ମୋହନଙ୍କ ସରକାରରେ ମହିଳା କେତେ ସୁରକ୍ଷିତ ?


ପ୍ରସାଦ ରାଓ
ସେପ୍ଟେମ୍ବର ୨୦/୨୦୨୪
ରବିବାର ବିଳମ୍ବିତ ରାତ୍ରୀରେ ରାଜଧାନୀରେ ଯାହା ଘଟିଲା ତାହା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ପାଇଁ ଅଶ୍ୱସ୍ତିକର ପରିସ୍ଥିତି ସୃଷ୍ଟି କରିଛି । ସେନା ବାହିନୀର ଜଣେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ କିଛି ଅସାମାଜିକ ଯୁବକ ଗୋଡାଇ ଗୋଡାଇ ଦୁର୍ବ୍ୟବହାର କଲେ । ସଂପୃକ୍ତ ଅସାମାଜିକ ଯୁବକଙ୍କ ବିରୋଧରେ ଅଭିଯୋଗ କରିବାକୁ ଭରତପୁର ଥାନାକୁ ଯାଇଥିବା ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ପୁଲିସ ତୁରନ୍ତ ସୁରକ୍ଷା ଦେବା ବଦଳରେ ଓଲଟା ସେମାନଙ୍କୁ ମାଡ ମାରି ରାତି ସାରା ଥାନା ହାଜତରେ ଅଟକ ରଖିଲେ । ଯେଉଁ ଯୁବକମାନେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ରାସ୍ତାରେ ଗୋଡାଇ ଗୋଡାଇ ଦୁର୍ବ୍ୟବହାର କରିଥିଲେ ସେମାନଙ୍କ ବିରୋଧରେ ପୁଲିସ ଆଡୁ କୌଣସି ତ୍ୱରିତ କାର୍ଯ୍ୟାନୁଷ୍ଠାନ ହେଲା ନାହିଁ । ଓଲଟା ପୁଲିସ ମାଡରେ ଲହୁଲୁହାଣ ହୋଇଥିବା ମହିଳା ଜଣକ କୋର୍ଟ ଚାଲାଣ ହୋଇ ଓଡ଼ିଶା ହାଇକୋର୍ଟରୁ ଜାମିନ ପାଇଛନ୍ତି । ପୁଲିସ କର୍ମଚାରୀଙ୍କ ବର୍ବର ବ୍ୟବହାର ଓ ଅଶ୍ଲୀଳ ଆଚରଣକୁ ନେଇ ପୀଡ଼ିତା ଗଣମାଧ୍ୟମରେ ମୁହଁ ଖୋଲିବା ପରେ ଓ ସେନା ପକ୍ଷରୁ ଦୃଢ ପ୍ରତିବାଦ ହେବା ପରେ ଓଡ଼ିଶା ପୁଲିସ ମୁଖ୍ୟ ସଂପୃକ୍ତ ପୁଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିବା ସହ ରବିବାର ରାତି ଘଟଣାର କ୍ରାଇମ ବ୍ରାଂଚ ତଦନ୍ତ କରାଉଛନ୍ତି । ଘଟଣା ଘଟିବାର ପାଂଚ ଦିନ ପରେ ଭରତପୁର ଥାନା ଅଧିକାରୀଙ୍କ ସମତେ ପାଂଚ ଜଣ କର୍ମଚାରୀଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ସହ ଅନ୍ୟାନ୍ୟ ଅଭିଯୋଗରେ ଆପରାଧୀକ ମାମଲା ରୁଜୁ ହୋଇଛି । ପୁଲିସ ଯାହ କଲେ କଲେ, ନିମ୍ନ ଅଦାଲତରେ ମଧ୍ୟ ପୁଲିସ ହାଜତରେ ମାଡ ଖାଇ ଲହୁଲୁହାଣ ହୋଇଥିବା ମହିଳାଙ୍କ ଜାମିନ ଆବେଦନର ବିଚାର ସମୟରେ ବିଚାର ବୁଦ୍ଧି ପ୍ରୟୋଗ କରାନଯାଇ ଜାମିନ ନାମଂଜୁର କରାଯିବା ସହ ଯେଭଳି ଜେଲ ହାଜତକୁ ପଠାଇ ଦିଆଗଲା ତାହାକୁ ଓଡ଼ିଶା ହାଇକୋର୍ଟ କଡା ସମାଲୋଚନା କରିଛନ୍ତି । ମହିଳାଙ୍କ ଜାମିନ ଆବେଦନର ଶୁଣାଣୀ କରିଥିବା ମାଜିଷ୍ଟ୍ରଟଙ୍କ ସଂପର୍କରେ ଓଡ଼ିଶା ହାଇକୋର୍ଟ କଡା ଟିପ୍ପଣୀ ଦେବା ସହ ନିମ୍ନ ଅଦାଲତର ମାଜିଷ୍ଟ୍ରେଟମାନେ ଏପ୍ରକାର ସ୍ପର୍ଶକାତର ମାମଲାରେ ଜାମିନ ଆବେଦନ ଉପରେ ଶୁଣାଣୀ କରିବା ସମୟରେ ଯନ୍ତ୍ରବତ୍ ନାମିନ ନାମଂଜୁର ନକରି ସେମାନଙ୍କ ବିଚାର ବୁଦ୍ଧି ପ୍ରୟୋଗ କରନ୍ତୁ ହାଇକୋର୍ଟ କହିବା ସହ ଏସଂପର୍କରେ ସେମାନଙ୍କୁ ସଚେତନ କରିବାକୁ ଖୋର୍ଦ୍ଧା ଜିଲ୍ଲା ଓ ଦୌରା ଜଜ୍ ଙ୍କୁ ନିର୍ଦେଶ ଦେଇଥିବା ଘଟଣାଟି କେତେଦୂର ସଂବେଦନଶୀଳ ଥିଲା – ତାହା ସ୍ପଷ୍ଟ କରୁଛି । ପାଂଚ ଦିନ ହେଲା ଏହି ଘଟଣାକୁ ନେଇ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ଚାଲିଛି । ପୁଲିସ ରକ୍ଷକ ହୋଇ ଭକ୍ଷକ ଭଳି କାର୍ଯ୍ୟ କରିଥିବା ନେଇ ସମାଲୋଚନା ହେଉଛି । ମାଡ ଖାଇ ଲହୁଲୁହାଣ ହୋଇଥିବା ମହିଳା ଭୁବନେଶ୍ୱର ‘ଏମ୍ସ’ରେ ଚିକିତ୍ସତ ହେଉଛନ୍ତି । ପୁଲିସ ମାଡରେ ସେ ଗୁରୁତର ଭାବେ କ୍ଷତବିକ୍ଷତ ହୋଇଥିବା ମେଡିକାଲ ରିପୋର୍ଟ ସ୍ପଷ୍ଟ କରୁଥିବା ବେଳେ ତାହାର ଭିଡ଼ିଓ ମଧ୍ୟ ଗଣମାଧ୍ୟମରେ ପ୍ରସାରିତ ହେଉଛି । ସେନା ମେଜରଙ୍କୁ ଭରତପୁର ଥାନା ପୁଲିସ ରବିବାର ରାତିରେ ହାଜତରେ ଅଟକି ରଖି ନିସ୍ତୁକ ମାଡ ମାରିଥିବା ଘଟଣାରେ ସେନା ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଅବସରପ୍ରାପ୍ତ ସେନା ଅଧିକାରୀମାନେ ରାଜଧାନୀରେ ଥିବା ୧୨୦ ବାଟାଲିଅନରୁ ଶୋଭାଯାତ୍ରାରେ ଯାଇ ପୁଲିସ କମିଶନରଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହା ପରେ ରାଜ୍ୟ ପୁଲିସ ମୁଖ୍ୟ ନିଜ ବିଭାଗର କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି ଏବଂ ବହୁ ବିଳମ୍ବରେ ମେଜର ଓ ତାଙ୍କ ବାନ୍ଧବୀଙ୍କ ରବିବାର ରାତିରେ ଦୁର୍ବ୍ୟବହାର କରିଥିବା ଅସାମାଜିକ ଯୁବକମାନଙ୍କୁ ଖୋଜି ଗିରଫ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି । ଅତୀତରେ ଦେଖିବାକୁ ମିଳିଛି, କୌଣସି ସେନା ଯବାନଙ୍କୁ ଯଦି ବାହାରେ କେହି ବା ପୁଲିସ କର୍ମଚାରୀ ଦୁର୍ବ୍ୟବହାର କରିଛନ୍ତି ଯବାନମାନେ ସଂଘବଦ୍ଧ ଭାବେ ସଂପୃକ୍ତ ଥାନାରେ ପଶି ଭଂଗାରୁଜା କରିଛନ୍ତି ଓ ପୁଲିସ କର୍ମଚାରୀଙ୍କୁ ପାଲଟା ଆକ୍ରମଣ କରିଛନ୍ତି । ତେବେ, ରବିବାର ଘଟଣା ପରେ ସେଭଳି କିଛି ଘଟିନଥିବା ଏବଂ ସେନା ଅଧିକାରୀମାନେ ସଂଯମତା ରକ୍ଷା କରି ଆଇନଗତ କାର୍ଯ୍ୟାନୁଷ୍ଠାନ ପ୍ରତି ଗୁରୁତ୍ୱ ଦେଉଥିବା ଏକ ବ୍ୟତିକ୍ରମ କୁହାଯାଇପାରେ । ସେନା ପକ୍ଷରୁ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ମାଡ ମାରି ଲହୁଲୁହାଣ କରିଥିବା ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ କେବଳ ନିଲମ୍ବିତ କରାନଯାଇ ଗିରଫ କରାଯିବାକୁ ରାଜ୍ୟ ପୁଲିସ ମୁଖ୍ୟଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଛି । ଓଡ଼ିଶା କ୍ରାଇମ ବ୍ରାଂଚ ପୁଲିସ ରବିବାର ଘଟଣାର ତଦନ୍ତ କରୁଥିବାରୁ ତଦନ୍ତ ରିପୋର୍ଟ ମିଳିବା ପରେ ଯିଏ ଦୋଷୀ ମିଳିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଆଜି ରାଜ୍ୟ ରାଜସ୍ୱ ମନ୍ତ୍ରୀ ସୁରେଶ ପୁଜାରୀ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟର ଗୃହ ମନ୍ତ୍ରଣାଳୟ ନିଜ ହାତରେ ରଖିଥିଲେ ମଧ୍ୟ ଆଜି ସୁଦ୍ଧା ରବିବାର ଘଟଣାକୁ ନେଇ ପଦୁଟିଏ ପ୍ରତିକ୍ରିୟା ବ୍ୟକ୍ତ କରିନଥିବା ସରକାରଙ୍କ ସଂବେଦନହୀନତାର ମିଶାଲ ହୋଇଛି । ଗତ ଜୁନ ୧୨ ତାରିଖରେ ମାଝୀ ରାଜ୍ୟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ସେ ବିରୋଧୀ ଦଳ ବିଧାୟକ ଥିବା ସମୟରେ ତାଙ୍କ ନିର୍ବାଚନ ମଣ୍ଡଳୀର ଜଣେ ଥାନା ପୁଲିସ ଅଧିକାରୀଙ୍କ ଦୁର୍ବ୍ୟବହାରର ସମ୍ମୁଖୀନ ହୋଇଥିବା ଉଦାହରଣ ଦେଇ ତାଙ୍କ ଶାସନରେ ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କୁ ପୁଲିସ ଉତ୍ତମ ବ୍ୟବହାର କରିବା ଆବଶ୍ୟକ ବୋଲି ରାଜ୍ୟ ପୁଲିସ ମୁଖ୍ୟଙ୍କୁ ନିର୍ଦେଶ ଦେଇଥିଲେ । ଏନେଇ ସେ ଭୁବନେଶ୍ୱରସ୍ଥିତ ରାଜ୍ୟ ଅତିଥି ଭବନରେ ରାଜ୍ୟର ବରିଷ୍ଠ ପୁଲିସ ଅଧିକାରୀମାନଙ୍କ ଏକ ବୈଠକ କରିଥିଲେ । ରାଜ୍ୟର ବରିଷ୍ଠ ଆଇପିଏସ୍ ଅରୁଣ ଷଡଙ୍ଗୀ ସେହି ସମୟରେ ଓଡ଼ିଶା ପୁଲିସର କାର୍ଯ୍ୟକାରୀ ମହାନିର୍ଦେଶକ (ଡିଜିପି) ଥିଲେ । ପରବର୍ତ୍ତୀ ସମୟରେ ମୋହନ ମାଝୀ ସରକାର ଅରୁଣ ଷଡଙ୍ଗୀଙ୍କୁ ସ୍ଥାୟୀ ପୁଲିସ ମହାନର୍ଦେଶକ ପଦରେ ନିଯୁକ୍ତି ନଦେଇ କେନ୍ଦ୍ରୀୟ ଡେପୁଟେସନରେ ଥିବା ୱାଇ.ବି. ଖୁରାନିଆଙ୍କୁ ଓଡ଼ିଶା ଫେରାଇ ଆଣି ଡିଜି ଭାବେ ନିଯୁକ୍ତି ଦେଇଛନ୍ତି । ଖୁରାନିଆ ଜଣେ ଦକ୍ଷ ପୁଲିସ ଅଧିକାରୀ, ଏଥିରେ କୌଣସି ସନ୍ଦେହ ନାହିଁ । ତେବେ, ଖୁରାନିଆ ଓଡ଼ିଶା ପୁଲିସ ବାହିନୀର ନେତୃତ୍ୱ ନେଉଥିବା ବେଳେ ରବିବାର ରାତିରେ ରାଜଧାନୀ ଭୁବନେଶ୍ୱରସ୍ଥିତ ଭରତପୁର ଥାନାରେ ଏଭଳି ଏକ ଲଜ୍ୟାଜନକ ଘଟଣା ଘଟିବା ଓ ଘଟଣାରେ ସଂପୃକ୍ତ ପୁଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବାକୁ ପାଂଚ ଦିନ ସମୟ ଲାଗିବା ଚିନ୍ତାର ବିଷୟ ନୁହେଁ କି ? କିଛି ଅସାମାଜିକ ଯୁବକଙ୍କ ଦ୍ୱାରା ପୀଡିତ ହୋଇ ସେମାନଙ୍କ ବିରୋଧରେ ଅଭିଯୋଗ କରିବାକୁ ଭାରତପୁର ଥାନାକୁ ଯାଇଥିବା ଜଣେ ସେନା ବାହିନୀ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଥାନା ଅଧିକାରୀ ଓ ଅନ୍ୟ ପୁଲିସ କର୍ମଚାରୀ ନିସ୍ତୁକ ମାଡ ମାରିବା ଘଟଣାରେ ସେନା ଓ ପୂର୍ବତନ ସେନା ଅଧିକାରୀମାନେ ତାତିବାରୁ ଓ କମିଶନରେଟ ପୁଲିସ ମୁଖ୍ୟାଳୟ ଘେରିବାରୁ ପୁଲିସ ମୁଖ୍ୟଙ୍କ ଆଡୁ କାର୍ଯ୍ୟାନୁଷ୍ଠାନ ହେଲା । ଯଦି ଅଭିଯୋଗ ନେଇ ଥାନାକୁ ଯାଇଥିବା ବ୍ୟକ୍ତି ଜଣେ ସିଭିଲିଆନ ହୋଇଥା’ନ୍ତେ ପୁଲିସ ବିଳମ୍ବରେ ହେଲେ ସୁଦ୍ଧା ଏଭଳି ତତ୍ପରତା ଦେଖାଇ ଥା’ନ୍ତା କି ? ଏହା ଆଜି ଦିନର ବଡ ପ୍ରଶ୍ନ ହୋଇଛି । ଘଟଣା ସଂପର୍କରେ ମୁଖ୍ୟମନ୍ତ୍ରୀ ମାଝୀ ଆଜି ସୁଦ୍ଧା ମୁହଁ ଖୋଲିନଥିବା ବେଳେ ରାଜ୍ୟ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଜେଡ଼ି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ରବିବାର ଘଟଣାର ନିନ୍ଦା କରିବା ସହ ତାହାର ବିଚାର ବିଭାଗୀୟ ତଦନ୍ତ ପାଇଁ ସରକାରଙ୍କ ନିକଟରେ ଦାବି କରିଛନ୍ତି । ରାଜ୍ୟର ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ପୂର୍ବତନ କଂଗ୍ରେସ ନେତା ବିଜୟ ପଟ୍ଟନାୟକ ମଧ୍ୟ ରବିବାର ଘଟଣାକୁ ‘ଲଜ୍ୟାଜନକ’ କହି ସମାଲୋଚନା କରିଛନ୍ତି । ରାଜ୍ୟ ମହିଳା କଂଗ୍ରେସ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ରାଜ୍ୟ ସରକାରଙ୍କୁ ସମାଲୋଚନା କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସରକାର ‘ସୁଭଦ୍ରା’ ଯୋଜନା ମାଧ୍ୟମରେ ମହିଳା ସଶକ୍ତୀକରଣ କଥା କହୁଥିବା ବେଳେ ରାଜ୍ୟରେ ମହିଳାମାନେ କେତେ ସୁରକ୍ଷିତ (?) ବୋଲି ରବିବାର ଘଟଣାକୁ ନେଇ ପ୍ରଶ୍ନ କରାଯାଇଛି । ବିରୋଧୀ ଦଳ ନେତାଙ୍କ ଦାବି ଓ କଂଗ୍ରେସ ନେତାଙ୍କ ଆକ୍ଷେପକୁ ନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ରାଜ୍ୟର ରାଜସ୍ୱ ମନ୍ତ୍ରୀ ସୁରେଶ ପୁଜାରୀ ଯାହା କହିଛନ୍ତି, ତାହା ଘଟଣାକୁ ନେଇ ସରକାର ଲଜ୍ଜିତ ନଥିବା ସ୍ପଷ୍ଟ କରୁଛି । ଓଡ଼ିଶା କ୍ରାଇମ ବ୍ରାଂଚ ରବିବାର ଘଟଣାର ତଦନ୍ତ କରୁୁଥିବାରୁ ବାସ୍ତବରେ କାହାର କେତେ ଦୋଷ ରହିଛି ଜଣାପଡିବା ପରେ ହିଁ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୁଜାରୀ କହିଛନ୍ତି । ଗୃହ ମନ୍ତ୍ରଣାଳୟକୁ ନିଜ ହାତରେ ରଖିଥିବା ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ଶୂନ୍ୟ । ଏଠାରେ ସୂଚନାଯୋଗ୍ୟ, ଭରତପୁର ଥାନାରେ ପୁଲିସ ହାତରେ ନିସ୍ତୁକ ମାଡ ଖାଇଥିବା ମହିଳା ଜଣକ ହେଉଛନ୍ତି ଜଣେ ଓକିଲ, ରେଷ୍ଟୁରାଂଟ ମାଲିକ ଓ ଜଣେ ଅବସରପ୍ରାପ୍ତ ସେନା ଅଧିକାରୀଙ୍କ କନ୍ୟା । ରବିବାର ବିଳମ୍ବ ରାତ୍ରୀରେ ସେ ରେଷ୍ଟୁରାଂଟ ବନ୍ଦ କରି ପୁରୁଷ ବଂଧୁ (ସେନା ମେଜର)ଙ୍କ ସହ କାର୍ ରେ ଘରକୁ ଫେରୁଥିବା ବେଳେ ପଥରଗାଡିଆ ନିକଟରେ ୧୦ରୁ ୧୨ ଜଣ ଅସମାଜିକ ଯୁବକ ସେମାନଙ୍କ ପିଛା କରି ଅଶ୍ଲୀଳ ବ୍ୟବହାର ପ୍ରଦର୍ଶନ କରିଥିଲେ । ସେ ଓ ତାଙ୍କ ବନ୍ଧୁ କାର୍ ଅଟକାଇ ତାହାର ପ୍ରତିବାଦ କରିବାରୁ ଅସମାଜିକ ଯୁବକମାନେ ସେମାନଙ୍କୁ ଆକ୍ରମଣ କରିଥିଲେ । କୌଣସି ପ୍ରକାର ସେମାନେ ଅସାମାଜିକ ଯୁବକଙ୍କ କବଳରୁ ଖସି ଭାରତପୁର ଥାନାରେ ପହଂଚି ଥିଲେ । ଥାନା ଅଧିକାରୀ ଅନୁପସ୍ଥିତିରେ ଜଣେ ମହିଳା ଏସଆଇ ଥାନା ଦାୟିତ୍ୱରେ ଥିଲେ । ଥାନାରେ ଦୁଇ ଜଣ ମହିଳା ପୁଲିସ କର୍ମଚାରୀ ଓ ଜଣେ ପୁରୁଷ କର୍ମଚାରୀ ମଧ୍ୟ ଡ୍ୟୁଟିର ଥିଲେ । ମହିଳା ଏସଆଇ ଜଣକ ସେମାନଙ୍କୁ ଲିଖିତ ଅଭିଯୋଗ କରିବାକୁ କହିଥିଲେ । ତୁରନ୍ତ କାର୍ଯ୍ୟାନୁଷ୍ଠାନ ନହେଲେ ଅସାମଜିକ ଯୁବକମାନେ ଖସି ପଳାଇବେ, ତେଣୁ ମୌଖିକ ଅଭିଯୋଗ ଆଧାରରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସେନା ମେଜର ଓ ତାଙ୍କ ବାନ୍ଧବୀ ଚାପ ସୃଷ୍ଟି କରିବାରୁ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା । ମହିଳା ଜଣକ ଲିଖିତ ଭାବେ ଅଭିଯୋଗ ଦେବା ସମୟରେ ପୁଲିସ କର୍ମଚାରୀମାନେ ତାଙ୍କୁ ଓ ତାଙ୍କ ବନ୍ଧୁ (ସେନା ମେଜର)ଙ୍କୁ ନିସ୍ତୁକ ମାଡ ମାରିବା ସହ ହାଜତରେ ରାତି ସାରା ଅଟକ ରଖିଥିଲେ । ତାଙ୍କୁ ଗୋଡ, ହାତ ବାନ୍ଧି ଉଲଗ୍ନ ଅବସ୍ଥାରେ ଥାନା ହଜାତରେ ରଖା ଯାଇଥିଲା ଏବଂ ପୁଲିସ କର୍ମଚାରୀମାନେ ତାଙ୍କୁ ପ୍ରତି ଅଶ୍ଲୀଳ ଭାଷା ମଧ୍ୟ ପ୍ରୟୋଗ କରିଥିଲେ । ପରଦିନ (ସୋମବାର) ସକାଳ ୬ଟା ସମୟରେ ଥାନା ଆଇଆଇସି ଦୀନକୃଷ୍ଣ ମିଶ୍ର ଭରତପୁର ଥାନାରେ ପହଂଚି ପୁନର୍ବାର ମହିଳା ଜଣକୁ ନିସ୍ତୁକ ମାଡ ମାରିଥିଲେ ଏବଂ ତାଙ୍କ ପ୍ରତି ଅଶ୍ଳୀଳ ବ୍ୟବହାର କରିଥିଲେ । ପୀଡିତା ଓଡିଶା ହାଇକୋର୍ଟରେ ଏହି ଅଭିଯୋଗ କରିଛନ୍ତି । ସୋମବାର ଭରତପୁର ଥାନା ପୁଲିସ ପୀଡିତଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ତାଙ୍କ ପୁରୁଷ ବନ୍ଧୁ (ସେନା ମେଜର)ଙ୍କୁ ନୋଟିସ ଦେଇ ଛାଡିଛି । ଜଣେ ସେନା ଅଧିକାରୀଙ୍କୁ ହାଜତରେ ଅଟକ ରଖିବା ସକାଶେ ପୁଲିସ ନିକଟରେ ୱରେଂଟ ଥିବା ଅବଶ୍ୟକ ବୋଲି ସେନା ମେଜର ଜଣକ ରବିବାର ରାତିରେ ପୁଲିସକୁ କହିଥିଲେ ମଧ୍ୟ କେହି କର୍ଣ୍ଣପାତ କରିନଥିଲେ । ଓଲଟା, ସେମାନଙ୍କୁ ନିସ୍ତୁକ ମାଡ ଦେବା ସହ ରାତିସାରା ଥାନା ହାଜତରେ ଅଟକ ରଖିଥିଲେ । ସେନା ମେଜର ଓ ପୀଡିତାଙ୍କ ଅଭିଯୋଗ ଯେ ଅତି ଗୁରୁତର, ଏଥିରେ କିଛି ସନ୍ଦେହ ନାହିଁ । ସବୁଠାରୁ ରୋଚକ ବିଷୟ ହେଉଛି, ଯେଉଁ ଭାରତପୁର ଥାନାରେ ରବିବାର ରାତିରେ ଏହି ଲଜ୍ୟାଜନକ ଘଟଣା ଘଟିଛି ସେହି ଥାନା ପୂର୍ବ ସରକାରରେ ନିର୍ମିତ ହୋଇଥିଲା ଏବଂ ସମସ୍ତ ଅତ୍ୟାନୁଧିକ ବ୍ୟବସ୍ଥା ସେଠାରେ ରହିଛି । ତେବେ, ସିସିଟିଭି ଲାଗି ନଥିବାର ଓଡ଼ିଶା କ୍ରାଇମ ବ୍ରାଂଚ୍ ତଦନ୍ତ କରିବାରେ ଅସବିଧାର ସମ୍ମୁଖୀନ ହେଉଛି । ବିଳମ୍ବରରେ ହେଲେ ମଧ୍ୟ ରାଜ୍ୟ ପୁଲିସ ମୁଖ୍ୟ ‘ରୋଡ୍ ରେଜ୍’ ଘଟଣାରେ ଏକ ମାମଲା ରୁଜୁ କରି ସେନା ମେଜର ଓ ତାଙ୍କ ବାନ୍ଧବୀଙ୍କୁ ରବିବାର ବିଳମ୍ବ ରାତ୍ରୀରେ ରାସ୍ତାରେ ଦୁର୍ବ୍ୟବହାର କରିଥିବା ଅସାମାଜିକ ଯୁବକଙ୍କୁ ଚିହ୍ନଟ କରି ବାନ୍ଧିବାକୁ ନିର୍ଦେଶ ଦେଇଛନ୍ତି । ଓଡ଼ିଶା କ୍ରାଇମ ବ୍ରାଂଚ କେବଳ ପ୍ରଥମ ଅଭିଯୋଗର ତଦନ୍ତ କରୁଥିଲା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ଗତକାଲି ଶହେ ଦିନ ସଂପୂର୍ଣ୍ଣ କରିଛନ୍ତି । ଶହେ ଦିନ ପୂରଣ ଅବସରରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ସରକାରର ମନ୍ତ୍ରୀମାନେ ଉତ୍ସାହର ସହ କି କି ପ୍ରତିଶ୍ରୁତି ପାଳନ କରିଛନ୍ତି ତାହାର ପ୍ରଚାରରେ ମାତି ଥିବା ବେଳେ ରବିବାର ରାତିରେ ଖୋଦ୍ ରାଜଧାନୀ ସହରତଳିରେ ଏଭଳି ଏକ ଅଭାବନୀୟ ଘଟଣା ଘଟି ଜାତୀୟସ୍ତରରେ ଚର୍ଚ୍ଚାର ବିଷୟ ହୋଇଛି । ମୋହନ ସରକାରରେ ଜଣେ ମହିଳା ଉପ ମୁଖ୍ୟମନ୍ତ୍ରୀ ଅଛନ୍ତି, ଯିଏକି ମହିଳା ଓ ଶିଶୁଙ୍କ ବିକାଶ ମନ୍ତ୍ରଣାଳୟ ଦାୟିତ୍ୱରେ ଅଛନ୍ତି । ରବିବାର ଘଟଣାରେ ରାଜ୍ୟର ମହିଳା ଉପ ମୁଖ୍ୟମନ୍ତ୍ରୀ ମଧ୍ୟ ନିରବ । ବିଜେପି ସରକାରର ପ୍ରଥମ ଶହେ ଦିନରେ ରଥଯାତ୍ରା ସମୟରେ ବଡ ଠାକୁର ପ୍ରଭୁ ଶ୍ରୀବଳଭଦ୍ର ପହଣ୍ଡି ବେଳେ ମୁହଁମାଡି ପଡିଯିବା ଘଟଣା ଯେଭଳି ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ଥିଲା, ଗତ ରବିବାର ଘଟଣା ମଧ୍ୟ ସେହିଭଳି ଚର୍ଚ୍ଚାର ବିଷୟ ହୋଇଛି । ରବିବାର ଘଟଣା ମୋହନ ସରକାରର ଦ୍ୱିତୀୟ କଳଂକିତ ଘଟଣା ବୋଲି ବିରୋଧୀ ସମାଲୋଚନା କରିବାକୁ ପଛାଉ ନାହାନ୍ତି ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS