କାହାର ବିଜୟ ସମ୍ଭାବନା ଅଧିକ -‘ମଣ୍ଡଳବାଦୀ’ ନା ‘କମଣ୍ଡଳବାଦୀ’ ?
ପ୍ରସାଦ ରାଓ
ସେପ୍ଟେମ୍ବର ୧୩/୨୦୨୪
ସେପ୍ଟେମ୍ବର ୧୮ରୁ ଜମ୍ମୁ-କଶ୍ମୀରରେ ତିନି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଅକ୍ଟୋବର ୦୧ ତାରିଖରେ ସରିବ । ଅକ୍ଟୋବର ୦୫ ତାରିଖରେ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ତାରିଖ ଧାର୍ଯ୍ୟ ହୋଇଛି । । ଚଳିତ ବର୍ଷ ମହାରାଷ୍ଟ୍ର ଓ ଝାଡଖଣ୍ଡରେ ମଧ୍ୟ ବିଧାନସଭା ନିର୍ବାଚନ ହେବ । ତେଣୁ, ଦେଶରେ ‘ମଣ୍ଡଳ -କମଣ୍ଡଳ’ ରାଜନୀତି ସରଗରମ ହୋଇଛି । କଂଗ୍ରେସ ଓ ବିରୋଧୀ ମେଂଟ ଦେଶରେ ‘ଜାତି ଭିତ୍ତିକ’ ଜନଗଣନା ଓ ସେହି ଅନୁପାତରେ ସଂରକ୍ଷ ବ୍ୟବସ୍ଥା ସପକ୍ଷରେ ଯୁକ୍ତି କରୁଥିବା ବେଳେ ବିଜେପି ‘ବିକାଶ’ ସହ ‘କଠୋର ହିନ୍ଦୁତ୍ୱବାଦ’କୁ ରାଜନୈତିକ ମୁଦ୍ଦା କରି ତାହାର ପ୍ରଚାର ଅଭିଯାନ ଚଳାଇ ଥିବାରୁ ଆଗକୁ ହେବାକୁ ଥିବା ନିର୍ବାଚନ ସବୁରେ ଏହି ଦୁଇ ମତବାଦକୁ ନେଇ ଲଢେଇ ଜୋରଦାର ହେବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ଲୋକସଭାରେ ବିରୋଧୀ ଦଳ ନେତା ଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ‘ଜାତି ଭିତ୍ତିକ’ ଜନଗଣନାକୁ ଗୁରୁତ୍ୱ ଦେଇ ଆସିଛନ୍ତି । ବିରୋଧୀ ମେଂଟ କ୍ଷମତାକୁ ଆସିଲେ ଦେଶରେ ‘ଜାତି ଭିତ୍ତିକ’ ଜନଗଣନା କରାଇବ ବୋଲି ଦୃଢତାର ସହ କହୁଥିବା ବେଳେ ବିଜେପି ତାହାକୁ ଗ୍ରହଣ କରିପାରୁନାହିଁ ବା ସଂପୂର୍ଣ୍ଣ ଭାବେ ପ୍ରତ୍ୟାଖାନ କରିପାରୁନାହିଁ । କାରଣ, ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ତାହାର ‘ହିନ୍ଦୁତ୍ୱ’ ଆଜେଣ୍ଡାକୁ ଗୁରୁତ୍ୱ ଦେଇ ବିରୋଧୀଙ୍କୁ ଆକ୍ରମଣ କରିଥିବା ବେଳେ ବିରୋଧୀ ମେଂଟ ସମ୍ବିଧାନର ସୁରକ୍ଷା ଓ ଜାତି ଭିତ୍ତିକ ସଂରକ୍ଷଣକୁ ଗୁରୁତ୍ୱ ଦେଇ ନିର୍ବାଚନ ଲଢିଥିଲେ । ଫଳାଫଳ ବିରୋଧୀ ମେଂଟ ସପକ୍ଷରେ ଯାଇଥିଲା । ବିଜେପି ଲଗାତର ତୃତୀୟ ଥର ପାଇଁ କେନ୍ଦ୍ରରେ କ୍ଷମତାସୀନ ହୋଇଥିଲେ ମଧ୍ୟ ୨୦୧୪ ଓ ୨୦୧୯ର ସଫଳତା ଦୋହରାଇ ପାରିନଥିଲା । ୫୪୩ ଆସନ ବିଶିଷ୍ଟ ଲୋକସଭାରେ ବିଜେପି ୨୪୦ରେ ସୀମିତ ରହିଥିବା ବେଳେ ବିରୋଧୀ ମେଂଟ ୨୩୪ ଆସନ ପାଇ ଏକ ଶକ୍ତିଶାଳୀ ବିରୋଧୀ ଭାବେ ଉଭା ହୋଇଥିଲେ । ଦଳିତ, ସଂଖ୍ୟାଲଘୁ ଓ ଜାତି-ଭିତ୍ତିକ ଭୋଟରୁ ଅଧିକାଂଶ ଭାଗ ବିରୋଧୀ ମେଂଟ ସପକ୍ଷରେ ଚାଲି ଯିବାରୁ ବିଜେପି ତାହାର ପୂର୍ବ ସଫଳତା ଦୋହରାଇବାରେ ବିଫଳ ହୋଇଥିଲା ଏବଂ ତୃତୀୟ ପାଳି ସରକାରକୁ ଆସିବାକୁ ଟିଡିପି ଓ ଜେଡିୟୁର ସାହାରା ନେବାକୁ ବାଧ୍ୟ ହୋଇଥିଲା । ତେଣୁ, ବିଧାନସଭା ନିର୍ବାଚନରେ ଦଳ ଫୁଙ୍କି ଫୁଙ୍କି ଚା’ ପିଇବାକୁ ବାଧ୍ୟ ହେଉଥିବା ଦେଖିବାକୁ ମିଳୁଛି । ବିଜେପି ସମର୍ଥକଙ୍କ ଯୁକ୍ତି ହେଉଛି – ଦେଶରେ ଜାତି-ଭିତ୍ତିକ ଜଣଗଣନା କଲେ କଣ ହେବ, ସୁପ୍ରିମ କୋର୍ଟ ତ ମୋଟ ସଂରକ୍ଷଣକୁ ୫୦ ପ୍ରତିଶତ ମଧ୍ୟରେ ସୀମିତ ରଖିଛନ୍ତି । ସଂଖ୍ୟାଲଘୁ ଜାତି, ଜନଜାତି, ଓବିସି – ସମସ୍ତ ଏଥିରେ ଅନ୍ତଭୁକ୍ତ । ତେବେ, ସୁପ୍ରମି କୋର୍ଟ ୫୦ ପ୍ରତିଶତ ସଂରକ୍ଷଣ ମଧ୍ୟରେ ଉପ-ସଂରକ୍ଷଣ ସପକ୍ଷରେ ରାୟ ଦେଇ ରାଜନୈତିକ ଦଳମାନଙ୍କୁ ଏକପ୍ରକାର ଆଶ୍ୱସ୍ତ କରିଛନ୍ତି । କଂଗ୍ରେସ ସମେତ ବିରୋଧୀ ମେଂଟର ନେତାମାନେ ସଂରକ୍ଷଣ ବ୍ୟବସ୍ଥାକୁ ସମ୍ବିଧାନର ନବମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ କରାଯାଇ ସୁପ୍ରିମ କୋର୍ଟ ସ୍କୃଟିନିରୁ ମୁକ୍ତ କରାଯିବାକୁ କେନ୍ଦ୍ର ନିକଟରେ ଦାବି କରୁଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିକଟରେ ସ୍ପଷ୍ଟ ଭାବେ କହିଛନ୍ତି – ଦେଶରେ ସମସ୍ତ ଜାତି, ଉପଜାତିଙ୍କ ପାଇଁ ୫୦ ପ୍ରତିଶତରୁ ଅଧିକ ଆରକ୍ଷଣ ବ୍ୟବସ୍ଥା ରହିବା ଆବଶ୍ୟକ । ‘ଇଣ୍ଡି’ ମେଂଟ ସରକାର କଲେ ଏଦିଗରେ ପଦକ୍ଷେପ ନେବ । ବିଜେପି ବିଗତ ଦଶ ବର୍ଷ ଧରି ‘ବିକାଶ’ ଓ ‘କଠୋର ହିନ୍ଦୁତ୍ୱବାଦ’କୁ ନିର୍ବାଚନ ପ୍ରସଙ୍ଗ କରି ବିଭିନ୍ନ ନିର୍ବାଚନ ଲଢିଛି ଓ ଅନେକ ମାତ୍ରାରେ ସଫଳତା ପାଇଛି । ତେବେ, ୨୦୨୪ ସାଧାରଣ ନିର୍ବାଚନ ଫଳାଫଳ ବିଜେପି ପାଇଁ ବିଚଳିତ କଲା ଭଳି ହୋଇଛି । ତେବେ, ହିନ୍ଦୁ ଭୋଟକୁ ଏକପାଖିଆ କରି ନିର୍ବାଚନ ଜିତିବାର ପ୍ରୟାସରୁ ଦଳ ଦୂରେଇ ନାହିଁ । ଅନ୍ୟପକ୍ଷରେ, ବିରୋଧୀ ଜାତିଗତ ଜନଗଣନା ଓ ଆରକ୍ଷଣକୁ ଅସ୍ତ୍ର କରି ବିଜେପିକୁ ମାତ୍ ଦେବାକୁ ପ୍ରୟାସ କରୁଥିବାରୁ ରାଜନୈତିକ ବିଶ୍ଲେଷକମାନେ ଏହି ଲଢେଇକୁ ‘ମଣ୍ଡଳ’ ବନାମ ‘କମଣ୍ଡଳ’ କହିବାକୁ ପଛାଉ ନାହାନ୍ତି । ଜମ୍ମୁ-କଶ୍ମୀର ନିର୍ବାଚନରେ ‘ଇଣ୍ଡି’ ମେଂଟର ରଣନୀତି କେତେଦୂର ସଫଳ ହେବ ତାହା ନିର୍ବାଚନ ପରେ ଜଣାପଡିବ । ତେବେ, ବିଜେପି ଶାସନରେ ଗଣତନ୍ତ୍ର ବିପନ୍ନ ହୋଇପଡିଥିବା ଏବଂ ଦେଶରେ ସଂଖ୍ୟାଲଘୁ ସଂପ୍ରଦାୟ ନିଷ୍ପେସିତ ହେଉଥିବା ପ୍ରଚାର ବିଜେପିକୁ ଅଡୁଆରେ ପକାଇବାକୁ ଯଥେଷ୍ଟ । ଏହାର ମୁକାବିଲା ପାଇଁ ବିଜେପି କଂଗ୍ରେସ ଓ ବିରୋଧୀଙ୍କ ରାଜନୀତିକୁ ‘ସଂଖ୍ୟାଲଘୁ-ତୁଷ୍ଟୀକରଣ’ ରାଜନୀତି କହି ହିନ୍ଦତ୍ୱବାଦୀଙ୍କୁ ଏକାଠି କରିବାର ପ୍ରୟାସରେ ଲାଗିଛି । ବିଜେପିର କଠୋରପନ୍ଥୀ ନେତାମାନେ ବିରୋଧୀଙ୍କୁ ନକଲି-ଧର୍ମ ନିରପେକ୍ଷ ବୋଲି ସମାଲୋଚନା କରିବାକୁ ପଛାଉ ନାହାନ୍ତି । ଦେଶରେ ହିନ୍ଦୁଙ୍କ ସଂଖ୍ୟା ୮୦ ପ୍ରତିଶତ ଥିବାରୁ ସେମାନେ ରହିଲେ ହିଁ ହିନ୍ଦୁ-ବିରୋଧୀଙ୍କ ମୁକାବିଲା କରି ପାରିବେ, ନହେଲେ ଛିନ୍ନଛତ୍ର ହୋଇଯିବେ ବୋଲି ନିକଟରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଚେତାବନୀ ହିନ୍ଦୁ ଭୋଟର ଧ୍ରୁବୀକରଣ ପାଇଁ ଉଦ୍ଦିଷ୍ଟ, ଏଥିରେ କିଛି ସନ୍ଦେହ ନାହିଁ । ଜମ୍ମୁ-କଶ୍ମୀର ଓ ହରିୟାଣା ବିଧାନସଭା ନିର୍ବାଚନ ନିକଟତର ହେଉଥିବାରୁ ଶାସକ ବିଜେପି ଓ ବିରୋଧୀ ମେଂଟ ‘ମଣ୍ଡଳ ବନାମ କମଣ୍ଡଳ’ ରାଜନୀତିରେ ମାତିଛନ୍ତି । ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନରେ କଂଗ୍ରେସ ରାଜ୍ୟର ପ୍ରଭାବଶାଳୀ ଆଂଚଳିକ ରାଜନୈତିକ ଦଳ ଜେକେଏନସି (ଜମ୍ମୁ-କଶ୍ମୀର ନ୍ୟାସନାଲ କନ୍ଫରେନ୍ସ) ସହ ମେଂଟ କରିବା ବିଜେପିକୁ ସମାଲୋଚନା କରିବାକୁ ବଡ ସୁଯୋଗ ଦେଇଛି । ୨୦୧୯ରେ ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ଓ ରାଜ୍ୟର ବିଭାଜନ ପରେ ଏହା ହେଉଛି ପ୍ରଥମ ବିଧାନସଭା ନିର୍ବାଚନ । କେନ୍ଦ୍ରୀୟ ଶାସନରେ ଜମ୍ମୁ-କଶ୍ମୀର ପରିସ୍ଥିତି ବେଶ୍ ସୁଧୁରିଛି । କଂଗ୍ରେସ ଜେକେଏନସି ସହ ମେଂଟ କରି ପୁନର୍ବାରେ ରାଜ୍ୟରେ ଅସ୍ଥିର ବାତାବରଣ ସୃଷ୍ଟି କରିବାକୁ ଚାହୁଛି କି (?) ବୋଲି ବିଜେପି ଏବେ ପ୍ରଶ୍ନ କରୁଛି । ଜମ୍ମୁ-କଶ୍ମୀରର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ଓ ମେହହେବୁବା ମୁଫତିଙ୍କ ରାଜନୈତିକ ଦଳ ଦେଶ ବିରୋଧୀ ବିଚ୍ଛିନ୍ନତାବାଦୀଙ୍କ ସମର୍ଥନ ଦେଇ ଆସୁଥିବାରୁ କଂଗ୍ରେସ ସେମାନଙ୍କ ସହ ଯୋଡି ହେବା ବିଚ୍ଛିନ୍ନତାବାଦକୁ ସମର୍ଥନ ବୋଲି ବିଜେପି ନେତାମାନେ ଆକ୍ଷେପ କରୁଛନ୍ତି । କେନ୍ଦ୍ର ସରକାର ୨୦୧୯ରେ ଜମ୍ମୁ-କଶ୍ମୀରରୁ ସମ୍ବିଧାନର ୩୭୦ ଓ ୩୫-ଏ ଧାରା କେବଳ ଉଚ୍ଛେଦ କରି ନାହାନ୍ତି, ରାଜ୍ୟର ବିଭାଜନ ଘଟାଇ ଦୁଇଟି କେନ୍ଦ୍ର ଶାସିତ ଅଂଚଳରେ ପରିଣତ କରିଛନ୍ତି । ଜମ୍ମୁ-କଶ୍ମୀରର ‘ପୂର୍ଣ୍ଣ ରାଜ୍ୟ ମାନ୍ୟତା’ ମଧ୍ୟ ଅପହୃତ ହୋଇଛି । ଫାରୁକ ଅବଦୁଲ୍ଲାଙ୍କ ଜେକେଏନସି (ଜମ୍ମୁ-କଶ୍ମୀର ନ୍ୟାସନାଲ କନ୍ଫରେନ୍ସ) ତାହାର ନିର୍ବାଚନ ଇସ୍ତାହାରରେ ଦଳର ବିଜୟ ହେଲେ ଉଚ୍ଛେଦ ହୋଇଥିବା ୩୭୦ ଓ ୩୫-ଏ ଧାରା ପୁନର୍ବାହାଲ କରିବ ଓ ରାଜ୍ୟର ‘ପୂର୍ଣ୍ଣ ରାଜ୍ୟ ମାନ୍ୟତା’ ଫେରାଇ ଆଣିବ ବୋଲି ପ୍ରତିଶ୍ରୁତି ଦେଇଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସମ୍ବିଧାନର ୩୭୦ ଓ ୩୫-ଏ ଧାରା ପୁନର୍ବାହାଲ ନେଇ ନିରବ । ରାଜ୍ୟରେ କଂଗ୍ରେସ-ଏନସି ସରକାର ପ୍ରତିଷ୍ଠା ହେଲେ ରାଜ୍ୟର ‘ପୂର୍ଣ୍ଣ ରାଜ୍ୟ ମାନ୍ୟତା’ ବା ‘ଷ୍ଟେଟ୍ ହୁଡ୍’ ଫେରାଇ ଆଣିବା ଦିଗରେ ସଂଗ୍ରାମ ଜାରି ରହିବ ବୋଲି ରାହୁଲ ପ୍ରତିଶ୍ରୁତି ଦେଇଛନ୍ତି । ତେବେ, କଂଗ୍ରେସକୁ ତାଚ୍ଛଲ୍ୟ କରି ବିଜେପି କହିଛି, ଏସବୁ କେନ୍ଦ୍ର ସରକାରଙ୍କ ଅଧିକାରଭୁକ୍ତ । କଂଗ୍ରେସ ବା ଏନସିର କିଛି କରିବାର ନାହିଁ । ରାଜ୍ୟରେ ୩୭୦ ଓ ୩୫-ଏ ଧାରା ପୁନର୍ବାହାଲ କରାଯିବା ପ୍ରତିଶ୍ରୁତି କେବଳ ‘ଦିବାସ୍ୱପ୍ନ’ । ଆଉ ରାଜ୍ୟକୁ ‘ପୂର୍ଣ୍ଣ ରାଜ୍ୟ ମାନ୍ୟତା’ ପ୍ରଦାନ (!) – ନିର୍ବାଚନ ପରେ ତାହା ଫେରାଇ ଦିଆଯିବ ବୋଲି କେନ୍ଦ୍ର ସରକାର ପୂର୍ବରୁ ପ୍ରତିଶ୍ରୁତି ଦେଇଛନ୍ତି । ରାଜ୍ୟରେ ସମ୍ବିଧାନର ୩୭୦ ଧାରା ପୁନର୍ବାହାଲ କରିବାକୁ ଜେକେଏନସି ଯେଉଁ ପ୍ରତିଶ୍ରୁତି ଦେଇଛି ସେଥିରେ କଂଗ୍ରେସ ଏକମତ କି (?) ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରାହୁଲ ଗାନ୍ଧୀଙ୍କୁ ପ୍ରଶ୍ନ କରିଛନ୍ତି । ବିଜେପିର ଯୁକ୍ତି ହେଉଛି, ଜମ୍ମୁ-କଶ୍ମୀରରୁ ସମ୍ବିଧାନର ୩୭୦ ଓ ୩୫-ଏ ଧାରା ଉଚ୍ଛେଦ ପରେ କଶ୍ମୀର ଘାଟିରେ ବିଚ୍ଛନ୍ନତାବାଦ କାର୍ଯ୍ୟକଳାପ ବହୁମାତ୍ରାରେ ହ୍ରାସ ପାଇଛି ଓ ରାଜ୍ୟରେ ଶାନ୍ତିର ବାତାବରଣ ରହିଛି । କେନ୍ଦ୍ର ସରକାର ରାଜ୍ୟକୁ ବିକାଶ ପଥରେ ଆଗେଇ ନେଉଛନ୍ତି । କଂଗ୍ରେସ ଶାସନ ସମୟରେ ଜମ୍ମୁ-କଶ୍ମୀର ହିଂସା-ଉପଦୃତ ରାଜ୍ୟ ଥିଲା । କେନ୍ଦ୍ର ମନ୍ତ୍ରୀମାନେ କଶ୍ମୀର ଯିବାକୁ ଭୟ କରୁଥିଲେ । ଗତ ପାଂଚ ବର୍ଷରେ ରାଜ୍ୟ ପରିସ୍ଥିତିରେ ବେଶ୍ ଉନ୍ନତି ଘଟିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ‘ନୟା କାଶ୍ମୀର’ର ନିଅଁ ପକାଇଛନ୍ତି । କଂଗ୍ରେସ କଣ ରାଜ୍ୟକୁ ପୁଣି ଥରେ ପଛ ଅବସ୍ଥାକୁ ଫେରାଇ ନେବାକୁ ଚାହୁଁଛି (?) ବୋଲି ବିଜେପି ନେତାମାନେ ପ୍ରଶ୍ନ କରିଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲୋକସଭାରେ ବିରୋଧୀ ଦଳ ନେତା ହେବା ପରେ ପ୍ରଥମ ବିଦେଶ ଗସ୍ତରେ ଯାଇ ଆମେରିକାରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଦେଇଥିବା ମତ ମଧ୍ୟ ଦେଶରେ ବିତର୍କର ବିଷୟ ରହିଛି । ତିନି ଦିନିଆ ଆମେରିକା ଗସ୍ତ ଅବସରରେ ସେ ବିଦେଶ ମାଟିରୁ ବିଜେପି ଆରଏସଏସ୍ (ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ)କୁ କଡା ସମାଲୋଚନା କରିଥିଲେ । ଭାରତରେ ସଂରକ୍ଷଣ ବ୍ୟବସ୍ଥାର ଉଚ୍ଛେଦ ସମ୍ଭାବନାକୁ ନେଇ ଏକ ପ୍ରଶ୍ନର ଉତ୍ତରରେ ସେ କହିଥିଲେ, ଅନୂକର ପରିସ୍ଥିତି ସୃଷ୍ଟି ହେଲେ ତାହାର ବିଚାର କରାଯାଇପାରେ । ଏବେ ସେଭଳି ପରିସ୍ଥିତି ନାହିଁ । ରାହୁଲଙ୍କ ଏହି ବୟାନ ବିତର୍କର ବିଷୟ ହୋଇଛି । ବିଦେଶ ମାଟିରୁ ବିଜେପି ଓ ଆରଏସଏସକୁ ସମାଲୋଚନା କରିବା କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କ ପୁରୁଣା ଅଭ୍ୟାସ । ସେ ଦେଶ ବିଭାଜନ ଚାହୁଁଥିବା ଷଡଯନ୍ତ୍ରକାରୀଙ୍କ ସହ ଯୋଡି ହୋଇ ରହିଛନ୍ତି ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ନିଜେ ‘ଏକ୍ସ’ ପୋଷ୍ଟରେ ଅଭିଯୋଗ କରିଛନ୍ତି । ଭାରତରେ ବସବାସ କରୁଥିବା ସଂଖ୍ୟାଲଘୁ ସଂପ୍ରଦାୟଙ୍କ ସୁରକ୍ଷା ସଂପର୍କିତ ଏକ ପ୍ରଶ୍ନର ଉତ୍ତର ଦେବା ବେଳେ ଶିଖ୍ ସଂପ୍ରଦାୟର ଉଦାହରଣ ଦେବାକୁ ଯାଇ ରାହୁଲ ଗାନ୍ଧୀ ଦେଶବ୍ୟାପୀ ତୀବ୍ର ଆକ୍ରୋଶର ସମ୍ମୁଖୀନ ହୋଇଛନ୍ତି । ଜମ୍ମୁ-କଶ୍ମୀର, ହରିୟାଣା ନିର୍ବାଚନ ପୂର୍ବରୁ ୧୯୮୪ର ଶିଖ୍ ବିରୋଧୀ ଦଂଗା ଚର୍ଚ୍ଚାକୁ ଆସିଛି । ସେ ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦ ସପକ୍ଷରେ କି (?) ବୋଲି ଆମେରିକାର ଜର୍ଜଟାଉନ ବିଶ୍ୱବିଦ୍ୟାଳୟରେ ହୋଇଥିବା ପ୍ରଶ୍ନର ଉତ୍ତର ଦେଇ ‘ଭାରତରେ ସେଭଳି ଅନୁକୂଳ ପରିସ୍ଥିତି ସୃଷ୍ଟି ହେଲେ ସଂରକ୍ଷଣ ବ୍ୟବସ୍ଥାର ଉଚ୍ଛେଦ ନେଇ ବିଚାର କରାଯାଇପାବେ, ଏବେ ସେଭଳି ପରିସ୍ଥିତି ଆସିନି’ ବୋଲି ରାହୁଲ ଗାନ୍ଧୀ କହିଥିଲେ । ରାହୁଲଙ୍କ ଏହି ବକ୍ତବ୍ୟ ସଂରକ୍ଷଣ-ବିରୋଧୀ ମାନସିକତାକୁ ସୂଚାଉଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ, ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀ ଦେଶରେ ଜାତି-ଭିତ୍ତିକ ସଂରକ୍ଷଣର ବିରୋଧୀ ଥିଲେ । ରାହୁଲ ସେମାନଙ୍କ ଦାୟଦ କହି ବିଜେପି ‘ଇଣ୍ଡି’ ମେଂଟର ନେତାମାନଙ୍କଠାରୁ ଏହାକୁ ନେଇ ସ୍ପଷ୍ଟୀକରଣ ଚାହିଁଛି । ପରେ ରାହୁଲ ସ୍ପଷ୍ଟ କରିଛନ୍ତି, ସେ ଦେଶରେ ୫୦ ପ୍ରତିଶତରୁ ଅଧିକ ସଂରକ୍ଷଣ ରହିବା ସପକ୍ଷରେ ଅଛନ୍ତି । ସଂରକ୍ଷଣ ଓ ଅନ୍ୟ ପ୍ରସଙ୍ଗକୁ ନେଇ ବିଜେପି-କଂଗ୍ରେସ ମଧ୍ୟରେ ଯେଭଳି ଆକ୍ଷେପ, ପ୍ରତ୍ୟାକ୍ଷେପ ବଢୁଛି ତାହା ଆଗାମୀ ବିଧାନସଭା ନିର୍ବାଚନଗୁଡିକୁ ପ୍ରଭାବିତ କରିବା ପାଇଁ ଏକ ସୁଚିନ୍ତିତ ରଣନୀତି କହିବା ଭୁଲ ହେବ ନାହିଁ । ବିଜେପି ନ ଚାହିଁଲେ ବି ରାହୁଲ ଗାନ୍ଧୀଙ୍କୁ ବିରୋଧୀ ମେଂଟର ନେତା ଭାବେ ସ୍ୱୀକାର କରୁଛି ଏବଂ ତାଙ୍କୁ ଆକ୍ରମଣ କରୁଛି । ଅପରପକ୍ଷରେ, ବିରୋଧୀ ମେଂଟ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରୁଛନ୍ତି । ବିଜେପି-କଂଗ୍ରେସ ମଧ୍ୟରେ ଚାଲିଥିବା ଏଭଳି ପରସ୍ପର ବିରୋଧୀ ଆକ୍ଷେପ, ପ୍ରତ୍ୟାକ୍ଷେପ ବିଧାନସଭା ନିର୍ବାଚନ ହେବାକୁ ଥିବା ରାଜ୍ୟର ଭୋଟରଙ୍କୁ କେତେମାତ୍ରାରେ ପ୍ରଭାବିତ କରିବ – ଭିନ୍ନ କଥା । ତେବେ, ଜାତୀୟ ଗଣମାଧ୍ୟମରେ ଚାଲିଥିବା ବିତର୍କର ଝଡ ନିର୍ବାଚନ ମାହୋଲକୁ ରୋଚକ ମୋଡକୁ ନେଲାଣି – ଏଥିରେ କୌଣସି ସନ୍ଦେହ ନାହିଁ ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS