ଜେକେଏନସିର ତୃତୀୟ ପୀଢି ନେତା ହେଉଛନ୍ତି ଓମାର ଅବଦୁଲ୍ଲା


ପ୍ରସାଦ ରାଓ
ଅକ୍ଟୋବର ୧୩
ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ଓମାର ଅବଦୁଲ୍ଲା ହେଉଛନ୍ତି ଜେକେଏନସିର ତୃତୀୟ ପୀଢିର ନେତା । ଓମାରଙ୍କ ପିତା ଡକ୍ଟର ଫାରୁକ ଅବଦୁଲ୍ଲା ଓ ଜେଜେବାପା ଶେଖ ମୁହମ୍ମଦ ଅବଦୁଲା ଜମ୍ମୁ-କଶ୍ମୀରର ବିଧାୟକ ଓ ମୁଖ୍ୟମନ୍ତ୍ରୀ ଥିଲେ । ୨୦୨୪ରେ ଜମ୍ମୁ-କଶ୍ମୀର ବିଧାନସଭାକୁ ନୂଆରେ ନିର୍ବାଚିତ ହୋଇଥିବା ବିଧାୟକଙ୍କ ମଧ୍ୟରୁ ଅନ୍ୟୁନ ୧୩ ଜଣ ରାଜନୈତିକ ପରିବାରରୁ ଆସିଛନ୍ତି । ୨୦୨୪ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନରେ ଏନସି (ନ୍ୟାସନାଲ କନ୍ଫରେନ୍ସ)- କଂଗ୍ରେସ ମେଂଟ ସଂଖ୍ୟାଗରିଷ୍ଠତା ପାଇ ସରକାର କରିବାକୁ ଯାଉଛି । ଏନସି ବିଧାୟକ ଦଳର ବୈଠକରେ ଓମାର ଅବଦୁଲ୍ଲା ବିଧାୟକ ଦଳ ନେତା ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ହେବାକୁ ଉପ ରାଜ୍ୟପାଳ (ଏଲଜି) ମନୋଜ ସିହ୍ନାଙ୍କ ନିକଟରେ ଦାବି ଉପସ୍ଥାପନ କରି ସାରିଛନ୍ତି । ଉପ ରାଜ୍ୟପାଳ ସିହ୍ନା ତାରିଖ ଯେଉଁ ତାରିଖ ଧାର୍ଯ୍ୟ କରିବେ ସେଦିନ ନୂଆ ସରକାର ଶପଥ ଗ୍ରହଣ କରିବେ । ଜାମ୍ମୁ-କଶ୍ମୀର ପ୍ରଦେଶ କଂଗ୍ରେସ କମିଟି (ଜେକେସିସିସି) ସଭାପତି ତାରିକ ହମିଦ କାର୍ ମଧ୍ୟ ଶ୍ରୀନଗରର ଏକ ପ୍ରତିଷ୍ଠିତ ରାଜନୈତିକ ପରିବାରର ଦାୟଦ । ତାଙ୍କ ଜେଜେବାପା ଗୁଲାମ ମୋଇନୁଦ୍ଦିନ କାର୍ କେବେ ବିଧାନସଭାକୁ ନିର୍ବାଚିତ ହୋଇନଥିଲେ ମଧ୍ୟ ନ୍ୟାନାଲ କନଫରେନ୍ସ (ଏନସି)ରେ ତାଙ୍କର ଗଭୀର ପ୍ରଭାବ ଥିଲା । ୧୯୫୪ରେ ସେ ନିଜର ରାଜନୈତିକ ଦଳ ‘ପଲିଟିକାଲ କନ୍ଫରେସ’ ଗଠନ ପାଇଁ ଓମାରଙ୍କ ଜେଜେବାପା ଶେଖ୍ ମୁହମ୍ମଦ ଅବଦୁଲ୍ଲାଙ୍କଠାରୁ ଦୂରେଇ ଯାଇଥିଲେ । ତେବେ, ନାତି ତଥା ଜେକେପିସିସି ସଭାପତି ତାରିକ ହମିଦ କାର୍ ୨୦୧୪ରେ ଶ୍ରୀନଗର ନିର୍ବାଚନ ମଣ୍ଡଳୀରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ତେବେ, ୨୦୧୬ରେ କଶ୍ମୀର ଉପତ୍ୟାକରେ ନାଗରିକଙ୍କୁ ହତ୍ୟା କରାଯିବା ପ୍ରତିବାଦରେ ସେ ଲୋକସଭାରୁ ଇସ୍ତଫା ଦେଇଥିଲେ । ଜମ୍ମୁ-କଶ୍ମୀରର ହଜରତବଲ ଆସନରୁ ବିଧାୟକ ନିର୍ବାଚିତ ହୋଇଥିବା ସଲମନ ସାଗର ମଧ୍ୟ ତାଙ୍କ ରାଜନୈତିକ ପରିବାରର ଦ୍ୱିତୀୟ ପୀଢିର ନେତା । ତାଙ୍କ ପିତା ଅଲ୍ଲୀ ମହମ୍ମଦ ସାଗର ଲଗାତର ସାତ ଥର ବିଧାନସଭାକୁ ଶାସକ ଦଳ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଓ ବିଧାନସଭା ଗୃହରେ ସର୍ବଦା ଆଗ ଧାଡ଼ିରେ ବସୁଥିବା ଦେଖିବାକୁ ମିଳୁଥିଲା ଥିଲେ । ଅଲ୍ଲୀ ମହମ୍ମଦ ସାଗର ଦୁଇ ଥର ପୁରୁଣା ଦିନର ବାଟାମାଲୋ ବିଧାନସଭା ଓ ପାଂଚ ଥର ଖାନୟାରରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । କଶ୍ମୀର ଘାଟିର ଦବଂଗ ଆଦିବାସୀ ନେତା ମିଆ ଆଲତାଫ ମହମ୍ମଦ (୬୭) ଅନନ୍ତନାଗ-ରଜୌରୀ ଲୋକସଭା ନିର୍ବାଚନ ମଣ୍ଡଳୀରୁ ସାଂସଦ ଅଛନ୍ତି । ତାଙ୍କ ପୁଅ ମିଆଁ ମେହର ଅଲ୍ଲୀ କଂଗନ ନିର୍ବାଚନ ମଣ୍ଡଳୀରୁ ବିଧାନସଭାକୁ ଯାଇଛନ୍ତି । ମିଆ ଆଲତାଫ ମହମ୍ମଦ ଗତ ନିର୍ବାଚନରେ ଲୋକସଭାକୁ ନିର୍ବାଚିତ ହୋଇନଥିଲେ ଲଗାତର ଷଷ୍ଠ ଥର ପାଇଁ ବିଧାନସଭାକୁ ଯାଇଥା’ନ୍ତେ । ମିଆ ଆଲତାଫ ମହମ୍ମଦଙ୍କ ଆଉ ଜଣେ ସଂପର୍କିୟ ଜାଫର ଅଲ୍ଲୀ ଖାତାନା ମଧ୍ୟ ଏଥର ଆଦିବାସୀଙ୍କ ପାଇଁ ସଂରକ୍ଷିତ କୋକେରନାଗ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ଜମ୍ମୁ-କଶ୍ମୀର ବିଧାନସଭାର ପୂର୍ବତନ ବାଚସ୍ପତି ମହମ୍ମଦ ଆକବର ଲୋନେଙ୍କ ପୁଅ ହିଲାଲ ଆକବର ଲୋନେ ସୋନୱାରୀ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ପିତା ମହମ୍ମଦ ଆକବର ଲୋନେ ୨୦୦୨ରୁ ୨୦୧୮ ମଧ୍ୟରେ ତିନି ଥର ସୋନୱାରୀ ଆସନରୁ ବିଧାୟକ ଥିଲେ । ଏନସିର ମୁଖ୍ୟ ମୁଖପାତ୍ର ତନଭିର ସିଦ୍ଦିକ ଜାଦିବାଲ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ତାଙ୍କ ପିତା ସାଦ୍ଦିକ ଅଲ୍ଲୀ ଜଣେ ପୂର୍ବତନ ବିଧାୟକ । ସେହିଭଳି, ଉରି ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିବା ସାଜାଦ ସଫି ହେଉଛନ୍ତି ଉରିର ପୂର୍ବତନ ବିଧାୟକ ତଥା ପୂର୍ବତନ ଶିକ୍ଷା ମନ୍ତ୍ରୀ ମହମ୍ମଦ ସଫିଙ୍କ ପୁଅ । ସୋପୋର ବିଧାନସଭା ଆସନରୁ ନ୍ୟାନାଲ କନ୍ଫରେନ୍ସ ଟିକଟରେ ବିଧାନସଭାକୁ ନିର୍ବାଚିତ ହୋଇଥିବା ଇର୍ସାଦ ରସୁଲ କର ହେଉଛନ୍ତି ରାଜ୍ୟର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଜେକେପିସିସି ସଭାପତି ଗୁଲାମ ରସୁଲ କରଙ୍କ ପୁଅ । ଶ୍ରୀଗୁଫୱାରା-ବିଜବେହେରା ଆସନରୁ ନିର୍ବାଚିତ ଏନସି ବିଧାୟକ ବସିର ଅହମ୍ମଦ ଭେରି ହେଉଛନ୍ତି ପୂର୍ବତନ ମନ୍ତ୍ରୀ ଅବଦୁଲ ଗନି ସାହ ଭେରିଙ୍କ ପୁଅ । ଲାଲଚୌକରୁ ନିର୍ବାଚିତ ହୋଇଥିବା ବିଧାୟକ ଶେଖ ଅହସାନ ଅହମ୍ମଦ ହେଉଛନ୍ତି ପୂର୍ବତନ ଏମଏଲସି ଶେଖ ଗୁଲାମ କାଦିର ପରଦେଶୀଙ୍କ ପୁଅ । ଏନସି-କଂଗ୍ରେସ ମେଂଟ ବାହାରେ ମଧ୍ୟ ଏଭଳି ରାଜନୈତିକ ପରିବାରର ଦାୟଦ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ପିଡିପି ବିଧାୟକ ଭାବେ ନିର୍ବାଚିତ ହୋଇଥିବା ରଫିକ ଅହମ୍ମଦ ନାଏକ ହେଉଛନ୍ତି ରାଜ୍ୟର ପୂର୍ବତନ ବାଚସ୍ପତି ତଥା ଏନସି ନେତା ଅଲ୍ଲୀ ମୋହମ୍ମଦ ନାଏକଙ୍କ ପୁଅ । ସେ ତ୍ରାଲ୍ ବିଧାନସଭା ଆସନରୁ ନିର୍ବାଚିତ ହୋଇଛନ୍ତି । ଲାନଗାଟେ ଆସନରୁ ନିର୍ବାଚିତ ଖୁର୍ସିଦ ଅହମ୍ମଦ ଶେଖ ବାରମୂଳା ଲୋକସଭା ସାଂସଦ ଶେଖ ଅବଦୁଲ ରସିଦ ବା ଇଂଜିନିୟର ରସିଦଙ୍କ ଭାଇ ବୋଲି ଜଣାପଡିଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS