କେଜରୀୱାଲଙ୍କ ଇସ୍ତଫା ଓ ଆତିଶୀ ମୁଖ୍ୟମନ୍ତ୍ରୀ, ‘ଆପ୍’ର ଅଡୁଆ କମିବ କି ?


ପ୍ରସାଦ ରାଓ
ସେପ୍ଟେମ୍ବର ୧୭/୨୦୨୪
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ରବିବାର କରିଥିବା ଘୋଷଣା ଅନୁଯାୟୀ ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ସନ୍ଧ୍ୟାରେ ସେ ଦିଲ୍ଲୀ ଉପ ରାଜ୍ୟପାଳ ଭିନିତ କୁମାର ସାକ୍ସେନାଙ୍କୁ ଭେଟି ଅନୁଷ୍ଠାନିକ ଭାବେ ଇସ୍ତଫା ଦେବା ପୂର୍ବରୁ ‘ଆପ୍’ର ବିଧାୟକ ଦଳ ବୈଠକ ବସି କେଜରୀୱାଲଙ୍କ ସ୍ଥାନରେ ୪୩ ବର୍ଷ ବୟସ୍କା ସାଉଥ ଦିଲ୍ଲୀ କାଲକାଜୀ ବିଧାନସଭା କ୍ଷେତ୍ରର ବିଧାୟିକା ଆତିଶୀ ମାର୍ଲିନଙ୍କୁ ବିଧାୟକ ଦଳ ନେତା ନିର୍ବାଚିତ କରାଯାଇଥିଲା । ଆତିଶୀ ମୁଖ୍ୟମନ୍ତ୍ରୀ ହେବେ ବୋଲି ପୂର୍ବରୁ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଥିଲା । କାରଣ, ଦଳରେ ବହୁ ବରିଷ୍ଠ ବିଧାୟକ ଥିଲେ ମଧ୍ୟ ଦଳର ମୁଖ୍ୟ କେଜରୀୱାଲ ଆତିଶୀଙ୍କ ଉପରେ ମାତ୍ରାଧିକ ଭରସା ରଖିଥିବା ଦେଖିବାକୁ ମିଳୁଥିଲା । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗିରଫ ହେବା ପରେ ଆତିଶୀ ତାଙ୍କ ସ୍ଥାନ ନେଇ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ବିଭାଗ ସମେତ ଅନ୍ୟ ବହୁ ବିଭାଗ ସମ୍ଭାଳୁ ଥିଲେ । ମୁଖ୍ୟମନ୍ତ୍ରୀ କେଜରୀୱାଲ ମଧ୍ୟ ସେହି ଏକା ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ପାଂଚ ମାସରୁ ଅଧିକ ସମୟ ଜେଲରେ ଥିବା ସମୟରେ ଆତିଶୀ ଓ ଅନ୍ୟତମ ଯୁବ ମନ୍ତ୍ରୀ ସୌରଭ ଭରଦ୍ୱାଜ ସରକାରଙ୍କ ପ୍ରମୁଖ ଚେହେରା ଥିଲେ ଓ ‘ଆପ୍’ ସରକାରଙ୍କ ମୋର୍ଚ୍ଚା ସମ୍ଭାଳୁ ଥିଲେ । ଗତ ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ ଅବସରରେ ଦିଲ୍ଲୀରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସ୍ଥାନରେ ଆତିଶୀଙ୍କୁ ଜାତୀୟ ପତାକା ଉତ୍ତୋଳନ କରିବାର ସୌଭାଗ୍ୟ ମିଳିଥିଲା । ମୁଖ୍ୟମନ୍ତ୍ରୀ ତାଙ୍କୁ ସୁଯୋଗ ଦେବାରୁ ଏହା ସମ୍ଭବ ହୋଇଥିଲା । ତେଣୁ, କେଜରୀୱାଲ ୪୮ ଘଂଟା ଭିତରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଉଥିବା ନେଇ ଗତ ରବିବାର ସନ୍ଧ୍ୟାରେ ଘୋଷଣା କରିବା ପରେ ଆତିଶୀ ହିଁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦଳର ପ୍ରମୁଖ ଚେହେରା ଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଥିଲା । ଅବଶ୍ୟ, ‘ଆପ୍’ର ବରିଷ୍ଠ ନେତା କୈଲାଶ ଗେହେଲୋଟ, ମନ୍ତ୍ରୀ ସୌରଭ ଭରଦ୍ୱାଜଙ୍କ ନା ସମତେ ଅନ୍ୟ କିଛି ନାମ ଚର୍ଚ୍ଚାରେ ଥିଲା । ଏପରିକି, କେଜରୀୱାଲଙ୍କ ପତ୍ନୀ ତଥା ପୂର୍ବତନ ଆଇଆରଏସ୍ (ଭାରତୀୟ ରାଜସ୍ୱ ସେବା) ସୁନିତା କେଜରୀୱାଲଙ୍କ ନାମ ମଧ୍ୟ ଚର୍ଚ୍ଚର ପରିସରକୁ ଆସିଥିଲା । ତେବେ, ସୁନିତା ଦିଲ୍ଲୀ ବିଧାନସଭାକୁ ନିର୍ବାଚିତ ହୋଇନଥିବାରୁ ଏବଂ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଗଲେ ବିଜେପି ‘ପରିବାରବାଦ’ କଥା କହି ‘ଆପ୍’କୁ ପରିବାରବାଦୀଙ୍କ ଦଳ ସହ ଯୋଡି ପ୍ରଚାର କରିବା ଆଶଙ୍କା ଥିବାରୁ ସୁନିତାଙ୍କ ନାମ ମୁଖ୍ୟମନ୍ତ୍ରୀ ସମ୍ଭାବନାରୁ ଧୀରେ ଧୀରେ ଅବସରି ଗଲା ଓ ଆତିଶୀ ହିଁ ମୁଖ୍ୟମନ୍ତ୍ରୀ ହେବା ସମ୍ଭାବନା ଦୃଢିଭୂତ ହୋଇଥିଲା । ଆଜି ‘ଆପ୍’ ବିଧାୟକ ଦଳ ବୈଠକରେ ଅନୁଷ୍ଠାନକ ଭାବେ ଆତିଶୀଙ୍କ ନାମରେ ମୋହର ଲାଗିଛି ଏବଂ ଆତିଶୀ ମୁଖ୍ୟମନ୍ତ୍ରୀ ଭାବେ ଏହି କେନ୍ଦ୍ର ଶାସିତ ଅଂଚଳକୁ ସମ୍ବାଳିବାକୁ ଯାଉଛନ୍ତି । ଦିଲ୍ଲୀ ସରକାରଙ୍କ ପାଂଚ ବର୍ଷ କାର୍ଯ୍ୟକାଳ ୨୦୨୫ ଫେବୃୟାରୀ ୨୩ରେ ସରୁଥିବାରୁ ନିର୍ବାଚନ କମିଶନ ତାହା ପୂର୍ବରୁ ରାଜ୍ୟରେ ବିଧାନସଭା ନିର୍ବାଚନ କରାଇବା ନିଶ୍ଚିତ । କେଜରୀୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଘୋଷଣା କରିବା ସମୟରେ ନଭେମ୍ବରରେ ଦିଲ୍ଲୀ ବିଧାନସଭା ନିର୍ବାଚନ କରାଯାଉ ବୋଲି ଆହ୍ୱାନ ଦେଇଥିଲେ । ତେବେ, କେଜରୀୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ବିଧାନସଭା ଭଂଗ ପାଇଁ ସୁପାରାଶ କରିଥିଲେ ନିର୍ବାଚନ କମିଶନ ଆଗୁଆ ବିଧାନସଭା ନିର୍ବାଚନ କରାଇବା କଥା ବିଚାରକୁ ନେଇଥା’ନ୍ତେ । ତେବେ, ରାଜ୍ୟରେ କେବଳ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ହୋଇଛନ୍ତି, ପୂର୍ବପରି ‘ଆପ୍’ କ୍ଷମତାରେ ରହିଛି । ତେଣୁ, ନିର୍ବାଚନ କମିଶନ ୨୦୨୫ ଫେବୃୟାରୀ ୨୩ ତାରିଖ ପୂର୍ବରୁ କେବେ ନିର୍ବାଚନ କରାଇବେ ତାହା କମିଶନଙ୍କ ଉପରେ ନିର୍ଭର କରୁଛି ବୋଲି ବିଜେପି ନେତାମାନେ ପ୍ରତିକ୍ରିୟା ରଖିଛନ୍ତି । ଆଗୁଆ ନିର୍ବାଚନ ନହେଲେ ମୁଖ୍ୟମନ୍ତ୍ରୀ ଭାବେ ଆତିଶୀଙ୍କ କାର୍ଯ୍ୟକାଳ ମାତ୍ର ପାଂଚ ମାସ ରହିବ । ଏହି ପାଂଚ ମାସରେ ଯେ ଦିଲ୍ଲୀ ରାଜନୀତିରେ ବହୁତ କିଛି ବଦଳି ଯିବ ବୋଲି ଆଶା କରିବା ବୃଥା । କାରଣ, ଆତିଶୀ ମୁଖ୍ୟମନ୍ତ୍ରୀ ଆସନରେ ବସିବେ ସିନା ଦିଲ୍ଲୀ ସରକାର ବିଦାୟୀ ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କ ‘ରିମୋଟ’ ଦ୍ୱାରା ହିଁ ପରିଚାଳିତ ହେବ । କେନ୍ଦ୍ର ସରକାର ଓ ରାଜ୍ୟର ‘ଆମ୍ ଆଦମୀ ପାର୍ଟି’ ସରକାର ମଧ୍ୟରେ ସାପ-ନେଉଳ ସଂପର୍କ ଥିବା କାହାକୁ ଅଛପା ନାହିଁ । ୨୦୧୪ରେ କେନ୍ଦ୍ରରେ ବିଜେପି ଶାସନ ପ୍ରତିଷ୍ଠା ପରେ କେଜରୀୱାଲଙ୍କ ନେତୃତ୍ୱାଧୀନ ‘ଆପ୍’ ସରକାରଙ୍କ ‘କଳି’ ମୋଡିବାକୁ ବିଜେପି କୌଣସି ସୁଯୋଗ ହାତଛଡା କରିନି । ଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ଉପ ରଜ୍ୟପାଳ ବା ଏଲଜିମାନେ ସର୍ବଦା କେଜରୀୱାଲ ଓ ତାଙ୍କ ସରକାରକୁ ପଦାନତ କରିବାକୁ ଉଦ୍ୟମ କରି ଆସିଛନ୍ତି । ସୁପ୍ରିମ କୋର୍ଟ ଲଗାତର କେଜରୀୱାଲ ସରକାରଙ୍କୁ ଆଶ୍ୱସ୍ତି ଦେଇ ଆସିଥିଲେ ମଧ୍ୟ କେନ୍ଦ୍ର ସରକାର ବିିଭନ୍ନ ଉପାୟରେ ରାଜ୍ୟ ସରକାରଙ୍କ କ୍ଷମତା ହଡପ କରି ନଜର ଆଧିପତ୍ୟ ଜାହିର କରିଛନ୍ତି । ସଦ୍ୟ ଉଦାହରଣ ହେଉଛି, ସୁପ୍ରିମ କୋର୍ଟ ଦିଲ୍ଲୀ ଉପ ରାଜ୍ୟପାଳଙ୍କ କ୍ଷମତା ଓ ରାଜ୍ୟର ନିର୍ବାଚିତ ସରକାରଙ୍କ କ୍ଷମତାର ପରିସର କଣ ରହିବା ଆବଶ୍ୟକ ତାହା ଏକ ରାୟ ମାଧ୍ୟମରେ ସ୍ପଷ୍ଟ କରି ଦେଇଥିଲେ ମଧ୍ୟ କେନ୍ଦ୍ର ସରକାର ସଂସଦ ମାଧ୍ୟମରେ ଆଇନ ପ୍ରଣୟନ କରି ଉପ ରାଜ୍ୟପାଳଙ୍କ ହାତରେ ସମସ୍ତ କ୍ଷମତା ସମର୍ପି ଦେଲେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବର୍ଷ ବର୍ଷ ଧରି ରହି ଆସି ଥିବା ସାପ-ନେଉଳ ସଂପର୍କର ପରିଣତି ହେଉଛି ଦିଲ୍ଲୀ ଅବକାରୀ ଦୁର୍ନୀତିର ସିବିଆଇ ତଦନ୍ତ ଏବଂ ସିବିଆଇ ଓ ଇଡି ଦ୍ୱାରା ଗିରଫ ହୋଇ ରାଜ୍ୟର ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ନେତାମାନେ ଜେଲ ଯିବା । ପ୍ରଥମେ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ତଥା ଅବକାରୀ ମନ୍ତ୍ରୀ ଥାଇ ମନୀଷ ସିସୋଦିଆ ଅବକାରୀ ଦୁର୍ନୀତି ଅଭିଯୋଗରେ ଜେଲ ଗଲେ । ତାଙ୍କ ପରେ ‘ଆପ୍’ ରାଜ୍ୟସଭା ସାଂସଦ ସଂଜୟ ସିଂହ ଏବଂ ଶେଷରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେରଜୀୱାଲ । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା କେବଳ କେନ୍ଦ୍ର ସରକାରଙ୍କ ଏକ ଷଡଯନ୍ତ୍ର ଏବଂ ଆମ୍ ଆଦମୀ ପାର୍ଟିକୁ ନିଶ୍ଚିହ୍ନ କରି ଦେବା ପାଇଁ ଦିଲ୍ଲୀ ଉପ ରାଜ୍ୟପାଳ ଭିନିତ ସାକ୍ସେନାଙ୍କ ମାଧ୍ୟମରେ ଏହି ଷଡଯନ୍ତ୍ର କରିଛନ୍ତି ବୋଲି ଆମ୍ ଆଦମୀ ପାର୍ଟି ଅଭିଯୋଗ କରି ଆସୁଥିବା ବେଳେ କେଜରୀୱାଲଙ୍କ ସରକାର ହେଉଛି ଏକ ‘ଦୁର୍ନୀତିଖୋର ସରକାର’ ବୋଲି ବିଜେପି ଆକ୍ଷେପ କରି ଆସୁଛି । ଦୁଇ ବର୍ଷରୁ ଅଧିକ ସମୟ ହେଲା ସିବିଆଇ, ଇଡି ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାର ତଦନ୍ତ କରୁଥିଲେ ମଧ୍ୟ ଅଦାଲତରେ ଠୋସ୍ ତଥ୍ୟ, ପ୍ରମାଣ ଉପସ୍ଥାପନ କରିପାରୁ ନଥିବାରୁ ମାମଲାର ବିଚାରଣା ବିଳମ୍ବିତ ହୋଇ ଚାଲିଛି । ବିଚାରଣା କେବେ ଆରମ୍ଭ ହେବ ଓ ସରିବ – ତାହା ଅନିଶ୍ଚିତ ଥିବାରୁ ତଦନ୍ତ ଚାଲି ଥିବା ଆଳରେ ଅଭିଯୁକ୍ତମାନଙ୍କୁ ଅନିର୍ଦ୍ଧିଷ୍ଟକାଳ ପାଇଁ ଜେଲରେ ଅଟକ ରଖାଯିବା ବ୍ୟକ୍ତି ସ୍ୱାଧୀନତା ସଂପର୍କିତ ସାମ୍ବିଧାନିକ ଅଧିକାରର ଉଲଂଘନ ଦର୍ଶାଇ ସୁପ୍ରମି କୋର୍ଟ ଅଭିଯୁକ୍ତମାନଙ୍କ ଜାମିନ ମଂଜୁର କରିଛନ୍ତି । ‘ଆପ୍’ ନେତା ମନୀଷ ସିସୋଦିଆ, ସାଂସଦ ସଂଜୟ ସିଂହ ଓ ବିଦାୟୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ସୁପ୍ରିମ କୋର୍ଟ ଜାମିନରେ ବାହାରେ ଅଛନ୍ତି । କେଜରୀୱାଲ ତିହାର ଜେଲରୁ ମୁକୁଳିବାର ଦିନକ ପରେ ଗତ ରବିବାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଉଥିବା ଘୋଷଣା କରିଥିଲେ । ତାଙ୍କ ଘନିଷ୍ଟ ସହଯୋଗୀ ମନୀଷ ସିସୋଦିଆ ମଧ୍ୟ ଏକା ମାମଲାରେ ଛନ୍ଦି ହୋଇ ସୁପ୍ରିମ କୋର୍ଟରୁ ଜାମିନରେ ବାହାରି ଥିବାରୁ ଦୁହେଁ ମିଶି ଜନତା ଦରବାରକୁ ଯିବେ ଏବଂ ଦିଲ୍ଲୀ ଜନତା ସେମାନଙ୍କୁ ଭୋଟ ଦେଇ ବେଇମାନ ନୁହନ୍ତି ବୋଲି ସାର୍ଟିଫିକେଟ ଦେଲେ ହିଁ ପୁନଃ କ୍ଷମତାସୀନ ହେବେ ବୋଲି ‘ଆପ୍’ ମୁଖ୍ୟ କେଜରୀୱାଲ ରବିବାର ଘୋଷଣା କରିବା ପରେ ତାଙ୍କ ସ୍ଥାନରେ ସିସୋଦିଆ ମୁଖ୍ୟମନ୍ତ୍ରୀ ହେବା ଆଶା ମଉଳି ଯାଇଥିଲା । ସିସୋଦିଆ ଓ ସଂଜୟ ସିଂହ ଏବେ କେଜରୀୱାଲଙ୍କ ସହ ହରିୟାଣା ନିର୍ବାଚନରେ ବ୍ୟସ୍ତ ହୋଇଯାଇଛନ୍ତି । ଅକ୍ଟୋବର ୦୫ ତାରିଖରେ ହରିୟାଣା ବିଧାନସଭା ପାଇଁ ଭୋଟ ହେବ । ଆତିଶୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବା ସ୍ପଷ୍ଟ ହୋଇଯିବା ପରେ ସେ ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି ଓ ଦିଲ୍ଲୀ ବିଧାନସଭା ପାଇଁ ଆସନ୍ତା ବର୍ଷ ଫେବୃୟାରୀରେ ହେବାକୁ ଥବା ନିର୍ବାଚନରେ ଦିଲ୍ଲୀବାସୀ ପୁନର୍ବାର ଅରବିନ୍ଦ କେଜରୀୱାଲଙ୍କୁ ନିର୍ବାଚିତ କରି ମୁଖ୍ୟମନ୍ତ୍ରୀ ଆସନରେ ବସାଇବାକୁ ନିବେଦନ କରିଛନ୍ତି । ‘ଆପ୍’ ମୁଖ୍ୟ ଅରବିନ୍ଦ କେଜରୀୱାଲ ଓ ଦଳ (ଆପ୍) ତାଙ୍କୁ ଆସ୍ଥାକୁ ନେଇ ମୁଖ୍ୟମନ୍ତ୍ରୀ ପଦ ଭଳି ଗୁରୁଦାୟିତ୍ୱ ଦେଇଥିବାରୁ ଆତିଶୀ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି । ତେବେ, ‘ଦିଲ୍ଲୀର ଏକମାତ୍ର ମୁଖ୍ୟମନ୍ତ୍ରୀ ହେଉଛନ୍ତି ଅରବିନ୍ଦ କେଜରୀୱାଲ’ ବୋଲି ଗଣମାଧ୍ୟମରେ ଆତିଶୀ ସ୍ପଷ୍ଟ କରିଛନ୍ତି । ଆତିଶୀ ନୂଆ ଦାୟିତ୍ୱ ନେଇ ଖୁସି ଦିଶୁଥିବା ବେଳେ କେଜରୀୱାଲଙ୍କ ପ୍ରତି ଆନୁଗତ୍ୟ ପ୍ରକାଶ କରିବାକୁ କୁଣ୍ଠା ପ୍ରକାଶ କରିନଥିବାରୁ ସରକାର କେଜରୀୱାଲଙ୍କ ଦ୍ୱାରା ହିଁ ଚାଲିବ ଓ ଆତିଶୀ କେବଳ ରବର ଷ୍ଟାମ୍ପ ରହିବେ – ତାହା ସ୍ପଷ୍ଟ ହୋଇଯାଇଛି । ‘ଆପ୍’ର ଏହା ଏକ ନୂଆ ନାଟକ ବୋଲି ଦିଲ୍ଲୀରେ ବିଜେପି ଓ କଂଗ୍ରେସ ନେତାମାନେ କହିଛନ୍ତି । କେଜରୀୱାଲ ସୁପ୍ରିମ କୋର୍ଟରୁ ଜାମିନ ପାଇଛନ୍ତି ସତ, କିନ୍ତୁ କୋର୍ଟ ଯେଉଁ ସର୍ତ୍ତରେ ଜାମିନ ଦେଇଛନ୍ତି ତାହା ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ କେଜରୀୱାଲଙ୍କୁ ବାଧ୍ୟ କରିଛି । ତେଣୁ, ଦିଲ୍ଲୀବାସୀଙ୍କ ସହାନୁଭୂତି ପାଇବା ଆଶାରେ ସେ ନୂଆ ନାଟକ ଆରମ୍ଭ କରିଛନ୍ତି ବୋଲି ବିରୋଧୀ ଅଭିଯୋଗ କରୁଥିବା ବେଳେ ଦିଲ୍ଲୀରେ ଯଦି ତୁରନ୍ତ ନିର୍ବାଚନ ହୁଏ ତେବେ ‘ଆପ୍’ ପୁନର୍ବାର କ୍ଷମତାକୁ ଆସିବା ନିଶ୍ଚିତ ବୋଲି ‘ଆପ୍’ ନେତୃତ୍ୱ ଦାବି କରୁଛି । ଏଭଳି ସ୍ଥିତିରେ, ଆତିଶୀଙ୍କୁ ପାଂଚ ମାସ ସରକାର ଚଳାଇବାକୁ ପଡିବ । ମୁଖ୍ୟମନ୍ତ୍ରୀ ବଦଳିଲେ ମଧ୍ୟ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଥିବା ତୀକ୍ତତା ଯେ ଆଗକୁ ମଧ୍ୟ ରହିବ, ଏଥିରେ କିଛି ସନ୍ଦେହ ନାହିଁ । ତେଣୁ, ଆଗକୁ କଣ ହେଉଛି – ତାହା ଉପରେ ସମସ୍ତେଙ୍କ ନଜର ରହିବ ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS