ସପ୍ତାହାନ୍ତ ବିଚାର : ‘ଦାନା’ ଠକିଲା ରାଜଧାନୀବାସୀଙ୍କୁ !
ପ୍ରସାଦ ରାଓ
ଅକ୍ଟୋବର ୨୫
ବଂଗୋପସାଗରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ଦିନରୁ ରାଜଧାନୀରେ ଉତ୍କଂଠା ଲାଗି ରହିଥିଲା । ଆଇଏମଡି ଏବଂ ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତିକ ସଂସ୍ଥାର ଅନୁମାନ ଉପରେ ସମସ୍ତଙ୍କ ନଜର ଥିଲା । ଘୂର୍ଣ୍ଣିବଳୟ ଭୀଷଣ ବାତ୍ୟାର ରୂପ ନେବ ଏବଂ ରାଜଧାନୀ ସମେତ ଅଧା ରାଜ୍ୟକୁ ଧୋଇ ଦେବ ବୋଲି ବୈଦ୍ୟୁତିକ ଗଣମାଧ୍ୟମ ଲଗାତର ଭାବେ ଯେପରି ଖବର ପରିବେଷଣ କରି ଚାଲିଲେ ତାହା ସମସ୍ତଙ୍କ ଉତ୍କଂଠା ବଢାଇ ଚାଲି ଥିଲା । ରାଜଧାନୀ ବାସିନ୍ଦା ଆତଂକିତ ଅବସ୍ଥାରେ ଥିଲେ । ‘ଫନି’ ଭଳି ପରିସ୍ଥିତି ସୃଷ୍ଟି ହେଲେ ବିଦ୍ୟୁତ, ପାଣି ଓ ବିଭିନ୍ନ ଅତ୍ୟାବଶ୍ୟକ ଦ୍ରବ୍ୟ ପାଇଁ ହଟ୍ଟହଟା ହେବାକୁ ପଡିବ ବୋଲି ଆଶଙ୍କା କରି ସମସ୍ତେ ନିଜ ନିଜ ଘରେ ଯଥେଷ୍ଟ ପରିମାଣର ପାଣି ଓ ଅତ୍ୟାବଶ୍ୟକ ସାମଗ୍ରୀ ଗଚ୍ଛିତ ରଖିବା ଆରମ୍ଭ କରି ଦେଇଥିଲେ । ୨୪ ତାରିଖ ମଧ୍ୟରାତ୍ରୀରେ ବାତ୍ୟା ଓଡ଼ିଶା ଉପକୂଳରେ ଲ୍ୟାଣ୍ଡଫଲ୍ କରିବ ବୋଲି ଆଇଏମଡିର ସୂଚନା ଏବଂ ଗଂଜାମ ଜିଲ୍ଲାର ଗୋପାଳପୁରରୁ ପଶ୍ଚିମ ବଂଗର ସାଗର ଦ୍ୱୀପ ମଧ୍ୟରେ ଏହି ଲ୍ୟାଣ୍ଡଫଲ୍ ହେବାର ସମ୍ଭାବନା ସମଗ୍ର ଓଡ଼ିଶା ଉପକୂଳ ଅଧିବାସୀଙ୍କୁ ଆତଙ୍କିତ କରିଥିବା ବେଳେ ରାଜଧାନୀବାସୀ ମଧ୍ୟ ଆତଙ୍କରେ ରହିଥିଲେ । ଗୋପାଳପୁର, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱରରୁ ଆରମ୍ଭ କରି ପଶ୍ଚିମ ବଂଗର ଦୀଘା ପର୍ଯ୍ୟନ୍ତ ସରକାରୀସ୍ତରରେ ଯେମିତି ବାତ୍ୟା ମୁକାବିଲା ପ୍ରସ୍ତୁତି ଚାଲିଲା ତାହା ଓଡ଼ିଶା ଉପକୂଳବତ୍ତୀ ଜିଲ୍ଲାଗୁଡିକରେ ଏମିତି ଆତଙ୍କର ବାତାବରଣ ସୃଷ୍ଟି କଲା ଯେ ୨୩ ତାରିଖରୁ ୨୫ ତାରିଖ ସକାଳ ପର୍ଯ୍ୟନ୍ତ ବାତ୍ୟା ‘ଦାନା’ ହିଁ ଥିଲା ଗଣମାଧ୍ୟମରେ ପ୍ରମୁଖ ଚର୍ଚ୍ଚାର ବିଷୟ । ଟିଆରପି ବିକଳ ବୈଦ୍ୟୁତିକ ଗଣମାଧ୍ୟମମାନେ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଖବରକୁ ନଜରଅନ୍ଦାଜ କରି ବାତ୍ୟା ଖବରକୁ ହିଁ ଅଧିକ ଫୋକସ୍ କରିଥିଲେ । ‘ବାତ୍ୟା ବ୍ରେକିଂ’ ନାମରେ ଦିନ ରାତି ଖବର ପ୍ରସାରଣ ଚାଲିଲା । କେନ୍ଦ୍ରାପଡା ଜିଲ୍ଲାର ଭିତରକନିକାରୁ ଭଦ୍ରକ ଜିଲ୍ଲାର ଧମରା ମଧ୍ୟରେ ‘ଦାନା’ର ଲ୍ୟାଣ୍ଡଫଲ୍ ହେବ ବୋଲି ଆଇଏମଡିର ନିଦ୍ଦିଷ୍ଟ ସୂଚନା ଆସିବା ପରେ ମଧ୍ୟ ଓଡ଼ିଶା ଉପକୂଳର ୧୪ରୁ ୧୮ ଜିଲ୍ଲାରେ ପ୍ରବଳ ପବନ ଓ ବର୍ଷାର ସମ୍ଭାବନା ଶେଷ ପର୍ଯ୍ୟନ୍ତ ଆତଙ୍କ ସୃଷ୍ଟି କଲା ଭଳି ଥିଲା । ଭୁବନେଶ୍ୱରସ୍ଥିତ ପାଣିପାଗ ବିଜ୍ଞାନ କେନ୍ଦ୍ର ଗୁରୁବାର ଭୁବନେଶ୍ୱରରେ ପ୍ରବଳ ବର୍ଷା ସହ ୬୦ରୁ ୮୦ କିମି ବେଗରେ ପବନ ବହିବା ନେଇ ଆକଳନ କରିଥିଲେ । ତେଣୁ, ରାଜଧାନୀବାସୀ ବୁଧବାର ରାତି ସୁଦ୍ଧା ବଜାରରୁ ଆଳୁ, ପିଆଜ, ଚୁଡା, ମହମବତୀ, କଂଚା ପରିବା ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଗୋଟାଇ ଘରେ ଗଚ୍ଛିତ କରିବା ପରେ ଗୁରୁବାର ସନ୍ଧ୍ୟାରୁ ଘରେ କବାଟ କିଳି ରହିଥିଲେ । ସନ୍ଧ୍ୟା ପରରୁ ରାଜଧାନୀର ରାସ୍ତାଘାଟ ଏକ ପ୍ରକାର ଜନଶୂନ୍ୟ ହୋଇପଡିଥିଲା । ଅଧିକାଂଶ ଦୋକାନବଜାର ବନ୍ଦ ଥିଲା । ରାଜ୍ୟ ସରକାରଙ୍କ ଲଗାତର ଚେତାବନୀ ସତ୍ତ୍ୱେ କୋଟି କୋଟି ଟଙ୍କାର ଆଳୁ, ପିଆଜ ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାର କରି ଖୁଚୁରା ବେପାରୀ ନିଶ୍ଚିନ୍ତରେ ଶୋଇ ଯାଇଥିଲେ । ଗୁରୁବାର ରାଜଧାନୀରେ ସାମାନ୍ୟ ପବନ ଓ ବର୍ଷା ଲାଗି ରହିଥିଲା । ଆକାଶରେ ବହଳିଆ ମେଘ ଭରି ରହିଥିବାରୁ ରାତିରେ ପବନ ଓ ବର୍ଷା ବଢିବା ସମ୍ଭାବନା ଥିଲା । ପାଣିପାଗ ବିଭାଗର ଆକଳନ ମଧ୍ୟ ତାହା ହିଁ ରହିଥିଲା । ବାତ୍ୟା ଓଡ଼ିଶା ଉପକୂଳ ଆଡକୁ ଯେଉ ଗତିରେ ବଢିବ ସେହି ଗତିରେ ସନ୍ଧ୍ୟାରୁ ପବନ ଓ ବର୍ଷାର ପରମାଣ ବଢିବ ବୋଲି ପାଣିପାଗ ବିଭାଗର ବଡ ଅଧିକାରୀମାନେ ଗଣମାଧ୍ୟମକୁ ସୂଚନା ଦେଇ ଚାଲିଥିଲେ । ତେବେ, ରାତି ବଢିବାରେ ଲାଗିଲା । ବାତ୍ୟା ଧୀରେ ଧୀରେ ଓଡ଼ିଶା ଉପକୂଳ ଆଡକୁ ମାଡି ଆସିଲା । ପୁରୀ ଜିଲ୍ଲା ସମତେ ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର ଜିଲ୍ଲାରେ ବର୍ଷା, ପବନର ପରିମାଣ ବଢିଲା । ଗଛପତ୍ର ଭାଂଗି ରାସ୍ତା ଅବରୋଧର ଦୃଶ୍ୟ ବେଦ୍ୟୁତିକ ଗଣମାଧ୍ୟମରେ ପ୍ରସାରିତ ହେବା ଚାଲିଥିଲା । ତେବେ, ରାଜଧାନୀରେ ବର୍ଷା, ପବନର ମାତ୍ରା ବଢି ନଥିଲା । ସବୁ କିଛି ସ୍ୱାଭାବିକ ଥିଲା । ରାତି ବଢିଲେ ପବନର ମାତ୍ରା ଓ ବର୍ଷା ବଢିବ ବୋଲି ଯେଉଁମାନେ ଆଶା କରିଥିଲେ ଶେଷରେ ସେମାନେ ନିରାଶ ହୋଇଥିଲେ । ‘ଦାନା’ ଭିତରକନିକା ଓ ଧାମରା ମଧ୍ୟରେ ଓଡ଼ିଶା ଉପକୂଳର ଯେତେ ନିକଟବର୍ତ୍ତୀ ହେଲା ରାଜଧାନୀବାସୀଙ୍କ ଉତ୍କଂଠା ସେତେ ବଢିଲା ସିନା ହାତୀ…କହି ଫୁସ୍ ହେଲା ଭଳି କେନ୍ଦ୍ରପଡା-ଭଦ୍ରକ ମଧ୍ୟଭାଗରେ ବାତ୍ୟାର ଲ୍ୟାଣ୍ଡଫଲ୍ ସମୟରେ ମଧ୍ୟ ରାଜଧାନୀବାସୀ ବାତ୍ୟାର ଅନୁଭବ ପାଇନଥିଲେ । ପ୍ରବଳ ବର୍ଷା ପବନ ଦୂରେଥାଉ, ଗୁରୁବାର ମଧ୍ୟରାତିରେ ରାଜଧାନୀରେ ସାମାନ୍ୟ ବର୍ଷା ବା ପବନ ନଥିଲା । କାଲୁଆ ପାଗକୁ ଅପେକ୍ଷା କରିଥିବା ଲୋକମାନେ ରାତିରେ ଏସି ଲଗାଇ ଶୋଇବାକୁ ବାଧ୍ୟ ହୋଇଥିଲେ । ‘ଦାନା’ ବାତ୍ୟା ପୁରୀ, ଖୋର୍ଦ୍ଧା, କଟକ ଜିଲ୍ଲା ଉପକୂଳବର୍ତ୍ତୀ ଅଂଚଳ ପ୍ରତି ମୁହଁ ମୋଡି ଚାଲି ଯିବା କଥାକୁ ଅନେକ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ବୋଲି କହୁଥିବା ବେଳେ ଦୀର୍ଘ ଦିନ ଧରି ଅସହ୍ୟ ଗୁଳୁଗୁଳିରେ ସଢୁଥିବା ଲୋକଙ୍କ ମନ ମଉଳି ଯାଇଛି । ଅବଶ୍ୟ, ଶୁକ୍ରବାର ସକାଳୁ ରାଜଧାନୀରେ କୁଣ୍ଡା ଝାଡିଲା ଭଳି ବର୍ଷା ହେବା ସହ ପାଗ ଟିକେ କୋହଲା ରହିଛି । କିନ୍ତୁ, ବାତ୍ୟା ପବନ ଓ ବର୍ଷାର ଆନନ୍ଦ ଯେ ସଂପୂର୍ଣ୍ଣ ଭାବେ ନିଆରା… ।
ବଡ ପାଟିରେ କହିଲେ ମିଛ କଣ ସତ ହୋଇଯିବ ?
ଆମେ ଏବେ ଯିବା କେରଳର ୱାଏନାଡକୁ । ନଭେମ୍ବର ୧୩ ତାରିଖରେ ୱାଏନାଡ ଲୋକସଭା ଆସନ ପାଇଁ ଉପ ନିର୍ବାଚନ ହେଉଛି । ୨୦୧୪ ଓ ୨୦୧୯ ଲୋକସଭା ନିର୍ବାଚନରେ ୱାଏନାଡ ଆସନରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ୨୦୨୪ ଲୋକସଭା ନିର୍ବାଚନରେ ମଧ୍ୟ ରାହୁଲ ୱାଏନାଡରୁ ବିଜୟୀ ହୋଇଛନ୍ତି । ତେବେ, ସେ ଦୁଇଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି ଦୁଇଟି ଯାକରେ ଜିତି ଥିବାରୁ ୟୁପିର ରାଏବରେଲୀକୁ ରଖି କେରଳର ୱାଏନାଡ ଆସନକୁ ତ୍ୟାଗ କରିଛନ୍ତି । ତେଣୁ, ୱାଏନାଡରେ ଲୋକସଭା ଉପ ନିର୍ବାଚନ ହେଉଛି । ରାହୁଲ ଗାନ୍ଧୀଙ୍କ ସାନ ଭଉଣୀ ତଥା ଏଆଇସିସି ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ର ରାହୁଲ ଛାଡିଥିବା ୱାଏନାଡ ଆସନରୁ ଉପ ନିର୍ବାଚନରେ ପ୍ରାର୍ଥୀ ଅଛନ୍ତି ଓ ଗତକାଲି ପ୍ରାର୍ଥପତ୍ର ଦାଖଲ କରିଛନ୍ତି । ପ୍ରିୟଙ୍କାଙ୍କ ପ୍ରାର୍ଥପତ୍ର ଦାଖଲରେ କଂଗ୍ରେସର ବରିଷ୍ଠ ନେତା ତଥା ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖାର୍ଗେ, ପୂର୍ବତନ ସଭାପତି ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ, ସ୍ୱାମୀ ରବର୍ଟ ଭଦ୍ର, ବରିଷ୍ଠ କଂଗ୍ରେସ ନେତା କେ.ସି.ବେଣୁଗୋପାଳ ପ୍ରମୁଖ ସାମିଲ ହୋଇଥିଲେ । ପ୍ରିୟଙ୍କା ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ କଂଗ୍ରେସ ପକ୍ଷରୁ ୱାଏନାଡରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ । ସଭା ଚାଲିଥିବା ବେଳେ ପ୍ରିୟଙ୍କାଙ୍କ ପ୍ରାର୍ଥପତ୍ର ଦାଖଲ ସମୟ ହୋଇଯାଇଥିଲା । ତେଣୁ, ସେ ସଭା ଅଧାରୁ ରିଟଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟକୁ ଚାଲି ଯାଇଥିଲେ । ପରେ, ମା’ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ, ଭାଇ ରାହୁଲ ଗାନ୍ଧୀ ପହଂଚି ରିଟଣ୍ଣିଂ ଅଫିସରଙ୍କ ପ୍ରକୋଷ୍ଠ ବାହାରେ କିଛି ସମୟ ଅପେକ୍ଷା କରିବା ପରେ ଭିତରକୁ ଯାଇ ପ୍ରିୟଙ୍କାଙ୍କ ସହ ଯୋଗ ଦେଇଥିଲେ । ଏଆଇସିସି ସଭାପତି ଖାର୍ଗେ ଆଉ ଟିକିଏ ବିଳମ୍ବରେ ରିଟଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟରେ ପହଂଚି ଥିଲେ ଏବଂ ପ୍ରକୋଷ୍ଠ ବାହାରେ ଅପେକ୍ଷା କରିଥିଲେ । ପରେ, ସେ ଭିତରକୁ ଯାଇ ପ୍ରିୟଙ୍କାଙ୍କ ନିକଟରେ ବସିଥିବା ଭିଜୁଆଲ୍ ଗଣମାଧ୍ୟମରେ ପ୍ରସାରିତ ହୋଇଛି । ତେବେ, ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଏକ ଖଣ୍ଡିତ ଭିଜୁଆଲକୁ ନେଇ ରାଜନୀତି ଜୋର ଧରିଛି । ପ୍ରିୟଙ୍କା ନାମାଂକନପତ୍ର ଦାଖଲ କରିବା ସମୟରେ ସୋନିଆ, ରାହୁଲ, କେ.ସି.ବେଣୁଗୋପାଳ ପ୍ରମୁଖ ରିଟର୍ଣ୍ଣିଂ ଅଫିସରଙ୍କ ପ୍ରକୋଷ୍ଠରେ ଥିବା ବେଳେ ଏଆଇସିସି ସଭାପତି ଖାର୍ଗେ ପ୍ରକୋଷ୍ଠ ବାହାରୁ କୋଠରୀ ଭିତରକୁ ଝାଂକୁ ଥିବାର ଖଣ୍ଡିତ ଭିଜୁଆଲକୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍ କରାଯାଇ ଖାର୍ଗେ ଜଣେ ଦଳିତ ନେତା ହୋଇଥିବାରୁ କଂଗ୍ରେସ ନେତୃତ୍ୱ ତାଙ୍କୁ ଅପମାନିତ କରିଥିବା ଅଭିଯୋଗ କରାଯାଇଛି । ବିଜେପିର ବରିଷ୍ଠ ନେତାମାନେ ଏହି ଖଣ୍ଡିତ ଭିଜୁଆଲର ଆଧାରରେ କଂଗ୍ରେସକୁ ଘେରିଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ହାତରେ ସମ୍ବିଧାନ ପୁସ୍ତିକା ଧରି ଦଳିତଙ୍କ ପାଇଁ ଲଢେଇ କରୁଥିବା ଦାବି କରୁଥିବା ଏବଂ ଦେଶରେ ଜାତିଗତ ଜନଗଣନା କରାଯିବାକୁ ଓକିଲାତି କରୁଥିବା ବେଳେ କଂଗ୍ରେସ ନେତୃତ୍ୱ ଖାର୍ଗେଙ୍କ ଭଳି ଜଣେ ଦଳିତ ନେତାଙ୍କୁ ଗତକାଲି କିଭଳି ଅପାନିତ କରିଛନ୍ତି ତାହା ପ୍ରିୟଙ୍କାଙ୍କ ନାମାଙ୍କନପତ୍ର ଦାଖଲ ବେଳେ ଦେଖିବାକୁ ମିଳିଛି ବୋଲି ବିଜେପିର ଜଣେ ବରିଷ୍ଠ ପ୍ରବକ୍ତା ଗଣମାଧ୍ୟମରେ ବକ୍ତବ୍ୟ ରଖିବା ସହ ଏହା କଂଗ୍ରେସର ‘ଦୋମୁହାଁ ନୀତି’ ବୋଲି ଅଭିଯୋଗ କରିଛନ୍ତି । ତେବେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରର ଅନୁଗତ ଭାବେ ପରିଚିତ ଏକ ଜାତୀୟ ବୈଦ୍ୟୁତିକ ଗଣମାଧ୍ୟମ ବାସ୍ତବ ଚିତ୍ର ସାମ୍ନାକୁ ଆଣିଛି । ପ୍ରିୟଙ୍କାଙ୍କ ନାମାଂକନ ସମୟରେ ଏଆଇସିସି ସଭାପତି ଖାର୍ଗେଙ୍କୁ କଂଗ୍ରେସ ନେତୃତ୍ୱ ଅପମାନିତ କରି ନାହାନ୍ତି, ସେ ବିଳମ୍ବରେ ରିଟର୍ଣ୍ଣି ଅଫିସରଙ୍କ କାର୍ଯ୍ୟାଳୟରେ ପହଂଚିବାରୁ କିଛି ସମୟ ବାହାରେ ଅପେକ୍ଷା କରି ପରେ ପ୍ରିୟଙ୍କାଙ୍କ ସହ ଯୋଗ ଦେଇଥିଲେ । ବାହାରେ ଅପେକ୍ଷା କରିଥିବା ସମୟରେ ଖାର୍ଗେ କବାଟ ଫାଙ୍କ ଦେଇ ଭିତରକୁ ଦେଖୁଥିବାର ଖଣ୍ଡିତ ଭିଜୁଆଲ ଏଭଳି ଏକ ଭ୍ରମ-ସୃଷ୍ଟିକାରୀ ଖବର ପ୍ରସାରଣରେ ବ୍ୟବହୃତ ହୋଇଛି ବୋଲି ‘ଆଜତକ୍’ର ଜଣେ ବରିଷ୍ଠ ଆଂକର୍ ତାଙ୍କ ସୋ’ରେ ସ୍ପଷ୍ଟ କରିଛନ୍ତି । ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ଖବର ରାଜନେତାଙ୍କ ପାଇଁ ଅନେକ ସମୟରେ ସହାୟକ ହେଉଥିବା ବେଳେ ଅନେକ ସମୟରେ ପ୍ରସାରିତ ହେଉଥିବା ଖଣ୍ଡିତ ଭିଜୁଆଲ୍ କେମିତି ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରୁଛି ତାହା ଖାର୍ଗେଙ୍କୁ ନେଇ ପ୍ରସାରିତ ଖବରୁ ସ୍ପଷ୍ଟ ହେଉଛି ବୋଲି ଆଂକର୍ ଜଣକ ଚେତାଇ ଦେଇଛନ୍ତି । ବିଜେପିର ବରିଷ୍ଠ ନେତାମାନେ ସତ ଜାଣି ମଧ୍ୟ ବଡ ପାଟିରେ ମିଛ କହୁଛନ୍ତି । ‘ବଡ ପାଟିରେ ମିଛ କହିଲେ କଣ ତାହା ସତ ହୋଇଯିବ ?’ – ଏହା ହିଁ ଆଜି ବିତର୍କର ବିଷୟ ହୋଇଛି ।
ଅଭିନେତ୍ରୀ ରେହା ଚକ୍ରବର୍ତ୍ତୀଙ୍କୁ ମିଳିଲା ଆଶ୍ୱସ୍ତି…
ଆଜି ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ବଲିଉଡ୍ ଅଭିନେତ୍ରୀ ରେହା ଚକ୍ରବର୍ତ୍ତୀ ଓ ତାଙ୍କ ପରିବାରକୁ ସୁପ୍ରିମ କୋର୍ଟରୁ ଆଶ୍ୱସ୍ତି ମିଳିଛି । ସୁପ୍ରିମ କୋର୍ଟ ବିଚାରପତି ଜଷ୍ଟିସ ବି.ଆର.ଗଭାଇ ଓ ଜଷ୍ଟିସ କେ.ଭି.ବିଶ୍ୱନାଥନଙ୍କ ଖଣ୍ଡପୀଠ ବମ୍ବେ ହାଇକୋର୍ଟଙ୍କ ଏକ ରାୟକୁ କାଏମ ରଖି ରେହା ଓ ତାଙ୍କ ପରିବାକୁ ଆଶ୍ୱସ୍ତ ଦେଇଛନ୍ତି । ସୁଶାନ୍ତ ସିଂହ ରାଜପୁତଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ରେହା ଓ ତାଙ୍କ ପରିବାର ବିରୋଧରେ ସିବିଆଇ ଯେଉଁ ଲୁକଆଉଟ୍ ସର୍କୁଲାର ଜାରି କରିଥିଲା ତାହାକୁ ବମ୍ବେ ହାଇକୋର୍ଟରେ ଖାରଜ କରିଛନ୍ତି । ସିବିଆଇ, ମହାରାଷ୍ଟ୍ର ସରକାର ଏବଂ ବ୍ୟୁରୋ ଅଫ୍ ଇମିଗ୍ରେସନ ବମ୍ବେ ହାଇକୋର୍ଟଙ୍କ ରାୟକୁ ସୁପ୍ରିମ କୋର୍ଟରେ ଚ୍ୟାଲେଂଜ କରିଥିଲେ । ସୁପ୍ରିମ କୋର୍ଟ ଖଣ୍ଡପୀଠ ଆଜି ବମ୍ବେ ହାଇକୋର୍ଟଙ୍କ ରାୟକୁ କାମଏ ରଖିଛନ୍ତି । ଅଭିଯୁକ୍ତ (ରେହା ଚକ୍ରବର୍ତ୍ତୀ)ଙ୍କ ହାଇ-ପ୍ରୋଫାଇଲ ବ୍ୟାକଗ୍ରାଉଣ୍ଡ ଦେଖି ସିବିଆଇ, ମହାରାଷ୍ଟ୍ର ସରକାର ଓ ବ୍ୟୁରୋ ଅଫ୍ ଇମିଗ୍ରେସନ ବମ୍ବେ ହାଇକୋର୍ଟ ରାୟକୁ ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଂଜ କରିଛନ୍ତି ବୋଲି ସୁପ୍ରିମ କୋର୍ଟ ଖଣ୍ଡପୀଠ ଅଭିଯୋଗ କରିବା ସହ ସେମାନଙ୍କ ପିଟିସନକୁ ‘ମିଥ୍ୟା ଓ କପୋଳକଳ୍ପିତ’ ବୋଲି ତାଗିଦ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ୨୦୨୦ରେ ସିବିଆଇ ଅଭିନେତ୍ରୀ ରେହା ଚକ୍ରବର୍ତ୍ତୀ, ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ, ବାପା ଲେଫ୍ଟନାଟ କର୍ଣ୍ଣେଲ ଇନ୍ଦ୍ରଜିତ ଚକ୍ରବର୍ତ୍ତୀ ଓ ମା’ ସନ୍ଧ୍ୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଲୁକଆଉଟ୍ ସର୍କୁଲାର ଜାରି କରିଥିଲେ । ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପାଇଁ ତାଙ୍କ ପରିବାର ଅଭିନେତ୍ରୀ ରେହା ଚକ୍ରବର୍ତ୍ତୀ ଓ ତାଙ୍କ ପରିବାରକୁ ଦାୟି କରି ବିହାରର ପାଟନାରେ ଏକ ଏତଲା (ଏଫଆଇଆର) ଦେବା ସହ ତାହାର ତଦନ୍ତ ଦାବି କରିଥିଲେ । ପରେ ମାମଲା ସିବିଆଇକୁ ହସ୍ତାନ୍ତର ହୋଇଥିଲା । ସିବିଆଇ ଏହି ମାମଲାରେ ରେହା ଓ ତାଙ୍କ ପରିବାର ବିରୋଧରେ ଲୁକଆଉଟ୍ ନୋଟିସ ଜାରି କରିଥିଲେ । ତେବେ, ରେହା ଓ ତାଙ୍କ ପରିବାର ବିରୋଧରେ ସିବିଆଇ ଜାରି କରିଥିବା ଲୁକଆଉଟ୍ ନୋଟିସ ପଛରେ ଯଥେଷ୍ଟ କାରଣ ନାହିଁ । ସେମାନେ ମଧ୍ୟ ତଦନ୍ତରେ ସହଯୋଗ କରୁଛନ୍ତି ବୋଲି ଦର୍ଶାଇ ବମ୍ବେ ହାଇକୋର୍ଟ ସିବିଆଇର ଲୁକଆଉଟ୍ ନୋଟିସକୁ ଖାରଜ କରିଥିଲେ । ସେହି ବର୍ଷ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣା ସହ ସଂପୃକ୍ତ ଏକ ମନିଲଂଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ରେହା ଓ ତାଙ୍କ ପରିବାରକୁ ଜେରା କରିଥିଲେ ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS