ସୁପ୍ରିମ କୋର୍ଟରେ ଧରା ପଡିଗଲା ଚନ୍ଦ୍ରବାବୁଙ୍କ ମିଛ ?
ପ୍ରସାଦ ରାଓ
ଅକ୍ଟୋବର ୦୧/୨୦୨୪
ସୁପ୍ରିମ କୋର୍ଟରେ ଧରା ପଡିଛି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ.ଚନ୍ଦ୍ରବାବୁ ନାଇଡୁଙ୍କ ମିଛ ? ତିରୁମାଲା ତିରୁପତି ଦେବସ୍ଥାନମରେ ଭକ୍ତଙ୍କୁ ପ୍ରସାଦ ସ୍ୱରୂପ ବିକ୍ରି କରାଯାଇଥିବା ଲଡୁ ଅପମିଶ୍ରିତ ଥିଲା, ଯେଉଁ ଘିଅରେ ଲଡୁ ପ୍ରସ୍ତୁତ ହୋଇ ଶ୍ରୀଭେଙ୍କଟେଶ୍ୱର ସ୍ୱାମୀଙ୍କ ଦର୍ଶନାର୍ଥେ ଯାଇଥିବା ଭକ୍ତଙ୍କୁ ବିକ୍ରି କରାଯାଇଛି ସେଥିରେ ପଶୁ ଚର୍ବି ଓ ମାଛ ତେଲର ଅପମିଶ୍ରଣ ଥିବା ଲ୍ୟାବ୍ ଟେଷ୍ଟରୁ ଜଣାପଡିଛି ବୋଲି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ନାଇଡୁ ଗତ ମାସରେ ଗଣମାଧ୍ୟମରେ ଅଭିଯୋଗ କରି ଦେଶବ୍ୟାପୀ ହଇଚଇ ସୃଷ୍ଟି କରିଥିଲେ । ଏଭଳି ଅଭିଯୋଗ କରି ସେ ତାଙ୍କ ରାଜନୈତିକ ବିରୋଧୀ ପୂର୍ବତନ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ତଥା ୱାଇଏସଆରସିପି ମୁଖ୍ୟ ୱାଇ.ଏସ୍.ଜଗନମୋହନ ରେଡ୍ଡୀଙ୍କୁ ଆଇନର କାଠଗଡାକୁ ଟାଣିବାକୁ ଉଦ୍ୟମ କରିବା ସହ ଲଡୁ ପ୍ରସ୍ତୁତିରେ ଅପମିଶ୍ରଣର ଏସଆଇଟି ତଦନ୍ତ ନିର୍ଦେଶ ଦେଇ ତାଙ୍କ ଅଭିଯୋଗ ଯେ ଯଥାାର୍ଥ ତାହା ପ୍ରମାଣ କରିବା ଚେଷ୍ଟା କରିଥିଲେ । ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁଙ୍କ ଅଭିଯୋଗ ଅନ୍ୟ ରାଜ୍ୟଙ୍କୁ ମଧ୍ୟ ପ୍ରଭାବିତ କରିଛି । ୟୁପି, ଓଡ଼ିଶା, ଉତ୍ତରାଖଣ୍ଡ ଭଳି ରାଜ୍ୟରେ ଏହାର ତ୍ୱରିତ ପ୍ରଭାବ ଦେଖିବାକୁ ମିଳିଛି । ସଂପୃକ୍ତ ରାଜ୍ୟ ସରକାରମାନେ ନିଜ ନିଜ ରାଜ୍ୟରେ ପ୍ରମୁଖ ମନ୍ଦିରଗୁଡିକରେ ପ୍ରସ୍ତୁତ ଓ ବିକ୍ରି ହେଉଥିବା ପ୍ରସାଦ ଓ ମହାପ୍ରସାଦର ଗୁଣାତ୍ମକମାନ ପରୀକ୍ଷା ପାଇଁ ଅଂଟା ଭିଡିବା ସହ ଏହାକୁ ଏକ ଆନ୍ଦୋଳନର ରୂପ ଦେଇଛନ୍ତି । ତିରୁପତି ଲଡୁ ଅପମିଶ୍ରିତ ଘିଅରେ ପ୍ରସ୍ତୁତ ହୋଇଥିବା ଅଭିଯୋଗକୁ ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) ପରିଚାଳନା କମିଟି ବାରମ୍ବାର ଖଣ୍ଡନ କରୁଥିଲେ ମଧ୍ୟ ବିବାଦ ଥମିବା ନାଁ ନେଉନି । ଏବେ ମାମଲା ସୁପ୍ରିମ କୋର୍ଟଙ୍କ ବିଚାରାଧୀନ ହୋଇଛି । ଗତକାଲି ସୁପ୍ରିମ କୋର୍ଟର ଏକ ଖଣ୍ଡପୀଠ ଏହି ମାମଲାର ଶୁଣାଣୀ କରି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ନାଇଡୁଙ୍କୁ ଯେଭଳି ପ୍ରଶ୍ନବାଣରେ ଘେରିଛନ୍ତି ତାହାସଂପୂର୍ଣ୍ଣ ଅଭିଯୋଗ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ପ୍ରତୀୟମାନ ହେଉଛି । ‘ଭାଗବାନଙ୍କୁ ରାଜନୀତିରୁ ଦୂରେଇ ରଖାଯାଉ’ ବୋଲି ସୁପ୍ରିମ କୋର୍ଟ ଗତକାଲି ତାଗିଦ କରିଛନ୍ତି । ସୁପ୍ରିମ କୋର୍ଟ ଶୁଣାଣୀ ସମୟରେ କହିଛନ୍ତି, ଟିଟିଡି ଭକ୍ତମାନଙ୍କ ପାଇଁ ପ୍ରସ୍ତୁତ କରିଥିବା ଲଡୁ ଲ୍ୟାବ୍ ଟେଷ୍ଟକୁ ଯାଇନଥିଲା, ଅଶୁଦ୍ଧ ବୋଲି ସନ୍ଦେହ କରାଯାଇ ଅଲଗା ରଖା ଯାଇଥିବା ଘିଅ ଲ୍ୟାବ୍ ଟେଷ୍ଟ୍ ନିମନ୍ତେ ପଠାଯାଇଥିଲା । ଜୁଲାଇ ମାସରେ ଘିଅର ଲ୍ୟାବ୍ ଟେଷ୍ଟ୍ ରିପୋର୍ଟ ଆସିଛି ଏବଂ ଟେଷ୍ଟ ପାଇଁ ଯାଇଥିବା ଘିଅରେ ପଶୁ ଚର୍ବି ଓ ମାଛ ତେଲ ମିଶ୍ରଣ ଥିବା ସନ୍ଦେହ କରାଯାଉଥିଲେ ମଧ୍ୟ ତାହା ସୁନିଶ୍ଚିତ ନୁହେଁ, ପୁନଃ ପରୀକ୍ଷାର ଆବଶ୍ୟକତା ରହିଛି ବୋଲି ଲ୍ୟାବ୍ ରିପୋର୍ଟରେ କୁହାଯାଇଛି । ଯେଉଁ ଘିଅ ଲ୍ୟାବ୍ ଟେଷ୍ଟ୍ ପାଇଁ ଯାଇଥିଲା ତାହା ଅଲଗା ରହିଥିଲା, ତିରୁପତି ଲଡୁ ପ୍ରସାଦ ପ୍ରସ୍ତୁତିରେ ମୋଟେ ବ୍ୟବହାର ହୋଇନି ବୋଲି ଟିଟିଡି ସର୍ବୋଚ୍ଚ ନ୍ୟାୟାଳୟକୁ ଅବଗତ କରିବା ପରେ ନାଇଡୁଙ୍କ ଅଭିଯୋଗ ତାଙ୍କ ପାଇଁ ବୁମୋରାଂ ହୋଇଛି । ୨୦୨୪ରେ ରାଜ୍ୟରେ ବିଧାନସଭା ନିର୍ବାଚନ ହୋଇ ସରକାର ପରିବର୍ତ୍ତନ ହୋଇଛି । ୱାଇ.ଏସ୍.ଜଗନମୋହନ ରେଡ୍ଡୀଙ୍କ ୱାଇଏସଆରସିପି ସରକାରରୁ ହଟି ଆନ୍ଧ୍ରରେ ଟିଡିପି (ତେଲୁଗୁ ଦେଶମ ପାର୍ଟି) ସରକାର ପ୍ରତିଷ୍ଠା ହୋଇଛି । ୨୦୨୪ ଜୁନରେ ଟିଡିପି ମୁଖ୍ୟ ଏନ.ଚନ୍ଦ୍ରବାବୁ ନାଇଡୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି । ମୁଖ୍ୟମନ୍ତ୍ରୀ ହେବା ପରେ ନାଇଡୁ ତାଙ୍କ ରାଜନୈତିକ ଶତୃ ଜଗନମୋହନ ରେଡ୍ଡୀଙ୍କୁ ଘେରିବା ପାଇଁ ତିରୁପତି ତିରୁମାଲା ମନ୍ଦିରରେ ପ୍ରସାଦ ପ୍ରସ୍ତୁତି ପାଇଁ ବ୍ୟବହାର ହେଉଥିବା ଘିଅକୁ ନେଇ ପ୍ରଶ୍ନଚିହ୍ନ ଉଠାଇଛନ୍ତି । ଏଥିସକାଶେ ସେ ଗଲା ଜୁଲାଇ ମାସରେ ମିଳିଥିବା ଲ୍ୟାବ୍ ଟେଷ୍ଟ୍ ରିପୋର୍ଟକୁ ଅସ୍ତ୍ର କରିଛନ୍ତି । ଏହି ରିପୋର୍ଟ ଜୁଲାଇ ମାସରେ ଆସିଥିବା ବେଳେ ମୁଖ୍ୟମନ୍ତ୍ରୀ ନାଇଡୁ ସେପ୍ଟେମ୍ବର ମାସରେ ସିଧାସଳଖ ଗଣମାଧ୍ୟମକୁ ଯାଇ ତିରୁପତି ତିରୁମାଲା ମନ୍ଦିରରେ ପ୍ରସ୍ତତ ଓ ବିକ୍ରି ହୋଇଥିବା ଲଡୁ ପ୍ରସାଦରେ ପଶୁ ଚର୍ବି ଓ ମାଛ ତେଲ ଉପସ୍ଥିତି ଥିବା ଅଭିଯୋଗ କରିବା ଓ ପରୋକ୍ଷରେ ପୂର୍ବତନ ମୁଖମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କୁ ଇଂଗିତ କରିବା ଦେଶବ୍ୟାପୀ ହଟ୍ଟଚମଟ ସୃଷ୍ଟି କରିଥିବା ବେଳେ ବିନା ଠୋସ୍ ପ୍ରମାଣରେ ମୁଖ୍ୟମନ୍ତ୍ରୀ ନାଇଡୁ ଗଣମାଧ୍ୟମକୁ ଯାଇ ବୟାନ ଦେବାର ଔଚିତ୍ୟକୁ ନେଇ ସୁପ୍ରିମ କୋର୍ଟ ଗତକାଲି ପ୍ରଶ୍ନ ଉଠାଇଛନ୍ତି । ମୁଖ୍ୟମନ୍ତ୍ରୀ ନାଇଡୁଙ୍କ ଗଣାମଧ୍ୟମ ବୟାନ କୋଟି କୋଟି ଭକ୍ତଙ୍କୁ ଆଘାତ ଦେଇଥିବା ଓ ସେମାନଙ୍କ ମନରେ ଅବିଶ୍ୱାସ ଭାବ ସୃଷ୍ଟି କରିଥିବା କ୍ଷୋଭର ବିଷୟ ବୋଲି ସର୍ବୋଚ୍ଚ ନ୍ୟାୟଳୟ କହିଛନ୍ତି । ଦେଶର ବରିଷ୍ଠ ଆଇନଜ୍ଞ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସୁବ୍ରମଣ୍ୟମ ସ୍ୱାମୀଙ୍କ ଆବେଦନ ସମେତ ଚାରିଟି ଆବେଦନ ଉପରେ ସୁପ୍ରିମ କୋର୍ଟ ଏହି ମାମଲାର ଶୁଣାଣୀ କରୁଛନ୍ତି । ସୁପ୍ରିମ କୋର୍ଟ ବିଚାରପତି ଜଷ୍ଟିସ ବି.ଆର.ଗଭାଇ ଓ ଜଷ୍ଟିସ କେ.ଭି.ବିଶ୍ୱନାଥନଙ୍କୁ ନେଇ ଗଠିତ ଖଣ୍ଡପୀଠ ଗତକାଲି ଶୁଣାଣୀ ବେଳେ ସ୍ପଷ୍ଟ ଭାବେ କହିଛନ୍ତି, ତିରୁମାଲା ତିରୁପତି ମନ୍ଦିରରେ ଭକ୍ତଙ୍କ ପାଇଁ ପ୍ରସ୍ତୁତ ଲଡୁ ପ୍ରସାଦର ଲ୍ୟାବ୍ ପରୀକ୍ଷଣ ହୋଇନାହିଁ, ଅପମିଶ୍ରିତ ବୋଲି ସନ୍ଦେହ କରାଯାଉଥିବା ଘିଅକୁ ପରୀକ୍ଷଣ ପାଇଁ ଲ୍ୟାବ୍ କୁ ପଠା ଯାଇଥିଲା । ଗତ ଜୁଲାଇ ମାସରେ ତାହାର ରିପୋର୍ଟ ମିଳିଛି । ଭକ୍ତଙ୍କ ପାଇଁ ପ୍ରସ୍ତୁତ ଲଡୁରେ ଏହି ଅପମିଶ୍ରିତ ଘିଅ ବ୍ୟବହାର ହୋଇଥିବାର କୌଣସି ତଥ୍ୟ ପ୍ରମାଣ ସରକାର ଓ ଟିଟିଡି ନିକଟରେ ଅଛି କି (?) ବୋଲି ସୁପ୍ରିମ କୋର୍ଟ ଶୁଣାଣୀ ପ୍ରାରମ୍ଭରେ ରାଜ୍ୟ ସରକାର ଓ ଟିଟିଡିକୁ ପ୍ରଶ୍ନ କରିଥିଲେ । ତେବେ, ରିଜେକ୍ଟ ଘିଅ ସାମ୍ପୁଲ ଟେଷ୍ଟିଂ ପାଇଁ ଲ୍ୟାବ୍ କୁ ପଠା ଯାଇଥିଲା ବୋଲି ସରକାର ଓ ଟିଟିଡି କର୍ତ୍ତୃପକ୍ଷନ୍ୟାୟାଳୟକୁ ଜଣାଇଛନ୍ତି । ଜୁଲାଇ ମାସରେ ଆସିଥିବା ଟେଷ୍ଟ୍ ରିପୋର୍ଟ ମଧ୍ୟ ଅସ୍ପଷ୍ଟ । ରିପୋର୍ଟରେ କେତେକ ସନ୍ଦେହ ରହିଛି ଏବଂ ଘିଅର ପୁନଃ ପରୀକ୍ଷଣର ଆବଶ୍ୟକତା ଥିବା କୁହାଯାଇଛି । ଲ୍ୟାବ୍ ପରୀକ୍ଷା ପାଇଁ ଯେଉଁ ଘିଅ ଯାଇଥିଲା ତାହା ଲଡୁ ପ୍ରସାଦ ପ୍ରସ୍ତୁତିରେ ମୋଟେ ବ୍ୟବହାର ହୋଇନାହିଁ ବୋଲି ଟିଟିଡି କର୍ତ୍ତୃପକ୍ଷ ବାରମ୍ବାର କହୁଛନ୍ତି । ଜୁଲାଇ ମାସରେ ମିଳିଥିବା ଲ୍ୟାବ୍ ରିପୋର୍ଟକୁ ଧରି ମୁଖ୍ୟମନ୍ତ୍ରୀ ନାଇଡୁ ସେପ୍ଟେମ୍ବର ମାସରେ ଗଣମାଧ୍ୟମରେ ବୟାନ ରଖିବାର ଆବଶ୍ୟକତା କଣ ଥିଲା (?) ବୋଲି ସୁପ୍ରିମ କୋର୍ଟ ପ୍ରଶ୍ନ କରିଛନ୍ତି । ତିରୁପତି ମନ୍ଦିରରେ ପ୍ରସ୍ତୁତ ଲଡୁରେ ଅପମିଶ୍ରିତ ଘିଅ ବ୍ୟବହାର ହୋଇଛି ବୋଲି ସେମାନେ କିଭଳି ଭାବେ ନିଷ୍କର୍ଷରେ ପହଂଚିଛନ୍ତି ବୋଲି ମଧ୍ୟ ସୁପ୍ରିମ କୋର୍ଟ ଖଣ୍ଡପୀଠ ରାଜ୍ୟ ସରକାର ଓ ଟିଟିଡିକୁପ୍ରଶ୍ନ କରିଛନ୍ତି । ଟିଟିଡି ପକ୍ଷରୁ ବରିଷ୍ଠ ଆଇନଜୀବୀ ସୁଦ୍ଧାର୍ଥ ଲୁଥର ଗତକାଲି ସୁପ୍ରିମ କୋର୍ଟ ଖଣ୍ଡପୀଠରେ ହାଜର ହୋଇ ପ୍ରସାଦମ୍ ଲଡୁର ସ୍ୱାଦରେ ପରିବର୍ତ୍ତନ ଘଟିଥିବା ନେଇ କିଛି ଭକ୍ତ ଅଭିଯୋଗ ଆଧାରରେ ଏହି ବିବାଦର ସୂତ୍ରପାତ ହୋଇଥିବା କହିଥିଲେ । ସୁପ୍ରମି କୋର୍ଟ ଖଣ୍ଡପୀଠଙ୍କ ପ୍ରଶ୍ନ ଥିଲା, ପ୍ରସାଦମ୍ ଲଡୁରେ ଅପମିଶ୍ରିତ ଘିଅ ବ୍ୟବହାର ହୋଇଥିବା ନେଇ କୌଣସି ତଥ୍ୟ ବା ପ୍ରମାଣି ସରକାରଙ୍କ ନିକଟରେ ନାହିଁ । ଏହାସତ୍ତ୍ୱେ, ମୁଖ୍ୟମନ୍ତ୍ରୀ ଏତଲା ରଜୁ କରିବା ଓ ତଦନ୍ତ ପାଇଁ ଏସଆଇଟି ଗଠନ କରିବା ପୂର୍ବରୁ ଗଣମାଧ୍ୟମକୁ ଗଲେ କାହିଁକି ? ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ଏସଆଇଟି ହାତରୁ ତଦନ୍ତକୁ କାଢିନେଇ କୌଣସି ସ୍ୱାଧୀନ ତଦନ୍ତକାରୀ ସଂସ୍ଥା ହାତରେ ନ୍ୟସ୍ତ କରିବାକୁ କୋର୍ଟ ଏବେ ବିଚାର କରୁଥିବା ଏବଂ ଏଥିସକାଶେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କ ସହାୟତା ନେବାକୁ ସ୍ଥିର କରିଥିବା ଗତକାଲି ସୁପ୍ରିମ କୋର୍ଟ ଶୁଣାଣୀ ସମୟରେ ଜଣାପଡିଛି । ମୁଖ୍ୟମନ୍ତ୍ରୀ ନିଜେ ଅଭିଯୋଗ କରିଥିଲେ, ତଦନ୍ତ ପାଇଁ ଏସଆଇଟିି ଗଠନ କରିଥିଲେ । ଏସଆଇଟି ତଦନ୍ତ ରିପୋର୍ଟ ନ ଆସୁଣୁ ସେ ଗଣମାଧ୍ୟମକୁ ଯିବା ଉଚିତ ନଥିଲା ବୋଲି ସୁପ୍ରିମ କୋର୍ଟ ଖଣ୍ଡପୀଠ ଟିପ୍ପଣୀ ଦେବା ସହ ସାମ୍ବିଧାନିକ ପଦବୀରେ ଥାଇ ମଧ୍ୟ ମୁଖ୍ୟମନ୍ତ୍ରୀ ଏଭଳି ପଦକ୍ଷେପ ନେଇ କୋଟି କୋଟି ଭକ୍ତଙ୍କ ବିଶ୍ୱାସରେ ଆଘାତ ଦେଇଛନ୍ତି ବୋଲି ଅଦାଲତ କହିଛନ୍ତି । ‘ଆମେ ଆଶା କରୁଛୁ ଠାକୁରମାନଙ୍କୁ ରାଜନୀତିରୁ ଦୂରେଇ ରଖାଯିବ’ ବୋଲି ଖଣ୍ଡପୀଠ ମତ ଦେଇଛନ୍ତି । ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀଙ୍କ ପକ୍ଷରୁ ଗତକାଲି ସୁପ୍ରିମ କୋର୍ଟର ଅନ୍ୟତମ ବରିଷ୍ଠ ଆଇନଜୀବୀ ରାଜଶେଖର ରାଓ ଖଣ୍ଡପୀଠରେ ହାଜର ହୋଇ ପ୍ରସାଦମ୍ ଲଡୁରେ ଅପମିଶ୍ରିତ ଘିଅର ମୋଟେ ବ୍ୟବହାର ହୋଇନାହିଁ ବୋଲି ଟିଟିଡି କାର୍ଯ୍ୟନିର୍ବାହୀ ଅଧିକାରୀ ବାରମ୍ବାର ସ୍ପଷ୍ଟୀକରଣ ଦେଉଥିବା ଜଣାଇଥିଲେ । ରାଜ୍ୟ ସରକାର ଯେଉଁ ତଦନ୍ତ କରୁଛନ୍ତି ତାହାର ଉପଯୁକ୍ତ ନିରୀକ୍ଷଣ ହେବା ଆବଶ୍ୟକ ବୋଲି ସେ ପ୍ରସ୍ତାବ ଦେଇଥିଲେ । ଆନ୍ଧ୍ର ସରକାରଙ୍କ ପକ୍ଷରୁ ସୁପ୍ରମି କୋର୍ଟର ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ ଖଣ୍ଡପୀଠରେ ହାଜର ହୋଇ ସୁବ୍ରମଣ୍ୟମ ସ୍ୱାମୀଙ୍କ ପିଟିସନର କୌଣସି ଆଇନଗତ ବୈଧତା ନାହିଁ, ତାହା ପୂର୍ବ ମୁଖ୍ୟମନ୍ତ୍ରୀ ୱାଇ.ଏସ.ଜଗନମୋହନ ରେଡ୍ଡୀ ୱାଇଏସଆରପିସିକୁ ସୁରକ୍ଷା ଦେଲା ଭଳି ଭଳି ହୋଇଛି ବୋଲି ଖଣ୍ଡପୀଠଙ୍କୁ କହିଥିଲେ । ସୁପ୍ରିମ କୋର୍ଟ ଖଣ୍ଡପୀଠ ଗୁରୁବାର (୦୩ ତାରିଖ) ଦିନ ମାମଲାର ପରବର୍ତ୍ତୀ ଶୁଣାଣୀ କରିବେ ବୋଲି ଧାର୍ଯ୍ୟ କରିଛନ୍ତି । ପ୍ରାଥମିକ ଶୁଣାଣୀ ବେଳେ ସୁପ୍ରିମ କୋର୍ଟ ଖଣ୍ଡପୀଠ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଯେଭଳି ଘେରିଛନ୍ତି ଓ ଯେଉଁ ପ୍ରଶ୍ନମାନ କରିଛନ୍ତି ସେସବୁ ନାଇଡୁଙ୍କୁ ଅଡୁଆରେ ପକାଇବାକୁ ଯଥେଷ୍ଟ । ଏବେ ତିରୁପତି ଲଡୁକୁ ନେଇ ନାଇଡୁଙ୍କ ମିଛ ପଦାରେ ପଡିଛି ବୋଲି ଗତକାଲିର ସୁପ୍ରିମ କୋର୍ଟ ଶୁଣାଣୀ ପରେ ତାଙ୍କ ବିରୋଧୀ ମହଲରେ ଚର୍ଚ୍ଚା ହେଲାଣି ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS