ୱାଏନାଡୁରୁ ପ୍ରାର୍ଥୀପତ୍ର ଦାଖଲ କଲେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା
ପ୍ରସାଦ ରାଓ
ଅକ୍ଟୋବର ୨୩
କେରଳର ୱାଏନାଡ ଲୋକସଭା ଆସନରୁ ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ନଭେମ୍ବର ୧୩ ତାରିଖରେ ଏହି ଆସନ ପାଇଁ ଉପ ନିର୍ବାଚନ ହେବ । ପ୍ରିୟଙ୍କା ୧୭ ବର୍ଷ ବୟସରୁ ନିର୍ବାଚନ ପ୍ରଚାରରେ ସାମିଲ ଥିଲେ ମଧ୍ୟ ୩୫ ବର୍ଷ ପରେ ପ୍ରଥମ ଥର ପାଇଁ ନିଜେ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି । କଂଗ୍ରେସ ନେତା ରହୁଲ ଗାନ୍ଧୀ ୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ୱାଏନାଡ ସାଂସଦ ଥିଲେ ଏବଂ ୨୦୨୪ ଲୋକସଭା ନିର୍ବାଚନରେ ୟୁପିର ରାଏବରେଲୀ ଓ କେରଳର ୱାଏନାଡ ଆସନରୁ ପ୍ରାର୍ଥୀ ହୋଇ ଦୁଇଟି ଯାକ ଆସନରେ ଜିତି ଥିଲେ । ତେବେ, ଯେହେତୁ ରାଏବରେଲୀ ଆସନ ଗାନ୍ଧୀ ପରିବାରର ଏକ ପାରଂପରିକ ଓ ସୁରକ୍ଷିତ ଆସନ ସେ ୱାଏନାଡ ଆସନରୁ ଇସ୍ତଫା ଦେଇ ରାଏବରେଲୀ ଆସନରୁ ସାଂସଦ ରହିବାକୁ ନିଷ୍ପତ୍ତି ନେଇଥିଲେ । ପରବର୍ତ୍ତୀ ସମୟରେ କଂଗ୍ରେସ ନେତୃତ୍ୱ ଉପ ନିର୍ବାଚନ ହେଲେ ୱାଏନାଡ ଆସନରୁ ପ୍ରିୟଙ୍କାଙ୍କୁ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ଘୋଷଣା କରିଥିଲା । ଭାରତୀୟ ନିର୍ବାଚନ ଆୟୋଗ ନଭେମ୍ବର ୧୩ ତାରିଖରେ ଏହି ଆସନରେ ଉପ ନିର୍ବାଚନ କରିବେ ବୋଲି ତାରିଖ ଘୋଷଣା କରିବା ପରେ ପିୟଙ୍କା ବିଧିବଦ୍ଧ ଭାବେ ଆଜି ୱାଏନାଡରୁ ତାଙ୍କ ନିମାଂକନପତ୍ର ଦାଖଲ କରିଛନ୍ତି । ମା’ ପୂର୍ବତନ କଂଗ୍ରେସ ସଭାପତି ଶ୍ରୀମତୀ ସୋନିଆ ଗାନ୍ଧୀ, ବଡ ଭାଇ ରାହୁଲ ଗାନ୍ଧୀ, ସ୍ୱାମୀ ରବର୍ଟ ଭଦ୍ରା ଓ ଅନ୍ୟ ବରିଷ୍ଠ କଂଗ୍ରେସ ନେତାଙ୍କ ଗହଣରେ ଏଆଇସିସି ସାଧାରଣ ସଂପାଦକ ଥିବା ପ୍ରିୟଙ୍କା ଆଜି ନାମାଙ୍କନପତ୍ର ଦାଖଲ କରିବାକୁ ଯାଇଥିଲେ । ନାମାଂକନ ଦାଖଲ ପରେ ପ୍ରିୟଙ୍କା ୱାଏନାଡରେ ଏକ ସାଧାରଣ ସଭାରେ ଭାଷଣ ଦେଇ କହିଛନ୍ତି, ୧୭ ବର୍ଷ ତଳେ ୧୯୮୯ରେ ସେ ପ୍ରଥମ ଥର ପାଇଁ ୧୭ ବର୍ଷ ବୟସରେ ବାପା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ପାଇଁ ନିର୍ବାଚନ ପ୍ରଚାରରେ ଭାଗ ନେଇଥିଲେ । ତା’ ପରେ ମା’ ସୋନିଆ, ଭାଇ ରାହୁଲ ଓ ଅନ୍ୟ କଂଗ୍ରେସ ସହଯୋଗୀଙ୍କ ପାଇଁ ବିଭିନ୍ନ ସମୟରେ ନିର୍ବାଚନ କ୍ୟାଂପେନ୍ କରିଛନ୍ତି । ୩୫ ବର୍ଷ ପରେ ପ୍ରଥମ ଥର ପାଇଁ ସେ ନିଜେ ନିର୍ବାଚନ ଲଢିବାକୁ ଯାଉଛନ୍ତି ଓ ନିଜ ପାଇଁ ଭୋଟ ମାଗିବାକୁ ୱାଏନାଡ ଆସିଛନ୍ତି । ୱାଏନାଡବାସୀ ତାଙ୍କୁ ଜିତାଇଲେ କଂଗ୍ରେସର ଦୁଇ ଜଣ ସାଂସଦଙ୍କ ସେବା ପାଇବାର ମୌକା ପାଇବେ । ଭାଇ ରାହୁଲ ଗାନ୍ଧୀ ପୂର୍ବତନ ୱାଏନାଡ ସାଂସଦ ଓ ସେ ନିର୍ବାଚିତ ସାଂସଦ ଭାବେ ଅଂଚଳବାସୀଙ୍କ ସେବା କରିବେ । ଏହା ଏକ ସଂପୂର୍ଣ୍ଣ ଭିନ୍ନ ଅନୁଭବ ବୋଲି ପ୍ରିୟଙ୍କା କହିବା ସହ ତାଙ୍କୁ ନିର୍ବାଚନ ଲଢିବାକୁ ସୁଯୋଗ ଦେଇଥିବାରୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖର୍ଗେଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହି ସୁଯୋଗ ମିଳିବା ତାଙ୍କ ପାଇଁ ଅତ୍ୟନ୍ତ ଗୌରବର ବିଷୟ ବୋଲି ପ୍ରିୟଙ୍କା କହିଛନ୍ତି । କିଛି ମାସ ତଳେ କେରଳର ୱାଏନାଡ ଜିଲ୍ଲାରେ ପ୍ରଳୟଙ୍କରୀ ବର୍ଷା ସହ ମୁଣ୍ଡାକାଇ ଓ ଚୁରାଲମାଲ୍ଲାରେ ଭୟଂକର ଭୂ-ସ୍ଖଳନ ଘଟି ପ୍ରାୟ ୪୦୦ ଲୋକଙ୍କ ମୃତ୍ୟୁ ଘଟିଥିଲା ଓ ହଜାର ହଜାର ପରିବାର ବାସଚ୍ୟୁତ ହୋଇଥିଲେ । ଭୂ-ସ୍ଖଳନ ଜନତି ବ୍ୟାପକ କ୍ଷୟକ୍ଷତି ପରେ ଲୋକସଭାରେ ବିରୋଧୀ ଦଳ ନେତା ଥିବା ଭାଇ ରାହୁଲ ଗାନ୍ଧୀଙ୍କ ସହ ସେ (ପ୍ରିୟଙ୍କା ଗାନ୍ଧୀ) ଉପଦୃତ ଅଂଚଳ ଗସ୍ତରେ ଯାଇଥିଲେ । ସେ ନିଜ ଆଖିରେ ଲୋକଙ୍କ ଦୁର୍ଦ୍ଦଶା ଦେଖିଛନ୍ତି । ଛୋଟ ପିଲାମାନେ ସେମାନଙ୍କ ପରିବାରକୁ ହରାଇ ଥିବା ବେଳେ ମା’ମାନେ ସେମାନଙ୍କ ସନ୍ତାନଙ୍କୁ । ତେବେ, ସେମାନେ କୌଣସି ପ୍ରକାର ଲୋଭର ବଶବର୍ତ୍ତୀ ନହୋଇ ପରସ୍ପରକୁ ଯଥାସମ୍ଭବ ସହାୟତା କରୁଥିବା ମୁଁ ଦେଖିଛି ବୋଲି ପ୍ରିୟଙ୍କା ଏହି ସଭାରେ କହିଛନ୍ତି । କଂଗ୍ରେସ ସଭାପତି ଖର୍ଗେ ମଧ୍ୟ ଏହି ସଭାରେ ଭାଷଣ ଦେଇଥିଲେ । ସେ କହିଥିଲେ, କଂଗ୍ରେସ ନେତ୍ରୀ ପ୍ରିଙ୍କା ଗାନ୍ଧୀ ହେଉଛନ୍ତି ଜଣେ ଦୃଢମନା ନେତ୍ରୀ । ୱାଏନାଡବାସୀ ତାଙ୍କୁ ଆସ୍ଥାକୁ ନେବାକୁ ସେ ଆବେଦନ କରିଛନ୍ତି । ୱାଏନାଡ ପୂର୍ବତନ ସାଂସଦ ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହି ସଭାରେ ଭାଷଣ ଦେଇ ୱାଏନାଡବାସୀ ତାଙ୍କୁ ୨୦୧୯ ଓ ୨୦୨୪ ନିର୍ବାଚନରେ ବିଜୟୀ କରାଇ ଲୋକସଭାରେ ପ୍ରତିନିଧିତ୍ୱ କରିବା ସୁଯୋଗ ଦେଇଥିବାରୁ କୃତଜ୍ଞ ବୋଲି କହିଥିଲେ । ୱାଏନାଡବାସୀ ଉପ ନିର୍ବାଚନରେ ପ୍ରିୟଙ୍କାଙ୍କୁ ଜିତାଇଲେ ଜଣେ ଅଫିସିଆଲ ସାଂସଦ ଓ ଅନ୍ୟ ଜଣେ ଅନ-ଅଫିସିଆଲ ସାଂସଦଙ୍କ ସେବା ପାଇବେ । ‘ଭାଇ-ଭଉଣୀ ଦୁହେଁ ମିଶି ଲୋକସଭାରେ ଆପଣମାନଙ୍କ ସମସ୍ୟା ଉପସ୍ଥାପନ କରିବୁ’ ବୋଲି ରାହୁଲ ପ୍ରତିଶ୍ରୁତି ଦେଇଥିଲେ । ନଭେମ୍ବର ୧୩ ଓ ୨୦ ତାରିଖରେ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ସହ କିଛି ଲୋକସଭା ଆସନରେ ନିର୍ବାଚନ ହେଉଛି । ୧୩ ତାରିଖରେ ୱାଏନାଡ ଲୋକସଭା ଆସନରେ ଉପ ନିର୍ବାଚନ ହେବ । ୨୩ ତାରିଖ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ । ନଭେମ୍ବର ୧୩ରେ ହେବାକୁ ଯାଉଥିବା କେରଳର ୱାଏନାଡ ଲୋକସଭା ଉପ ନିର୍ବାଚନରେ ବିଜେପି ୩୯ ବର୍ଷ ବୟସ୍କା ନଭ୍ୟା ହରିଦାଶଙ୍କୁ ପ୍ରାର୍ଥୀ କରିଛି । ନଭ୍ୟା କୋଝିକୋଡ କର୍ପୋରେସନର ଦୁଇ ଥରର କାଉନସିଲର ଏବଂ କେଳର ବିଜେପି ମହିଳା ମୋର୍ଚ୍ଚାର ସାଧାରଣ ସଂପାଦକ ରହିଛନ୍ତି । ୨୦୨୧ କେରଳ ବିଧାନସଭା ନିର୍ବାଚନରେ ନଭ୍ୟା କୋଝିକୋଡ ଦକ୍ଷିଣ ନିର୍ବାଚନମଣ୍ଡଳୀରୁ ବିଧାନସଭାକୁ ବିଜେପି ପ୍ରାର୍ଥୀ ଥିଲେ । ତେବେ, କଂଗ୍ରେସ ପ୍ରାର୍ଥୀ ଅହମ୍ମଦ ଦେବରକୋଭିଲଙ୍କ ନିକଟରୁ ପରାଜିତ ହୋଇଥିଲେ । ଇତିମଧ୍ୟରେ ସିପିଆଇ ମଧ୍ୟ ୱାଏନାଡ ଲୋକସଭା ଉପ ନିର୍ବାଚନରେ ଦଳର ବରିଷ୍ଠ ନେତା ସତ୍ୟନ ମୋକେରୀଙ୍କୁ ବାମ ଗଣତାନ୍ତ୍ରିକ ମେଂଟ (ଏଲଡିଏଫ)ରୁ ପ୍ରାର୍ଥୀ କରିଛି । ରାଜ୍ୟରେ ଏଲଡିଏଫ ସରକାର ରହିଛି । ବାମପନ୍ଥୀ ଦଳମାନେ ଜାତୀୟସ୍ତରରେ ବିରୋଧୀ ‘ଇଣ୍ଡି’ ମେଂଟରେ ରହିଥିଲେ ମଧ୍ୟ ରାଜ୍ୟରେ କଂଗ୍ରେସ ବିରୋଧରେ ଲଢେଇ କରୁଛନ୍ତି । ଏଥିରୁ ୱାଏନାଡ ଲୋକସଭା ଉନ ନିର୍ବାଚନରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବା ନିଶ୍ଚିତ ହୋଇଯାଇଛି । ୨୦୨୪ ଲୋକସଭା ନିର୍ବାଚନରେ ମଧ୍ୟ ୱାଏନାଡରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା । ରାହୁଲ ଗାନ୍ଧୀ କଂଗ୍ରେସରୁ ପ୍ରାର୍ଥୀ ଥିବା ବେଳେ ସିପିଆଇରୁ ଆନ୍ନି ରାଜା ଓ ବିଜେପିରୁ କେ.ସୁରେନ୍ଦ୍ରନ ପ୍ରାର୍ଥୀ ଥିଲେ । ରହୁଲ ଗାନ୍ଧୀ ୦୬ ଲକ୍ଷ ୪୭ ହଜାର ୪୪୫ (୫୯.୬୯ ପ୍ରତିଶତ) ଭୋଟ ପାଇ ବିଜୟୀ ହୋଇଥିବା ବଳେ ସିପିଆଇର ଆନ୍ନି ରାଜା ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାବେ ୦୨ ଲକ୍ଷ ୮୩ ହଜାର ୦୨୩ (୨୬.୦୯ ପ୍ରତିଶତ) ଭୋଟ ପାଇଥିଲେ । ବିଜେପି ପ୍ରାର୍ଥୀ କେ.ସୁଦର୍ଶନଙ୍କୁ ୦୧ ଲକ୍ଷ ୪୧ ହଜାର ୦୪୫ (୧୩ ପ୍ରତିଶତ) ଭୋଟ ମିଳିଥିଲା । ୨୦୧୯ ଲୋକସଭା ନିର୍ବାଚନରେ ମଧ୍ୟ କଂଗ୍ରେସ ନେତା ରାହୁଲ ଗାନ୍ଧୀ ୱାଏନାଡ ଆସନରୁ ନିର୍ବାଚନ ଲଢି ୦୭ ଲକ୍ଷ ୦୬ ହଜାର ୩୬୭ (୬୪.୯୪ ପ୍ରତିଶତ ) ଭୋଟ ପାଇ ବିଜୟୀ ହୋଇଥିଲେ । ମୁଖ୍ୟ ପ୍ରତିଦ୍ୱନ୍ଦୀ ଥିଲେ ସିପିଆଇର ପି.ପି.ସୁନେର । ସିପିଆଇକୁ ୦୨ ଲକ୍ଷ ୭୪ ହଜାର ୫୯୭ (୨୫.୨୪ ପ୍ରତିଶତ) ଭୋଟ ମିଳି ଥିଲା ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS