ଦୁଷ୍କର୍ମକାରୀ ବାବାଙ୍କ ଭରସାରେ ବିଜେପି ?


ପ୍ରସାଦ ରାଓ
ସେପ୍ଟେମ୍ବର ୩୦/୨୦୨୪
ହରିୟାଣାର ସମସ୍ତ ୯୦ ବିଧାନସଭା ଆସନରେ ଅକ୍ଟୋବର ୦୫ ତାରିଖରେ ଭୋଟ ହେବାକୁ ଯାଉଛି । ରାଜ୍ୟରେ ବିଜେପିର ସରକାର ଥିବା ବେଳେ ଆସନ୍ତା ନିର୍ବାଚନରେ ବିଜେପି ଓ କଂଗ୍ରେସ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ରହିଛନ୍ତି । ରାଜ୍ୟରୁ ଆସିଥିବା ରୋଚକ ଖବର ହେଉଛି, ହତ୍ୟା ଓ ଦୁଷ୍କର୍ମ ମାମଲାରେ ଅଦାଲତ ଦ୍ୱାରା ଦଣ୍ଡିତ ହୋଇ ରେହତକର ସୁନାରିଆ ଜେଲରେ କାରାଦଣ୍ଡ ଭୋଗୁଥିବା ଧର୍ମଗୁରୁ ତଥା ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରୁମିତ ରାମ ରହିମ ସିଂହ ୨୧ ଦିନିଆ ପାରୋଲ ଆସି ନିକଟରେ ଜେଲକୁ ଫେରିଥିବା ବେଳେ ଆଉ ୨୦ ଦିନ ପାରୋଲ ପାଇଁ ହରିୟାଣାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଆବେଦନ କରିଛନ୍ତି । ବାବା ରାମ ରହିମ ସିଂହ ୨୧ ଦିନ ପାଇଁ ପାରୋଲରେ ଯାଇ ଜେଲକୁ ଫେରିବାର ମାସେ ହୋଇଥିବା ବେଳେ ପୁନର୍ବାର ୨୦ ଦିନ ପାରୋଲରେ ଯିବାକୁ ଆବେଦନ କରିବାର କଣ ବାଧ୍ୟବାଧକତା ରହିଛି (?) ଏବଂ ଯଦି କିଛି ବାଧ୍ୟବାଧକତା ରହିଛି ତେବେ ତାହା ସରକାର ସ୍ପଷ୍ଟ କରନ୍ତୁ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ପଂକଜ ଅଗ୍ରୱାଲ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି । ବାବା ଗୁରୁମିତ ରାମ ରହିମ ସିଂହଙ୍କ ପକ୍ଷରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଯେଉଁ ଆବେଦନ କରାଯାଇଛି ସେଥିରେ ଦର୍ଶାଯାଇଛି, ୟୁପିର ବର୍ଣ୍ଣା ଡେରା ଆଶ୍ରମରେ ବାବାଙ୍କ କିଛି କାମ ଥିବାରୁ ୨୦ ଦିନ ପାରୋଲରେ ଯିବାକୁ ଚାହୁଁଛନ୍ତି । ଅକ୍ଟୋବର ୦୫ ତାରିଖରେ ବିଧାନସଭା ଭୋଟ ହେବାକୁ ଥିବାରୁ ରାଜ୍ୟରେ ଆଦର୍ଶ ନିର୍ବାଚନ ଆଚରଣ ବିଧି ଲାଗୁ ରହିଛି । ତେଣୁ, ରାମ ରହିମଙ୍କ ପାରୋଲ ଆବେଦନ ଉପରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ହିଁ ନିଷ୍ପତ୍ତି ନେବେ । ତେଣୁ, ମୁଖ୍ୟ ନିର୍ବାଚନ ଅଧିକାରୀ ଅଗ୍ରୱାଲ ରାଜ୍ୟ ସରକାରଙ୍କ ଜେଲ ବିଭାଗ ମାଧ୍ୟମରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁରାଗ ରସ୍ତେଗିଙ୍କୁ ଚିଠି ଲେଖି ସରକାରଙ୍କଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି । ଏଠାରେ ସୂଚନାଯୋଗ୍ୟ, ହରିୟାଣା ଓ ପଂଜାବର ଏହି ବିବାଦୀୟ ଧର୍ମଗୁରୁ ନିଜ ଆଶ୍ରମ ପରସରରେ କିଛି ମହିଳା ଭକ୍ତଙ୍କୁ ଦୁଷ୍କର୍ମ କରିଥିବା ଏବଂ ଜଣେ ଆଶ୍ରମ ଅଧିକାରୀଙ୍କୁ ହତ୍ୟା କରିଥିବା ଭଳି ଗୁରୁତର ଅଭିଯୋଗରେ ଅଭିଯୁକ୍ତ । ୨୦୧୭ ଅଗଷ୍ଟ ୨୫ ତାରିଖରେ ହରିୟାଣା ପଂଚକୁଲାସ୍ଥିତ ଏକ ସିବିଆଇ ଅଦାଲତ ବାବା ରାମ ରହିମ ସିଂହଙ୍କୁ ଡେରା ସଚ୍ଚା ସୌଦା ଆଶ୍ରମରେ ମହିଳା ଭକ୍ତଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଦୋଷୀ ପାଇ ୨୦ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି । ରାମଚନ୍ଦ୍ର ଛତ୍ରପତି ନାମକ ଜଣେ ସାମ୍ବାଦିକଙ୍କ ହତ୍ୟା ମାମଲାରେ ମଧ୍ୟ ବାବା ଦଣ୍ଡ ଭୋଗୁଛନ୍ତି । ସିବିଆଇ ଅଦାଲତର ଦଣ୍ଡାଦେଶ ପରଠାରୁ ୨୦୧୭ ଅଗଷ୍ଟରୁ ବାବା ଗୁରୁମିତ ରାମ ରହିମ ସିଂହ ସୁନାରିଆ ଜେଲରେ ବନ୍ଦୀ ଥିବା ବେଳେ ନିର୍ବାଚନ ସମୟ ଆସିଲେ ସେ ପାରୋଲରେ ବାହାରକୁ ବାହାରିବା ଏକ ନିୟମିତ କଥାରେ ପରିଣତ ହୋଇଛି । ଏହାର ପ୍ରମୁଖ କାରଣ ହେଉଛି, ବାବା ଦୁଷ୍କର୍ମ ଓ ହତ୍ୟା ଭଳି ଗୁରୁତର ଅଭିଯୋଗରେ ଅଦାଲତରେ ଦଣ୍ଡିତ ହୋଇ ଜେଲରେ ଥିଲେ ମଧ୍ୟ ବାହାରେ ତାଙ୍କ ଭକ୍ତଙ୍କ ଉପରେ ଏହାର କୌଣସି ପ୍ରଭାବ ପଡିଛି । ବାବାଙ୍କ ଲକ୍ଷାଧିକ ସଂଖ୍ୟାରେ ଭକ୍ତ ଥିବାରୁ ଏବଂ ଏବେ ବି ସେମାନେ ବାବାଙ୍କ ଇସାରେରେ ପରିଚାଳିତ ହେଉଥିବାରୁ ଶାସକ ଦଳ ଭୋଟ ସମୟ ଆସିଲେ ବାବାଙ୍କୁ ପାରୋଲରେ ଜେଲରୁ ବାହାରକୁ ଆଣି ଥା’ନ୍ତି । ବାବା ଗୁରୁମିତ ରାମ ରହିମ ସିଂହ ଗଲା ଚାରି ବର୍ଷ ଜେଲରେ ରହିବା ଭିତରେ ୨୫୫ ଦିନ ପାରେଲରେ ବାହାରକୁ ଆସିଥିବା ଏବଂ ହରିୟାଣା, ପଂଜାବ ଓ ରାଜସ୍ଥାନର ଅନ୍ୟୁନ ନଅଟି ବିଧାନସଭା, ପୌରପାଳିକା, ଲୋକସଭା ଓ ପଂଚାୟତ ନିର୍ବାଚନ ସମୟରେ ତାଙ୍କୁ ପାରୋଲ ମିଳିଥିବା ନିର୍ବାଚନ ସମୟରେ ଭକ୍ତଙ୍କୁ ପ୍ରଭାବିତ କରିବାରେ ତାଙ୍କ ଦକ୍ଷତାକୁ ପ୍ରତିପାଦିତ କରୁଛି । ବାବା ରାମ ରହିମ ୨୦୨୦ ଅକ୍ଟୋବର ୨୪ ତାରିଖ ଓ ୨୦୨୧ ମେ’ ୨୧ ତାରିଖରେ ଗୋଟିଏ ଦିନ ଲେଖାଏଁ ଏମର୍ଜେନ୍ସୀ ପାରୋଲରେ ଆସିଥିବା ବେଳେ ୨୦୨୨ ଫେବୃୟାରୀ ୦୭ତାରିଖରେ ୨୧ ଦିନ (ପଂଜାବ ନିର୍ବାଚନ), ୨୦୨୨ ଜୁନ ୧୭ ତାରିଖରେ ୩୦ ଦିନ (ହରିୟାଣା ପୌରପାଳିକା ନିର୍ବାଚନ), ୨୦୨୨ ଅକ୍ଟୋବର ୧୫ ତାରିଖରେ ୪୦ ଦିନ (ଆଦମପୁର ଉପ ନିର୍ବାଚନ), ୨୦୨୩ ଜାନୁୟାରୀ ୨୧ ତାରିଖରେ ୪୦ ଦିନ, ୨୦୨୩ ଜୁଲାଇ ୨୦ ତାରିଖରେ ୩୦ ଦିନ (ଉଭୟ ହରିୟାଣାରେ ପଂଚାୟତ ନିର୍ବାଚନ ସମୟରେ), ୨୦୨୩ ନଭେମ୍ବର ୨୧ ତାରିଖରେ ୨୧ ଦିନ (ରାଜସ୍ଥାନ ନିର୍ବାଚନ), ୨୦୨୪ ଜାନୁୟାରୀ ୨୦ ତାରିଖରେ ୫୦ ଦିନ ( ଲୋକସଭା ନିର୍ବାଚନ), ୨୦୨୪ ଅଗଷ୍ଟ ୧୩ ତାରିଖରେ ୨୧ଦିନ ଓ ୨୦୨୪ ସେପ୍ଟେମ୍ବରରେ ୨୦ ଦିନ (ହରିୟାଣା ନିର୍ବାଚନ) ପାରୋଲରେ ବାହାରେ ରହିଥିଲେ । ଶେଷ ପାରୋଲ ପରେ ବାବା ସେପ୍ଟେମ୍ବର ୦୨ ତାରିଖରେ ସୁନାରିଆ ଜେଲକୁ ଫେରିଥିବା ବେଳେ ପୁନର୍ବାର ୨୧ ଦିନ ପାଇଁ ପାରୋଲରେ ଯିବାକୁ ହରିୟାଣା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଆବେଦନ କରିଛନ୍ତି । ବାବାଙ୍କୁ ପୁନଃ ପାରୋଲ ଦେବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ଠୋସ୍ କାରଣ କଣ ଜାଣିବାକୁ ଚାହିଁବା ସହ ସରକାରଙ୍କଠାରୁ ସନ୍ତୋଷଜନକ ଉତ୍ତର ମିଳିଲେ ଗୁରୁ ରାମ ରହିମ ସିଂହଙ୍କ ପାରୋଲ ଆବେଦନ ମଂଜୁର କରାଯିବ ବୋଲି ରବିବାର ଦିନ ଗଣମାଧ୍ୟମକୁ କହିଛନ୍ତି । ରାମ ରହିମଙ୍କ ୨୦ ଦିନ ପାରୋଲ ଆବେଦନକୁ ଯଦି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ମଂଜୁର କରନ୍ତି ତେବେ ବାବା ରାମ ରହିମ ସିଂହ ଚାରିବ ବର୍ଷରେ ପାରୋଲରେ ବାହାରକୁ ଆସିବା ଦିନ ସଂଖ୍ୟା ୨୭୫ ହେବ । ବାବାଙ୍କ ଏହି ପାରୋଲ ଆବେଦନକୁ ନେଇ ହରିୟାଣା ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ରବିବାର କୌଣସି ପ୍ରତିକ୍ରିୟା ଦେଇନଥିବା ବେଳେ ରାଜ୍ୟ ବିଜେପି ନେତାମାନେ ମଧ୍ୟ ମୁହଁ ଖୋଲୁ ନାହାନ୍ତି । ତେବେ, କଂଗ୍ରେସ କହିଛି, ଜେଲରେ ଦଣ୍ଡ ଭୋଗୁଥିବା ଜଣେ ବ୍ୟକ୍ତି ପାରୋଲରେ ଯିବା ଅଧିକାର ରଖିି । ତେବେ, ହରିୟାଣାର ସିରସା-ଭିତ୍ତିକ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହିମ ସିଂହଙ୍କୁ ନିର୍ବାଚନ ପୂର୍ବରୁ ହିଁ ପାରୋଲ ଦିଆଯାଉଥିବା ତାଙ୍କ ଭକ୍ତଙ୍କ ଭୋଟ ଧ୍ରୁବୀକରଣ ନିମନ୍ତେ ଉଦ୍ଦିଷ୍ଟ, ଯାହା କି ଉଦ୍ବେଗର ବିଷୟ । ଗୁରୁ ରାମ ରହିମ ସିଂହଙ୍କୁ ନିୟମିତ ଭାବେ ନିର୍ବାଚନ ସମୟରେ ପାରୋଲରେ ଛଡା ଯିବା ନେଇ ପୂର୍ବରୁ ମଧ୍ୟ ବିରୋଧୀଙ୍କ ପକ୍ଷରୁ କଡା ସମାଲୋଚନା ହୋଇ ଆସୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପିର ରାଷ୍ଟ୍ରୀୟ ନେତାମାନେ ଜମ୍ମୁ-କଶ୍ମୀର ଓ ହରିୟାଣା ବିଧାନସଭା ପାଇଁ ନିର୍ବାଚନ ପ୍ରଚାର ବେଳେ ସଭା ସମିତିରେ ବିରୋଧୀଙ୍କୁ ମହିଳା-ବିରୋଧୀ, ପରିବାରବାଦୀ ଓ ଜାତୀୟତାବାଦ-ବିରୋଧୀ ବୋଲି ସମାଲୋଚନା କରିବା ସହ ବିଜେପି ହିଁ ଏକମାତ୍ର ରାଜନୈତିକ ଦଳ, ଯିଏକି ମହିଳାଙ୍କ ଅସ୍ମିତା ଓ ଦେଶର ସୁରକ୍ଷା ପ୍ରତି ପ୍ରତିବଦ୍ଧତା ରଖିଛି ବୋଲି ଦାବି କରୁଛନ୍ତି । ତେବେ, ସିରସାସ୍ଥିତ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହିମ ସିଂହ ଦୁଷ୍କର୍ମ ଓ ହତ୍ୟା ଅପରାଧରେ ଦଣ୍ଡିତ ହୋଇ ୨୦ ବର୍ଷ କାରାବାସରେ ଥବା ବେଳେ ନିର୍ବାଚନ ସମୟରେ ତାଙ୍କୁ ବାରମ୍ବାର ପାରୋଲରେ ଆଣାଯାଇ ଭୋଟ ଧ୍ରୁବୀକରଣରେ ବ୍ୟବହାର କରାଯିବା କେତେଦୂର ଉଚିତ ବୋଲି କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳମାନେ ପ୍ରଶ୍ନ କରୁଛନ୍ତି । ଜମ୍ମୁ-କଶ୍ମୀରର ସମସ୍ତ ୯୦ ବିଧାନସଭା ଆସନ ପାଇଁ ସେପ୍ଟେମ୍ବର ୧୮ ତାରିଖରୁ ଚାଲି ଥିବା ତିନି ପର୍ଯ୍ୟାୟ ମତଦାନ ଆସନ୍ତା କାଲି (ଅକ୍ଟୋବର ୦୧ ତାରିଖ) ସରୁଛି । ହରିୟାଣା ବିଧାନସଭା ନିର୍ବାଚନ ଗୋଟିଏ ଦିନରେ ଅକ୍ଟୋବର ୦୫ ତାରିଖରେ ସରିବାକୁ ଥିବା ବେଳେ ନଭେମ୍ବର ୨୬ ତାରିଖରେ ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ସରୁଥିବାରୁ ନିର୍ବାଚନ କମିଶନ ତାହା ପୂର୍ବରୁ ରାଜ୍ୟରେ ନିର୍ବାଚନ କରାଇବାକୁ ତାରିଖ ଘୋଷଣା କରିବେ । ସେହିପରି, ଚଳିତ ବର୍ଷ ଶେଷ ସୁଦ୍ଧା ଝାଡଖଣ୍ଡ ବିଧାନସଭାର କାର୍ଯ୍ୟକାଳ ଶେଷ ହେଉଥିବାରୁ ମହାରାଷ୍ଟ୍ର ସହ ଝାଡଖଣ୍ଡ ବିଧାନସଭା ପାଇଁ ମଧ୍ୟ ଇସିଆଇ (ଭାରତୀୟ ନିର୍ବାଚନ ଆୟୁକ୍ତ) ନିର୍ବାଚନ ତାରିଖ ଘୋଷଣା କରିବାକୁ ଯାଉଛି । ଏଭଳି ସ୍ଥିତିରେ ସଂପୃକ୍ତ ରାଜ୍ୟମାନଙ୍କରେ ଉଭୟ ଶାସକ ଓ ବିରୋଧୀଙ୍କ ପକ୍ଷରୁ ପ୍ରଚାର ଜୋର୍ ଧରିଲାଣି । ଏଭଳି ଏକ ସମୟରେ ହରିୟାଣାରେ ବିଧାନସଭା ମତଦାନ ପୂର୍ବରୁ ଦୁଷ୍କର୍ମ ଓ ହତ୍ୟାରେ ଦଣ୍ଡିତ ବାବା ଗୁରୁମିତ ରାମ ରହିମ ସିଂହଙ୍କ ପାରୋଲ ଆବେଦନ ଓ ଏନେଇ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ରାଜ୍ୟ ସରକାରଙ୍କୁ ସ୍ପଷ୍ଟୀକରଣ ମାଗିବା ବିଜେପିକୁ ଅଡୁଆରେ ପକାଇବା ସ୍ୱାଭାବିକ । ହାତୀର ଦେଖାଇବା ଓ ଖାଇବା ଦାନ୍ତ ଭିନ୍ନ ଭଳି ବିଜେପିର ବାହାରକୁ ଦେଖାଇବା ଓ ଖାଇବା ଦାନ୍ତ ଭିନ୍ନ ବୋଲି ବିରୋଧୀ ଯେଉଁ ଅଭିଯୋଗ କରୁଛନ୍ତି ତାହା ହରିୟାଣା କଥାରୁ ସ୍ପଷ୍ଟ ଦୃଶ୍ୟମାନ ହେଉଛି । ହରିୟାଣାବାସୀ ଏହାକୁ କିଭଳି ଭାବେ ଗ୍ରହଣ କରୁଛନ୍ତି ତାହା ଅକ୍ଟୋବର ୦୮ ତାରିଖରେ ନିର୍ବାଚନ ଫଳାଫଳ ଆସିଲେ ସ୍ପଷ୍ଟ ହୋଇଯିବ ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS