ଥିଲେ । ୨୦୨୪ସାଧାରଣ ନିର୍ବାଚନ ପରେ ଏହି ସ୍ଥିତି ବଦଳି ଯାଇଛି । ଗତ ଦଶ ବର୍ଷ ଧରି ଲୋକସଭାରେ ବିଜେପିର ଯେଉଁ ସଂଖ୍ୟାର ଗାରିମା ଥିଲା ତାହା ଏବେ ନାହିଁ । ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ୫୪୩ ଆସନ ବିଶିଷ୍ଟ ଲୋକସଭାରେ ମାତ୍ର ୨୪୦ ଆସନରେ ବିଜୟୀ ହୋଇ ଦୁଇଟି ପ୍ରମୁଖ ଆଂଚଳିକ ଦଳର ସାହାରାରେ ତୃତୀୟ ପାଳି ସରକାର କରିଥିବା ବେଳେ କଂଗ୍ରେସ ଓ ବିରୋଧୀ ‘ଇଣ୍ଡି’ ମେଂଟ ଏକ ଶକ୍ତିଶାଳୀ ବିରୋଧୀ ଦଳ ଭାବେ ପ୍ରତିଷ୍ଠିତ । ରାହୁଲ ଗାନ୍ଧୀ ଲୋକସଭାରେ ବିରୋଧୀ ଦଳ ନେତା ସହ ବିରୋଧୀ ମେଂଟର ନେତା ମଧ୍ୟ ଅଛନ୍ତି । ଏଭଳି ଏକ ପରିବତ୍ ର୍ତିତ ରାଜନୈତିକ ପୃଷ୍ଠଭୂମିରେ ରାହୁଲ ପ୍ରଥମ ଆମେରିକା ଗସ୍ତରେ ଅଛନ୍ତି । ଦେଶର ପ୍ରମୁଖ ବିରୋଧୀ ମେଂଟର ନେତା ଭାବେ ସେ ଆମେରିକାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ନିଜ ବକ୍ତବ୍ୟ ରଖୁଛନ୍ତି । ଗତକାଲି ଆମେରିକାର ଟେକ୍ସାସଠାରେ ସେ ଟେକ୍ସାସ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ଓ ସେଠାରେ ବସବାସ କରୁଥିବା ଭାରତୀୟ ସମୁଦାୟକୁ ଉଦ୍ବୋଧନ ଦେବା ବେଳେ ବିଜେପି ଓ ଆରଏସଏସକୁ ଯେଭଳି ଭାବେ ସମାଲୋଚନା କରିଛନ୍ତି ତାହା ବିଜେପିକୁ କ୍ଷୁବ୍ଧ କରିଛି । ତିନି ଦିନିଆ ଆମେରିକା ଗସ୍ତରେ ଥିବା ରାହୁଲ ଟେକ୍ସାସ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ସମୟରେ ବିଜେପି ଓ ଆରଏସଏସ (ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ)ର ଆଭିମୁଖ୍ୟକୁ ନେଇ ସମାଲୋଚନା କରିଥିଲେ । ଆରଏସଏସର ଭାରତକୁ ନେଇ ଗୋଟିଏ ବିଚାରଧାରା ରହିଥିବା ସମୟରେ କଂଗ୍ରେସର ବହୁବିଧ ବିଚାରଧାରା ରହିଛି । ବିଜେପି ଦେଶର ସମ୍ବିଧାନ, ଭାଷା ଓ ସଂସ୍କୃତିକୁ ନଷ୍ଟ କରୁଥିବା ବେଳେ ଦଳର ମୂଳଆଧାର ଥିବା ଆରଏସଏସ ଭାରତୀୟ ମହିଳା ଘରେ ରୁହନ୍ତୁ, ରୋଷେଇ କରନ୍ତୁ ଓ କମ୍ କଥା କୁହନ୍ତୁ ବୋଲି ଆଭିମୁଖ୍ୟ ରଖୁଥିବାରୁ ଭାରତୀୟ ଶ୍ରମଶକ୍ତିରେ ମହିଳାଙ୍କ ଭାଗିଦାରୀ କମ୍ ରହୁଛି । ତେବେ, କଂଗ୍ରେସର ଆଭିମୁଖ୍ୟ ହେଉଛି, ମହିଳାମାନେ ଯାହା ହେବାକୁ ଅଭିଳାଷ ରଖୁଛନ୍ତି ତାହା ସେମାନଙ୍କୁ ହେବାକୁ ଦିଆଯିବା । ପାଶ୍ଚାତ୍ୟ ରାଷ୍ଟ୍ରଙ୍କ ଭଳି ଭାରତ ମଧ୍ୟ ଗୁରୁତର ବେକାର ସମସ୍ୟାର ସମ୍ୁଖୀନ ହେଉଛି । ଆମେରିକା ୧୯୪୦, ୫୦ ଓ ୬୦ ଦଶକରେ ବିଶ୍ୱ ଉତ୍ପାଦନର ମୂଳ କେନ୍ଦ୍ର ଥିଲେ । ଭାରତ ମଧ୍ୟ ଉତ୍ପାଦନକୁ ଗୁରୁତ୍ୱ ଦେଉଥିଲା । ଆଜିର ସ୍ଥିତିରେ ପାଶ୍ୱାତ୍ୟ ରାଷ୍ଟ୍ରମାନେ ଖାଉଟୀ ପାଲଟି ଥିବା ବେଳେ ଭାରତ ମଧ୍ୟ ଉତ୍ପାଦନରୁ ଦୂରେଇ ଯାଇ ଖାଉଟୀ ରାଷ୍ଟ୍ରରେ ପରିଣତ ହୋଇଛି । ତେଣୁ, ଦେଶରେ କର୍ମନିଯୁକ୍ତିର ଘୋର ଅଭାବ ଦେଖା ଦେଇ ବେକାରୀ ବଢିଛି । ଅପରପକ୍ଷରେ, ଚୀନ ଉତ୍ପାଦନ ଉପରେ ଗୁରୁତ୍ୱ ଦେଇ ବିଶ୍ୱରେ ଏକ ବୃହତ ଉତ୍ପାଦନର କେନ୍ଦ୍ରରେ ପରିଣତ ହୋଇଛି । ଚୀନରେ ବେକାର ସମସ୍ୟା ନାହିଁ । ରାହୁଲଙ୍କ ଏହି ମନ୍ତବ୍ୟ ଚୀନକୁ ପ୍ରଶାଂସା କଲା ଭଳି ହୋଇଛି କହି ବିଜେପି ତାହାର କଡା ସମାଲୋଚନା କରିଛି । ରାହୁଲ ଟେକ୍ସସ ବିଶ୍ୱବିଦ୍ୟାଳୟ ଛାତ୍ରଚାତ୍ରୀଙ୍କ ପ୍ରଶ୍ନର ଉତ୍ତର ଦେବା ବଳେ ଭାରତରେ ୨୦୨୪ରେ ହୋଇଥିବା ସାଧାରଣ ନିର୍ବାଚନରେ ବିଜେପିର ବିପର୍ଯ୍ୟୟ କଥା ମଧ୍ୟ କହିଥିଲେ । ଲୋକସଭାରେ ବିଜେପି ଗଲା ବର୍ଷ ଧରି ଏକକ ସଂଖ୍ୟାଗରିଷ୍ଠ ଦଳ ଥିଲା । ୨୦୨୪ ନିର୍ବାଚନରେ ଦଳ ଏକକ ସଂଖ୍ୟାଗରିଷ୍ଠତା ଦୂରେ ଥାଏ ସରକାର ଗଢିବାର ମେଜିକ ସଂଖ୍ୟା ପାଖାପାଖି ପହଂଚି ନପାରି ଟିଡ଼ିପି ଓ ଜେଡିୟୁର ସାହାରା ନେଇ ତୃତୀୟ ପାଳି ସରକାର କରିଛି । ଦେଶରେ ଏନଡିଏ ସରକାରରେ ନରେନ୍ଦ୍ର ମୋଦୀ ତୃତୀୟ ପାଳି ପ୍ରଧାନମନ୍ତ୍ରୀ ହୋଇଛନ୍ତି । ୨୦୨୪ ନିର୍ବାଚନ ଫଳାଫଳ ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତି ଦେଶବାସୀଙ୍କ ମନରେ ଥିବା ଭୟ ଦୂର କରି ଦେଇଛି । ଏବେ ସମସ୍ତଙ୍କ ମନରୁ ଭୟ ଉଭେଇ ଯାଇଛି ବୋଲି ରାହୁଲଙ୍କ ଟିପ୍ପଣୀ ବିଜେପି ପାଇଁ କଟା ଘା’ରେ ଚୂନ ଦେଲା ଭଳି ହୋଇଛି । ଟେକ୍ସରେ ରାହୁଲ ଦେଇଥିବା ମନ୍ତବ୍ୟକୁ ନେଇ ବିଜେପି ନେତାମାନେ ତୁରନ୍ତ ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି । ରାହୁଲ ଗାନ୍ଧୀ ଯେତେ ବି ବିଦେଶ ଗସ୍ତରେ ଯାଆନ୍ତି ଓ ବିଦେଶ ମାଟିରେ ବିତର୍କରେ ଭାଗ ନିଅନ୍ତି ଦେଶକୁ ଅପମାନିତ କଲା ଭଳି ମନ୍ତବ୍ୟମାନ ଦେଇଥା’ନ୍ତି, ଯାହାକି ‘ଦେଶଦ୍ରୋହ’ ସହ ସମାନ ବୋଲି ଗତକାଲି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ମନ୍ତବ୍ୟ ଦେଇଛନ୍ତି । ଭାରତ ବାହାରକୁ ଯାଇ ଭାରତକୁ ସମାଲୋଚନା କରୁଥିବା ଲୋକଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯିବା ଉଚିତ ବୋଲି ସେ କହିଥିଲେ । ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ନଳିନୀ କୋହଲି, ଗୌରବ ଭାଟିଆ, ଶେହଜାଦ ପୁନେୱାଲା ପ୍ରମୁଖ ମଧ୍ୟ ରାହୁଲଙ୍କୁ କଡା ସମାଲୋଚନା କରି ଇନ୍ଦିରା ଗାନ୍ଧୀଙ୍କ ଅମଳରେ ଦେଶରେ ଜାରି ହୋଇଥିବା ଜରୁରୀ ପରିସ୍ଥିତି କଥା ତାଙ୍କୁ ମନେ ପକାଇ ଦେଇଛନ୍ତି । ଟେକ୍ସାସ ମନ୍ତବ୍ୟକୁ ନେଇ ରାହୁଲଙ୍କୁ ସମାଲୋଚନା କରିବାରେ ବିଜେପି ନେତାମାନେ ଶତମୁଖ ରହିଥିବା ବେଳେ ରାହୁଲ ଗାନ୍ଧୀ ଆଜି ୱାସିଂଟନ ଡିସିର ଜର୍ଜଟାଉନ ବିଶ୍ୱବିଦ୍ୟାଳୟରେ ଏକ ମତ ବିନିମୟ କାର୍ଯ୍ୟକ୍ରମରେ ଭାଗ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂପର୍କରେ ତାଙ୍କ ବିଚାର ସ୍ପଷ୍ଟ କରିଛନ୍ତି । ‘ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବ, ବାସ୍ତବରେ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଘୃଣା କରେ ନାହିଁ । ତେବେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଯେଉଁ ବିଚାରଧାରା ରହିଛି ସେଥିରେ ଆମେ ସହମତ ନୋହୁଁ’ ବୋଲି ରାହୁଲ ଗାନ୍ଧୀ କହିଛନ୍ତି । ସେ କହିଛନ୍ତି, ‘ ଅନେକ ସମୟରେ ପ୍ରଧାନମନ୍ତ୍ରୀଙ୍କ ମତକୁ ମୁଁ ଗୁରୁତ୍ୱ ଦେଇଥାଏ । ମୁଁ ତାଙ୍କୁ କେବେ ଶତୃ ବୋଲି ଭାବେ ନାହିଁ । ତାଙ୍କର ଗୋଟିଏ ବିଚାରଧାରା ରହିଛି, ଆମେ ବିଚାରଧାରା ଭିନ୍ନ’ । ରାହୁଲଙ୍କ ଆଜିର ଏହି ପ୍ରତିକ୍ରିୟାରେ ପରିପକ୍ୱତା ଥିବା ସ୍ପଷ୍ଟ ହେଉଛି । ତେବେ, ଗତ ଦଶ ବର୍ଷରୁ ଅଧିକ ସମୟ ହେଲା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ‘ପପ୍ପୁ’ କହି ସମାଲୋଚନା କରି ଆସୁଥିବା ବିଜେପି ନେତାମାନେ ପରିବର୍ତ୍ତିିତ ରାଜନୈତିକ ପରିସ୍ଥିତିରେ ମଧ୍ୟ ତାଙ୍କ ପରିପକ୍ୱତାକୁ ଗ୍ରହଣ କରିବା ସ୍ଥିତିରେ ନଥିବାରୁ ‘ବାଲବୁଦ୍ଧି’ଠାରୁ ଆରମ୍ଭ କରି ଆନେକ ବିଶେଷଣ ତାଙ୍କ ପ୍ରତି ପ୍ରୟୋଗ କରିଆସୁଛନ୍ତି । ରାହୁଲ ବିଶ୍ୱ ଦରବାରରେ ନିଜ ଦେଶକୁ ଦୁର୍ବଳ କରିବା ସହ ଚୀନର ଗୁଣଗାନ କରୁଛନ୍ତି । କଂଗ୍ରେସ ଶାସନ ସମୟରେ ଚୀନ ସହ କଂଗ୍ରେସର ପାର୍ଟି-ଟୁ-ପାର୍ଟି ଏମଓୟୁ ସ୍ୱାକ୍ଷରିତ ହୋଇଛି । ଏହି ଏମଡୟୁ ଅନୁସାରେ ରାହୁଲ ଗାନ୍ଧୀ ଚୀନ ବିରୋଧରେ ପଦଟିଏ କହିବେ ନାହିଁ । ଚୀନ ସହ କଂଗ୍ରେସର ଯେଉଁ ଏମଓୟୁ ସ୍ୱାକ୍ଷର ହୋଇଛି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ତାହାର ଖୁଲାସା କରିବା ଆବଶ୍ୟକ ବୋଲି ବିଜେପି ଜାତୀୟ ମୁଖପାତ୍ର ଗୌରବ ଭାଟିଆ ଆହ୍ୱାନ ଦେଇଥିବା ବେଳେ ରାହୁଲ ଗାନ୍ଧୀ କେବେ ମଧ୍ୟ ଭାରତକୁ ନିନ୍ଦିତ କରି ନାହାନ୍ତି ବା କରିବେ ନାହିଁ – ଏହା ଆମର ପ୍ରତିଶ୍ରୁତି ବୋଲି ଏଆଇସିସି ସଭାପତି ଖାର୍ଗେ କହିବା ସହ ବିଜେପି ନେତାମାନେ କଂଗ୍ରେସକୁ ନିନ୍ଦିତ କରିବାକୁ ସବୁ ବେଳେ ବାଟ ଖୋଜନ୍ତି ଏବଂ ଏଭଳି ପ୍ରସଙ୍ଗମାନ ଚର୍ଚ୍ଚାକୁ ଆଣିନ୍ତି ବୋଲି କହିଛନ୍ତି । ଚଳିତ ମାସରେ ଜମ୍ମୁ-କଶ୍ମୀର ଓ ଆସନ୍ତା ମାସ ପ୍ରଥମ ସପ୍ତାହରେ ହରିୟାଣା ବିଧାନସଭା ନିର୍ବାଚନ ହେବାକୁ ଅଛି । ଚଳିତ ବର୍ଷ ମହାରାଷ୍ଟ୍ର, ଝାଡଖଣ୍ଡରେ ମଧ୍ୟ ବିଧାନସଭା ନିର୍ବାଚନ ହେବ । ତେଣୁ, ବିଜେପି ଓ କଂଗ୍ରେସ ମଧ୍ୟରେ ଯେଉଁ ବାକ୍ୟୁଦ୍ଧ ଲାଗି ରହିଛି ତାହା ଆଗକୁ ଭିଷଣ ହେବ, ଏଥିରେ କିଛି ସନ୍ଦେହ ନାହିଁ । ତେବେ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ତିନି ଦିନିଆ ଆମେରିକା ଗସ୍ତର ପ୍ରଥମ ଦିନ ଟେକ୍ସାସ ବିଶ୍ୱିବିଦ୍ୟାଳୟ ଓ ଦ୍ୱତୀୟ ଦିନ ୱାସିଂଟନ ଡିସିର ଜର୍ଜଟାଉନ ବିଶ୍ୱବିଦ୍ୟାଳୟରେ ଯାହାବି ବକ୍ତବ୍ୟ ରଖିଛନ୍ତି ସେସବୁ କେତେଦୂର ଭାରତ ବିରୋଧୀ (?) – ତାହାକୁ ନେଇ ଅଧିକ ବିତର୍କର ଆବଶ୍ୟକତା ରହିଛି ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS