ଭୟଭିତ ହୁଅନି, ସତର୍କ ରୁହ – ମୁଖ୍ୟମନ୍ତ୍ରୀ
ପ୍ରସାଦ ରାଓ
ଅକ୍ଟୋବର ୨୪
ଆଜି ମଧ୍ୟରାତ୍ରୀରୁ ଆସନ୍ତା କାଲି ସକାଳ ମଧ୍ୟରେ ପ୍ରଳୟଂକାରୀ ବାତ୍ୟା ‘ଦାନା’ କେନ୍ଦ୍ରପଡା ଜିଲ୍ଲାର ଭିତରକନିକା ଓ ଭଦ୍ରକ ଜିଲ୍ଲାର ଧମରା ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ ବୋଲି ଆଇଏମଡି ଆକଳନ କରିଛି । ଏହି ଭୀଷଣ ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବା ପରେ ପୁନଶ୍ଚ ପଶ୍ଚିମ ଓ ପଶ୍ଚିମ-ଦକ୍ଷିଣ ମୋଡ ନେଇ ୨୬ ତାରିଖ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା କରିବ ବୋଲି ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦେଶିକା ମନୋରମା ମହାନ୍ତି କହିଛନ୍ତି । ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବା ସମୟରେ ପବନର ବେଗ ୧୦୦ରୁ ୧୧୦ କିମି, ଅଧିକ ହେଲ ୧୨୦ କିମି ରହିବ ବୋଲି ଆକଳନ କରାଯାଇଛି । ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ବର୍ଷା ହେବ । ପବନର ବେଗ ସନ୍ଧ୍ୟାରୁ ଧୀରେ ଧୀରେ ବଢିବ । ରାତିରେ ପବନର ବେଗ ଅଧିକ ରହିବ ବୋଲି ଆଂଚଳିକ ପାଣିପାଗ ବିଜ୍୍ୟାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । ମୟୁରଭଂଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରପଡା, ଜଗତସିଂହପୁର ଓ ଯାଜପୁର ଜିଲ୍ଲା ପାଇଁ ଲାଲ୍ ସଂକେତ ଜାରି କରାଯାଇଥିବା ବେଳେ କଟକ ଜିଲ୍ଲାରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଆକଳନ କରାଯାଇଛି । ପୁରୀ, ଖୋର୍ଦ୍ଧା, ନୟାଗଡ, ଢେଙ୍କାଳନା ଓ କେଉଁଝର ଜିଲ୍ଲା ପାଇଁ ଅରେଂଜ ୱାଣ୍ଣିଂ ଜାରି ହୋଇଥିବା ବେଳେ ସୁନ୍ଦରଗଡ, ଦେଓଗଡ, ଅନୁଗୁଳ, କନ୍ଧମାଳ, ବୌଦ୍ଧ ଓ ଗଂଜାମ ଜିଲ୍ଲା ପାଇଁ ୟୋଲୋ ୱାର୍ଣ୍ଣିଂ ଜାରି ହୋଇଛି । ଗତ ମଧ୍ୟରାତ୍ରୀରେ ଏହି ବାତ୍ୟା ସମୁଦ୍ର ଭିତରେ ଭୀଷଣ ବାତ୍ୟାରେ ପରିଣତ ହୋଇ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ଆଇଏମଡି (ଭାରତୀୟ ପାଣିପାଗ ବିଭାଗ) ଡିଜି ମୃତ୍ୟୁଂଜୟ ମହାପାତ୍ର କହିଛନ୍ତି, ସମୁଦ୍ର ଭିତରେ ପବନର ବେଗ ଘଂଟାକୁ ୯୫ରୁ ୧୦୫ କିମି ବେଗ ରହିଥିବା ବେଳେ ସ୍ଥଳଭାଗରେ ଓଡ଼ିଶା-ପଶ୍ଚିମ ବଂଗ ଉପକୂରେ ୬୦ରୁ ୭୦ କିମି ରହିଛି । ରାତି ବଢିବା ସହ ପବନର ବେଗବଢିବ ଓ ମଧ୍ୟରାତ୍ରୀ ବେଳକୁ ତାହା ତାହା ୧୦୦ରୁ ୧୨୦ କିମିରେ ପହଂଚିବ । ବାତ୍ୟାକୁ ନଜରରେ ରଖି ରେଳବାଇ ପକ୍ଷରୁ ଓଡ଼ିଶା ଦେଇ ଚଳାଚଳ କରୁଥିବା ୨୦୨ଟି ଟ୍ରେନ୍ ବାତିଲ କରାଯାଇଥିବା ବେଳେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର (ବିପିଆଇଏ)ରୁ ଆଜି ସନ୍ଧ୍ୟାରୁ ବିମାନ ଉଡାଣ ମଧ୍ୟ ବାତିଲ କରାଯାଇଛି । ଏହା ଦ୍ୱାରା ୪୦ଟି ବିମାନର ସେବା ବ୍ୟାହତ ହୋଇଛି ବୋଲି ବିପିଆଇଏ ନିର୍ଦେଶକ ପ୍ରସନ୍ନ ପ୍ରଧାନ ଗଣମାଧ୍ୟମକୁ କହିଛନ୍ତି । ଶୁକ୍ରବାର ସକାଳ ୦୯ଟା ପର୍ଯ୍ୟନ୍ତ ବିମାନ ସେବା ବାତିଲ ହୋଇଥିବା ସେ ସୂଚନା ଦେଇଛନ୍ତି । ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବାତ୍ୟା ପରିସ୍ଥିତିର ସମୀକ୍ଷା କରିଛନ୍ତି । ଲୋକ ସେବା ଭବନରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ରାଜ୍ୟ ରାଜସ୍ୱ ମନ୍ତ୍ରୀ ସୁରେଶ ପୁଜାରୀ, ଏସଆରସି ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ପରେ, ମୁଖ୍ୟମନ୍ତ୍ରୀ ମାଝୀ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇ କହିଛନ୍ତି, ରାଜ୍ୟରେ ଯେଉଁ ଭରଷଣ ବାତ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ତାହାର ମୁକାବିଲା ପାଇଁ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଜନସାଧାରଣ ଭୟଭିତ ନହୋଇ ସଜାଗତା ଓ ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ରାଜ୍ୟବାସୀ ଭୟଭିତ ନହୋଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ପୂର୍ବ ସରକାର ଭଳି ରାଜ ବିଜେପି ସରକାର ମଧ୍ୟ ‘ଜିରୋ କାଜୁଆଲିଟି’କୁ ଗୁରୁତ୍ୱ ଦେଇଛି ଓ ବାତ୍ୟା ଦ୍ୱାରା ପ୍ରଭାବିତ ହେବାକୁ ଥିବା ତଳିଆ ଅଂଚଳର ତିନି ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରି ସାରିଛି । ଆହୁରି ୬୦ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଉଥିବା ସୂଚନା ମିଳିଛି । ୨,୩୩୮ ଜଣ ଗର୍ଭବତୀ ମହିଳାଙ୍କୁ ମଧ୍ୟ ସୁରକ୍ଷିତ ଭାବେ ବିଭିନ୍ନ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ଅନ୍ୟୁନ ୧୯ଟି ଏନଡିଆରଏଫ, ୫୧ଟି ଓଡ଼ିଆରଏଫ ଟିମ୍ ଓ ୨୨୦ଟି ଫାୟାର ଟେଣ୍ଡର ପ୍ରସ୍ତୁତ ରଖା ଯାଇଛି । ବାତ୍ୟା ଯୋଗୁଁ ପ୍ରଭାବିତ ହେବାକୁ ଥିବା ଜିଲ୍ଲାମାନଙ୍କରେ ୧୫୮ ପ୍ଲାଟୁନ ପୁଲିସ ଫୋର୍ସ ମଧ୍ୟ ମୁତୟନ ରହିଛନ୍ତି । ଆଜି କେନ୍ଦ୍ର କ୍ୟାବିନେଟ ବୈଠକରେ ଓଡ଼ିଶାର ବାତ୍ୟା ପରିସ୍ଥିତି ସଂପର୍କରେ ଆଲୋଚନା ହୋଇଛି । ରାଜ୍ୟକୁ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ସରକାରଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଓଡ଼ିଶା ଓ ପଶ୍ଚିମ ବଂଗରେ ବାତ୍ୟା ଜନିତ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସେନା ବାହିନୀକୁ ସଜାଗ ରଖାଯାଇଛି । ୧୩ ଜିଲ୍ଲାରେ ୨୮୮ଟି ରେସ୍କୁ ଟିମ୍ ମଧ୍ୟ ପ୍ରସ୍ତୁତ ରଖା ଯାଇଥିବା ସରକାରୀ ସୂତ୍ରରୁ ଜଣାପଡିଛି । ଓଡ଼ିଶାରେ ସୃଷ୍ଟି ହୋଇଥିବା ଏହି ବାତ୍ୟାର ନାମକରଣ କରିଛି କ୍ୱତାର । ‘ଦାନା’ର ଅର୍ଥ ହେଉଛି ଅତି ମୂଲ୍ୟବାନ ମୋତି ମାଣିକ୍ୟ । ଏହି ଭୀଷଣ ବାତ୍ୟାରେ ଓଡ଼ିଶା ଓ ପଶ୍ଚିମ ବଂଗରେ ବ୍ୟାପକ କ୍ଷତିକ୍ଷତି ଘଟିବା ଅଶଙ୍କା କରାଯାଉଥିବାରୁ ଭାରତୀୟ ନୌ-ସେନା ମଧ୍ୟ ମାନବିକ ସହାୟତା ଓ ରିଲିଫ୍ କାର୍ଯ୍ୟ ପାଇଁ ପ୍ରସ୍ତୁତ ହୋଇ ରହିଛି । ଇଷ୍ଟର୍ଣ୍ଣ ନାଭାଲ କମାଣ୍ଡ ଆନ୍ଧ୍ର, ଓଡ଼ିଶା ଓ ପଶ୍ଚିମ ବଂଗରେ ଅବସ୍ଥାପିତ ତାହାର ନୌ-ସେନା ଅଧିକାରୀଙ୍କ ସହ ଯୋଗାଯୋଗରେ ରହିଛନ୍ତି । ଦୁଇଟି ନୌ-ସେନା ଜାହାଜକୁ ରିଲିଫ ଓ ରେସ୍କୁ୍ୟ ସାମଗ୍ରୀ ସହ ସମୁଦ୍ରରେ ପ୍ରସ୍ତୁତ ରଖା ଯାଇଛି । ରାଜ୍ୟ ସରକାରଙ୍କ ଆଡୁ ଅନୁରୋଧ ଆସିଲେ ମେଡିକାଲ ସହାୟତା ମଧ୍ୟ ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି । ରାଜ୍ୟରେ ବିଜେପି ସରକାର କରିବା ପରେ ପ୍ରଥମ କରି ଆସିଥିବା ଏହି ଭୀଷଣ ବାତ୍ୟା ସରକାରଙ୍କ ପାଇଁ ଅଗ୍ନିପରୀକ୍ଷା ହୋଇଛି । ବାତ୍ୟାରେ ପ୍ରଭାବିତ ହେବାକୁ ଯାଉଥିବା ଜିଲ୍ଲାଗୁଡିକରେ ରାଜ୍ୟ ସରକାର ବରିଷ୍ଠ ଆଇଏଏସ୍ ଅଧିକାରୀ ଓ ରାଜ୍ୟର ମନ୍ତ୍ରୀମାନଙ୍କୁ ମୁତୟନ ରଖିଛନ୍ତି । ସେମାନେ ଜିଲ୍ଲା ପ୍ରଶାସକମାନଙ୍କ ସହ ଯୋଗସୂତ୍ର ରଖି ବାତ୍ୟାର ଲ୍ୟାଣ୍ଡଫଲ୍ ଓ ତାହାର ପରବର୍ତ୍ତୀ ସମୟରେ ଆବଶ୍ୟକ ସହାୟତା କାର୍ଯ୍ୟକୁ ପ୍ରତ୍ୟକ୍ଷ ଭାବେ ତଦାରଖ କରିବେ ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS