ଆବାସିକ ବିଦ୍ୟାଳୟ ହଷ୍ଟେଲ ୱର୍ଡେନଙ୍କୁ ‘ପୋକ୍ସୋ’ ମାମଲାରେ ମୃତ୍ୟୁଦଣ୍ଡ


ପ୍ରସାଦ ରାଓ
ସେପ୍ଟେମ୍ବର ୨୬/୨୦୨୪
ଅରୁଣାଚଳ ପ୍ରଦେଶର ଏକ ସ୍ୱତନ୍ତ୍ର କୋର୍ଟ ଆଜି ୨୧ ଜଣ ନାବାଳକ, ବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଜଣେ ହଷ୍ଟେଲ ୱାର୍ଡେନଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିବା ସୂଚନା ମିଳିଛି । ଦୁଷ୍କର୍ମର ଶିକାର ହୋଇଥିବା ନାବାଳକ, ବାଳିକାଙ୍କ ବୟସ ୦୬ରୁ ୧୪ ବର୍ଷ ମଧ୍ୟରେ । ୨୦୧୪ରୁ ୨୦୨୨ ମଧ୍ୟରେ ସରକାରଙ୍କ ଦ୍ୱାରା ପରିଚାଳିତ ଏକ ରେସିଡେନ୍ସିଆଲ ସ୍କୁଲରେ ଏହି ଘୃଣିତ ଦୁଷ୍କର୍ମ ଘଟଣାମାନ ଘଟିଥିଲା । ଗୌହାଟୀରୁ ମିଳିଥିବା ସୂଚନା ଅନୁଯାୟୀ, ସ୍ୱତନ୍ତ୍ର ଅଦାଲତର ବିଚାରପତି ଜାୱେପ୍ଲୁ ଚାଏ ଆଜି ସଂପୃକ୍ତ ରେସିଡେନ୍ସିଆଲ ସ୍କୁଲର ହଷ୍ଟେଲ ୱାର୍ଡେନ ୟୁମକେନ ବାର୍ଗାଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିବା ବେଳେ ୨୦ ବର୍ଷ ଧରି ଘଟଣା ସବୁକୁ ଚପାଇ ରଖିିଥିବା ଅଭିଯୋଗରେ ସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ସିଂଗତୁଂଗ ୟୋରପେନ ଓ ହିନ୍ଦୀ ଶିକ୍ଷୟତ୍ରୀ ମାରବୋମ ନୋମଦିରଙ୍କୁ ‘ପୋକ୍ସୋ’ ଆଇନରେ ଜେଲ ଦଣ୍ଡାଦେଶ ଦେଇଛନ୍ତି । ଦୁଷ୍କର୍ମର ସମ୍ମୁଖୀନ ହୋଇଥିବା କେତେକ ଛାତ୍ର ହଷ୍ଟେଲ ୱର୍ଡେନଙ୍କ କୁକର୍ମ ସଂପର୍କରେ ପୂର୍ବତନ ପ୍ରଧାନ ଶିକ୍ଷକ ୟୋରପେନଙ୍କୁ ସୂଚିତ କରିଥିଲେ ମଧ୍ୟ ଏହା ପ୍ରଘଟ ହେଲେ ସ୍କୁଲର ବଦନାମ ହେବ କହି ସେ ଘଟଣା ସବୁକୁ ଚପାଇ ଦେଇଥିଲେ । ଦୁଷ୍କର୍ମର ଶିକାର ହୋଇଥିବା ସ୍କୁଲର ୨୧ ଜଣ ନାବାଳକ ଛାତ୍ର, ଛାତ୍ରୀଙ୍କ ପକ୍ଷରୁ ଓୟାମ ବିଙ୍ଗେପ ପୋକ୍ସୋ ସ୍ୱତନ୍ତ୍ର ଅଦାଲତରେ ମାମଲା ଲଢୁଥିଲେ । ଆଜି ସ୍ୱତନ୍ତ୍ର ଅଦାଲତ ଦେଇଥିବା ରାୟରେ ସେ ସନ୍ତୋଷ ପ୍ରକାଶ କରିଛନ୍ତି । ଦୁର୍ଷ୍କମରେ ପୀଡିତ ଗୁରୁତର ଭାବେ ଆକ୍ରାନ୍ତ ହୋଇଥିଲେ ମଧ୍ୟ ଜୀବିତ ଥିବା ମାମଲାରେ ପୋକ୍ସୋ ଆଇନରେ ଥିବା ବ୍ୟବସ୍ଥା ଅନୁଯାୟୀ ଭାରତରେ ଅଭିଯୁକ୍ତକୁ ମୃତ୍ୟୁଦଣ୍ଡ ମିଳିବା ଏହା ପ୍ରଥମ ଘଟଣା ବୋଲି ନାବାଳକଙ୍କ ପକ୍ଷରୁ ମାମଲା ପରିଚାଳନା କରିଥିବା ଆଇନଜୀବୀ ଓୟାମ ବିଙ୍ଗେପ କହିଛନ୍ତି । ଆଇପିସି ଓ ପୋକ୍ସୋ ଆଇନର ବିଭିନ୍ନ ଦଫାରେ ବିଚାରପତି ଚାଏ ଏହି ତିନି ଜଣଙ୍କ ଦଣ୍ଡାଦେଶ ଶୁଣାଇଛନ୍ତି । ତେବେ, ଅନ୍ୟ ଦୁଇ ଜଣ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ନିର୍ଦୋଷରେ ଖଲାସ କରାଯାଇଛି । ଏହି ଦୁଇ ଜଣଙ୍କ ମଧ୍ୟରୁ ଜଣେ ତାଜୁଂଗ ୟେରପେନ ସେହି ସ୍କୁଲର ଶିକ୍ଷକ ହୋଇଥିବା ବେଳେ ଅନ୍ୟ ଜଣକ ଡାନିଏଲ ପେର୍ଟିନ ହଷ୍ଟେଲ ୱାର୍ଡେନଙ୍କ ଘନିଷ୍ଟ ସହଯୋଗୀ ଥିଲେ । ତାଜୁଂଗ ୟୋରପେନ ମଧ୍ୟ ଜଣେ ଛାତ୍ରଙ୍କୁ ଯୌନ ଉତ୍ପୀଡନ କରିଥିବା ଅଭିଯୋଗ ଥିଲା । ତେବେ, ଅଦାଲତରେ ମାମଲାର ବିଚାରଣା ଚାଲିଥିବା ବେଳେ ପୀଡିତ ବୟାନ ବଦଳାଇ ଦେବାରୁ ସେ ନିର୍ଦେଶରେ ଖଲାସ ହୋଇଛନ୍ତି । ସେହିଭଳି, ହଷ୍ଟେଲ ୱାର୍ଡେନ ୟୁମକେନ ବାର୍ଗାଙ୍କୁ ପୁଲିସ ଗିରଫ କରିବା ପୂର୍ବରୁ ତାଙ୍କୁ ଆତ୍ମଗୋପନ କରିବାରେ ସହାୟତା କରିବା ଅଭିଯୋଗରେ ଡାନିଏଲ ପେର୍ଟିନଙ୍କ ବିରୋଧରେ ମାମଲା ଚାଲିଥିଲା । ପ୍ରମାଣ ଅଭାବରୁ ପେର୍ଟିନଙ୍କୁ ଖଲାସ କରାଯାଇଥିବା ଜଣାପଡିଛି । ଜଣେ ଅଭିଭାବକ ତାଙ୍କ ୧୨ ବର୍ଷର ଜାଆଁଳା ଝିଅ ଦ୍ୱୟଙ୍କୁ ରେସିଡେନ୍ସିଆଲ ସ୍କୁଲ (ଆବାସିକ ବିଦ୍ୟାଳୟ)ର ହଷ୍ଟେଲ ୱାର୍ଡେନ ବାଗ୍ରା ଯୌନ ଉତ୍ପୀଡନ ଓ ଦୁଷ୍କର୍ମ ଉଦ୍ୟମ କରିଥିବା ନେଇ ୨୦୨୨ ନଭେମ୍ବରରେ ପୁଲିସରେ ଅଭିଯୋଗ କରିବା ପରେ ସ୍କୁଲରେ ଚାଲିଥିବା ଯୌନ ଉତ୍ପୀଡନ ପଦାକୁ ଆସିଥିଲା । ଏକ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ (ଏସଆଇଟି) ଏହି ଅଭିଯୋଗର ତଦନ୍ତ କରିଥିଲେ । ବାର୍ଗା ୨୦୧୪ରୁ ୨୦୨୨ ହଷ୍ଟେଲ ୱାର୍ଡେନ ଥିବା ସମୟରେ ଅନ୍ୟୁନ ୨୧ ଜଣ ନାବାଳକ, ବାଳିକାଙ୍କୁ ଯୌନ ନିର୍ଯ୍ୟାତନା ଦେଇଥିବା ତଦନ୍ତରୁ ଜଣାପଡିଥିଲା । ଯୌନ ଉତ୍ପୀଡନର ଶିକାର ହୋଇଥିବା ବାଳକ ବାଳିକାଙ୍କ ମଧ୍ୟରେ ୦୬ରୁ ୧୪ ବର୍ଷ ବୟସର ୦୬ ଜଣ ବାଳକ ଥିଲେ । ଏସଆଇଟି ପକ୍ଷରୁ ଗତ ବର୍ଷ ଜୁଲାଇ ମାସରେ ହଷ୍ଟେଲ ୱାର୍ଡେନ ବାଗ୍ରାଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ଅଦାଲତରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା । ବାଗ୍ରା ଯେଉଁ ନାବାଳକ, ନାବାଳିକାଙ୍କୁ ଯୌନ ନିର୍ଯ୍ୟାତନା ଦେଉଥିଲେ ସେମାନଙ୍କୁ ଦୁଷ୍କର୍ମ ପୂର୍ବରୁ ନିଶାଗ୍ରସ୍ତ କରୁଥିଲେ ଏବଂ ସେମାନଙ୍କ ହୋସ୍ ଆସିବା ପରେ ଘଟଣା ପ୍ରଘଟ ନ କରିବାକୁ ଧମକଚମକ ଦେଉଥିଲେ । ବାଗ୍ରାଙ୍କ ଦ୍ୱାରା ପୀଡିତ ଛଅ ଜଣ ନାବାଳକ/ନାବାଳିକା ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି ଏସଆଇଟି ଅଦାଲତଙ୍କୁ ସୂଚିତ କରିଥିଲେ । ପୋକ୍ସା ସ୍ୱତନ୍ତ୍ର ଅଦାଲତର ବିଚାରପତି ଚାଏ ସଂପୃକ୍ତ ଆବାସିକ ବିଦ୍ୟାଳୟ ହଷ୍ଟେଲ ୱାର୍ଡେନ ବାଗ୍ରାଙ୍କୁ ଆଇପିସିର ୩୨୮, ୨୯୨ ଓ ୫୦୬ ଦଫା ଏବଂ ପୋକ୍ସୋ ଆଇନର ୦୬, ୧୦ ଓ ୧୨ ଦଫାରେ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁଦଣ୍ଡ ଦେଇଥିବା ବେଳେ ସ୍କୁଲର ହିନ୍ଦୀ ଶିକ୍ଷୟତ୍ରୀ ମାରବୋମ ନୋମଦିରଙ୍କୁ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରିଥିବା ଅଭିଯୋଗରେ ଆଇପିସିର ୫୦୬ ଦଫା ଓ ପୋକ୍ସୋ ଆଇନର ୧୭ ଓ ୨୧ (୧) ଦଫାରେ ଦୋଷୀ ସାବ୍ୟସ୍ତ କରି ଦଣ୍ଡିତ କରିଛନ୍ତି । ଦୁଷ୍କର୍ମର ସମ୍ମୁଖୀନ ହୋଇଥିବା ବାଳକ, ବାଳିକା ହିନ୍ଦୀ ଶିକ୍ଷୟତ୍ରୀଙ୍କୁ ସେମାନଙ୍କ ପ୍ରତି ହୋଇଥିବା ଯୌନ ଉତ୍ପୀଡନ ସଂପର୍କରେ ଅବଗତ କରାଇ ଥିଲେ ମଧ୍ୟ ସେ ତାହା ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ନ ନେଇ ଚପାଇ ଦେଇଥିଲେ । ଏସବୁ ଘଟଣା ଘଟିବା ସମୟରେ ଅବାସିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଥିବା ସିଂଗତୁଂଗ ୟୋରପେନଙ୍କୁ ମଧ୍ୟ ବିଚାରପତି ଚାଏ ପୋକ୍ସୋ ଆଇନର ୧୭ ଓ ୨୧ (୨) ଦଫାରେ ଦଣ୍ଡିତ କରିଥିବା ଜଣାପଡିଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS