ମହାରାଷ୍ଟ୍ର, ଝାଡଖଣ୍ଡ ଉପରେ ଏବେ ସମସ୍ତଙ୍କ ନଜର..


ପ୍ରସାଦ ରାଓ
ଅକ୍ଟୋବର ୧୭
ନଭେମ୍ବର ୧୩ ଓ ୨୦ରେ ହେବାକୁ ଥିବା ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଉପରେ ଏବେ ସମଗ୍ର ଦେଶର ଆଖି ରହିଛି । ୨୦୨୪ର ଏହା ହେଉଛି ଶେଷ ନିର୍ବାଚନ । ଲୋକସଭା ନିର୍ବାଚନରେ ବିଜେପି ୨୪୦ ଆସନରେ ସୀମିତ ହୋଇଯିବା ପରେ ୨୩୪ ଆସନରେ ବିଜୟୀ ହୋଇଥିବା ବିରୋଧୀ ‘ଇଣ୍ଡି’ ବେଶ୍ ଉତ୍ସାହିତ ଥିଲା । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲୋକସଭାରେ ବିରୋଧୀ ଦଳ ନେତାର ମାନ୍ୟତା ପାଇବା ସହ ବିରୋଧୀ ମେଂଟର ନେତା ଭାବେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଧିକ ଶାଣିତ ଆକ୍ରମଣ କରି ଗଣମାଧ୍ୟମରେ ଚର୍ଚ୍ଚାରେ ଥିଲେ । କଂଗ୍ରେସ ବିରୋଧୀ ମେଂଟର ନେତୃତ୍ୱ ନେବା ଏକପ୍ରକାର ଧାର୍ଯ୍ୟ ହୋଇସାରିଥିବା ବେଳେ ଅକ୍ଟୋବର ୦୫ ତାରିଖରେ ଅନୁଷ୍ଠିତ ହରିୟାଣା ବିଧାନସଭା ନିର୍ବାଚନ କଂଗ୍ରେସର ଏହି ଆଶାକୁ ଧୂଳିସାତ କରିଛି । ହରିୟାଣାରେ ଜିତିବା ସ୍ଥିତିରେ ଥିବା କଂଗ୍ରେସ ପରାଜିତ ହେବା ପଛରେ ଦଳର ନେତୃତ୍ୱର ଆତ୍ମବଡିମା ଓ ଅହଂକାରକୁ ସଭିଏଁ ଦାୟି କରିଛନ୍ତି । ଏପରିକି, ବିରୋଧୀ ‘ଇଣ୍ଡି’ର ଅନ୍ୟ ସହଯୋଗୀମାନେ ମଧ୍ୟ କଂଗ୍ରେସ ନେତୃତ୍ୱକୁ ସମାଲୋଚନା କରିବାରୁ ପଛାଉ ନାହାନ୍ତି । କାରଣ, ୨୦୨୪ ଲୋକସଭା ନିର୍ବାଚନରେ ସଫଳତା ପରେ ପ୍ରଥମ ଥର ପାଇଁ କଂଗ୍ରେସ ହରିୟାଣାରେ ଶକ୍ତି ପରୀକ୍ଷାର ସୁଯୋଗ ପାଇଥିଲା । ରାଜ୍ୟରେ କଂଗ୍ରେସ-ବିଜେପି ମଧ୍ୟରେ ମୁହାଁମୁହିଁ ଲଢେଇ ହୋଇଥିଲେ । ବିଜେପି ଦଶ ବର୍ଷ ଧରି ହରିୟାଣରେ ଶାସନରେ ଥିବାରୁ ସ୍ୱାଭାବିକ ଭାବେ ସରକାର ପ୍ରତି ଜନଅସନ୍ତୋଷ ଥିଲା । ବିଭିନ୍ନ ବର୍ଗର ମତଦାତା ବିଜେପି ସରକାରଙ୍କ କାର୍ଯ୍ୟକୁ ନେଇ ଅସନ୍ତୁଷ୍ଟ ଥିବାରୁ କଂଗ୍ରେସ ତାହାର ଫାଇଦା ପାଇବ ବୋଲି ସମସ୍ତେ ଆଶା କରିଥିଲେ । ଏପରିକି, ଅକ୍ଟୋବର ୦୫ ତାରିଖରେ ମତଦାନ ସରିବା ପରେ ବୁଥ୍ ବାହୁଡା ଜନମତ ଆଧାରରେ ହୋଇଥିବା ବିଭିନ୍ନ ସଂସ୍ଥାର ଏକଜିଟ୍ ପୋଲ୍ ମଧ୍ୟ କଂଗ୍ରେସର ବିଜୟ ସୁନିଶ୍ଚିତ ବୋଲି ମତ ରଖିଥିଲେ । କିନ୍ତୁ, ଅକ୍ଟୋବର ୦୮ ତାରିଖରେ ଭୋଟ ଗଣତି ହୋଇ ଆସିଥିବା ଫଳାଫଳ କଂଗ୍ରେସ ପାଇଁ ଥିଲା ସବୁଠାରୁ ବଡ ଝଟକା । ରାଜ୍ୟରେ ବିଜେପି ୪୯ ଆସନରେ ବିଜୟୀ ହୋଇ ଲଗାତର ତୃତୀୟ ଥର ପାଇଁ କ୍ଷମତାସୀନ ହୋଇଥିବା ବେଳେ କଂଗ୍ରେସର ସଂଖ୍ୟା ୩୭ରେ ସୀମିତ ରହିଗଲା । ଫଳାଫଳକୁ ନେଇ ବିରୋଧୀ ‘ଇଣ୍ଡି’ ମେଂଟରେ ଥିବା ସହଯୋଗୀ ଦଳମାନେ କଂଗ୍ରେସକୁ ଦାୟି କରିଛନ୍ତି । କଂଗ୍ରେସ ନେତୃତ୍ୱର ମାତ୍ରାଧିକ ଆତ୍ମବିଶ୍ୱାସ ଓ ଅହଂକାର ହରିୟାଣାରେ ବିରୋଧୀ ମେଂଟର ପରାଜୟର କାରଣ ହୋଇଥିବା ରାଜନୈତିକ ବିଶ୍ଲେଷକମାନେ ସ୍ୱୀକାର କରୁଛନ୍ତି । ହରିୟାଣା ପରାଜୟ ବିରୋଧୀ ମେଂଟରେ କଂଗ୍ରେସର ପତିଆରାକୁ ନେଇ ଆଶଙ୍କା ସୃଷ୍ଟି କରିଥିବା ବେଳେ ନଭେମ୍ବର ୧୩ ଓ ୨୦ରେ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ହେଉଛି । ଅବଶ୍ୟ ମହାରାଷ୍ଟ୍ର ଓ ଝାଡଖଣ୍ଡରେ କଂଗ୍ରେସ ଆଉ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ହୋଇ ରହି ନାହିଁ । ଶିବସେନା ଓ ଏନସିପି ମହାରାଷ୍ଟ୍ରରେ ଏବଂ ଜେଏମଏମ (ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା) ଝାଡଖଣ୍ଡରେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ହୋଇ ରହିଛନ୍ତି । ୨୦୧୯ ବିଧାନସଭା ନିର୍ବାଚନରେ ମହାରାଷ୍ଟ୍ରରେ ଶିବସେନା- ବିଜେପି ମେଂଟରେ ଥାଇ ସଂଖ୍ୟାଗରିଷ୍ଠତା ପାଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଚୌକିକୁ ନେଇ ଫାଟ ହୋଇଥିଲା । ଶିବସେନା ବିଜେପିଠାରୁ ଦୂରେଇ ଏନସିପି ଓ କଂଗ୍ରେସ ସହ ମେଂଟରେ ରାଜ୍ୟରେ ସରକାର କରିଥିଲା । କିନ୍ତୁ, ଶିବସେନାରେ ବିଭାଜନ ପରେ ମହା ବିକାଶ ଅଘାଡି (ଏମଭିଏ) ସରକାରର ପତନ ଘଟିଲା ଏବଂ ବିଜେପି ଶିବସେନାର ବିଭାଜିତ ଗୋଷ୍ଠୀକୁ ନେଇ ସରକାରକୁ ଆସିଲା । ଏବେ ରାଜ୍ୟରେ ବିଭାଜିତ ଶିବସେନା (ସିନ୍ଧେ)-ବିଜେପି ଓ ବିଭାଜିତ ଏନସିପି (ଅଜିତ ପାୱାର)ର ‘ମହାୟୁତି’ ସରକାର ଚାଲିଛି । ସେହିପରି, ଶିବସେନା (ଉଦ୍ଧବ ବାଲାସାହେବ ଠାକରେ), ଏନସିପି (ଶରଦଚନ୍ଦ୍ର ପାୱାର) ଓ କଂଗ୍ରେସର ମେଂଟ ବା ମହା ବିକାଶ ଅଘାଡି (ଏମଭିଏ) ରାଜ୍ୟରେ ବିରୋଧୀ ଭୂମିକାରେ ରହିଛି । ୨୦୨୦ରେ ଶିବସେନାରେ ବିଭାଜନ ଘଟାଇ ଥିବା ଏକନାଥ ସିନ୍ଧେ ‘ମହାୟୁତି’ ସରକାରର ମୁଖ୍ୟମନ୍ତ୍ରୀ ରହିଛନ୍ତି । ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ସିନ୍ଧେ ଗୋଷ୍ଠୀକୁ ‘ମୂଳ ଶିବସେନା’ ବୋଲି ସ୍ୱୀକୃତି ଦେବା ସହ ଦଳର ମୂଳ ନିର୍ବାଚନ ଚିହ୍ନ ସିନ୍ଧେଙ୍କ ହାତରେ ସମର୍ପି ଦେଇଛି । ସେହିଭଳି, ୧୯୯୯ରେ ଶରଦ ପାୱାରଙ୍କ ଦ୍ୱାରା ଗଠିତ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି)ରେ ବିଚାଜନ ଘଟାଇଛନ୍ତି ତାଙ୍କ ପୁତୁର ଅଜିତ ପାୱାର । ସେ ବିଜେପି, ଶିବସେନା (ସିନ୍ଧେ) ସରକାରରେ ସାମିଲ ହୋଇ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ଅଛନ୍ତି । ଅଜିତ ପାୱାରଙ୍କ ନିୟନ୍ତ୍ରଣରେ ଥିବା ଏନସିପିକୁ ଇସିଆଇ ‘ମୂଳ ଏନସିପି’ ଭାବେ ସ୍ୱୀକୃତି ଦେଇ ଏନସିପିର ମୂଳ ନିର୍ବାଚନ ଚିହ୍ନ ଅଜିତଙ୍କ ହାତରେ ଧରାଇଛନ୍ତି । ଅବଶ୍ୟ, କେଉଁ ଗୋଷ୍ଠୀ ‘ମୂଳ ଶିବସେନା’ ଓ ‘ମୂଳ ଏନସିପି’ ତାହାକୁ ନେଇ ସୁପ୍ରିମ କୋର୍ଟରେ ଆଇନଗତ ଲଢେଇ ଚାଲିଛି । ତଥାପି, ୨୦୨୪ ଲୋକସଭା ନିର୍ବାଚନ ଭଳି ଆସନ୍ତା ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମଧ୍ୟ ଶରଦ ପାୱାରଙ୍କ ଏନସିପି ଓ ଉଦ୍ଧବ ଠାକରେଙ୍କ ଶିବସେନା ମୂଳ ନିର୍ବାଚନ ଚିହ୍ନ ନଥାଇ ନିର୍ବାଚନ ଲଢିବାକୁ ବାଧ୍ୟ ହେବେ । ଦୁଇ ଜାତୀୟ ଦଳ କଂଗ୍ରେସ ଓ ବିଜେପି ଶିବସେନା ଓ ଏନସିପିର ବିଭାଜିତ ଗୋଷ୍ଠୀଙ୍କ ସହଯୋଗୀ ଭାବେ ନିର୍ବାଚନ ମଇଦାରେ ରହିବେ । ଶିବସେନା, ଏନସିପି ବିଭାଜିତ ହେବା ପରେ ୨୦୨୪ ଏପ୍ରିଲ-ମେ’ରେ ଅନୁଷ୍ଠିତ ଲୋକସଭା ନିର୍ବାଚନରେ ମୁହାଁମୁହିଁ ହୋଇଥିଲେ । କ୍ଷମତାରେ ଥିବା ବିଜେପି-ଶିବସେନା (ସିନ୍ଧେ) ଓ ଏନସିପି (ଅଜିତ ପାୱାର) ମେଂଟ ଓ ବିରୋଧୀ ଭୂମିକାରେ ଥିବା କଂଗ୍ରେସ-ଶିବସେନା (ୟୁବିଟି) ଓ ଏନସିପି (ଶରଦଚନ୍ଦ୍ର ପାୱାର) ମେଂଟ ବା ମହା ବିକାଶ ଅଘାଡି (ଏମଭିଏ) ମଧ୍ୟରେ ହୋଇଥିବା ଏହି ପ୍ରଥମ ଶକ୍ତି ପରୀକ୍ଷାରେ ଏମଭିଏ ରାଜ୍ୟର ୪୮ ଲୋକସଭା ଆସନରୁ ୩୧ଟିରେ ବିଜୟୀ ହୋଇ ସିନ୍ଧେ ଗୋଷ୍ଠୀକୁ ମାତ୍ ଦେଇଛି । ମୁଖ୍ୟମନ୍ତ୍ରୀ ସିନ୍ଧେଙ୍କ ନେତୃତ୍ୱାରେ ପରିଚାଳିତ ‘ମହାୟୁତି’କୁ ୧୭ଟି ଲୋକସଭା ଆସନରେ ସନ୍ତୁଷ୍ଟ ହେବାକୁ ପଡିଛି । ୨୦୨୪ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଲୋକସଭା ନିର୍ବାଚନର ସଫଳତାକୁ ଦୋହରାଇବ ବୋଲି ଏମଭିଏ ଆତ୍ମବିଶ୍ୱାସର ସହ ଦାବି କରୁଥିବା ବେଳେ ବିଜେପି ସହ ସାମିଲ ଥିବା ଶିବସେନା (ସିନ୍ଧେ) ଓ ଏନସିପି (ଅଜିତ ପାୱାର) ଗୋଷ୍ଠୀ ରାଜ୍ୟରେ ଲଗାତର ଦ୍ୱିତୀୟ ଥର ପାଇଁ ସରକାର କରିବା ଆଶା ରଖିଛନ୍ତି । ମୁଖ୍ୟମନ୍ତ୍ରୀ ସିନ୍ଧେ ଠିକ୍ ନିର୍ବାଚନ ପୂର୍ବରୁ ୪୬,୦୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଘୋଷଣା କରିଛନ୍ତି । ସେଥିରେ ୧୫୦୦୦ କୋଟି ଟଙ୍କାର ‘ଲାଡଲି ବେହେନା’ ଯୋଜନା ସାମିଲ ଥିବା କୁହାଯାଉଛି । ବିଜେପି ଓଡ଼ିଶା, ମଧ୍ୟ ପ୍ରଦେଶ, ରାଜସ୍ଥାନ ନିର୍ବାଚନରେ ମହିଳା ମତଦାତାଙ୍କୁ ଆକୃଷ୍ଟ କରିବା ପାଇଁ ସ୍ୱତନ୍ତ୍ର ଆର୍ଥିକ ପ୍ରୋତ୍ସାହନ ଯୋଜନା ଘୋଷଣା କରି ସଫଳ ହୋଇଥିଲେ । ତେଣୁ, ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଏହି କୌଶଳ ଆପଣାଇଛନ୍ତି । ତେବେ, ଗତ ଲୋକସଭା ନିର୍ବାଚନରେ ମହାୟୁତି ସହ ଥିବା ଏନସିପି ଗୋଷ୍ଠୀର ମୁଖ୍ୟ ଅଜିତ ପାୱାରଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା । ତେଣୁ, ମହାୟୁତି ସରକାରରେ ତାଙ୍କ ଗୁରୁତ୍ୱ କମିଛି । ଦାଦା ଶରଦ ପାୱାରଙ୍କ ଶିବିରକୁ ସେ ଫେରିବା ନେଇ ମହାରାଷ୍ଟ୍ରରେ ଜୋରଦାର କଳ୍ପନାଜଳ୍ପନା ଚାଲିଛି । ସେହିଭଳି, ଝାଡ଼ଖଣ୍ଡରେ ୨୦୧୯ରୁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଜେଏମଏମ-କଂଗ୍ରେସ ମେଂଟ ସରକାର ଚାଲିଛି । ମହାରାଷ୍ଟ୍ରର ୨୮୮ ବିଧାନସଭା ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ନଭେମ୍ବର ୨୦ ତାରିଖରେ ଭୋଟ ହେବାକୁ ଥିବା ବେଳେ ଝାଡ଼ଖଣ୍ଡର ମୋଟ ୮୧ ବିଧାନସଭା ଆସନ ପାଇଁ ନଭେମ୍ବର ୧୩ ଓ ୨୦ ତାରିଖରେ ଦୁଇ ପର୍ଯ୍ୟାୟରେ ଭୋଟ ହେବାକୁ ଯାଉଛି । ଝାଡ଼ଖଣ୍ଡ ହେଉଛି ଏକ ଆଦିବାସୀ-ବହୁଳ ରାଜ୍ୟ । ଆଂଚଳିକ ଦଳ ଜେଏମଏମ (ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା) କଂଗ୍ରେସ ସହ ମେଂଟରେ ଶାସନରେ ଥିବା ବେଳେ ବିଜେପି ରାଜ୍ୟରେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ରହିଛି । ୨୦୧୯ ବିଧାନସଭା ନିର୍ବାଚନରେ ଜେଏମଏମ ୮୧ରୁ ୩୦ ଆସନ ପାଇ ପ୍ରଥମ ଓ ବିଜେପି ୨୫ ଆସନ ପାଇ ଦ୍ୱିତୀୟ ସ୍ଥାନରେ ଥିବା ବେଳେ କଂଗ୍ରେସ ୧୬, ଏଜେଏସୟୁ ଦୁଇଟି, ଆରଜେଡି ଓ ବାମପନ୍ଥୀ ଦଳ ଗୋଟିଏ ଲେଖାଏଁ ଆସନରେ ବିଜୟୀ ହୋଇଥିଲେ । ଅନ୍ୟମାନଙ୍କୁ ୦୬ଟି ଆସନ ମିଳିଥିଲା । ୨୦୨୪ ଲୋକସଭା ନିର୍ବାଚନରେ ଝାଡ଼ଖଣ୍ଡର ୧୪ ଲୋକସଭା ଆସନରୁ ଏନଡିଏକୁ ୦୯ଟି ଆସନ ମିଳିଥିବା ବେଳେ ଓ ‘ଇଣ୍ଡି’ ମେଂଟକୁ ୦୫ଟି ଆସନ ମିଳିଛି । ୨୦୨୪ ଲୋକସଭା ନିର୍ବାଚନରେ ବିଜେପିର ଭୋଟ ସେୟାର ୪୪.୬ ପ୍ରତିଶତ ଥିବା ବେଳେ ଜେଏମଏମ ଭୋଟ ସେୟାର ୧୮.୭ ପ୍ରତିଶତ ଓ କଂଗ୍ରେସର ଭୋଟ ସେୟାର ୧୩.୯ ପ୍ରତିଶତ ଥିଲା । ନଭେମ୍ବର ୧୩ ଓ ୨୦ ତାରିଖରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଜେଏମଏମ-କଂଗ୍ରେସ ମେଂଟ ବିଜେପିର ସାମ୍ନା କରିବା ନିଶ୍ଚିତ । ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କିଛି ମାସ ତଳେ ରାଂଚି ଜମି ଦୁର୍ନୀତି ମାମଲାରେ ଇଡି ଦ୍ୱାରା ଗିରଫ ହୋଇ ଜେଲରେ ଥିଲେ । ଗିରଫ ହେବା ପରେ ଓ ଜେଲ ଯିବା ପୂର୍ବରୁ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ତାଙ୍କ ସ୍ଥାନରେ ଦଳର ବରିଷ୍ଠ ନେତା ଚଂପେଇ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲେ । ହାଇକୋର୍ଟରୁ ଜାମିନ ପାଇବା ପରେ ହେମନ୍ତ ସୋରେନ ଚଂପେଇଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ପୁନର୍ବାର ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି । ଚଂପେଇଙ୍କୁ ‘ଇଣ୍ଡି’ ମେଂଟର ଏକ ବୈଠକରେ ଯୋଗଦେବାକୁ ଡକାଯାଇ ଯେଭଳି ଭାବେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ କୁହାଗଲା ତାହା ତାଙ୍କ ପାଇଁ ଥିଲା ଅତ୍ୟନ୍ତ ଅପମାନଜନକ ବୋଲି ଚଂପେଇ ଅଭିଯୋଗ କରି ଜେଏମଏମ ଛାଡିବା ସହ ବିଜେପିରେ ସାମିଲ ହୋଇଛନ୍ତି । ବିଜେପି ଏବେ ଝାଡ଼ଖଣ୍ଡର ଆଦିବସୀ ମତଦାତାଙ୍କୁ ଆକୃଷ୍ଟ କରିବା ପାଇଁ ଚଂପେଇଙ୍କୁ ମୋହରା କରିଛି । ଏହାଛଡା, ଝାଡଖଣ୍ଡ ସୀମାକୁ ଲାଗି ରହିଥିବା ଓଡ଼ିଶାର ବିସ୍ତୃତ ଅଂଚଳରେ ବସାବାସ କରୁଥିବା ଆଦିବାସୀ ଓ ଅଣ-ଆଦିବାସୀ ଭୋଟରଙ୍କୁ ବିଜେପି ନିଜ ଆଡକ ଆକର୍ଷିତ କରିବା ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ (ଆଦିବାସୀ ନେତା)ଙ୍କ ସମେତ ଅନ୍ୟ କିିଛି ମନ୍ତ୍ରୀଙ୍କୁ ନିର୍ବାଚନ ପ୍ରଚାରରେ ଲଗାଇଛି । ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ହେଉଛନ୍ତି ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ । ଓଡ଼ିଶା ରାଜଭବନରୁ ଝାଡଖଣ୍ଡ ବିଧାନସଭା ନିର୍ବାଚନ ନିୟନ୍ତ୍ରିତ ହେଉଥିବା ଏବେ ଚର୍ଚ୍ଚାରେ ରହିଛି । ଅପରପକ୍ଷରେ, ଜେଏମଏମ ନେତା ତଥା ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଅଭିଯୋଗ ହେଉଛି, କେନ୍ଦ୍ରରେ ଥିବା ବିଜେପି ସରକାର ତାଙ୍କୁ ରାଜନୈତିକ ଉଦ୍ଦେଶ୍ୟରେ ମିଥ୍ୟା ମାମଲାରେ ଫସାଇ ଜେଲ ପଠାଇଛନ୍ତି । ୨୦୨୪ ଲୋକସଭା ନିର୍ବାଚନରେ ହେମନ୍ତ ଜେଲରେ ଥାଇ ରାଜ୍ୟର ଆଦିବାସୀ ଭୋଟରଙ୍କ ସହାନୁଭୂତି ପାଇଥିଲେ । ଏବେ ସେ ଜେଲ ବାହାରେ ଥାଇ ଭୋଟରଙ୍କ ସହାନୁଭୂତି ଗୋଟାଇବା ଉଦ୍ୟମରେ ଅଛନ୍ତି । ତେବେ, ଝାଡଖଣ୍ଡର ଆଦିବାସୀ ମତଦାତା ହେମନ୍ତଙ୍କ ପ୍ରତି ସହାନୁଭୂତିଶୀଳ ରହିବେ କି ଚଂପେଇଙ୍କ ଆଡକୁ ଢଳିବେ, ତାହା ଦେଖିବା ସମୟ ଆସିଛି । ଇସିଆଇ ନଭେମ୍ବରରେ ଯେଉଁ ନିର୍ବାଚନ କରାଉଛନ୍ତି ସେଥିରେ ଆଉ ଏକ ବିଷମ କଥା ହେଉଛି, ନଭେମ୍ବର ୧୩ ତାରିଖରେ ଝାଡଖଣ୍ଡରେ ପ୍ରଥମ ପର୍ଯ୍ୟାୟ ମତଦାନ ହେଉଥିବା ବେଳେ କେରଳର ୱାଇନାଡ ଲୋକସଭା ଆସନରେ ଉପ ନିର୍ବାଚନ ହେଉଥିବ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ୨୦୨୪ରେ ଜିତି ମଧ୍ୟ ରାଏବରେଲୀ ପାଇଁ ଏହି ଆସନକୁ ତ୍ୟାଗ କରିଛନ୍ତି ଏବଂ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କଂଗ୍ରେସ ପ୍ରାର୍ଥୀ ଭାବେ ସେଠାରୁ ଉପ ନିର୍ବାଚନ ଲଢିବାକୁ ଯାଉଛନ୍ତି । ପ୍ରିୟଙ୍କାଙ୍କ ବିଜୟ କଂଗ୍ରେସ ପାଇଁ ସମ୍ମାନର ପ୍ରଶ୍ନ । ତେଣୁ, କଂଗ୍ରେସ ନେତୃତ୍ୱ ପ୍ରିୟଙ୍କାଙ୍କ ପାଇଁ କେତେ ସମୟ ଦେବେ ଏବଂ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପ୍ରଚାରରେ କେତେ ସମୟ ଦେବେ, ତାହା ଦେଖିବା ସମୟ ଆସୁଛି ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS