ଦିଲ୍ଲୀକା ଲଡୁ ନୁହେଁ ତିରୁପତିକା ଲଡୁ…


ପ୍ରସାଦ ରାଓ
ସେପ୍ଟେମ୍ବର ୨୨/୨୦୨୪
‘ଦିଲ୍ଲୀକା ଲଡୁ ଯୋ ଖାୟା ପସ୍ତାୟା, ଯୋ ନହିଁ ଖାୟା ଓ’ଭି ପସ୍ତାୟା’- ପ୍ରାୟତଃ ସମସ୍ତେ ଏହି ଡାଇଲଗ୍ ଶୁଣିଥିବେ । ତେବେ, ଦିଲ୍ଲୀକା ଲଡୁ ନୁହେଁ, ଆଜି ଦିନରେ ତିରୁପତିକା ଲଡୁ ଜାତୀୟସ୍ତରରେ ଚର୍ଚ୍ଚାର ବିଷୟ ହୋଇଛି । ଆନ୍ଧ୍ର ପ୍ରଦେଶର ତିରୁପତିସ୍ଥିତ ଶ୍ରୀଭେଙ୍କଟେଶ୍ୱରଙ୍କ ଦେବସ୍ଥାନମ୍ରେ ପ୍ରସ୍ତୁତ ହୋଇ ଭକ୍ତଙ୍କ ପାଇଁ ବିକ୍ରି ହେଉଥିବା ଲଡୁ ବିଶ୍ୱ ପ୍ରସିଦ୍ଧ । ଭକ୍ତମାନେ ଏହି ଦେବସ୍ଥାନମ୍ କୁ ଗଲେ ମାନସିକ ଥାଉ ବା ନଥାଉ ମୁଣ୍ଡନ ହୋଇଥା’ନ୍ତି ଏବଂ କାଉଂଟରରେ ଲମ୍ବା ଧାଡିରେ ଠିଆ ରହି ପ୍ରସାଦ ଭାବେ ବିକ୍ରି ହେଉଥିବା ଲଡୁ କିଣି ଥା’ନ୍ତି । ଯାହାକି ସେମାନେ ନିଜ ବନ୍ଧୁ ବାନ୍ଧବଙ୍କ ମଧ୍ୟରେ ବାଂଟି ଥା’ନ୍ତି । ଏହି ଭୋଗର ପବିତ୍ରତା ପ୍ରଶ୍ନାତୀତ । ତେବେ, ନିକଟରେ ଆନ୍ଧ୍ର ପ୍ରଦେଶରେ ଏନ.ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି (ଟିଡିପି) ସରକାର ପ୍ରତିଷ୍ଠା ହେବା ପରେ ତିରୁପତି ଦେବସ୍ଥାନମ୍ ଲଡୁ ବିବାଦୀୟ ହୋଇପଡିଛି । ମୁଖ୍ୟମନ୍ତ୍ରୀ ନାଇଡୁ ନିଜେ ଅଭିଯୋଗ କରିଛନ୍ତି ଯେ, ରାଜ୍ୟରେ ଗଲା ପାଂଚ ବର୍ଷ ଧରି ୱାଇ.ଏସ.ଜଗନମୋହନ ରେଡ୍ଡୀଙ୍କ ୱାଇଏସଆରସିପି ସରକାର ଥିବା ସମୟରେ ତିରୁପତି ଦେବସ୍ଥାନମରେ ପ୍ରସ୍ତୁତ ଲଡୁ ଅପମିଶ୍ରିତ ହୋଇଥିବାର ପ୍ରମାଣ ମିଳିଛି । ତିରୁପତି ଦେବାସ୍ଥାନମ୍ ପ୍ରଶାସନ ସାଧାରଣତଃ ବିଶୁଦ୍ଧ ଗାଈ ଘିଅରେ ଲଡୁ ପ୍ରସ୍ତୁତ କରିଥା’ନ୍ତି ଓ ଭକ୍ତଙ୍କୁ ପ୍ରସାଦ ଭାବେ ତାହା ବିକ୍ରି କରିଥା’ନ୍ତି । ତେବେ, ପୂର୍ବତନ ମୁଖ୍ୟମନ୍ତ୍ରୀ ରେଡୀଙ୍କ ସରକାର ସମୟରେ ପ୍ରସ୍ତୁତ ତିରୁପତି ଦେବସ୍ଥାନମ୍ ରେ ବିକ୍ରି ହୋଇଥିବା ଲଡୁରେ ମାଛ ତେଲ ଓ ପଶୁଙ୍କ ଚର୍ବିର ଉପସ୍ଥିତି ପରୀକ୍ଷଣରୁ ଜଣାପଡିଛି । ଯେତେବେଳେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ନିଜେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ଶାସନକୁ ନେଇ ଏଭଳି ଅଭିଯୋଗ କରୁଛନ୍ତି ‘ହିନ୍ଦୁ ମାନସିକତା’ରେ ନିଆଁ ଲାଗିବା ସ୍ୱାଭାବିକ । ୱାଇଏସଆରସିପି ମୁଖ୍ୟ ତଥା ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଆଜିର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଅଭିଯୋଗକୁ ‘ମିଥ୍ୟା’ ଓ ରାଜନୀତି ଦ୍ୱାରା ପ୍ରେରିତ’ ବୋଲି କହିବା ସହ ଚନ୍ଦ୍ରବାବୁ ଜଣେ ‘ଜନ୍ମଗତ ମିଛୁଆ’ ବୋଲି ପାଲଟା ଅଭିଯୋଗ କରିଛନ୍ତି । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ମୁଖ୍ୟମନ୍ତ୍ରୀ ନାଇଡୁଙ୍କ ଏହି ଲଜ୍ୟାହୀନ ମିଥ୍ୟା ପ୍ରଚାର କୋଟି କୋଟି ଶ୍ରୀଭେଙ୍କଟେଶ୍ୱରଙ୍କ ଭକ୍ତଙ୍କ ଭାବନାକୁ ଆଘାତ ଦେଇଥିବାରୁ କଡା ଭାଷାରେ ନାଇଡୁଙ୍କୁ ଭର୍ଛନା କରାଯିବାକୁ ଏବଂ ହିନ୍ଦୁ ଭକ୍ତଙ୍କ ମନରେ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ବା ଅବିଶ୍ୱାସ ଭାବକୁ ଦୂର କରି ବାସ୍ତବ ସତ୍ୟ ପଦାକୁ ଆଣିବା ସକାଶେ ଅଭିଯୋଗର ତଦନ୍ତ କରାଯିବାକୁ ନିବେଦନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନାଇଡୁଙ୍କ ଏହି ମିଥ୍ୟା ଅଭିଯୋଗ ତିରୁପତିସ୍ଥିତ ଶ୍ରୀଭେଙ୍କଟେଶ୍ୱର ସ୍ୱମୀ ମନ୍ଦିରର ପରିଚାଳନା ଦାୟିତ୍ୱରେ ଥିବା ‘ତିରୁମାଲା ତିରୁପତି ଦେବସ୍ଥାନମ୍ ଟ୍ରଷ୍ଟ’ର ପବିତ୍ରତା, ବିଶ୍ୱସନୀୟତା ଓ ପ୍ରତିଷ୍ଠା ପ୍ରତି ଆଘାତ ହୋଇଥିବାରୁ ବାସ୍ତବ ସତ୍ୟ ବାହାରକୁ ନ ଆସିଲେ ପରିଣାମ ଭୟଙ୍କର ହୋଇପାରେ ବୋଲି ମଧ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ରେଡ୍ଡୀ ଚେତାବନୀ ଦେଇଛନ୍ତି । ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ.ଚନ୍ଦ୍ରବାବୁ ନାଇଡୁ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ୱାଇଏସଆରସିପି ମୁଖ୍ୟ ୱାଇ.ଏସ.ଜଗନମୋହନ ରେଡ୍ଡୀଙ୍କ ମଧ୍ୟରେ ଥିବା ରାଜନୈତିକ ଶତୃତା କାହାରିକୁ ଅଛପା ନାହିଁ । ରେଡ୍ଡୀ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଟିଡିପି ମୁଖ୍ୟ ଏନ.ଚନ୍ଦ୍ରବାବୁ ନାଇଡୁଙ୍କ ବିଭିନ୍ନ ଦୁର୍ନୀତି ଅଭିଯୋଗରେ ଦୁର୍ନୀତି ନିବାରଣା ସଂସ୍ଥା ଦ୍ୱାରା ଗିରଫ କରାଇ ଜେଲରେ ପୁରାଇ ଥିଲେ । ନାଇଡୁ ଜାମିନରେ ମୁକ୍ତି ପାଇବା ପରେ ବିଜେପି ଓ ତେଲୁଗୁ ଫିଲ୍ମ ଷ୍ଟାର୍ ପବନ କଲ୍ୟାଣଙ୍କ ଆଂଚଳିକ ରାଜନୈତିକ ଦଳ ସହ ମେଂଟ କରି ଚଳିତ ବର୍ଷ ଅନୁଷ୍ଠିତ ରାଜ୍ୟ ବିଧାନସଭା ନିର୍ବାଚନ ଲଢିଥିଲେ । ଉଭୟ ଲୋକସଭା ଓ ବିଧାନସଭା ପାଇଁ ହୋଇଥିବା ନିର୍ବାଚନରେ ନାଇଡୁଙ୍କ ଟିଡିପି-ବିଜେପି ଓ ପବନ କଲ୍ୟାଣଙ୍କ ଆଂଚଳିତ ଦଳକୁ ନେଇ ଗଠିତ ମେଂଟର ବିପୁଳ ବିଜୟ ହୋଇଛି ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇ.ଏସ.ଜଗନମୋହନ ରେଡ୍ଡୀଙ୍କ ୱାଇଏସଆରସିପି ଏକପ୍ରକାର ମୂଳପୋଛ ହୋଇଯାଇଛି । ୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଥିବା ଜନଗମୋହନ ରେଡ୍ଡୀ ବିଜେପି ନେତୃତ୍ୱାଧୀନ ଏନଡିଏ (ଜାତୀୟ ଗଣତାନ୍ତ୍ରିକ ମେଂଟ)ରେ ସାମିଲ ହୋଇନଥିଲେ ମଧ୍ୟ ସଂସଦରେ ନିଜର ସଂଖ୍ୟା ଥିବାରୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଲ୍ ଗୃହୀତ କରାଇବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରଙ୍କୁ ଆଖିବୁଜି ସମର୍ଥନ ଦେଇ ଆସୁଥିଲେ । ଓଡ଼ିଶାର ବିଜେଡ଼ି (ବିଜୁ ଜନତା ଦଳ) ଭଳି ଆନ୍ଧ୍ରର ୱାଇଏସଆରସିପି ବିଜେପିର ଅତି ନିକଟତର ଥିଲା । ପୂର୍ବରୁ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଥିବା ଟିଡିପି ମୁଖ୍ୟ ଏନ.ଚନ୍ଦ୍ରବାବୁ ନାଇଡୁ ମଧ୍ୟ ଏନଡିଏର ଥିଲେ ଏବଂ କେନ୍ଦ୍ରରେ ମୋଦୀ ସରକାରଙ୍କୁ ଆଖିବୁଜି ସମର୍ଥନ ଦେଉଥିଲେ । ତେବେ, କେନ୍ଦ୍ର ସରକାର ୨୦୧୪ରେ ଆନ୍ଧ୍ର ପ୍ରଦେଶରେ ବିଭାଜନ ଘଟାଇ ସ୍ୱତନ୍ତ୍ର ତେଲେଂଗାନା ରାଜ୍ୟ ଗଠନ କରିବା ପରେ ବିଭାଜିତ ଆନ୍ଧ୍ର ପ୍ରଦେଶ ପ୍ରଦେଶର ଦାବି ଥିବା ରାଜ୍ୟକୁ ‘ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା’ ଦିଆଯିବା । ୟୁପିଏ-୨ ସରକାରରେ ଏହି ବିଭାଜନ ଘଟିଥିଲା ଏବଂ ସେତେବେଳ ଆନ୍ଧ୍ର ସରକାରଙ୍କୁ ଏହି ପ୍ରତିଶ୍ରୁତି ଦିଆଯାଇଥିଲା । ୨୦୧୪ରେ ନରେନ୍ଦ୍ର ମୋଦୀ ଦେଶର ପ୍ରଧାନମନ୍ତ୍ରୀ ହେବା ସମୟରେ ଆନ୍ଧ୍ରକୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ମର୍ଯ୍ୟାଦା ଦେବେ ବୋଲି ଦୋହରାଇ ଥିଲେ । ତେବେ, ମୋଦୀ ଏହି ପ୍ରତିଶ୍ରୁତି କାର୍ଯ୍ୟକାରୀ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଦେଖି ମୁଖ୍ୟମନ୍ତ୍ରୀ ନାଇଡୁ ୨୦୧୮ରେ ଏନଡିଏରୁ ଓହରି ଯାଇଥିଲେ ଏବଂମୋଦୀ ସରକାରଙ୍କୁ କଡା ସମାଲୋଚନା କରିବା ଆରମ୍ଭ କରି ଦେଇଥିଲେ । ୨୦୧୯ ବିଧାନସଭା ନିର୍ବାଚନରେ ନାଇଡୁଙ୍କୁ ତାହାର ପରିଣତି ଭୋଗିବାକୁ ପଡିଲା । ୱାଇ.ଏସ.ଜଗନମୋହନ ରେଡ୍ଡୀଙ୍କ ୱାଇଏସଆରସିପି ବିପୁଳ ଜନମତ ପାଇ କ୍ଷମତାକୁ ଆସିଲା ଓ ଏନଡିଏର ଅଂଶୀଦାର ନହୋଇ ମଧ୍ୟ ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ବିଜେପି ସରକାରଙ୍କୁ ସମର୍ଥନ ଦେଇ ଆସିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ନାଇଡୁ ଜଗନମୋହନ ରେଡ୍ଡୀଙ୍କ ସରକାରରେ ନିପିଡ଼ିତ ହୋଇ ଜେଲ ଯିବା ପରେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିର ନିକଟତର ହୋଇଥିଲେ । ରାଜ୍ୟରେ ପବନ କଲ୍ୟାଣଙ୍କ ଆଂଚଳିକ ଦଳ ସହ ନାଇଡୁଙ୍କ ଟିଡିପିର ମେଂଟ ହେବା ପରେ ଦୁଇ ଦଳ ମିଶି ବିଜେପି ସହ ମେଂଟରେ ୨୦୨୪ ନିର୍ବାଚନ ମଇଦାନକୁ ଯାଇଥିଲେ । ବିଭିନ୍ନ କାରଣରୁ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ସରକାର ଲୋକପ୍ରିୟତା ହରାଇ ସାରିଥିଲେ । ତେଣୁ, ୨୦୨୪ ନିର୍ବାଚନରେ ନାଇଡୁଙ୍କ ଟିଡିପି ଉଲ୍ଳେଖନୀୟ ପ୍ରଦର୍ଶନ କରି କ୍ଷମତାକୁ ଆସିଛି । ନାଇଡୁ ଆନ୍ଧ୍ରର ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ପବନ କଲ୍ୟାଣ ଉପ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଅପରପକ୍ଷରେ, ୱାଇଏସଆରସିପି ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ନିର୍ବାଚନ ପରାଜୟ ପରେ ନୂଆ ସରକାରର ଟାର୍ଗେଟ ହୋଇଥିବା ବେଳେ ବିଜେପି ସହ ତାଙ୍କ ପୂର୍ବ ସଂପର୍କ ବଜୟ ରଖିବା ଉଦ୍ୟମରେ ଅଛନ୍ତି । ଏହି ପରିସ୍ଥିତିରେ ତିରୁପତି ଲଡୁ ରାଜନୈତିକ ମୁଦ୍ଦା ହୋଇଛି ଏବଂ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ପୂର୍ବ ସରକାର ଅମଳରେ ତିରୁପତି ଦେବସ୍ଥାନମ୍ ରେ ଅପମିଶ୍ରିତ ଘିଅରେ ଲଡୁ ପ୍ରସ୍ତୁତ କରାଯାଇ ବିକ୍ରି କରାଯାଇଥିବା ଅଭିଯୋଗ କରି ରେଡ୍ଡୀଙ୍କ ଉପରେ ବଡ ପ୍ରହାର କରିବାର ଉଦ୍ୟମ କରିଛନ୍ତି । ନାଇଡୁଙ୍କ ଅଭିଯୋଗ ପରେ ହିନ୍ଦୁତ୍ୱବାଦୀ ନେତା ଓ ସାଧୁସନ୍ଥମାନେ ଗଭୀର ଉଦ୍ବେଗ ପ୍ରକାଶ କରିବା ସହ ଏହାର ତଦନ୍ତ ପାଇଁ ଦାବି କରିବା ଆରମ୍ଭ କରିଛନ୍ତି । ତିରୁପତି ଶ୍ରୀଭେଙ୍କଟେଶ୍ୱରଙ୍କ ଭକ୍ତମାନେ ମଧ୍ୟ ‘ଲଡୁ’କୁ ନେଇ ନାଇଡୁଙ୍କ ଅଭିଯୋଗ ପରେ ସଂଶୟ ଭିତରେ ଅଛନ୍ତି । ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) ଏହି ଅଭିଯୋଗକୁ ନେଇ ସଫେଇ ଦେଇ ସାରିଛି । ଯେଉଁ ସଂସ୍ଥାମାନେ ଟିଟିଡିକୁ ଲଡୁ ପ୍ରସ୍ତୁତି ପାଇଁ ଗାଈ ଘିଅ ଯୋଗାଉ ଥିଲେ ସେମାନଙ୍କ ଘିଅର ମାନକୁ ଟିଟିଡି ପକ୍ଷରୁ ଯାଂଚ କରାଯାଉଥିଲା ଓ ଯେତେବେଳେ ବି ନିମ୍ନମାନର ଘିଅ ଯୋଗାଣ ହୋଇଛି ତାହା ଫେରାଇ ଦିଆଯାଇଛି । ତେଣୁ, ମନ୍ଦିରରେ ଅପମିଶ୍ରିତ ଘିଅରେ ଲଡୁ ପ୍ରସ୍ତୁତ କରାଯାଇ ବିକ୍ରି କରାଯାଇଥିବା ଅଭିଯୋଗରେ ସତ୍ୟତା ନାହିଁ ବୋଲି ଟିଟଡି କହିଛି । ମୁଖ୍ୟମନ୍ତ୍ରୀ ନାଇଡୁଙ୍କ ଅଭିଯୋଗ, ଟିଟିଡିର ସଫେଇ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ପାଲଟା ଅଭିଯୋଗ ଟିଟିଡି ଦ୍ୱାରା ପ୍ରସ୍ତୁତ ଓ ବିକ୍ରି ହେଉଥିବା ପ୍ରସାଦମ୍ ଲଡୁକୁ ନେଇ ଦ୍ୱନ୍ଦ୍ୱ ବହୁଗୁଣିତ କରିଛି । ପୂର୍ବ ମୁଖ୍ୟମନ୍ତ୍ରୀ ରେଡ୍ଡୀଙ୍କ କାର୍ଯ୍ୟକାଳରେ ତିରୁପତି ତିରୁମାଲା ଦେବସ୍ଥାନମ୍ ଟ୍ରଷ୍ଟକୁ ଯୋଗାଣ ହୋଇଥିବା ଘିଅରେ ପଶୁ ଚର୍ବିର ଉପସ୍ଥିତି ନେଇ ପରୀକ୍ଷଣରୁ ଜଣାପଡିଛି ବୋଲି ମୁଖ୍ୟମନ୍ତ୍ରୀ ନାଇଡୁ ଯେଉଁ ଅଭିଯୋଗ କରିଛନ୍ତି ତାହାର ଅତି ସାଂଘାତିକ ହୋଇଥିବାରୁ ଏବଂ ହିନ୍ଦୁଙ୍କ ଭାବନାକୁ ଆଘାତ ଦେଇଥିବାରୁ ଏସଆଇଟି (ସ୍ୱତନ୍ତ୍ର ତଦନ୍ତକାରୀ ସଂସ୍ଥା) ଗଠନ ମାଧ୍ୟମରେ ସତ୍ୟାସତ୍ୟର ଯାଂଚ କରାଯାଉ ବୋଲି ସୁପ୍ରିମ କୋର୍ଟରେ ‘ହିନ୍ଦୁ ସେନା’ ପକ୍ଷରୁ ଏକ ପିଆଇଏଲ୍ (ଜନସ୍ୱାର୍ଥ ମାମଲା) ଦାଏର କରାଯାଇଛି । ସୁରଜିତ ସିଂହ ଯାଦବ ନାମକ ଜଣେ ଚାଷୀ ତଥା ‘ହିନ୍ଦୁ ସେନା’ର ସଭାପତି ଏହି ମାମଲା ଦାଏର କରିଛନ୍ତି । ଇତିମଧ୍ୟରେ ଟିଟିଡି କର୍ଣ୍ଣାଟକ ମିଲ୍କ୍ ଫେଡେରେସନ୍ (କେଏମଏଫ)କୁ ନୂଆ କରି ଘିଅ ଯୋଗାଣକାରୀ ଭାବେ ନିଯୁକ୍ତି ଦେଇ ଭକ୍ତଙ୍କୁ ବିଶୁଦ୍ଧ ଲଡୁ ପ୍ରସାଦ ଯୋଗାଇ ଦେବାକୁ ପ୍ରତିଶ୍ରୁତିବଦ୍ଧ ହୋଇଛି । ମନ୍ଦିରକୁ ଯୋଗାଣ ହେଉଥିବା ଘିଅ ଓ ଭକ୍ତଙ୍କୁ ଯୋଗାଇ ଦିଆଯାଉଥିବା ଲଡୁ ପ୍ରସାଦକୁ ନେଇ ଟିଟିଡି ଆଉ କୌଣସି ପ୍ରକାର ସାଲିସ କରିବ ନାହିଁ ବୋଲି ଟିଟିଡିର ଏକ୍ଜିକ୍ୟୁଟିଭ ଅଫିସର ଜେ.ଶ୍ୟାମଲ ରାଓ ଗତକାଲି ଗଣମାଧ୍ୟମକୁ ସୂଚିତ କରିଥିବା ବେଳେ କେଏମଏଫ ତାହାର ପ୍ରସିଦ୍ଧ ନନ୍ଦିନୀ ମାର୍କା ଘିଅ ମନ୍ଦିର ପ୍ରଶାସନକୁ ଯୋଗାଇବା ଆରମ୍ଭ କରି ଦେଇଛି । ଆସନ୍ତା ଅକ୍ଟୋବର ୦୪ରୁ ୧୨ ତାରିଖ ଯାଏଁ ତିରୁପତି ଶ୍ରୀଭେଙ୍କଟେଶ୍ୱରଙ୍କ ମନ୍ଦିରରେ ବାର୍ଷିକ ପବିତ୍ର ବ୍ରହ୍ମୋତ୍ସବ ପାଳନ କରାଯିବ । ଏଥିରେ ଲକ୍ଷାଧିକ ଭକ୍ତ ସାମିଲ ହେବେ । ତେଣୁ, ମନ୍ଦିର ପ୍ରଶାସନ ଯତେଷ୍ଟ ପରିମାଣର କେଏମଏଫ ଘିଅ ଗଚ୍ଛିତ ରଖିଛନ୍ତି ବୋଲି ଆନ୍ଧ୍ର ପ୍ରଦେଶର ମନ୍ତ୍ରୀ ନାରା ଲୋକେଶ ନାଇଡୁ ହାଇଦ୍ରାବାଦରେ ଗଣମାଧ୍ୟମକୁ କହିଛନ୍ତି । ମନ୍ଦିରର ପାକଶାଳା (ପୋଟ୍ଟୁ) ଦାୟିତ୍ୱରେ ଥିବା ମୁନି ରତ୍ନମ କହିଛନ୍ତି, ବ୍ରହ୍ମୋତ୍ସବ ଅବସରରେ ପ୍ରତିଦିନ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାକୁ ଥିବାରୁ ଦୈନିକ ୦୮ରୁ ୦୯ ଲକ୍ଷ ପ୍ରସାଦମ୍ ଲଡୁ ପ୍ରସ୍ତୁତ କରାଯାଇ ଗଚ୍ଛିତ ରଖାଯିବ । ଏଥି ସକାଶେ ମନ୍ଦିର ପ୍ରଶାସନ ଆବଶ୍ୟକ ପରିମାଣର ବିଶୁଦ୍ଧ ଘିଅ ଓ ଅନ୍ୟ ସାମଗ୍ରୀ ଗଚ୍ଛିତ ରଖିଛନ୍ତି । ଟିଟିଡି ପକ୍ଷରୁ ତିରୁପତି ତିରୁମାଲା ମନ୍ଦିରର ଆଗାମୀ ପବିତ୍ର ବାର୍ଷିକ ‘ବ୍ରହ୍ମୋତ୍ସବ’ର ପ୍ରସ୍ତୁତି ଆରମ୍ଭ ସାରିଛି । ଠିକ୍ ଏତିକି ବେଳେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ନାଇଡୁ ପୂର୍ବ ସରକାରଙ୍କ ସମୟରେ ତିରୁପତିଙ୍କ ମନ୍ଦିରରେ ଭକ୍ତମାନଙ୍କ ପାଇଁ ପ୍ରସ୍ତୁତ ହେଉଥିବା ଲଡୁ ପ୍ରସାଦରେ ଅପମିଶ୍ରିତ ଘିଅ (ପଶୁ ଚର୍ବି ଓ ମାଛ ତେଲ ଯୁକ୍ତ) ବ୍ୟବହାର ହୋଇଥିବା ପ୍ରସଙ୍ଗ ଉଠାଇ ଯେଉଁ ଦ୍ୱନ୍ଦ୍ୱ ସୃଷ୍ଟି କରିଛନ୍ତି ଏବଂ ତାହାକୁ ନେଇ ସମଗ୍ର ଦେଶରେ ଯେଉଁ ରାଜନୈତିକ ଝଡ ସୃଷ୍ଟି ହୋଇଛି ତାହାର ପରିଣତି କଣ ହେବ (?)- ତାହା ଅଗାମୀ ଦିନରେ ଜଣାପଡିବ ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS