ଦୁର୍ନୀତି ପ୍ରତି ‘ଶୂନ୍ୟ ସହନଶୀଳ’ ହେବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ


ପ୍ରସାଦ ରାଓ
ସେପ୍ଟେମ୍ବର ୨୭/୨୦୨୪
ଓଡ଼ିଶାରେ ବିଜେପି ସରକାର କରିବା ପରେ ଅନୁଷ୍ଠିତ ପ୍ରଥମ ଜିଲ୍ଲାପାଳ ସମ୍ମିଳନୀରେ ଦୁର୍ନୀତି ପ୍ରତି ‘ଶୂନ୍ୟ ସହନଶୀଳତା’ର ମନ୍ତ୍ର ପଢାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପୂର୍ବ ସରକାରରେ ଦୁର୍ନୀତି ଓ ପ୍ରଶାସନିକ ସ୍ଥାଣୁତା କାରଣରୁ ରାଜ୍ୟର ବିକାଶ ମନ୍ଥର ଥିଲା ବୋଲି ଦର୍ଶାଇ ଜିଲ୍ଲାପାଳମାନେ ଦୁର୍ନୀତି ସହ କୌଣସି ପ୍ରକାର ସାଲିସ ନ କରି ନିଜ ଅଂଚଳରେ ଜନତାଙ୍କ ସେବା କରିବାକୁ ଓ ରାଜ୍ୟର ବିକାଶକୁ ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ଭୁବନେଶ୍ୱର ଲୋକସେବା ଭବନରେ ଆଜିଠାରୁ ଆରମ୍ଭ ହୋଇଥିବା ଦୁଇ ଦିନିଆ ଜିଲ୍ଲାପାଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଉଉଦ୍ବୋଧନ ଦେଇଥିଲେ । ବିଧାୟକ, ସାଂସଦ, ଗଣମାଧ୍ୟମ ଓ ଜନସାଧାରଣଙ୍କ ଆଡୁ ଯାହା ସବୁ ଅଭିଯୋଗ ଆସିଥାଏ ସବୁ ସତ୍ୟ ହୋଇନଥାଏ । ଜିଲ୍ଲାପାଳମାନେ ସେସବୁ ଅଭିଯୋଗର ତଦନ୍ତ କରିବା ପରେ କାର୍ଯ୍ୟାନୁଷ୍ଠାନ ଦିଗରେ ପଦକ୍ଷେପ ନେବା ଆବଶ୍ୟକ । ରାଜ୍ୟ ସରକାର ସେମାନଙ୍କୁ ଏହି କ୍ଷମତା ଦେଇଛନ୍ତି । ତେବେ, ସେମାନେ ଦୁର୍ନୀତି ପ୍ରତି ‘ଶୂନ୍ୟ ସହନଶୀଳ’ ହେବା ଆବଶ୍ୟକ । ଏହା ହେଉଛି ସେମାନଙ୍କ ପାଇଁ ତାଙ୍କର ସ୍ପଷ୍ଟ ବାର୍ତ୍ତା । ରାଜ୍ୟ ବିଜେପି ସରକାର ଇତିମଧ୍ୟରେ ଶହେ ଦିନ ପୂରଣ କରିଛନ୍ତି ଓ ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ଅନେକ କଲ୍ୟାଣମୂଳକ କାର୍ଯ୍ୟ ଆରମ୍ଭ କରିଛନ୍ତି । ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟ ଆରମ୍ଭ ହେବା ଓ ନିର୍ଦ୍ଧାରିତ ସମୟରେ ସରିବା ସରକାରଙ୍କ ପାଇଁ ସର୍ବଦା ଚିନ୍ତାର ବିଷୟ ହୋଇଛି । ଦୁର୍ନୀତି, ଅବ୍ୟବସ୍ଥା ଓ ଅନ୍ୟାନ୍ୟ କାରଣରୁ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ହେବାରେ ମନ୍ଥରତା ଦେଖା ଦେବାସହ ବ୍ୟୟ ଅଟକଳ ଅସାଧାରଣ ଭାବେ ବଢି ଯାଉଛି । ବର୍ଷ ସାରା କାମର ଅଗ୍ରଗତି ମନ୍ଥର ରହୁଥିବା ବେଳେ ମାର୍ଚ୍ଚ ମାସରେ ହଠାତ ବିଦ୍ୟୁତ ବେଗରେ ବ୍ୟୟବରାଦ ହୋଇଥିବା ଅର୍ଥ ଖର୍ଚ୍ଚ ହେଉଛି । ଫଳରେ, ନିମ୍ନମାନର କାମ ହେଉଛି ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ରାଜ୍ୟରେ ଅର୍ଥର ଅଭାବ ନଥିବାରୁ ଜିଲ୍ଲାପାଳମାନେ ସଂପୃକ୍ତ ବିଭାଗମାନଙ୍କୁ ଚିଠି ଲେଖି ପ୍ରକଳ୍ପ ସବୁର କାର୍ଯ୍ୟ କିଭଳି ଦୃତ ଗତିରେ ସଂପନ୍ନ ହେବ ସେ ଦିଗରେ ପଦକ୍ଷେପ ନେବା ଆବଶ୍ୟକ ବୋଲି କହିଛନ୍ତି । ସରକାରୀ ଅଧିକାରୀମାନେ ତାଙ୍କ ସହ ସିଧାସଳଖ ଯୋଗାଯୋଗରେ ରହିବାକୁ ଏବଂ ବ୍ଲକୱାରୀ ଚାଲି ଥିବା ବିକାଶ କାର୍ଯ୍ୟର ଅଗ୍ରଗତି ଓ ସେଥିପାଇଁ ରହିଥିବା ବ୍ୟୟବରାଦର ଖର୍ଚ୍ଚକୁ ନିୟମିତ ଭାବେ ଅନୁଧ୍ୟାନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ରାଜ୍ୟରେ ୨୧ରୁ ୬୦ ବର୍ଷ ବୟସ୍କ ଗରିବ ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା ଆରମ୍ଭ ହୋଇଛି । ଏହାଛଡା, ଚାଷୀଙ୍କଠାରୁ ଧାନ ସଂଗ୍ରହ, ଗ୍ରାମାଂଚଳ ଓ ସହରାଂଚଳକୁ ପାନୀୟ ଜଳ ଯୋଗାଣ, ଶିଳ୍ପର ବିକାଶ, ଶିଳ୍ପାଂଚଳ ପ୍ରତିଷ୍ଠା, ଲୋକଙ୍କ ଅଭାବ, ଅଭିଯୋଗ ଶୁଣାଣି, ବିଭିନ୍ନ ସେବା ଜନତାଙ୍କ ନିକଟରେ ପହଂଚାଇବା ବ୍ୟବସ୍ଥା ପ୍ରଭୃତି ଉପରେ ଏହି ଦୁଇ ଦିନିଆ ଜିଲ୍ଲାପାଳ ସମ୍ମିଳନୀରେ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିିଛି । ସରକାରଙ୍କ ବିଭିନ୍ନ ସ୍କିମ୍ ଠିକ୍ ଭାବେ କାର୍ଯ୍ୟକାରୀ ହେଲେ ତାହାର ସୁବିଧା ଜନସାଧାରଣଙ୍କ ନିକଟରେ ପହଂଚିବ ଓ ଜନତାଙ୍କ ସହ ରାଜ୍ୟର ମଧ୍ୟ ବିକାଶ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତାଙ୍କ ସରକାର ‘ଲୋକଙ୍କ ସରକାର’ । ରାଜ୍ୟରେ ସ୍ୱାସ୍ଥ୍ୟ, ଶିକ୍ଷା, ଭିତ୍ତିଭୂମିର ବିକାଶ, ମହିଳା ସଶକ୍ତିକରଣ ସହ ରାଜ୍ୟର ଦୃତ ବିକାଶ ସରକାର ଚାହୁଁଥିବାରୁ ସରକାରୀ ଅଧିକାରୀମାନେ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଓ ରାଜ୍ୟକୁ ଦେଶରେ ଏକ ନମ୍ବର ସ୍ଥାନରେ ପହଂଚାଇବା ପାଇଁ କଠିନ ପରିଶ୍ରମ କରିବାକୁ ସେ ଆହ୍ୱାନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ସେ ଦୀର୍ଘ ୨୭ ବର୍ଷ ହେଲା ଲୋକଙ୍କ ସହ ରହିଛନ୍ତି । ସରପଂଚ, ବିଧାୟକରୁ ଆରମ୍ଭ କରି ଏବେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଲୋକଙ୍କ ଦୁଃଖଦୁର୍ଦ୍ଦଶା ସେ ଜାଣନ୍ତି । ବର୍ଷ ବର୍ଷ ଧରି ସେ ଲୋକଙ୍କଠାରୁ ଯେଉଁ ଦୁଃଖଦୁଦ୍ଦଶା ଶୁଣି ଆସୁଛନ୍ତି ତାହା ଆଜି ମଧ୍ୟ ଶୁଣିବାକୁ ପାଉଛନ୍ତି । ସେ ମୁଖ୍ୟମନ୍ତ୍ରୀ ଭାବେ ଲୋକଙ୍କ ସମସ୍ୟାର ସମାଧାନ ଦିଗରେ ଏକ ସୁବର୍ଣ୍ଣ ସୁଯୋଗ ପାଇଛନ୍ତି । ଏଦିଗରେ ତାଙ୍କ ସରକାର ଏକ ରୋଡମ୍ୟାପ୍ ମଧ୍ୟ ପ୍ରସ୍ତୁତ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀ ମାଝୀ ଆଜି ଜିଲ୍ଲାପାଳ ସମ୍ମିଳନୀରେ ଭାଷଣ ଦେବା ଅବସରରେ ପୂର୍ବ ସରକାରଙ୍କ ଶାସନରେ ପୁଲିସ ଲୋକଙ୍କ ସହ ଅତ୍ୟନ୍ତ ରୁକ୍ଷ ବ୍ୟବହାର କରୁଥିଲା ବୋଲି ଅଭିଯୋଗ କରିବା ସହ ସେ କେଉଁଝର ବିଧାୟକ ଥିବା ସମୟରେ କେଉଁଝର ଥାନାରେ ଜଣେ ଆଇଆଇସି ତାଙ୍କ ପ୍ରତି ଦୁର୍ବ୍ୟବହାର କରିଥିବା ମନେ ପକାଇ ଥିଲେ । ୨୦୨୪ ସାଧାରଣ ନିର୍ବାଚନର ମାସକ ପୂର୍ବରୁ ଏହି ଘଟଣା ଘଟିଥିଲା । ଅଂଚଳବାସୀ ପାନୀୟ ଜଳ ଯୋଗାଣ ପ୍ରସଙ୍ଗକୁ ନେଇ ଏନଏଚ ୨୦କୁ ଅବରୋଧ କରିଥିବା ଖବର ପାଇ ସେ ବିଧାୟକ ଭାବେ ଘଟଣାସ୍ଥଳକୁ ଯାଇଥିଲେ । ସମସ୍ୟାର ସମାଧାନ ନିମନ୍ତେ ଆଲୋଚନା କରିବାକୁ ସେ ଥାନାକୁ ଯାଇଥିବା ବେଳେ ଥାନା ଆଇଆଇସି ତାଙ୍କ ସହ ଯୁକ୍ତିତର୍କ କରିବା ସହ ‘ଗେଟ୍ ଆଉଟ୍’ ବୋଲି କହିଥିଲେ । ନିର୍ବାଚିତ ପ୍ରତିନିଧି ଭାବେ ତାଙ୍କୁ ଥାନାକୁ ଯିବାର ଅଧିକାର ନାହିଁ କି (?) ବୋଲି ସେ ପ୍ରଶ୍ନ କରିବାରୁ ଆଇଆଇସି କହିଥିଲେ ତାଙ୍କୁ ଥାନାକୁ ଆସିବାର ଅଧିକାର ନାହିଁ । ପ୍ରଭୁ ଜଗନ୍ନାଥଙ୍କ କୃପାରୁ ରାଜ୍ୟରେ ବିଜେପିର ସରକାର ଆସିଛି ଓ ସେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ସଂପୃକ୍ତ ଥାନା ଅଧିକାରୀ କାହା ଚାପରେ ଏଭଳି ବ୍ୟବହାର କରିଥିବେ ବୋଲି ଧରି ନେଇ ସେ ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କୁ କ୍ଷମା କରି ଦେଇଛନ୍ତି । ଏହା କଣ ପୂର୍ବ ସରକାରର ‘ଆମ ଥାନା’ର ସଂଜ୍ଞା ଥିଲା (?) ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିବା ସହ ଯେତେବେଳେ ସାଧାରଣ ଲୋକ ଥାନାକୁ କିଛି ଅଭିଯୋଗ ନେଇ ଯାଉଛନ୍ତି ସେମାନଙ୍କ ପ୍ରତି ପୁଲିସ ଉଚିତ ବ୍ୟବହାର କରିବାକୁ ଏବଂ ସେମାନଙ୍କ ସମସ୍ୟା ବରିଷ୍ଠ ଅଧିକାରୀଙ୍କ ନିକଟରେ ପହଂଚାଇବାକୁ ପରାମର୍ଶ ଦେଇଛନ୍ତି । ପୂର୍ବ ସରକାରଙ୍କ ଅମଳରେ ଯେଭଳି ଅରାଜକତା ଚାଲି ଥିଲା ଏବେ ଆଉ ଚାଲିବ ନାହିଁ । ଲଘୁ ଖଣିଜ ସାମଗ୍ରୀର ଚୋରା ଚାଲାଣ, ବେଆଇନ ମଦ କାରବାର ରୋକିବା ଦିଗରେ ତାଙ୍କ ସରକାର ସଂପୃକ୍ତ ଅଧିକାରୀମାନଙ୍କୁ ଯଥେଷ୍ଟ କ୍ଷମତା ଦେଇଛନ୍ତି । ରାଜ୍ୟର ୯୨ ପ୍ରତିଶତ ଚାଷୀ କ୍ଷୁଦ୍ର ଓ ନାମମାତ୍ର ଚାଷୀ ହୋଇଥିବା ବେଳେ ସେମାନଙ୍କର କୌଣସି ଆର୍ଥିକ ବିକାଶ ହୋଇ ନାହିଁ । ସେମାନଙ୍କ ପାଇଁ କୁକୁଡା ଚାଷ ଭଳି ଅର୍ଥକାରୀ ଯୋଜନାର ଆବଶ୍ୟକତା ରହିଛି । ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରହିଲେ ଏହା ସମ୍ଭବ ହେବ । ତେଣୁ, ଜିଲ୍ଲାପାଳମାନେ ନିୟମିତ ଭାବେ କ୍ଷେତ୍ର ପରିଦର୍ଶନ କରିବାକୁ ଏବଂ ସ୍କୁଲ, ଅଂଗନବାଡି କେନ୍ଦ୍ର, ପୁଲିସ ଥାନା, ହସ୍ପିଟାଲ ପାଇଁ ଥିବା ସରକାରୀ ସ୍କିମ୍ ସବୁ କିଭଳି କାର୍ଯ୍ୟକାରୀ ହେଉଛି ଅନୁଧ୍ୟାନ କରିବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦେଇଛନ୍ତି । ସରକାରୀ ଅଧିକାରୀମାନେ ସେମାନଙ୍କ କାର୍ଯ୍ୟ ସଂପାଦନ ସମୟରେ ଭଦ୍ରୋଚିତ ବ୍ୟବହାର କରିବାକୁ ସେ ପରାମର୍ଶ ଦେଇଥିବା ଜଣାପଡିଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS