ବିଜେଡ଼ି ଭାଂଗିଯାଉ, ଓଡ଼ିଶାବାସୀ ଚାହାଁନ୍ତି କି ?


ପ୍ରସାଦ ରାଓ
ଭୁବନେଶ୍ୱର, ଅକ୍ଟୋବର ୦୩
ସବୁ ରାଜନୈତିକ ଦଳରେ ଗୋଷ୍ଠୀ କନ୍ଦଳ ରହିଛି । ସେ ଜାତୀୟ ହେଉ ବା ଆଂଚଳିକ ରାଜନୈତିକ ଦଳ । କ୍ଷମତାରେ ଥିବା ଦଳରେ କନ୍ଦଳ ଭିତରେ ଚାପି ହୋଇ ରହିଥାଏ । ବିରୋଧୀ ଦଳରେ କ୍ଷମତା ଲାଳାୟିତଙ୍କ ଉତ୍ସୃଂଖଳତା ପାଇଁ ତାହା ପଦାରେ ପଡି ଦାଣ୍ଡରେ ଗଡେ । ଆଜି ଓଡ଼ିଶାରେ ତାହା ଦେଖିବାକୁ ମିଳୁଛି । ବିଜେଡ଼ି ଚବିଶି ବର୍ଷ ଧରି ରାଜ୍ୟ ଶାସନରେ ଥିଲା । ଦଳ ଭିତରେ ଗୋଷ୍ଠୀଗତ ବିବାଦ ଥିଲେ ମଧ୍ୟ ନବୀନ ପଟ୍ଟନାୟକଙ୍କ ଏକ ନାୟକତ୍ୱ କାରଣରୁ ତାହା ଚାପି ହୋଇ ରହିଥିଲା । ଦଳ କ୍ଷମତାରୁ ଯିବା ପରେ ଉତ୍ସୃଂଖଳତା ପଦାକୁ ଆସିଛି ଓ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଛି । ବିଜେଡ଼ି ଭାଂଗି ଭାଂଗି ଯାଉଛି ବୋଲି ଏକ ବ୍ୟାଖ୍ୟାନ ସୃଷ୍ଟି କରାଯିବା ସହ ଆଂଗୁଠି ଆଗରେ ଗଣି ହେଲା ଭଳି କିଛି ବିଦ୍ରୋହୀଙ୍କୁ ଗୌରବମଣ୍ଡିତ କରିବା ଉଦ୍ୟମ ଚାଲିଛି । ତେବେ, ପ୍ରଶ୍ନ ଉଠୁଛି, ବିଜେଡ଼ି ଭାଂଗି ଗୁଣ୍ଡ ହୋଇଯିବା ଓଡ଼ିଶାବାସୀ ଚାହୁଁଛନ୍ତି କି ? ଏହାର ଉତ୍ତର ଅତି ସ୍ପଷ୍ଟ । ୨୦୨୪ ବିଧାନସଭା ନିର୍ବାଚନରେ ଓଡ଼ିଶାବାସୀ ରାଜ୍ୟରେ ଏକ ରାଜନୈତିକ ପରିବର୍ତ୍ତନ ଚାହିଁଛନ୍ତି । ବିଜେପିକୁ କ୍ଷମତାକୁ ଆଣିଛନ୍ତି । ତେବେ, ବିଜେଡ଼ିକୁ ସଂପୂର୍ଣ୍ଣ ଭାବେ ପ୍ରତ୍ୟାଖାନ କରି ନାହାନ୍ତି । ଭୋଟ ସେୟାର ଦୃଷ୍ଟିରୁ ବିଜେପି ତୁଳନାରେ ବିଜେଡ଼ି ଅଧିକ ଭୋଟ ପାଇଛି । ତେବେ, ବିଧାନସଭାକୁ ନିର୍ବାଚିତ ହୋଇଥିବା ବିଧାୟକଙ୍କ ସଂଖ୍ୟା କମି ଯିବାରୁ ଦଳ ବିରୋଧୀ ଭୂମିକାକୁ ଚାଲି ଆସିଛି । ଅଧିକ ବିଦାୟକ ଥିବାରୁ ବିଜେପି ପ୍ରଥମ ଥର ପାଇଁ ରାଜ୍ୟରେ ସରକାର କରିଛି । ଏଭଳି ହେବା ସ୍ୱାଭାବିକ । କାରଣ, ଚବିଶି ବର୍ଷ ଧରି କ୍ଷମତାରେ ଥିବା ଦଳରେ ଏକାଧିକ କ୍ଷମତାକେନ୍ଦ୍ର ସୃଷ୍ଟି ହେବା କିଛି ନୂଆ ନୁହେଁ । ଏକାଧିକ କ୍ଷମତାକେନ୍ଦ୍ର ସୃଷ୍ଟି ହେଲା ଯେଉଁମାନେ ଦଳୀୟ ନେତୃତ୍ୱର ନିକଟତର ହୋଇଥା’ନ୍ତି ସେମାନେ ଅଧିକ ଶକ୍ତିଶାଳୀ ହୋଇଥା’ନ୍ତି । ଅନ୍ୟମାନେ ଅସନ୍ତୁଷ୍ଟ ହୋଇ ନିରବ ରହି ଯାଆନ୍ତ ବା ଭିତିରି ଭିତିରି ଦଳ ବିରୋଧୀ କାର୍ଯ୍ୟରେ ସଂପୃକ୍ତ ରହି ଦଳକୁ ଦୁର୍ବଳ କରିଥା’ନ୍ତି । ବିଜେଡ଼ି ମୁଖ୍ୟ ନବୀନ ପଟ୍ଟନାୟକ ଶାସନର ଶେଷ ପାଂଚ ବର୍ଷ ଦଳର ନେତାଙ୍କ ଉପରେ ଭରସା ନକରି ଜଣେ ପ୍ରଶାସକଙ୍କ ହାତରେ ସରକାର ଓ ଦଳର ଭାଗ୍ୟକୁ ସମର୍ପି ଦେବାରୁ ୨୦୨୪ ନିର୍ବାଚନ ବେଳକୁ ବିଜେଡ଼ି ଏକ ଉତ୍ତପ୍ତ ପିଣ୍ଡରେ ପରିଣତ ହୋଇସାରିଥିଲା । ଚବିଶି ବର୍ଷ ମୁଖ୍ୟମନ୍ତ୍ରୀ ରହିବା ପରେ ମଧ୍ୟ ନବୀନ ରାଜ୍ୟବାସୀଙ୍କ ସମ୍ମୁଖରେ ତାଙ୍କ ପରେ ଦଳର ମଂଗ କିଏ ଧରିବ (?) ବା ଦଳ ଓ ସରକାରର ଉତ୍ତରାଧିକାରୀ କିଏ ହେବ, ତାହା ଉପସ୍ଥାପନ କରିନଥିଲେ । ପରଦା ଆଢୁଆଳରେ ରହି ଦଳକୁ ପରିଚାଳିତ କରୁଥିବା ପ୍ରଶାସକ ଜଣକ ମାତ୍ରାଧିକ ଉତ୍ସାହ ଦେଖାଇ ସାମ୍ନାକୁ ଆସିଥିଲେ ଏବଂ ଦଳ ଓ ସରକାରକୁ ନିଜ ଇଚ୍ଛା ଅନୁସାରେ ପରିଚାଳିତ କରିଥିଲେ । ନେତାମାନେ ଧୀରେ ଧୀରେ ଅଦୃଶ୍ୟ ହୋଇଯିବା ସହ ପ୍ରଶାସକଙ୍କ ହାତବାରିସୀ ହେବାକୁ ବାଧ୍ୟ ହୋଇଥିଲେ । ବୋଧହୁଏ ନବୀନ ନିଜ ଦଳର ନେତାମାନଙ୍କୁ ବିଶ୍ୱାସକୁ ନେଇ ପାରୁ ନଥିଲେ । ତେଣୁ, ପ୍ରଶାସକ ଜଣକୁ ମାତ୍ରାଧିକ ଗୁରୁତ୍ୱ ଦେଇ ଦଳୀୟ ନେତାଙ୍କୁ ଏକପ୍ରକାର ନିଷ୍କ୍ରିୟ କରି ଦେଇଥିଲେ । ପ୍ରଶାସକ ଜଣକ ବିଜେଡ଼ି ମୁଖ୍ୟଙ୍କ କା’ ଭାବେ ଦଳ ଓ ସରକାରରେ ସବୁ ନିଷ୍ପତ୍ତି ନେଉଥିଲେ ଏବଂ ନେତାଙ୍କ ଚରିତ୍ରପଂଜିକା ପ୍ରସ୍ତୁତ କରିବା ସହ ୨୦୨୪ ନିର୍ବାଚନରେ ବିଜେଡ଼ିରୁ କିଏ ପ୍ରାର୍ଥୀ ହେବ ଓ ନିର୍ବାଚନ ପରିଚାଳନା କିଭଳି ଭାବେ ହେବ – ତାହାର ଏକକ ନିର୍ଣ୍ଣୟ ନେଇଥିଲେ । ନିଷ୍କ୍ରିୟ ହୋଇ ସାରିଥିବା ନେତାମାନେ ଭିତରେ ଗଭୀର ଭାବରେ ଅସନ୍ତୁଷ୍ଟ ଥିଲେ ମଧ୍ୟ ଏହା ପଛରେ ନବୀନଙ୍କ ପ୍ରଚ୍ଛନ୍ନ ସମର୍ଥନ ରହିଥିବା ଅନୁଭବ କରି ତାହାର ବିରୋଧ କରିବାକୁ ସାହାସ କରିନଥିଲେ । କାରଣ, ନବୀନଙ୍କ ନାମରେ ହିଁ ଭୋଟ ହେଉଥିଲା ଓ ବିଜେଡ଼ି ୨୪ ବର୍ଷ ଧରି କ୍ଷମତାରେ ଥିଲା । ନବୀନଙ୍କ ବିନା ସେମାନଙ୍କର କୌଣସି ଅସ୍ତିତ୍ୱ ନାହିଁ ବୋଲି ନେତାମାନେ ବିଚାର କରୁଥିବା ବେଳେ ଦଳର କିଛି ନେତା ପ୍ରଶାସକଙ୍କ ଚାଟୁକାର ସାଜି ମନମୁଖୀ ଭାବେ ଦଳକୁ ପରିଚାଳନା କରୁଥିବା ଓଡ଼ିଶାବାସୀ ଅନୁଭବ କରିବା ପରେ ଏକ ବିକଳ୍ପ ଶାସନ କଥା ଚିନ୍ତା କରିଥିଲେ । ବିଜେଡ଼ି ନେତାଙ୍କ ଭିତରେ ପାହାଡ ସଦୃଶ ରହିଥିବା ଅସନ୍ତୋଷ ଏବଂ ଜଣେ ପ୍ରଶାସକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉତ୍ତରାଧୀକାର ଭାବେ ଦେଖିବାକୁ ଚାହୁଁନଥିବା ଜନତାଙ୍କ ଆକ୍ରେଶ ବିଜେପି କେନ୍ଦ୍ରୀୟ ଓ ରାଜ୍ୟ ନେତୃତ୍ୱ ଆଖିରୁ ଲୁଚି ନଥିଲା । ସେମାନେ ଏଭଳି ଏକ ରାଜନୈତିକ ଖେଳ ଖେଳିଲେ ଯେ ଓଡ଼ିଶାବାସୀ ବିଜେଡ଼ିଠାରୁ ଦୂରେଇ ରାଜ୍ୟରେ ସରକାର ପରିବର୍ତ୍ତନ ସପକ୍ଷରେ ଭୋଟ ଦେଲେ । ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ (ବିଦାୟୀ) ପଶ୍ଚିମ ଓଡ଼ିଶାରେ ନିର୍ବାଚନ ଲଢୁଥିବା ଆସନରୁ ପରାଜିତ ହେବା ସହ ଦକ୍ଷିଣ ଓଡ଼ିଶାର ହିଂଜିଳୀ ଆସନରୁ ମାତ୍ର ଚାରି ହଜାର ଭୋଟ ବ୍ୟବଧାନରେ (ଯେଉଁଠାରୁ କି ସେ ଲକ୍ଷାଧିକ ଭୋଟ ବ୍ୟବଧାନରେ ଜିତି ଆସୁଥଲେ) ଜିତିବାରେ ସକ୍ଷମ ହେଲେ । ଏହା ଥିଲା ବିଜେଡ଼ି ପାଇଁ ସବୁଠାରୁ ବଡ ଝଟକା । ତେବେ, ରାଜ୍ୟବାସୀ ନବୀନ ଓ ବିଜେଡ଼ିକୁ ହତାଦର କରି ନାହାନ୍ତି । ରାଜ୍ୟ ବିଧାନସଭାର ୧୪୭ ଆସନରୁ ୭୮ ଆସନରେ ବିଜୟୀ ହୋଇ ବିଜେପି ସରକାର କରିଥିବା ବେଳେ ବିଜେଡ଼ି ୫୧ ଆସନରେ ବିଜୟୀ ହୋଇ ଏକ ଶକ୍ତିଶାଳୀ ବିରୋଧୀ ଦଳ ରହିଛି । ଲୋକସଭାରେ ଦଳର ସାଂସଦ ସଂଖ୍ୟା ‘ଶୂନ’ ହୋଇଥିବା ବେଳେ ରାଜ୍ୟସଭାରେ ବିଜେଡ଼ିର ନଅ ଜଣ ସାଂସଦଙ୍କ ମଧ୍ୟରୁ ଦୁଇ ଜଣ ପଟ୍ଟ ପରିବର୍ତ୍ତନ କରି ବିଜେପିରେ ସାମିଲ ହେବା ପରେ ଆଉ କିଛି ସାଂସଦ ଦଳଡିଆଁ ଅପେକ୍ଷାରେ ଥିବା ଆଲୋଚନା ହେଉଛି । ବିଜେଡ଼ି ଖୁବଶୀଘ୍ର ଭାଂଗି ଗୁଣ୍ଡ ହୋଇଯିବ ବୋଲି ଏକ ଧାରଣା ସୃଷ୍ଟି କରିବାକୁ ଶାସକ ଦଳ ସମର୍ଥିତ ଗଣମାଧ୍ୟମ ଅହରହ ଉଦ୍ୟମ କରୁଛି । ଏଭଳି ସ୍ଥିତିରେ ନବୀନ ଘର-ସଜଡା ଆରମ୍ଭ କରିଛନ୍ତି । ୨୦୧୯ରୁ ୨୦୨୪ ମଧ୍ୟରେ ନିଷ୍କ୍ରୀୟ ହୋଇ ରହିଥିବା ନେତାମାନେ ନିର୍ବାଚନ ପରେ ପୁନଃ ସକ୍ରୀୟ ହୋଇଛନ୍ତି । ନୀବନ ନିଜକୁ ବିରୋଧୀ ଦଳ ନେତା ଭୂମିକାରେ ରଖି ବିଜେପି ସରକାରଙ୍କୁ ମୁକାବିଲା କରିବା ରଣନୀତି ପ୍ରସ୍ତୁତ କରୁଛନ୍ତି । ତେବେ, ନେତାଙ୍କ ମଧ୍ୟରେ ଖୁମ୍ପୁରା ଖୁମ୍ପୁରି ଚାଲିଛି । ତାହା ମଧ୍ୟ ଗଣମାଧ୍ୟମ କ୍ୟାମେରା ସମ୍ମୁଖରେ । ଯାହାକି, ଦଳର ନେତାଙ୍କ ଅପଦସ୍ତ କରିବା ସହ ବିଜେଡ଼ି ତାସ ଘର ଭଳି ଭୁଶୁଡିବାକୁ ଯାଉଛି ବୋଲି ଏକ ବ୍ୟାଖ୍ୟାନ ସୃଷ୍ଟି କରିଛି । ବିଜେପି ଏହି ବ୍ୟାଖାନକୁ ନେଇ ରାଜ୍ୟରେ ନିଜ ସ୍ଥିତି ଦୃଢ କରିବା ଉଦ୍ୟମରେ ଥିବା ବେଳେ ନବୀନ ନିର୍ବାଚନ ପରାଜୟ ପରେ ବିଜେଡ଼ିରେ ଯେଉଁ ଅନ୍ତରୀଣ ବିବାଦ ସାମ୍ନାକୁ ଆସିଛି ତାହାକୁ ଆଖିରେ ରଖି ଘର ସଜାଡିବା ପ୍ରୟାସରେ ଥିବା ରାଜ୍ୟବାସୀ ଦେଖୁଛନ୍ତି । ଆଜି ମଧ୍ୟ ନବୀନ ରାଜ୍ୟବାସୀଙ୍କ ହୃଦୟରେ ରାଜତ୍ୱ କରୁଛନ୍ତି, ଏଥିରେ କାହାରି ଦ୍ୱିମତ ନାହିଁ । ବିଜେପି ବିଭିନ୍ନ ଭାବେ ପ୍ରଲୋଭିତ କରି ବିଜେଡ଼ିର କିଛି ନେତାଙ୍କୁ ନିଜ ପକ୍ଷକୁ ନେଇଛି ବା ନେବା ଉଦ୍ୟମ କରୁଛି । ତେବେ, ଯେଉଁମାନେ ନବୀନ ଓ ବିଜୁ ଜନତା ଦଳର ଆଦର୍ଶରେ ଅନୁପ୍ରାଣିତ ସେମାନେ ବିଜେଡ଼ିରେ ରହିବେ ଓ ଦଳକୁ ପୁନର୍ବାର ଠିଆ କରିବାକୁ ଉଦ୍ୟମ କରିବେ, ରାଜ୍ୟବାସୀ ଏହା ବିଶ୍ୱାସ କରୁଛନ୍ତି । ଓଡ଼ିଶା ରାଜନୀତିରେ ବିଦ୍ରୋହ କିଛି ନୂଆ କଥା ନୁହେଁ । ରାଜ୍ୟରେ ନନ୍ଦିନୀ ଶତପଥୀ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଶାସକ କଂଗ୍ରେସରେ ବିଦ୍ରୋହ ଦେଖିବାକୁ ମିଳିଥିଲା । ନନ୍ଦିନୀଙ୍କୁ ହଟାଇ ବିନାୟକ ଆଚାର୍ଯ୍ୟ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ମଧ୍ୟ କଂଗ୍ରେସରେ ଆଭ୍ୟନ୍ତରୀଣ କନ୍ଦଳ ଓ ଛକାପଂଝା ଦେଖିବାକୁ ମିଳିଥିଲା । ହେମାନନ୍ଦ ବିଶ୍ୱାଳ, ବସନ୍ତ ବିଶ୍ୱାଳଙ୍କ ଭଳି ନେତାମାନେ ବିଦ୍ରୋହୀ ଭୂମିକାରେ ରହି ଆସିଥିଲେ । ରାଜ୍ୟରେ କଂଗ୍ରେସର ନେତୃତ୍ୱ ପରିବର୍ତ୍ତନ ଦାବିରେ ନେତାମାନଙ୍କ ଦିଲ୍ଲୀ ଧାଇଁବା ଏକ ଧାରା ହୋଇ ରହିଥିଲା । ଏବେ ମଧ୍ୟ ଜାନକୀ ବାବୁଙ୍କ ଅବର୍ତ୍ତମାନରେ ଓଡ଼ିଶା କଂଗ୍ରେସରେ ସେହି ଧାରା ବଜାର ରହିଛି ଏବଂ ପିସିସି ସଭାପତି କିଏ ହେବ, ସେହି ଦୌଡରେ ନେତାମାନେ ଛନ୍ଦି ହୋଇ ଓଡ଼ିଶାରେ କଂଗ୍ରେସର ସାଂଗଠନିକ ସ୍ଥିତିକୁ ଦୁର୍ବଳରୁ ଦୁର୍ବଳତର କରି ଦେଇଛନ୍ତି । ଏହି ଅନ୍ତଃବିବାଦ କାରଣରୁ ରାଜ୍ୟରେ ୨୦୦୦ ମସିହାରୁ କ୍ଷମତାରୁ ବାଦା ହୋଇଥିବା କଂଗ୍ରେସ ଦଳ ଚବିଶି ବର୍ଷ ହେଲା କ୍ଷମତାକୁ ଫେରି ପାରୁନି । ଅପରପକ୍ଷରେ, ବିଜେପି ତାହାର ଫାଇଦା ନେଇଛି । ୨୦୧୯ ନିର୍ବାଚନରେ ରାଜ୍ୟରେ ବିଜେପି ମୁଖ୍ୟ ବିରୋଧୀ ଦଳ ଭାବେ ଉଭା ହୋଇଥିବା ବେଳେ କଂଗ୍ରେସ ତିନି ନମ୍ବରକୁ ଖସି ଯାଇଥିଲା । ୨୦୨୪ ନିର୍ବାଚନରେ ମଧ୍ୟ କଂଗ୍ରେସ ରାଜ୍ୟରେ ବିଜେଡ଼ି ସରକାର ବିରୋଧରେ ଥିବା ଅସନ୍ତୋଷରୁ ଫାଇଦା ନେଇ ନପାରି ସେହି ତିନି ନମ୍ବରରେ ରହିଥିବା ବେଳେ ବିଜେପି ନବୀନ ସରକାରଙ୍କୁ କ୍ଷମତାଚ୍ୟୁତ କରି ଏକ ନମ୍ବର ସ୍ଥାନରେ ପହଂଚିଛି । ରାଜ୍ୟରେ କଂଗ୍ରେସର ଅବସ୍ଥା ଯାହା ଦଳ ଆଗକୁ ମଧ୍ୟ ଦୁଇ ନମ୍ବର ସ୍ଥାନକୁ ଫେରିବା ଆଶା କ୍ଷୀଣ । ରାଜ୍ୟବାସୀ ଗତ ପାଂଚ ବର୍ଷରେ ବିଜେପି ଓ ବିଜେଡ଼ିକୁ ପରସ୍ପରର ବିକଳ୍ପ ବୋଲି ଧରି ନେଇଛନ୍ତି । ବିଜେପି ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ଥିବା ସମୟରେ ଦଳ ଭିତରେ ଯେଭଳି ଅନ୍ତ୍ୟନ୍ତରୀଣ କନ୍ଦଳ ଚାଲିଥିଲା ତାହା କାହାରିକୁ ଅଛପା ନାହିଁ । ଏବେ ମଧ୍ୟ ସହି ଅନ୍ତଃକନ୍ଦଳ ଜାରି ରହିଛି । ତେବେ, ରାଜ୍ୟରେ ଦଳ ଶାସନକୁ ଆସି ମାତ୍ର ଶହେ ଦିନ ହୋଇଥିବାରୁ ଓ ବିଜେପି ରାଷ୍ଟ୍ରୀୟ ନେତୃତ୍ୱ ଚତୁରତାର ସହ ଆଭ୍ୟନ୍ତରୀଣ କନ୍ଦଳରେ ମାତି ଥିବା ନେତାଙ୍କ ମଧ୍ୟରୁ କାହାରିକୁ ମୁଖ୍ୟମନ୍ତ୍ରୀ ବା ମନ୍ତ୍ରୀ ନକରି ସମସ୍ତଙ୍କୁ ବିସ୍ମିତ କଲା ଭଳି କମ୍ ଗୁରୁତ୍ୱ ଥିବା ଜଣେ ଆଦିବାସୀ ନେତାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇ ଦେଇଥିବାରୁ ଅନ୍ୟ ନେତାମାନେ ନିରବୀ ଯାଇଛନ୍ତି । ତଥାପି, କେଉଁଠି ନା କେଉଁଠି ତାହାର ପ୍ରତିଫଳନ ହେଉଛି । ବିଜେପି କେନ୍ଦ୍ରରେ ଦଶ ବର୍ଷରୁ ଅଧିକ ସମୟ ହେଲା କ୍ଷମତାରେ ରହିଛି । ସେଠି ମଧ୍ୟ ଦଳର ନେତୃତ୍ୱକୁ ନେଇ ବିରୋଧାଭାଷ ରହିଥିବା କାହାରିକୁ ଅଛପା ନାହିଁ । ବିଜେପି କହିଲେ ଆଜି ଦିନରେ ମୋଦୀ-ଶାହା-ଯୋଗୀଙ୍କୁ ବୁଝାଉ ଥିବା ବେଳେ ଗଡକରୀଙ୍କ ନରମପନ୍ଥୀ ନେତା ମଝିରେ ମଝିରେ ପରୋକ୍ଷରେ ଅସନ୍ତୋଷ ଝାଡୁଛନ୍ତି । ବିଜେପିର ମୂଳପିଣ୍ଡ କୁହାଯାଉଥିବା ଆରଏସଏସ ମଧ୍ୟ ବିଜେପି ନେତୃତ୍ୱକୁ ନେଇ ସମୟ ସମୟରେ କଟାକ୍ଷ କରୁଥିବା କାହାରିକୁ ଅଛପା ନାହିଁ । କିଛି ବିଜେପି ଶାସିତ ରାଜ୍ୟରେ କ୍ଷମତା କନ୍ଦଳ କାରଣରୁ ନେତା ଦଳ ଛାଡୁଥିବାର ଏକାଧିକ ନଜିର ରହିଛି । ଯଦି ବିଜେଡ଼ି ଅସନ୍ତୋଷ ଓ ଅନ୍ତଃକନ୍ଦଳ କାରଣରୁ ଭୁଶୁଡିବାକୁ ଯାଉଛି ବୋଲି ଆମେ କହିବା ତେବେ ଜାତୀୟ ଓ ରାଜ୍ୟସ୍ତରରେ ତାହା ବିଜେପି ପାଇଁ ପ୍ରଯୁଜ୍ୟ ନୁହେଁ କି ? ଓଡ଼ିଶାରେ ବିଜୁ ବାବୁ (ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ) କମ୍ ଦିନ ପାଇଁ ଶାସନରେ ଥିଲେ ମଧ୍ୟ ଜଣେ ବିଶାଳ ହୃଦୟର ରାଜନେତା ଭାବେ ରାଜ୍ୟବାସୀଙ୍କ ହୃଦୟରେ ଥିଲେ । ବିଜୁ ବାବୁଙ୍କ ମୃତ୍ୟୁ ପରେ ସାନ ପୁଅ ନବୀନ ପଟ୍ଟନାୟକ ଅଣ-ରାଜନୈତିକ କ୍ଷେତ୍ରରୁ ରାଜନୀତିକୁ ଆସି ବିଜୁ ଜନତା ଦଳ (ବିଜେଡ଼ି) ଗଠନ କରିବା ସହ ଓଡ଼ିଶାରେ ୨୪ ବର୍ଷ ମୁଖ୍ୟମନ୍ତ୍ରୀ ରହିଲେ । ଗୋଟିଏ ଦଳ ଓ ଜଣେ ବ୍ୟକ୍ତି ଏତେ ବର୍ଷ ଧରି ଶାସନରେ ରହିବା ରାଜ୍ୟବାସୀଙ୍କ ପାଇଁ ଅଶ୍ୱସ୍ତିକର ହୋଇପାରେ । ତେବେ, ନବୀନଙ୍କ କ୍ଷେତ୍ରରେ ତାହା ଭୁଲ ପ୍ରମାଣିତ ହୋଇଛି । ରାଜ୍ୟବାସୀ ତାଙ୍କୁ କ୍ଷମତାଚ୍ୟୁତ କରିଥିବା ସତ୍ତ୍ୱେ ଶାସନରେ ତାଙ୍କ ଅନୁପସ୍ଥିତି ଅନୁଭବ କରୁଛନ୍ତି । ଏହି ପରିସ୍ଥିତିରେ ବିଜେଡ଼ି କ୍ଷମତାରୁ ହଟିବା ପରେ ଅନ୍ତଃକନ୍ଦଳ ଯୋଉଁ ଅତିଶୀଘ୍ର ଧରାଶାୟୀ ହେବାକୁ ଯାଉଛି ବୋଲି ଯେଉଁ ପ୍ରଚାର ଓ ବିତର୍କ ଆରମ୍ଭ ହୋଇଛି ତାହା ଯେ ରାଜନୀତି ଦ୍ୱାରା ପ୍ରେରିତ – ଓଡ଼ିଶାବାସୀ ତାହା ବୁଝିବାକୁ ବାକି ନାହିଁ । ନବୀନଙ୍କ ନେତୃତ୍ୱ ଥିବା ଯାଏଁ ବିଜେଡ଼ି ଭୁଶୁଡିବାର ନାହିଁ । ଓଡ଼ିଶାବାସୀ ତାହା କରାଇ ଦେବେ ନାହିଁ – ଏକଥା ବିଜେପି ଓ ତାହାର ଶୁଭେଚ୍ଛୁମାନେ ଗଂଠି ପକାଇ ରଖନ୍ତୁ ବୋଲି କୌଣସି ପ୍ରକାର ପକ୍ଷଭୁକ୍ତ ନଥିବା ରାଜନୈତିକ ବିଶ୍ଲେଷକମାନେ ମତ ଦେଉଛନ୍ତି ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS