ସପ୍ତାହାନ୍ତ ବିଚାର: ରାଜ୍ୟରେ ଆଇନ ତା’ ବାଟରେ ଯାଉଛି !


ପ୍ରସାଦ ରାଓ
ସେପ୍ଟେମ୍ବର ୨୧/୨୦୨୪
ଓଡ଼ିଶାରେ ବିଜେଡ଼ି ସରକାର ଥିବା ବେଳେ କୌଣସି ଆପରାଧୀକ ଘଟଣା ଘଟିଲେ ସରକାର ଗୋଟିଏ କଥା କହୁଥିଲେ – ‘ଆଇନ ତା’ ବାଟରେ ଚାଲିଛି’ । ବିଜେପି ବିରୋଧୀ ଦଳରେ ଥାଇ ସରକାରଙ୍କୁ ସମାଲୋଚନା କରୁଥିଲା ଏବଂ ଘଟଣା ସବୁର ସିବିଆଇ ତଦନ୍ତ ବା ବିଚାର ବିଭାଗୀୟ ତଦନ୍ତ ଦାବି କରୁଥିଲା । ଗଣମାଧ୍ୟମରେ ପରସ୍ପର ବିରୋଧୀ ବୟାନବାଜୀ ହେଉଥିଲା । ନିର୍ବାଚନ ସମୟ ହୋଇଥିଲେ ବିଜେପି ନେତା, ନେତ୍ରୀମାନେ ବୟାନବାଜୀରେ ସୀମିତ ନରହି ରାଜରାସ୍ତାରେ ପ୍ରଦର୍ଶନ କରୁଥିଲେ । ୨୪ ବର୍ଷ ଧରି ରାଜ୍ୟର ମୁଖ୍ୟମନ୍ତ୍ରୀ ରହିଥିବା ଆଜିର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସାଧାରଣତଃ କୌଣସି ପ୍ରସଙ୍ଗରେ ମୁହଁ ଖୋଲୁନଥିଲେ । ଯଦି ମୁହଁ ଖୋଲୁଥିଲେ, ତେବେ ତାଙ୍କ ସ୍ୱଭାବ ସୁଲବ ଉତ୍ତର ରହୁଥିଲା – ‘ଆଇନ ତା’ ବାଟରେ ଚାଲିଛି’ । ଇତିମଧ୍ୟରେ ରାଜ୍ୟ ରାଜନୀତିରେ ପଟ୍ଟ ପରିବର୍ତ୍ତନ ହୋଇସାରିଛି । ରାଜ୍ୟରେ ବିଜେପିର ସରକାର ଚାଲିଛି ଏବଂ ମୁଖ୍ୟ ବିରୋଧୀ ଦଳ ଭୂମିକାରେ ରହିଛି ବିଜେଡ଼ି । ତେବେ, ‘ଆଇନ ତା’ ବାଟରେ ଚାଲିବା’ ଥିଓରୀ ଏବେ ମଧ୍ୟ ବିରୋଧୀଙ୍କ ଆକ୍ଷେପ ଓ ଜନଆକ୍ରୋଶରୁ ବିର୍ତ୍ତିବା ପାଇଁ ସରକାରଙ୍କ ଅସ୍ତ୍ର ହୋଇଛି । ଘଟଣାର ତଦନ୍ତ ଚାଲିଛି । ତଦନ୍ତ ରିପୋର୍ଟ ମିଳଲେ ଯିଏ ଦୋଷୀ ଜଣାପଡିବ ଛାଡ ପାଇବ ନାହିଁ । ସରକାର ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ଏହା ହେଉଛି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାରର ନୂଆ ପଇଁତରା । ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ଦିନରୁ ପୂର୍ବ ସରକାରଙ୍କ ଛିଦ୍ର ଖୋଜିବାରେ ବ୍ୟସ୍ତ । ପ୍ରତି କଥାରେ ଦଳର ନେତା ଓ ମନ୍ତ୍ରୀମାନେ ପୂର୍ବ ସରକାରଙ୍କୁ କାଠଗଡାରେ ଠିଆ କରାଇ ଲୋକମତ ନିଜ ସପକ୍ଷରେ ନେବା ରାଜନୀତିରେ ବ୍ୟସ୍ତ । ଯେମିତି କି ପୂର୍ବ ସରକାରଙ୍କ ଛିଦ୍ର ଖୋଜି ସମାଲୋଚନା କରିବା ଏହି ସରକାରର ଏକମାତ୍ର କାର୍ଯ୍ୟ । ଜାତୀୟସ୍ତରରେ ମଧ୍ୟ ସେହି ଏକାଧରଣର ରାଜନୀତି ଦେଖିବାକୁ ମିଳୁଛି । ପଶ୍ଚିମ ବଂଗ ଆର.ଜି.କର ମେଡିକାଲ କଲେଜ ହସ୍ପିଟାଲରେ ଗତ ମାସର ପ୍ରାରମ୍ଭରେ ଜଣେ କାର୍ଯ୍ୟରତ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯିବା ଘଟଣାରେ ବିଜେପି ଯେତେମାତ୍ରାରେ ପ୍ରତିକ୍ରିୟାଶୀଳ ହୋଇଥିଲା ଏହି ଘଟଣା ପରେ ପରେ ମହାରାଷ୍ଟ୍ରର ଥାନେ ଅଂଚଳରେ ଘଟିଥିବା ଦୁଇ ଜଣ କୋମଳମତି ନାବାଳିକାଙ୍କୁ ସେମାନେ ପାଠ ପଢୁଥିବା ସ୍କୁଲରେ ହୋଇଥିବା ଦୁଷ୍ମର୍ମ ଘଟଣାରେ ସେଭଳି ପ୍ରତିକ୍ରିୟା ଦେଖିବାକୁ ମିଳିନଥିଲା । ଉତ୍ତ୍ୟକ୍ତ ଜନତା ରାସ୍ତାକୁ ଆସି ଅଚଳାବସ୍ଥା ସୃଷ୍ଟି କରିବା ପରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ ଏବଂ ଘଟଣାକୁ ନେଇ ଗଣମାଧ୍ୟମରେ ସଫେଇ ଦେଇଥିଲେ । ଏହାର କାରଣ ମଧ୍ୟ ସ୍ପଷ୍ଟ । ପଶ୍ଚିମ ବଂଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱରେ ଟିଏମସି (ତୃଣମୂଳ କଂଗ୍ରେସ ପାର୍ଟି) ଶାସନରେ ଥିବା ବେଳେ ମହାରାଷ୍ଟ୍ରରେ ଶିବସେନା (ସିନ୍ଧେ)-ବିଜେପି-ଏନସିପି (ଅଜିତ ପାୱାର)ର ମେଂଟ ସରକାର ଚାଲିଛି । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ (ବିଜେପି) ଏହି ସରକାରରେ ଅନ୍ୟତମ ମୁଖ୍ୟମନ୍ତ୍ରୀ ଅଛନ୍ତି ଏବଂ ରାଜ୍ୟର ଗୃହ ମନ୍ତ୍ରଣାଳୟ ତାଙ୍କ ଅଧିନରେ ରହିଛି । କୋଲକାତା ଆର.ଜି.କର ମେଡିକାଲ କଲେଜ ହସ୍ପିଟାଲରେ ଅଗଷ୍ଟ ୦୯ ତାରିଖରେ ଘଟିଥିବା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ପଶ୍ଚିମ ବଂଗରେ ମମତା ସରକାରଙ୍କ ବିରୋଧରେ ଯେଉଁ ନିଆଁ ଲାଗିଛି ତାହା ଆଜି ସୁଦ୍ଧା ପୂର୍ଣ୍ଣତଃ ପ୍ରସମିତ ହୋଇ ନାହିଁ । ଅଗଷ୍ଟ ୦୯ ତାରିଖରେ ଡାକ୍ତରଙ୍କ ମୃତଦେହ ଉଦ୍ଧାର ହେବା ପରେ କାର୍ଯ୍ୟରତ ଡାକ୍ତରମାନେ ସେମାନଙ୍କ ସୁରକ୍ଷା ପ୍ରଶ୍ନ ଉଠାଇ ପ୍ରତିବାଦ ଆନ୍ଦୋଳନ କରିବା ଓ ମେଡିକାଲ କଲେଜର ହସ୍ପିଟାଲରେ ଅଚଳାବସ୍ଥ ସୃଷ୍ଟି କରିବା ସ୍ୱାଭାବିକ ଥିଲା । ପୁଲିସ ତଦନ୍ତରେ ଅବହେଳା ନଜରକୁ ଆସିବା ପରେ ଡାକ୍ତର, ଜୁନିୟର ଡାକ୍ତର ଓ ପଶ୍ଚିମ ବଂଗର ସଚେତନ ନାଗରିକଙ୍କ ଆନ୍ଦୋଳନ ଚରମରେ ପହଂଚିବା ସହ ସମଗ୍ର ଦେଶରେ ଚର୍ଚ୍ଚିତ ଖବର ହୋଇଥିଲା । ତେବେ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବି କରି ଦୀର୍ଘ ଦିନ ଧରି ଯେଭଳି ହିଂସାତ୍ମକ ପ୍ରଦର୍ଶନ ଚାଲିଲା ତାହା ପଛରେ ବିରୋଧୀ ବିଜେପିର ପ୍ରଚ୍ଛନ୍ନ ଷଡଯନ୍ତ୍ର ଥିଲା ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସର୍ବୋଚ୍ଚ ନ୍ୟାୟାଳୟରେ ଅଭିଯୋଗ କରିଛନ୍ତି । ପଶ୍ଚିମ ବଂଗ ବିଜେପି ନେତାମାନେ ପ୍ରତ୍ୟକ୍ଷ ଭାବେ ମମତା-ବିରୋଧୀ ଆନ୍ଦୋଳନରେ ସାମିଲ ରହି ପରିସ୍ଥିତିକୁ ଉତ୍ତେଜନା ଦିଗକୁ ମଡାଇ ନେଇଥିଲେ । ପୂର୍ଣ୍ଣ କରିଥିଲେ । କୋଲକାତାରେ ଅଗଷ୍ଟ ୦୯ ତାରିଖରେ ଘଟିଥିବା ଦୁର୍ଷ୍କ ଓ ହତ୍ୟା ଘଟଣା ଦେଶବାସୀଙ୍କୁ ଏତେମାତ୍ରାରେ ଆନ୍ଦୋଳିତ କରିଥିଲା ଯେ ସୁପ୍ରିମ କୋର୍ଟ ନିଜ ଆଡୁ ମାମଲାର ବିଚାରଣା ହାତକୁ ନେଇ କୋଲକାତା ହାଇକୋର୍ଟଙ୍କ ନିର୍ଦେଶରେ ଚାଲିଥିବା ସିବିଆଇ ତଦନ୍ତକୁ ତଦାରଖ କରୁଛନ୍ତି ଓ ଏହି ମାମଲାକୁ ନେଇ ନିୟମିତ ଶୁଣାଣୀ କରୁଛନ୍ତି । ଅପରପକ୍ଷରେ, ମହାରାଷ୍ଟ୍ର ଘଟଣା ଦିନେ ଦୁଇ ଦିନ ମଧ୍ୟରେ ଚର୍ଚ୍ଚାରୁ ଦୂରେଇ ଗଲା । ଏହି ଦୁଇଟି ଘଟଣା ପରେ ଦେଶର ଅନ୍ୟ କିଛି ରାଜ୍ୟରେ ମଧ୍ୟ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବାର ଅଭିଯୋଗ ହୋଇଛି । ବିଜେପି ଶାସିତ ମଧ୍ୟ ପ୍ରଦେଶର ଭୋପାଳ ସହରରେ ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ଏକ ସ୍କୁଲରେ ଜଣେ ଶିଶୁ ଦୁଷ୍କର୍ମର ଶିକାର ହୋଇଥିବା ଏବଂ ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ରାଜ୍ୟ ସରକାର ସ୍କୁଲର ଜଣେ ଶିକ୍ଷକଙ୍କୁ ଗିରଫ କରିଥିବା ଖବର ଆଜି ଗଣମାଧ୍ୟମରେ ପ୍ରସାରିତ ହୋଇ ଆଲୋଡନ ସୃଷ୍ଟି କରିଛି । ଶିଶୁର ପରିବାର ସଦସ୍ୟ ଓ ଅନ୍ୟ ଅଭିଭାବକମାନେ ଦୀର୍ଘ ତିନି ଘଂଟା ଧରି ସ୍କୁଲ ଗେଟ ନିକଟରେ ଆନ୍ଦୋଳନ କରିବା ପରେ ସଂପୃକ୍ତ ଘରୋଇ ସ୍କୁଲକୁ ସିଲ୍ କରାଯିବା ସହ ଅନୁମୋଦନ ବାତିଲ ଦିଗରେ ପଦକ୍ଷେପ ନିଆଯାଉଥିବା ସୂଚନା ମିଳିଛି । ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଗତକାଲି ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ, ତ୍ୱରିତ ନ୍ୟାୟ ପାଇଁ ସ୍ୱତନ୍ତ୍ର କୋର୍ଟରେ ବିଚାରଣା ହେବ ବୋଲି ଘୋଷଣା କରିଛନ୍ତି । ବିଜେପି ଶାସିତ ରାଜ୍ୟ ହେଉ ବା ଅଣ-ବିଜେପି ଶାସିତ ରାଜ୍ୟ – ସବୁଠି ଏଭଳି ଘଟଣା ଘଟୁଥିବା ଦେଖିବାକୁ ମିଳୁଛି । କେଉଁଠି ଘଟଣା ମାତ୍ରାଧିକ ରାଜନୈତିକ ସକ୍ରିୟତା କାରଣରୁ ବହୁଳ ଭାବେ ଚର୍ଚ୍ଚିତ ହୋଇ ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ କରୁଛି ତ ଅନ୍ୟ କେଉଁଠି ଘଟଣାକୁ ତଳସ୍ତରରୁ ହିଁ ଦାବି ଯାଇ ଚର୍ଚ୍ଚାକୁ ଆସୁନାହିଁ । ବିଜେପି ଶାସିତ ରାଜ୍ୟରେ ଏଭଳି କିଛି ଘଟିଲେ ବିରୋଧୀମାନେ ବିଜେପିକୁ ସମାଲୋଚନା କରୁଥିବା ବେଳେ ଅଣ-ବିଜେପି ଶାସିତ ରାଜ୍ୟ ହୋଇଥିଲେ ବିଜେପି ସଂପୃକ୍ତ ରାଜ୍ୟ ସରକାରଙ୍କୁ ସମାଲୋଚନା କରି ତୁମ୍ବିତୋଫାନ କରୁଛି । ଆମେ ଏବେ ଫେରିବା ଓଡ଼ିଶାକୁ । ସେପ୍ଟେମ୍ବର ୧୫ ତାରିଖ ରବିବାର ବିଳମ୍ବିତ ରାତ୍ରୀରେ ଭୁବନେଶ୍ୱରର ଭରତପୁର ଥାନା ଅଂଚଳରେ ଘଟିଗଲା ଏକ ଅଭାବନୀୟ ଘଟଣା, ଯାହାକି ଏବେ ଜାତୀୟସ୍ତରରେ ଚର୍ଚ୍ଚାରେ ରହିଛି । ସେନା ବାହିନୀରେ କାର୍ଯ୍ୟରତ ଜଣେ ମେଜର ଓ ତାଙ୍କ ବାନ୍ଧବୀ ରାତିରେ କାମ ସାରି ଘରକୁ ଫେରୁଥିବା ବେଳେ ରାସ୍ତାରେ କିଛି ଅସାମାଜିକ ବକ୍ତିଙ୍କ ଆକ୍ରମଣର ଶିକାର ହେଲେ । ଏକାଧିକ ଗାଡିରେ ସବାର ଥିବା ଅସାମାଜିକ ବ୍ୟକ୍ତିମାନେ ସେମାନଙ୍କୁ ଗାଡିକୁ ଅଟକାଇ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କଲେ । ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀ ଗାଡି ଅଟକାଇ ସଂପୃକ୍ତ ଅସାମାଜିକ ବ୍ୟକ୍ତିଙ୍କୁ ମୁକାବିଲା କରିଥିଲେ ମଧ୍ୟ ସେମାନଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ଥିବାରୁ କୌଣସି ପ୍ରକାର ସେମାନଙ୍କ କବଳରୁ ମୁକୁଳି ଭରତପୁର ଥାନାରେ ପହଂଚି ଥିଲେ । ତେବେ, ଭରତପୁର ଥାନାରେ ଡ୍ୟୁଟିରେ ଥିବା ମହିଳା ଏସଆଇ, ଦୁଇ ଜଣ ମହିଳା ଏଏସଆଇ ଓ ଜଣେ ପୁରୁଷ କନେଷ୍ଟବଳ ସେମାନଙ୍କୁ ତ୍ୱରିତ ସହାୟତ କରିବେ କଣ, ଓଲଟା ଲିଖିତ ଭାବେ ଏତଲା ଦେବାକୁ କହି ସମୟ ଗଡାଇଲେ । ପୁଲିସ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ସଂପୃକ୍ତ ଅସାମାଜିକ ବ୍ୟକ୍ତିମାନେ ଫେରାର ହୋଇଯିବା ନିଶ୍ଚିତ ଥିଲା । ତେଣୁ, ପୁଲିସ ଆଗେ ପିସିଆର ପଠାଇ ରାସ୍ତାରେ ରାହାଜାନୀ କରୁଥିବା ଦୁର୍ବୁତ୍ ତଙ୍କୁ ଧରିବା ଉଦ୍ୟମ କରୁ, ପରେ ସେମାନଙ୍କଠାରୁ ଲିଖିତ ଅଭିଯୋଗ ରଖିବ ବୋଲି ସେନାର ମେଜର ଓ ତାଙ୍କ ବାନ୍ଧବୀ ଯୁକ୍ତି ଉପସ୍ଥାପନ କରିବାରୁ ପୁଲିସ ସହ ସେମାନଙ୍କ ବଚସା ହୋଇଥିଲା ଏବଂ ମହିଳା ପୁଲିସ ଅଧିକାରୀ ଓ ତାଙ୍କ ସହଯୋଗୀମାନେ ତ୍ୱରିତ ପଦକ୍ଷେପ ନେବା ବଦଳରେ ସଂପୃକ୍ତ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିସ୍ତୁକ ମାଡ ମାରି ଥାନା ହାଜତରେ ପୁରାଇ ଦେଇଥିଲେ । ବାନ୍ଧବୀ ଜଣକୁ ପୁଲିସ ଲଂଗଳା ମୁକୁଳା କରି ମାଡ ମାରିଥିବା ଅଭିଯୋଗ ହୋଇଛି । ସୋମବାର ସକାଳେ ସେନା ମେଜର ଜଣକ ଥାନାରୁ ଛାଡ ପାଇଥିଲେ ମଧ୍ୟ ତାଙ୍କ ବାନ୍ଧବୀ ଗୁରୁତର ଆହତ ଅବସ୍ଥାରେ କୋର୍ଟ ଚାଲାଣ ହୋଇଥିଲେ । ସେମାବାର ସକାଳେ ସଂପୃକ୍ତ ଥାନାର ଆଇଆଇସି ମଧ୍ୟ ସେନା ମେଜରଙ୍କ ବାନ୍ଧବୀଙ୍କୁ ଅଶ୍ଲୀଳ ବ୍ୟବହାର ପ୍ରଦର୍ଶନ କରିବା ସହ ନିସ୍ତୁକ ମାଡ ମାରିଥିବା ମହିଳା ଜଣକ ଓଡ଼ିଶା ହାଇକୋର୍ଟ ଓ ଗଣମାଧ୍ୟମରେ କାନ୍ଦି କାନ୍ଦି ଅଭିଯୋଗ କରିଛନ୍ତି । ଏହି ଭିଡ଼ିଓ ଗଣମାଧ୍ୟମରେ ଭାଇରାଲ ହେଉଛି । ଓଡ଼ିଶା ହାଇକୋର୍ଟ ସଂପୃକ୍ତ ମହିଳାଙ୍କୁ ଜାମିନ ପ୍ରଦାନ କରିବା ସହ ଭୁବନେଶ୍ୱର ‘ଏମ୍ସ’ରେ ଚାଲିଥିବା ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବାକୁ ନିର୍ଦେଶ ଦେଇଛନ୍ତି । ଓଡ଼ିଶା ହାଇକୋର୍ଟ ଭୁବନେଶ୍ୱର ପୁଲିସ ଓ ମହିଳାଙ୍କୁ ଜେଲ ପଠାଇ ଥିବା ମାଜିଷ୍ଟ୍ରେଟଙ୍କ ଉପରେ ବର୍ଷିଛନ୍ତି । ରବିବାର ରାତିରେ ରାଜ୍ୟ ରାଜଧାନୀରେ ଏଭଳି ଏକ ଗମ୍ଭୀର ଓ ସଂବେଦନଶୀଳ ଘଟଣା ଘଟିବା ବେଳେ ରାଜ୍ୟ ସରକାର, ସାଧାରଣ ପ୍ରଶାସନ ଓ ପୁଲିସ ବିଭାଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୭ ତାରିଖ ଭୁବନେଶ୍ୱର ଗସ୍ତର ପ୍ରସ୍ତୁତିରେ ବ୍ୟସ୍ତ ଥିଲେ । ଗଣମାଧ୍ୟମରେ ରବିବାର ଘଟଣା ପ୍ରସାରିତ ହେବା ପରେ ରାଜ୍ୟ ସରକାରଙ୍କ ଆଡୁ କାର୍ଯ୍ୟାନୁଷ୍ଠାନ ହେବା ଦୂରେ ଥାଉ, ପ୍ରତିକ୍ରିୟା ମଧ୍ୟ ପ୍ରକାଶ ପାଇନଥିଲା । କାର୍ଯ୍ୟରତ ସେନା ଅଧିକାରୀଙ୍କୁ ପୁଲିସ ମାଡ ମାରିବା ଘଟଣାକୁ ନେଇ ଭାରତୀୟ ସେନା ଅଧିକାରୀ ଓ ଅବସରପ୍ରାପ୍ତ ସେନା ଅଧିକାରୀମାନେ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରି କମିସନରେଟ ପୁଲିସ ମୁଖ୍ୟାଳୟକୁ ଯାଇ ପ୍ରତିବାଦ କରିବା ପରେ ରାଜ୍ୟ ସରକାର ସଂପୃକ୍ତ ଥାନାର ପାଂଚ ଜଣ କର୍ମଚାରୀଙ୍କୁ ନିଲମ୍ବିତ କରିବା ସହ ଘଟଣାର କ୍ରାଇମ ବ୍ରାଂଚ ତଦନ୍ତ ଆଦେଶ ଦେଇଛନ୍ତି । ଯେଉଁ ଅସାମାଜିକ ବ୍ୟକ୍ତିମାନେ ସେନା ମେଜର ଓ ତାଙ୍କ ବାନ୍ଧବୀଙ୍କୁ ରବିବାର ରାତିରେ ରାସ୍ତାରେ ଅଟକାଇ ଦୁର୍ବ୍ୟବହାର କରିଥିଲେ ସେମାନଙ୍କ ବିରୋଧରେ ପୁଲିସ ଆଡୁ ଏତଲା ମଧ୍ୟ ପଂଜୀକୃତ ହୋଇନଥିଲା । ସେନା ବାହିନୀର ବରିଷ୍ଠ ଅଧିକାରୀଙ୍କ ଚାପରେ ଘଟଣାର ପାଂଚ ଦିନ ପରେ ଓଡ଼ିଶା କ୍ରାଇମ ବ୍ରାଂଚରେ ଏତାଲା ପଂଜୀକରଣ ହୋଇଛି ଓ ଦୁଇଟି ଯାକ ଘଟଣାର ତଦନ୍ତ ଚାଲିଛି । ଭାରତପୁର ଥାନା ଆଇଆଇସି ଓ ସେଦିନ ରାତିରେ ଡ୍ୟୁଟିରେ ଥିବା ପୁଲିସ କର୍ମଚାରୀଙ୍କ ବିରୋଧରେ କ୍ରାଇମ ବ୍ରାଂଚ ଆପରାଧିକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଭାରତପୁର ଥାନା ଘଟଣାକୁ ନେଇ ରାଜଧାନୀରେ ଏତେ ହଲଚଲ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ମାଝୀ ଓ ତାଙ୍କ ମନ୍ତ୍ରୀମାନେ ସରକାରଙ୍କ ଶହେ ଦିନର ସଫଳତାକୁ ନେଇ ପ୍ରଚାର ଓ ସଭା ସମିତିରେ ବ୍ୟସ୍ତ ଥିଲେ । ନେଡି ଗୁଡ କହୁଣୀକୁ ବୋହି ଯିବା ପରେ ଗତକାଲି (୨୦ ତାରିଖ) ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଭରତପୁର ଥାନାକୁ ଯାଇ ରବିବାର ଘଟଣା ସଂପର୍କିତ ବିବରଣୀ ସଂଗ୍ରହ କରିଛନ୍ତି । ରାଜ୍ୟ ବିଧାନସଭାର ବିରୋଧୀ ଦଳ ନେତା (ପୂର୍ବତନ ମୁଖ୍ୟମନ୍ତ୍ରୀ) ନବୀନ ପଟ୍ଟନାୟକ ରବିବାର ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିବା ପରେ ମୁଖ୍ୟମନ୍ତ୍ରୀ ମାଝୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଗତକାଲି ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ପୋଷ୍ଟ୍ କରାଯାଇ ଘଟଣାକୁ ନେଇ ଉଦବେଗ ପ୍ରକାଶ କରାଯିବା ସହ କ୍ରାଇମ ବ୍ରାଂଚ ତଦନ୍ତରୁ ଯେଉଁମାନେ ଦୋଷୀ ଜଣାପଡିବେ ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଛି । ରାଜ୍ୟର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଦାୟିତ୍ୱରେ ଥିବା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମଧ୍ୟ ଗତକାଲି ପୀଡିତାଙ୍କୁ ଭେଟି ଥିବା ଓ ତଦନ୍ତ ପରେ କଡା କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇଥିବା ଗଣମାଧ୍ୟମରୁ ସୂଚନା ମିଳିଛି । ରାଜ୍ୟ ରାଜସ୍ୱ ମନ୍ତ୍ରୀ ସୁରେଶ ପୁଜାରୀ କ୍ରାଇମ ବ୍ରାଂଚ ମାମଲାର ତଦନ୍ତ କରୁଛି ବୋଲି ହଲପ ଦେଇ ଯେଉଁମାନେ ଦୋଷୀ ଜଣାପଡିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଗତକାଲି କହିଥିଲେ । ପୂର୍ବ ସରକାର ଯେଉଁ ଅଳିଆ ଛାଡି ଯାଇଛନ୍ତି ବର୍ତ୍ତମାନର ସରକାର ତାହାକୁ ସଜାଡୁଛନ୍ତି କହି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ରାଜ୍ୟ ବିରୋଧୀ ଦଳ ନେତା ପଟ୍ଟନାୟକଙ୍କୁ କଟାକ୍ଷ କରିଛନ୍ତି । ଜାତୀୟସ୍ତରରେ ନିଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ରବିବାର ରାତିରେ ଭୁବନେଶ୍ୱର ଭରତପୁର ଥାନାରେ ଘଟିଥିବା ଘଟଣାର କଡା ଭାଷାରେ ନିନ୍ଦା କରାଯାଇଛି । ବିଜେପି ଶାସିତ ରାଜ୍ୟରେ ବହୁଳ ଭାବେ ମହିଳାଙ୍କ ପ୍ରତି ନିର୍ଯ୍ୟାତନା ଘଟଣା ଘଟୁଥିବା ଆଶ୍ଚର୍ଯ୍ୟଜନକ ବୋଲି ଏଆଇସିସି ଜାତୀୟ ମୁଖପାତ୍ର ସୁପ୍ରିୟା ସୁନେତ କଟାକ୍ଷ କରିଥିବା ବେଳେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭୁବନେଶ୍ୱର ଭରତପୁର ଥାନା ରବିବାର ରାତିରେ ଘଟିଥିବା ଘଟଣାର ଦୃଢ ନିନ୍ଦା କରିଛନ୍ତି । ଏହି ଘଟଣାକୁ ନେଇ ବିଜେପି ଜାତୀୟ ରାଜଧାନୀରେ ସମାଲୋଚିତ ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଡୁ କୌଣସି ପ୍ରତିକ୍ରିୟା ନାହିଁ । ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ତାଙ୍କ ମନ୍ତ୍ରୀ ପରିଷଦ ସଦସ୍ୟମାନେ ଭରତପୁର ଥାନା ଘଟଣାକୁ ନେଇ ଯେଉଁ ବିଳମ୍ବିତ ପ୍ରତିକ୍ରିୟା ଦେଉଛନ୍ତି ତାହା ‘ଆଇନ ତା’ ବାଟରେ ଯିବା’ ଭଳି ହୋଇଛି । ମୋହନ ସରକାର ମାତ୍ର ଶହେ ଦିନର ‘ଶିଶୁ ସରକାର’ । ସରକାରଙ୍କ ଆଡୁ ଏଭଳି ତୃଟି ହେବା ସ୍ୱାଭାବିକ । ଆଗକୁ ସେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଭଳି ଟାଣୁଆ ମୁଖ୍ୟମନ୍ତ୍ରୀ ଭାବେ ନିଜକୁ ପ୍ରମାଣିତ କରିବେ । ରାଜ୍ୟ ବିଜେପିର କିଛି ଶୁଭେଚ୍ଛୁ ଓ ସମର୍ଥକ ସାମାଜିକ ଗଣମାଧ୍ୟମରେ ଚାଲିଥିବା ବିତର୍କରେ ଭାଗ ନେଇ ଏହି ମତ ରଖିଛନ୍ତି । ଆମେ ମଧ୍ୟ ଆଶା କରୁଛୁ, ଓଡ଼ିଶା ମୁଖ୍ୟମନ୍ତ୍ରୀ ମାଝୀ ଆଗକୁ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଭଳି ନିର୍ଭୀକ ହୁଅନ୍ତୁ ଏବଂ ରାଜ୍ୟରେ ବୃଦ୍ଧି ପାଉଥିବା ଅପରାଧକୁ ରୋକିବାରେ ଦୃଢତା ଦେଖାନ୍ତୁ । ପୁଲିସ ହେଉ ବା ଅପରାଧୀ ସମସ୍ତେ ସରକାରଙ୍କ ଦୃଢତା ନିକଟରେ ମୁଣ୍ଡ ନୁଆଁନ୍ତୁ । କେବଳ ପୂର୍ବ ସରକାର ମୁଣ୍ଡରେ ନଡିଆ ବାଡେଇ ନିଜ ଦୁର୍ବଳତାକୁ ଘୋଡାଇବା ଉଦ୍ୟମ କଲେ ମାଝୀ ସରକାର ଯୋଗୀଙ୍କ ସମକକ୍ଷ ହେବା ଦୂରେ ଥାଉ, ତାଙ୍କ ଲାଂଜ ମଧ୍ୟ ଛୁଇଁ ପାରିବେ ନାହିଁ – ଏଥିରେ କିଛି ସନ୍ଦେହ ନାହିଁ ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS