ମେଡିକାଲ ଶିକ୍ଷା କ୍ଷେତ୍ରରେ ଏନଆରଆଇ କୋଟା କେବଳ ଏକ ‘ଠକାମୀ’ !


ପ୍ରସାଦ ରାଓ
ସେପ୍ଟେମ୍ବର ୨୪/୨୦୨୪
ମେଡିକାଲ କଲେଜ ଆଡମିଶନରେ ଏନଆରଆଇ କୋଟା ନାମରେ ଯାହା ଚାଲିଛି ତାହା କେବଳ ଏକ ‘ଠକାମୀ’ ଛଡା ଆଉ କିଛି ନୁହଁ ବୋଲି ସୁପ୍ରିମ କୋର୍ଟ ଆଜି ରାୟ ଦେବା ସହ ପଂଜାବ-ହରିୟାଣା ହାଇକୋର୍ଟଙ୍କ ଏକ ରାୟ ବିରୋଧରେ ପଂଜାବ ସରକାରଙ୍କ ଅପିଲକୁ ଖାରଜ କରିଛନ୍ତି । ମେଡିକାଲ ଶିକ୍ଷାରେ ଆଡମିଶନ ନିମନ୍ତେ ପ୍ରବାସୀ ଭାରତୀୟ (ଏନଆରଆଇ)ଙ୍କ ପାଇଁ ଯେଉଁ କୋଟା ବ୍ୟବସ୍ଥା ରହିଛି ତାହାକୁ ପରିବର୍ଦ୍ଧିର୍ତ କରି ଏହି କୋଟାରେ ପ୍ରବାସୀ ଭାରତୀୟ ଓ ସେମାନଙ୍କ ନିକଟ ସଂପର୍କୀୟମାନେ ଆଡମିଶନ ନେଇ ପାରିବେ ବୋଲି ପଂଜାବ ସରକାର ଗତ ଅଗଷ୍ଟ ୨୦ ତାରିଖରେ ଏକ ବିଜ୍ଞପ୍ତି ପ୍ରକାଶ କରିଥିଲେ । ପଂଜାବ-ହରିୟାଣା ହାଇକୋର୍ଟ ପଂଜାବ ସରକାରଙ୍କ ଏହି ବିଜ୍ଞପ୍ତିକୁ ଖାରଜ କରିବା ସହ ଏହି ବିଜ୍ଞପ୍ତି ଏନଆରଆଇ କୋଟାର ଦୁରୁପଯୋଗ ପାଇଁ ବାଟ ଖୋଲିବ ବୋଲି ମତ ଦେଇଥିଲେ । ହାଇକୋର୍ଟଙ୍କ ରାୟ ବିରୋଧରେ ପଂଜାବ ସରକାର ସୁପ୍ରିମ କୋର୍ଟରେ ଆବେଦନ କରିଥିଲେ । ଆଜି ସୁପ୍ରିମ କୋର୍ଟରେ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡଙ୍କ ଖଣ୍ଡପୀଠ ଏହି ଆବେଦନ ଉପରେ ଶୁଣାଣୀ କରିବା ସମୟରେ ପଂଜାବ ସରକାରଙ୍କ ପକ୍ଷରୁ ଉପସ୍ଥିତ ଓକିଲଙ୍କ ଯୁକ୍ତି ଥିଲା – ହିମାଚଳ ପ୍ରଦେଶ, ୟୁପି, ଚଣ୍ଡିଗଡ ସମେତ ସବୁଠି ମେଡିକାଲ ଶିକ୍ଷାରେ ଆଡମିଶନ କ୍ଷେତ୍ରରେ ଏନଆରଆଇ କୋଟାର ସଂଜ୍ଞାକୁ ଏହି ଦୃଷ୍ଟିରେ ବିଚାର କରାଯାଇ କାର୍ଯ୍ୟକାରୀ କରାଯାଉଛି । ପଂଜାବ ସରକାର ସେଥିରେ ସାମାନ୍ୟ କିଛି ପରିବର୍ତ୍ତନ କରିଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ ପଂଜାବ ସରକାରଙ୍କ ଯୁକ୍ତିକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ମେଡିକାଲ କଲେଜ ଆଡମିଶନରେ ଏନଆରଆଇଙ୍କ ପାଇଁ ରହିଥିବା କୋଟାରେ ସେମାନଙ୍କ ନିକଟତମ ସଂପର୍କୀୟଙ୍କ କଥା ମଧ୍ୟ ବିଚାର କରାଯିବ ବୋଲି ପଂଜାବ ସରକାର ଯେଉଁ ବିଜ୍ଞପ୍ତି ଜାରି କରିଛନ୍ତି – ତାହା କଣ (?) ବୋଲି ପ୍ରଧାନ ବିଚାରପତି ପ୍ରଶ୍ନ କରିବା ସହ ରାଜ୍ୟ ସରକାର ଆଡମିଶନ ନାମରେ କେବଳ ଅର୍ଥ ଲୁଟିବାକୁ ଏଭଳି ସଠତାକୁ ଆପଣାଇଛନ୍ତି ବୋଲି ସମାଲୋଚନା କରିଥିଲେ । ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡଙ୍କ ଏହି ଖଣ୍ଡପୀଠରେ ବିଚାରପତି ଜଷ୍ଟିସ ଜେ.ବି.ପର୍ଦ୍ଦିୱାଲା ମଧ୍ୟ ଅଛନ୍ତି । ପଂଜାବ-ହାରିୟାଣା ହାଇକୋର୍ଟଙ୍କ ରାୟକୁ ସୁପ୍ରିମ କୋର୍ଟ ଖଣ୍ଡପୀଠ ସମର୍ଥନ ଦେଇଛନ୍ତି । ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ କହିଛନ୍ତି, ମେଡିକାଲ କଲେଜ ଆଡମିଶନରେ ଯେଉଁ ଏନଆରଆଇ କୋଟା ବ୍ୟବସ୍ଥା ରହିଛି ତାହା ସଂପୂର୍ଣ୍ଣ ଭାବେ ‘ଠକାମୀ’ । ‘ଆମକୁ ତୁରନ୍ତ ଏହି ବ୍ୟବସାୟକୁ ବନ୍ଦ କରିବାକୁ ପଡିବ’ । ଏନଆରଆଇ କୋଟା ଯୋଗୁଁ ତିନି ଗୁଣ ଅଧିକ ନମ୍ବର ରଖିଥିବା ପିଲାମାନେ ଆଡମିଶନ ପାଉନଥିବା ଆଡମିଶନ ଫଳାଫଳରୁ ଜଣାପଡୁଛି’ । ଜଷ୍ଟିସ ପର୍ଦ୍ଦିୱାଲ କହିଛନ୍ତି, ‘ସମସ୍ତ ଆବେଦନ ଭାରତରୁ ହୋଇଥିବା ବେଳେ ଏନଆରଆଇଙ୍କ ସଂପର୍କୀୟମାନେ କୋଟାର ସୁଯୋଗ ନେଉଛନ୍ତି । କାରଣ, ସେମାନେ ହେଉଛନ୍ତି କାହାର ତାଇ, ତାଉ, ଚାଚା ବା ଚାଚି ..’ । ଯାହା ‘ନିହାତି ବେଆଇନ’ ତାହାକୁ ଅଦାଲତ କେବେ ବି ସମର୍ଥନ ଦେବ ନାହିଁ ବୋଲି ପ୍ରଧାନ ବିଚାରପତି କହିଛନ୍ତି । ଏଠାରେ ସୂଚନାଯୋଗ୍ୟ, ପଂଜାବ ମେଡିକାଲ ଓ ଡେଂଟାଲ କଲେଜରେ ଏନଆରଆଇ କୋଟାରେ ପାଖାପାଖି ୧୮୫ଟି ସିଟ୍ ରହିଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS