ଝାଡଖଣ୍ଡରେ ଏକାକୀ ଲଢିବ ଆରଜେଡି ?
ପ୍ରସାଦ ରାଓ
ଅକ୍ଟୋବର ୨୦
ନଭେମ୍ବର ୧୩ ଓ ୨୦ ତାରିଖରେ ଝାଡଖଣ୍ଡ ବିଧାନସଭାର ମୋଟ ୮୧ ଆସନରେ ଦୁଇ ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ବେଳେ ବିରୋଧୀ ‘ଇଣ୍ଡି’ ମେଂଟର ସହଯୋଗୀ ଥିବା ଆରଜେଡି ୧୨ରୁ ୧୩ ଆସନ ନ ମିଳିଲେ ଏକାକୀ ନିର୍ବାଚନ ଲଢିବ ବୋଲି ଆଜି ଚେତାବନୀ ଦେଇଛି । ରାଜ୍ୟରେ ଜେଏମଏମ-କଂଗ୍ରେସ ମେଂଟ ସରକାର ରହିଛି । ଆରଜେଡି ଓ ବାମପନ୍ଥୀ ଦଳ ମଧ୍ୟ ସେଥିରେ ଅଂଶୀଦାର ଅଛନ୍ତି । ୮୧ ବିଧାନସଭା ଆସନରୁ ଜେଏମଏମ ଓ କଂଗ୍ରେସ ୭୦ ଆସନରେ ପ୍ରାର୍ଥୀ ଦେବେ ଓ ଅନ୍ୟ ସହଯୋଗୀଙ୍କ ପାଇଁ ୧୧ଟି ଆସନ ଛାଡିବେ ବୋଲି ଚୂଡାନ୍ତ କରିଥିବା ବେଳେ ଆରଜେଡି ମୂଲଚାଲ ଆରମ୍ଭ କରିଦେଇଛି । ଆରଜେଡିର ବରିଷ୍ଠ ନେତା ମନୋଜ ଝା ଆଜି ରାଂଚିରେ କହିଛନ୍ତି, ଝାଡଖଣ୍ଡର ୧୮ରୁ ୨୦ ବିଧାନସଭା ଆସନରେ ଦଳର ସ୍ଥିତି ସୁଦୃଢ ରହିଛି । ତେଣୁ, ଦଳକୁ ୧୨, ୧୩ଟି ଆସନରୁ କମ୍ ମିଳିବା ଗ୍ରହଣୀୟ ହେବ ନାହିଁ । ଦଳ ଏକାକୀ ନିର୍ବାଚନ ଲଢିବା କଥା ଚିନ୍ତା କରିବ । ତେବେ, ବିଜେପିକୁ ପରାଜିତ କରିବା ‘ଇଣ୍ଡି’ ମେଂଟର ଆଭିମୁଖ୍ୟ ଥିବାରୁ ଆରଜେଡି ସେଥିରେ କୌଣସି ପ୍ରକାର ବିଘ୍ନ ଘଟାଇବାକୁ ଚାହୁଁ ନାହିଁ । ଦଳ ଏକାକୀ ଲଢିଲେ ମଧ୍ୟ ୬୦ରୁ ୬୨ ଆସନରେ ‘ଇଣ୍ଡି’ ମେଂଟ ପ୍ରାର୍ଥୀଙ୍କୁ ସମର୍ଥନ ଦେବ ବୋଲି ଝା କହିଛନ୍ତି । ଜେଏମଏମ-କଂଗ୍ରେସ ମେଂଟ ନିଜେ ୭୦ଆସନରୁ ପ୍ରାର୍ଥୀ ଦେଇ ୧୧ଟି ଆସନ ସହଯୋଗୀ ଦଳଙ୍କ ପାଇଁ ରଖିଥିବାରୁ ସେଥିରୁ ଛଅଟି ଆସନ ଆରଜେଡି ଓ ପାଂଚଟି ଆସନ ବାମପନ୍ଥୀ ଦଳଙ୍କ ମିଳିବ ବୋଲି ଅନୁମାନ କରାଯାଉଥିବା ବେଳେ ଆରଜେଡି ଅନ୍ୟୁ ୧୨ରୁ ୧୩ ଆସନ ନେବାକୁ ଅଡି ବସିଛି । ୨୦୧୯ ବିଧାନସଭା ନିର୍ବାଚନରେ ଆରଜେଡି ରାଜ୍ୟର ସାତଟି ବିଧାନସଭା ଆସନରେ ପ୍ରାର୍ଥୀ ଦେଇ ମାତ୍ର ଗୋଟିଏ ଆସନରେ ବିଜୟୀ ହୋଇଥିବା ବେଳେ ଜେଏମଏମ ୪୩ଟି ଆସନରେ ପ୍ରାର୍ଥୀ ଦେଇ ୩୦ଟିରେ ଓ କଂଗ୍ରେସ ୩୧ ଆସନରେ ପ୍ରାର୍ଥୀ ଦେଇ ୧୬ଟି ଆସନରେ ବିଜୟୀ ହୋଇଥିଲା । ରାଜ୍ୟରେ ସରକାର ଗଠନ ପାଇଁ ମ୍ୟାଜିକ ସଂଖ୍ୟା ୪୧ ଥିବା ବେଳେ ଜେଏମଏମ-କଂଗ୍ରେସ ମେଂଟର ବିଧାୟକ ସଂଖ୍ୟା ୪୬ ଥିଲା ଏବଂ ରାଜ୍ୟରେ ଏହି ମେଂଟ ସରକାର କରିଥିଲେ । ଜେଏମଏମ ନେତା ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ହୋଇଥିଲେ । ରାଂଚି ଜମି ଦୁର୍ନୀତି ମାମଲାରେ କେନ୍ଦ୍ର ସରକାରଙ୍କ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗିରଫ କରି ଜେଲରେ ପୁରାଇବା ଘଟଣାରେ ରାଜ୍ୟରେ ଜେଏମଏମ ସମର୍ଥକ ମହଲରେ ତୀବ୍ର ଆକ୍ରେଶ ରହିଛି । ତାହାକୁ ଆଧାର କରି ଜେଏମଏମ ୨୦୨୪ ବିଧାନସଭା ନିର୍ବାଚନରେ ଅଧିକ ଆସନ ଜିତିବା ଆଶା ରଖିଛି । ମୁଖ୍ୟମନ୍ତ୍ରୀ ସୋରେନ ହାଇକୋର୍ଟରୁ ଜାମିନରେ ମୁକୁଳିବା ପରେ ପ୍ରଚାରର ମଂଗ ଧରିଛନ୍ତି । ଏଭଳି ସ୍ଥିତିରେ ଆରଜେଡି ଅଧିକ ଆସନ ଦାବି କରି ତାହା ନ ମିଳିଲେ ଏକାକୀ ନିର୍ବାଚନ ଲଢିବ ବୋଲି ଧମକ ଦେବା ‘ଇଣ୍ଡି’ ମେଂଟ ପାଇଁ ଅଡୁଆ ହୋଇଛି । ଅପରପକ୍ଷରେ, ବିଜେପି ନେତୃତ୍ୱାଧୀନ ଏନଡିଏର ଅଂଶୀଦାର ଦଳଙ୍କ ମଧ୍ୟରେ ଆସନ ବୁଝାମଣା ସରିଛି । ବିଜେପି ନିଜେ ୬୮ ଆସନରେ ନିର୍ବାଚନ ଲଢିବ । ଏହାର ସହଯୋଗୀ ଅଲ୍ ଝାଡଖଣ୍ଡ ଷ୍ଟଡେଂଟ୍ସ ୟୁନିୟନ (ଏଜେଏସୟୁ) ୧୦ଟି, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜେଡିୟୁ ଦୁଇଟି ଓ ଚିରାଗ ପାଶ୍ୱାନଙ୍କ ଲୋକ ଜନଶକ୍ତି ପାର୍ଟି ବା ଏଲଜେପି ଗୋଟିଏ ଆସନରୁ ପ୍ରାର୍ଥୀ ଦେବା ନିଶ୍ଚିତ ହୋଇସାରିଛି । ଜେଏମଏମ ଛାଡି ବିଜେପିରେ ଯୋଗ ଦେଇଥିବା ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚଂପେଇ ସୋରେନ ଝାଡଖଣ୍ଡରେ ଏନଡିଏ ପ୍ରାର୍ଥୀ ହେଉଥିବା ଘୋଷଣା ସରିଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS