ରେଳ ଟିକଟ ଆଗୁଆ ବୁକିଂ ସମୟ ୬୦ ଦିନକୁ କମିବ
ପ୍ରସାଦ ରାଓ
ଅକ୍ଟୋବର ୧୮
କେନ୍ଦ୍ର ସରକାରଙ୍କ ରେଳବାଇ ମନ୍ତ୍ରଣାଳୟ ନଭେମ୍ବର ୦୧ ତାରିଖରୁ ଆଗୁଆ ଟିକଟ ବୁକିଂ ସମୟ ବା ଏଆରପିକୁ ୧୨୦ ଦିନରୁ ୬୦ ଦିନକୁ ହ୍ରାସ ଘଟାଇବାକୁ ନିଷ୍ପତ୍ତି ନେଇଛନ୍ତି । ଗତ ବୁଧବାର ଦିନ ରେଳବାଇ ବୋର୍ଡ ପକ୍ଷରୁ ପ୍ରକାଶିତ ସର୍କୁଲାରରେ ଏହି ସୂଚନା ଦିଆଯାଇଛି । ତେବେ, ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଏଆରପି ୧୨୦ ଦିନ ରହିବ । ଏଆରପି ବା ଆଡଭାନ୍ସ ରିଜର୍ଭେସନ ପିରିଅଡ ଏବେ ୧୨୦ ଦିନ ଥିବାରୁ ଏତେଦିନ ଆଗରୁ ଯାତ୍ରୀ ସେମାନଙ୍କ ଟ୍ରାଭେଲ ପ୍ଲାନ୍ କରିବା ମୁସ୍କିଲ ହେଉଛି । ଅନେକ ଯାତ୍ରୀ ରେଳ ଟିକଟ ବୁକିଂ କରି ପରେ ତାହା ବାତିଲ କରୁଥିବା ବେଳେ ଆଉ କିଛି ଯାତ୍ରୀ ଆଗୁଆ ଟିକଟ କରିଥିଲେ ମଧ୍ୟ ତାହାକୁ ବାତିଲ କରୁନାହାନ୍ତି ବା ନିର୍ଦ୍ଧାରିତ ଟ୍ରେନରେ ଯାତ୍ରା କରୁନାହାନ୍ତି । ଫଳରେ, କିଛି ଅସାଧୁ ରେଳ କର୍ମଚାରୀ ଏହାର ସୁଯୋଗ ନେଇ ରିଜର୍ଭ ବର୍ଥଗୁଡିକରେ ୱେଟିଂଲିଷ୍ଟରେ ଥିବା ଯାତ୍ରୀଙ୍କୁ ଯାତ୍ରା କରିବାର ସୁଯୋଗ ଦେଇ ନିଜ ପକେଟ ଗରମ କରୁଛନ୍ତି । ବାସ୍ତବରେ ଯେଉଁମାନଙ୍କ ରେଳଯାତ୍ରାର ଆବଶ୍ୟକତା ରହିଛି ସେମାନେ ଟିକଟ ପାଉ ନାହାନ୍ତି ବା କନଫର୍ମ ଟିକଟ ନପାଇ ଯାତ୍ରା ସମୟରେ ହତାଶ ହେଉଛନ୍ତି । ତେଣୁ, ରେଳବାଇ ବୋର୍ଡ ନଭେମ୍ବର ୦୧ ତାରିଖରୁ ଏଆରପିକୁ ୧୨୦ ଦିନରୁ ୬୦ ଦିନକୁ ହ୍ରାସ କରିବାକୁ ନିଷ୍ପତ୍ତି ନେଇ ବୁଧବାର ବିଜ୍ଞପ୍ତି ଜାରି କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ୧୯୮୧ ପରରୁ ଏଆରପିରେ ଦ୍ୱାଦଶତମ ଥର ପାଇଁ ସଂଶୋଧନ କରାଯାଇଛି । ୧୯୯୫ ସେପ୍ଟେମ୍ବରରୁ ୧୯୯୮ ଫେବୃୟାରୀ ପର୍ଯ୍ୟନ୍ତ ଏଆରପି ସର୍ବନିମ୍ନ ୩୦ ଦିନ ରହିଥିଲା । ୨୦୧୫ ଏପ୍ରିଲରେ ରେଳବାଇ ବୋର୍ଡ ଶେଷ ଥର ପାଇଁ ଏଆରପି (ଆଡଭାନ୍ସ ରିଜର୍ଭେସନ ପିରିୟଡ)କୁ ୧୨୦ ଦିନକୁ ବୃଦ୍ଧି କରିଥିଲେ । ୧୨୦ ଦିନ ପୂର୍ବରୁଟିକଟ କରି ଟ୍ରାଭେଲ ପ୍ଲାନ କରିବା କଷ୍ଟକର ହେଉଥିବାରୁ, କିଛି ଲୋକ ଆଗୁଆ ଟିକଟ ବୁକ୍ କରି ପରେ ଯାତ୍ରା ବାତିଲ କରୁଥିବା ଏବଂ ଆଉ କିଛି ଯାତ୍ରୀ ଟିକଟ ବାତିଲ ନ କରାଇ ଶେଷ ମୁହୂର୍ତ୍ତରେ ଯାତ୍ରାକୁ ବାତିଲ କରୁଥିବାରୁ ଯେଉଁ ସମସ୍ୟା ହେଉଛି ତାହାର ସମାଧାନ ପାଇଁ ଏଆରପି ୬୦ ଦିନକୁ ହ୍ରାସ କରାଯାଇଥିବା ରେଳବାଇ ବୋର୍ଡ ପକ୍ଷରୁ କୁହାଯାଇଛି । ରେଳ ମନ୍ତ୍ରଣାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନର ବ୍ୟବସ୍ଥାରେ ୧୨୦ ଦିନ ପର୍ବରୁ ଆଗୁଆ ଟିକଟ ବୁକ୍ କରୁଥିବା ଯାତ୍ରୀଙ୍କ ମଧ୍ୟରୁ ପ୍ରାୟ ୨୧ ପ୍ରତିଶତ ସେମାନଙ୍କ ଟିକଟ କ୍ୟାନସଲ୍ (ବାତିଲ) କରୁଥିବା ବେଳେ ୪ରୁ୫ ପ୍ରତିଶତ ନିର୍ଦ୍ଧାରିତ ଟ୍ରେନରେ ଯାତ୍ରା ପାଇଁ ଟିକଟ ବାତିଲ କରୁନାହାନ୍ତି ବା ରେଳଯାତ୍ରା କରୁନାହାନ୍ତି । ତେଣୁ, ଏଆରପି ୬୦ ଦିନକୁ ହ୍ରାସ କରାଯିବା ଦ୍ୱାରା ଟିକଟ ବ୍ଲକିଂ, କ୍ୟାନସେଲସନ୍ ହ୍ରାସ ପାଇବ । ରେଳଯାତ୍ରୀ ୬୦ ଦିନ ପୂର୍ବରୁ ସେମାନଙ୍କ ଟ୍ରାଭେଲ ପ୍ଲାନ କରି ପାରିବେ । ଯେଉଁମାନଙ୍କ ପାଇଁ ରେଳଯାତ୍ରା ନିହାତି ଆବଶ୍ୟକ ସେମାନେ କନଫର୍ମ ଟିକଟରେ ଯାତ୍ରା କରି ପାରିବେ । ଆବଶ୍ୟକ ମନେ କଲେ ରେଳ ବିଭାଗ ଅଧିକ ସଂଖ୍ୟକ ସ୍ୱତନ୍ତ୍ର ଟ୍ରେନ ଚଳାଇ ପାରିବେ ବୋଲି ରେଳବାଇ ଅଧିକାରୀମାନେ କହିଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS