ରେଳ ଯାତ୍ରା ଆଉ ସୁରକ୍ଷିତ ରହି ନାହିଁ !


ପ୍ରସାଦ ରାଓ
ଅକ୍ଟୋବର ୧୨
‘ବସ୍ ଯାତ୍ରା ବିପଦପୂର୍ଣ୍ଣ, ରେଳ ଯାତ୍ରା ନିରାପଦ’ – ଏଭଳି ଏକ ଧାରଣା ଜନସାଧାରଣରେ ବର୍ଷ ବର୍ଷ ଧରି ରହି ଆସିଥିଲା । ଗଲା ଦୁଇ, ତିନି ବର୍ଷ ହେଲା ଏହି ଧାରଣା ବଦଳିବାରେ ଲାଗିଛି । ସଡକ ପଥ ଏବେ ମଧ୍ୟ ବିପଜ୍ଜନକ ଥିବା ବେଳେ ରେଳଯାତ୍ରା ସୁରକ୍ଷିତ ରହିବା ବଦଳରେ ସମାନ ଭାବେ ବିପଦପୂର୍ଣ୍ଣ ହୋଇପଡିଥିବା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ୨୦୨୩ ଜୁନ ୦୨ ତାରିଖ ଓଡ଼ିଶାର ବାଲେଶ୍ୱର ଜିଲ୍ଲା ଏକ ଭୟଂକର ରେଳ ଦୁର୍ଘଟଣା ଘଟି ପ୍ରାୟ ୩୦୦ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨୦୦ରୁ ଅଧିକ ଗୁରୁତର ଆହତ ହୋଇଥିଲେ । ବାହାନଗା ବଜାର ରେଳ ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ହାୱଡା-ଚେନ୍ନାଇ ମୁଖ୍ୟ ରେଳ ଲାଇନରେ ଚେନ୍ନାଇ ଅଭିମୁଖେ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ ମୁଖ୍ୟ ଲାଇନରେ ଯିବା ପାଇଁ ସିଗନାଲ ପାଇଥିବା ବେଳେ ସିଗନାଲିଂରେ ବୈଷୟିକ ତୃଟି କାରଣରୁ ଦୃତ ଗତିରେ ଲୁପ୍ ଲାଇନରେ ଚାଲି ଯାଇ ସ୍ଥିରାବସ୍ଥାରେ ଥିବା ଏକ ମାଲ ଗାଡି ଉପରେ ଚଢି ଯାଇ ତାହାର ପ୍ରଭାବରେ କରମଣ୍ଡଳ ଏକ୍ସପ୍ରେସର ୨୧ଟି ବଗି ଲାଇନଚ୍ୟୁତ ହୋଇଥିଲା । ସେଥିରୁ ତିନିଟି ବଗି ବିପରିତ ଦିଗରୁ ପାଖ ରେଳ ଧାରଣାରେ ଆସୁଥିବା ଏସଏମଭିଟି ବେଂଗାଲୁରୁ-ହାୱଡା ସୁପରଫାଷ୍ଟ ଏକ୍ସପ୍ରେସର ପଶ୍ଚାତ ଭାବରେ ପିଟି ହୋଇ ଭୟଂକର ପରିସ୍ଥିତି ସୃ୍େଟି କରିଥିଲା । ଏହି ରେଳ ଦୁର୍ଘଟଣା ଏତେମାତ୍ରାରେ ଭୟଂକର ଥିଲା ଯେ ଆଜି ମଧ୍ୟ ବାହାନଗା ବଜାର ଅଧିବାସୀ ତାହାକୁ ଭୁଲି ପାରି ନାହାନ୍ତି । ରେଳବାଇ ସୁରକ୍ଷା ବୋର୍ଡ ଓ ସିବିଆଇ ଏହି ଦୁର୍ଘଟଣାର ତଦନ୍ତ କରି ରେଳବାଇ ଅଟୋମେଟିକ ସିଗନାଲିଂ ବ୍ୟବସ୍ଥାରେ ବୈଷୟିକ ତୃଟି କାରଣରୁ ଏହି ଦୁର୍ଘଟଣା ଘଟିଲା ବୋଲି ସେତେବେଳେ ରିପୋର୍ଟ କରିଥିଲେ । ରେଳବାଇର କିଛି ବୈଷୟିକ ଅଧିକାରୀ ସିବିଆଇ ଦ୍ୱାରା ଗିରଫ ହୋଇ ଏବେ ମଧ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେଉଛନ୍ତି । ବାହାନଗା ବଜାର ରେଳ ଦୁର୍ଘଟଣା ପରେ ରେଳ ଚଳାଚଳ ବ୍ୟବସ୍ଥାରେ ବୈଷୟିକ ତୃଟି କାରଣରୁ ଦେଶର ବିଭିନ୍ନ ପ୍ରାନ୍ତରେ ଗୋଟିଏ ପରେ ଗୋଟିଏ ରେଳ ଦୁର୍ଘଟଣା ଘଟୁଛି ଏବଂ ରେଳଯାତ୍ରୀ ମୃତାହତ ହେଉଛନ୍ତି । ଗଲା କିଛି ବର୍ଷର ରେଳ ଦୁର୍ଘଟଣା ତାଲିକାରେ ସଦ୍ୟ ଯୋଡି ହୋଇଛି ତାମିଲନାଡୁର ତିରୁଭାଲୁରୁ ଜିଲ୍ଲାରେ ଶୁକ୍ରବାର ରାତିରେ ଘଟିଥିବା ରେଳ ଦୁର୍ଘଟଣା । ରାତି ପ୍ରାୟ ସାଢେ ଆଠଟା ସମୟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ମହିଶୂର-ଦରଭଂଗା ବାଗମତି ଏକ୍ସପ୍ର୍ରେସ୍ ମୁଖ୍ୟ ଲାଇନରେ ଯିବାକୁ ସିଗନାଲ ପାଇଥିଲେ ମଧ୍ୟ ୭୫ କିମି ବେଗରେ ଲୁପ୍ ଲାଇନରେ ଚାଲି ଯାଇ ସ୍ଥିରାବସ୍ଥାରେ ଥିବା ଗୋଟିଏ ମାଲଗାଡିକୁ ପଛରୁ ଧକ୍କା ଦେବାରୁ ଏହି ଏକ୍ସପ୍ରେସ ଟ୍ରେନର ୧୨ଟି ବଗି ଲାଇନଚ୍ୟୁତ ହୋଇଛି । ଟ୍ରେନରେ ୧୩୦୦ ଯାତ୍ରୀ ଥିଲେ । ଦୁର୍ଘଟଣା ଯୋଗୁଁ କାହାରି ମୃତ୍ୟୁ ଘଟିନଥିଲେ ମଧ୍ୟ ୧୯ ଜଣ ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି । ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ଦୁର୍ଘଟଣା କାରଣରୁ ମହିଶୂର-ଦରଭଂଗା ବାଗମତି ଏକ୍ସପ୍ର୍ରେସ୍ ସହ ସଂଯୁକ୍ତ ପାୱାର କାରରେ ନିଆଁ ଲାଗି ଯାଇଥିଲା । ଦକ୍ଷିଣ ରେଳବାର ଜେନେରାଲ ମ୍ୟାନେଜର ଆର.ଏନ.ସିଂହ ଆଜି ସକାଳେ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁଯାୟୀ, ସିଗନାଲ ଓ ରୁଟ୍ ମଧ୍ୟରେ ମିସମ୍ୟାଚ୍ କାରଣରୁ ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଛି । ଏକ୍ସପ୍ରେସ୍ ଟ୍ରେନକୁ ମୁଖ୍ୟ ଲାଇନରେ ଯିବାକୁ ସିଗନାଲ ଥିବା ବେଳେ ତାହା ଲୁପ୍ ଲାଇନକୁ କେମିତି ଚାଲିଗଲା ତାହାର ତଦନ୍ତ ହେଉଛି । କିଛି ଗୋଟାଏ ତୃଟି ହୋଇଛି, ଯାହାକି ଏତେଶୀଘ୍ର କହିବା ସମ୍ଭବ ନୁହେଁ ବୋଲି ସିଂହ କହିଛନ୍ତି । ସିଂହଙ୍କ ସୂଚନା ଅନୁଯାୟୀ, ମହିଶୂର-ଦରଭଂଗା ବାଗମତି ଏକ୍ସପ୍ରେସ୍ ଟ୍ରେନ ଗୁଡୁର ଆନ୍ଧ୍ର ପ୍ରଦେଶ)ଆଡକୁ ଯାଉଥିଲା ଏବଂ ତାମିଲନାଡୁର ତିରୁଭାଲୁରୁ ଜିଲ୍ଲା କାଭାରାଇପେଟ୍ଟାଇ ଷ୍ଟେସନରେ ଅଟକି ଥିଲା । ମାଲଗାଡିଟି ମଧ୍ୟ ଗୁଡୁର ଅଭିମୁଖେ ଯାଉଥିଲା । ଏକ୍ସପ୍ରେସ୍ ଟ୍ରେନକୁ ମୁଖ୍ୟ ଲାିନରେ ଯିବାକୁ ସିଗନାଲ ଥିବାରୁ ମାଲଗାଡିକୁ ଲୁପ୍ ଲାଇନରେ ଅଟକାଇ ରଖା ଯାଇଥିଲା । ତେବେ, ମହୀଶୂର-ଦରଭଂଗା ବାଗମତି ଏକ୍ସପ୍ରେସ୍ ମୁଖ୍ୟ ଲାଇନକୁ ଧରିବା ବଦଳରେ କୌଣସି ବୈଷୟିକ ତୃଟିରୁ ଲୁପ୍ ଲାଇନରେ ପ୍ରବେଶ କରି ସ୍ଥିର ଅବସ୍ଥାରେ ଥିବା ମାଲଗାଡିକୁ ପଛରୁ ଧକ୍କା ଦେଇଥିଲା । ଲୁପ୍ ଲାଇନରେ ପ୍ରବେଶ କରିବା ପୂର୍ବରୁ ଏକ୍ସପ୍ରେସ୍ ଟ୍ରେନରେ ବଡ ଧରଣର ଝଟକା ଅନୁଭୂତ ହୋଇଥିଲା ବୋଲି ରେଳବାଇ ଅଧିକାରୀମାନେ କହିଛନ୍ତି । ରେଳବାଇ ସୁରକ୍ଷା କମିଶନ ଏହି ଦୁର୍ଘଟଣାର ତଦନ୍ତ କରି ଏହାର ପ୍ରକୃତ କାରଣ ବାହାରକୁ ଆଣିବେ ବୋଲି ଦକ୍ଷିଣ ରେଳବାଇ ଜେନେରାଲ ମ୍ୟାନେଜର ସିଂହ କହିଛନ୍ତି । ଚେନ୍ନାଇରୁ ୪୦ କିମି ଦୂରରେ ଗତକାଲି ରାତିର ରେଳ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣା ପରେ ରେଳ ଟ୍ରାକ ମରାମତି କାର୍ଯ୍ୟ ଦୃତ ଗତିରେ ଚାଲିଛି । ଅନ୍ୟୁନ ୧୮ଟି ଟ୍ରେନର ଚଳାଚଳ ବାତିଲ କରାଯାଇଥିବା ଜଣାପଡିଛି । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନ ଗତକାଲି ରାତିରେ ଘଟିଥିବା ରେଳ ଦୁର୍ଘଟଣାକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଥିବା ବେଳେ ରେଳ ମନ୍ତ୍ରଣାଳୟ ପକ୍ଷରୁ ଏହାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦେଶ ଦିଆଯାଇଛି । ମହିଶୂର-ଦରଭଂଗା ବାଗମତି ଏକ୍ସପ୍ରେସ୍ ଶୁକ୍ରବାର ରାତିରେ ତାମିଲନାଡୁରେ ଦୁର୍ଘଟଣାଗ୍ରସ୍ତ ହେବା ଖବର ଦେଶବ୍ୟାପୀ ଆଲୋଡନ ସୃଷ୍ଟି କରିଥିଲେ ବେଳେ କାହାରି ମୃତ୍ୟୁ ଘଟି ନଥିବାରୁ ଦେଶବାସୀ ଆଶ୍ୱସ୍ତ ହୋଇଛନ୍ତି । ତେବେ, ରେଳଯାତ୍ରା କିଭଳି ଅସୁରକ୍ଷିତ ହୋଇପଡିଛି – ତାହା ଏହି ଦୁର୍ଘଟଣାରୁ ସ୍ପଷ୍ଟ ହେଉଛି । କିଛି ଦିନ ଧରି ଦେଶର ବିଭିନ୍ନ ଅଂଚଳରେ ରେଳ ରାସ୍ତରୁ ବିଷ୍ଫୋରକ ପଦାର୍ଥ ଜବତ ହେବା ସାମ୍ନାକୁ ଆସୁଥିଲା ଏବଂ ଏହା ପଛରେ ଆତଙ୍କୀଙ୍କ ହାତ ଥିବା ସନ୍ଦେହ କରାଯାଉଥିଲା । ଏବେ ସିଗନାଲିଂରେ ତୃଟିରୁ ରେଳ ଦୁର୍ଘଟଣା ସଂଖ୍ୟା ବଢିବା ଆତଙ୍କର କାରଣ ହୋଇଛି । ଗତ ବର୍ଷ ଜୁନରେ ବାଲେଶ୍ୱର ବାହାନଗା ବଜାର ରେଳ ଷ୍ଟେସନ ନିକଟରେ ଘଟିଥିବା ବଡ ଧରଣର ରେଳ ଦୁର୍ଘଟଣା ସହ ଗତାଲିର ଦୁର୍ଘଟଣାର ସାମଂଜସ୍ୟ ଥିବା ଆଲୋଚନା ହେଉଥିବା ବେଳେ ଏତିକି ଫରକ ରହିଛି ଯେ, ବାହାନଗା ବଜାର ଦୁର୍ଘଟଣା ସମୟରେ କରମଣ୍ଡଳ ଏକ୍ସପ୍ରେସର ଗତି ବହୁତ ଅଧିକ ଥିବା ବେଳେ ଶୁକ୍ରବାର ରାତି ଦୁର୍ଘଟଣା ସମୟରେ ମହିଶୂର-ଦରଭଂଗା ବାଗମତି ଏକ୍ସପ୍ରେସର ଗତି ତାହାର ଅଧାଅଧି ଥିଲା । ବାହନଗା ବଜାର ଦୁର୍ଘଟଣାରେ ୨୯୬ ଜଣ ମୃତ୍ୟୁବରଣ କରିଥିବା ବେଳେ ମହିଶୂର-ଦରଭଂଗା ବାଗମତି ଏକ୍ସପ୍ରେସ୍ ଦୁର୍ଘଟଣାରେ କାହାରି ମୃତ୍ୟୁ ଘଟି ଥବା ଖବର ନାହିଁ । ଗତକାଲିର ଦୁର୍ଘଟଣାରେ ଆହତଙ୍କ ସଂଖ୍ୟା ମାତ୍ର ୧୯ ରହିଛି । ତେବେ, ଗଲା ଦୁଇ ତିନି ବର୍ଷ ହେଲା ରେଳ ଦୁର୍ଘଟଣା ସଂଖ୍ୟାରେ ଯେଭଳି ବଢିଛି ସେଥିରେ ପ୍ରତିଦିନ ରେଳ ଉପରେ ନିର୍ଭର କରୁଥିବା କୋଟି କୋଟି ଜନତାଙ୍କ ସୁରକ୍ଷା ପ୍ରଶ୍ନବାଚୀ ହୋଇପଡିଛି ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS