ଜମ୍ମୁ-କଶ୍ମୀରରେ ମଧ୍ୟ ଏଲଜି ସର୍ବଶକ୍ତିମାନ !


ପ୍ରସାଦ ରାଓ
ସେପ୍ଟେମ୍ବର ୧୮/୨୦୨୪
କେନ୍ଦ୍ର ଶାସିତ ଜାମ୍ମୁ-କଶ୍ମୀରରେ ଆଜିଠାରୁ ବିଧାନସଭା ନିର୍ବାଚନ ଆରମ୍ଭ ହୋଇଛି । ତିନି ପର୍ଯ୍ୟାୟରେ ହେଉଥିବା ଏହି ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଆଜି ଅନୁଷ୍ଠିତ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସେପ୍ଟେମ୍ବର ୨୫ରେ ଓ ଶେଷ ପର୍ଯ୍ୟାୟ ମତଦାନ ଅକ୍ଟୋବର ୦୧ ତାରିଖରେ ହେବାକୁ ରହିଛି । ୨୦୧୯ ଅଗଷ୍ଟରେ କେନ୍ଦ୍ର ସରକାର ଭାରତୀୟ ସମ୍ବିଧାନରେ ଆବଶ୍ୟକ ସଂଶୋଧନ କରି ନୂତନ ‘ଜମ୍ମୁ ଓ କଶ୍ମୀର ପୁନର୍ଗଠନ ଆଇନ, ୨୦୧୯’କୁ କାର୍ଯ୍ୟକାରୀ କରିଥିଲେ । ସଂସଦରେ ବିଲ୍ ମାଧ୍ୟମରେ ଏହି ଆଇନ ଗୃହୀତ ହେବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇ ଆଇନରେ ପରିଣତ ହୋଇଥିଲା । ନୂଆ ଆଇନ ବଳରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରର ‘ପୂର୍ଣ୍ଣ ରାଜ୍ୟ ମାନ୍ୟତା’କୁ ପ୍ରତ୍ୟାହାର କରି ନେବା ସହ ରାଜ୍ୟକୁ ଦୁଇଟି କେନ୍ଦ୍ର ଶାସିତ ଅଂଚଳରେ ପରିଣତ କରିଛନ୍ତି । କେନ୍ଦ୍ର ଶାସିତ ଜମ୍ମୁ-କଶ୍ମୀର ପାଇଁ ବିଧାନସଭା ବ୍ୟବସ୍ଥା କାଏମ ରଖା ଯାଇଥିବା ବେଳେ ଅନ୍ୟତମ କେନ୍ଦ୍ର ଶାସିତ ଅଂଚଳ ଲଦାଖରେ ବିଧାନସଭା ବ୍ୟବସ୍ଥା ନାହିଁ । ଲଦାଖ ସିଧାସଳଖ ଭାବେ କେନ୍ଦ୍ର ସରକାରଙ୍କ ଶାସନାଧୀନ ରହିଛି । ଜମ୍ମୁ-କଶ୍ମୀର ପୂର୍ଣ୍ଣାଂଗ ରାଜ୍ୟ ଥିବା ବେଳେ ୨୦୧୪ରେ ରାଜ୍ୟରେ ଶେଷ ବିଧାନସଭା ନିର୍ବାଚନ ହୋଇଥିଲା । ଏବେ ଯେଉଁ ନିର୍ବାଚନ ହେଉଛି ତାହା ‘ଜମ୍ମୁ ଓ କଶ୍ମୀର ପୁନର୍ଗଠନ ଆଇନ, ୨୦୧୯’ ଅନୁଯାୟୀ ହେଉଛି । କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରର ପୂର୍ଣ୍ଣାଂଗ ରାଜ୍ୟ ମାନ୍ୟତାକୁ କେବଳ ଅପହରଣ କରିନାହାନ୍ତି, ଅନ୍ୟ ରାଜ୍ୟଠାରୁ ଜମ୍ମୁ-କଶ୍ମୀରକୁ ଭିନ୍ନ କରି ରଖିଥିବା ଓ ରାଜ୍ୟକୁ ସ୍ୱତନ୍ତ୍ର ମର୍ଯ୍ୟାଦା ଦେଇ ଆସୁଥିବା ସମ୍ବିଧାନର ୩୭୦ ଓ ୩୫-ଏ ଧାରାକୁ ମଧ୍ୟ ଉଚ୍ଛେଦ କରିଛନ୍ତି । ଫଳରେ, ଗଲା ପାଂଚ ବର୍ଷ ହେଲା ଜମ୍ମୁ-କଶ୍ମୀର କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ହେଉଛି । ରାଷ୍ଟ୍ରପତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ତାଙ୍କ ପ୍ରତିନିଧି (ଏଲଜି) ରାଜ୍ୟକୁ ପରିଚାଳିତ କରୁଛନ୍ତି । ଜମ୍ମୁ-କଶ୍ମୀର କେନ୍ଦ୍ର ଶାସିତ ଅଂଚଳ ହେବାର ପାଂଚ ବର୍ଷ ପରେ ରାଜ୍ୟରେ ବିଧାନସଭା ନିର୍ବାଚନ ହେଉଥିବାରୁ ସମଗ୍ର ଦେଶରେ ଉତ୍କଂଠା ରହିଛି । ନିର୍ବାଚନ ଫଳାଫଳ ଶାସକ ଦଳ ସପକ୍ଷରେ ଯିବା ନେଇ ବିଜେପି ଆଶାୟୀ ଥିବା ବେଳେ କଂଗ୍ରେସ-ଏନସି ମେଂଟ ବିଜେପିକୁ ଧୁଳି ଚଟାଇବା ଉଦ୍ୟମରେ ଅଛନ୍ତି । ରାଜ୍ୟ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ଏଲଜି (ଲ୍ୟୁଟିନାଂଟ ଗଭର୍ଣ୍ଣର) ବା ଉପ ରାଜ୍ୟପାଳ ମନୋଜ ସିହ୍ନ ନିକଟରେ ଗଣମାଧ୍ୟମରେ କହିଛନ୍ତି, ରାଜ୍ୟରେ ଯିଏ ବି କ୍ଷମତାକୁ ଆସନ୍ତୁ ରାଜ୍ୟରେ ଆତଙ୍କରାଜର ପରିସମାପ୍ତି ଓ ବିଭିନ୍ନ କ୍ଷେତ୍ରରେ ଦୃତ ବିକାଶ ଦିଗରେ କାର୍ଯ୍ୟ କଲେ ସେହି ସରକାର ପ୍ରତି ତାଙ୍କ ପୂର୍ଣ୍ଣ ସହଯୋଗ ଓ ସମର୍ଥନ ରହିବ । ଦିଲ୍ଲୀ, ପୁଡୁଚେରୀ ଭଳି ଜମ୍ମୁ-କଶ୍ମୀର ବିଧାନସଭା-ଯୁକ୍ତ ହୋଇଥିଲେ ମଧ୍ୟ ପୂର୍ଣ୍ଣାଂଗ ବିଧାନସଭା ମାନ୍ୟତା ହରାଇ ଥିବାରୁ ଅନ୍ୟ କେନ୍ଦ୍ର ଶାସିତ ଅଂଚଳ ଭଳି ଜମ୍ମୁ-କଶ୍ମୀର ମଧ୍ୟ କେନ୍ଦ୍ର ଦ୍ୱାରା ନିଯୁକ୍ତ ଏଲଜିଙ୍କ ତତ୍ତ୍ୱାବଧାନରେ ପରିଚାଳିତ ହେବ । କେନ୍ଦ୍ର ସରକାର ବିଭିନ୍ନ କେନ୍ଦ୍ର ଶାସିତ ଅଂଚଳ ପାଇଁ ନିଯୁକ୍ତି ଦେଇଥିବା ଏଲଜିମାନଙ୍କୁ ଏଭଳି ଶକ୍ତିଶାଳୀ ବା କ୍ଷମତାର ଅଧିକାରୀ କରିଛନ୍ତି ଯେ ରାଜ୍ୟରେ ଯେଉଁ ଦଳର ସରକାର ଆସୁନା କାହିଁକି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ଏଲଜିଙ୍କ ନିର୍ଣ୍ଣୟ ଚୂଡାନ୍ତ ରହିବା ନିଶ୍ଚିତ । କେନ୍ଦ୍ର ଶାସିତ ଅଂଚଳ ଦିଲ୍ଲୀର ବିଧାନସଭାରେ ନିର୍ବାଚିତ ସରକାର ରହିଛି । ଆମ୍ ଆଦମୀ ପାର୍ଟି (ଆପ୍) ୨୦୧୫ରୁ ପୂର୍ଣ୍ଣ ବହୁମତ ଥାଇ ସରକାର ଚଳାଇଛି । ତେବେ, କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ଏଲଜିମାନେ ନିର୍ବାଚିତ ସରକାରଙ୍କୁ ନାକେଦମ୍ କରୁଛନ୍ତି । କେନ୍ଦ୍ର ଶାସିତ ପୁଡୁଚେରୀ ସମ୍ବିଧାନର ୨୩୯-ଏ ଧାରାରେ ପରିଚାଳିତ ହେଉଥିବା ବେଳେ ୨୦୧୯ର ରାଜ୍ୟ ପୁନର୍ଗଠନ ଆଇନ ଅନୁଯାୟୀ ଜମ୍ମୁ-କଶ୍ମୀର ମଧ୍ୟ ସେହି ଧାରାରେ ପରିଚାଳିତ ହେଉଛି । ଦିଲ୍ଲୀ ଦେଶର ରାଜଧାନୀ ହୋଇଥିବାରୁ ତାହାର ସାମ୍ବିଧାନିକ ମାନ୍ୟତା ଭିନ୍ନ ରହିଛି । ସମ୍ବିଧାନର ୨୩୯ଏଏ ଧାରାରେ ଦିଲ୍ଲୀ ସରକାର ପରିଚାଳିତ ହେଉଛନ୍ତି । ଏହାକୁ ନେଇ ଦିଲ୍ଲୀ ସରକାର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଦୀର୍ଘ ବର୍ଷ ହେଲା ଆଇନଗତ ରଂଜଘସ ଚାଲିଛି । ରାଜ୍ୟ ସରକାର ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ବିରୋଧରେ ସୁପ୍ରିମ କୋର୍ଟ ଯାଉଥିବାରୁ କେନ୍ଦ୍ର ଓ ରାଜ୍ୟର ନିର୍ବାଚିତ ସରକାରଙ୍କ ମଧ୍ୟରେ ସଂପର୍କ ତୀକ୍ତରୁ ତୀକ୍ତତର ହୋଇସାରିଛି । ୨୦୧୮ ଓ ୨୦୨୩ରେ ସୁପ୍ରିମ କୋର୍ଟଙ୍କ ଦୁଇଟି ରାୟ ଦିଲ୍ଲୀର ନିର୍ବାଚିତ ସରକାରଙ୍କ ସପକ୍ଷରେ ଯାଇଥିଲେ ମଧ୍ୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏଲଜିଙ୍କ କ୍ଷମତାକୁ ନେଇ ଲାଗି ରହିଥିବା ବିବାଦର ଅବସାନ ଘଟିବା ନାଁ ଧରୁନାହିଁ । ଦିଲ୍ଲୀରେ ଜମି, ଆଇନ ଶୃଂଖଳା ଓ ପୁଲିସ ବ୍ୟବସ୍ଥା ଏଲଜିଙ୍କ ନିୟନ୍ତ୍ରଣରେ ରହିବ । ବାକି ସବୁ ସାଧାରଣ ସେବା ଓ ସରକାରୀ କର୍ମଚାରୀଙ୍କ ଉପରେ ନିୟନ୍ତ୍ରଣ ରାଜ୍ୟର ନିର୍ବାଚିତ ସରକାରଙ୍କ ଅଧିକାରଭୁକ୍ତ ରହିବ ବୋଲି ସୁପ୍ରିମ କୋର୍ଟ ୨୦୨୩ରେ ଦେଇଥିବା ରାୟରେ ସ୍ପଷ୍ଟ କରିଥିଲେ । ତେବେ, ସାଧାରଣ ସେବା ଓ ସରକାରୀ ଅଧିକାରୀଙ୍କ ଉପରେ ନିୟନ୍ତ୍ରଣକୁ ନେଇ କେନ୍ଦ୍ର ଓ ରାଜ୍ୟର ନିର୍ବାଚିତ ସରକାରଙ୍କ ମଧ୍ୟରେ ବିବାଦ ତୁଟି ନଥିଲା । ସୁପ୍ରିମ କୋର୍ଟଙ୍କ ରାୟ ଦିଲ୍ଲୀ ଏଲଜିଙ୍କ କ୍ଷମତାକୁ ଦିଲ୍ଲୀର ଜମିଜମା, ଆଇନଶୃଂଖଳା ଓ ପୁଲିସିଂ ମଧ୍ୟରେ ସୀମିତ କରିବାରୁ ୨୦୨୩ରେ କେନ୍ଦ୍ର ସରକାର ସଂସଦରେ ଏକ ବିଲ୍ ପାରିତ କରାଇ ଓ ରାଷ୍ଟ୍ରପତିଙ୍କ ଅନୁମୋଦନ ଥାଇ ସୁପ୍ରିମ କୋର୍ଟଙ୍କ ରାୟକୁ ଅକାମୀ କରି ଦେଲେ । ଦିଲ୍ଲୀରେ ଏଲଜି ପୁନଃ କ୍ଷମତାଶାଳୀ ହୋଇଗଲେ । ଦିଲ୍ଲୀ ରାଜ୍ୟର ରାଜଧାନୀ ହୋଇ ଏଲଜିଙ୍କୁ କେନ୍ଦ୍ର କରି ସେଠାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏଭଳି ରଂଜଘସ ଚାଲିଛି । ଜମ୍ମୁ-କଶ୍ମୀର ପୂଣ୍ଣାଂଗ ରାଜ୍ୟରୁ ଏକ ଖଣ୍ଡିତ କେନ୍ଦ୍ର ଶାସିତ ଅଂଚଳ ହେବା ପରେ ପ୍ରଥମ କରି ବିଧାନସଭା ନିର୍ବାଚନ ହେଉଛି । ରାଜ୍ୟରେ ଏକ ନିର୍ବାଚିତ ସରକାର ପ୍ରତିଷ୍ଠା ହେବ ସିନା ୨୦୧୯ ଜମ୍ମୁ-କଶ୍ମୀର ରାଜ୍ୟ ପୁନର୍ଗଠନ ଆଇନର ୫୩ ଧାରାରେ କେନ୍ଦ୍ର ସରକାର ବିଭିନ୍ନ ଆର୍ଥିକ ନିଷ୍ପତ୍ତି ସମେତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ଏଲଜିଙ୍କ ମତାମତ ଚୂଡାନ୍ତ ବୋଲି ସ୍ପଷ୍ଟ କରି ଥିବାରୁ ଜମ୍ମୁ-କଶ୍ମୀରରେ ଅଣ-ବିଜେପି ସରକାର ପ୍ରତିଷ୍ଠା ହେଲେ ନିର୍ବାଚିତ ସରକାର କେତେଦୂର ସ୍ୱାଧୀନ ଭାବେ କାର୍ଯ୍ୟ କରିବାର ସୁଯୋଗ ପାଇବେ – ତାହା ଆଜି ଦିନରେ ବଡ ପ୍ରଶ୍ନ ହୋଇଛି ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS