ଦଶହରାରେ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ହତ୍ୟା କଲେ ଦୁର୍ବୁତ୍ତ !


ପ୍ରସାଦ ରାଓ
ଅକ୍ଟୋବର ୧୩
ଶନିବର ରାତି ପ୍ରାୟ ସାଢେ ୦୯ଟା ସମୟରେ ମୁମ୍ବାଇର ବାନ୍ଦ୍ରାରେ ଗୁଳି ଫୁଟିଛି । ଗୁଳି ମାଡରେ ମହାରାଷ୍ଟ୍ର ପୂର୍ବତନ ମନ୍ତ୍ରୀ ତଥା ଏନସିପି (ଅଜିତ ପାୱାରା ଗୋଷ୍ଠୀ) ନେତା ୬୬ ବର୍ଷ ବୟସ୍କ ବାବା ସିଦ୍ଦିକିଙ୍କ ମୃତ୍ୟୁ ଘଟିଛି । ଦଶହରା ପାଳନ ଅବସରରେ ବାନ୍ଦ୍ରା ଇଷ୍ଟ୍ ରେ ଥିବା ବାବା ସିଦ୍ଦିକିଙ୍କ ପୁଅ ଜେସାନଙ୍କ କାର୍ଯ୍ୟାୟଳ ନିକଟରେ ଦୁର୍ବୁତ୍ତମାନେ ଛଅ ରାଉଣ୍ଡ ଗୁଳି ଫୁଟାଇ ଥିଲେ । ବାବା ସିଦ୍ଦିକି ଓ ତାଙ୍କର ଜଣେ ସହଯୋଗୀ ଗୁରୁତର ଅବସ୍ଥାରେ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିଲେ । ଡାକ୍ତର ବାବା ସିଦ୍ଦିକିଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ପୁଅ ଜେସାନ ବାନ୍ଦ୍ରା ଇଷ୍ଟ ବିଧାୟକ ଅଛନ୍ତି । ମାହାରାଷ୍ଟ୍ରରେ ଚଳିତ ବର୍ଷ ଶେଷ ସୁଦ୍ଧା ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଏହି ଘଟଣା ଘଟିଛି । ପୁଲିସ ଦୁଇ ଜଣଙ୍କୁ ଗିରଫ କରିଥିବା ବେଳେ ଜଣେ ଦୁର୍ବୁତ୍ତ ଫେରାର ଥିବା ଜଣାପଡିଛି । ଗିରଫ ଦୁଇ ଜଣଙ୍କ ମଧ୍ୟରୁ ଜଣେ ୟୁପିର ହୋଇଥିବା ବେଳେ ଅନ୍ୟ ଜଣକ ହରିୟାଣାର । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ପୁଲିସ ଓ ଡାକ୍ତରଙ୍କ ସହ କଥା ହୋଇଛନ୍ତି । ପୁଲିସ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତିକୁ କେହି ଯେପରି ହାତକୁ ନେଇ ମୁମ୍ବାଇରେ ଗ୍ୟାଂଗୱାର ପରିସ୍ଥିତି ସୃଷ୍ଟି ନ କରିବ ସେଦିଗରେ କଡା ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ମୁମ୍ବାଇ ପୁଲିସକୁ ନିର୍ଦେଶ ଦେଇଥିବା ସୂଚନା ଦେଇଛନ୍ତି । ରାଜ୍ୟର ଗୃହ ମନ୍ତ୍ରଣାଳୟ ବିଜେପି ହାତରେ ରହିଛି । ଗୃହ ମନ୍ତ୍ରଣାଳୟ ଦାୟତ୍ୱରେ ଥିବା ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ହସ୍ପିଟାଲରେ ପହଂଚି ଥିବା ବେଳେ ଅନ୍ୟତମ ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାର ‘ଏକ୍ସ’ରେ ଏକ ପୋଷ୍ଟ୍ କରି ଘଟଣାକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି । ଜଣେ ଭଲ ସହଯୋଗୀ ଓ ବନ୍ଧୁଙ୍କୁ ହରାଇଲେ ବୋଲି ଅଜିତ ପାୱାର କହିଛନ୍ତି । ବାନ୍ଦ୍ରା ୱେଷ୍ଟରୁ ତିନି ଥର ବିଧାୟକ ଥିବା ସିଦ୍ଦିକି ୪୮ ବର୍ଷ ଧରି କଂଗ୍ରେସରେ ଥିଲେ । ଗତ ଫେବୃୟାରୀ ମାସରେ ସେ କଂଗ୍ରେସ ଛାଡି ଏନସିପି ଅଜିତ ପାୱାର ଗୋଷ୍ଠୀରେ ଯୋଗ ଦେଇଥିଲେ । ଗତ ଅଗଷ୍ଟ ମାସରେ ତାଙ୍କ ପୁଅ ଜେସାନ ସିଦ୍ଦିକି କଂଗ୍ରେସରୁ ବହିଷ୍କୃତ ହୋଇଛନ୍ତି । ମୃତ ବାବା ସିଦ୍ଦିକି ୧୯୯୯, ୨୦୦୪ ଓ ୨୦୦୯ରେ ବାନ୍ଦ୍ରା ୱେଷ୍ଟରୁ ବିଧାୟକ ନିର୍ବାଚିତ ହୋଇଥିଲେ ଏବଂ ୨୦୦୪ରୁ ୨୦୦୮ ମଧ୍ୟରେ ସେ ମହାରାଷ୍ଟ୍ରର ଖାଦ୍ୟ, ସାଧାରଣ ବଂଟନ, ଶ୍ରମ ଓ ଏଫଡିଏ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ବଲିଉଡର ଦୁଇ ସଫଳ ତାରକା ଶାହାରୁଖ ଖାନ ଓ ସଲମନ ଖାନଙ୍କ ମଧ୍ୟରେ ଯେଉଁ ଶୀତଳ ଯୁଦ୍ଧ ରହିଥିଲା ତାହାର ସମାଧାନ କରିବାରେ ବାବା ସିଦ୍ଧିକି ସଫଳ ଭୂମିକା ନେଇଥିଲେ । ୨୦୧୩ରେ ସେ ଆୟୋଜନ କରିଥିବା ‘ଇଫତା’ର ପାର୍ଟିରେ ଦୁଇ ଅଭିନେତାଙ୍କ ମଧ୍ୟରେ ବିବାଦର ସମାଧାନ ହୋଇଥିଲା ଓ ସେମାନେ ଏକାଠି ହୋଇଥିଲେ । ସଦ୍ଦିକିଙ୍କ ମୃତ୍ୟୁ ଖବର ମିଳିବା ପରେ ବଲିଉଡ ଅଭିନେତା ସଲମନ ଖାନ ଓ ସଂଜୟ ଦତ୍ତ ହସ୍ପିଟାଲରେ ପହଂଚି ଥିଲେ । ବାବା ସିଦ୍ଧିକି ‘ୱାଇ’ କାଟାଗୋରୀ ସୁରକ୍ଷା ବ୍ୟବସ୍ଥାରେ ଥିଲେ । ବାନ୍ଦ୍ରା ଭଳି ଏକ ଗହଳି ଚହଳି ଲାଗି ରହିଥିବା ଅଂଚଳରେ କେହି କେମିତି ତାଙ୍କୁ ଗୁଳି କରି ହତ୍ୟା କଲେ ବୋଲି ବିରୋଧୀ ପ୍ରଶ୍ନ କରିବା ସହ ରାଜ୍ୟର ଆଇନ ଶୃଙ୍ଖଳାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ରାଜ୍ୟ ସରକାରରେ ଥିବା ବରିଷ୍ଠ ନେତାମାନେ ଏହି ହତ୍ୟାକାଣ୍ଡର ଦାୟିତ୍ୱ ମୁଣ୍ଡାଇ ନିଜ ନିଜ ପଦରୁ ଇସ୍ତଫା ଦେବା ଆବଶ୍ୟକ ବୋଲି ଏନସିପି (ଶରଦଚନ୍ଦ୍ର ପାୱାର) ମୁଖ୍ୟ ଶରଦ ପାୱାର ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି । ରାଜ୍ୟର ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟ ବିଧାନସଭାରେ ବିରୋଧୀ ଦଳ ନେତା ଥିବା ବିଜୟ ୱଡେତିୱାର ଅଭିଯୋଗ କରିଛନ୍ତି, ରାଜ୍ୟ ସରକାର ଅପରାଧୀମାନଙ୍କୁ ସମର୍ଥନ ଦେଇ ଆସୁଛନ୍ତି । ସେ ଏକ ବିବୃତିରେ କହିଛନ୍ତି, ବାବା ସିଦ୍ଦିକିଙ୍କ ଭଳି ଜଣେ ବରିଷ୍ଠ ରାଜନେତା ‘ୱାଇ’ କାଟାଗୋରୀ ସୁରକ୍ଷା ବ୍ୟବସ୍ଥା ପାଇଥିଲେ ମଧ୍ୟ ଅପରାଧୀଙ୍କ ଗୁଳିର ଶିକାର ହେବା ଉଦ୍ବେଗଜନକ । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି କେଉଁସ୍ତରରେ ପହଂଚିଲାଣି ତାହା ଏହି ହତ୍ୟାକାଣ୍ଡରୁ ସୂଚନା ମିଳୁଛି । ‘ଆମେ ଉତ୍ତରପ୍ରଦେଶ କଥା କହୁଥିଲେ । ତେବେ, ମୁମ୍ବାଇ ଭଳି ଏକ ଶାନ୍ତିପୂର୍ଣ୍ଣ ସହରରେ ଜଣେ ବରିଷ୍ଠ ରାଜନେତାଙ୍କୁ ଗୁଳି କରି ହତ୍ୟା କରାଯିବା ଚିନ୍ତାର ବିଷୟ । ରାଜ୍ୟ ସରକାର ଅପରାଧୀମାନଙ୍କୁ ସମର୍ଥନ ଦେଇ ଆସୁଥିବାରୁ ଏଭଳି ଦୁର୍ଭାଗ୍ୟଜନକ ଘଟଣା ଘଟିଲା’ ବୋଲି ବିରୋଧୀ ଦଳ ନେତା ବିଜୟ ୱଡେତିୱାର ତାଙ୍କ ବୟାନରେ କହିଛନ୍ତି । ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାର ମଧ୍ୟ ବାବା ସିଦ୍ଦିକିଙ୍କ ହତ୍ୟା ଘଟଣାର ଟିକିନିଖି ତଦନ୍ତ ଓ ଦୁର୍ବୁତ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଲରେନ୍ସ ବିଷ୍ଣୋଇ ଗ୍ୟାଂଗ ଏହି ହତ୍ୟାକାଣ୍ଡର ଦୋଷ ମୁଣ୍ଡାଇ ଥିବା ବେଳେ ଷ୍ଟାଷ୍ଟ୍ ଟ୍ରାକ କୋର୍ଟରେ ଏହି ହତ୍ୟାକାଣ୍ଡର ତ୍ୱରିତ ବିଚାରଣା କରାଯିବ ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ସିନ୍ଧେ ଘୋଷଣା କରିଛନ୍ତି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS