ସପ୍ତାହକ ପରେ ମଧ୍ୟ ସେନା-ପୁଲିସ ବିବାଦ ଥମୁନି !


ପ୍ରସାଦ ରାଓ
ଭୁବନେଶ୍ୱର
ସେପ୍ଟେମ୍ବର ୨୩/୨୦୨୪
ସେପ୍ଟେମ୍ବର ୧୫ ତାରିଖ (ରବିବାର) ରାତିରେ ଭୁବନେଶ୍ୱର ଭରତପୁର ଥାନାରେ ଭାରତୀୟ ସେନାର ଜଣେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପୁଲିସ ନିର୍ଯ୍ୟାତନା ଦେଇଥିବା ଅଭିଯୋଗର କ୍ରାଇମ ବ୍ରାଂଚ ତଦନ୍ତ ଚାଲିଥିବା ବେଳେ ରାଜ୍ୟ ସରକାର ଗତକାଲି ବିଳମ୍ବ ରାତ୍ରୀରେ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦେଶ ଦେଇଛନ୍ତି । ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି ଜଷ୍ଟିସ ଚିତ୍ତରଂଜନ ଦାଶ ଘଟଣାର ତଦନ୍ତ କରି ଷାଠିଏ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି । ରାଜ୍ୟ ସରକାରଙ୍କ ଗୃହ ମନ୍ତ୍ରଣାଳୟ ପକ୍ଷରୁ ରବିବାର (୨୨ ତାରିଖ) ରାତିରେ ଏନେଇ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟ ସରକାରଙ୍କ ଗେଜେଟ ବିଜ୍ଞପ୍ତିରେ କୁହାଯାଇଛି ଯେ, ସେପ୍ଟେମ୍ବର ୧୫ ତାରିଖ ରାତିରେ ସେନା ବାହିନୀର ଜଣେ ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଭାରତପୁର ଥାନାରେ ନିର୍ଯ୍ୟାତନା ଦିଆଯାଇଥିବା ନେଇ ପୁଲିସ ବିରୋଧରେ ଅଭିଯୋଗ ହୋଇଥିବା ବେଳେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀ କାର୍ଯ୍ୟରତ ପୁଲିସ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ସଂପୃକ୍ତ ପୁଲିସ କର୍ମଚାରୀଙ୍କ ପକ୍ଷରୁ ପାଲଟା ଅଭିଯୋଗ ହୋଇଛି । ଥାନାରେ ସିସିଟିଭି ଲାଗି ନଥିବାରୁ ପ୍ରକୃତରେ କଣ ଘଟିଛି, ତାହା ଅସ୍ପଷ୍ଟ । ଅଭିଯୋଗ ଅତ୍ୟନ୍ତ ଗୁରୁତର ଚିନ୍ତାଜନକ ହୋଇଥିବାରୁ ରାଜ୍ୟ ସରକାର କମିସନ ଅଫ୍ ଇନକ୍ୱାରୀ ଆକ୍ଟ, ୧୯୫୨ର ବିଭିନ୍ନ ଧାରାରେ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିଷ୍ପତ୍ତି ନେଇଛନ୍ତି । ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇବାର ୬୦ ଦିନ ମଧ୍ୟରେ ଜଷ୍ଟିସ ଚିତ୍ତରଂଜନ ଦାଶ କମିଶନ ସଂପୂର୍ଣର୍ ଘଟଣାର ତଦନ୍ତ କରି ସରକାରଙ୍କୁ ରିପୋର୍ଟ ଦେବାକୁ ଅନୁରୋଧ କରାଯାଇଛି । ରବିବାର (୧୫ ତାରିଖ) ରାତିରେ ଭରତପୁର ଥାନାରେ କେଉଁ ପରିସ୍ଥିତିରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଲା, କେସ୍ ନମ୍ବର ୬୪୦/୧୫/୦୯/୨୦୨୪ରେ ଭରତପୁର ଥାନା ଓ କେସ୍ ନମ୍ବର ୩୧୫/୧୯/୦୯/୨୦୨୪ରେ ଥାନାରେ ମାମଲା ରୁଜୁ ହେଲା, ଏଥିରେ ସଂପୃକ୍ତ ବ୍ୟକ୍ତି/ଗୋଷ୍ଠୀ ବା ଅଧିକାରୀଙ୍କ ଭୂମିକା କଣ ଥିଲା – ଜଷ୍ଟିସ ଦାଶ କମିଶନ ତାହାର ସବିଶେଷ ତଦନ୍ତ କରିବା ସହ ଭବିଷ୍ୟତରେ ଏପ୍ରକାର ଘଟଣାକୁ କିଭଳି ଏଡାଇ ହେବ ଓ ମହିଳାଙ୍କ ସୁରକ୍ଷା ଏବଂ ନିରାପତ୍ତା କିଭଳି ସୁରକ୍ଷିତ ରହିବ – ସେ ନେଇ ସରକାରଙ୍କୁ ସୁପାରିଶ କରିବେ ବୋଲି ରାଜ୍ୟପାଳଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଦସ୍ତଖତରେ ପ୍ରକାଶିତ ଗେଜେଟ ବିଜ୍ଞପ୍ତିରେ କୁହାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତକାଲି ରାତିରେ ନିଜ ନିର୍ବାଚନ ମଣ୍ଡଳୀ ଗସ୍ତରୁ ଫେରିବା ପରେ ମନ୍ତ୍ରୀ ପରିଷଦ ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ । ପରେ, ରାଜ୍ୟପାଳଙ୍କ କାର୍ଯ୍ୟାଳୟରୁ ଏହି ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜି ଭରତପୁର ଥାନା ଘଟଣାକୁ ନେଇ ଓଡ଼ିଶା ହାଇକୋର୍ଟରେ ହୋଇଥିବା ଏକ ଜନସ୍ୱାର୍ଥ ମାମଲା (ପିଆଇଏଲ)ର ଶୁଣାଣୀ କରି ହାଇକୋର୍ଟ କହିଛନ୍ତି, ଭରତପୁର ଥାନା ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ରାଜ୍ୟ ସରକାର ନିର୍ଦେଶ ଦେଇଥିବା ସରକାରଙ୍କ ଆଡଭୋକେଟ ଜେନେରାଲ କୋର୍ଟକୁ ଜଣାଇ ଥିବାରୁ ହାଇକୋର୍ଟ ମାମଲାରେ ହସ୍ତକ୍ଷେପ କରିବାକୁ ଚାହୁଁ ନାହାନ୍ତି । ତେବେ, ଥାନାରେ ନିର୍ଯ୍ୟାତନାର ଶିକାର ହୋଇଥିବା ନେଇ ଅଭିଯୋଗ କରିଥିବା ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କ ନାମ ଗଣମାଧ୍ୟମରେ ପ୍ରକାଶ ନକରିବାକୁ ହାଇକୋର୍ଟ ଆଜି ଛାପା, ବୈଦ୍ୟୁତିକ ଓ ସାମାଜିକ ଗଣମାଧ୍ୟମଙ୍କୁ ନିର୍ଦେଶ ଦେଇଛନ୍ତି । ଭରତପୁର ଥାନା ଘଟଣାରେ ଓଡ଼ିଶା ହାଇକୋର୍ଟ ଗଭୀର ଉଦ୍ବେଗ ପ୍ରକାଶ କରିଥିଲେ ମଧ୍ୟ ଘଟଣାରେ ସଂପୃକ୍ତ ପାଂଚ ପୁଲିସ ଅଧିକାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି ଏବଂ ଓଡ଼ିଶା କ୍ରାଇମ ବ୍ରାଂଚ ଏହି ଘଟଣାର ତଦନ୍ତ କରୁଛି ବୋଲି ରାଜ୍ୟ ସରକାର ଅଦାଲତଙ୍କୁ ସୂଚିତ କରିଥିବାରୁ ହାଇକୋର୍ଟ ତଦନ୍ତରେ ହସ୍ତକ୍ଷେପ ନକରି ଥାନାମାନଙ୍କରେ ଆବଶ୍ୟକ ସୁବିଧା, ସୁଯୋଗ ଯେଭଳି ବ୍ୟବସ୍ଥିତ ହେବ ସେଦିଗରେ ଧ୍ୟାନ ଦେବେ ବୋଲି କହିଛନ୍ତି । ରାଜ୍ୟବ୍ୟାପୀ ସବୁ ଥାନାରେ ଲାଗିଥିବା ସିସିଟିଭି କ୍ୟାମେରାର ଏକ ଷ୍ଟାଟସ୍ ରିପୋର୍ଟ ଅଦାଲତରେ ଦାଖଲ କରିବା ହାଇକୋର୍ଟ ପୁଲିସ ବିଭାଗ ଏଡିଜି (ଆଧୁନିକୀକରଣ)ଙ୍କୁ ନିର୍ଦେଶ ଦେବା ସହ ଏହି କାର୍ଯ୍ୟ ତଦାରଖ କରିବା ସକାଶେ ଜଣେ ଆମିକସ୍ କ୍ୟୁରୀଙ୍କୁ ନିଯୁକ୍ତି ଦେଇଛନ୍ତି । ଇତିମଧ୍ୟରେ, ଭରତପୁର ଥାନା ଘଟଣାର ପୀଡିତ ସେନା ଅଧିକାରୀ, ତାଙ୍କ ବାନ୍ଧବୀ ଓ ବାନ୍ଧବୀଙ୍କ ପିତାଙ୍କୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରସ୍ଥିତ ଲୋକ ସେବା ଭବନ (ରାଜ୍ୟ ସଚିବାଳୟ)ରେ ଭେଟି ସେପ୍ଟେମ୍ବର ୧୫ ତାରିଖ ଘଟଣାର ତଦନ୍ତ ନିରପେକ୍ଷ ଭାବେ କରାଯିବ ବୋଲି ଦୃଢ ପ୍ରତିଶ୍ରୁତି ଦେଇଛନ୍ତି । ବୈଠକରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜସ୍ୱ ମନ୍ତ୍ରୀ ସୁରେଶ ପୁଜାରୀ ପ୍ରମୁଖ ଉପସ୍ଥିତ ଥିଲେ । ସେନା ଅଧିକାରୀଙ୍କ ବାନ୍ଧବୀ ସେଦିନ ରାତିରେ ଥାନାରେ ଉପସ୍ଥିତ ଥିବା ପୁଲିସ କର୍ମଚାରୀମାନେ ତାଙ୍କ ପ୍ରତି କିଭଳି ଅମାନୁଷିକ ବ୍ୟବହାର ପ୍ରଦର୍ଶନ କରିଥିଲେ ତାହା ମୁଖ୍ୟମନ୍ତ୍ରୀଙ୍କୁ ଜଣାଇ ଥିଲେ । ତଦନ୍ତରୁ ଯେଉଁମାନେ ଦୋଷୀ ଜଣାପଡିବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପିଡୀତାଙ୍କୁ ପ୍ରତିଶ୍ରୁତି ଦେିଥିବା ଜଣାପଡିଛି । ଏଠାରେ ସୂଚନାଯୋଗ୍ୟ ଯେ, ୧୫ ତାରିଖ ବିଳମ୍ବ ରାତ୍ରୀଙ୍କ ସେନା ମେଜର ଓ ତାଙ୍କ ବାନ୍ଧବୀ ଚନ୍ଦକା ଥାନା ଅଂଚଳରେ ଥିବା ବାନ୍ଧବୀଙ୍କ ରେଷ୍ଟୁରାଂଟରେ ଚବି ପକାଇ ଘରକୁ ଫେରୁଥିବା ବେଳେ ପତରଗାଡିଆ ଛକରେ କେତେକ ଇଂଜିନିୟରିଂ ଛାତ୍ରଙ୍କ ସହ ସେମାନଙ୍କର ବଚସା ହୋଇଥିଲା । ଏହି ଛାତ୍ରମାନେ ତିନିଟି କାର୍ ରେ ଥିଲେ । ସେନା ମେଜର ରାସ୍ ଡ୍ରାଇଭିଂ କରୁଥିବାରୁ ବଚସା ହୋଇଥିଲା ବୋଲି ପୁଲିସ ଦ୍ୱାରା ଗିରଫ ହୋଇ କୋର୍ଟରୁ ତୁରନ୍ତ ଜାମିନ ପାଇ ବାହାରି ଆସିଥିବା ସାତ ଜଣ ଇଂଜିନିୟରିଂ ଛାତ୍ର ଅଭିଯୋଗ କରିଥିବା ବେଳେ ଏହି ଛାତ୍ରମାନେ ରାସ୍ତାରେ ଗାଡି ଅଟକାଇ ଦୁର୍ବ୍ୟବହାର କରିବାରୁ ସେମାନେ ଅଭିଯୋଗ କରିବାକୁ ଭରତପୁର ଥାନାକୁ ଯାଇ ଓଲଟା ଥାନା କର୍ମଚାରୀଙ୍କ ଦୁର୍ବ୍ୟବହାରର ସମ୍ମୁଖୀନ ହୋଇଥିଲେ ବୋଲି ସେନା ମେଜର ଓ ଓ ତାଙ୍କ ବାନ୍ଧବୀ ଅଭିଯୋଗ କରିଛନ୍ତି । ଥାନରେ ସେମାନଙ୍କୁ ମାଡ ମରାଯାଇ ସକାଳ ପର୍ଯ୍ୟନ୍ତ ହାଜତରେ ରଖା ଯାଇଥିବା ଏବଂ ସକାଳେ ମେଜରଙ୍କୁ ନୋଟିସ ଦେଇ ଛଡା ଯାଇଥିବା ବେଳେ ତାଙ୍କ ବାନ୍ଧବୀଙ୍କୁ ଥାନା ଆଇଆଇସି ପୁନର୍ବାର ମାଡ ମାରିବା ସହ ଅଶ୍ଲୀଳ ଆଚରଣ କରିବା ପରେ ମିଥ୍ୟା ମାମଲାରେ ଛନ୍ଦି କୋର୍ଟ ଚାଲାଣ କରିଥିବା ପୀଡିତା ଯୁବତୀ ଅଭିଯୋଗ କରିଛନ୍ତି । ଓଡ଼ିଶା ହାଇକୋର୍ଟ ପୀଡିତାଙ୍କ ଜାମିନ ଆବେଦନର ବିଚାର କରି ପୀଡିତାଙ୍କୁ ଜାମିନ ପ୍ରଦାନ କରିବା ସହ ତାଙ୍କୁ ଜେଲ ହାଜତକୁ ପଠାଇ ଥିବା ନିମ୍ନ ଅଦାଲତ ମାଜିଷ୍ଟ୍ରେଟଙ୍କ ଉପରେ ବର୍ଷିଥିଲେ । ଭରତପୁର ଘଟଣାରେ ସେନା ଅଧିକାରୀ ଓ ପୂର୍ବତନ ସେନା ଅଧିକାରୀମାନେ ଜଣେ କାର୍ଯ୍ୟରତ ସେନା ମେଜରଙ୍କୁ ପୁଲିସ ରାତିସାରା ଥାନା ହାଜତରେ ଅଟକ ରଖିବା ଘଟଣାକୁ ନିନ୍ଦା କରିବା ସହ ସଂପୃକ୍ତ ପୁଲିସ କର୍ମଚାରୀଙ୍କୁ ଗିରଫ କରିବାକୁ ରାଜ୍ୟ ସରକାରଙ୍କ ଉପରେ ଚାପ ସୃଷ୍ଟି କରୁଥିବା ବେଳେ ଘଟଣା ତଦନ୍ତସ୍ତରରେ ଥିବା ସମୟରେ ରାଜ୍ୟ ସରକାର ପାଂଚ ଜଣ ପୁଲିସ କର୍ମଚାରଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିବାରୁ ସେବାରତ ଓ ସେବା-ନିବୃତ୍ତ ପୁଲିସ ଅଧିକାରୀମାନେ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି । ନିଲମ୍ବିତ ମହିଳା ପୁଲିସ ଅଧିକାରୀଙ୍କ ପରିବାର ମଧ୍ୟ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ବିରୋଧରେ ଧାରଣା ଦେଇଥିବାରୁ ରାଜ୍ୟ ସରକାର ପ୍ରବଳ ଚାପରେ ଅଛନ୍ତି । ଘଟଣାଟି ୧୫ ତାରିଖ ରାତିରେ ଘଟିଥିଲେ ମଧ୍ୟ ୧୭ ତାରିଖ ପର୍ଯ୍ୟନ୍ତ ସରକାର ନିରବ ଥିଲେ । ପୀଡିତାଙ୍କ ହାଇକୋର୍ଟ ଜାମିନ ଦେବା ପରେ ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିବା ପରେ ‘ଆଇନ ତା’ ବାଟରେ ଯିବ’ କହି ରାଜ୍ୟ ସରକାରଙ୍କ ମନ୍ତ୍ରୀମାନେ ପୂର୍ବ ସରକାରଙ୍କ ଗୋଇ ଖୋଳିବା ଆରମ୍ଭ କରିଥିଲେ । ବିରୋଧୀଙ୍କ ସମାଲୋଚନା ଓ ଆନ୍ଦୋଳନ ଧମକ ରାଜନୈତିକ ଉଦ୍ଦେଶ୍ୟମୂଳକ ବୋଲି ଶାସକ ଦଳ ମନ୍ତ୍ରୀମାନେ ଅଭିଯୋଗ କରୁଥିଲେ । ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେଡ଼ି ଓ କଂଗ୍ରେସ ପକ୍ଷରୁ ସରକାରଙ୍କ ଉପରେ ଚାପ ସୃଷ୍ଟି କରାଯିବା ପରେ ସରକାର ବିଚାର ବିଭାଗୀୟ ତଦନ୍ତ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସଂପ୍ରତ୍ତି ରାଜ୍ୟ ବିଧାନସଭାର ବିରୋଧୀ ଦଳ ନେତା ଥିବା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଭରତପୁର ଥାନା ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିବା ସହ ନହେଲେ ବିଜେଡ଼ି ରାଜରାସ୍ତାକୁ ଓହ୍ଲାଇବ ବୋଲି ଧମକ ଦେଇଥିଲେ । ମଂଗଳବାର (୨୪ ତାରିଖ) ବିଜେଡ଼ି ପକ୍ଷରୁ ୧୨ ଘଂଟିଆ ଭୁବନେଶ୍ୱର ବନ୍ଦ ଡାକରା ଦିଆଯାଇଥିଲା । କଂଗ୍ରେସ ପକ୍ଷରୁ ମଧ୍ୟ ଆନ୍ଦୋଳନ ତେଜି ଥିଲା । ରାଜ୍ୟ ସରକାର ଚାପର ସମ୍ମୁଖୀନ େହୋଇ ଗତକାଲି ବିଳମ୍ବିତ ରାତ୍ରୀରେ ଭରତପୁର ଥାନା ଘଟଣାର ବିଚାର ବିଭାଗୀୟ ତଦନ୍ତ ନିଷ୍ପତ୍ତି ନେଇ ଗେଜେଟ ବିଜ୍ଞପ୍ତି ଜାରି କରିବା ପରେ ବିଜେଡ଼ି ୨୪ ତାରିଖରେ ହେବାକୁ ଥିବା ୧୨ ଘଂଟିଆ ବନ୍ଦ ନିଷ୍ପତ୍ତିକୁ ପ୍ରତ୍ୟାହାର କରି ନେଇଥିବା ଆଜି ଘୋଷଣା କରିଛି । ସରକାର ୬୦ ଦିନରେ ତଦନ୍ତ କାର୍ଯ୍ୟ ଶେଷ କରିବେ ବୋଲି ଯାହା କହିଛନ୍ତି ତାହା କରି ଦେଖାଇବେ ବୋଲି ବିଜେଡ଼ି ନେତା ଦେବୀ ମିଶ୍ର ଆଜି ଆଶାବ୍ୟକ୍ତ କରିଛନ୍ତି । ଓଡ଼ିଶାରେ ଘଟିଥିବା ଏହି ଘଟଣା ଜାତୀୟସ୍ତରରେ ଚର୍ଚ୍ଚାର ବିଷୟ ରହିଛି । ଭାରତୀୟ ସେନାର ବହୁ ଅଧିକାରୀ ଓ ପୂର୍ବତନ ଅଧିକାରୀ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖି ଘଟଣାର ନିରପେକ୍ଷ ତଦନ୍ତ ପାଇଁ ନିବେଦନ କରିଛନ୍ତି । ଦେଶର ଦୁଇ ଜଣ ପୂର୍ବତନ ସେନା ମୁଖ୍ୟ ମେଜର ଜେନେରାଲ ଭି.କେ.ସିଂହ ଓ ମେଜର ଜେନେରାଲ ଭି.ପି.ମଲ୍ଲିକ (ଦୁହେଁ ଅବସରପ୍ରାପ୍ତ) ଭରତପୁର ଥାନା ଘଟଣାରେ ସଂପୃକ୍ତ ପୁଲସ କର୍ମଚାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରି ‘ଏକ୍ସ’ରେ ପୋଷ୍ଟ୍ କରିଛନ୍ତି । ଘଟଣାକୁ ସେମାନେ ଭୟଙ୍କର ଓ ଲଜ୍ଜାଜନକ ବୋଲି କହିଛନ୍ତି । ଓଡ଼ିଶା ପୁଲିସର କଦର୍ଯ୍ୟ ବ୍ୟବହାର ବିଶୃଙ୍ଖଳା ଓ ଅହଂକାରକୁ ଦର୍ଶାଉଛି ବୋଳି ମେଜର ଜେନେରାଲ (ଅବସରପ୍ରାପ୍ତ) ଭି.ପି.ମଲ୍ଲିକ ଅଭିଯୋଗ କରିବା ସହ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି । ଜଣେ କାର୍ଯ୍ୟରତ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କ ସହ ଯଦି ଏଭଳି ଘଟଣା ଘଟିପାରେ ତେବେ ସାଧାରଣ ନାଗରିକଙ୍କ ସହ କଣ ଘଟୁନଥିବ ବୋଲି ବ୍ରିଗେଡିୟର ହରଦୀପ ସିଂହ ସୋହି ପ୍ରଶ୍ନ ଉଠାଇଛନ୍ତି । ମେଜର ଜେନେରାଲ (ଅବସରପ୍ରାପ୍ତ) ଏ.କେ.ସିୱାଚ ପୁଲିସର ଏଭଳି ଅସଭ୍ୟ ଆଚରଣ ଆଦୌ ଭଲ ବାତ୍ ର୍ତା ଦେଉ ନାହିଁ ବୋଲି କହି ସଂପୃକ୍ତ ପୁଲିସ କର୍ମଚାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ଦାବି କରିଥିବା ବେଳେ ଏକ୍ସ ସର୍ଭିସମେନ୍ ବିଭାଗ ଅଧ୍ୟକ୍ଷ କର୍ଣ୍ଣେଲ (ଅବସରପ୍ରାପ୍ତ) ରୋହିତ ଚୌଧୁରୀ ଏହି ମାମଲାରେ ଭାରତୀୟ ସ୍ଥଳ ସେନା ମୁଖ୍ୟ ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଚିଠି ଲେଖି ତୁରନ୍ତ ପଦକ୍ଷେପ ନେବାକୁ ଚାପ ପକାଇବାକୁ ଦାବି କରିଛନ୍ତି । ଗୋଟିଏ ପଟେ ସେନା ଓ ଅନ୍ୟ ପଟେ ରାଜ୍ୟ ପୁଲିସ – ସରକାରରେ ଚାପରେ ରହିବା ସ୍ୱାଭାବିକ । ତେବେ, ଘଟଣା ଘଟି ଗୋଟିଏ ସପ୍ତାହ ବିତିଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ନିରବ ଥିବା ସମସ୍ତଙ୍କୁ ବିସ୍ମିତ କରିଛି ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS