ଅକ୍ଟୋବର ବାତ୍ୟା, ଅନୁଭବରୁ କିଛି…
ପ୍ରସାଦ ରାଓ
ଅକ୍ଟୋବର ୨୧
ଅକ୍ଟୋବର ମାସ ଆସିଲେ ଓଡ଼ିଶାରେ ବିପଦର ଘଂଟି ବାଜିଥାଏ । କାରଣ, ଏହା ହେଉଛି ବାତ୍ୟାର ମାସ । ଅକ୍ଟୋବର ମାସରେ ବଂଗୋପସାଗରରେ ସୃଷ୍ଟି ହେଉଥିବା ପ୍ରତିଟି ଲଘୁଚାପ ମନକୁ ଆଶଙ୍କାରେ ଭରି ଦିଏ । ୧୯୯୯ ମହାବାତ୍ୟା ଭଳି ଘାତକ ହେବ ନାହିଁ ତ ? ଏହି ଆଶଙ୍କାରେ ଓଡ଼ିଶାବାସୀ ବାତ୍ୟା ଖବରକୁ ମନଧ୍ୟାନ ଦେଇ ଶୁଣିଥାନ୍ତି ଓ ନିଜ ନିଜ ସ୍ତରରେ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ହୋଇଥା’ନ୍ତି । ୧୯୯୯ ମହାବାତ୍ୟା ଥିଲା ଆମ ପୀଢି ପାଇଁ ପ୍ରଥମ ଅନୁଭବ । ସେହିବର୍ଷ ଅକ୍ଟୋବର ୧୭ ତାରିଖରେ ବାତ୍ୟାର ପ୍ରଥମ ଅନୁଭବ ମିଳିଥିଲା ବ୍ରହ୍ମପୁରରେ । ‘ସମ୍ବାଦ’ର ବ୍ରହ୍ମପୁର ସଂସ୍କରଣ ଦାୟିତ୍ୱରେ ଥାଏ । ବାତ୍ୟାର କୌଣସି ପୁର୍ବ ଅନୁଭବ ନଥାଏ । ମା’ ଦୂର୍ଗାଙ୍କ ଧରାବତରଣ ହୋଇସାରିଥାଏ । ଅଷ୍ଟମୀ ପୂଜା ପାଇଁ ବଡ ବଡ ତୋରଣମାନ ନିର୍ମାଣ ସରିଥାଏ । ବଂଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ କାରଣରୁ ସେଦିନ ସନ୍ଧ୍ୟାରୁ ବର୍ଷ ଆରମ୍ଭ ହୋଇଯାଇଥାଏ । ଟାଟାବେଂଜ ସ୍ଥିତ କାର୍ଯ୍ୟାଳୟରେ ବସି ଖବର ପ୍ରସ୍ତୁତ କରିବା ସହ ବାହାରେ ଚାଲିଥିବା ବର୍ଷାର ଆନନ୍ଦ ନେଉଥିଲି । ବର୍ଷା ଧୀରେ ଧୀରେ ବଢିବାରେ ଲାଗିଲା । ରାତି ପ୍ରାୟ ୭ଟା ବେଳକୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଗଲା । ସହଯୋଗୀଙ୍କ ସହ କୃତ୍ରିମ ଆଲୋକରେ କାର୍ଯ୍ୟ କରୁଥିଲି । ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟ ସହ ଟେଲିଫୋନ ଯୋଗଯୋଗରେ ରହିଥିଲି । ବର୍ଷା ଟିକିଏ ଥମିଲେ ଚାରି କିମି ଦୂର ଛାପାଖାନାକୁ ଯାଇ ସେଠାକାର କାର୍ଯ୍ୟ ତଦାରଖ କରିବା ଦାୟିତ୍ୱ ଥିବାରୁ ଅଫିସରେ ବସି ବର୍ଷା ଛାଡିବା ଅପେକ୍ଷାରେ ଥିଲି । ତେବେ, ବର୍ଷ ଅବିରାମ ଗତିରେ ଚାଲିଥିଲା । ରାତି ପ୍ରାୟ ୯ଟା ବେଳକୁ ଟେଲି ସଂଯୋଗ ଠପ୍ ହୋଇଯାଇଥିଲା । ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟ ଓ ବାଇପାସ୍ ରେ ଥିବା ଛାପାଖାନା ସହ ଆଉ ଯୋଗାଯୋଗ ସଂଭବ ନଥିଲା । ବର୍ଷାର ପ୍ରଭାବ ଏତେମାତ୍ରାରେ ଆକ୍ରାମକ ଥିଲା ଯେ ଅଫିସରେ ପାଣି ପଶିଯିବା ସହ କବାଟ, ଝରକା ଭାଂଗି ଖସିବା ଆରମ୍ଭ କରିଥିଲା । କୌଣସି ପ୍ରକାର ଆମେ ଭଂଗା ଝରକାକୁ ପେପର ବଂଡଲରେ ଚାପି ରଖି ବର୍ଷା ଛିଟାରୁ ବର୍ତ୍ତିବାକୁ ଉଦ୍ୟମ କରୁଥିଲୁ । ରାତି ପ୍ରାୟ ୧୧ଟା ସମୟରେ ହଠାତ୍ ବର୍ଷ ଛାଡିଥିଲା । ଟେମ୍ପୋ ଚାଳକ ଓ ଅନ୍ୟ ଦୁଇ ଜଣ କର୍ମଚାରୀଙ୍କୁ ସାଥିରେ ଧରି ବାହାରକୁ ବାହାରି ଥିଲି କୌଣସି ପ୍ରକାର ଜାତୀୟ ରାଜପଥ କଡରେ ଥିବା ଛାପାଖାନାରେ ପଂଚିବା ପାଇଁ । ତେବେ, ଯେତେସବୁ ବାଟ ଥିଲା ସବୁ ବନ୍ଦ ! କେଉଁଠି ବିରାଟକାୟ ଦୁର୍ଗା ପେଣ୍ଡାଲ ଭୁଶୁଡି ପଡି ସଂପୂର୍ଣ୍ଣ ରାସ୍ତାକୁ ଅବରୋଧ କରିଛି ତ ଆଉ କେଉଁଠି ଭାଂଗି ପଡିଥିବା ବଡ ବଡ ଗଛ ଓ ଲାଇଟ ଖୁଂଟ ରାସ୍ତାକୁ ମାଡି ବସିଛି । ବର୍ଷା ପବନରେ ଉଡି ଆସି ରାସ୍ତାରେ ପଡିଥିବା ବିଭିନ୍ନ ଜିନିଷ (ଆଜବେଷ୍ଟସ ସମେତ) ଗୋଟାଇବାରେ ଲାଗିଛନ୍ତି ଲୋକମାନେ । ତାହାରି ଭିତରେ ଆମେ ବାଟ ଖୋଜୁଥିଲୁ ବାଇପାସ୍ ରାସ୍ତାରେ ପହଂଚିବା ପାଇଁ । ଆକସ୍ମିକ ଭାବେ ପୁଣି ଥରେ ବର୍ଷା, ପବନ ଆରମ୍ଭ ହୋଇଗଲା । ପବନ ଏତେମାତ୍ରରେ ବଢିଗଲା ଯେ ବାଇପାସକୁ ଯିବୁ କଣ, ଅଫିସକୁ ଫେରିବାକୁ ବାଟ ପାଉନଥିଲୁ । କୌଣସି ପ୍ରକାର ଟାଟାବେଂଜ ଅଫିସରେ ପହଂଚିଲୁ ସିନା ରାତି ସାରା ଅଧି ପାଣିରେ ବୁଡି ରହିଥିବା ଅଫିସ ଭିତରେ ଅନ୍ଧାରରେ ସକାଳକୁ ଅପେକ୍ଷା କରିବା ଛଡା ଅନ୍ୟ ଗତି ନଥିଲା । ଗୋପାଳପୁର ସମୁଦ୍ର ପଟୁ ସହର ଆଡକୁ ମାଡି ଆସିଥିବା ବାତ୍ୟା ଗୋଟିଏ ପଟିଆ ପୁରୁଷୋତ୍ତମପୁର, କୋଦଳା ପର୍ଯ୍ୟନ୍ତ ବ୍ୟାପକ କ୍ଷୟକ୍ଷତି ଘଟାଇ ଦ୍ୱିତୀୟ ପର୍ଯ୍ୟାୟରେ ଅତ୍ୟନ୍ତ ଭୟଙ୍କର ରୂପ ନେଇ ଗୋପାଳପୁର ଆଡକୁ ଫେରିଥିଲା । ଦୈବାତ ଆମେ ଜାତୀୟ ରାଜପଥ ବାଇପାସରେ ପହଂଚି ଯାଇଥା’ନ୍ତୁ ତେବେ ଫେରନ୍ତା ପବନରେ ଆମ ଅବସ୍ଥା କଣ ହୋଇଥା’ନ୍ତା ଭାବି ହେଉନି । ଭୋରରେ ବର୍ଷା ପବନ ଛାଡିଲା । ରାସ୍ତାରେ ପଡିଥିବା ଗଛ ସବୁ କଟା ହୋଇ ବାଟ ସଫା ଚାଲିଲା । ଭୟରେ ରାତିସାରା ହନୁମାନ ଚାଳିଶା ପାଠ କରୁଥିବା ମୋର ସଂପାଦନା ଓ ଛାପାଖାନା ସାଥୀମାନେ ସକାଳେ ଫେରିବା ପରେ ଯେଉଁ ଅନୁଭବ ବଖାଣିଲେ ତାହା ଥିଲା ଅତ୍ୟନ୍ତ ଭୟ ସୃଷ୍ଟି କଲା ଭଳି । ସେମାନଙ୍କ ଆଖି ସାମ୍ନାରେ ନଡିଆ ଗଛଟିଏ ବଜ୍ରପାତରେ ଜଳି ଯାଇଥିଲା । ଛାପାଖାନାର ଅଜବେଷ୍ଟସ ଛାତରୁ କିଛି ଅଂଶ ମୁକୁଳା ହୋଇ ରାତିସାରା ସେମାନଙ୍କୁ ବର୍ଷା, ପବନ ସହ ସଂଘର୍ଷ କରିବାକୁ ପଡିଥିଲା । ତେବେ, ସବୁ କର୍ମଚାରୀ ସୁରକ୍ଷିତ ଥିଲେ । ତାହା ହିଁ ଥିଲା ମୋ ପାଇଁ ଆଶ୍ୱାସନାର ବିଷୟ । ପ୍ରାୟ ୨୧ରୁ ୩୦ ଦିନ ପର୍ଯ୍ୟନ୍ତ ସହରବାସୀ ଅନ୍ଧାରରେ ଥିଲେ । ଆଖପାଖ ଗ୍ରାମାଂଚଳରେ କିଛି ଲୋକଙ୍କ ମୃତ୍ୟୁ ଘଟିଥିଲା । ବ୍ରହ୍ମପୁରରେ ଛପେଇ ବ୍ୟବସ୍ଥା ବିପର୍ଯ୍ୟସ୍ତ ଥିବାରୁ ଭୁବନେଶ୍ୱରରୁ ପେଜ୍ ମଗାଇ ଛାପିବା ସହ ଲୋକଙ୍କୁ ଖବର ପରିବେଷଣ କରିଥିଲୁ । ଏହି ବାତ୍ୟାର ଭୟଂକରତା ଆଜି ମଧ୍ୟ ମୋ ଆଖି ସାମ୍ନାରେ ରହିଛି । ଅକ୍ୱୋବର ୧୭ ତାରିଖ ଗଂଜାମ ବାତ୍ୟା ପରେ ମାସ ଶେଷ ଆଡକୁ ଓଡ଼ିଶାରେ ଯେଉଁ ମହାବାତ୍ୟାର ବିଭୀଷିକା ସୃଷ୍ଟି ହେଲା ତାହା କଳ୍ପନାର ବାହାରେ ଏବଂ ଗଂଜାମ ବାତ୍ୟାଠାରୁ ବହୁଗୁଣ ଅଧିକ ଭୟଂକର । ଥିଲା । ରାଜଧାନୀ ଭୁବନେଶ୍ୱରରୁ ଆରମ୍ଭ କରି ଉପକୂଳବର୍ତ୍ତୀ ଜିଲ୍ଲା ବାଲେଶ୍ୱର, ଭଦ୍ରକ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁରପ୍ରଭୃତି ଉପକୂଳବର୍ତ୍ତୀ ଜିଲ୍ଲାରେ ଭୟଂକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଦଶ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା । ବ୍ୟାପକ ଅଂଚଳରେ ସରକାରୀ, ବେସରକାରୀ ସଂପତ୍ତିର କ୍ଷୟକ୍ଷତି ଘଟି ହାହାକାରମୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଉପକୂଳବର୍ତ୍ତୀ ଜିଲ୍ଲାମାନରୁ କୁଢକୁଢ ଶବ ଜବତ ହୋଇଥିଲା । ଖାଇବାକୁ ନପାଇ ଲୋକମାନେ ରିଲିଫ ସାମଗ୍ରୀ ଯାଉଥିବା ଟ୍ରକ୍ ସବୁକୁ ଲୁଟି ଥିଲେ । ୧୯୯୯ ମହାବାତ୍ୟାର ପ୍ରକୋପ ମନେ ପଡିଲେ ଆଜି ବି ଲୋମ ଟାଂକୁରୀ ଉଠୁଛି । ୧୯୯୯ ମହାବାତ୍ୟା ସମୟରେ ରାଜ୍ୟରେ କଂଗ୍ରେସର ସରକାର ଥିଲା । ମୁଖ୍ୟମନ୍ତ୍ରୀ ଥିଲେ ଗିରିଧର ଗମାଂଗ । ମହାବାତ୍ୟାର ମୁକାବିଲା କଲା ଭଳି ରାଜ୍ୟ ସରକାରଙ୍କ ଅଭିଜ୍ଞତା ନଥିଲା ବା ରାଜ୍ୟରେ ଭିତ୍ତିଭୂମି ନଥିଲା । ଗମାଂଗ ସରକାର ଦିଶାହୀନ ହୋଇ ଅନ୍ଧାରରେ ବାଡି ବୁଲାଉ ଥିଲେ । ଏହି ମହାବାତ୍ୟା ପରେ ଓଡ଼ିଶାରେ କଂଗ୍ରେସ ଶାସନର ଅବସାନ ଘଟିଲା ଏବଂ ୨୦୦୦ ମସିହାରେ ବିଜେଡ଼ି ମୁଖ୍ୟ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାରେ ବିଜୁ ଜନତା ଦଳ (ବିଜେଡ଼ି) ସରକାର ପ୍ରତିଷ୍ଠା ହେଲା । ଯେଉଁଥିରେ କି ପ୍ରଥମ ୦୯ ବର୍ଷ (୨୦୦୯ ପର୍ଯ୍ୟନ୍ତ) ବିଜେପି ଭାଗୀଦାର ରହିଥିଲା । ୧୯୯୯ ମହାବାତ୍ୟାର ବ୍ୟାପକ କ୍ଷୟକ୍ଷତିକୁ ଭରଣା କରିବା ସହ ରାଜ୍ୟକୁ ପୁନର୍ବାର ବିକାଶ ପଥରେ ଆଗେଇ ନେବାରେ ଗତ ୨୪ ବର୍ଷର ନବୀନ ପଟ୍ଟନାୟକ ସରକାରଙ୍କ ନେତୃତ୍ୱ ଓ ଭୂମିକାକୁ କେହି ଅଣଦେଖା କରିପାରିବ ନାହିଁ । ରାଜ୍ୟରେ ମହାବାତ୍ୟା ଭଳି ପରିସ୍ଥିତିର ମୁକାବିଲ ପାଇଁ ବଳିଷ୍ଠ ଭିତ୍ତିଭୂମି ପ୍ରସ୍ତୁତ କରାଯାଇଛି । ବାତ୍ୟାର ଗତିପଥ ଉପରେ ନଜର ରଖି କେଉଁଠି ତାହା ସ୍ଥଳଭାଗ ଛୁଇଁବାକୁ ଯାଉଛି ପାଣିପାଗ ବିଭାଗ ତାହାର ସଠିକ ଆକଳନ କରିବା ପାଇଁ ଅତ୍ୟୁଧୁନିକ ବୈଷୟିକ ଜ୍ଞାନର ପ୍ରୟୋଗ କରି ଆସୁଛି । ବାତ୍ୟା ପୂର୍ବରୁ ତଳିଆ ଅଂଚଳ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ଉପରେ ଜିଲ୍ଲା ପ୍ରଶାସନମାନେ ଗୁରୁତ୍ୱ ଦେଇ ଆସଛନ୍ତି । ବିଭିନ୍ନ ଜିଲ୍ଲା ଓ ବ୍ଲକସ୍ତରରେ ସୁରକ୍ଷିତ ବାତ୍ୟା ଆଶ୍ରୟ ସ୍ଥଳମାନ ନିର୍ମାଣ କରାଯାଇ ବାତ୍ୟା ସମୟରେ ଉପଦୃତ ହେବାକୁ ଥିବା ଅଂଚଳର ଅସୁରକ୍ଷିତ ପରିବାରଗୁଡିକୁ ଆଶ୍ରା ଦିଆଯାଉଛି । ନବୀନଙ୍କ ମହାମନ୍ତ୍ର ଥିଲା ‘ଜିରୋ କାଜୁଆଲିଟି’ । ୧୯୯୯ ପରେ ରାଜ୍ୟରେ ଯେତେ ବାତ୍ୟା ହୋଇଛି ସେଥିରେ ଏହି ମହାମନ୍ତ୍ରକୁ ନେଇ ସରକାର କାର୍ଯ୍ୟ କରିଛନ୍ତି ଓ ସଫଳତା ପାଇଛନ୍ତି । ୨୦୧୩ରେ ‘ଫାଇଲିନ’ଗଂଜାମ ଜିଲ୍ଲାର ଗୋପାଳପୁର ନିକଟରେ ସ୍ଥଳଭାଗ ଛୁଇଁଥିଲା । ଗଂଜାମ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲା ଏହି ବାତ୍ୟା ଦ୍ୱାରା ବିଶେଷ ପ୍ରଭାବିତ ହୋଇଥିଲେ । ଓଡ଼ିଶାର ଦକ୍ଷିଣ ଓ ଉପକୂଳବର୍ତ୍ତୀ ୧୨ଟି ଜିଲ୍ଲାର ପ୍ରାୟ ୧୪,୫୧୪ଟି ଗ୍ରାମ ପ୍ରଭାବିତ ହୋଇଥିଲେ । ୨୦୧୪ ଅକ୍ଟୋବର ୧୨ ତାରିଖରେ ବିଶାଖାପାଟନମ ନିକଟରେ ‘ହୁଡହୁଡ’ ବାତ୍ୟା ସ୍ଥଳଭାଗ ଛୁଇଁଥିଲା । ପ୍ରବଳ ବର୍ଷା ଓ ପବନ ଯୋଗୁଁ ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓଡ଼ିଶାର ବିସ୍ତୃତ ଅଂଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା । ୨୦୧୮ ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ବାତ୍ୟା ‘ତିତଲି’ ଗୋପାଳପୁରର ପଶ୍ଚିମ ଉପକୂଳ ଆନ୍ଧ୍ର ପ୍ରଦେଶର ପାଲାସା ନାକଟରେ ସ୍ଥଳଭାଗ ଛୁଇଁଥିଲା । ପ୍ରବଳ ବର୍ଷା ଓପବନରେ ଓଡ଼ିଶାର ଗଂଜାମ, ଗଜପତି, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଳେଶ୍ୱର ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା । ଆକସ୍ମିକ ଭାବେ ‘ତିତିଲି’ ବାତ୍ୟା ଗଜପତି ଜିଲ୍ଲାରେ ପ୍ରବେଶ କରି ପ୍ରବଳ ବର୍ଷା କରାଇବାରୁ ବନ୍ୟା ଓ ଭୂସ୍ଖଳନ ପରିସ୍ଥିତି ସୃଷ୍ଟି ହୋଇଥିଲା । ଗଂଜାମ, ଗଜପତି ଓ ପୁରୀ ଜିଲ୍ଲାରେ ଏହି ବାତ୍ୟାଜନିତ ବ୍ୟାପକ କ୍ଷତି ଘଟିଥିଲା । ଅନ୍ୟୁନ ୬୦ ଜଣଙ୍କ ପ୍ରାଣହାନୀ ଘଟିଥିଲା । ଏହାପରେ, ୨୦୧୯ ମେ’ ୦୩ ତାରିଖରେ ସୃଷ୍ଟି ହୋଇଥିବା ପ୍ରଳୟଂକରୀ ବାତ୍ୟା ‘ଫନି’ ଓଡ଼ିଶାର ପୁରୀ ଉପକୂଳରେ ସ୍ଥଳଭାଗ ଛୁଇଁ ଥିଲା । ଏହି ଭୀଷଣ ବାତ୍ୟାରେ ୬୪ ଜଣଙ୍କ ପ୍ରାଣହାନୀ ଘଟିବା ସହ ୧୧,୯୪୨ କୋଟି ଟଙ୍କାର ସଂପତ୍ତି ନଷ୍ଟ ହୋଇଥିବା ପରବର୍ତ୍ତୀ ସମୟରେ ଆକଳନ କରାଯାଇଥିଲା । ବାତ୍ୟା ଜଂଗଲ ଓ ପରିବେଶର ବ୍ୟାପକ କ୍ଷତି ଘଟାଇ ଥିବା ସରକାରୀ ସୂଚନାରୁ ଜଣାପଡିଛି । ୧ ଲକ୍ଷ ୪୦ ହଜାର ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଥିଲା । ଏହାପରେ, ସେହି ବର୍ଷ ନଭେମ୍ବର ମାସରେ ଆସିଥିବା ‘ବୁଲବୁଲ’ ନଭେମ୍ବର ୦୯ ତାରିଖରେ ପଶ୍ଚିମ ବଂଗର ସାଗର ଦ୍ୱୀପରେ ସ୍ଥଳଭାଗ ଛୁଇଁ ଥିଲେ ମଧ୍ୟ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ଘଟାଇ ଥିଲା । ୨୦୨୦ ମେ’ରେ ସୁପର ସାଇକ୍ଲୋନ ‘ଆମ୍ଫାନ’ ଓଡ଼ିଶା ଉପକୂଳ ଦେଇ ପଶ୍ଚିମ ବଂଗର ସୁନ୍ଦରବନ ନିକଟରେ ସ୍ଥଳଭାଗ ଛୁଇଁଥିଲେ ମଧ୍ୟ ଓଡ଼ିଶା ଉପକୂଳରେ ବ୍ୟାପକ କ୍ଷତି ଘଟିଥିଲା । ୧୯୯୯ ମହାବାତ୍ୟା ପରେ ଏହି ସୁପର ସାଇକ୍ଲୋନ ଥିଲା ଅତ୍ୟନ୍ତ ଶକ୍ତିଶାଳୀ । ଏହି ବାତ୍ୟାରେ ୯୮୩୩ ଗ୍ରାମ ଓ ୨୨ଟି ସହରାଂଚଳର ୪୪.୪୫ ଳକ୍ଷ ଲୋକ କ୍ଷତିଗ୍ରସ୍ତ ହୋଇଥିଲେ । ୨୦୨୧ ମେ’ ୨୬ ତାରିଖରେ ଓଡ଼ିଶାର ଧମାରା ଓ ପଶ୍ଚିମ ବଂଗର ହଳଦିଆ ମଧ୍ୟରେ ସ୍ଥଳଭାଗ ଛୁଇଁ ଥିବା ବାତ୍ୟା ‘ୟସ୍’ ପ୍ରାୟ ୬୧୦ କୋଟି ଟଙ୍କାର କ୍ଷତି ଘଟାଇ ଥିଲା । ୧୧ ହଜାର ଗ୍ରାମର ପ୍ରାୟ ୬୦ ଲକ୍ଷ ଲୋକ କ୍ଷତିଗ୍ରସ୍ତ ହୋଇଥିଲେ । ୨୦୨୧ ସେପ୍ଟେମ୍ବର ୨୬ ତାରିଖରେ ସନ୍ଧ୍ୟାରେ ବାତ୍ୟା ‘ଗୁଲାବ’ ଆନ୍ଧ୍ରର କଳିଙ୍ଗପାଟନମ୍ ଓ ଓଡ଼ିଶାର ଗୋପାଳପୁର ମଧ୍ୟରେ ସ୍ଥାଳଭାଗ ଅତିକ୍ରମ କରିଥିଲା । ଏହି ବାତ୍ୟା ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ପ୍ରଦେଶ ଉପକୂଳ ଅଂଚଳରେ ବ୍ୟାପକ କ୍ଷତି ଘଟାଇ ଥିଲା । ୨୦୨୧ ଡିସେମ୍ବରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଜାୱଦ’ ସ୍ଥଳଭାଗ ଛୁଇଁବା ପୂର୍ବରୁ ଦୁର୍ବଳ ହୋଇସାରିଲା । ଓଡ଼ିଶା ଉପକୂଳ ପ୍ରବଳ ବର୍ଷାର ସାମ୍ନା କରିଥିଲେ । ୨୦୨୪ ଅକ୍ଟୋବରରେ ବଂଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଦାନା’ ୨୪/୨୫ ତାରିଖରେ ଓଡ଼ିଶାରେ ସ୍ଥଳଭାଗ ଅତିକ୍ରମ କରିବା ଅନୁମାନ କରାଯାଉଛି । ଓଡ଼ିଶା ଉପକୂଳର ୧୪ଟି ଜିଲ୍ଲା ପ୍ରଭାବିତ ହେବେ ବୋଳି ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ଆକଳନ କରିଥିବା ବେଳେ ପବନ ଓ ଝଟ୍କାର ବେଗ ଘଂଟା ପ୍ରତି ୧୨୦ କିମି ପର୍ଯ୍ୟନ୍ତ ରହିବା ଅନୁମାନ କରାଯାଉଛି । ପୁରୀରୁ ସାଗର ଦ୍ୱୀପ ମଧ୍ୟରେ ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ଆକଳନ କରିଛନ୍ତି । ବାତ୍ୟା ଦ୍ୱାରା ପ୍ରଭାବିତ ହେବା ଆଶଙ୍କା କରାଯଉୁଥିବା ୧୪ଟି ଜିଲ୍ଲାରେ ସରକାର ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟକୁ ଛୁଟି ଘୋଷଣା କରିଛନ୍ତି । ଏହି ଜିଲ୍ଲାଗୁଡିକ ହେଉଛି – ଗଂଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ମୟୁରଭଂଗ, କେଉଁଝର, ଢେଙ୍କାନାଳ, ଯାଜପୁର, ଅନୁଗୁଳ, ଖୋର୍ଦ୍ଧା, ନୟାଗଡ ଓ କଟକ । ୨୪ ତାରିଖ ଦିନ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଓଡ଼ିଶାର ସାତଟି ଜିଲ୍ଳାରେ ରେଡ୍ ଆଲର୍ଟ ଜାରି କରାଯାଇଥିବା ଚାରିଟି ଜିଲ୍ଲାରେ ରେଡ୍ ୱାଣ୍ଣିଂ ଜାରି କରାଯାଇଛି । ‘ଦାନା’ ବାତ୍ୟାକୁ ଆଖିରେ ରଖି କେନ୍ଦ୍ର ସରକାରଙ୍କ ରେଳ ମନ୍ତ୍ରଣାଳୟ ପକ୍ଷରୁ ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ୯୩ଟି ଟ୍ରେନ ଚଳାଚଳ ବାତିଲ କରାଯାଇଛି । ‘ଦାନା’ର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି । ୨୦୨୪ ଜୁନରୁ ରାଜ୍ୟରେ ସରକାର ବଦଳିଛି । ୨୪ ବର୍ଷର ବିଜେଡ଼ି ଶାସନର ଅବସାନ ଘଟାଇ ପ୍ରଥମ ଥର ପାଇଁ ରାଜ୍ୟରେ ବିଜେପି ସରକାର କରିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ରାଜ୍ୟର ପ୍ରାୟ ସମସ୍ତ ମନ୍ତ୍ରୀ ଏଭଳି ପରିସ୍ଥିତିର ମୁକାବିଲା ପାଇଁ ନୂଆ । ମାତ୍ର ଚାରି ମାସ ହେଲା ସେମାନେ ସରକାରକୁ ଆସିଥିବା ବେଳେ ଯେଉଁ ପ୍ରଶାସକମାନେ (ଏସଆରସିଙ୍କ ସମେତ) ଶାସନର ଡୋର ଧରିଛନ୍ତି ସେମାନେ ମଧ୍ୟ ବାତ୍ୟା ମୁକାବିଲା ପାଇଁ ନୂଆ । ଏଭଳି ପରିସ୍ଥିତିରେ ‘ଦାନା’ର ମୁକାବିଲା ମୋହନ ସରକାରଙ୍କ ପାଇଁ ଅଗ୍ନିପରୀକ୍ଷା ଭଳି ହୋଇଛି । ତଥାପି, ସରକାର କହୁଛନ୍ତି – ‘ଦାନା’ର ମୁକାବିଲା ପାଇଁ ସେମାନେ ସଂପୂର୍ଣ୍ଣ ପ୍ରସ୍ତୁତ । ‘ଜିରୋ କାଜୁଆଲିଟି’କୁ ସରକାର ଗୁରୁତ୍ୱ ଦେଉଛନ୍ତି । ତେବେ, ୨୦୨୪ର ଏହି ବାତ୍ୟା କେତେଦୂର ଭୟଂକର ଏବଂ ସରକାର ତାହାକୁ କିଭଳି ମୁକାବିଲା କରୁଛନ୍ତି, ୨୪ ତାରିଖରେ ତାହା ସ୍ପଷ୍ଟ ହୋଇଯିବ ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS