ନୋଏଲ ଟାଟା ହେଲେ ଟାଟା ଟ୍ରଷ୍ଟର ଅଧ୍ୟକ୍ଷ


ପ୍ରସାଦ ରାଓ
ଅକ୍ଟୋବର ୧୧
ବିଶିଷ୍ଟ ଶିଳ୍ପପତି ଦିବଂଗତ ରତନ ଟାଟାଙ୍କ ସାବତ ଭାଇ ନୋଏଲ ଟାଟା ଆଜି ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ଭାବେ ନିଯୁକ୍ତ ପାଇଛନ୍ତି । ମୁମ୍ବାଇରେ ଅନୁଷ୍ଠିତ ସାର ରତନ ଟାଟା ଟ୍ରଷ୍ଟ ଓ ଦୋରାବଜୀ ଟାଟା ଟ୍ରଷ୍ଟ ବୋର୍ଡ ବୈଠକରେ ନୋଏଲଙ୍କୁ ଏହି ନିଯୁକ୍ତି ଦିଆଯାଇଛି । ବୁଧବାର ଦିନ ୮୬ ବର୍ଷ ବୟସ୍କ ଶିଳ୍ପପତି ରତନ ଟାଟା ମୁମ୍ବାଇର ଏକ ହସ୍ପିଟାଲରେ ମୃତ୍ୟୁବରଣ କରିବା ପରେ ସାବତ ଭାଇ ନୋଏଲ ଟ୍ରଷ୍ଟର ଅଧ୍ୟକ୍ଷ ହେବା ଏକପ୍ରକାର ନିଶ୍ଚିତ ଥିଲା । ନୋଏଲ ୨୦୦୦ ମସିହା ପ୍ରାରମ୍ଭରେ ଟାଟା ଗୃପ୍ ରେ ଯୋଗ ଦେଇଥିଲେ ଏବଂ ଟାଟା ଗୃପ୍ ର ଅଭିବୃଦ୍ଧି କ୍ଷେତ୍ରରେ ତାଙ୍କର ବିଶେଷ ଭୂମିକା ରହିଛି । ଆଜି ଅନୁଷ୍ଠିତ ବୋର୍ଡ ବୈଠକରେ ନୋଏଲ ଟାଟାଙ୍କୁ ଟାଟା ଟ୍ରଷ୍ଟ ଅଧ୍ୟକ୍ଷ ପଦରେ ନିଯୁକ୍ତି ଦିଆଯାଇଛି । ନୋଏଲ ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ନିଯୁକ୍ତ ହେବା ସମୟରେ ଟାଟା ଷ୍ଟିଲ ଓ ଟାଇଟନ ୱାଚ କଂପାନୀର ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କ ମା’ ସିମୋନ ଟାଟା (ରତନ ଟାଟାଙ୍କ ସାବତ ମା’) ଟ୍ରେଂଟ୍, ଭୋଲଟାସ, ଟାଟା ଇନଭେଷ୍ଟମେଂଟ କର୍ପୋରେସନ ଓ ଟାଟା ଇଂଟରନ୍ୟାସନାଲର ଅଧ୍ୟକ୍ଷ ଅଛନ୍ତି । ନୋଏଲ ଟାଟା ୟୁକେର ସୁସେକ୍ସ ବିଶ୍ୱବିଦ୍ୟାଳୟରୁ ଶିକ୍ଷାପ୍ରାପ୍ତ । ଇନସେଡ୍ (ଆଇଏନଏସଇଏଡି)ରୁ ଇଂଟରନ୍ୟାୟନାଲ ଏକଜିକ୍ୟୁଟିଭ ପ୍ରୋଗ୍ରାମ (ଆଇଇପି) କୋର୍ସ ମଧ୍ୟ ସମାପ୍ତ କରିଛନ୍ତି । ନୋଏଲ ଟାଟା ଏହି ନୂତନ ନିଯୁକ୍ତି ପାଇବା ପୂର୍ବରୁ ଟାଟା ଇଂଟରନ୍ୟାସନାଲ ଲିମିଟେଡର ପରିଚାଳନା ନିର୍ଦେଶକ ଭାବେ କାର୍ଯ୍ୟ କରିଥିଲେ ଏବଂ ଏହାର ବ୍ୟବସାୟକୁ ୨୦୧୦ରୁ ୨୦୨୧ ମଧ୍ୟରେ ୫୦୦ ନିୟୁତ ଡଲାରରୁ ୦୩ ବିଲିୟନ ଡଲାରରେ ପହଂଚାଇ ନିଜର ବ୍ୟବସାୟିକ ଦକ୍ଷତାର ପ୍ରମାଣ ଦେଇଥିଲେ । ସେ ଟ୍ରେଂଟ୍ ଲିମିଟେଡର ପରିଚାଳନା ନିର୍ଦେଶକ ରହିଥିବା ସମୟରେ୧୯୯୮ରେ ଏହାର ଗୋଟିଏ ରିଟେଲ ଷ୍ଟୋର ଥିବା ବେଳେ ପରବର୍ତ୍ତୀ ସମୟରେ ବିଭିନ୍ନ ଫର୍ମାଟରେ ତାହା ୭୦୦ ଷ୍ଟୋରକୁ ବୃଦ୍ଧି ପାଇଥିଲା । ଟାଟା ଗୃପ୍ ର ସମସ୍ତ ୧୪ଟି ଟ୍ରଷ୍ଟ ଟାଟା ଟ୍ରଷ୍ଟର ପରିଚାଳନାଧୀନ । ଟାଟା ସନ୍ସର ମାଲିକାନାରେ ଥିବା ଦୁଇଟି ପ୍ରମୁଖ ଟ୍ରଷ୍ଟ ହେଉଛି – ସାର ଦୋରବଜୀ ଟାଟା ଟ୍ରଷ୍ଟ ଓ ସାର ରତନ ଟାଟା ଟ୍ରଷ୍ଟ ଏବଂ ସେମାନଙ୍କ ମାଲିକାନାରେ ୫୦ ପ୍ରତିଶତ ଅଂଶଧନ ରହିଛି । ଟାଟା ଟ୍ରଷ୍ଟରେ ବର୍ତ୍ତମାନ ବେଣୁ ଶ୍ରୀନିବାସନ, ବିଜୟ ସିଂହ ଓ ମେହଲି ମିସ୍ତ୍ରୀ କାର୍ଯ୍ୟକାରୀ କମିଟି ସଦସ୍ୟ ରହିଛନ୍ତି । ରତନ ଟାଟାଙ୍କ ସାନ ଭାଇ ଜିମ୍ମି ମୁମ୍ବାଇର କୋଲାବାରେ ରହୁଥିଲେ ମଧ୍ୟ ପରିବାରିକ ବ୍ୟବସାୟ ସହ ସଂପୃକ୍ତ ନାହାନ୍ତି । ଦିବଂଗତ ରତନ ଟାଟା ୧୯୩୭ରେ ଏକ ରକ୍ଷଣଶୀଳ ପାର୍ଶି ପରିବାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କୁ ୧୦ ବର୍ଷ ବୟସ ହୋଇଥିବା ବେଳେ ପିତା ନଭଲ ଟାଟା ଓ ମାତା ସୋନି ଟାଟାଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଘଟିଥିଲା । ରତନ ଟାଟା ଦେଶର ଜଣେ ପ୍ରମୁଖ ଶିଳ୍ପପତି ଭାବେ କେବଳ ପରିଚିତ ନଥିଲେ, ତାଙ୍କ ବଦାନ୍ୟତା ମଧ୍ୟ ଦଶନ୍ଧୀ ଦଶନ୍ଧୀ ଧରି ଚର୍ଚ୍ଚାରେ ରହି ଆସିଥିଲା । ପଦ୍ମଭୂଷଣ ଓ ପଦ୍ମ ବିଭୂଷଣ ଉପାଧୀରେ ଭୂଷିତ ଦିବଂଗତ ରତନ ଟାଟାଙ୍କ ବିୟୋଗରେ ସମଗ୍ର ଦେଶରେ ଶୋକାକୂଳ ବାତାବରଣ ସୃଷ୍ଟି ହୋଇଛି । ଭାରତ ସରକାର ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କୁ ଶେଷ ସମ୍ମାନ ଦେଇଥିବା ବେଳେ ପରିବାର ମୁମ୍ବାଇରେ ତାଙ୍କ ଶେଷ ସଂସ୍କାର କରିଛନ୍ତି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS