ତିରୁପତି ଲଡୁ ବିବାଦ: ସିବିଆଇ ନିର୍ଦେଶକଙ୍କ ଅଧିନରେ ସ୍ୱତନ୍ତ୍ର ଟିମ୍ ତଦନ୍ତ କରିବେ – ସୁପ୍ରିମକୋର୍ଟ


ପ୍ରସାଦ ରାଓ
ଅକ୍ଟୋବର ୦୪
ଆନ୍ଧ୍ର ପ୍ରଦେଶ ତିରୁପତି ତୁରୁମାଲା ମନ୍ଦିରରେ ଭକ୍ତଙ୍କ ପାଇଁ ପ୍ରସ୍ତୁତ ଓ ବିକ୍ରି ହେଉଥିବା ଲଡୁରେ ଅପମିଶ୍ରଣ ହୋଇଥିବା ନେଇ ମୁଖ୍ୟମନ୍ତ୍ରୀ ଏନ.ଚନ୍ଦ୍ରବାବୁ ନାଇଡୁ ଗତ ମାସରେ ଯେଉଁ ଅଭିଯୋଗ କରିଥିଲେ ତାହା ଦେଶରେ ରାଜନୈତିକ ଝଡ଼ ସୃଷ୍ଟି କରିବା ସହ ବିଶ୍ୱବ୍ୟାପୀ ହନ୍ଦୁ ଓ ଶ୍ରୀଭେଙ୍କଟେଶ୍ୱରଙ୍କ ଭକ୍ତଙ୍କ ଧାର୍ମିକା ଭାବନାକୁ ଗଭୀର ଆଘାତ ଦେଇଥିବାରୁ ଏକ ସ୍ୱାଧୀନ ତଥା ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ (ଏସଆଇଟି) ଦ୍ୱାରା ଏହି ଅଭିଯୋଗର ତଦନ୍ତ କରାଯିବ । ଏସଆଇଟିରେ ସିବିଆଇର ଦୁଇ ଜଣ ଅଧିକାରୀ, ରାଜ୍ୟ ପୁଲିସର ଦୁଇ ଜଣ ଅଧିକାରୀ ଏବଂ ଫୁଡ୍ ସେଫ୍ଟି ଏଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟିସ୍ ଅଫ୍ ଇଣ୍ଡିଆ (ଏଫଏସଏସଏଆଇ)ର ଜଣେ ବରିଷ୍ଠ ଅଧିକାରୀ ରହିବେ ବୋଲି ସୁପ୍ରିମ କୋର୍ଟ ଆଜି କହିଛନ୍ତି । ବିଚାରପତି ଜଷ୍ଟିସ ବି.ଆର.ଗଭାଇ ଓ ଜଷ୍ଟିସ କେ.ଭି.ବିଶ୍ୱନାଥନଙ୍କୁ ନେଇ ଗଠିତ ସୁପ୍ରିମ କୋର୍ଟ ଖଣ୍ଡପୀଠ ଏହି ମାମଲାର ଶୁଣାଣୀ କରୁଛନ୍ତି । ତିରୁପତି ଲଡୁୁ ପ୍ରସ୍ତୁତି ପାଇଁ ମନ୍ଦିରରେ ବ୍ୟବହାର ହୋଇଥିବା ଘିଅରେ ମାଛ ତେଲ ଓ ଘୁଷୁରୀ ଚର୍ବିର ଅପମିଶ୍ରଣ ଥିବା ଜୁଲାଇ ମାସରେ ଆସିଥିବା ଏକ ଲ୍ୟାବ୍ ପରୀକ୍ଷା ରିପୋର୍ଟରେ ସନ୍ଦେହ ବ୍ୟକ୍ତ କରାଯାଇଥିଲା । ତେବେ, ଏହା କେବଳ ସନ୍ଦେହ ମାତ୍ର – ପରୀକ୍ଷଣ ହୋଇଥିବା ଘିଅର ଅଧିକ ପରୀକ୍ଷଣ ଆବଶ୍ୟକ ବୋଲି ରିପୋର୍ଟରେ ସ୍ପଷ୍ଟ ଉଲ୍ଳେଖ ଥିଲା । ଜୁନ ମାସରେ ରାଜ୍ୟରେ ସରକାର ବଦଳିବା ପରେ ଜୁଲାଇ ମାସରେ ଏହି ରିପୋର୍ଟ ଆସିଥିଲା ଏବଂ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଇଥିବା ଚନ୍ଦ୍ରବାବୁ ନାଇଡୁ ସେପ୍ଟେମ୍ବର ମାସରେ ଗଣମାଧ୍ୟମ ସାମ୍ନାକୁ ଯାଇ ଏହି ତିରୁପତି ଲଡୁ ଅପମିଶ୍ରିତ ଘିଅରେ ପ୍ରସ୍ତୁତ ହୋଇ ଭକ୍ତଙ୍କୁ ବିକ୍ରି କରାଯାଇଛି ବୋଲି ଗମ୍ଭୀର ଅଭିଯୋଗ କରିଥିଲେ । ମୁଖ୍ୟମନ୍ତ୍ରୀ ନାଇଡୁଙ୍କ ଟାର୍ଗେଟରେ ଥିଲେ ଆନ୍ଧ୍ର ପ୍ରଦେଶର ବିଦାୟୀ ମୁଖ୍ୟମନ୍ତ୍ରୀ ତଥା ୱାଇଏସଆରସିପି ମୁଖ୍ୟ ୱାଇ.ଏସ.ଜଗନମୋହନ ରେଡ୍ଡୀ । ନାଇଡୁଙ୍କ ଅଭିଯୋଗକୁ ରେଡ୍ଡୀ ଖଣ୍ଡନ କରି ରାଜନୈତିକ ଉଦ୍ଦେଶ୍ୟରେ ଏଭଳି ଅପପ୍ରଚାର ହୋଇଛି ବୋଲି ଅଭିଯୋଗ କରିଥିଲେ । ଏହି ବିବାଦ ଦେଶବ୍ୟାପୀ ଝଡ଼ ସୃଷ୍ଟି କରିବା ସହ ବିଭିନ୍ନ ରାଜ୍ୟରେ ମନ୍ଦିରମାନଙ୍କରେ ପ୍ରସ୍ତୁତ ହେଉଥିବା ପ୍ରସାଦ ଓ ମହାପ୍ରସାଦର ଗୁଣାତ୍ମକ ମାନ ଯାଂଚ କରାଯିବ ବୋଲି ସଂପୃକ୍ତ ରାଜ୍ୟ ସରକାରମାନେ ନିର୍ଦେଶ ଦେଇ ମାମଲାକୁ ଅଧିକ ଗମ୍ଭୀର କରିଥିଲେ । ମାମଲା ସୁପ୍ରିମ କୋର୍ଟରେ ପହଂଚିବା ପରେ ଜଷ୍ଟିସ ଗଭାଇ ଓ ଜଷ୍ଟିସ ବିଶ୍ୱନାଥନଙ୍କ ଖଣ୍ଡପୀଠରେ ଏହାର ଶୁଣାଣୀ ଚାଲିଛି । ଆନ୍ଧ୍ର ସରକାର ଅଭିଯୋଗର ତଦନ୍ତ ପାଇଁ ରାଜ୍ୟ ପୁଲିସକୁ ନେଇ ଏକ ଏସଆଇଟି ଗଠନ କରିଥିଲେ ମଧ୍ୟ ସୁପ୍ରିମ କୋର୍ଟ ବିଭିନ୍ନ କାରଣରୁ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଭର୍ଛନା କରିବା ସହ ଏକ ସ୍ୱାଧୀନ ତଦନ୍ତକାରୀ ଦଳ ଦ୍ୱାରା ଅଭିଯୋଗର ତଦନ୍ତ କରାଯିବା ଆବଶ୍ୟକ ବୋଲି ମତ ଦେବା ପରେ ରାଜ୍ୟ ସରକାରଙ୍କ ଆଡୁ ଯେଉଁ ଏସଆଇଟି ତଦନ୍ତ ନିର୍ଦେଶ ଦିଆଯାଇଥିଲା ତାହା ବନ୍ଦ କରାଗଲା । ସୁପ୍ରମି କୋର୍ଟ ଖଣ୍ଡପୀଠ ଆଜି ସ୍ୱତନ୍ତ୍ର ଏସଆଇଟି ଗଠନ ମାଧ୍ୟମରେ ଅଭିଯୋଗର ତଦନ୍ତ ନିର୍ଦେଶ ଦେଇଛନ୍ତି । ଜଷ୍ଟିସ ଗଭାଇ ଓ ଜଷ୍ଟିସ ବିଶ୍ୱନାଥନଙ୍କ ଖଣ୍ଡପୀଠ କହିଛନ୍ତି, କୋର୍ଟ ରାଜନୈତିକ ଡ୍ରାମା ଭିତରକୁ ଯିବାକୁ ଚାହୁଁ ନାହାନ୍ତି । ତିରୁପତି ଲଡୁ ଅପମିଶ୍ରିତ ଘିଅର ପ୍ରସ୍ତୁତ ହୋଇଥିଲା ବୋଲି ଯେଉଁ ଅଭିଯୋଗ ହୋଇଛି ତାହା ବିଶ୍ୱବ୍ୟାପୀ କୋଟି କୋଟି ଭକ୍ତଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଥିବାରୁ ଭକ୍ତଙ୍କ ବିଶ୍ୱାସର ପୁନଃସ୍ଥାପନ ପାଇଁ ଏକ ସ୍ୱତନ୍ତ୍ର ଓ ସ୍ୱାଧୀନ ତଦନ୍ତକାରୀ ଟିମ୍ ଅଭିଯୋଗର ତଦନ୍ତ କରିବେ । ସିବିଆଇ ନିର୍ଦେଶକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ତଦନ୍ତ ହେବ ବୋଲି ସୁପ୍ରିମ କୋର୍ଟ ବିଚାରପତି ଜଷ୍ଟିସ ଗଭାଇ କହିଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଖଣ୍ଡପୀଠରେ ମତ ରଖିଥିଲେ, ଏହା ଅତ୍ୟନ୍ତ ଗମ୍ଭୀର ଅଭିଯୋଗ ହୋଇଥିବାରୁ ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ଏସଆଇଟି ତାହାର ତଦନ୍ତ କରିବା ଏବଂ ଜଣେ କେନ୍ଦ୍ରୀୟ ଅଧିକାରୀ ତଦନ୍ତର ନିରୀକ୍ଷଣ କରିବା ଉଚିତ ହେବ । ତେବେ, ସୁପ୍ରିମ କୋର୍ଟ ଖଣ୍ଡପୀଠ ସିବିଆଇ ନିର୍ଦେଶକଙ୍କ ତତ୍ୱାବଧାନରେ ଏକ ସ୍ୱାଧୀନ ଏସଆଇଟି ଅଭିଯୋଗର ତଦନ୍ତ କରିବ ବୋଲି ସ୍ପଷ୍ଟ କରିଥିଲେ । ଏଫଏସଏସଏଆଇ ଦେଶରେ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ସର୍ବୋଚ୍ଚ ମାନ ନିର୍ଦ୍ଧାରକ ଭାବେ କାର୍ଯ୍ୟ କରିଆସୁଥିବାରୁ ଏବଂ ଖାଦ୍ୟର ମାନ ପରୀକ୍ଷଣରେ ସଂସ୍ଥାର ବିଶେଷ ଜ୍ଞାନ ଥିବାରୁ ଏହାର ଜଣେ ବରିଷ୍ଠ ଅଧିକାରୀ ଏସଆଇଟିରେ ରହିବେ । ଏହା ଛଡା, ସିବିଆଇର ଦୁଇ ଜଣ ଅଧିକାରୀ ଓ ରାଜ୍ୟ ପୁଲିସର ଦୁଇ ଜଣ ଅଧିକାରୀ ସ୍ୱାଧୀନ ତଦନ୍ତକାରୀ ଦଳରେ ରହିବେ । ସ୍ୱାଧୀନ ତଦନ୍ତ ହେଲେ ହିଁ ବିଶ୍ୱସନୀୟତା ରହିବ ବୋଲି ଜଷ୍ଟିସ ଗଭାଇ କହିଛନ୍ତି । ସରକାରଙ୍କ ଦ୍ୱାରା ପରିଚାଳିତ ଏକ ଲାବରୋଟୋରୀ ତିରୁପତି ଲଡୁରେ ବ୍ୟବହୃତ ଘିଅର ପରୀକ୍ଷଣ କରି ଜୁଲାଇ ମାସରେ ରିପୋର୍ଟ ଦେଇଥିଲେ । ଘିଅରେ ଗୋରୁ ଓ ଘୁଷୁରୀ ଚର୍ବି ଏବଂ ମାଛ ତେଲ ମିଶ୍ରଣ ହୋଇଥିବା ଲ୍ୟାବ୍ ରିପୋର୍ଟରେ ଦର୍ଶଯାଇଛି ବୋଲି ଅଭିଯୋଗ କରି ମୁଖ୍ୟମନ୍ତ୍ରୀ ନାଇଡୁ ଦେଶରେ ହଇଚଇ ସୃଷ୍ଟି କରିଥିଲେ । ନାଇଡୁ ଏସଆଇଟି ତଦନ୍ତ ନିର୍ଦେଶ ଦେବା ପୂର୍ବରୁ ଗଣମାଧ୍ୟମକୁ ଯାଇ ଏହି ଅଭିଯୋଗ କରିବା ଏବଂ ତଦନ୍ତ ହୋଇ ରିପୋର୍ଟ ଆସିବା ଯାଏଁ ଅପେକ୍ଷା କରିନଥିବା ସୁପ୍ରିମ କୋର୍ଟକୁ କ୍ଷୁବ୍ଧ କରିଥିଲା । ‘ଭାଗବାନଙ୍କୁ ରାଜନୀତିଠାରୁ ଦୂରେଇ ରଖାଯିବା ଆବଶ୍ୟକ’ ବୋଲି ସୁପ୍ରିମ କୋର୍ଟ ଖଣ୍ଡପୀଠ ଶୁଣାଣୀର ପ୍ରଥମିକ ସ୍ତରରେ ଟିପ୍ପଣୀ ଦେଇ ସ୍ୱାଧୀନ ଭାବେ ତଦନ୍ତ ସପକ୍ଷରେ ମତ ଦେଇଥିଲେ । ତିରୁମାଲା ତିରୁପତି ମନ୍ଦିରରେ ପ୍ରସ୍ତୁତ କରାଯାଉଥିବା ଲଡୁ ପ୍ରସାଦର ମାନ ଯାଂଚ କରିବା ପାଇଁ ମନ୍ଦିରରେ କିଛି ବ୍ୟବସ୍ଥା ନଥିବାରୁ ଘିଅ ଯୋଗାଣକାରୀମାନେ ମନ୍ଦି ପ୍ର୍ରଶାସନକୁ ଠକିବାର ସୁଯୋଗ ପାଉଛନ୍ତି ବୋଲି ତିରୁପତି ତିରୁମାଲା ଦେବସ୍ଥାନମ୍ (ମନ୍ଦିର ପରିଚାଳନା କମିଟି) ପକ୍ଷରୁ ଅଭିଯୋଗ ହୋଇଥିଲା । ଗତ ଜୁନ-ଜୁଲାଇ ମାସରେ ତିରୁପତି ତିରୁମାଲା ମନ୍ଦିରକୁ ତାମିଲନାଡୁ ଭିତ୍ତିକ ଏକ ଡାଏରୀ ଫାର୍ମ ଯେଉଁ ଘିଅ ଯୋଗାଇ ଥିଲା । ଏହି କନସାଇନମେଂଟ୍ ଉଚିତ ମାନର ଥିଲା ବୋଲି ସେତେବେଳ ଲ୍ୟାବ୍ ଟେଷ୍ଟ୍ ରିପୋର୍ଟ କ୍ଲିନ୍-ଚିଟ୍ ସୂଚିତ କରିଥିଲା । ପ୍ରମାଣ ସ୍ୱରୂପ ସମସ୍ତ କାଗଜପତ୍ର ସଂସ୍ଥା ନିକଟରେ ଅଛି ବୋଲି ସଂପୃକ୍ତ ଡାଏରୀ ଫାର୍ମ ପକ୍ଷରୁ ଦାବି କରାଯାଇଛି ।
– ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS