ବାବା ସିଦ୍ଦିକିଙ୍କ ପୁଅ ଜେସାନ ମଧ୍ୟ ବିଷ୍ଣୋଇ ଗ୍ୟାଂଗର ହିଟ୍ ଲିଷ୍ଟରେ ?
ପ୍ରସାଦ ରାଓ
ଅକ୍ଟୋବର ୧୪
ଶନିବାର ରାତି ସାଢେ ୯ଟାରେ ମହାରାଷ୍ଟ୍ରର ଦବଙ୍ଗ ରାଜନେତା ବାବା ସିଦ୍ଦିକିଙ୍କୁ ହତ୍ୟା କଲେ ତିନି ଦୁର୍ବୁତ୍ତ । ହତ୍ୟାକାରୀଙ୍କ ମଧ୍ୟରୁ ଦୁଇ ଜଣ ଧରାପଡି ହାଜତରେ ଥିବା ବେଳେ ତୃତୀୟ ବ୍ୟକ୍ତିକୁ ଧରିବା ପାଇଁ ପୁଲିସ ଉଦ୍ୟମ ଜାରି ରହିଛି । ପୁଲିସ ହେପାଜତରେ ଥିବା ଦୁଇ ହତ୍ୟାକାରୀ ହରିୟାଣାର ଗୁରମେଲ ବଲଜିତ ସିଂହ ଓ ୟୁପିର ଧର୍ମରାଜ କଶ୍ୟପ ଜେରା ବେଳେ ବାବା ସିଦ୍ଦିକିଙ୍କ ପୁଅ ଜେସାନ ସିଦ୍ଦିକି ମଧ୍ୟ ଗ୍ୟାଂଗଷ୍ଟର ଲସେନ୍ସ ବିଷ୍ଣୋଇର ହିଟ୍ ଲିଷ୍ଟରେ ଥିବା ସୂଚନା ଦେଇଛନ୍ତି । ତୃତୀୟ ଅଭିଯୁକ୍ତ ୟୁପିର ଶିଭକୁମାର ଗୌତମ ଫେରାର ଅଛି । ମୁମ୍ବାଇ ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବାବା ସିଦ୍ଦିକି ଓ ତାଙ୍କ ପୁଅ ଜେସାନ ସିଦ୍ଦିକିକୁ ହତ୍ୟା କରିବା ପାଇଁ ଅଭିଯୁକ୍ତମାନଙ୍କୁ ସୁପାରି ମିଳିଥିଲା । ବାପା, ପୁଅ ଏକାଠି ନ ମିଳିଲେ ଯିଏ ଆଗ ମିଳିବ ତାକୁ ହତ୍ୟା କରିବାକୁ ନିର୍ଦେଶ ଥିଲା । ସୁପାରି ବାବଦରେ ଅଗ୍ରୀମ ୫୦ ହଜାର ଟଙ୍କା ଲେଖାଏଁ ସେମାନଙ୍କୁ ଦିଆଯାଇଥିଲା । ଦଶହରା ପର୍ବ ଚାଲି ଥିବାରୁ ଶୋଭାଯାତ୍ରା ଓ ବାଣଫୁଟା ଚାଲି ଥିବା ବେଳେ ସେମାନେ ବାବା ସିଦ୍ଦିକି ଓ ତାଙ୍କ ପୁଅକୁ ଗୁଳି କରି ହତ୍ୟା କରିବା ଯୋଜନା କରିଥିଲେ । ଅଭିଯୁକ୍ତ ତିନି ଜଣ କୁର୍ଲାରେ ଏକ ଭଡା ଘରରେ ରହୁଥିଲେ ଏବଂ କିଛି ମାସ ହେଲା ଅଟୋରିକ୍ସାରେ କୁର୍ଲାରୁ ବାନ୍ଦ୍ରା ଆସି ସେମାନେ ହତ୍ୟା ପାଇଁ ରେକି କରୁଥିଲେ । ବାବା ସିଦ୍ଦିକି ଓ ତାଙ୍କ ପୁଅ ଜେସାନ ନିୟମିତ ଭାବେ ଯିବା ଆସିବା କରୁଥିବା ସମସ୍ତ ସ୍ଥାନ, ସେମାନଙ୍କ ଘର ଓ ଅଫିସ ଉପରେ ହତ୍ୟାକାରୀଙ୍କ ଲଗାତର ନଜର ରହି ଥିଲେ । ବାବା ସିଦ୍ଦିକିଙ୍କୁ ହତ୍ୟା କରିବା ପୂର୍ବଦିନ ସେମାନଙ୍କ ନିକଟରେ ପିସ୍ତଲ ଓ ଗୁଳି ପହଂଚି ଥିଲା ଏବଂ ଶନିବାର ରାତିରେ ବାପା, ପୁଅଙ୍କୁ ହତ୍ୟା କରିବା ପାଇଁ ପୂର୍ଣ୍ଣତଃ ପ୍ରସ୍ତୁତ ହୋଇ ସେମାନେ ଜେସାନଙ୍କ ବାନ୍ଦ୍ରା ଇଷ୍ଟ୍ କାର୍ଯ୍ୟାୟଳ ନିକଟରେ ଛକି ରହି ଥିଲେ । ଆବଶ୍ୟକତା ପଡିଲେ ବ୍ୟବହାର କରିବାକୁ ସେମାନେ ସାଂଗରେ ଲଙ୍କା ଗୁଣ୍ଡ ଓ ପିପର ସ୍ପ୍ରେ ରଖି ଥିଲେ । ଶନିବାର ରାତିରେ ବାପ, ପୁଅ ଏକାଠି ନ ବାହାରି ବାବା ସିଦ୍ଦିକି ହିଁ ଜେସାନଙ୍କ କାର୍ଯ୍ୟାଳୟରୁ ବାହାରି ଥିଲେ । ତାଙ୍କ ସୁରକ୍ଷାରେ ଜଣେ ମାତ୍ର କନେଷ୍ଟବଳ ନିୟୋଜିତ ଥିଲେ । ଘଟଣା ସ୍ଥଳରେ ଭିଡ ଥିବା ଦେଖି ଗୁରମେଲ ବଲଜିତ ସିଂହ ଓ ଧର୍ମରାଜ କାଶ୍ୟପ ପ୍ରଥମେ ବାବା ସିଦ୍ଦିକିଙ୍କ ସହ ଥିବା କନେଷ୍ଟବଳ ଉପରେ ଲଙ୍କା ଗୁଣ୍ଡ ଫିଙ୍ଗି ଥିଲେ ଓ ପିପର ସ୍ପ୍ରେ କରିଥିଲେ । ତୃତୀୟ ଅଭିଯୁକ୍ତ ୟୁପିର ଶିବକୁମାର ଗୌତମ ବାବା ସିଦ୍ଦିକିଙ୍କ ଉପରେ ଛଅ ରାଉଣ୍ଡ ଗୁଳି ଫୁଟାଇ ହତ୍ୟା କରିବା ପରେ ଭିଡର ସୁଯୋଗ ନେଇ ଘଟଣା ସ୍ଥଳରୁ ଖସି ପଳାଇ ଥିଲେ । ଗୁରୁମେଲ ଓ ଧର୍ମରାଜ ଘଟଣା ସ୍ଥଳରୁ ଧରା ପଡିଥିବା ବେଳେ ତୃତୀୟ ଅଭିଯୁକ୍ତ ଶିବକୁମାର ଆଜି ସକାଳେ ପାନଭେଲ ଅଂଚଳରେ ବୁଲୁ ଥିବା ନେଇ ପୁଲିସ ଗୁଇନ୍ଦା ସୂଚନା ପାଇଛି । ଶିବକୁମାରକୁ ଧରିବା ପାଇଁ ମୁମ୍ବାଇ ପୁଲିସ ଜାଲ ବିଛାଇଛି । ମୃତ ବାବା ସିଦ୍ଦିକି (୬୬) ହେଉଛନ୍ତି ମୁମ୍ବାଇ ବାନ୍ଦ୍ରା ୱେଷ୍ଟର ତିନି ଥରର ବିଧାୟକ । ୪୮ ବର୍ଷ ଧରି ସେ କଂଗ୍ରେସରେ ଥିଲେ । ଗତ ଫେବୃୟାରୀ ମାସରେ କଂଗ୍ରେସ ଛାଡି ଏନସିପି (ଅଜିତ ପାୱାର ଗୋଷ୍ଠୀ)ରେ ଯୋଗ ଦେଇଥିଲେ । ପୁଅ ଜେସାନ ସିଦ୍ଦିକି ବାନ୍ଦ୍ରା ଇଷ୍ଟ୍ ବିଧାୟକ । କଂଗ୍ରେସରୁ ସେ ବିଧାୟକ ହୋଇଥିଲେ ମଧ୍ୟ ଗତ ଅଗଷ୍ଟ ମାସରେ ବିଧାନ ପରିଷଦ ନିର୍ବାଚନରେ କ୍ରସ୍ ଭୋର୍ଟଂ କରି କଂଗ୍ରେସରୁ ବହିଷ୍କୃତ ହୋଇଛନ୍ତି । ବାବା ସିଦ୍ଦିକିଙ୍କ ହତ୍ୟାରେ ସଂପୃକ୍ତ ଥାଇ ଧରା ପଡିଥିବା ଦୁଇ ଅଭିଯୁକ୍ତଙ୍କ ନିକଟରୁ ପୁଲିସ ଦୁଇଟି ପିସ୍ତଲ ଓ ୨୮ଟି ଲାଇଭ୍ ଗୁଳି ଜବତ କରିଛନ୍ତି । ଗୁଜାରାଟ ସାବରମତୀ ଜେଲରେ ବନ୍ଦୀ ରହିଥିବା ଗ୍ୟାଂଗଷ୍ଟର ଲରେନ୍ସ ବିଷ୍ଣୋଇର ଗ୍ୟାଂଗ ବାବା ସିଦ୍ଦିକି ହତ୍ୟାକାଣ୍ଡର ଦାୟିତ୍ୱ ମୁଣ୍ଡାଇ ଥିଲେ ମଧ୍ୟ ପୁଲିସ ହାଜତରେ ଥିବା ଗୁରୁମେଲ ଓ ଧର୍ମରାଜ ନିଜକୁ ନିରୀହ ବୋଲି ଦାବି କରିବା ସହ ବାବା ସିଦ୍ଦିକିଙ୍କୁ ହତ୍ୟା ପାଇଁ କିଏ ସୁପାରି ଦେଇଥିଲା ତାହା ଶିବକୁମାର ହିଁ ଜାଣିଥିବ ବୋଲି ପୁଲିସକୁ ସଫେଇ ଦେଇଛନ୍ତି । ମୁମ୍ବାଇ ପୁଲିସ କ୍ରାଇମ ବ୍ରାଂଚ ରବିବାର ସନ୍ଧ୍ୟାରେ ପୁନେରୁ ପ୍ରବୀଣ ଲୋନକାର ନାମକ ଜଣେ ୨୮ ବର୍ଷର ଯୁବକକୁ ଗିରଫ କରିଛନ୍ତି । ସେ ଏହି ହତ୍ୟାକାଣ୍ଡର ଅନ୍ୟତମ ଷଡଯନ୍ତ୍ରକାରୀ କୁହାଯାଉଛି । ପ୍ରବୀଣର ଭାଇ ଶୁଭମ ଲୋନକାରକୁ ପୁଲିସ ଖୋଜୁଛି । ଦୁଇ ଭାଇ ମିଶି ଏହା ହତ୍ୟା ଷଡଯନ୍ତ୍ର କରିଥିଲେ ଏବଂ ଶିବକୁମାର ଓ ଧର୍ମରାଜ କଶ୍ୟପକୁ ସେଥିରେ ସାମିଲ କରିଥିଲେ ବୋଲି କୁହାଯାଉଛି । ମୃତ ବାବା ସିଦ୍ଦିକି ମହାରାଷ୍ଟ୍ର ରାଜନୀତି ଓ ବଲିଉଡରେ ପ୍ରଭାବଶାଳୀ ଚେହେରା ଥିଲେ । ତେଣୁ, ରବିବାର ଅନୁଷ୍ଠିତ ତାଙ୍କ ଶେଷ ସଂସ୍କାରରେ ସଲମନ ଖାନ, ସଂଜୟ ଦତ୍ତଙ୍କ ସମତେ ବହୁ ନାମୀ, ଦାମୀ ବଲିଉଡ ଅଭିନେତା, ଅଭିନେତ୍ରୀ ଯୋଗ ଦେଇଥିଲେ । ବାବା ସିଦ୍ଦିକି ହତ୍ୟା ଘଟଣା ମହାରାଷ୍ଟ୍ର ରାଜନୀତିରେ ନିଆଁ ଲଗାଇଛି । ବିରୋଧୀ କଂଗ୍ରେସ, ଏନସିପି (ଶରଦ ପାୱାର) ଓ ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ମହାରାଷ୍ଟ୍ରରେ ଚାଲିଥିବା ମହାୟୁତି (ଶିବସେନା-ସିନ୍ଧେ-ବିଜେପି ଓ ଏନସିପି-ଅଜିତ ପାୱାର ମେଂଟ) ସରକାରକୁ କଡା ସମାଲୋଚନା କରିବା ସହ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିରେ ଘୋର ଅବନତି ଘଟିଥିବା ଓ ସରକାର ଅପରାଧୀଙ୍କ ସହ ଥିବା ନେଇ ଗୁରୁତର ଅଭିଯୋଗ କରିଛନ୍ତି । ଅପରପକ୍ଷରେ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଆଜି କହିଛନ୍ତି, ଅପରାଧୀ ଯେଉଁ ଦଳର ହୋଇଥା’ନ୍ତୁ ବା ଯେତେ ପ୍ରଭାବଶାଳୀ ହୋଇଥା’ନ୍ତୁ ସେମାନଙ୍କୁ ଗିରଫ କରାଯାଇ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ନଭେମ୍ବର-ଡିସେମ୍ବରରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ଶାସକ ଓ ବିରୋଧୀ ଏହି ହତ୍ୟା ଘଟଣାକୁ ନେଇ ମୁହାଁମୁହିଁ ଅବସ୍ଥାକୁ ଚାଲି ଆସିଥିବା ରାଜ୍ୟ ରାଜନୀତିକୁ ବେଶ୍ ସରଗରମ କରିଛି । ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ (ବିଜେପି)ଙ୍କ ହାତରେ ରାଜ୍ୟର ଗୃହ ମନ୍ତ୍ରଣାଳୟ ରହିଥିବାରୁ ବିଜେପି କଡା ସମାଲୋଚନାର ଶରବ୍ୟ ହୋଇଛି । ତେବେ, ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି, ଏହି ଗୋଟିଏ ଘଟଣାରୁ ସରକାରଙ୍କୁ ନିନ୍ଦା କରାଯିବା ଠିକ୍ ନୁହେଁ ବୋଲି ବିଜେପି ମୁଖପାତ୍ରମାନେ ଦାବି କରୁଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS