ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ଶରଦ ପାୱାରଙ୍କୁ ସୁପ୍ରିମ କୋର୍ଟ ଝଟକା !
ପ୍ରସାଦ ରାଓ
ଅକ୍ଟୋବର ୨୪
ନଭେମ୍ବର ୨୦ ତାରିଖରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି)ର ମୂଳ ନିର୍ବାଚନ ଚିହ୍ନକୁ ନେଇ ଆଜି ସୁପ୍ରିମ କୋର୍ଟରୁ ଏକ ବଡ ରାୟ ଆସିଛି । ଏନସିପି ଶରଦଚନ୍ଦ୍ର ପାୱାର ଗୋଷ୍ଠୀର ମୁଖ୍ୟ ଶରଦ ପାୱାରଙ୍କ ଦଳର ମୂଳ ନିର୍ବାଚନ ‘ଘଂଟା’ର ଦାବିଦାର ଥିବା ବେଳେ ସର୍ବୋଚ୍ଚ ନ୍ୟାୟାଳୟ ଆଜି ଏନସିପି ଅଜିତ ପାୱାର ଗୋଷ୍ଠୀ ହାତରେ ଏହି ନିର୍ବାଚନ ଚିହ୍ନ ସମର୍ପି ଦେଇଛନ୍ତି । ତେବେ, ଅଜିତ ପାୱାର ଗୋଷ୍ଠୀ ସୁପ୍ରିମ କୋର୍ଟଙ୍କ ପୂର୍ବ ରାୟକୁ ଅକ୍ଷରେ ଅକ୍ଷରେ ମାନିବାକୁ ଏବଂ ଦଳର ନିର୍ବାଚନ ବିଜ୍ଞାପନରେ ଏନସିପିର ମୂଳ ନିର୍ବାଚନ ଚିହ୍ନକୁ ନେଇ ମାମଲା ଅଦ୍ୟାବଧି ଅଦାଲତଙ୍କ ବିଚାରାଧୀନ ରହିଛି ବୋଲି ବିଜ୍ଞପ୍ତି ଦେବାକୁ ବାଧ୍ୟ ବୋଲି ଆଜି ସୁପ୍ରିମ କୋର୍ଟ ସ୍ପଷ୍ଟ ଭାବେ ନିର୍ଦେଶ ଦେଇଛନ୍ତି । ଏହି ନିର୍ଦେଶକୁ ଅବମାନନା କଲେ ସୁପ୍ରିମ କୋର୍ଟ ନିଜ ଆଡୁ ଅଦାଲତ ଅବମାନନା ମାମଲା କରିବେ ବୋଲି ସୁୁପ୍ରିମ କୋର୍ଟ ବିଚାରପତି ଜଷ୍ଟିସ ସୂର୍ଯ୍ୟ କାନ୍ତ, ଜଷ୍ଟିସ ଦୀପଂକର ଦତ୍ତ ଓ ଜଷ୍ଟିସ ଉଜ୍ୱଳ ଭୂୟାଁ ନେଇ ଗଠିତ ଖଣ୍ଡପୀଠ ଚେତାବନୀ ଦେଇଛନ୍ତି । ଏଠାରେ ସୂଚନାଯୋଗ୍ୟ, ଏନସିପିରେ ବିଭାଜନ ଘଟିବା ପରେ ଭାରତୀୟ ନିର୍ବାଚନ ଆୟାଗ ଅଜିତ ପାୱାର ଗୋଷ୍ଠୀକୁ ମୂଳ ଏନସିପି ଭାବେ ସ୍ୱୀକୃତି ଦେଇ ୍ଳର ମୂଳ ନିର୍ବାଚନ ଚିହ୍ନ ‘ଘଂଟା’ ଏହି ଗୋଷ୍ଠୀକୁ ସମର୍ପି ଦେଇଥିଲେ । ଏନସିପି ପ୍ରତିଷ୍ଠାତା ଶରଦ ପାୱାର ନିର୍ବାଚନ କମିଶନଙ୍କ ଏହି ନିଷ୍ପତ୍ତି ବିରୋଧରେ ସୁପ୍ରିମ କୋର୍ଟର ଦ୍ୱାରାସ୍ଥ ହୋଇଥିଲେ । ଲୋକସଭା ନିର୍ବାଚନ ପୂର୍ବରୁ ଦୁଇ ପକ୍ଷଙ୍କୁ ‘ଘଂଟା’ ବ୍ୟତୀତ ନୂଆ ନିର୍ବାଚହ୍ନ ଦିଆଯିବାକୁ ଶରଦ ପାୱାରଙ୍କ ପକ୍ଷରୁ ଆବେଦନ ହୋଇଥିଲା । ତେବେ, ସୁପ୍ରିମ କୋର୍ଟ ସେତେବେଳ ଏହି ଆବେଦନ ଉପରେ ଏକ ଅସ୍ଥାୟୀ ଆଦେଶ ଦେଇଥିଲେ । ସେଥିରେ ନିର୍ଦେଶ ଥିଲା ଯେ, କୋର୍ଟରେ ମାମଲାର ବିଚାରଣା ଶେଷ ହେବା ପର୍ଯ୍ୟନ୍ତ ଏନସିପି ଅଜିତ ପାୱାର ଗୋଷ୍ଠୀ ସେମାନଙ୍କ ଦ୍ୱାରା ପ୍ରକାଶିତ ନିର୍ବାଚନ ବିଜ୍ଞାପନରେ ମୂଳ ନିର୍ବାଚନ ଚିହ୍ନକୁ ନେଇ ମାମଲା ସୁପ୍ରିମ କୋର୍ଟଙ୍କ ବିଚାରାଧୀନ ରହିଛି ବୋଲି ସ୍ପଷ୍ଟୀକରଣ ଦେଉଥିବେ । ତେବେ, ଅଜିତ ପାୱାର ଗୋଷ୍ଠୀ ଛାପୁଥିବା ନିର୍ବାଚନ ପୋଷ୍ଟର ଓ ବ୍ୟାନରରେ ଏହି ସ୍ପଷ୍ଟୀକରଣ ନଦେଇ ସର୍ବୋଚ୍ଚ ନ୍ୟାୟାଳୟର ନିର୍ଦେଶକୁ ଉଲଂଘନ କରୁଛନ୍ତି, ଏହା ଦ୍ୱାରା ଭୋଟରଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହେଉଛି ବୋଲି ଏନସିପି (ଏସସିପି) ମୁଖ୍ୟ ଶରଦ ପାୱାର ସୁପ୍ରିମ କୋର୍ଟରେ ଅନ୍ୟ ଏକ ଆବେଦନରେ ଅଭିଯୋଗ କରିଥିଲେ । ଜଷ୍ଟିସ ସୂର୍ଯ୍ୟ କାନ୍ତଙ୍କ ଖଣ୍ଡପୀଠ ଆଜି ଏନସିପି ଅଜିତ ପାୱାର ଗୋଷ୍ଠୀକୁ ନୋଟିସ ଜାରି କରି ନିଜ ପାଇଁ ନିଜେ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ନ କରିବାକୁ ସତର୍କ କରାଇଛନ୍ତି । ଅଜିତ ପାୱାର ଗୋଷ୍ଠୀ ନିର୍ବାଚନ ସରିବା ପର୍ଯ୍ୟନ୍ତ ସୁପ୍ରିମ କୋର୍ଟଙ୍କ ପୂର୍ବ ଆଦେଶର ଉଲଂଘନ କରିବେ ନାହିଁ ବୋଲି ଖଣ୍ଡପୀଠରେ ସାନି ସତ୍ୟପାଠ ଦାଖଲ କରିବାକୁ ସୁପ୍ରିମ କୋର୍ଟ ଖଣ୍ଡପୀଠ ନିର୍ଦେଶ ଦେବା ସହ ଉଭୟ ପକ୍ଷ କୋର୍ଟ ନିର୍ଦେଶ ମାନିବେ ବୋଲି ଆଶାବ୍ୟକ୍ତ କରିଛନ୍ତି । ୧୯୯୯ ମସିହାରେ ବରିଷ୍ଠ ରାଜନେତା ଶରଦ ପାୱାର କଂଗ୍ରେସରୁ ବିତାଡିତ ହେବା ପରେ ପୂର୍ବତନ ଲୋକସଭା ବାଚସ୍ପତି ପି.ଏ.ସାଂଗାମା ଓ ତାରିକ ଅନୱାରଙ୍କୁ ନେଇ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ଗଠନ କରିଥିଲେ । ପାୱାରଙ୍କ ପୁତୁରା ଅଜିତ ପାୱାର ଗତ ବର୍ଷ ଜୁଲାଇ ମାସରେ ଏନସିପିରେ ବିଭାଜନ ଘଟାଇ ମହାରାଷ୍ଟ୍ରରେ ଶିବସେନା (ସିନ୍ଧେ) ଓ ବିଜେପି ନେତୃତ୍ୱରେ ପରିଚାଳିତ ସରକାରରେ ସାମିଲ ହୋଇଥିଲେ । ଏନସିପି ପ୍ରତିଷ୍ଠାତା ଶରଦ ପାୱାର ୨୦୧୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରଠାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଶିବସେନା (ୟୁବିପି) ଓ କଂଗ୍ରେସ ସହ ମହା ବିକାଶ ଅଘଡି (ଏମଭିଏ)ରେ ଅଛନ୍ତି । ଏନସିପିରେ ବିଭାଜନ ପରେ ମୂଳ ଏନସିପି ନାମ ଓ ନିର୍ବାଚନ ଚିହ୍ନ ‘ଘଂଟା’କୁ ନିର୍ବାଚନ କମିଶନ ଅଜିତ ପାୱାର ହାତରେ ସମର୍ପି ଦେଇଥିବା ବେଳେ ଏନସିପି ଶରଦ ପାୱାର ଗୋଷ୍ଠୀକୁ ଏନସିପି (ଶରଦଚନ୍ଦ୍ର ପାୱାର) ନାମରେ ପଂଜୀକୃତ କରିଛନ୍ତି ଏବଂ ଶରଦ ଗୋଷ୍ଠୀକୁ ‘ତୂରୀ ବଜାଉ ଥିବା ମଣିଷ’ ନିର୍ବାଚନ ଚିହ୍ନ ଦେଇଛନ୍ତି । ଗତ ଲୋକସଭା ନିର୍ବାଚନରେ ଏନସିପିର ଏହି ଦୁଇ ଗୋଷ୍ଠୀ ନିର୍ବାଚନ କମିଶନ ଦ୍ୱାରା ମିଳିଥିବା ନିର୍ବାଚନ ଚିହ୍ନରେ ନିର୍ବାଚନ ଲଢିଥିଲେ । ତେବେ, ଦଳର ମୂଳ ନାମ ଓ ମୂଳ ନିର୍ବାଚନ ଚିହ୍ନକୁ ନେଇ ଦାଦା-ପୁତୁରାଙ୍କ ମଧ୍ୟରେ ଚାଲି ଥିବା ଆଇନଗତ ବିବାଦ ସୁପ୍ରିମ କୋର୍ଟଙ୍କ ବିଚାରାଧୀନ ରହିଛି । ମାମଲାର ଫଇସଲା ନହେବା ଯାଏଁ ନିର୍ବାଚନ କମିଶନଙ୍କ ନିଷ୍ପତ୍ତି କାଏମ ରହିବ । ତେବେ, ଏନସିପି ଅଜିତ ପାୱାର ଗୋଷ୍ଠୀ ନିର୍ବାଚନ ଫାଇଦା ପାଇବା ସକାଶେ ଶରଦ ପାୱାରଙ୍କ ନାମ ଓ ଫଟୋକୁ ନିଜ ପ୍ରଚାରରେ ବ୍ୟବହାର କରିପାରିବେ ନାହିଁ ବୋଲି ସୁପ୍ରିମ କୋର୍ଟ ପୂର୍ବ ନିର୍ଦେଶରେ ସ୍ପଷ୍ଟ କରିଥିଲେ । ତେବେ, ଏନସିପି ଅଜିତ ପାୱାର ଗୋଷ୍ଠୀ ନିଜ ନିର୍ବାଚନ ବିଜ୍ଞାପନ ଓ ବ୍ୟାନରରେ ଦଳର ମୂଳ ନିର୍ବାଚନ ଚିହ୍ନ ମାମଲା ସୁପ୍ରିମ କୋର୍ଟଙ୍କ ବିଚାରାଧୀନ ଅଛି ବୋଲି ବିଜ୍ଞପ୍ତୀ ପ୍ରକାଶ କରିବା ସକାଶେ ସୁପ୍ରିମ କୋର୍ଟ ଦେଇଥିବା ପୂର୍ବ ଆଦେଶକୁ ଉଲଂଘନ କରିଛନ୍ତି ବୋଲି ଶରଦ ପାୱାର ସୁପ୍ରିମ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଯାହା ଉପରେ କି ଆଜି ସୁପ୍ରିମ କୋର୍ଟଙ୍କ ରାୟ ଆସିଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS