ଭରତପୁର ଥାନାରୁ ଆପାର୍ଟମେଂଟ ଗଣ ଦୁଷ୍କର୍ମ ପର୍ଯ୍ୟନ୍ତ…
ପ୍ରସାଦ ରାଓ
ଭୁବନେଶ୍ୱର, ଅକ୍ଟୋବର ୦୨
ରାଜ୍ୟରେ ସରକାର ବଦଳିବା ସହ ଶାସନ ବ୍ୟବସ୍ଥରେ ପରିବର୍ତ୍ତନ ଆଶା କରାଯାଇଥିଲା । ନୂଆ ସରକାରରେ ମୁଖ୍ୟମନ୍ତ୍ରୀ ଥିବା ଜନନେତା ମୋହନ ଚରଣ ମାଝୀ ନିଜକୁ ‘ଲୋକଙ୍କ ମୁଖ୍ୟମନ୍ତ୍ରୀ’ ବୋଲି ପ୍ରମାଣ କରିବାକୁ ଶହେ ଦିନ ଶାସନରେ ବେଶ୍ କସରତ କରିଥିଲେ । ପୂର୍ବ ସରକାରେ ମୁଖ୍ୟମନ୍ତ୍ରୀ ଥିବା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ୨୪ ବର୍ଷର ଶାସନ ଭିତରେ କାଁ ଭାଁ ‘ନବୀନ ନିବାସ’ରୁ ପଦାକୁ ଗୋଡ କାଢୁଥିଲେ ଓ ଲୋକଙ୍କ ସହ ମିଶୁଥିଲେ । ତାହା ମଧ୍ୟ ନିର୍ବାଚନ ପାଖେଇ ଆସିଲେ । ଅପରପକ୍ଷରେ, ମୁଖ୍ୟମନ୍ତ୍ରୀ ମାଝୀ କ୍ଷମତାସୀନ ହେବା ଦିନରୁ ଲୋକଙ୍କ ପାଖକୁ ଯାଉଛନ୍ତି, ମିଶୁଛନ୍ତି ଏବଂ ପ୍ରତ୍ୟକ୍ଷ ଭାବେ ସେମାନଙ୍କ ଅଭାବ ଅଭିଯୋଗ ଶୁଣୁଛନ୍ତି । ରାଜ୍ୟ ବିଜେପି ସରକାରଙ୍କ ପାଇଁ ଏହା ୟୁଏସପି ହୋଇଛି ବୋଲି ସର୍ବସାଧାରଣରେ ଚର୍ଚ୍ଚା ହେଉଥିବା ବେଳେ ଓଡ଼ିଶାରେ ଘଟିଥିବା ତିନିଟି ଘଟଣା ଏବେ ମାଝୀ ସରକାରଙ୍କ ଭାବମୂର୍ତ୍ତୀରେ ଆଂଚ ଆଣିଛି । ରାଜ୍ୟରେ ପ୍ରଶାସନିକ ବ୍ୟବସ୍ଥା ଯେ ଦୁର୍ବଳ ରହିଛି – ତାହା ତିନିଟି ଘଟଣା ପ୍ରତିପାଦିତ କରୁଛି । ପ୍ରଥମ ଘଟଣା ହେଉଛି, ପୁରୀ ରାଜଭବନ ପରିସରରେ ଜଣେ ପ୍ରଶାସନିକ ଅଧିକାରୀଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ ମାରିବା ଘଟଣା ଥାନାରେ ଅଭିଯୋଗ ହେବା ସତ୍ତ୍ୱେ ସରକାର ନିରବ ରହିବା । କ୍ୟାପିଟାଲ ଥାନାରେ ରାଜ୍ୟପାଳଙ୍କ ପୁଅ ବିରୋଧରେ ଅଭିଯୋଗ ହେଲା, ତେବେ କିଛି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ସବୁ ଜାଣି କିଛି ଘଟି ନଥିବା ଭଳି ଅଭିନୟ କଲେ । ସଂପୃକ୍ତ ପ୍ରଶାସନିକ ଅଧିକାରୀ ଓ ତାଙ୍କ ପତ୍ନୀ ରାଜ୍ୟପାଳଙ୍କୁ ଭେଟି ଦୁଃଖ ଜଣାଇ ଥିଲେ । ରାଜ୍ୟପାଳ ତୁରନ୍ତ ନ୍ୟାୟ ପ୍ରଦାନ କରିବେ ବୋଲି ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ରାଜ୍ୟପାଳଙ୍କ ପୁଅକୁ ଗିରଫ କରାଯାଉ ବୋଲି ବିରୋଧୀ ଦଳମାନେ ରାଜ୍ୟ ବିଧାନସଭାରେ ଦାବି କରିବା ସତ୍ତ୍ୱେ ସରକାରଙ୍କ ଆଡୁ କିଛି କାର୍ଯ୍ୟାନୁଷ୍ଠାନ ହେଲାନି । ପୂର୍ବ ସରକାର ଅମଳରେ ଘଟିଥବା ବିଭିନ୍ନ କଥିତ ଆପରାଧିକ ଘଟଣାରେ ସେତେବେଳେ ବିରୋଧୀ ଦଳଙ୍କ ଦାବି ସତ୍ତ୍ୱେ ସରକାରୀ ନିରବ ରହିଥିଲେ ବୋଲି କହି ସରକାର ବିରୋଧୀଙ୍କ ଦାବିକୁ ଏଡାଇ ଦେଲେ । ଓଲଟା, ଅଭିଯୋଗକାରୀ ସରକାରୀ ଅଧିକାରୀଙ୍କୁ ରାଜ୍ୟପାଳଙ୍କ ସଚିବାଳୟରୁ ଲୋକ ସେବା ଭବନକୁ ବଦଳି କରି ସଂପୂର୍ଣ୍ଣ ଘଟଣାକୁ ଦବାଇ ଦିଆଗଲା । ସରକାର ବଦଳିବା ପରେ ଗଣମାଧ୍ୟମର ରଂଗ ବଦଳିଛି । ଗଣମାଧ୍ୟମ କାଁ ଭାଁ କେତେବେଳେ ରାଜ୍ୟପାଳଙ୍କ ପୁଅ ପ୍ରସଙ୍ଗ ଉଠୁଛି ସିନା ରାଜ୍ୟପାଳଙ୍କ ପୁଅ କାହିଁକି ଗିରଫ ହେଲେନି ବୋଲି କେହି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରୁ ନାହାନ୍ତି । ରାଜ୍ୟରେ ବିଜେପି ଶାସନରେ ଥିବା ବେଳେ ରାଜ୍ୟପାଳ ରଘୁବର ଦାସ ହେଉଛନ୍ତି ବିଜେପିର ଜଣେ ବରିଷ୍ଠ ନେତା ଓ ପୂର୍ବତନ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ । ଚଳିତ ବର୍ଷ ଶେଷ ଆଡକୁ ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ରାଜ୍ୟପାଳ ରଘୁବାର ଦାସ କିମ୍ବା ତାଙ୍କ ପୁଅ ଝାଡଖଣ୍ଡ ନିର୍ବାଚନରେ ବିଜେପିରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ରାଜ୍ୟପାଳ ଥରେ ଓଡ଼ିଶା ମାଟି ଛାଡିଲେ ତାଙ୍କ ପୁଅ ବିରୋଧରେ କ୍ୟାପିଟାଲ ଥାନାରେ ହୋଇଥିବା ଏତଲା ବାଏଁ ବାଏଁ ଉଡିଯିବ, ଏଥିରେ କୌଣସି ସନ୍ଦେହ ନାହିଁ । ରାଜ୍ୟ ପୁଲିସ ଏହି ଘଟଣାରୁ ମାଝୀ ସରକାରଙ୍କ ବଳ କଳି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ନିଜ ହାତରେ ଗୃହ ବିଭାଗ ରଖିଥିଲେ ମଧ୍ୟ ରାଜ୍ୟପାଳଙ୍କ ପୁଅ ଘଟଣାରେ ନିରବ ରହିଯିବା ରାଜ୍ୟ ପୁଲିସକୁ ବେପରୁଆ ହେବାର ସୁଯୋଗ ଦେଇଛି । ତାହାର ପରିଣତି ଦେଖିବାକୁ ମିଳିଛି ଗତ ମାସରେ ଘଟିଥିବା ଭରତପୁର ଥାନା ଘଟଣାରେ । ରାତି ଅଧରେ ଘରକୁ ଫେରୁଥିବା ଜଣେ ସେନା ଅଧିକାରୀ ଓ ତାଙ୍କ ବାଗଦତ୍ତା ରାସ୍ତାରେ କିଛି ଅସଂଜତ ଯୁବକଙ୍କ ଦୁର୍ବ୍ୟବହାରର ସମ୍ମୁଖୀନ ହୋଇ ନ୍ୟାୟ ପାଇଁ ତ୍ୱରିତ ଭାରତପୁର ଥାନାକୁ ଗଲେ ସିନା ସେମାନଙ୍କୁ ନ୍ୟାୟ ମିଳିବା ଦୂରେ ଥାଉ ଭାରତପୁର ଥାନାରେ ରାତି ଡ୍ୟୁଟିରେ ଥିବା ପୁଲିସ କର୍ମଚାରୀ ସେମାନଙ୍କୁ ଓଲଟା ଅପରାଧରେ ଛନ୍ଦି ଦେଲେ । ସେଦିନ ରାତିରେ ଥାନାରେ କଣ ଘଟିଲା, କେଉଁ ପରିସ୍ଥିତିରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀ ଥାନାରେ ଦୁର୍ବ୍ୟବହାରର ସମ୍ମୁଖୀନ ହେଲେ – ତାହା ଏବେ ତଦନ୍ତ କରୁଛି ଓଡ଼ିଶା କ୍ରାଇମ ବ୍ରାଂଚ ପୁଲିସ । ଥାନାରେ ମାଡ ଖାଇବା ସହ ରାତି ସାରା ହାଜତରେ ରହିବା ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କ ପାଇଁ ଅସହ୍ୟ ଥିଲା । ଏବେ ଅପରାଧୀଙ୍କ ଭଳି ସେମାନେ କ୍ରାଇମ ବ୍ରାଂଚ ଜେରାର ସମ୍ମୁଖୀନ ହୋଇଛନ୍ତି । ଯେଉଁ ପୁଲିସ କର୍ମଚାରୀମାନେ ସେଦିନ ରାତିରେ ଡ୍ୟୁଟିରେ ଥିଲେ ଏବଂ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରି ହାଜତ ଭିତରେ ଠୁଙ୍କି ଦେଇଥିଲେ ସେମାନେ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି ସତ, କିନ୍ତୁ ନିଜକୁ ନିର୍ଦୋଶ ଦାବି କରୁଛନ୍ତି । କ୍ରାଇମ ବ୍ରାଂଚ ପୁଲିସ ସେମାନଙ୍କୁ ମଧ୍ୟ ଜେରା କରୁଛି । ସେନା ଅଧିକାରୀ ପରଦିନ ଥାନାରୁ ମୁକୁଳିଲେ ସିନା ତାଙ୍କ ବାନ୍ଧବୀ ଆନା ଆଇଆଇସିଙ୍କ ଦ୍ୱାରା ନିର୍ଯ୍ୟାତିତ ହୋଇ କୋର୍ଟ ଚାଲାଣ ହେଲେ । ତଳ କୋର୍ଟ ମାଜିଷ୍ଟ୍ରେଟ ଯନ୍ତ୍ରବତ୍ ତାଙ୍କୁ ଜେଲ ହାଜତକୁ ପଠାଇ ଦେଲେ । ଓଡ଼ିଶା ହାଇକୋର୍ଟ ସଂପୃକ୍ତ ମହିଳାଙ୍କ ଜାମିନ ଆବେଦନର ଶୁଣାଣୀ ବେଳେ ବିଚାରପତି ତାଙ୍କ ଅଭିଯୋଗ ଶୁଣିବା ଓ ମେଡିକାଲ ରିପୋର୍ଟକୁ ପରଖିବା ପରେ ତଳ କୋର୍ଟ ମାଜିଷ୍ଟ୍ରେଟଙ୍କ ଉପରେ ବର୍ଷିବା ସହ ମହିଳାଙ୍କ ଜାମିନ ମଂଜୁର କଲେ । ଏବେ, ଓଡ଼ିଶା କ୍ରାଇମ ବ୍ରାଂଚ ନିଲମ୍ବିତ ପୁଲିସ କର୍ମଚାରୀଙ୍କ ସହ ଅଭିଯୋଗକାରୀ ମହିଳାଙ୍କ ମିଛଧରା ପରୀକ୍ଷା କରାଇଛି । ଜାଣିବାକୁ ଚେଷ୍ଟା କରୁଛି, ସେଦିନ ରାତିରେ ବାସ୍ତବରେ କେଉଁ ପରିସ୍ଥିତିରେ ଏଭଳି ଏକ ଦୁର୍ଭାଗ୍ୟଜନକ ଘଟଣା ଘଟିଲା । ଏପର୍ଯ୍ୟନ୍ତ କ୍ରାଇମ ବ୍ରାଂଚ କୌଣସି ନିଷ୍କର୍ଷରେ ପହଂଚି ପାରିନଥିବା କୁହାଯାଉଛି । ଜଣେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀ ରାତି ଅଧରେ ସେମାନଙ୍କ ପ୍ରତି ହୋଇଥିବା ଦୁର୍ବବ୍ୟହାର ସଂପର୍କରେ ଅଭିଯୋଗ କରିବାକୁ ଥାନାକୁ ଯାଇ ଅଭିଯୁକ୍ତ ଭଳି ମାଡ ଖାଇବା ଓ ରାତି ସାରା ହାଜତରେ କଟାଇବା ଆଜି ମଧ୍ୟ ଜାତୀୟ ଗଣମାଧ୍ୟମରେ ଏକ ଚର୍ଚ୍ଚିତ ଖବର ହୋଇ ରହିଛି । ଦେଶର ବହୁ ପୂର୍ବତନ ସେନା ଅଧିକାରୀ ଏହି ଘଟଣାରେ ଉଦବେଗ ପ୍ରକାଶ କରି ସଂପୃକ୍ତ ପୁଲିସ କର୍ମଚାରୀଙ୍କୁ ଗିରଫ କରାଯାଉ ବୋଲି ହାଇକୋର୍ଟକୁ ଚିଠି ଲେଖି ବା ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପୋଷ୍ଟ୍ କରି ଦାବି କରିଥିବା ବେଳେ ରାଜ୍ୟ ପୁଲିସ ସଂଘର ଅଧିକାରୀମାନେ ନିଲମ୍ବିତ ପୁଲିସ କର୍ମଚାରୀଙ୍କୁ ସୁରକ୍ଷା ଦେବାକୁ ଆଗେଇ ଆସିବା ଏବଂ ପୁଲିସ ମେଳି ଉଦ୍ୟମ ହେବା ଘଟଣାକୁ ଅଧିକ ବିବାଦୀୟ କରିିଛି । ଘଟଣାର ତିନି ଦିନ ପରେ ରାଜ୍ୟର କିଛି ମନ୍ତ୍ରୀ ଗଣମଧ୍ୟମରେ ପ୍ରତିକ୍ରିୟା ଦେଇ ‘ଆଇନ ତା’ ବାଟରେ ଯିବ..’ ବୋଲି କହିଥିଲେ । ରାଜ୍ୟ ସରକାରଙ୍କ ଉପରେ ଚାପ ବଢିବାରୁ ମୁଖ୍ୟମନ୍ତ୍ରୀ ଭରତପୁର ଥାନା ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦେଶ ଦେଲେ ଏବଂ ଜଣେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କ ଅଧ୍ୟକ୍ଷତାରେ ବିଚାର ବିଭାଗୀୟ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜ୍ୟପାଳଙ୍କ ପୁଅ ଘଟଣା ଭଳି ଭରତପୁର ଥାନା ଘଟଣା ମଧ୍ୟ ଧୀରେ ଧୀରେ ସର୍ବସାଧାରଣଙ୍କ ଦୃଶ୍ୟପଟ୍ଟରୁ ମଳିନ ହେବାକୁ ବସିଥିବା ବେଳେ ରବିବାର (ସେପ୍ଟେମ୍ବର ୩୦ ତାରିଖ) ବିଳମ୍ବ ରାତ୍ରୀ ବା ସୋମବାର ଭୋରରେ ରାଜଧାନୀ ଛାତି ଉପରେ ଆଉ ଏକ ଲୋମଟାଂକୁରା ଗଣଦୁଷ୍କର୍ମ ଘଟଣା ଘଟିଛି । ମୈତ୍ରୀ ବିହାର ଅଂଚଳରେ ଏକ ଆପାର୍ଟମେଂଟରେ ରହୁଥିବା ଜଣେ ୨୭ ବର୍ଷିୟା କର୍ମଜୀବୀ ମହିଳା ସେଦିନ ରାତିରେ ନିଜ ଫ୍ଲାଟରେ ଦୁଇ ବର୍ଷର ଶିଶୁକନ୍ୟା ସହ ଶୋଇଥିବା ବେଳେ ଦୁଇ ଜଣ ଲୁଟେରା ତାଙ୍କ ଫ୍ଲାଟର ଝରକା ଭାଂଗି ଘରେ ପଶିଥିଲେ ଓ ମହିଳାଙ୍କୁ ଏକାକୀ ପାଇ ଗଣଦୁଷ୍କର୍ମ କରିବା ସହ କାନରୁ ସୁନା କାନଫୁଲ ଲୁଟି ନେଇଥିଲେ । ଶିଶୁକନ୍ୟା ବେକରେ ମାରଣାସ୍ତ୍ର ଲଗାଇ ମାରି ଦେବାକୁ ଧମକ ଦେବା ସହ ସେମାାନେ ଏହି କୁକାର୍ଯ୍ୟ କରିଥିବା ଅଭିଯୋଗକାରୀଣୀ ଥାନାରେ ଦେଇଥିବା ଏତଲାରେ ଦର୍ଶାଇଛନ୍ତି । ମହିଳାଙ୍କୁ ଗଣଧର୍ଷଣ ଓ ଲୁଟ୍ କରିବା ପରେ ଅଭିଯୁକ୍ତମାନେ ତାଙ୍କ ମୋବାଇଲକୁ ନେଇ ପଳାଇ ଥିଲେ । ସେମାନେ ଘର ବାହାରୁ କବାଟ କିଳି ଦେବାରୁ ମହିଳା ଜଣକ ଗତକାଲି କୌଣସି ପ୍ରକାର ସେଠାରୁ ମୁକୁଳି ମୈତ୍ରୀ ବିହାର ଥାନାରେ ଏତଲା ଦେବାରୁ ଘଟଣା ପ୍ରଘଟ ହୋଇଛି । ମହିଳା ଜଣକ କୌଣସି ଏକ ଘରୋଇ ସଂସ୍ଥାର କର୍ମଚାରୀ । ତାଙ୍କ ସ୍ୱାମୀ ବାହାରେ ରହନ୍ତି । ରବିବାର ରାତି ପ୍ରାୟ ୦୨ଟାରେ ଏହି ଘଟଣା ଘଟିଥିବା କୁହାଯାଉଛି । ମୈତ୍ରୀ ବିହାର ଥାନା ପୁଲିସ ଗଣଦୁଷ୍କର୍ମ ଓ ଲୁଟ୍ ମାମଲା ପଂଜୀକୃତ କରି ଏହି ଘଟଣାର ତଦନ୍ତ କରୁଛନ୍ତି । ଦୁଇ ଜଣଙ୍କୁ ଅଟକ ରଖି ଜେରା କରୁଥିବା ସୂଚନା ମିଳିଛି । ଭରତପୁର ଘଟଣା ସହ ଏହି ଘଟଣାର କୌଣସି ସାମଂଜସ୍ୟ ନଥିଲେ ମଧ୍ୟ ରାଜଧାନୀ ବାସିନ୍ଦାଙ୍କ ପାଇଁ ଘଟଣାଟି ଚିନ୍ତାଜନକ । ସାଧାରଣତଃ ଆପାର୍ଟମେଂଟରେ ରହିବା ସବୁ ଦୃଷ୍ଟିରୁ ସୁରକ୍ଷିତ ଭାବି ଲୋକମାନେ ଆପାର୍ଟମେଂଟ ମୁହାଁ । ଲୋକଙ୍କ ଚାହିଦାକୁ ଦେଖି ଛତୁ ଫୁଟିଲା ଭଳି ରାଜ୍ୟରେ ଆପାର୍ଟମେଂଟ୍ ନିର୍ମାଣ ହେଉଛି । ତେବେ, ଆପାର୍ଟମେଂଟ ସଂସ୍କୃତି ମଧ୍ୟ ଆଉ ସୁରକ୍ଷିତ ନୁହେଁ, ତାହା ଗଲା କିଛି ମାସ ଧରି ରାଜଧାନୀ ଓ ରାଜଧାନୀ ଉପକଂଠରେ ଘଟିଥିବା ବିଭିନ୍ନ ଲୁଟ୍ ଘଟଣାରୁ ସ୍ପଷ୍ଟ । ଏବେ ସେଥିରେ ଯୋଡି ହୋଇଛି ଏହି ଗଣଦୁଷ୍କର୍ମ ଓ ଲୁଟ୍ ଘଟଣା । ଦଶହରା ପୂଜା ପାଖୋଉ ଥିବାରୁ ରାଜଧାନୀ ଓ ରାଜ୍ୟରେ ଲୁଟପାଟ ବଢୁଛି । ପୁଲିସ ରାତିଅଧିଆ ଚେକିଂ, ବ୍ଲକିଂ କରି ଏହାକୁ ରୋକିବାକୁ ଉଦ୍ୟମ କରୁଥିବା ବେଳେ ଲୁଟେରା ଆପାର୍ଟମେଂଟକୁ ଟାର୍ଗେଟ କରୁଛନ୍ତି । ପୂର୍ବରୁ କେବଳ ଲୁଟ୍ ଖବର ଆସୁଥିଲା । ଗତକାଲି ଲୁଟ୍ ସହ ଗଣଦୁଷ୍କର୍ମ ଖବର ଆପାର୍ଟମଂଟରେ ରହୁଥିବା ପରିବାରରେ ଅସୁରକ୍ଷା ଭାବ ସୃଷ୍ଟି କରିଛି । ରାତ୍ରୀ ପେଟ୍ରୋଲି କଡାକଡି ହେଉନଥିବାରୁ ଏଭଳି ଘଟଣା ଘଟୁଛି ବୋଲି ରାଜଧାନୀ ବାସିନ୍ଦା ଅଭିଯୋଗ କଲେଣି । ନିକଟରେ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ ସମ୍ମିଳନୀ ସହ ବରିଷ୍ଠ ପୁଲିସ ଅଧିକାରୀଙ୍କ ବୈଠକ ମଧ୍ୟ କରିଥିଲେ । ପୁଲିସ ପ୍ରଶାସନ ଅଧିକ ସତର୍କ, ସଚେତନ ହେବାକୁ ଓ ଅଭିଯୋଗ କରିବା ପାଇଁ ଥାନାକୁ ଆସୁଥିବା ଲୋକଙ୍କ ପ୍ରତି ଅଧିକ ସହାନୁଭୂତିଶୀଳ ଦେଖାଇବାକୁ ପରାମର୍ଶ ଦେଇଥିଲେ । ରାଜ୍ୟରେ ଏବେ ଯେଉଁ ପ୍ରଶାସନିକ ଅବ୍ୟବସ୍ଥା ଓ ଅରାଜକତା ଦେଖିବାକୁ ମିଳୁଛି ସେସବୁ ପୂର୍ବ ସରକାରଙ୍କ ୨୪ ବର୍ଷର କୁଶାସନର ପରିଣତି ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଗଲା ଶହେ ଦିନରେ ଘଟିଥିବା ଘଟଣା ସବୁକୁ ଘୋଡାଇବାକୁ ଉଦ୍ୟମ କରିଛନ୍ତି । ନବୀନ ପଟ୍ଟନାୟକଙ୍କ ଚବିଶି ବର୍ଷର ଶାସନରେ ରାଜ୍ୟ ପୁଲିସ ମୁଖ୍ୟଙ୍କ ହାତରେ ଅଗାଧ କ୍ଷମତା ଥିଲା । ଆଇଏଏସଙ୍କ ନିୟନ୍ତ୍ରଣରୁ ପୁଲିସ ପ୍ରଶାସନକୁ ସରକାର ମୁକ୍ତ ରଖିଥିଲେ । ତେବେ, ଗତ ଜୁନ ମାସରେ ରାଜ୍ୟରେ ବିଜେପି ସରକାର ପ୍ରତିଷ୍ଠା ପରେ ପୁନର୍ବାର କ୍ଷମତା ଆଇଏଏସ୍ ଅଧିକାରୀଙ୍କ ହାତକୁ ଚାଲି ଯାଇଛି । ରାଜ୍ୟ ପୁଲିସ ମୁଖ୍ୟ କେଉଁ ପୁଲିସ ଅଧିକାରୀଙ୍କୁ ବଦଳୀ କରି ପାରିବେ, କେଉଁମାନଙ୍କୁ ବଦଳୀ କରିବାକୁ ହେଲେ ଗୃହ ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟିକୁ ଯିବାକୁ ପଡିବ – ତାହା ସରକାର ଜୁଲାଇ ମାସରେ ପ୍ରକାଶିତ ଏକ ବିଜ୍ଞପ୍ତିରେ ସ୍ପଷ୍ଟି କରିଛନ୍ତି । ରାଜ୍ୟ ସରକାର ଅରୁଣ ଷଡଙ୍ଗୀଙ୍କ ଭଳି ଜଣେ ଦକ୍ଷ ଆଇପିଏସ୍ଙ୍କୁ ଡିଜି ପଦରୁ ବିଦା କରି କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ୱାଇବି ଖୁରାନିଆଙ୍କୁ ଦୁଇ ବର୍ଷ ପାଇଁ ନିଯୁକ୍ତି ଦେଇଛନ୍ତି । ଖୁରାନିଆ ଜଣେ ଦକ୍ଷ ପୁଲିସ ଅଧିକାରୀ । ଡିଜି ଭାବେ ଦାୟିତ୍ୱ ନେବା ପରେ ସେ ରାଜ୍ୟ ପୁଲିସ ପ୍ରଶାସନରେ କିଛି ଅଦଳ ବଦଳ କରିଥିଲେ ମଧ୍ୟ ତଳସ୍ତରରେ ଆଇନଶୃଙ୍ଖଳା ରକ୍ଷା ଦାୟିତ୍ୱରେ ନିୟୋଜିତ ଅଧିକାଂଶ ପୁଲିସ ଅଧିକାରୀଙ୍କ କାର୍ଯ୍ୟଶୈଳୀ ଓ ମନୋଭାବ ପୂର୍ବବତ୍ ଦବଂଗ ରହିଥିବା ଦେଖିବାକୁ ମିଳୁଛି । ଫଳରେ, ପୁଲିସ ପ୍ରଶାସନ ଜନତାର ବିଶ୍ୱାସଭାଜନ ହୋଇପାରୁନି । ପୂର୍ବ ସରକାରେ ପୁଲିସର ଏଭଳି ମାନସିକତାରେ ପରିବର୍ତ୍ତନ ଉଦ୍ୟମ ହୋଇଥିଲା । ରାଜଧାନୀର ୱାର୍ଡୱାରୀ ନାଗରିକ-ପୁଲିସ ଭାବ ବିନିମୟ ବୈଠକମାନ ଆୟୋଜିତ ହେଉଥିଲା । ତଥାପି, ପୁଲିସ ପ୍ରତି ଜନତାରେ ବିଶ୍ୱାସର ଅଭାବ ରହିଥିଲା । ମୁଖ୍ୟମନ୍ତ୍ରୀ ମାଝୀଙ୍କ ସରକାର ସବୁ କଥାରେ ପୂର୍ବ ସରକାରଙ୍କୁ ଦୋଷ ଦେଇ ନିଜ ମୁଣ୍ଡରୁ ଅଠା ଛଡାଇବାରେ ସୀମିତ ନରହି ନୂଆ କିଛି କରି ଦେଖାଇବା ସମୟ ଆସିଛି । ନବୀନ ସରକାର ଜଣେ ଆଇଏଏସ୍ ଙ୍କ କ୍ରୀଡନକ ହୋଇଥିଲେ ଓ ସମସ୍ତ କ୍ଷମତା ତାଙ୍କ ହାତରେ ଠୁଳ କରିଥିଲେ । ସେ ଏକାକୀ ରାଜ୍ୟ ଶାସନ କରିବା ସହ ଘୋର ଅବ୍ୟବସ୍ଥା ଭିତରକୁ ଟାଣି ନେଇଥିଲେ ବୋଲି ଅଭିଯୋଗ ପୁରୁଣା ହୋଇଗଲାଣି । ମାଝୀ ସରକାର ସବୁ ନିଷ୍ପତ୍ତି ସମ୍ମିଳିତ ଭାବେ ନେଉଥିବା କିଛି ମନ୍ତ୍ରୀ ବୟାନବାଜୀ କରୁଥିବାରୁ ରାଜ୍ୟପାଳଙ୍କ ପୁଅ ପ୍ରସଙ୍ଗରେ ସରକାରଙ୍କ ନିରବତା ପାଇଁ ସମସ୍ତେ ଦାୟି କି (?) ବୋଲି ପ୍ରଶ୍ନ ହୋଇପାରେ । ସରକାର ଏହି ଘଟଣାରେ ଦଅଢପଦକ୍ଷେପ ନେଇଥିଲେ ପୁଲିସ ପ୍ରଶାସନ ମନମାନି କରିବାକୁ ସୁଯୋଗ ପାଇନଥାନ୍ତା ଏବଂ ରାଜ୍ୟର ଆଇନଶୃଂଖଳା ବ୍ୟବସ୍ଥିତ ଥାଆନ୍ତା ବୋଲି ବିରୋଧୀ କହୁଛନ୍ତି । ତେଣୁ, ରାଜ୍ୟ ସରକାର ନିଜକୁ ପ୍ରମାଣିତ କରିବା ସମୟ ଆସିଛି ବୋଲି ଏବେ ତଥ୍ୟାଭିଜ୍ଞ ମହଲରେ ମତପ୍ରକାଶ ପାଉଛି ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS