ଇଲୋକ୍ଟୋରାଲ୍ ବଣ୍ଡ୍ ରାଜନୀତି ପୁନର୍ବାର ଚର୍ଚ୍ଚାକୁ ଫେରିଲା !


ପ୍ରସାଦ ରାଓ
ସେପ୍ଟେମ୍ବର ୨୯/୨୦୨୪
ବ୍ୟକ୍ତିବିଶେଷ ବା କର୍ପୋରେଟ ସଂସ୍ଥାରୁ ରାଜନୈତିକ ଦଳଗୁଡିକୁ ମିଳୁଥିବା ନିର୍ବାଚନ ପାଂଠିକୁ ପାରଦର୍ଶୀ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ୨୦୧୮ରେ ଇଲୋକ୍ଟୋରାଲ୍ ବଣ୍ଡ୍ ସ୍କିମ୍ ଆରମ୍ଭ କରିଥିଲେ । କେବଳ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ)ରେ ଏହି ବଣ୍ଡ୍ ବିକ୍ରି ହେଉଥିଲା । ବ୍ୟକ୍ତବିଶେଷ ବା କର୍ପୋରେଟ ସଂସ୍ଥାମାନେ ଏସବିଆଇରୁ ଇଲୋକ୍ଟୋରାଲ ବଣ୍ଡ୍ କିଣି ନିଜ ଇଚ୍ଛା ମୁତାବକ ରାଜନୈତିକ ଦଳଙ୍କୁ ତାହା ଦେଉଥିଲେ ଏବଂ ରାଜନୈତିକ ଦଳମାନେ ଏହି ବଣ୍ଡ୍ ଭଂଗାଇ ସେହି ଅର୍ଥ ନିର୍ବାଚନ ଓ ଅନ୍ୟ ରାଜନୈତିକ କାର୍ଯ୍ୟରେ ବ୍ୟବହାର କରୁଥିଲେ । ବଣ୍ଡ୍ କିଏ କିଣିଲେ ଓ କାହାକୁ ଦେଲେ – ତାହା ଗୋପନୀୟ ରହୁ ଥିବାରୁ କେଉଁ ରାଜନୈତିକ ଦଳକୁ କିଏ କେତେ ନିର୍ବାଚନ ପାଂଠି ଦେଇଛନ୍ତି ତାହା ଏସବିଆଇ ବ୍ୟତୀତ ଅନ୍ୟ କେହି ଜାଣୁ ନଥିଲେ । ତେବେ, ସରକାରଙ୍କ ଇଲୋକ୍ଟୋରାଲ ବଣ୍ଡ୍ ସ୍କିମ୍ ପାରଦର୍ଶୀ ନଥିବା ଏବଂ ଶାସକ ଦଳମାନେ କ୍ଷମତାର ଦୁରୁପଯୋଗ କରି ଏହି ସ୍କିମ୍ ମାଧ୍ୟମରେ ବିପୁଳ ପରିମାଣର ନିର୍ବାଚନ ପାଂଠି ସଂଗ୍ରହ କରୁଥିବା ବିରୋଧୀ ଅଭିଯୋଗ କରିଥିଲେ । ଇଲୋକ୍ଟୋରାଲ ବଣ୍ଡ୍ ସ୍କିମ୍ ବିରୋଧରେ ଏକାଧିକ ପିଟିସନ ଦାଖଲ ହେବାରୁ ସୁପ୍ରିମ କୋର୍ଟର ଏକ ସାମ୍ବିଧାନିକ ପୀଠ ସେସବୁର ବିଚାର କରି କେନ୍ଦ୍ର ସରକାରଙ୍କ ଏହି ସ୍କିମ୍ କୁ ଅସିଦ୍ଧ ଘୋଷଣା କରିବା ସହ ଏସବିଆଇରୁ କେଉଁ ବ୍ୟକ୍ତିବିଶେଷ ବା କର୍ପୋରେଟ ସଂସ୍ଥା କେତେ ମୂଲ୍ୟର ବଣ୍ଡ୍ କିଛିଛନ୍ତି ଏବଂ କେଉଁ ରାଜନୈତିକ ଦଳକୁ କେତେ ନିର୍ବାଚନ ପାଂଠି ଦେଇଛନ୍ତି ତାହା ନିର୍ବାଚନ କମିଶନଙ୍କ ମାଧ୍ୟମରେ ସର୍ବସାଧାରଣଙ୍କ ପାଇଁ ଅବଗତ କରାଯିବାକୁ ଏସବିଆଇକୁ ନିର୍ଦେଶ ଦେଇଥିଲେ । ଏସବିଆଇ ମଧ୍ୟ ସୁପ୍ରିମ କୋର୍ଟର ଚାପରେ ସମସ୍ତ ତଥ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଉପସ୍ଥାପିତ କରିଥିଲେ । ନିର୍ବାଚନ କମିଶନ ମଧ୍ୟ ସମସ୍ତ ତଥ୍ୟ ନିଜ ୱେବସାଇଟ୍ ରେ ଅପ୍-ଲୋଡ କରି ସର୍ବସାଧାରଣଙ୍କ ପାଇଁ ତାହା ଉନ୍ମୁକ୍ତ କରିଥିଲେ । ନିର୍ବାଚନ ପାଂଠି ସଂଗ୍ରହରେ ପାରଦର୍ଶୀତା ନାମରେ କେନ୍ଦ୍ର ସରକାର ୨୦୧୮ରେ ଏହି ସ୍କିମ୍ କାର୍ଯ୍ୟକାରୀ କରିବା ପରେ ଏସବିଆଇ ମାଧ୍ୟମରେ ବିକ୍ରି ହୋଇଥିବା ‘ଇଲୋକ୍ଟୋରାଲ ବଣ୍ଡ୍’ରୁ ସିଂହଭାଗ (୬୦ ପ୍ରତିଶତରୁ ଅଧିକ) କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ହାତକୁ ଯାଇଥିଲା । କଂଗ୍ରେସ ସମେତ ଅନ୍ୟ ରାଜନୈତିକ ଦଳ ମଧ୍ୟ ଇଲୋକ୍ଟୋରାଲ ବଣ୍ଡ୍ ମାଧ୍ୟମରେ କିଛି କିଛି ଅର୍ଥ ପାଇଥିଲେ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ‘ଇଲୋକ୍ଟୋରାଲ ବଣ୍ଡ୍ ସ୍କିମ୍’ ଜାତୀୟ ରାଜନୀତିରେ ଏକ ପ୍ରମୁଖ ଚର୍ଚ୍ଚିତ ପ୍ରସଙ୍ଗ ଥିଲା । କେଉଁ ରାଜନୈତିକ ଦଳ କେଉଁ କର୍ପୋରେଟ୍ ସଂସ୍ଥା ବା ବ୍ୟକ୍ତିବିଶେଷଙ୍କଠାରୁ ନିର୍ବାଚନୀ ପାଂଠି ବାବଦରେ ନିର୍ବଚନୀ ବଣ୍ଡ୍ ଆକାରରେ କେତେ ଟଙ୍କା ପାଇଛନ୍ତି – ତାହାର ତାଲିକା ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଥିଲା । ସିବିଆଇ, ଇଡି ଏବଂ ଆୟକର ବିଭାଗ ଭଳି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଙ୍କ ପକ୍ଷରୁ ୨୦୨୪ ନିର୍ବାଚନ ପୂର୍ବରୁ ଦେଶବ୍ୟାପୀ ବିରୋଧୀ ରାଜନେତା ଓ କର୍ପୋରେଟ ସଂସ୍ଥାଙ୍କ ଉପରେ ବ୍ୟାପକ ଚଢାଉ କରାଯାଇ ହଜାର ହଜାର କୋଟି ଟଙ୍କା ଜବତ କରାଯିବା ସହ ସେମାନଙ୍କ ବିରୋଧରେ ଦୁର୍ନୀତି ମାମଲାମାନ ହୋଇଥିଲା । କିଛି କର୍ପୋରେଟ ସଂସ୍ଥା ଓ ଉଦ୍ୟୋଗ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଙ୍କ ଚଢାଉ ପରେ ଗିରଫ ହୋଇ ଜାମିନରେ ମୁକୁଳିବା ପରେ ବା ପୂର୍ବରୁ ମୋଟା ଅଂକର ନିର୍ବାଚନୀ ବଣ୍ଡ୍ (ଇଲୋକ୍ଟୋରାଲ ବଣ୍ଡ୍) କିଣିଥିବା ଏବଂ ତାହା କ୍ଷମତାରେ ଥିବା ଦଳ ହାତକୁ ଯାଇଥିବା ଲୋକଲୋଚନକୁ ଆସିବା ପରେ ସୁପ୍ରିମ କୋର୍ଟ ଦ୍ୱାରା ରଦ୍ଦ ହୋଇଥିବା ଏହି ସ୍କମ୍ ର କିଭଳି ଅପବ୍ୟବହାର କରାଯାଉଥିଲା, ତାହା ସ୍ପଷ୍ଟ ହୋଇଥିଲା । କେନ୍ଦ୍ର ସରକାର ଇଡି, ସିବିଆଇ ଓ ଆୟକର ବିଭାଗର ଦୂରୁପଯୋଗ କରି ମୋଟା ଅଂକର ନିର୍ବାଚନ ପାଂଠି ସଂଗ୍ରହ କରିଥିବା ଏବଂ ନିର୍ବାଚନରେ ତାହାର ଉପଯୋଗ କରିଥିବା ବିରୋଧୀ ସେତେବେଳେ ଅଭିଯୋଗ କରିଥିଲେ ଏବଂ ୨୦୨୪ ନିର୍ବାଚନରେ ଏହାକୁ ବଡ ପ୍ରସଙ୍ଗ କରିଥିଲେ । ନିର୍ବାଚନ ସରିବା ପରେ ଏବଂ ବିରୋଧୀ ଅଧିକ ଶକ୍ତିଶାଳୀ ହୋଇ ଲୋକସଭାକୁ ଫେରିବା ପରେ ଅତୀତ ହୋଇସାରିଥିବା ‘ଇଲୋକ୍ଟୋରାଲ ବଣ୍ଡ୍ ସ୍କିମ୍’କୁ ନେଇ ଆଲୋଚନା ଏକପ୍ରକାର ଶିଥିଳ ହେବା ସହ କାଁ ଭାଁ ଏହାକୁ ନେଇ ଚର୍ଚ୍ଚା ହେଉଥିଲା । ତେବେ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରାମାୟା ବନାମ ବିଜେପି ବିବାଦ ଚରମସ୍ତରରେ ପହଂଚିବା ପରେ ‘ଇଲୋକ୍ଟୋରାଲ ବଣ୍ଡ୍’ ପ୍ରସଙ୍ଗ ପୁନଃ ଚର୍ଚ୍ଚାକୁ ଆସିଛି । ସୁପ୍ରିମ କୋର୍ଟଙ୍କ ଦ୍ୱାରା ଅଚଳ ହୋଇସାରିଥିବା ଏହି ସ୍କିମ୍ ମାଧ୍ୟମରେ ବିଜେପି ନେତାମାନେ ବିଭିନ୍ନ କର୍ପୋରେଟ୍ ସଂସ୍ଥାଙ୍କୁ ଡରାଇ ଧମକାଇ ବା ଭୟଭିତ କରି ହଜାର ହଜାର କୋଟି ଟଙ୍କାର ବଣ୍ଡ୍ କିଣାଇଛନ୍ତି ଏବଂ ସେସବୁ ବଣ୍ଡ୍ କୁ ଭଂଗାଇ ରାଜନୈତିକ କାର୍ଯ୍ୟକଳାପରେ ବ୍ୟବହାର କରିଛନ୍ତି ବୋଲି ବେଂଗାଲୁରୁର ‘ଜନାଧିକାର ସଂଘର୍ଷ ସଂଗଠନ’ (ଜେଏସପି)ର ଯୁଗ୍ମ ସଭାପତି ଆଦର୍ଶ ଆୟାର ସେଠାକର ଏକ ସ୍ୱତନ୍ତ୍ର ଅଦାଲତରେ ଅଭିଯୋଗ କରିବା ସହ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀଥାରମଣ, ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା ଏବଂ କର୍ଣ୍ଣାଟକର ଦୁଇ ବରିଷ୍ଠ ବିଜେପି ନେତା ନଳୀନ କୁମାର କାଟେଲ ଓ ବି.ୱାଇ.ବିଜୟେନ୍ଦ୍ରଙ୍କ ବିରୋଧରେ ମାମଲା ରୁଜୁ କରାଯିବାକୁ ଆବେଦନ କରିଥିଲେ । ଆୟାରଙ୍କ ଅଭିଯୋଗ ଆଧାରରେ ବେଂଗାଲୁରୁ ସ୍ୱତନ୍ତ୍ର କୋର୍ଟ ଅର୍ଥମନ୍ତ୍ରୀ ସୀଥାରମଣ, ବିଜେପି ସଭାପତି ନଡ୍ଡା ଓ ଅନ୍ୟମାନଙ୍କ ବିରୋଧରେ ଏତଲା ରୁଜୁ କରିବାକୁ ନିର୍ଦେଶ ଦେଇଛନ୍ତି । ‘ଜନାଧିକାର ସଂଘର୍ଷ ସଂଗଠନ’ (ଜେଏସପି) ଯୁଗ୍ମ ସଭାପତି ଆୟାର ଅଭିଯୋଗ କରିଛନ୍ତି, ଅଭିଯୁକ୍ତମାନେ ଇଡି (ପ୍ରବର୍ତ୍ତନ ନିର୍ଦେଶାଳୟ) ଚଢାଉର ଭୟ ଦେଖାଇ ବିଭିନ୍ନ କର୍ପୋରେଟ ସଂସ୍ଥାଙ୍କୁ ହଜାର ହଜାର କୋଟି ଟଙ୍କାର ବଣ୍ଡ କିଣିବାକୁ ବାଧ୍ୟ କରିଥିଲେ ଏବଂ ବଣ୍ଡ୍ ସବୁ ହାତେଇବା ପରେ ସେଗୁଡିକୁ ଭଂଗାଇ ବେଆଇନ ଭାବେ ରାଜନୈତିକ କାର୍ଯ୍ୟକଳାପରେ ବିନିଯୋଗ କରିଥିଲେ । କେନ୍ଦ୍ର ଅର୍ଥ ମନ୍ତ୍ରୀ ସୀଥାରମରଣଙ୍କୁ ଆୟାର ଏକ ନମ୍ବର ଅଭିଯୁକ୍ତ ଭାବେ ଦର୍ଶାଇଛନ୍ତି । ବେଂଗାଲୁରୁର ୪୨ତମ ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ (ଏସିଏମଏ)ଙ୍କ ନିର୍ଦେଶରେ କର୍ଣ୍ଣାଟକ ପୁଲିସ କେନ୍ଦ୍ର ଅର୍ଥ ମନ୍ତ୍ରୀ ସୀଥାରମଣ, ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା ଓ ଅନ୍ୟ ବିଜେପି ନେତାଙ୍କ ବିରୋଧରେ ଶନିବାର ମାମଲା ରୁଜୁ କରିଛନ୍ତି । ଆୟାରଙ୍କ ଅଭିଯୋଗ ଅନୁସାରେ ବିଜେପି ନେତାମାନେ ଜୋରଜୁଲମ କରି କର୍ପୋରେଟ ସଂସ୍ଥାଙ୍କଠାରୁ ୮୦୦୦ କୋଟିରୁ ଅଧିକ ଟଙ୍କା ବେଆଇନ ଭାବେ ଆଦାୟ କରିଛନ୍ତି । ନିର୍ମଳା, ଇଡି ଓ ବିଜେପିର ଅନ୍ୟ ନେତାମାନେ ଚଢାଉ, ଅର୍ଥ ଜବତ ଏବଂ ଗିରଫଦାରୀ ମାଧ୍ୟମରେ କର୍ପୋରେଟ ସଂସ୍ଥାଙ୍କୁ ନିର୍ବାଚନୀ ବଣ୍ଡ୍ କିଣାଇଛନ୍ତି । ଷ୍ଟେରେଲାଇଟ୍ର ଆଲୁମିନିୟମ ଓ କପର୍ କଂପାନୀ ସମୂହ ଏବଂ ବେଦାନ୍ତ ଗୃପ୍ ଏପ୍ରିଲ ୨୦୧୯ରୁ ନଭେମ୍ବର ୨୦୨୩ ମଧ୍ୟରେ ୨୩୦ କୋଟି ଟଙ୍କାର ନିର୍ବାଚନୀ ବଣ୍ଡ୍ କିଣିବାକୁ ବାଧ୍ୟ ହୋଇଥିବା ବେଳେ ଫାର୍ମା କଂପାନୀ ଅରବିନ୍ଦ ଫାର୍ମା ଗୃପ୍ ଜୁଲାଇ ୨୦୨୨ରୁ ନଭେମ୍ବର ୨୦୨୩ ମଧ୍ୟରେ ବାଧ୍ୟବାଧକତାରେ ୪୯.୫ କୋଟି ଟଙ୍କାର ନିର୍ବାଚନୀ ବଣ୍ଡ୍ କିଣିବାକୁ ବାଧ୍ୟ ହୋଇଛି ବୋଲି ବୋଲି ପୁଲିସ ପକ୍ଷରୁ ହୋଇଥିବା ଏତଲାରେ ଦର୍ଶାଯାଇଥିବା ଜଣାପଡିଛି । କୋର୍ଟ ନିର୍ଦେଶରେ ବେଂଗାଲୁରୁ ପୁଲିସ କେନ୍ଦ୍ର ମନ୍ତ୍ରୀ ନିର୍ମଳା ସୀଥାରମଣ, ବିଜେପି ସଭାପତି ନଡ୍ଡା ଓ ବିଜେପିର ଅନ୍ୟମାନଙ୍କ ବିରୋଧରେ ଆଇପିସିର ୩୮୪ (ଜବରଦସ୍ତ ଚାନ୍ଦା ଆଦାୟ), ୧୨୦-ବି (ଆପରାଧିକ ଷଡଯନ୍ତ୍ର) ଓ ୩୪ (ସମାନ ଉଦ୍ଦେଶ୍ୟ ରଖି ଏକାଧିକ ବ୍ୟକ୍ତି ଆପରାଧିକ କାର୍ଯ୍ୟରେ ଲିପ୍ତ ହେବା) ଦଫାରେ ମାମଲା ରୁଜୁ କରିଛି । ତେବେ, ଆୟାରଙ୍କ ପକ୍ଷରୁ ହୋଇଥିବା ଅଭିଯୋଗରୁ ବିଜେପି ନିଜକୁ ଦୂରେଇ ରଖିଥିବା ବେଳେ କେନ୍ଦ୍ର ଅର୍ଥ ମନ୍ତ୍ରୀ ସୀଥାରମଣଙ୍କୁ ସୁରକ୍ଷା ଦେବାକୁ ଆଗେଇ ଆସିଛି ‘ଇଲୋକ୍ଟୋରାଲ ବଣ୍ଡ୍’ ସ୍କିମ୍ ରେ ନିର୍ବାଚନୀ ପାଂଠି ସଂଗ୍ରହ କିଛି ବେଆଇନ କାର୍ଯ୍ୟ ନଥିଲା, ଏହା କେନ୍ଦ୍ର ସରକାରଙ୍କ ଏକ ନୀତିଗତ ନିଷ୍ପତ୍ତି ଥିଲା ବୋଲି ଯୁକ୍ତି ଉପସ୍ଥାପନ କରିଛି । ଆୟାରଙ୍କ ଅଭିଯୋଗ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ବିଜେପି କହିବା ସହ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରାମାୟାଙ୍କୁ ପାଲଟା ଆକ୍ରମଣ କରିଛି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରାମାୟା ତାଙ୍କ ପରିବାର ସଦସ୍ୟଙ୍କ ନାମରେ ମହୀଶୂର ଅର୍ବାନ ଡେଭଲପମେଂଟ ଅଥରିଟି (ମୁଡା) ଜମି ବେଆଇନ ଭାବେ ହାତେଇଛନ୍ତି । କର୍ଣ୍ଣାଟକ ହାଇକୋର୍ଟଙ୍କ ନିର୍ଦେଶରେ ଲୋକାୟୁକ୍ତ ପୁଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି । ତେଣୁ, କଂଗ୍ରେସର ସୁରକ୍ଷାରେ ଥିବା ଆୟାରଙ୍କ ମାଧ୍ୟମରେ ଏଭଳି ଅମୂଳକ ଅଭିଯୋଗ କରାଯାଇଛି ବୋଲି ବିଜେପି ଅଭିଯୋଗ କରିଛି । ‘ମୁଡା’ ଜମି ଜାଲିଆତି ମାମଲାରେ ଲୋକାୟୁକ୍ତ ପୁଲିସ ନିକଟରେ ମୁଖ୍ୟମନ୍ତ୍ରୀ ସିଦ୍ଧରାମାୟା, ତାଙ୍କ ପତ୍ନୀ ଏବଂ ପରିବାର ସଦସ୍ୟଙ୍କ ବିରୋଧରେ ଏତଲା ରୁଜୁ କରିଛନ୍ତି । ଏହି ଏତଲା ପରେ ବିଜେପି ମୁଖ୍ୟମନ୍ତ୍ରୀ ପଦରୁ ସିଦ୍ଧରାମାୟା ଇସ୍ତଫା ଦିଅନ୍ତୁ ବୋଲି ଜୋରଦାର ଦାବି କରୁଥିବା ବେଳେ କେନ୍ଦ୍ର ମନ୍ତ୍ରୀ ନିର୍ମଳା ସୀଥାରମଣ, ବିଜେପି ସଭାପତି ନଡ୍ଡା ଓ ଅନ୍ୟ ବିଜେପି ନେତାଙ୍କ ବିରୋଧରେ ନିର୍ବାଚନୀ ବଣ୍ଡ୍ ସ୍କିମ୍ ମାଧ୍ୟମରେ ଜବରଦସ୍ତ ଚାନ୍ଦା ଆଦାୟ ଅଭିଯୋଗ ହୋଇଛି । ଶନିବାର ଦିନ ବେଂଗାଲୁରୁ ପୁଲିସ ନିର୍ମଳା ଓ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରିବା ପରେ ସିଦ୍ଧରାମାୟା କହିଛନ୍ତି, ଯେଉଁମାନେ ତାଙ୍କ ଇସ୍ତଫା ଦାବି କରୁଛନ୍ତି ସେମାନେ ନିର୍ମଳା ଓ ଅନ୍ୟମାନଙ୍କ ଇସ୍ତଫା ମଧ୍ୟ ଦାବି କରିବା ଆବଶ୍ୟକ । ବିଜେପିର ଜଣେ ମୁଖପାତ୍ର ଅଭିଯୋଗ କରିଛନ୍ତି, ତଦନ୍ତକାରୀ ଏଜେନ୍ସୀଙ୍କୁ ଅସହଯୋଗ କରିବାରେ ମୁଖ୍ୟମନ୍ତ୍ରୀ ସିଦ୍ଧରାମାୟାଙ୍କ ଏକ ଅଭ୍ୟାସ ହୋଇସାରିଛି । ରାଜ୍ୟରେ କଂଗ୍ରେସ ନେତାଙ୍କ ବିରୋଧରେ ୧୦୬ଟି ମାମଲା ଥିବା ବେଳେ ସେଥିରୁ ୬୪ଟି ମାମଲା ସିଦ୍ଧରାମାୟାଙ୍କ ବିରୋଧରେ ରହିଛି । ସିଦ୍ଧରାମାୟ ପୂର୍ବରୁ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଏହି ମାମଲା ସବୁ ହୋଇଥିଲା । କେବଳ, ନିର୍ମଳା, ନଡ୍ଡା ଓ ରାଜ୍ୟ ବିଜେପି ନେତା ନୁହନ୍ତି, କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର କେନ୍ଦ୍ର ମନ୍ତ୍ରୀ ଏଚ.ଡି.କୁମାରସ୍ୱାମୀ (ଜେଡିଏସ)ଙ୍କ ବିରୋଧରେ ମଧ୍ୟ ଗୁରୁତର ଦୁର୍ନୀତି ଅଭିଯୋଗମାନ ଥିବାରୁ କଂଗ୍ରେସ ତାଙ୍କ ଇସ୍ତଫା ମଧ୍ୟ ଦେବା କରିଛି । ସିଦ୍ଧରାମାୟା ବନାମ ବିଜେପି ବିବାଦ ଏବେ କର୍ଣ୍ଣାଟକ ରାଜନୀତିକୁ ସରଗରମ କରିଥିବା ବେଳେ ବିଜେପିର ପରବତ୍ ର୍ତୀ ରଣନୀତି କଣ ହେବ, ତାହା ଦେଖିବା ସମୟ ଆସିଛି ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS