‘ବଟେଂଗେ ତୋ କଟେଂଗେ’ – ମହାରାଷ୍ଟ୍ର ନିର୍ବାଚନକୁ କେତେଦୂର ପ୍ରଭାବିତ କରିବ ?
ପ୍ରସାଦ ରାଓ
ଅକ୍ଟୋବର ୨୭
ନିର୍ବାଚନ ଆସିଲେ ଧର୍ମକୁ ନେଇ ରାଜନୈତିକ ଧ୍ରୁବୀକରଣ ଆରମ୍ଭ ହୋଇଯାଏ । ଶାସକ ମେଂଟ ହିନ୍ଦୁତ୍ୱକୁ ନେଇ ରାଜନୈତିକ ଧ୍ରୁବୀକରଣ ପ୍ରୟାସ କରିଥାନ୍ତି ଏବଂ ବିରୋଧୀ ସଂଖ୍ୟାଲଘୁଙ୍କୁ ନେଇ । ସେପ୍ଟେମ୍ବର-ଅକ୍ଟୋବରରେ ସରିଥିବା ଜମ୍ମୁ-କଶ୍ମୀର ଓ ହରିୟାଣା ବିଧାନସଭା ନିର୍ବାଚନରେ ଏହା ଦେଖିବାକୁ ମିଳିଥିଲା । ନଭେମ୍ବରରେ ହେବାକୁ ଥିବା ମହାରାଷ୍ଟ୍ର ଓ ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ମଧ୍ୟ ସେହି ଏକା ରାଜନୀତି ଖେଳ ଦେଖିବାକୁ ମିଳୁଛି । ହିନ୍ଦତ୍ୱବାଦୀ ଦଳ ଓ ତାହାର ସମର୍ଥକ ରାଜନୈତିକ ଦଳମାନେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ‘ବଟେଙ୍ଗେ ତୋ କଟେଙ୍ଗେ..’ ସ୍ଲୋଗାନକୁ ନିର୍ବାଚନ ପ୍ରଚାରର ମୁଖ୍ୟ ମାଧ୍ୟମ କରି କଟ୍ଟର ହିନ୍ଦୁ ମତାଦାତାଙ୍କ ଏକାଠି କରିବା ପ୍ରୟାସରେ ଥିବା ବେଳେ ବିରୋଧୀ ‘ସଂଖ୍ୟାଲଘୁଙ୍କ କେହି ଆଡ ଆଖିରେ ଚାହିଁଲେ ଆମେ ଛାଡିବୁ ନାହିଁ’ ବୋଲି ଆସ୍ଫାଳନ କରି ସଂଖ୍ୟାଲଘୁ ଭୋଟରଙ୍କୁ ଏକପାଖିଆ କରିବା ପ୍ରୟାସରେ ଅଛନ୍ତି । ଫଳରେ, ଦେଶରେ ବେକାରୀ, ଦରବୃଦ୍ଧି, ଚାଷୀଙ୍କ ସମସ୍ୟା ପ୍ରଭୃତି ଗୌଣ ହୋଇ ନିର୍ବାଚନ ଏକପ୍ରକାର ହିନ୍ଦୁ ବନାମ ମୁସଲମାନ ହେବାକୁ ଯାଉଥିବା ସ୍ପଷ୍ଟ ବାରି ହେଉଛି । ଯୋଗୀଙ୍କ ‘ବଟେଙ୍ଗେ ତୋ କଟେଙ୍ଗେ’ ଆହ୍ୱାନ ଆଉ ୟୁପିରେ ସୀମିତ ରହି ନାହିଁ, ଜମ୍ମୁ-କଶ୍ମୀର, ହରିୟାଣା ନିର୍ବାଚନ ସମୟରେ ଦୁଇ ରାଜ୍ୟରେ ଶୁଣିବାକୁ ମିଳିଥିଲା । ଏବେ, ମହାରାଷ୍ଟ୍ର ଓ ଝାଡଖଣ୍ଡ ବିଧାନସଭା ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁହଁରୁ ମଧ୍ୟ ସାମାନ୍ୟ ଭିନ୍ନ ଢଙ୍ଗରେ ତାହା ଶୁଣିବାକୁ ମିଳୁଛି । ‘ବଟେଙ୍ଗେ ତୋ କଟେଙ୍ଗେ, ବାଂଟନେ ୱାଲେ ମେହଫିଲ ସଜାଏଙ୍ଗେ’ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ନିର୍ବାଚନ ପ୍ରଚାର ସମୟରେ ହିନ୍ଦୁ ସମାଜକୁ ଚେତାଇ ଦେବା ମାଧ୍ୟମରେ ଭୋଟ ଧ୍ରୁବୀକରଣ ପ୍ରୟାସ କରୁଛନ୍ତି । ବିଜେପିରେ ଯୋଗୀ ଆଦିତ୍ୟନାଥ ପାଲଟି ଯାଇଛନ୍ତି ‘ଷ୍ଟାର ପ୍ରଚାରକ’ । ହରିୟାଣାରେ ବିଜେପିର ସଫଳତା ପଛରେ ଏହି ମନ୍ତ୍ର କାମ କରିଥିଲା । ଜମ୍ମୁ-କଶ୍ମୀରର ହିନ୍ଦୁ ଅଧ୍ୟୁଷିତ ଜମ୍ମୁରେ ମଧ୍ୟ ହିନ୍ଦୁତ୍ୱବାଦୀଙ୍କୁ ଏକତ୍ରୀତ ରଖିବାରେ ବିଜେପି ସଫଳ ହେବାରୁ ୪୩ରୁ ୨୯ ଆସନରେ ବିଜୟୀ ହୋଇଥିଲା । ଯେହେତୁ, କଶ୍ମୀର ଘାଟିରେ ମୁସଲମାନ ସଂପ୍ରଦାୟ ସଂଖ୍ୟାଗରିଷ୍ଠ ଘାଟି ଅଂଚଳରେ ଥିବା ୪୭ଟି ବିଧାନସଭା ଆସନରେ ଫାରୁକ ଅବଦୁଲ୍ଲାଙ୍କ ନ୍ୟାସନାଲ କନ୍ଫରେନ୍ସର ପ୍ରଦର୍ଶନ ଉଲ୍ଳେଖନୀୟ ଥିଲା । ମୋଟାମୋଟି କହିବାକୁ ଗଲେ କଶ୍ମୀର ଘାଟିରେ ଜେକେଏନସି (ଜମ୍ମୁ-କଶ୍ମୀର ନ୍ୟାସନାଲ କନ୍ଫରେନ୍ସ) ପ୍ରତି ବିପୁଳ ସମର୍ଥନ କାରଣରୁ ଏହି ଆଂଚଳିକ ଦଳ ୯୦ରୁ ୪୨ ଆସନ ପାଇ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇଥିବା ବେଳେ ଜମ୍ମୁରେ ବିଜେପି ହିନ୍ଦୁ ଭୋଟ୍ ଧ୍ରୁବୀକରଣରେ ସଫଳ ହୋଇ ୨୯ଟି ଆସନ ପାଇବା ସହ ଦ୍ୱିତୀୟ ବୃହତ୍ତ ଦଳ ହେବାକୁ ସକ୍ଷମ ହୋଇଥିଲା । ହରିୟାଣାରେ ମଧ୍ୟ ସରକାର-ବିରୋଧୀ ଅନ୍ତଃସ୍ରୋତ ଥିବା ସତ୍ତ୍ୱେ ୯୦ ବିଧାନସଭା ଆସନରୁ ୪୯ଟି ଆସନରେ ବିଜେପି ବିଜୟୀ ହୋଇଥିବା ବେଳେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଥିବା କଂଗ୍ରେସ ୩୭ ଆସନରେ ସୀମିତ ହୋଇଯାଇଥିଲା । କଂଗ୍ରେସ ଦଳ ଜମ୍ମୁରେ ଭଲ ପ୍ରଦର୍ଶନ କରିବ ବୋଲି ବିରୋଧୀ ମେଂଟ ଆଶା ରଖି ଥିଲେ । ତେବେ, କଂଗ୍ରେସ ତାହାକୁ ଭୁଲ ପ୍ରମାଣିତ କରିବା ପରେ ବିରୋଧୀ ମେଂଟର ବିଶ୍ୱାସ ହରାଇଛି । ଜମ୍ମୁ-କଶ୍ମୀରରେ ୩୨ ଆସନରେ ପ୍ରାର୍ଥୀ ଦେଇ କଂଗ୍ରେସ ମାତ୍ର ୦୬ଟି ଆସନରେ ଜିତିଛି । ଏହାର ପ୍ରଭାବ ଏବେ ମହାରାଷ୍ଟ୍ର ଓ ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ବିରୋଧୀ ମେଂଟର ଆସନ ବଂଟାରେ ଦେଖିବାକୁ ମିଳୁଛି । ନଭେମ୍ବରରେ ୟୁପିରେ ହେବାକୁ ଥିବା ୦୯ଟି ଯାକ ବିଧାନସଭା ଆସନ ପାଇଁ ଉପ ନିର୍ବାଚନରେ ବିରୋଧୀ ମେଂଟର ପ୍ରମୁଖ ସହଯୋଗୀ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି (ଏସପି) କଂଗ୍ରେସକୁ ଗୋଟିଏ ହେଲେ ଆସନ ନ ଛାଡି ସବୁ ଆସନରେ ନିଜର ପ୍ରାର୍ଥୀ ଦେଇଛି । ନିର୍ବାଚନ ଲଢୁଛନ୍ତି । ଦେଶର ସର୍ବାଧକ ସଂଖ୍ୟକ ଲୋକସଭା ଆସନ ଥିବା ଏହି ରାଜ୍ୟରେ କଂଗ୍ରେସ କେବଳ ‘ମୂକ ଦର୍ଶକ’ ଭୂମିକାରେ ରହିଛି । ଜମ୍ମୁ-କଶ୍ମୀର ଓ ହରିୟାଣା ବିଧାନସଭା ନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟ ବିରୋଧୀ ମେଂଟରେ କଂଗ୍ରେସକୁ ଏକପ୍ରକାର ଗୁରୁତ୍ୱହୀନ କରି ଦେଇଥିବା ବେଳେ ହରିୟାଣା ବିଜୟ ମହାରାଷ୍ଟ୍ର ଓ ଝାଡଖଣ୍ଡ ବିଧାନସଭା ନିର୍ବାଚନକୁ ମଧ୍ୟ ପ୍ରଭାବିତ କରିବ ବୋଲି ବିଜେପି ଆଶା ରଖିଛି । ଯୋଗୀଙ୍କ ‘କଟେଂଗେ ତୋ ବଟେଂଗେ…’ ଆହ୍ୱାନ ହରିୟାଣା ଓ ଜମ୍ମୁରେ ହିନ୍ଦୁ ମତଦାତାଙ୍କୁ ପ୍ରଭାବିତ କରିଛି ଏବଂ ସେମାନଙ୍କୁ ଏକଜୁଟ କରି ବିଜେପିକୁ ସଫଳତା ଦେଇଛି ବୋଲି ବିଜେପି ଓ ଆରଏସଏସ ଅନୁଭବ କରିବା ପରେ ଯୋଗୀଙ୍କୁ ମହାରାଷ୍ଟ୍ର ଓ ଝାଡଖଣ୍ଡ ପାଇଁ ଷ୍ଟାର ପ୍ରଚାରକ କରିଛନ୍ତି । ଯୋଗୀ ନିଜର ସେହି ଏକକ ଆହ୍ୱାନକୁ ଦୋହରାଇ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ’ ସ୍ଲୋଗାନକୁ ଝୁଲାମୁଣିରେ ପୁରାଇ ଦେଇ ‘ବଟେଂଗେ ତୋ କେଟେଂଗେ, ବାଂଟନେ ୱାଲେ ମେହଫିଲ୍ ସଜାଏଂଗେ’ ସ୍ଲୋଗାନ ଅନ୍ କରି ଦେଇଛନ୍ତି । ମହାରାଷ୍ଟ୍ରର ରାଜନୈତିକ ବାତାବରଣ ଜଟିଳ ରହିଥିଲେ ମଧ୍ୟ ହିନ୍ଦୁତ୍ୱବାଦୀଙ୍କୁ ସଂଗଠିତ କରିବାରେ ଯୋଗୀଙ୍କ ସ୍ଲୋଗାନ ଯାଦୁକରୀ ହେବ ବୋଲି ମୋଦୀ ବିଶ୍ୱାସ କରୁଛନ୍ତି । ଇତିମଧ୍ୟରେ, ସଂଘ ପରିବାର (ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ) ନେତୃତ୍ୱ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ‘ବଟେଂଗେ ତୋ କଟେଂଗେ..’ ସ୍ଲୋଗାନକୁ ହିନ୍ଦୁତ୍ୱବାଦୀଙ୍କୁ ସଂଗଠିତ କରିବାରେ ଯାଦୁକରୀ ହୋଇଥିବା ସ୍ୱୀକାର କରି ବିଭିନ୍ନ ନିର୍ବାଚନରେ ତାହାର ପ୍ରୟୋଗ ଉପରେ ଗୁରୁତ୍ୱ ଦେଇଥିବା ସୂଚନା ମିଳିଛି । ମଥୁରାରେ ଆୟୋଜିତ ଆରଏସଏସର ଦୁଇ ଦିନିଆ ଜାତୀୟ ସମ୍ମିଳନୀ ସରିବା ପରେ ଶନିବାର ଦିନ ଆରଏସସ ସାଧାରଣ ସଂପାଦକ ଦତ୍ତାତ୍ରେୟ ହୋସବାଲେ ଗଣମାଧ୍ୟମକୁ ଭେଟି ‘ହିନ୍ଦୁ ଏକତା’କୁ ଗୁରୁତ୍ୱ ଦେବା ସହ ଯୋଗୀଙ୍କ ଭାଷାକୁ ଦେହରାଇଛନ୍ତି । ହିନ୍ଦୁ ସମାଜ ଏକାଠି ନ ରହିଲେ ଯୋଗୀ କହିବା ଭଳି ନିଶ୍ଚିହ୍ନ ହୋଇଯିବେ ବୋଲି ହୋସବାଲେ କହିବା ସହ ହନ୍ଦୁଙ୍କୁ ଜାତି ଭିତ୍ ତିରେ ବଂଟିବା ପାଇଁ ଯେଉଁ ଉଦ୍ୟମ ଚାଲିଛି ତାହା ଏକ ‘ହିନ୍ଦୁତ୍ୱ-ବିରୋଧୀ ଷଡଯନ୍ତ୍ର’ ବୋଲି ଅଭିଯୋଗ କରିଛନ୍ତି । ଅକ୍ଟୋବର ୦୫ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ହାରାଷ୍ଟ୍ରର ଥାନେରେ ଆୟାଜିତ ନିର୍ବାଚନ ସଭାରେ ହିନ୍ଦୁ ଏକତା ଉପରେ ଗୁରୁତ୍ୱ ଦେଇଥିଲେ । ‘ଅଗର ହମ୍ ବଟେଂଗେ ତୋ ବାଂଟନେ ୱାଲେ ମେହଫିଲ ସଜାଏଂଗେ’ ବୋଲି ମୋଦୀ ଥାନେରେ କହିଥିବା ବେଳେ ଆରଏସସ୍ ମୁଖ୍ୟ ମୋହନ ଭାଗୱତ ସେହିଦିନ ରାଜସ୍ଥାନର ବାରାନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ହିନ୍ଦୁ ଏକତା ଉପରେ ଗୁରୁତ୍ୱ ଦେଇଥିଲେ । ଆଚଳିକତା, ଭାଷାକୁ ନେଇ ବିଭେଦ ଓ ଜାତିବାଦକୁ ମୂଳପୋଛ କରି ସମସ୍ତ ହିନ୍ଦୁ ଏକାତ୍ରିତ ହେବା ଉପରେ ସେ ଗୁରୁତ୍ୱ ଦେଇଥିଲେ । ଭାରତ ଏକ ‘ହିନ୍ଦୁ ରାଷ୍ଟ୍ର’ ବୋଲି ମୋହନ ଭାଗୱତ ଦୃଢ ମତ ରଖିଥିଲେ । ନିକଟରେ ସରିଥିବା ମହାରାଷ୍ଟ୍ରର ଧୂଲେ, ମୁମ୍ବାଇ ନର୍ଥ ଇଷ୍ଟ ପ୍ରଭୃତି ଆସନରେ ଉପ ନିର୍ବାଚନରେ ସଂଖ୍ୟାଲଘୁ ସଂପ୍ରଦାୟଙ୍କ ଧ୍ରୁବୀକରଣ ଫଳରେ ବିଜେପିର ବିପର୍ଯ୍ୟୟ ଘଟିଥିଲା । ତେଣୁ, ହିନ୍ଦୁ ଏକତା ଉପରେ ବିଜେପି ଓ ଆରଏସଏସ ମାତ୍ରାଧିକ ଗୁରୁତ୍ୱ ଦେଉଥିବା ଅନୁମାନ କରାଯାଉଛି । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଦିନରେ ବିଜେପି ଓ ଆରଏସଏସର ପ୍ରମୁଖ ବାର୍ତ୍ତାବହ ହୋଇଥିବା ଚର୍ଚ୍ଚା ହେଉଥିବା ବେଳେ ବିଜେପିରେ ହିନ୍ଦୁତ୍ୱବାଦ ବାର୍ତ୍ତା ପହଂଚାଇବାକୁ ଆରଏସଏସରେ ସ୍ୱେଚ୍ଛାସେବୀଙ୍କ ସଂଖ୍ୟା କିଛି କମ୍ ନାହିଁ ବୋଲି ହୋସବାଲେ କହିଛନ୍ତି । ଆରଏସସ ମୁଖ୍ୟ ମୋହନ ଭାଗୱତଙ୍କ ମଥୁରା ଗସ୍ତ ବେଳେ ମୁଖମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ତାଙ୍କ ନିଭୃତ ଆଲୋଚନା ହୋଇଥିଲା । ୨୦୨୫ରେ ଆୟୋଜନ ହେବାକୁ ଥିବା କୁମ୍ଭ ମେଳାର ପ୍ରସ୍ତୁତିକୁ ନେଇ ଦୁହେଁ ଆଲୋଚନା କରିଥିଲେ । ହିନ୍ଦୁ ଧର୍ମରେ ଥିବା ବହୁ ଗୋଷ୍ଠୀ ବର୍ଷ ବର୍ଷ ଧରି କୁମ୍ଭ ମେଳାରେ ଭାଗ ନେବାରୁ ବଂଚିତ ରହୁଛନ୍ତି । ଆସନ୍ତା ବର୍ଷ ହେବାକୁ ଥିବା କୁମ୍ଭ ମେଳାକୁ ଦକ୍ଷିଣ ଭାରତର ଲିଂଗାୟତ ଗୋଷ୍ଠୀ ଭଳି ବିଭିନ୍ନ ଧାର୍ମିକ ଗୋଷ୍ଠୀର ମୁଖ୍ୟଙ୍କୁ ଏବଂ ଆଦିବାସୀ ସଂପ୍ରଦାୟ ନେତାଙ୍କୁ ନିମନ୍ତ୍ରଣ କରାଯିବ ଏବଂ କୁମ୍ଭ ମେଳାରେ ଯୋଗ ଦେବାକୁ ଉତ୍ସାହିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କୁଆଡେ ଆରଏସଏସ ମୁଖ୍ୟଙ୍କୁ ପ୍ରସ୍ତାବ ଦେଇଛନ୍ତି । ଆରଏସଏସ ସାଧାରଣ ସଂପାଦକ ହୋସବାଲେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି, ବିରୋଧୀଙ୍କ ସଂଖ୍ୟାଲଘୁ ତୁଷ୍ଟୀକରଣ ରାଜନୀତିର ମୁକାବିଲା ପାଇଁ ବିଜେପି ଓ ଆରଏସଏସ ଏବେ ସବୁ ଗୋଷ୍ଠୀର ହିନ୍ଦୁଙ୍କୁ ଗୋଟିଏ ମଂଚରେ ଏକାଠି କରିବା ପ୍ରୟାସରେ ଅଛନ୍ତି । ‘ବଟେଂଗେ ତୋ କଟେଂଗେ..’ ଆଉ ଯୋଗୀଙ୍କ ଏକକ ସ୍ଲୋଗାନ ହୋଇ ରହି ନାହିଁ । ବିଜେପି ଓ ଆରଏସଏସ ନେତୃତ୍ୱ ଏହାକୁ ସ୍ୱୀକୃତି ଦେଇ ସମଗ୍ର ହିନ୍ଦୁ ସମାଜକୁ ଏକାଠି କରିବାର ମୂଳ ମନ୍ତ୍ର କରିଥିବାରୁ ମହାରାଷ୍ଟ୍ର ଓ ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ଏହାର ପ୍ରବଳ ମାତ୍ରାରେ ପ୍ରୟୋଗ ହେବା ନିଶ୍ଚିତ । ତେବେ, ଏହି ଦୁଇ ରାଜ୍ୟର ମତଦାତା କେତେଦୂର ଏହି ଫର୍ମୁଲାକୁ ଗ୍ରହଣ କରିବେ ଏବଂ ମତଦାନ କେତେଦୂର ହିନ୍ଦୁ ବନାମ ସଂଖ୍ୟାଲଘୁ ସଂପ୍ରଦାୟ ହେବ – ତାହା ଫଳାଫଳ (ନଭେମ୍ବର ୨୩) ଆସିଲେ ସ୍ପଷ୍ଟ ହେବ ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS