ପରବର୍ତ୍ତୀ ଆଦେଶ ଯାଏଁ ସ୍କୁଲ, ହସ୍ପିଟାଲ, ଥାନାରେ ନାଗରିକ ସ୍ୱେଚ୍ଛାସେବୀ ନିଯୁକ୍ତି ମନା


ପ୍ରସାଦ ରାଓ
ଅକ୍ଟୋବର ୧୫
କୋଲକାତା ଆର.ଜି.କର ମେଡିକାଲ କଲେଜ ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍ମର୍ମ ଓ ହତ୍ୟା କରାଯିବା ଘଟଣାର ତଦନ୍ତ କରୁଥିବା ସିବିଆଇ ଦୁଷ୍କର୍ମ ଓ ହତ୍ୟାରେ ଏକମାତ୍ର ସଂଜୟ ରାଏ ସଂପୃକ୍ତ ଥିବା ସୁପ୍ରିମ କୋର୍ଟଙ୍କୁ ସୂଚିତ କରିବା ପରେ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ରାଜ୍ୟ ସରକାର ରାଜ୍ୟର କୌଣସି ସ୍କୁଲ, ହସ୍ପିଟାଲ ଓ ଥାନାରେ ସିଭିକ୍ ଭଲେଂଟିୟର ବା ନାଗରିକ ସ୍ୱେଚ୍ଛାସେବୀଙ୍କୁ ନିଯୁକ୍ତି ନଦେବାକୁ ନିର୍ଦେଶ ଦେଇଛନ୍ତି । ସଂଜୟ ରାଏ କୋଲକାତା କମିସନରେଟ ପୁଲିସରେ ଜଣେ ନାଗରିକ ସ୍ୱେଚ୍ଛସେବୀ ଭାବେ ସରକାରଙ୍କ ଦ୍ୱାରା ନିଯୁକ୍ତି ପାଇଥିଲା ଓ ଆର.ଜି.କର ମେଡିକାଲ କଲେଜ ହସ୍ପିଟାଲରେ ତା’ର ଅବାଧ ପ୍ରବେଶ ରହିଥିଲା । ଘଟଣା ଦିନ ରାତିରେ ସଂପୃକ୍ତ ମେଡିକାଲ କଲେଜ ହସ୍ପିଟାଲରେ ଡ୍ୟୁଟିରେ ଥିବା ଟ୍ରେନି ଡାକ୍ତର ଜଣକ ସେମିନାର ହଲରେ ବିଶ୍ରାମ ନେଉଥିବା ବେଳେ ସଂଜୟ ରାଏ ତାଙ୍କୁ ଦୁଷ୍କର୍ମ ଓ ହତ୍ୟା କରିଥିଲା । ସୁପ୍ରିମ କୋର୍ଟ ନିଜ ଆଡୁ ଏହି ଘଟଣାକୁ ବିଚାର ପାଇଁ ପଂଜୀକୃତ କରି ମାମଲାର ଶୁଣାଣୀ କରୁଛନ୍ତି ଏବଂ ସିବିଆଇ ତଦନ୍ତର ତଦାରଖ କରୁଛନ୍ତି । ଇତିମଧ୍ୟରେ ସିବିଆଇ ତାହାର ପଂଚମ ତଦନ୍ତ ରିପୋର୍ଟ ସୁପ୍ରମି କୋର୍ଟରେ ଉପସ୍ଥାପନ କରିଛି । ସଂଜୟ ରାଏ ଏହି ଘଟଣାର ପ୍ରମୁଖ ଅଭିଯୁକ୍ତ ବୋଲି ରିପୋର୍ଟରେ ଦର୍ଶାଯାଇଥିବା ବେଳେ ସିବିଆଇ ଅନ୍ୟମାନଙ୍କ ଭୂମିକା ସଂପର୍କରେ ତଦନ୍ତ ଜାରି ରଖିଥିବା କୋର୍ଟଙ୍କୁ ଜଣାଇଛି । ସୁପ୍ରିମ କୋର୍ଟ ପଶ୍ଚିମ ବଂଗ ରାଜ୍ୟ ସରକାରଙ୍କଠାରୁ ସିଭିକ୍ ଭଲେଂଟିୟର ନିଯୁକ୍ତି ପ୍ରକ୍ରିୟା ସଂପର୍କରେ ବିସ୍ତୃତ ଭାବେ ଜାଣିବାକୁ ଚାହିଁଛନ୍ତି । ‘ଲୋକଙ୍କୁ ବିନା ଯାଂଚରେ ରାଜନୈତିକ ନିଯୁକ୍ତି ଦେଇ ପ୍ରୋତ୍ସାହିତ କରିବାର ଏହା ଏକ ସୁନ୍ଦର ପ୍ରକ୍ରିୟା’ ବୋଲି ସୁପ୍ରିମ କୋର୍ଟ ଟିପ୍ପଣୀ ଦେବା ସହ ପଶ୍ଚିମ ବଂଗ ସରକାର ତିନି ସପ୍ତାହ ମଧ୍ୟରେ ଏନେଇ ଅଦାଲତରେ ସତ୍ୟପାଠ ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ପଶ୍ଚିମ ବଂଗ ସରକାର ‘ରାତିରେ ସାଥୀ’ ସ୍କିମ୍ ରେ ରାଜ୍ୟରେ ପ୍ରାୟ ୧୫୦୦ ନାଜରିକ ସ୍ୱେଚ୍ଛାସେବୀ (ସିଭିକ୍ ଭଲେଂଟିୟର)ଙ୍କୁ ନିଯୁକ୍ତି ଦେଇଛନ୍ତି । ଅଭିଯୁକ୍ତ ସଂଜୟ ରାଏ ମଧ୍ୟ ଜଣେ ‘ରାତିର ସାଥୀ’ ବା ସିଭିକ୍ ଭଲେଂଟିୟର ଥାଇ ଏହି ଜଘଣ୍ୟ ଅପରାଧ ଘଟାଇ ଥିଲେ । ଅଗଷ୍ଟ ୦୮ ତାରିଖ ରାତି ୦୯ ତାରିଖ ଭୋର ସମୟରେ ଏହି ଜଘଣ୍ୟ ଘଟଣା ଘଟିଥିଲା । ୦୯ତାରିଖ ସକାଳେ ଟ୍ରେନି ଡାକ୍ତରଙ୍କ ରକ୍ତ ଜୁଡୁବୁଡୁ ଶରୀର ହସ୍ପିଟାଲର ସେମିନାର ହଲରୁ ଉଦ୍ଧାର କରାଯାଇଥିଲା । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ରାଜ୍ୟରେ ଥିବା ସ୍କୁଲ, ହସ୍ପିଟାଲ ଓ ପୁଲିସ ଥାନାରେ ‘ରାତିର ସାଥୀ’ଙ୍କୁ ନିଯୁକ୍ତି ନ ଦେବାକୁ ସୁପ୍ରିମ କୋର୍ଟ ପଶ୍ଚିମ ବଂଗ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି । ସୁପ୍ରିମ କୋର୍ଟ ଅଭିଯୁକ୍ତ ସଂଜୟ ରାଏ ବିରୋଧରେ ସିବିଆଇ ଅକ୍ଟୋବର ୦୭ ତାରିଖରେ ଦାଖଲ କରିଥିବା ଚାର୍ଜସିଟ୍ ଓ ସିଆଲଦା କୋର୍ଟର ରିପୋର୍ଟକୁ ବିଚାରକୁ ନେଇ ସିବିଆଇକୁ ତିନି ସପ୍ତାହ ମଧ୍ୟରେ ତାହାର ପରବର୍ତ୍ତୀ ତଦନ୍ତ ସଂପର୍କିତ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି । ସିବିଆଇ ତରଫରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦଚୂଡ, ବିଚାରପତି ଜଷ୍ଟିସ ଜେ.ବି.ପଦ୍ଦିୱାଲା ଓ ବିଚାରପତି ଜଷ୍ଟିସ ମନୋଜ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଉପସ୍ଥିତି ହୋଇ ସିବିଆଇର ଲାଟେଷ୍ଟ ଷ୍ଟାଟସ୍ ରିପୋର୍ଟ ଉପସ୍ଥାପନ କରିଥିଲେ । ସୁପ୍ରିମ କୋର୍ଟ ଖଣ୍ଡପୀଠ ଏହା ମଧ୍ୟ ନିର୍ଦେଶ ଦେଇଛନ୍ତି ଯେ, ସର୍ବାଚ୍ଚ ନ୍ୟାୟାଳୟ ଦ୍ୱାରା ଗଠିତ ନ୍ୟାସନାଲ ଟାସ୍କ ଫୋର୍ସ (ଏନଟିଏଫ)ର ବୈଠକ ନିୟମିତ ଭାବେ ବସି କୋଲକାତା ଡାକ୍ତରଙ୍କ ସୁରକ୍ଷା ପାଇଁ କିପ୍ରକାର ପଦକ୍ଷେପ ନିଆଯିବା ଆବଶ୍ୟକ ତିନି ସପ୍ତାହ ମଧ୍ୟରେ ସୁପାରିଶ କରୁ । ପଶ୍ଚିମ ବଂଗର ସମସ୍ତ ସରକାରୀ ମେଡିକାଲ କଲେଜ ହସ୍ପିଟାଲରେ ସିସିଟିଭି ଲଗାଯିବା, କାର୍ଯ୍ୟରତ ଡାକ୍ତରଙ୍କ ପାଇଁ ରେଷ୍ଟ୍ ରୁମ୍ ଓ ଟୟଲେଟ୍ ନିର୍ମାଣରେ ସରକାରୀ ମନ୍ଥରତାକୁ ନେଇ ସୁପ୍ରିମ କୋର୍ଟ ଗତ ସେପ୍ଟେମ୍ବର ୩୦ ତାରିଖ ଦିନ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ଏବଂ ଅକ୍ଟୋବର ୧୫ ତାରିଖ ସୁଦ୍ଧା ଏହି କାର୍ଯ୍ୟ ସାରିବାକୁ ନିର୍ଦେଶ ଦେଇଥିଲେ । ଅଗଷ୍ଟ ୨୨, ସେପ୍ଟେମ୍ବର ୦୯ ଓ ୧୭ ତାରିଖରେ ମଧ୍ୟ ସୁପ୍ରିମ କୋର୍ଟ ଖଣ୍ଡପୀଠ ବିଭିନ୍ନ କାରଣରୁ ରାଜ୍ୟ ସରକାରଙ୍କୁ ଭର୍ଛନା କରିଥିଲେ । ଏହି ଜଘଣ୍ୟ ଘଟଣା ଘଟିବା ପରେ କୋଲକତା ପୁଲିସ ଓ ଆର.ଜି.କର ମେଡିକାଲ କଲେଜ ହସ୍ପିଟାଲ କର୍ତ୍ତୃପକ୍ଷ ପ୍ରଥମେ ଏହାକୁ ଦବାଇ ଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା । ରାଜ୍ୟ ସରକାର ଚାପରେ ରହି ଅଗଷ୍ଟ ୦୯ ତାରିଖ ଘଟଣାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ (ଏସଆଇଟି) ଗଠନ କରିଥିଲେ ମଧ୍ୟ ରାଜ୍ୟ ପୁଲିସର ବିଶ୍ୱସନୀୟତାକୁ ନେଇ ପ୍ରଶ୍ନ ଉଠିବାରୁ କୋଲକାତା ହାଇକୋର୍ଟ ଅଗଷ୍ଟ ୧୩ ତାରିଖରେ ଏହି ଘଟଣାର ତଦନ୍ତ ଦାୟିତ୍ୱ ସିବିଆଇ ହାତରେ ନ୍ୟସ୍ତ କରିଥିଲେ । ଅଗଷ୍ଟ ୧୪ ତାରିଖରୁ ସିବିଆଇ କୋଲକାତା ଆର.ଜି.କର ମେଡିକାଲ କଲେଜ ହସ୍ପିଟାଲର ଟ୍ରେନିଂ ଡାକ୍ତରଙ୍କ ପ୍ରତି ଦୁଷ୍କର୍ମ ଓ ହତ୍ୟା ଘଟଣାର ତଦନ୍ତ କରୁଛନ୍ତି । ଅବଶ୍ୟ, କୋଲକାତା ପୁଲିସ ଅଗଷ୍ଟ ୧୦ ତାରିଖରେ ସିଭିକ୍ ଭଲେଂଟିୟର ସଂଜୟ ରାଏକୁ ଗିରଫ କରି ସାରିଥିଲେ । ଏହି ଘଟଣାକୁ ନେଇ ଦେଶବ୍ୟାପୀ ଡାକ୍ତର ଓ ଡାକ୍ତରୀ ଛାତ୍ରଙ୍କ ପ୍ରତିବାଦ ଆନ୍ଦାଳନ ତୀବ୍ରତର ହେବାରୁ ସୁପ୍ରିମ କୋର୍ଟ ନିଜ ଆଡୁ ମାମଲାର ବିଚାରଣା ହାତକୁ ନେଇ କାର୍ଯ୍ୟରତ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ କି ପ୍ରକାର ପଦକ୍ଷେପ ନିଆଯିବା ଆବଶ୍ୟକ ତାହା ସୁପାରିଶ କରିବାକୁ ଚିକିତ୍ସା କ୍ଷେତ୍ରରେ ଥିବା ବିଶେଷଜ୍ଞମାନଙ୍କୁ ନେଇ ଏକ ଦଶ ଜଣିଆ ଜାତୀୟ ଟାସ୍କ ଫୋର୍ସ (ଏନଟିଏଫ) ଗଠନ କରିଛନ୍ତି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS