ଜମ୍ମୁ-କଶ୍ମୀରରେ ନ୍ୟାସନାଲ କନ୍ଫରେନ୍ସକୁ ‘ଆପ୍’ର ସମର୍ଥନ


ପ୍ରସାଦ ରାଓ
ଅକ୍ଟୋବର ୧୧
ଜମ୍ମୁ-କଶ୍ମୀରରେ ସରକାର କରିବାକୁ ଯାଉଥିବା ନ୍ୟାସନାଲ କନ୍ଫରେନ୍ସ (ଏନସି) ପ୍ରତି ଆମ୍ ଆଦମୀ ପାର୍ଟି (ଆପ୍) ସମର୍ଥନ ଘୋଷଣା କରିଛି । ଗତ ବିଧାନସଭା ନିର୍ବାଚନରେ ରାଜ୍ୟର ଡୋଡା ବିଧାନସଭା ଆସନରୁ ‘ଆପ୍’ର ଏକମାତ୍ର ବିଧାୟକ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିବା ମେହେରାଜ ମଲ୍ଲିକ ଆଜି ଜମ୍ମୁ-କଶ୍ମୀର ଉପ ରାଜ୍ୟପାଳ (ଏଲଜି)ଙ୍କୁ ଚିଠି ଲେଖି ସେ ସରକାର ଗଠନ ପାଇଁ ଏନସିକୁ ସମର୍ଥନ କରୁଥିବା ଜଣାଇଛନ୍ତି । ୯୦ ଆସନ ବିଶିଷ୍ଟ ଜମ୍ମୁ-କଶ୍ମୀର ବିଧାନସଭାରେ ସରକାର ଗଠନ ପାଇଁ ମେଜିକ ସଂଖ୍ୟା ୪୬ ହୋଇଥିବା ବେଳେ ଗତ ନିର୍ବାଚନରେ ଏନସିର ୪୨ ଜଣ ବିଧାୟକ ନିର୍ବାଚିତ ହୋଇଛନ୍ତି । ଏନସି ନେତା ଓମାର ଅବଦୁଲ୍ଲା ଗତକାଲି ବିଧାୟକ ଦଳ ନେତା ନିର୍ବାଚିତ ହୋଇ ସରକାର ଗଠନ ପାଇଁ ଉପ ରାଜ୍ୟପାଳଙ୍କ ନିକଟରେ ଦାବି ଉପସ୍ଥାପନ କରିବାକୁ ଥିବା ବେଳେ ନବ ନିର୍ବାଚିତ ଚାରି ଜଣ ସ୍ୱାଧୀନ ବିଧାୟକ ଏନସିକୁ ସମର୍ଥନ ଜଣାଇ ଉପ ରାଜ୍ୟପାଳଙ୍କୁ ପତ୍ର ଲେଖିଥିଲେ । ଫଳରେ, ଏନସି ସରକାର ଗଠନ କରିବାରେ କୌଣସି ପ୍ରତିବନ୍ଧକ ନଥିଲା । ଆଜି ‘ଆପ୍’ ବିଧାୟକ ସମର୍ଥନ ଜଣାଇ ଏନସି ସଫଳତାରେ ଆଉ ଏକ ଆସନ ଯୋଡି ଦେଇଛନ୍ତି । ରାଜ୍ୟରେ ଏନସି-କଂଗ୍ରେସ ମେଂଟରେ ବିଧାନସଭା ନିର୍ବାଚନ ଲଢିଥିଲେ । ଏନସି ୪୨ ଆସନରେ ଓ କଂଗ୍ରେସ ୦୬ ଆସନରେ ବିଜୟୀ ହୋଇ ମେଂଟ ସରକାର ଗଠନ ହେବା ନିଶ୍ଚିତ କରି ଦେଇଥିଲେ । ତେବେ, କଂଗ୍ରେସର ସହାୟତା ବିନା ସରକାର ଗଠନ ପାଇଁ ଏନସି ଆବଶ୍ୟକ ସଂଖ୍ୟା ଯୋଗାଡ କରିଛି । ‘ଆପ୍’ ବିଧାୟକ ମେହେରାଜ ମଲ୍ଲିକ ଉପ ରାଜ୍ୟପାଳଙ୍କୁ ଲେଖିଥିବା ଚିଠିରେ ସେ ଏନସିକୁ ସମର୍ଥନ ଦେଉଛନ୍ତି, ତେବେ ତାହାର ସହଯୋଗୀ ଦଳ କଂଗ୍ରେସକୁ ନୁହେଁ ବୋଲି ସ୍ପଷ୍ଟ କରିଥିବା ଜଣାପଡିଛି । ‘ଆପ୍’ ଜାତୀୟସ୍ତରରେ ବିରୋଧୀ ‘ଇଣ୍ଡି’ ମେଂଟରେ ଥିଲେ ମଧ୍ୟ ହରିୟାଣା ନିର୍ବାଚନରେ କଂଗ୍ରେସ ‘ମେଂଟ ଧର୍ମ’ ରକ୍ଷା ନକରି ‘ଆପ୍’ର ଦଶଟି ଆସନ ଦାବିକୁ ଠୁକୁରାଇ ଦେଇଥିଲା । ଏହାର ପ୍ରତିବାଦରେ ‘ଆପ୍’ ହରିୟାନାର ସବୁ ବିଧାନସଭା ଆସନରେ ପ୍ରାର୍ଥୀ ଦେଇଥିଲା । ତେବେ, ଦଳ ଗୋଟିଏ ହେଲେ ଆସନରେ ଜିତିବାରେ ସଫଳ ହୋଇନାହିଁ । କଂଗ୍ରେସର ରୁକ୍ଷତା ପ୍ରତିବାଦରେ ‘ଆପ୍’ ଆସନ୍ତା ଫେବୃୟାରୀରେ ହେବାକୁ ଥିବା ଦିଲ୍ଲୀ ବିଧାନସଭା ନିର୍ବାଚନରେ ଏକାକୀ ଲଢିବ ବୋଲି ଘୋଷଣା କରିଛି । ଭାଗ୍ୟକୁ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନରେ ଗୋଟିଏ ଆସନରେ ବିଜୟୀ ହୋଇ ‘ଆପ୍’ ରାଜ୍ୟରେ ଖାତା ଖୋଲିଛି । ଏଠାରେ ସୂଚନାଯୋଗ୍ୟ, ହରିୟାଣା ବିଧାନସଭା ନିର୍ବାଚନରେ କଂଗ୍ରେସର ପରାଜୟ ପରେ ବିରୋଧୀ ମେଂଟ ନିକଟରେ ତାହାର ଗୁରୁତ୍ୱ ହ୍ରାସ ପାଇଛି । ୨୦୨୪ ଲୋକସଭା ନିର୍ବାଚନରେ ସଫଳତା ପରେ କଂଗ୍ରେସ ବିରୋଧୀ ମେଂଟରେ ବଡଭାଇପଣିଆ ଦେଖାଇ ଆସୁଥିଲା । ହରିୟାଣା ବିଧାନସଭା ନିର୍ବାଚନ ଫଳାଫଳ ଦଳକୁ (କଂଗ୍ରେସକୁ) ଲଜ୍ଜିତ କରିଥିବା ବେଳେ ବିରୋଧୀ ମେଂଟରେ ସାମିଲ ଥିବା ଆଂଚଳିକ ରାଜନୈତିକ ଦଳମାନେ କଂଗ୍ରେସ ନେତୃତ୍ୱକୁ ସମାଲୋଚନା କରିବା ଆରମ୍ଭ କରିଛନ୍ତି । ମହାରାଷ୍ଟ୍ର ଓ ଝାଡଖଣ୍ଡରେ ଡିସେମ୍ବର ପୂର୍ବରୁ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ବିରୋଧୀ ମେଂଟରେ ଥିବା ମହାରାଷ୍ଟ୍ରର ଶିବସେନା (ୟୁବିଟି) ଓ ଛତିଶଗଡର ଶାସକ ଜେଏମଏମ (ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା) କଂଗ୍ରେସକୁ ବଡ ଭାଇ ଭଳି ବ୍ୟବହାର ନ କରିବାକୁ କଂଗ୍ରେସକୁ ପରାମର୍ଶ ଦେବା ବିରୋଧୀ ମେଂଟରେ ଫାଟର ସୂଚନା ଦେଉଛି । ଜମ୍ମୁ-କଶ୍ମୀରରେ କଂଗ୍ରେସ ଏନସି ସହ ନିର୍ବାଚନ ପୂର୍ବ ମେଂଟ କରିଥିଲେ ମଧ୍ୟ ଏନସି ନିଜ ବଳରେ ସରକାର କରିବାକୁ ପ୍ରସ୍ତୁତି ଚଳାଇଛି । କଂଗ୍ରେସରୁ ସମର୍ଥନପତ୍ର ମିଳିନି, ସମର୍ଥନପତ୍ର ମିଳିଲେ ବିଚାର କରାଯିବ ବୋଲି ଏନସି ନେତା ତଥା ସମ୍ଭାବ୍ୟ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଗତକାଲି ଗଣମାଧ୍ୟମରେ ସ୍ପଷ୍ଟ କରିଛନ୍ତି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS