କଂଗ୍ରେସ ପାଇଁ ଆତ୍ମଚିନ୍ତନ ସମୟ ଆସିଛି !


ପ୍ରସାଦ ରାଓ
ଭୁବନେଶ୍ୱର
ଅକ୍ଟୋବର ୦୯
ହରିୟାଣା ବିଧାନସଭା ନିର୍ବାଚନରେ ପରାଜୟ ପରେ କଂଗ୍ରେସ ପାଇଁ ଆତ୍ମଚିନ୍ତନ ସମୟ ଆସିଛି । ଦଳ ବିରୋଧୀ ‘ଇଣ୍ଡି’ ମେଂଟ ସହଯୋଗୀଙ୍କୁ ସାଥିରେ ନନେଇ ଏକାକୀ ନିର୍ବାଚନ ଲଢିଥିଲା । ଆମ୍ ଆଦମୀ ପାର୍ଟି (ଆପ୍) ଦଶଟି ଆସନରେ ନିର୍ବାଚନ ଲଢିବା ପାଇଁ ଚାହିଁଥିଲେ ମଧ୍ୟ କଂଗ୍ରେସ ମେଂଟ ସହଯୋଗୀକୁ ନିରାଶ କରି ସମସ୍ତ ଆସନରେ ପ୍ରାର୍ଥୀ ଦେଇଥିଲା । ଫଳରେ, ‘ଆପ୍’ କଂଗ୍ରେସ ଓ ବିଜେପିର ପ୍ରତିଦ୍ୱନ୍ଦୀ ଭାବେ ନିର୍ବାଚନ ମଇଦାନରେ ରହି କଂଗ୍ରେସର ବିଜୟ ଆଶାରେ ପ୍ରତିବନ୍ଧକ ସାଜିଥିଲା । ୯୦ ଆସନରେ ହୋଇଥିବା ନିର୍ବାଚନରେ ‘ଆପ୍’ ଖାତା ଖୋଲିପାରି ନାହିଁ ସତ, ତେବେ କିଛି ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀଙ୍କ ବିଜୟ ସମ୍ଭାବନାକୁ ପ୍ରଭାବିତ କରିଥିବା ଏବଂ ସେସବୁ ଆସନ ବିଜେପି ଖାତାକୁ ଯାଇଥିବା ନିର୍ବାଚନ ବିଶ୍ଲେଷଣରୁ ଜଣାପଡିଛି । କଂଗ୍ରେସର ପରାଜୟର ଆଉ ଏକ ବଡ କାରଣ ହେଉଛି, ଦଳରେ ଶୃଙ୍ଖଳାର ଅଭାବ । କେନ୍ଦ୍ରୀୟ ନେତାମାନେ ନିର୍ବାଚନ ବିଜୟ ସମ୍ଭାବନାକୁ ନେଇ ମାତ୍ରାଧିକ ଆତ୍ମବିଶ୍ୱାସୀ ହୋଇପଡିଥିଲେ ଏବଂ ରାଜ୍ୟର ବରିଷ୍ଠ କଂଗ୍ରେସ ନେତାମାନେ ସରକାର ଆସିଲେ ମୁଖ୍ୟମନ୍ତ୍ରୀ ହେବାକୁ ଆଗ୍ରହୀ ଥିବା ନେଇ ଗଣମାଧ୍ୟମରେ ବୟାନବାଜୀରେ ମାତି ଯାଇଥିଲେ । କଂଗ୍ରେସକୁ ରାଜ୍ୟରେ ସଂଖ୍ୟାଗରିଷ୍ଠତା ମିଳିଲେ ହାଇକମାଣ୍ଡ ହିଁ ମୁଖ୍ୟମନ୍ତ୍ରୀ କିଏ ହେବ ନିଷ୍ପତ୍ତି ନେବେ ବୋଲି ସେମାନେ ଗୋଟିଏ ପଟେ କହୁଥିବା ବେଳେ ଅନ୍ୟ ପଟେ ସେମାନଙ୍କ ଅଭିଳାଷକୁ ମଧ୍ୟ ଏମିତି ଭାବେ ସର୍ବସାଧାରଣରେ ଥୋଇ ଥିଲେ ଯେ କଂଗ୍ରେସ କ୍ଷମତାକୁ ଆସିଲେ ମୁଖ୍ୟମନ୍ତ୍ରୀ ହେବାକୁ ଦଳ ଭିତରେ ଅନ୍ତରୀଣ ଯୁଦ୍ଧ ଲାଗିଯିବ, ଏଭଳି ଏକ ଧାରଣା ନିର୍ବାଚନ ପୂର୍ବରୁ ସୃଷ୍ଟି ହୋଇସାରିଥିଲା । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଡ୍ଡା, ତାଙ୍କ ପୁଅ ସାଂସଦ ଦୀପେନ୍ଦର ସିଂହ ହୁଡ୍ଡା, ରାଜ୍ୟର ଦଳିତ ନେତ୍ରୀ ତଥା ସାଂସଦ କୁମାରୀ ଶୈଳଜା ଓ ବରିଷ୍ଠ କଂଗ୍ରେସ ନେତା ରଣଦୀପ ସିଂହ ସୂର୍ଯ୍ୟୱାଲ ମୁଖ୍ୟମନ୍ତ୍ରୀ ଦୌଡରେ ଥିବା ସେମାନେ ଗଣମାଧ୍ୟମରେ ଦେଉଥିବା ବୟାନରୁ ସ୍ପଷ୍ଟ ଥିଲା । ରାଜ୍ୟରେ ଦଶ ବର୍ଷ ଧରି ବିଜେପି ଶାସନ ଥିଲା । ଏମଏସପିକୁ ଆଇନଗତ ସ୍ୱୀକୃତି ଦିଆଯିବା ଦେଶର ସମସ୍ତ ଚାଷୀ ସଂଗଠନ ଦାବି କରୁଥିବା ବେଳେ ହରିୟାଣା ଚାଷୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ଆନେ୍ଦାଳନରେ ସାମିଲ ଥିଲେ । ସେନାରେ ଅଗ୍ନିବୀର ନିଯୁକ୍ତିକୁ ନେଇ ମଧ୍ୟ ଏକ ବିବଦମାନ ପରିସ୍ଥିତି ରହିଥିଲା । ମହିଳା କୁସ୍ତିଯୋଦ୍ଧାମାନେ ଯୌନ ଉତ୍ପୀଡନ ଅଭିଯୋଗ କରି ଦିଲ୍ଲୀ ସଡକରେ ଆନ୍ଦୋଳନ କରିବା ସମୟରେ ସେମାନଙ୍କ ପ୍ରତି କେନ୍ଦ୍ର ସରକାର ଓ ଦିଲ୍ଲୀ ପୁଲିସ ପକ୍ଷରୁ ହୋଇଥିବା କଥିତ ଅତ୍ୟାଚାର ମଧ୍ୟ ହରିୟାଣା ନିର୍ବାଚନରେ ବଡ ପ୍ରସଙ୍ଗ ଥିଲା । ଆନ୍ଦୋଳନର ନେତୃତ୍ୱ ନେଇଥିବା ଆନ୍ତର୍ଜାତିକ ପଦକପ୍ରାପ୍ତ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗଟ ପ୍ୟାରିସ ଅଲିଂପିକ୍ସରୁ ଖାଲି ହାତରେ ଫେରିଥିଲେ ମଧ୍ୟ ଅଲିଂପିକ୍ସ ମହିଳା କୁସ୍ତିରେ ଫାଇନାଲ ପର୍ଯ୍ୟନ୍ତ ପହଂଚି ମାତ୍ର ୧୦୦ ଗ୍ରାମ ଓଜନ ଅଧିକ ଥିବା କାରଣରୁ ତାଙ୍କୁ ଫାଇନାଲ ଖେଳିବାକୁ ବଂଚିତ କରାଯିବା ଦେଶବାସୀ ମଧ୍ୟରେ ତୀବ୍ର ଆକ୍ରୋଶ ସୃଷ୍ଟି କରିଥିଲା । ଭିନେଶ ଦେଶକୁ ଫେରିବା ପରେ ଦେଶବାସୀ ତାଙ୍କୁ ବିପୁଳ ସ୍ୱାଗତ ସଂବର୍ଦ୍ଧନା ଦେଇଥିଲେ । ସେ ହରିୟାଣା ବାସିନ୍ଦା ହୋଇଥିବାରୁ ସେଠାକାର ସରକାର ମଧ୍ୟ ତାଙ୍କୁ ସମ୍ବର୍ଦ୍ଧନାରେ ପୋତି ପକାଇ ଥିଲେ । ଭିନେଶଙ୍କ ଲୋକପ୍ରିୟତା ନିର୍ବାଚନ ହେବାକୁ ଥିବା ହରିୟାଣାରେ ଶାସକ ବିଜେପି ଓ ବିରୋଧୀ କଂଗ୍ରେସକୁ ପ୍ରଲୁବ୍ଧ କରିଥିଲା । କଂଗ୍ରେସ ତାଙ୍କୁ ଆନୁଷ୍ଠାନିକ ଭାବେ ଦଳରେ ସାମିଲ କରି ଜୁଲାନା ବିଧାନସଭା ଆସନରୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ନେତୃବୃନ୍ଦ ତାଙ୍କୁ କଡା ସମାଲୋଚନା କରିବା ଆରମ୍ଭ କରି ଦେଇଥିଲେ । ଭିନେଶ ମଧ୍ୟ ମହିଳା କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ସମୟରେ ବିଜେପି ବ୍ୟତୀତ ଅନ୍ୟ ସମସ୍ତ ରାଜନୈତିକ ଦଳ ତାଙ୍କ ସହିତ ଥିଲେ, ସେ ଫାଇନାଲରୁ ବଂଚିତ ହେବା ସମୟରେ କେନ୍ଦ୍ର ସରକାରଙ୍କ ଆଡୁ ସହାୟତା ମିଳିନଥିଲା ବୋଲି ଅଭିଯୋଗ କରି କଂଗ୍ରେସରେ ଯୋଗଦେବାର ଯଥାର୍ଥତା ପ୍ରତିପାଦିତ କରିଥିଲେ । ଭିନେଶଙ୍କ ପ୍ରତି ଥିବା ସହାନୁଭୂତିରୁ କଂଗ୍ରେସ ଲାଭବାନ ହେବା ଆଶା ରଖିଥିଲା । ଏହାଛଡା, ଏମଏସପିକୁ ଆଇନଗତ ମାନ୍ୟତା ଦିଆଯିବା ଦାବି କରୁଥିବା ଚାଷୀ, ସେନାରେ ଅଗ୍ନିବୀର ନିଯୁକ୍ତିକୁ ନେଇ ଅସନ୍ତୁଷ୍ଟ ସେନା-ପରିବାରଙ୍କ ଭୋଟ ସହ ରାଜ୍ୟର ଜାଠ ମତଦାତାଙ୍କ ଭୋଟ ଏକପାଖିଆ ହେଲେ କଂଗ୍ରେସ ସହଜରେ ବିଜୟ ହାସଲ କରିବ ବୋଲି ଆଶା ରଖିଥିଲା । ଏହି ନିର୍ବାଚନ ଖେଳରେ ଭିନେଶଙ୍କ ବିଜୟ ହୋଇଛି । ସେ ଛଅ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ଜୁଲାନା ଆସନରୁ ବିଜୟୀ ହୋଇଛନ୍ତି । ତେବେ, ଜାଠ ଓ ଦଳିତ ଭୋଟ କଂଗ୍ରେସକୁ ନ ଆସି ବିଜେପି ଆଡକୁ ଚାଲି ଯିବାରୁ କଂଗ୍ରେସ ପରାଜୟର ମୁହଁ ଦେଖିଥିବା ଆଲୋଚନା ହେଉଛି । ଜାଠ ଭୋଟ କଂଗ୍ରେସର ଭୋଟ ବ୍ୟାଙ୍କ ରହିଥିଲା । ବିଜୟ ହେଲେ ସେ କିମ୍ବା ତାଙ୍କ ପୁଅ ମୁଖ୍ୟମନ୍ତ୍ରୀ ହେବାରେ ସମର୍ଥନ ମିଳିବ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଡ୍ଡା ରାଜ୍ୟ ବିଧାନସଭା ୯୦ ଆସନରୁ ୭୨ଟି ଆସନରେ ଜାଠ ପ୍ରାର୍ଥୀ ଦେଇଇଥିଲେ । କିନ୍ତୁ, ଗଲା ବିଧାନସଭା ନିର୍ବାଚନରେ ଜାଠ ଭୋଟରୁ ଅଧିକାଂଶ ଭାଗ କଂଗ୍ରେସର ହାତଛଡା ହୋଇ ବିଜେପିକୁ ଚାଲି ଯାଇଥିବା ଆଲୋଚନା ହେଉଛି । ହରିୟାଣା ପରାଜୟ ପାଇଁ କଂଗ୍ରେସର କିଛି ନେତା କୁମାରୀ ଶୈଳଜାଙ୍କ କ୍ଷମତା-ଲାଳସାକୁ ଦାୟି କରୁଛନ୍ତି । ହରିୟାଣାରେ କଂଗ୍ରେସର ହୁଡ୍ଡା ପରିବାର ଓ ଶୈଳଜାଙ୍କ ମଧ୍ୟରେ ରାଜନୈତିକ କନ୍ଦଳ ବେଶ୍ ଜଣାଶୁଣା । କଂଗ୍ରେସ ନେତୃତ୍ୱ ହୁଡ୍ଡା ପରିବାରକୁ ପ୍ରାଧାନ୍ୟ ଦେଇ ଶୈଳଜାଙ୍କୁ ଅଣଦେଖା କରିବାରୁ ସେ ବିଜେପି ଆଡକୁ ମୁହାଁଇ ଥିଲେ ମଧ୍ୟ ନିର୍ବାଚନ ପାଖଉ ଥିବା ଦେଖି କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କୁ ମନାଇ ନିର୍ବାଚନ ପ୍ରଚାରରେ ସାମିଲ କରିଥିଲେ । ତେବେ, ନିର୍ବାଚନ ସମୟରେ କୁମାରୀ ଶୈଳଜାଙ୍କ ବୟାନ ଦଳିତ ଭୋଟରଙ୍କୁ ଦ୍ୱନ୍ଦ୍ୱରେ ପକାଇ ଥିଲା । ସେ ମୁଖ୍ୟମନ୍ତ୍ରୀ ହେବାକୁ ଆଗ୍ରହୀ, ତେବେ ଶେଷ ନିଷ୍ପତ୍ତି ହାଇକମାଣ୍ଡଙ୍କ ହାତରେ ବୋଲି କୁମାରୀ ଶୈଳଜା ବାରମ୍ବାର ଗଣମାଧ୍ୟରେ ବୟାନ ରଖୁଥିଲେ । ଅନ୍ୟ ଆଶାୟୀ ନେତା ମଧ୍ୟ ଗଣମାଧ୍ୟମରେ ଏକାଭଳି ବୟାନ ଦେବା ସମୟରେ ଭୋଟରଙ୍କ ଉପରେ ତାହାର ପ୍ରଭାବ କଣ ପଡିବ ଚିନ୍ତା କରୁନଥିଲେ । କଂଗ୍ରେସ ହାଇକମାଣ୍ଡ ଭୋଟ ପୂର୍ବରୁ ହରିୟାଣା କଂଗ୍ରେସରେ ଚାଲିଥିବା ଏହି ନାଟକକୁ ଦୃଢହସ୍ତରେ ନିୟନ୍ତ୍ରଣ କରିବା ବଦଳରେ ନେତାଙ୍କୁ ଖୋଲାମେଲା ଷଣ୍ଡ-ଲଢେଇକୁ ଛାଡି ଦେଇଥିବା ମତଦାତା ଅନୁଭବ କରୁଥିଲେ । ଅନ୍ୟପଟେ, ବିଜେପି ନିର୍ବାଚନ ପୂର୍ବରୁ ଜନଅସନ୍ତୋଷର ଶିକାର ଥିବା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦେଇ ତାଙ୍କ ସ୍ଥାନରେ ନାୟବ ସିଂହ ସୈନିଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇ ଥିଲା । ସୈନି ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇ ଅତ୍ୟନ୍ତ ଶୃଙ୍ଖଳିତ ଭାବେ ସରକାରଙ୍କ ପ୍ରତି ରହିଥିବା ଅସନ୍ତୋଷକୁ ଦୂର କରିବା ସହ ଓବିସି ଓ ଦଳିତ ଭୋଟ ବିଜେପି ସପକ୍ଷରେ ସଂଗଠିତ କରିଥିଲେ । ବିଜେପି କେନ୍ଦ୍ରୀୟ ଓ ରାଜ୍ୟ ନେତୃତ୍ୱର ଚତୁର ଗୋଟିଚାଳନା ଜନମତକୁ ପୁନଃ ବିଜେପି ମୁହାଁକରିଥିବା ବେଳେ ଏହାର ସାମାନ୍ୟତମ ଆଭାସ କଂଗ୍ରେସକୁ ମିଳିନଥିଲା । ସମସ୍ତେ ହରିୟାଣାରେ ବିଜେପି-ବିରୋଧୀ ଅସନ୍ତୋଷରୁ କଂଗ୍ରେସ ଫାଇଦାରେ ରହିବ ଏବଂ ନିର୍ବାଚନରେ ଏକକ ସଂଖ୍ୟାଗରିଷ୍ଠତା ହାସଲ କରିବ ବୋଲି ଧରି ନେଇଥିଲେ । ଏପରିକି, ଅକ୍ଟୋବର ୦୧ ତାରିଖ ଦିନ ଘର ବାହୁଡା ମତଦାତାଙ୍କଠାରୁ ସଂଗୃହିତ ବିବରଣୀ ଆଧାରରେ ଯେଉଁମାନେ ଏକଜିଟ୍ ପୋଲ୍ ରିପୋର୍ଟ ପ୍ରସ୍ତୁତ କରିଥିଲେ ସେମାନେ ମଧ୍ୟ ବିଜେପି ସପକ୍ଷରେ ଜନମତ ଥିବା ଆକଳନ କରିନପାରି କଂଗ୍ରେସ ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇ ରାଜ୍ୟରେ ସରକାର କରିବ ବୋଲି ଅନୁମାନ ବ୍ୟକ୍ତ କରିଥିଲେ । ଏହି ପୋଲ୍ ପଣ୍ଡିତଙ୍କ ଆକଳନ ମଧ୍ୟ ଶେଷରେ ଭୁଲ ପ୍ରମାଣିତ ହୋଇଛି । ବିଜେପି ୯୦ରୁ ୪୮ ଆସନରେ ବିଜୟୀ ହୋଇ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇଥିବା ବେଳେ କଂଗ୍ରେସ ୩୭ ଆସନରେ ସୀମିତ ହୋଇଯାଇଛି । ଅଖିଳ ଭାରତ ଲୋକ ଦଳ (ଆଇଏନଏଲଡି) ଦୁଇଟି ଆସନ ପାଇଛି । ୨୦୧୯ ବିଧାନସଭା ନିର୍ବାଚନରେ ୧୦ଟି ଆସନ ପାଇଥିବା ଦୁଷ୍ୟନ୍ତ ଚୌତାଲାଙ୍କ ଜେଜେପି ୨୦୨୪ ନିର୍ବାଚନରେ ସଂପୂର୍ଣ୍ଣ ନିଶ୍ଚିହ୍ନ ହୋଇଯାଇଛି । କଂଗ୍ରେସ ନେତୃତ୍ୱର ମାତ୍ରାଧିକ ଆତ୍ମବିଶ୍ୱାସ, ରାଜ୍ୟସ୍ତର କଂଗ୍ରେସ ନେତାଙ୍କ କ୍ଷମତା-ଲାଳସା ଓ ମୁକ୍ତ ବୟାନବାଜୀ, ତାହାକୁ ନିୟନ୍ତ୍ରଣ କରିବାରେ ବିରିଷ୍ଠ କଂଗ୍ରେସ ନେତୃତ୍ୱର ବିଫଳତା ଏବଂ ବିରୋଧୀ ମେଂଟ ସହଯୋଗୀଙ୍କ ପ୍ରତି କଂଗ୍ରେସ ନେତୃତ୍ୱର ଅବହେଳାତ୍ମକ ଆଭିମୁଖ୍ୟ ହରିୟାଣା ବିଧାନସଭା ନିର୍ବାଚନରେ କଂଗ୍ରେସ ବିପର୍ଯ୍ୟୟର ପ୍ରମୁଖ କାରଣ ବୋଲି ରାଜନୈତିକ ବିଶ୍ଲେଷକ ମହଲରେ ଆଲୋଚନା ହେଉଛି । ଅନ୍ୟପକ୍ଷରେ, ପରାଜୟ-ମୁହାଁ ବୋଲି ଚର୍ଚ୍ଚାରେ ଥିବା ବିଜେପି ହରିୟାଣାରେ ମୁଖ୍ୟମନ୍ତ୍ରୀ ସୈନିଙ୍କ ନେତୃତ୍ୱରେ ସମସ୍ତ ବିଘ୍ନକୁ ଏଡାଇ ଲଗାତର ତୃତୀୟ ଥର ପାଇଁ କ୍ଷମତା ଦଖଲ କରିବା ମାଧ୍ୟମରେ ସମସ୍ତଙ୍କୁ ଚକିତ କରିଛି । ମହାରାଷ୍ଟ୍ର ଓ ଝାଡଖଣ୍ଡ ବିଧାନସଭା ନିର୍ବାଚନ ଡିସେମ୍ବର ପୂର୍ବରୁ ହେବାକୁ ଅଛି । ମହାରାଷ୍ଟ୍ରରେ ଶିବସେନା (ଉଦ୍ଧବ ଠାକରେ) ଓ ଏନସିପି (ଶରଦ ପାୱାର) କଂଗ୍ରେସର ସହଯୋଗୀ ଥିବା ବେଳେ ଝାଡଖଣ୍ଡରେ ଶାସକ ଜେଏମଏମ (ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା) ସହ କଂଗ୍ରେସର ମେଂଟ ରହିଛି । ୨୦୨୪ ଲୋକସଭା ନିର୍ବାଚନରେ ସଫଳତା ପରେ କଂଗ୍ରେସ ‘ଆତ୍ମବଡିମା’ ରୋଗରେ ଆକ୍ରାନ୍ତ । ସହଯୋଗୀ ଦଳଙ୍କୁ ଦବାଇ ନିଜ ନିଷ୍ପତ୍ତିକୁ ସେମାନଙ୍କ ଉପରେ ଲଦି ଦେବା କଂଗ୍ରେସର ଏକ ପୁରୁଣା ଅଭାସ । ହରିୟାଣାରେ ‘ଆପ୍’କୁ ଅବହେଳା କରିବା କଂଗ୍ରେସ ପାଇଁ ମହଂଗା ପଡିଲା । ମହାରାଷ୍ଟ୍ର ଓ ଝାଡଖଣ୍ଡରେ ଶିବସେନା (ୟୁବିଟି), ଏନସିପି (ଶରଦଚନ୍ଦ୍ର ପାୱାର) ଓ ଝାଡଖଣ୍ଡରେ ଜେଏମଏମକୁ ଦବାଇବାକୁ ଉଦ୍ୟମ କଲେ କଂଗ୍ରେସକୁ ବହୁମୂଲ୍ୟ ଦେବାକୁ ପଡିବ । ତେଣୁ, ହରିୟାଣା ଫଳାଫଳକୁ ଆଖିରେ ରଖି କଂଗ୍ରେସ ଆତ୍ମଚିନ୍ତନ କରିବା ଆବଶ୍ୟକ ବୋଲି ରାଜନୈତିକ ପଣ୍ଡିତମାନେ ମତ ଦେଉଛନ୍ତି ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS