ଓମାର ଅବଦୁଲ୍ଲା ହେବେ ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ


ପ୍ରସାଦ ରାଓ
ଅକ୍ଟୋବର ୦୮
ଦଶ ବର୍ଷ ପରେ ଜମ୍ମୁ-କଶ୍ମୀରରେ ହୋଇଥିବା ବିଧାନସଭା ନିର୍ବାଚନରେ ଜମ୍ମୁ-କଶ୍ମୀର ନ୍ୟାସନାଲ କନ୍ଫରେନ୍ସ (ଜେକେଏନସି)-କଂଗ୍ରେସ ମେଂଟ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇଛନ୍ତି । ରାଜ୍ୟର ୯୦ ବିଧାନସଭା ଆସନରୁ ଅପରାହ୍ନ ସୁଦ୍ଧା ମିଳିଥିବା ଜେକେଏନସି-କଂଗ୍ରେସ ମେଂଟ ୪୯ ଆସନରେ ବିଜୟୀ ହୋଇଛି ବା ଆଗୁଆ ରହିଛି । ରାଜ୍ୟରେ ସରକାର ଗଠନ ପାଇଁ ମେଜିକ ସଂଖ୍ୟା ରହିଛି ୪୬ । ତେଣୁ, ଜେକେଏନସି- କଂଗ୍ରେସ ମେଂଟ ସଦରକାର ଗଠନ କରିବା ନିଶ୍ଚିତ ହୋଇଯାଇଛି । ଜେକେଏନସି ନେତା ତଥା ରାଜ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ମୁଖ୍ୟମନ୍ତ୍ରୀ ହେବେ ବୋଲି ତାଙ୍କ ପିତା ତଥା ଜେକେଏନସି ମୁଖ୍ୟ ଫାରୁକ ଅବଦୁଲ୍ଲା ଆଜି ଶ୍ରୀନଗରରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଜାମ୍ମୁ-କଶ୍ମୀର ନିର୍ବାଚନରେ ବିଜେପି ୨୯ଟି ବିଧାନସଭା ଆସନରେ ଜିତିଛି ବା ଆଗୁଆ ରହିଛି । ସେହିଭଳି, ମେହେବୁବା ମୁଫତିଙ୍କ ପିଡିପି (ପିପୁଲ୍ସ ଡେମୋକ୍ରେଟିକ ପାର୍ଟି) ତିନିଟି ଆସନ ବିଜୟୀ/ଆଗୁଆ ରହିଛି । ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା ଭଳି ଜମ୍ମୁ-କଶ୍ମୀରର କୁଲଗାଓଁ ଆସନ ସିପିଆଇ (ଏମ) ସପକ୍ଷରେ ଯାଇଛି । ସିପିଆଇଏମ ପ୍ରାର୍ଥୀ ମହମ୍ମଦ ୟୁସୁଫ ତାରିଗାମୀ ଏହି ଆସନରେ ଅନ୍ୟ ପ୍ରାର୍ଥୀଙ୍କ ଠାରୁ ଆଗୁଆ ରହିଛନ୍ତି । ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କ ‘ଆମ୍ ଆଦମୀ ପାର୍ଟି’ (ଆପ୍) ମଧ୍ୟ ଡୋଡା ବିଧାନସଭା ଆସନରୁ ବିଜୟୀ ହୋଇ ରାଜ୍ୟରେ ଖାତା ଖୋଲିଛି । ରାଜ୍ୟରେ ଏନସି-କଂଗ୍ରେସ ମେଂଟ ନୂତନ ସରକାର ଗଠନ କରିବା ନିଶ୍ଚିତ ହୋଇସାରିଥିବା ବେଳେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେକେଏନସି ମୁଖ୍ୟ ଫାରୁକ ଅବଦୁଲ୍ଲା ତାଙ୍କ ପୁଅ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ମୁଖ୍ୟମନ୍ତ୍ରୀ ହେବେ ବୋଲି ଶ୍ରୀନଗରରେ ଘୋଷଣା କରିଛନ୍ତି । ରାଜ୍ୟରେ ୨୦୧୪ରେ ଶେଷ ବିଧାନସଭା ନିର୍ବାଚନ ହୋଇଥିଲା । ୮୭ ବିଧାନସଭା ଆସନ ପାଇଁ ହୋଇଥିବା ନିର୍ବାଚନରେ ପିଡିପି ୨୮, ବିଜେପି ୨୫, ନ୍ୟାସନାଲ କନ୍ଫରେନ୍ସ (ଜେକେଏନସି) ୧୫ ଓ କଂଗ୍ରେସ ୧୨ଟି ଆସନରେ ବିଜୟୀ ହୋଇଥିଲେ । ଅନ୍ୟମାନଙ୍କୁ ୦୭ଟି ଆସନ ମିଳିଥିଲା । ରାଜ୍ୟରେ ପିଡିପି-ବିଜେପି ମେଂଟ ସରକାର ପ୍ରତିଷ୍ଠା ହୋଇଥିଲା । ୨୦୧୮ରେ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତିଙ୍କ ସରକାରରୁ ବିଜେପି ସମର୍ଥନ ପ୍ରତ୍ୟାହାର କରିନେବା ପରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହୋଇଥିଲା ଏବଂ ୨୦୧୯ ଅଗଷ୍ଟ ୦୫ ଓ ୦୬ ତାରିଖରେ କେନ୍ଦ୍ର ସରକାର ସଂସଦର ଉଭୟ ଗୃହରେ ଜମ୍ମୁ-କଶ୍ମୀର ପୁନର୍ଗଠନ ଆଇନ ପାରିତ କରାଇ ତାହାକୁ ଆଇନରେ ପରିଣତ କରିବା ସହ ରାଜ୍ୟର ବିଭାଜନ ଘଟାଇ ଜମ୍ମୁ-କଶ୍ମୀର ଓ ଲଦାଖକୁ ଦୁଇଟି କେନ୍ଦ୍ର ଶାସିତ ଅଂଚଳରେ ପରିଣତ କରିଥିଲେ । ବିଜେପି ନେତା ମନୋଜ ସିହ୍ନା କେନ୍ଦ୍ର ସରକାରଙ୍କ ଦ୍ୱାରା ଜମ୍ମୁ-କଶ୍ମୀର ଉପ ରାଜ୍ୟପାଳ ନିଯୁକ୍ତ ହୋଇ ଶାସନ ଚଳାଇଛନ୍ତି । କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ସମ୍ବିଧାନର ୩୭୦ ଧାରା ଓ ୩୫-ଏ ଧାରା ଉଚ୍ଛେଦ କରିବା ଓ ଜମ୍ମୁ-କଶ୍ମୀରର ‘ପୂର୍ଣ୍ଣାଂଗ ରାଜ୍ୟ ମାନ୍ୟତା’କୁ ରଦ୍ଦ କରିବା ପରେ ପାଂଚ ବର୍ଷ ପରେ ଏହା ହେଉଛି ପ୍ରଥମ ବିଧାନସଭା ନିର୍ବାଚନ । ରାଜ୍ୟବାସୀ ଜମ୍ମୁ-କଶ୍ମୀର ନ୍ୟାସନାଲ କନ୍ଫରୋନ୍ସ-କଂଗ୍ରେସ ମେଂଟ ପ୍ରତି ଗଭୀର ଆସ୍ଥାଭାବ ପ୍ରକଟ କରିଥିବାରୁ ସେମାନଙ୍କ ଆଶା ଆକାଂକ୍ଷା ପୂରଣ ଦିଗରେ ଦଳ ପୂର୍ଣ୍ଣପ୍ରାଣରେ କାର୍ଯ୍ୟ କରିବ । ଜେଲରେ ଥିବା ନିରୀହ ଲୋକଙ୍କୁ ମୁକ୍ତ କରାଯିବ ଏବଂ ଗଣମାଧ୍ୟମକୁ ପୂର୍ଣ୍ଣତଃ ସ୍ୱାଧୀନତା ମିଳିବ । ରାଜ୍ୟରେ ବସବାସ କରୁଥିବା ହିନ୍ଦୁ ଓ ମୁସଲମାନ ସଂପ୍ରଦାୟ ମଧ୍ୟରେ ବିଶ୍ୱାସ ଭାବ ପ୍ରତିଷ୍ଠା ଦିଗରେ ଜେକେଏନସି କାର୍ଯ୍ୟ କରିବ ବୋଲି ଜେକେଏନସି ମୁଖ୍ୟ ଫାରୁକ ଅବଦୁଲ୍ଲା ଶ୍ରୀନଗରରେ ଗଣମାଧ୍ୟମକୁ କହିଛନ୍ତି । ଜେକେଏନସି ନେତା ଓମାର ଅବଦୁଲ୍ଲା ୨୦୦୯ରୁ ୨୦୧୫ ପର୍ଯ୍ୟନ୍ତ ଜମ୍ମୁ-କଶ୍ମୀରର ମୁଖ୍ୟମନ୍ତ୍ରୀ ଥିଲେ ଏବଂ ଗତ ବିଧାନସଭା ର୍ନିାଚନରେ ସେ କଶ୍ମୀରର ବଡଗାଓଁ ଓ ଗନ୍ଦରବଲ ବିଧାନସଭା ଆସନରୁ ବିଜୟୀ ହୋଇଛନ୍ତି । ରାଜ୍ୟରେ ସେପ୍ଟେମ୍ବର ୧୮ରୁ ଅକ୍ଟୋବର ୦୧ ତାରିଖ ମଧ୍ୟରେ ତିନି ପର୍ଯ୍ୟାୟରେ ହୋଇଥିବା ମତଦାନରେ ୬୩.୪୫ ପ୍ରତିଶତ ମତଦାତା ଭୋଟ ଦେଇଥିଲେ ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS