ଭୋଟ ସରିଲା: କାହାକୁ ମୁକୁଟ ପିନ୍ଧାଇଲେ ହରିୟାଣା ଜନତା – କଂଗ୍ରେସ ନା ବିଜେପିକୁ ?


ପ୍ରସାଦ ରାଓ
ଅକ୍ଟୋବର ୦୫
ହରିୟାଣା ବିଧାନସଭା ପାଇଁ ଆଜି ଭୋଟ ସରିଛି । ମୋଟ ୯୦ ଆସନ ପାଇଁ ହୋଇଥିବା ନିର୍ବାଚନରେ ବିଜେପି ଓ କଂଗ୍ରେସ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଥିବା ବେଳେ ଆମ୍ ଆଦମୀ ପାର୍ଟି (ଆପ୍), ଆଇଏନଏଲଡି-ବିଏସପି ମେଂଟ ଓ ଜେଜେପି-ଆଜାଦ ସମାଜ ପାର୍ଟି (ଏଏସପି)ମେଂଟ ଭୋଟ ବିଭାଜକ ହେବାକୁ ଯାଉଛନ୍ତି । ବିଜେପି ରାଜ୍ୟରେ ଲଗାତର ତୃତୀୟ ଥର ପାଇଁ ସରକାର କରିବା ଆଶାରେ ଅଛି । ଅପରପକ୍ଷରେ, କଂଗ୍ରେସ ଦଳ ରାଜ୍ୟରେ ଥିବା ସରକାର ବିରୋଧୀ ହାୱାରୁ ଫାଇଦା ଉଠାଇ ଏଥର ସରକାର କରିବାକୁ ଯାଉଥିବା ରାଜନୈତିକ ବିଶ୍ଲେଷକମାନେ ଅନୁମାନ କରୁଛନ୍ତି । ବିଜେପି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ମନ୍ତ୍ରୀ ଜେ.ପି.ନଡ୍ଡା ପ୍ରଚାରର ମଂଗ ଧରିଥିଲେ । କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଓ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଦଳର ଷ୍ଟାର ପ୍ରଚାରକ ଭାବେ ନିର୍ବାଚନ ପରିଚାଳନା କରିଛନ୍ତି । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସୁପ୍ରିମ କୋର୍ଟରୁ ଜାମିନ ପାଇ ତିହାର ଜେଲରୁ ମୁକୁଳିବା ପରେ ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ତାଙ୍କ ଘନିଷ୍ଟ ସହଯୋଗୀ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ‘ଆପ୍’ ପ୍ରାର୍ଥୀଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର କରିଥିଲେ । ଜାତୀୟସ୍ତରରେ କଂଗ୍ରେସ ଓ ‘ଆପ୍’ ବିରୋଧୀ ‘ଇଣ୍ଡି’ ମେଂଟରେ ଥିଲେ ମଧ୍ୟ ହରିୟାଣା ନିର୍ବାଚନରେ ପରସ୍ପର ବିରୋଧରେ ଲଢୁଛନ୍ତି । କେଜରୀୱାଲ ନିଜକୁ ହରିୟାଣାର ପୁଅ ଭାବେ ଦାବି କରିବା ସହ ରାଜ୍ୟବାସୀ ମାଗଣାରେ ବିଜୁଳି, ମାଗଣାରେ ଉନ୍ନତ ମାନର ଶିକ୍ଷା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ପାଇବା ସକାଶେ ‘ଆପ୍’କୁ କ୍ଷମତାକୁ ଆଣିବାକୁ ଆହ୍ୱାନ ଦେଇ ନିର୍ବାଚନ ପ୍ରଚାର କରିଛନ୍ତି । ‘ଆପ୍’ ନେତା ମନୀଷ ସିସୋଦିଆ କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ‘ଆପ୍’କୁ ତଳିତଳାନ୍ତ କରିବା ସକାଶେ ମିଥ୍ୟା ମାମଲାରେ ଫସାଇ ସେମାନଙ୍କୁ ଜେଲ୍ କୁ ପଠାଇ ଥିବା ଅଭିଯୋଗ କରିଛନ୍ତି । ଜେଲରେ ରହିବା ସମୟରେ ସେମାନଙ୍କ ମନୋବଳ କ୍ଷୁର୍ଣ୍ଣ ହେବା ବଦଳରେ ଅଧିକ ବଳିଷ୍ଠ ହୋଇଛି ଏବଂ କେଜରୀୱାଲଙ୍କ ନେତୃତ୍ୱରେ ‘ଆପ୍’ର ଦୁର୍ନୀତି ବିରୋଧୀ ଲଢେଇ ଜାରି ରହିବ ବୋଲି ସିସୋଦିଆ ହରିୟାଣାବାସୀଙ୍କୁ ଆଶ୍ୱସ୍ତ କରିଛନ୍ତି । ବିଭିନ୍ନ ନିର୍ବାଚନ ସଭାରେ ବିଜେପି ନେତୃତ୍ୱ କଂଗ୍ରେସ ଓ ବିରୋଧୀଙ୍କୁ ପରିବାରବାଦୀ, ଦେଶ ବିରୋଧୀ ଓ କ୍ଷମତା-ଲାଳାୟିତ ବୋଲି ଆକ୍ଷେପ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସିଧାସଳଖ ଆକ୍ରମଣ କରିଥିବା ବେଳେ ରାହୁଲଙ୍କ ସମେତ କଂଗ୍ରେସର ଷ୍ଟାର ପ୍ରଚାରକମାନେ ବିଜେପି ଶାସନରେ ଦେଶର ସମ୍ବିଧାନ ପ୍ରତି ସୃଷ୍ଟି ହୋଇଥିବା ବିପଦ ପ୍ରତି ରାଜ୍ୟବାସୀଙ୍କୁ ସଚେତନ କରିବା ସହ ଏହାର ସୁରକ୍ଷା ପ୍ରତି ପ୍ରତିବଦ୍ଧତା ଦର୍ଶାଇଛନ୍ତି । କଂଗ୍ରେସ ଦଳ ରାଜ୍ୟରେ କ୍ଷମତାକୁ ଆସିଲେ ଜାତିଗତ ଜନଗଣନା କରାଇବ ଏବଂ ଚାଷୀଙ୍କୁ ଏମଏସପିର (ଉତ୍ପାଦିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ)ର ଗ୍ୟାରେଂଟି ଦେବ ବୋଲି କଂଗ୍ରେସ ପକ୍ଷରୁ ଦଳର ନେତା ରାହୁଲ ଗାନ୍ଧୀ ପ୍ରତିଶ୍ରୁତି ଦେଇଛନ୍ତି । କେନ୍ଦ୍ରରେ ଲଗାତର ତୃତୀୟ ଥର ପାଇଁ ସରକାର କରିଥିବା ବିଜେପି ଚାଷୀ, ସେନା ଓ କୁସ୍ତିଯୋଦ୍ଧା ବିରୋଧୀ ଓ ବିଭିନ୍ନ ସମୟରେ ସେମାନଙ୍କୁ ଅପମାନିତ କରି ଆସିଛି । ବିଧାନସଭା ନିର୍ବାଚନରେ ରାଜ୍ୟବାସୀ ବିଜେପିକୁ ଏହାର ଉଚିତ ଜବାବ ଦେବେ ବୋଲି କଂଗ୍ରେସ ଦୃଢୋକ୍ତି ପ୍ରକାଶ କରିଛି । ରାଜ୍ୟରେ ଦଶ ବର୍ଷ ଧରି କ୍ଷମତାରେ ରହିଥିବା ବିଜେପି ଦୁର୍ବଳ ହୋଇସାରିଛି । ତେଣୁ, ନିର୍ବାଚନର କିଛି ମାସ ପୂର୍ବରୁ ଦଳକୁ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରିବାକୁ ପଡିଛି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯିବା ସହ ଏଥର ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜୟ ସୁନିଶ୍ଚିତ ବୋଲି ଦାବି କରାଯାଇଛି । ଅନ୍ୟପକ୍ଷରେ, ରାଜ୍ୟରେ କଂଗ୍ରେସ କ୍ଷମତାକୁ ଆସିଲେ ମୁଖ୍ୟମନ୍ତ୍ରୀ ପଦର ଦାବିଦାରୀକୁ ନେଇ ଦଳରେ ହରିୟାଣାର ବରିଷ୍ଠ କଂଗ୍ରେସ ନେତ୍ରୀ କୁମାରୀ ଶୈଳଜା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଡ୍ଡାଙ୍କ ପରିବାର ମଧ୍ୟରେ ଚାଲିଥିବା ରାଜନୈତିକ ଛକାପଂଝାକୁ ବିଜେପି ରାଜ୍ୟବାସୀଙ୍କ ସମ୍ମୁଖରେ ଥୋଇଛି । କୁମାରୀ ଶୈଳଜା କଂଗ୍ରେସ ନେତୃତ୍ୱ ତାଙ୍କୁ କୋଣଠେସା କରିଥିବା ଅଭିଯୋଗ କରି ବିଜେପି ଆଡକୁ ଢଳିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ବରିଷ୍ଠ କଂଗ୍ରେସ ନେତାମାନଙ୍କ ସହ ଆଲୋଚନା ପରେ ସକ୍ରିୟ ପ୍ରଚାର ଅଭିଯାନରେ ସାମିଲ ହୋଇଥିଲେ । ଆଜି ହରିୟାଣାର ହିସାରଠାରେ କଂଗ୍ରେସ ସାଂସଦ କୁମାରୀ ଶୈଳଜା ଗଣମାଧ୍ୟମକୁ କହିଛନ୍ତି, ରାଜ୍ୟରେ ବିଜେପି ଏତେଦୂର ଦୁର୍ବଳ ଯେ ତାଙ୍କୁ ଦଳକୁ ସ୍ୱାଗତ କରିବାକୁ ପ୍ରସ୍ତୁତ । ଆଜିର ମତଦାନ ହରିୟାଣାର ଭାଗ୍ୟ ନିର୍ଦ୍ଧାରଣ କରିବ । ‘ରାଜ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଏକପାଖିଆ ହେଉଥିଲେ ମଧ୍ୟ ବିଜେପି ତାଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତ । କାରଣ, ସେମାନେ ଦୁର୍ବଳ ହୋଇପଡିଛନ୍ତି, ତାଙ୍କ ଭଳି ଟାଣୁଆ ନେତାଙ୍କୁ ନିଜ ପକ୍ଷକୁ ନେବାକୁ ସବୁ କିଛି କରିପାରନ୍ତି’ ବୋଲି ଶୈଳାଜା ହିସାରର ଏକ ପୋଲିଂ ବୁଥ୍ ରେ ଭୋଟ ଦେବା ପରେ ଗଣାମଧ୍ୟମ ପ୍ରତିନିଧିଙ୍କୁ କହିଥିବା ଜଣାପଡିଛି । କଂଗ୍ରେସରେ ମୁଖ୍ୟମନ୍ତ୍ରୀ ଦାବିଦାରୀକୁ ନେଇ କନ୍ଦଳ ଥିବା ସଂପର୍କରେ ପ୍ରଶ୍ନ ହେବାରୁ ଶୈଳଜା କହିଛନ୍ତି, ସର୍ବଶେଷରେ ଦଳର ହାଇକମାଣ୍ଡ ହିଁ ଏସଂପର୍କରେ ଶେଷ ନିଷ୍ପତ୍ତି ନେଇଥା’ନ୍ତି । ଶୁକ୍ରବାର ଦିନ ସେ ଏକ ଜାତୀୟ ସମ୍ବାଦ ସରବରାହ ସଂସ୍ଥାକୁ ସାକ୍ଷାତକାର ଦେଇ ସେ ଦଳର ଜଣେ ବରିଷ୍ଠ ନେତା ହୋଇଥିବାରୁ ଏବଂ ସବୁ ଦୃଷ୍ଟିରୁ ପାରଂଗମ ଥିବାରୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦୌଡରେ ସେ ଥିବା ବିଚାର କରାଯାଉଛି । ସେ ଦୌଡରେ ଅଛନ୍ତି । ତେବେ, କଂଗ୍ରେସ ହାଇକମାଣ୍ଡ ହିଁ ରାଜ୍ୟର ମୁଖ୍ୟମନ୍ତ୍ରୀ କିଏ ହେବ, ତା’ର ଉତ୍ତର ଦେଇ ପାରିବେ । ରାଜ୍ୟର ୯୦ ବିଧାନସଭା ଆସନ ପାଇଁ ମୋଟ ୧,୦୩୧ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତାରେ ଅଛନ୍ତି । ରାଜ୍ୟର ଭୋଟଦାତାଙ୍କ ସଂଖ୍ୟା ହେଉଛି ଦୁଇ କୋଟି । ୨୦୧୯ରେ ହୋଇଥିବା ହରିୟାଣା ବିଧାନସଭା ନିର୍ବାଚନରେ ବିଜେପି ୯୦ରୁ ୪୦ ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସକୁ ୩୧ ଆସନ ମିଳିଥିଲା । ବିଜେପି ୧୦ଟି ଆସନରେ ବିଜୟୀ ହୋଇଥିବା ଜେଜେପି (ଜନନାୟକ ଜନତା ପାର୍ଟି) ସର ନିର୍ବାଚନ ପରବର୍ତ୍ତୀ ମେଂଟ କରି ରାଜ୍ୟରେ ସରକାର କରିଥିଲା । ୨୦୨୪ ନିର୍ବାଚନ ପୂର୍ବରୁ ଜେଜେପି ବିଜେପି ମେଂଟରୁ ଓହରି ଯାଇଛି । ହରିୟାଣାର ଆଂଚଳିକ ଦଳଙ୍କ ମଧ୍ୟରୁ ଆଇଏନଏଲଡି (ଭାରତୀୟ ଜାତୀୟ ଲୋକ ଦଳ) ମହାୟାବତୀଙ୍କ ବିହୁଜନ ସମାଜ ପାର୍ଟି (ବିଏସପି) ସହ ମେଂଟରେ ନିର୍ବାଚନରେ ଥିବା ବେଳେ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ଦୁଷ୍ମନ୍ତ ଚୌତାଲାଙ୍କ ଜେଜେପି ଦଳିତ ନେତା ଚନ୍ଦ୍ରଶେଖର ଆଜାଦଙ୍କ ‘ଆଜାଦ ସମାଜ ପାର୍ଟି’ (ଏଏସପି) ସହ ମେଂଟରେ ନିର୍ବାଚନ ମଇଦାନରେ ରହିଛି । ଆଜି ମତଦାନ ସରିଥିବା ବେଳେ ଅକ୍ଟୋବର ୦୮ ତାରିଖରେ ଜମ୍ମୁ-କଶ୍ମୀର ବିଧାନସଭା ଭୋଟ ସହ ହରିୟାଣା ବିଧାନସଭା ଭୋଟ ଗଣତି ହୋଇ ସନ୍ଧ୍ୟା ସୁଦ୍ଧା ଫଳାଫଳ ଆସି ଯିବ । ରାଜ୍ୟବାସୀ କଂଗ୍ରେସ ନା ବିଜେପି – କାହା ବ୍ୟାଖ୍ୟାନକୁ ଗୁରୁତ୍ୱ ଦେଇ ରାଜ୍ୟରେ ସରକାର କରିବା ସୁଯୋଗ ଦେଲେ, ତାହା ସ୍ପଷ୍ଟ ହୋଇଯିବ । ଏଠାରେ ସୂଚନା ଯୋଗ୍ୟ, ସେପ୍ଟେମ୍ବର ୧୮, ୨୫ ଓ ଅକ୍ଟୋବର ୦୧ ତାରିଖରେ ଜମ୍ମୁ-କଶ୍ମୀରର ୯୦ ବିଧାନସଭା ଆସନରେ ତିନି ପର୍ଯ୍ୟାୟରେ ଭୋଟ ହୋଇଥିବା ବେଳେ ହରିୟାଣାରେ ଆଜି ଗୋଟିଏ ପର୍ଯ୍ୟାୟରେ ମତଦାନ ସରିଛି ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS