କଶ୍ମୀର ଆନ୍ତର୍ଜାତିକ ମାରାଥନ, ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ୨୧ କିମି ଧାଇଁଲେ
ପ୍ରସାଦ ରାଓ
ଅକ୍ଟୋବର ୨୦
ନିକଟରେ ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ନ୍ୟାସନାଲ କନ୍ଫରେନ୍ସ (ଏନସି) ନେତା ଓମାର ଅବଦୁଲ୍ଲା ଆଜି କଶ୍ମୀରରେ ଏକ ମାରାଥନ ଦୌଡରେ ଭାଗ ନେଇ ଦୁଇ ଘଂଟାରେ ୨୧ କିମି ବାଟ ଅତିକ୍ରମ କରିଥିବା ତାଙ୍କ ‘ଏକ୍ସ’ ପୋଷ୍ଟରେ କହିଛନ୍ତି । ଓମାର କହିଛନ୍ତି, ଅତୀତରେ ସେ କେବେ ୧୩ କିମିର ଅଧିକ ବାଟ ଦୌଡି ନଥିଲେ । ତାହା ମଧ୍ୟ ଥରେ ଅଧେ । ଆଜି ହାରାହାରି ୫ ମିନଟ ୫୪ ସେକେଣ୍ଡରେ ଗୋଟିଏ କିମି ଦୂରତା ଅତିକ୍ରମ କରି ଦୁଇ ଘଂଟାରେ ୨୧ କିମି ଦୌଡିଛନ୍ତି । ସେ ଏତେମାତ୍ରରେ ଉତ୍ସାହିତ ଥିଲେ ଯେ କୌଣସି ତାଲିମ ନଥାଇ, ମାରାଥନ ଦୌଡିବାର କୌଣସି ପୂର୍ବ ଯୋଜନା ନଥାଇ ଓ କୌଣସି ପ୍ରକାର ନ୍ୟୁଟି୍ରସନ୍ ନ ନେଇ ମାରାଥନ ଦୌଡିବାର ରେକର୍ଡ କରିଛନ୍ତି । ସେ ସାଥିରେ କେବଳ ଗୋଟିଏ କଦଳୀ ଓ କିଛି ଖଜୁର ନେଇଥିଲେ । ଡାଲ୍ ହ୍ରଦର କୂଳେ କୂଳେ ସେ ମାରାଥନ ଦୌଡୁଥିବା ବେଳେ ପରିବାର ସଦସ୍ୟ ଓ ଶୁଭେଚ୍ଛୁମାନେ ହର୍ଷୋଲ୍ଲାସ ମାଧ୍ୟମରେ ତାଙ୍କ ମନୋବଳ ବଢାଇ ଥିଲେ । ଓମାର ଦୌଡୁଥିବା ବେଳେ କିଛି ସାମ୍ବାଦିକ ତାଙ୍କ ପାଖେ ପାଖେ ଦୌଡୁଥିଲେ । ସୋମାନେ ସୁଯୋଗ ମିଳିଲେ ଓମାରଙ୍କ ସାକ୍ଷାତକାର ନେବାକୁ ଆଗ୍ରହୀ ଥିଲେ । ତାହା ହିଁ ଆଜିର ମାରାଥନ ଦୌଡର ବୈଶିଷ୍ଟ୍ୟ ବୋଲି ଓମାର ତାଙ୍କ ପୋଷ୍ଟରେ କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ, ବାଟରେ ସେ ବହୁ ସଂଖ୍ୟାରେ ସେଲ୍ଫି ନେଇଥିଲେ । ସାକ୍ଷାତକାର ପାଇଁ ଅନୁରୋଧ ମଧ୍ୟ ଆସିଥିଲା । କିଛି ସାମ୍ବାଦିକ ତାଙ୍କ ସାକ୍ଷାତକାର ନେବାକୁ ଉଦ୍ୟମ କରିଥିଲେ । ଗୋଟିଏ ଦୁଇଟି ଚାକିରୀ ସଂପର୍କିତ ସମସ୍ୟା ମଧ୍ୟ ତାଙ୍କ ନିକଟରେ ଉପସ୍ଥାପିତ ହୋଇଥିଲା । ଦୌଡିବା ହେଉଛି ଅବସାଦ ଦୂର କରିବା ପାଇଁ ଶ୍ରେଷ୍ଠ ଔଷଧ । ଜନସାଧାରଣ ଅବସାଦ ଦୂର ପାଇଁ ଔଷଧ ସେବନ ନକରି ଗୋଟିଏ କିମି ହେଲେ ଧାଇଁବାକୁ ବା ମାରାଥନରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ‘ଏହା ପରୀକ୍ଷା କରି ଦେଖି ନିଅନ୍ତୁ, ଏଥିସକାଶେ ଅନୁତାପ କରିବାକୁ ପଡିବ ନାହିଁ । ଜମ୍ମୁ-କଶ୍ମୀରକୁ ଏକ ଡ୍ରଗ୍ସ-ମୁକ୍ତ ରାଜ୍ୟରେ ପରିଣତ କରିବା ପାଇଁ ଚାଲନ୍ତୁ ଆମେ ଦୌଡିବା’ ବୋଲି ଓମାର ସାଧାରଣ ଜନତାଙ୍କ ପାଇଁ ବାର୍ତ୍ତା ଦେଇଛନ୍ତି । ୨୦୧୯ ଅଗଷ୍ଟ ୦୫ ତାରିଖରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀର ରାଜ୍ୟରେ ବିଭାଜନ ଘଟାଇ ରାଜ୍ୟକୁ ଦୁଇଟି କେନ୍ଦ୍ର ଶାସିତ ଅଂଚଳରେ ପରିଣତ କରିଥିଲେ । ରାଜ୍ୟରୁ ସମ୍ବିଧାନର ୩୭୦ ଓ ୩୫-ଏ ଧାରା ଉଚ୍ଛେଦ କରାଯିବା ସହ ଜମ୍ମୁ-କଶ୍ମୀର ‘ପୂର୍ଣ୍ଣାଂଗ ରାଜ୍ୟ ମାନ୍ୟତା’ ମଧ୍ୟ ରଦ୍ଦ କରିଦିଆଯାଇଛି । ପାଂଚ ବର୍ଷ ପରେ କେନ୍ଦ୍ର ଶାସିତ ଜମ୍ମୁ-କଶ୍ମୀରର ପ୍ରଥମ ବିଧାନସଭା ନିର୍ବାଚନ ଗତ ସେପ୍ଟେମ୍ବର ୧୮ରୁ ଅକ୍ଟୋବର ୦୧ ତାରିଖ ପର୍ଯ୍ୟନ୍ତ ତିନି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା । ଜମ୍ମୁ-କଶ୍ମୀରର ଆଂଚଳିକ ଦଳ ନ୍ୟାସନାଲ କନ୍ଫରେନ୍ସ (ଜେକେଏନସି) କଂଗ୍ରେସ ସହ ମେଂଟରେ ବିଧାନସଭା ନିର୍ବାଚନ ଲଢି ୯୦ ବିଧାନସଭା ଆସନରୁ ୪୮ଟିରେ ବିଜୟୀ ହୋଇଛି । ବିଜେପି ୨୯ ଆସନରେ ସୀମିତ ରହିଛି । ଜେକେଏନସି- କଂଗ୍ରେସ ମେଂଟର ବିଜୟ ପରେ ଏନସି ନେତା ଓମାର ଅବଦୁଲ୍ଲା ଦ୍ୱିତୀୟ ଥର ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । କଂଗ୍ରେସ ଓମାର ସରକାରରେ ସାମିଲ ହୋଇନଥିଲେ ମଧ୍ୟ ବାହାରୁ ସରକାରଙ୍କୁ ସମର୍ଥନ ଦେଉଥିବା ଘୋଷଣା କରିଛି । ଚାରି ଜଣ ସ୍ୱାଧୀନ ଓ ଜଣେ ‘ଆପ୍’ ବିଧାୟକଙ୍କ ସମର୍ଥନ ପାଇ ଓମାର ସରକାର ଗଠନ କରିଥିବା ବେଳେ ଜନସଂପର୍କକୁ ନିବିଡ କରିବା ଉଦ୍ଦେଶ୍ୟରେ ଆଜି କଶ୍ମୀର ଘାଟିରେ ଆୟୋଜିତ ମାରାଥନରେ ପ୍ରତ୍ୟକ୍ଷ ଭାବେ ସାମିଲ ହୋଇଥିବା ଜଣାପଡିଛି । ରାଜଧାନୀ ଦିଲ୍ଲୀର ଏୟାର-କ୍ୱାଲିଟି ବା ବାୟୁମଣ୍ଡଳର ଦୂଷିତାବସ୍ଥାକୁ ନେଇ ଦିଲ୍ଲୀ ହାଫ୍-ମାରାଥନରେ ଭାଗ ନେଇଥିବା ନାଗରିକମାନେ ଅଭିଯୋଗ କରିଥିବା ସମ୍ବାଦ ସରବରାହ ସଂସ୍ଥା ଏଏନଆଇରେ ରିପୋର୍ଟ ପ୍ରକାଶ ପାଇଥିଲା । ଏଏନଆଇର ଏହି ରିପୋର୍ଟ ଉପରେ ପ୍ରତିକ୍ରିୟା ଦେବାକୁ ଯାଇ ଓମାର ‘ଆଗାମୀ ଦିନରେ ହେବାକୁ ଥିବା କଶ୍ମୀର ମାରାଥନରେ ଭାଗ ନିଅନ୍ତୁ । ଏୟାର-କ୍ୱାଲିଟି ଭଲ ପାଇବେ ଏବଂ କଶ୍ମୀର ଘାଟିର ସୌନ୍ଧର୍ଯ୍ୟକୁ ମଧ୍ୟ ଉପଭୋଗ କରିବେ’ ବୋଲି ଦିଲ୍ଲୀବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ଶ୍ରୀନଗରରେ ପ୍ରଥମ ଥର ପାଇଁ ଆୟୋଜିତ କଶ୍ମୀର ଆନ୍ତର୍ଜାତିକ ମାରାଥନକୁ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଆଜି ସକାଳେ ଶ୍ରୀନଗରର ପୋଲୋ ଷ୍ଟାଡିୟମରେ ଉଦଘାଟିତ କରିଥିଲେ । ବଲିଉଡର ତାରକା ଅଭିନେତା ସୁନୀଲ ସେଟ୍ଟୀ ଉଦଘାଟନ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ସେଟ୍ଟୀ କହିଛନ୍ତି, କଶ୍ମୀର ଆସିବାକୁ ଲୋକମାନେ ଭଲ ପାଆନ୍ତି । ଏହା ହେଉଛି ବିଶ୍ୱର ଭୂ-ସ୍ୱର୍ଗ । ଆଜିର ଏହି ଆନ୍ତର୍ଜାତିକ ମାରାଥନ ମାଧ୍ୟମରେ ବିଶ୍ୱବାସୀଙ୍କୁ ବାର୍ତ୍ତା ଯାଇଛି, ସେମାନେ କଶ୍ମୀର ଆସନ୍ତୁ ଓ ମାରାଥନ ଭଳି ବିଭିନ୍ନ କାର୍ଯ୍ୟକ୍ରମରେ ପ୍ରତ୍ୟକ୍ଷ ଭାବେ ସାମିଲ ହୁଅନ୍ତୁ ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS