ନିର୍ବାଚନ ଫଳାଫଳ କାଲି, ହରିୟାଣାରେ କଂଗ୍ରେସ, ଜମ୍ମୁ-କଶ୍ମୀରରେ କିଏ ?


ପ୍ରସାଦ ରାଓ
ଅକ୍ଟୋବର ୦୭
ସେପ୍ଟେମ୍ବର-ଅକ୍ଟୋବରରେ ଅନୁଷ୍ଠିତ କେନ୍ଦ୍ର ଶାସିତ ଜମ୍ମୁ-କଶ୍ମୀର ଓ ହରିୟାନା ବିଧାନସଭାର ନିର୍ବାଚନ ଫଳାଫଳ ଆସନ୍ତା କାଲି ପ୍ରକାଶ ପାଇବାକୁ ଯାଉଛି । ନିର୍ବାଚନ ଫଳାଫଳ ଦୁଇଟି ରାଜ୍ୟର ହୋଇଥିଲେ ମଧ୍ୟ ନଭେମ୍ବର-ଡିସେମ୍ବରରେ ମହାରାଷ୍ଟ୍ର, ଝାଡଖଣ୍ଡ ବିଧାନସଭା ପାଇଁ ନିର୍ବାଚନ ହେବାକୁ ଥିବାରୁ ଜନମତ କୁଆଡେ ଯାଉଛି ତାହା ସମ୍ୟକ ଧାରଣା ଦେବ ବୋଲି ସମସ୍ତେ ଆଶା କରୁଛନ୍ତି । ତେଣୁ, ଉଭୟ ଶାସକ ଓ ବିରୋଧୀ ଉତ୍କଂଠାର ସହ ଫଳାଫଳ ଅପେକ୍ଷା କରିଛନ୍ତି । ଅକ୍ଟୋବର ୦୫ ତାରିଖରେ ହରିୟାଣା ବିଧାନସଭା ପାଇଁ ମତଦାନ ସରିବା ପରେ ଜମ୍ମୁ-କଶ୍ମୀର ଓ ହରିୟାଣା ବିଧାନସଭାର ସମ୍ଭାବ୍ୟ ନିର୍ବାଚନ ଫଳାଫଳକୁ ନେଇ ଯେଉଁ ଏକଜିଟ୍ ପୋଲ୍ ରିପୋର୍ଟମାନ ଗଣମାଧ୍ୟମରେ ଆସିଛି ତାହା କଂଗ୍ରେସ ପାଇଁ ଉତ୍ସାହଜନକ ହୋଇଥିବା ବେଳେ ବିଜେପିର ଆଶଙ୍କା ବଢାଇ ଦେଇଛି । ହରିୟାଣାରେ କଂଗ୍ରେସ ଏକାକୀ ବହୁମତ ପାଇ ସରକାର କରିବ ବୋଲି ଏକଜିଟ୍ ରିପୋର୍ଟ ସବୁ କହୁଥିବା ବେଳେ ଜମ୍ମୁ-କଶ୍ମୀରର ଜନମତ ଝୁଲା ରହିବ ବୋଲି ଅନୁମାନ କରାଯାଇଛି । ଜମ୍ମୁ-କଶ୍ମୀରର ଜମ୍ମୁ କ୍ଷେତ୍ରରେ ବିଜେପିର ପ୍ରଦର୍ଶନ ଭଲ ହୋଇଥିବା ଅନୁମାନ କରାଯାଉଥିବା ବେଳେ କଶ୍ମୀର ଘାଟିରେ କଂଗ୍ରେସ-ନ୍ୟାସନାଲ ଫ୍ରଂଟ୍ (ଏନସି)ର ପ୍ରଦର୍ଶନ ଭଲ ଥିବା ପ୍ରାୟ ସମସ୍ତ ଏକଜିଟ୍ ପୋଲ୍ ସଂସ୍ଥା ଅନୁାନ କରୁଛନ୍ତି । ଝୁଲା ପରିସ୍ଥିତି ରହିଲେ ସରକାର କିଏ କରିବ (?)- ତାହା ଉପରେ ସମସ୍ତଙ୍କ ନଜର ରହିଛି । ଜମ୍ମୁ-କଶ୍ମୀରର ୯୦ଟି ବିଧାନସଭା ଆସନ ପାଇଁ ସେପ୍ଟେମ୍ବର ୧୮ରୁ ଅକ୍ଟୋବର ୦୧ ତାରିଖ ମଧ୍ୟରେ ତିନି ପର୍ଯ୍ୟାୟରେ ଭୋଟ ହୋଇଥିବା ବେଳେ ୦୫ ଜଣ ବିଧାୟକ ଉପ ରାଜ୍ୟପାଳ (ଏଲଜି)ଙ୍କ ଦ୍ୱାରା ମନୋନୀତ ହେବେ ବୋଲି ୨୦୧୯ ଜମ୍ମୁ-କଶ୍ମୀର ରାଜ୍ୟ ପୁନର୍ଗଠନ ଆଇନରେ ବ୍ୟବସ୍ଥା ଥିବାରୁ ବିଜେପିର ଏହାର ସୁଯୋଗ ନେବାକୁ ପ୍ରସ୍ତୁତି ଆରମ୍ଭ କରିଛି । ଅପରପକ୍ଷରେ, ରାଜ୍ୟରେ ବିଜେପିକୁ କ୍ଷମତାଠାରୁ ଦୂରେଇ ରଖିବା ପାଇଁ ଆବଶ୍ୟକତା ପଡିଲେ କଂଗ୍ରେସ-ଏନସି ମେଂଟରେ ପିଡିପି (ପିପୁଲ୍ସ ଡେମୋକ୍ରେଟିକ ପାର୍ଟି) ସାମିଲ ହେବ ବୋଲି ଗତକାଲି ସୂଚନା ଦେଇଥିବା ବେଳେ ଉଭୟ କଂଗ୍ରେସ ଓ ଏନସି ତାହାକୁ ସ୍ୱାଗତ କରିଛନ୍ତି । ତେଣୁ, ଜମ୍ମୁ-କଶ୍ମୀରରେ ଆଗାମୀ ଦିନରେ କାହା ସରକାର ହେଉଛି ଦେଖିବା ସକାଶେ ଉତ୍କଂଠା ବଢିବାରେ ଲାଗିଛି । ୨୦୧୪ରେ ଅବିଭକ୍ତ ଜମ୍ମୁ-କଶ୍ମୀରର ଶେଷ ବିଧାନସଭା ନିର୍ବାଚନ ହୋଇଥିଲା ଏବଂ ଝୁଲା ପରିସ୍ଥିତି ସୃଷ୍ଟି ହେବାରୁ ପିଡ଼ିପି-ବିଜେପି ମିଳିତ ଭାବେ ସରକାର କରିଥିଲେ । ତେବେ, ଏହି ସରକାର ମାତ୍ର ତିନ ବର୍ଷ ଚାଲିଥିଲା । ବିଜେପି ସମର୍ଥନ ପ୍ରତ୍ୟାହାର କରି ନେବାରୁ ମେହେବୁବୁ ମୁଫତିଙ୍କ ପିଡିପି ବିଧାନସଭାରେ ସଂଖ୍ୟାଲଘୁ ହୋଇ କ୍ଷମତାଚ୍ୟୁତ ହୋଇଥିଲା । ୨୦୧୯ରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ସମ୍ବିଧାନର ୩୭୦ ଓ ୩୫-ଏ ଧାରା ଉଚ୍ଛେଦ କରିବା ସହ ରାଜ୍ୟ ପୁନର୍ଗଠନ କରି ଜମ୍ମୁ-କଶ୍ମୀରକୁ ଦୁଇଟି କେନ୍ଦ୍ର ଶାସିତ ଅଂଚଳରେ ପରିଣତ କରିବା ପରେ କେନ୍ଦ୍ର ଶାସିତ ଜମ୍ମୁ-କଶ୍ମୀରରେ ଏହା ହେଉଛି ପ୍ରଥମ ବିଧାନସଭା ନିର୍ବାଚନ । ରାଜ୍ୟରୁ ୩୭୦ ଓ ୩୫-ଏ ଧାରା ଉଚ୍ଛେଦ ପରେ ଆାତଙ୍କବାଦ ଓ ବିଚ୍ଛିନ୍ନତାବାଦର ପରିସମାପ୍ତି ଘଟିଛି ଏବଂ କେନ୍ଦ୍ର ଶାସିତ ଅଂଚଳ ହେବା ପରେ ଜମ୍ମୁ-କଶ୍ମୀରରେ ଗତ ପାଂଚ ବର୍ଷରେ ବହୁ ବିକାଶ କାର୍ଯ୍ୟ ହୋଇଛି । ଉଭୟ ଜମ୍ମୁ ଓ କଶ୍ମୀର ଘାଟି ଅଧିବାସୀ ବିଜେପି ଶାସନକୁ ନେଇ ଖୁସି ଥିବାରୁ ମତଦାନ ବିଜେପି ସରକାର ଗଠନ ସପକ୍ଷରେ ହେବ ବୋଲି କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ଅଶା କରୁଥିବା ବେଳେ ୨୦୧୯ ଅଗଷ୍ଟରେ ଜମ୍ମୁ-କଶ୍ମୀରରୁ ୩୭୦ ଓ ୩୫-ଏ ଧାରା ଉଚ୍ଛେଦ, ରାଜ୍ୟ ପୁନର୍ଗଠନ ନାମରେ ରାଜ୍ୟକୁ ଦୁଇଟି କେନ୍ଦ୍ର ଶାସିତ ଅଂଚଳରେ ପରିଣତ କରାଯିବା ଏବଂ ଜମ୍ମୁ-କଶ୍ମୀରର ‘ପୂର୍ଣ୍ଣାଂଗ ରାଜ୍ୟ ମାନ୍ୟତା’ ଅପହରଣ କରିନିଆଯିବା ଜମ୍ମୁ-କଶ୍ମୀରବାସୀଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ସବୁଠାରୁ ବଡ ଧୋକା ବୋଲି କଂଗ୍ରେସ ଓ ଏନସି ମେଂଟ ଅଭିଯୋଗ କରୁଛନ୍ତି । ରାଜ୍ୟ ପୁନର୍ଗଠନ ପରେ ୨୦୨୪ରେ ହେଉଥିବା ବିଧାନସଭା ନିର୍ବାଚନରେ ଜମ୍ମୁ-କଶ୍ମୀରବାସୀ ବିଜେପି ତଥା କେନ୍ଦ୍ର ସରକାରଙ୍କୁ ଏହାର ଉଚିତ ଜବାବ ଦେବେ ବୋଲି ସେମାନେ ବିଶ୍ୱାସ କରୁଛନ୍ତି । ୨୦୧୪ରେ ଅବିଭକ୍ତ ଜମ୍ମୁ-କଶ୍ମୀରର ୮୭ ବିଧାନସଭା ଆସନରେ ନିର୍ବାଚନ ହୋଇଥିଲା । ପିଡିପି ୨୮, ବିଜେପି ୨୫, ନ୍ୟାସନାଲ କନ୍ଫରେନ୍ସ (ଏନସି) ୧୫ ଓ କଂଗ୍ରେସ ୧୨ଟି ଆସନରେ ବିଜୟୀ ହୋଇଥିଲା । ଅନ୍ୟମାନେ ୦୭ଟି ଆସନରେ ବିଜୟୀ ହୋଇଥିଲେ । କାହାରିକୁ ଏକକ ସଂଖ୍ୟାଗରିଷ୍ଠତା ନ ମିଳିବାରୁ ପିଡିପି-ବିଜେପି ମିଳିତ ଭାବେ ସରକାର କଲେ । ପିଡିପି ମୁଖ୍ୟ ମୁଫତି ମହମ୍ମଦ ସୟଦ ପ୍ରଥମେ ଓ ତାଙ୍କ ମୃତ୍ୟୁ ପରେ କନ୍ୟା ମେହେବୁବା ମୁଫତି ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ । ପିଡିପି ଓ ବିଜେପିର ରାଜନୈତିକ ଚରିତ୍ର ପରସ୍ପର ବିରୋଧୀ ହୋଇଥିବା ସତ୍ତ୍ୱେ କ୍ଷମତା ପାଇଁ ସେମାନେ ସାମୟିକ ବୁଝାମଣା କରିଥିଲେ । ଏହି ସରକାରର ଆୟୁ ଥିଲା ମାତ୍ର ତିନି ବର୍ଷ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୯ରେ କେନ୍ଦ୍ରରେ ଦ୍ୱିତୀୟ ପାଳି ସରକାର କରିବା ପରେ ଅଗଷ୍ଟ ମାସରେ ଜମ୍ମୁ-କଶ୍ମୀରରୁ ୩୭୦ ଓ ୩୫-ଏ ଧାରା ଉଚ୍ଛେଦ ଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ । ଗଲା ପାଂଚ ବର୍ଷ ହେଲା ଜମ୍ମୁ-କଶ୍ମୀରରେ ଶାସନ ଦିଲ୍ଲୀ ଭଳି ଜଣେ ଉପ ରାଜ୍ୟପାଳ (ଏଲଜି)ଙ୍କ ଅଧିନରେ ଚାଲିଛି । ଜମ୍ମୁ ଓ କଶ୍ମୀରର ସମସ୍ତ ୯୦ ବିଧାନସଭା ଆସନ ପାଇଁ ନିର୍ବାଚନ ହୋଇଥିବା ବେଳେ ସେଥିରୁ ୪୩ଟି ବିଧାନସଭା ଆସନ ଜମ୍ମୁ ଅଂଚଳରେ ଏବଂ ୪୭ଟି ବିଧାନସଭା ଆସନ କଶ୍ମୀର ଘାଟି ଅଂଚଳରେ ରହିଛି । ଗତ ପାଂଚ ବର୍ଷ ମଧ୍ୟରେ କେନ୍ଦ୍ର ସରକାରଙ୍କ ପ୍ରତିନିଧି (ଉପ ରାଜ୍ୟପାଳ) ମନୋଜ ସିହ୍ନାଙ୍କ ନେତୃତ୍ୱରେ ଜମ୍ମୁ ଓ କଶ୍ମୀର ଘାଟି ଅଂଚଳରେ ବ୍ୟାପକ ବିକାଶ ହୋଇଥିବା, ପାକ୍ ପ୍ରୟୋଜିତ ଆତଙ୍କବାଦ ଓ ବିଚ୍ଛିନ୍ନତାବାଦରେ ବହୁ ପରିମାଣରେ ହ୍ରାସ ଘଟିଥିବା ଏବଂ କଶ୍ମୀର ଘାଟିରେ ପର୍ଯ୍ୟଟକଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଥିବାରୁ ବେକାର ସମସ୍ୟା ପରିମାଣରେ ହ୍ରାସ ପାଇଥିବା କେନ୍ଦ୍ର ସରକାର ଦାବି କରୁଥିବା ବେଳେ ରାଜ୍ୟବାସୀ ୩୭୦ ଓ ୩୫-ଏ ଧାରା ଉଚ୍ଛେଦକୁ ନେଇ ବାସ୍ତବରେ କେତେ ଖୁସି – ତାହା ଆସନ୍ତା କାଲି ଆସୁଥିବା ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହେବ । ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଓ ବିଜେପିର ଅନ୍ୟ ବରିଠ ନେତାଙ୍କ ବ୍ୟାଖ୍ୟାନ ରହିଥିଲା – ସ୍ୱାଧୀନତାପରଠାରୁ ଦୀର୍ଘ ବର୍ଷ ଧରି ରାଜ୍ୟରେ ପାରିବାରିକ ଶାସନ ଚାଲିଥିଲା । ତିନିଟି ରାଜନୈତିକ ପରିବାର (ଫାରୁକ ଅବଦୁଲ୍ଲା, ମେହେବୁବା ମୁଫତି ଓ ଗାନ୍ଧୀ ପରିବାର) ଜମ୍ମୁ-କଶ୍ମୀରକୁ ଲୁଟିଛନ୍ତି । ସେମାନଙ୍କ ଶାସନରେ ରାଜ୍ୟର କୌଣସି ପ୍ରକାର ବିକାଶ ହୋଇନାହିଁ । କେବଳ, ଆତଙ୍କବାଦୀ ଓ ବିଚ୍ଛିନ୍ନତାବାଦୀ ବ୍ୟାପକ ପ୍ରୋତ୍ସାହିତ ହୋଇଛନ୍ତି । ବିକାଶକୁ ମୋଟେ ଗୁରୁତ୍ୱ ଦେଇ ନାହାନ୍ତି । ସେମାନେ ଏହି ପରିବାରବାଦୀ ଦଳ ପୁନର୍ବାର କ୍ଷମତାକୁ ଫେରିଥିଲେ ରାଜ୍ୟର ଗତି ପୁଣିଥରେ ପୂର୍ବାବସ୍ଥାକୁ ଫେରିଯିବ । ଗତ ପାଂଚ ବର୍ଷରେ ରାଜ୍ୟରେ ହୋଇଥିବା ବିକାଶ ମୂଲ୍ୟହୀନ ହୋଇଯିବ । ନିର୍ବାଚନରେ ବିରୋଧୀ ଜାତୀୟ କନ୍ଫରେନ୍ସ (ଏନସି)ର ପ୍ରତିଶ୍ରୁତି ଥିଲା, ୨୦୨୪ ନିର୍ବାଚନରେ ରାଜ୍ୟବାସୀ ଦଳକୁ କ୍ଷମତାକୁ ଆଣିଲେ ରାଜ୍ୟକୁ ସମ୍ବିଧାନର ୩୭୦ ଓ ୩୫-ଏ ଧାରାରେ ଯେଉଁ ସ୍ୱତନ୍ତ୍ର ସୁବିଧା ମିଳୁଥିଲା ତାହା ପୁର୍ନବାହାଲ କରିବା ଦିଗରେ ଉଦ୍ୟମ ହେବ । ସେହିଭଳି, ଏନସି ସହ ମିଳିତ ଭାବେ ନିର୍ବାଚନ ଲଢିଥିବା କଂଗ୍ରେସର ପ୍ରତିଶ୍ରୁତି ରହିଛି, ରାଜ୍ୟବାସୀ କଂଗ୍ରେସ-ଏନସି ମେଂଟକୁ କ୍ଷମତାକୁ ଆଣିଲେ କଂଗ୍ରେସ ଜମ୍ମୁ-କଶ୍ମୀରର ‘ପୂର୍ଣ୍ଣାଂଗ ରାଜ୍ୟ ମାନ୍ୟତା’ ଫେରାଇ ଆଣିବା ପାଇଁ ଲଢେଇ ଜାରି ରଖିବେ । କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ଏହି ପ୍ରତିଶ୍ରୁତି ଦେଇଛନ୍ତି । ମେହେବୁବା ମୁଫତିଙ୍କ ପିଡିପି ମଧ୍ୟ ରାଜ୍ୟରେ ଗଣତନ୍ତ୍ରର ପୁନଃପ୍ରତିଷ୍ଠା ପାଇଁ କାର୍ଯ୍ୟ କରିବା ପ୍ରତିଶ୍ରୁତି ଦେଇ ନିର୍ବାଚନ ଲଢିଛି । କଂଗ୍ରେସ, ଏନସି ଓ ପିଡିପି ଜାତୀୟସ୍ତରରେ ବିରୋଧୀ ‘ଇଣ୍ଡି’ ମେଂଟରେ ଥିଲେ ମଧ୍ୟ ଜମ୍ମୁ-କଶ୍ମୀରରେ ପିଡିପି ଏକାକୀ ନିର୍ବାଚନ ଲଢିଛି । କୌଣସି ରାଜନୈତିକ ଦଳ ପିଡିପିର ବିନା ସହଯୋଗରେ ରାଜ୍ୟରେ ସରକାର କରିବା ସମ୍ଭବ ହେବ ନାହିଁ ବୋଲି ପିଡିପି ମୁଖ୍ୟ ମେହେବୁବା ମୁଫତି କହିଥିବା ବେଳେ ଗତକାଲି ତାଙ୍କ ଦଳ କହିଛି ଜମ୍ମୁ-କଶ୍ମୀରରେ ଗଣତାନ୍ତ୍ରିକ ଧାରାର ପୁନଃପ୍ରତିଷ୍ଠା ପାଇଁ ତାଙ୍କ ଦଳ ଏନସି-କଂଗ୍ରେସ ମେଂଟକୁ ସମର୍ଥନ ଦେବାକୁ ପ୍ରସ୍ତୁତ । ଗତକାଲି (୦୫ ତାରିଖ) ହରିୟାଣା ବିଧାନସଭା ପାଇଁ ମତଦାନ ସରିବା ପରେ ଗଣମାଧ୍ୟମରେ ପ୍ରସାରିତ ହୋଇଥିବା ବିଭିନ୍ନ ସଂସ୍ଥାଙ୍କ ଏକଜିଟ୍ ପୋଲ୍ ହରିୟାଣାରେ କଂଗ୍ରେସ ଏକାକୀ ସରକାର କରିବ ଓ ଜମ୍ମୁ-କଶ୍ମୀରରେ ଝୁଲା ସରକାର ହେବ ବୋଲି ପୂର୍ବାନୁମାନ କରିଛି । ଜମ୍ମୁ-କଶ୍ମୀରର ଜମ୍ମୁ ଅଂଚଳରେ ବିଜେପିର ପ୍ରଦର୍ଶନ ଅନ୍ୟମାନଙ୍କ ତୁଳନାରେ ଭଲ ଥିବା ବେଳେ କଶ୍ମୀର ଘାଟିରେ କଂଗ୍ରେସ-ଏନସି ମେଂଟର ପ୍ରଦର୍ଶନ ବିଜେପିକୁ ଝଟକା ଦେବା ଭଳି ହୋଇଥିବା ଏକଜିଟ୍ ପୋଲ୍ ରିପୋର୍ଟରୁ ସୂଚନା ମିଳୁଛି । ସ୍ୱାଭାବତଃ ଜମ୍ମୁ ହେୁଛି ହିନ୍ଦୁ ବହୁଳ ଅଂଚଳ । ସେଠାରେ ଥିବା ୪୩ ବିଧାନସଭା ଆସନରୁ ସିଂହଭାଗ ବିଜେପି ଖାତାକୁ ଯାଇଥିବା ସୂଚନା ମିଳୁଥିବା ବେଳେ କଶ୍ମୀର ଘାଟିର ୪୭ ବିଧାନସଭା ଆସନରୁ ସିଂହଭାଗ କଂଗ୍ରେସ-ଏନସି ମେଂଟ ଖାତାକୁ ଯାଇଥିବା ଏକଜିଟ୍ ପୋଲ୍ କହିଛି । ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ, ଜମ୍ମୁ ଅଂଚଳରେ ବିଜେପି ହିନ୍ଦୁ ଭୋଟ୍ ର ଧ୍ରୁବୀକରଣ କରିବାରେ ସଫଳ ହୋଇଥିବା ବେଳେ ବେଳେ କଶ୍ମୀର ଘାଟିରେ କଂଗ୍ରେସ-ଏନସି ମେଂଟ ମୁସଲିମ୍ ଭୋଟର ଧ୍ରୁବୀକରଣ କରିବାରେ ସଫଳ ହୋଇଛନ୍ତି । ଜମ୍ମୁ-କଶ୍ମୀରରୁ ୨୦୧୯ରେ ସମ୍ବିଧାନର ୩୭୦ ଓ ୩୫-ଏ ଧାରା ଉଚ୍ଛେଦକୁ କଶ୍ମୀର ଘାଟି ବାସିନ୍ଦା ଅଧିବାସୀ ଗ୍ରହଣ କରିନଥିବା ଏହି ଧ୍ରୁବୀକରଣରୁ ସୂଚନା ମିଳୁଛି । ଜମ୍ମୁ-କଶ୍ମୀର ଜନତା ଭଲ ଭାବେ ଜାଣନ୍ତି, ରାଜ୍ୟରେ କଂଗ୍ରେସ-ଏନସିର ମେଂଟ ସରକାର ପ୍ରତିଷ୍ଠା ହେଲେ ମଧ୍ୟ ୨୦୧୯ରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଉଚ୍ଛେଦ ହୋଇଥିବା ୩୭୦ ଓ ୩୫-ଏ ଧାରା ପୁର୍ନବାହାଲ ହେବା ସମ୍ଭାବନା କ୍ଷୀଣ । କାରଣ, କେନ୍ଦ୍ର ସରକାର ଏଥିସକାଶେ ସମ୍ବିଧାନରେ ଆବଶ୍ୟକ ସଂଶୋଧନ କରିଛନ୍ତି ଏବଂ ସୁପ୍ରିମ କୋର୍ଟ ମଧ୍ୟ କେନ୍ଦ୍ରୀୟ ଆଇନକୁ ସମର୍ଥନ ଦେଇଛନ୍ତି । ଜମ୍ମୁ-କଶ୍ମୀରକୁ ‘ପୂର୍ଣ୍ଣାଂଗ ରାଜ୍ୟ’ ମାନ୍ୟତା ଫେରସ୍ତ ମିଳିବା ମଧ୍ୟ କେନ୍ଦ୍ର ସରକାରଙ୍କ ଇଚ୍ଛଧୀନ । ଏକଥା ନିର୍ବାଚନ ପ୍ରଚାର ସମୟରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ରାଜ୍ୟବାସୀଙ୍କୁ ସ୍ପଷ୍ଟ କହିଥିଲେ ଓ ଡବଲ ଇଂଜିନ ସରକାର ସପକ୍ଷରେ ମତଦାନ କରିବାକୁ ପ୍ରବର୍ତ୍ତାଇ ଥିଲେ । ତଥାପି କଶ୍ମୀର ଘାଟି ମତଦାତା ଏନସି-କଂଗ୍ରେସ ମେଂଟ ସପକ୍ଷରେ ମତଦାନ କରିବା କେନ୍ଦ୍ର ସରକାରଙ୍କ ୨୦୧୯ର ନିଷ୍ପତ୍ତିକୁ ସେମାନେ ଗ୍ରହଣ କରିନଥିବା ହିଁ କୁହାଯିବ । ଆସନ୍ତା କାଲି ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇଲେ ହରିୟାଣା ସହ ଜମ୍ମୁ-କଶ୍ମୀରର ଚିତ୍ର ମଧ୍ୟ ଅଧିକ ସ୍ପଷ୍ଟ ହୋଇଯିବ । ଇତିମଧ୍ୟରେ, ମହାରାଷ୍ଟ୍ର ଓ ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ (ନିର୍ବାଚନ କମିଶନ ଆଜି ସୁଦ୍ଧା ନିର୍ବାଚନ ତାରିଖ ଘୋଷଣା କରି ନାହାନ୍ତି) ପ୍ରଚାର ଆରମ୍ଭ ହୋଇସାରିଛି । ପ୍ରଧାନମନ୍ତ୍ରୀ ମୋଦୀ ଓ ବିଜେପି ବିରୋଧୀଙ୍କ ପ୍ରତି ସେମାନଙ୍କ ପୁରୁଣା ବ୍ୟାଖ୍ୟାନକୁ ନେଇ ମଇଦାନରେ ଉତୁରି ଥିବା ବେଳେ କଂଗ୍ରେସ ଓ ବିରୋଧୀ ମେଂଟ ମଧ୍ୟ ସେମାନଙ୍କ ୨୦୨୪ ନିର୍ବାଚନ ବ୍ୟାଖ୍ୟାନକୁ ନେଇ ବିଜେପି ବିରୋଧରେ ପ୍ରଚାର କରୁଛନ୍ତି । ହରିୟାଣା, ଜମ୍ମୁ-କଶ୍ମୀର ନିର୍ବାଚନ ଫଳାଫଳ ଯାହା ଅନୁମାନ କରାଯାଉଛି ତାହା ଯଦି ହୁଏ ତେବେ ବିରୋଧୀଙ୍କ ପ୍ରଚାର ଅଧିକ ଆକ୍ରାମକ ହେବ – ଏଥିରେ କୌଣସି ସନ୍ଦେହ ନାହିଁ ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS