‘ଦାନା’ ଆସି ଚାଲିଗଲା ସିନା ଚର୍ଚ୍ଚା ଥମୁନି
ପ୍ରସାଦ ରାଓ
ଅକ୍ଟୋବର ୨୯
୨୦୨୪ ଆସି ପହଂଚିଲାଣି ଶେଷ ପାହାଚରେ । ଅକ୍ଟୋବର ୨୪ ମଧ୍ୟରାତ୍ରୀ ଓ ୨୫ ତାରିଖ ଭୋରରେ ଓଡ଼ିଶା ଉପକୂଳରେ ମାଡ ହୋଇଥିବା ସାମୁଦ୍ରିକ ବାତ୍ୟା ‘ଦାନା’ ଚଳିତ ବର୍ଷର ଶେଷ ବାତ୍ୟା କି ନୁହଁ, ତାହା କହିବା ସମ୍ଭବ ନୁହେଁ । କାରଣ, ନଭେମ୍ବର ମାସରେ ମଧ୍ୟ ଏକ ବାତ୍ୟା ଆସି ପାରେ ବୋଲି ଆଲୋଚନା ଆରମ୍ଭ ହୋଇଗଲାଣି । ମାଳିକାରେ ଥିବା ଗଣନାକୁ ଆଧାର କରି ନଭେମ୍ବର ମାସରେ ଆଉ ଏକ ବାତ୍ୟା ଓ ଭୂମିକଂପର ଆଶଙ୍କା ରହିଛି ବୋଲି ଏବେ ସାମାଜିକ ଗଣମାଧ୍ୟମରେ ଜୋରଦାର ଆଲୋଚନା ହେଉଛି । ଅକ୍ଟୋବର ବାତ୍ୟା କଥା ମଧ୍ୟ ମାଳିକାରେ ଥିଲା । ତେଣୁ, ନଭେମ୍ବରରେ ସମ୍ଭାବ୍ୟ ବାତ୍ୟା ବା ଭୂମିକଂପକୁ ନେଇ ହେଉଥିବା ଆଲୋଚନା ସାଧାରଣ ଜନତାଙ୍କୁ ଅଶଙ୍କା ଭିତରେ ରଖିବା ସ୍ୱାଭାବିକ । ଓଡ଼ିଶା ହେଉଛି ବାତ୍ୟା-ପ୍ରବଣ ରାଜ୍ୟ । ବର୍ଷା ଋତୁ ଆରମ୍ଭ ହେବା ପୂର୍ବରୁ ମେ’ ମାସରେ ବାତ୍ୟା ଆସିବା ଓ ଓଡ଼ିଶା ଉପକୂଳକୁ ଛାରଖାର କରିବାର ଉଦାହରଣ ମଧ୍ୟ ରହିଛି । ତେବେ, ୧୯୯୯ ଅକ୍ଟୋବର ମହାବାତ୍ୟା ପରଠାରୁ ଅକ୍ଟୋବର ମାସ ଆସିଲେ ଓଡ଼ିଶାବାସୀଙ୍କ ମନରେ ସର୍ବଦା ଭୟର ସଂଚାର ହୋଇଥାଏ । ୨୦୨୪ ଅକ୍ଟୋବରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ଦାନା’ ମଧ୍ୟ ରାଜ୍ୟବାସୀଙ୍କୁ ଶେଷ ପର୍ଯ୍ୟନ୍ତ ଆତଙ୍କିତ କରି ରଖିଥିଲା । ଅକ୍ଟୋବର ୨୪ ତାରିଖରେ ଉଗ୍ର ରୂପ ଧାରଣ କରି ଓଡ଼ିଶା ଉପକୂଳ ଆଡକୁ ମାଡି ଆସିଥିବା ‘ଦାନା’ ବ୍ୟାପକ ଅଂଚଳରେ ଧନ ଜୀବନକୁ ବିପନ୍ନ କରିବା ଆଶଙ୍କା ରହିଥିଲା । ବାତ୍ୟା ଉପକୂଳରେ ଆସି ମାଡ ହେବା ପର୍ଯ୍ୟନ୍ତ ଲୋକେ ଆତଙ୍କିତ ଥିଲେ ଓ କବାଟ କିଳି ଘରେ ରହିଥିଲେ । ଯେଉଁ ଭୟଂକର ରୂପ ଧାରଣ କରି ‘ଦାନା’ ଓଡ଼ିଶା ଉପକୂଳ ଆଡକୁ ମାଡି ଆସି ଥିଲା ତାହା ଯଦି ଶେଷ ପର୍ଯ୍ୟନ୍ତ ଅବ୍ୟାହତ ଥାଆନ୍ତା ତେବେ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟାଇ ଥାଆନ୍ତା, ଏଥିରେ କୌଣସି ସନ୍ଦେହ ନାହିଁ । ତେବେ, ଦୈବୀକୃପାରୁ ‘ଦାନା’ ଦୁଇ ପାଶ୍ୱର୍ରେ ସୃଷ୍ଟି ହୋଇଥିବା ଦୁଇଟି ଗୁରୁଚାପ (ଆଂଟିସାଇକ୍ଲୋନ) ମଧ୍ୟରେ ପେଶି ହୋଇ ପ୍ରଭାବ-ଶୂନ୍ୟ ହୋଇପଡିଲା ଏବଂ ଓଡ଼ିଶାର ତିନିଟି ଉପକୂଳବର୍ତ୍ତୀ ଜିଲ୍ଲାରେ ହିଁ ତାହାର ପ୍ରଭାବ ସୀମିତ ରହିଲା । ଭାଗ୍ୟକୁ ବାତ୍ୟା ଯାଇ ମାଡ ହେଲା କେନ୍ଦ୍ରପଡା ଜିଲ୍ଲା ଭିତରକନିକା ହାବେଳିଖଟି ନେଚର ପାର୍କ ହେନ୍ତାଳ ବଣରେ । ବାତ୍ୟା ପବନ, ବର୍ଷାର ପ୍ରଭାବ ରହିଲା କେନ୍ଦ୍ରପଡା, ଭଦ୍ରକ, ବାଲେଶ୍ୱର ଓ ମୟୁରଭଂଜ ଜିଲ୍ଲାରେ । ଏହି ବାତ୍ୟା ଓଡ଼ିଶା ଉପକୂଳର ୧୪ରୁ ୧୮ଟି ଜିଲ୍ଲାରେ ବିପର୍ଯ୍ୟୟ ଘଟାଇବ ବୋଲି ଆଶଙ୍କା କରି ରାଜ୍ୟ ସରକାର ତାହାର ମୁକାବିଲା ପାଇଁ ପ୍ରସ୍ତୁତ ଥିଲେ । ଗଂଜାମର ଗୋପାଳପୁରରୁ ପଶ୍ଚିମ ବଂଗର ଦୀଘା ପର୍ଯ୍ୟନ୍ତ ଆତଙ୍କର ବାତାବରଣ ରହିଥିଲା । ସରକାର ଏତେମାତ୍ରାରେ ଆତଙ୍କିତ ଥିଲେ ଯେ ପୁରୀ, କୋଣାର୍କ ବୁଲି ଆସିଥିବା ପର୍ଯ୍ୟଟକମାନଙ୍କୁ ମଧ୍ୟ ଦିନକୁ ଆଗରୁ ଘଉଡାଇ ଦେଇଥିଲେ । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଆତଙ୍କର ବାତାବରଣ ଥିଲା । କିନ୍ତୁ, ଭିତରକନିକା ନିକଟରେ ବାତ୍ୟା ଭୂ-ଭାଗ ଛୁଁଇ ତାହାର ପ୍ରଭାବକୁ ହେନ୍ତାଳ ବଣ ଭିତରେ ଛାଡି ପଳାଇ ଥିଲା । ପାଣିପାଗ ବିଜ୍ଞାନୀମାନେ କହିବା ଅନୁଯାୟୀ, ବାତ୍ୟା ଦାନା ଓଡ଼ିଶା ଉପକୂଳ ଆଡକୁ ମାଡି ଆସିବା ବେଳେ ଆରବ ସାଗରରେ ସୃଷ୍ଟି ହୋଇଥିବା ଗୁରୁଚାପ ତାହାର ଶକ୍ତିକେନ୍ଦ୍ରକୁ ଦୁର୍ବଳ କରିଥିଲା । ସେହିପରି, ପୂର୍ବଭାଗରେ ସୃଷ୍ଟି ହୋଇଥିବା ଏକ ଗୁରୁଚାପ ମଧ୍ୟ ବାତ୍ୟାର ବିସ୍ତାରକୁ ସଂକୁଚିତ କରି ଦେଇଥିଲା । ଏହି ଦୁଇଟି ଗୁରୁଚାପ ‘ଦାନା’କୁ ଗତିପଥ ବଦଳାଇବାକୁ ମଧ୍ୟ ସୁଯୋଗ ଦେଇନଥିଲେ । ଦୁଇଟି ଗୁରୁଚାପ କାରଣରୁ ‘ଦାନା’ର ଆଦ୍ରତା କମି ଯିବାରୁ ଓ ବାୟୁ-ଚଳନରେ ବିଭ୍ରାଟ ଘଟିବାରୁ ‘ଦାନା’ ଦୁର୍ବଳ ଅବସ୍ଥାରେ ଶୁକ୍ରବାର ଭୋର ସାଢେ ଗୋଟାଏରୁ ସାଢେ ୩ଟା ମଧ୍ୟରେ ଭିତରକନିକା ହାବେଳିଖଟି ନେଚର ପାର୍କ ସଂଲଗ୍ନ ୨୦୯ ବର୍ଗ କିମି ହେନ୍ତାଳ ବଣରେ ମାଡ ହେଲା ଏବଂ ଓଡ଼ିଶାବାସୀ ଏକ ବଡ ବିପର୍ଯ୍ୟୟରୁ ବର୍ତ୍ତିଗଲେ । ବାତ୍ୟା ଉପକୂଳ ଅତିକ୍ରମ କରିବା ସମୟରେ ପବନର ବେଗ ଘଂଟାକୁ ୧୧୦ରୁ ୧୨୦ କିମି ଥିଲେ ମଧ୍ୟ ହେନ୍ତାଳ ବଣ ଆଶ୍ଚର୍ଯ୍ୟଜନକ ଭାବେ ଏହାର ପ୍ରଭାବକୁ ସୀମିତ କରି ଦେଲା ବୋଲି ପାଣିପାଗ ବିଜ୍ଞାନୀମାନେ କହିଛନ୍ତି । ଦୈବୀକୃପାରୁ ଓଡିଶା ଉପକୂଳ ଏକ ଭୟଂକର ବିପର୍ଯ୍ୟୟକୁ ଏଡାଇ ଗଲା ଓ ବାତ୍ୟାର ପ୍ରଭାବ ସୀମିତ ଅଂଚଳରେ ରହିଲା ବୋଲି ପାଣିପାଗ ବିଜ୍ଞାନୀମାନେ ସ୍ପଷ୍ଟ ଭାବେ କହୁଥିବା ବେଳେ ବାତ୍ୟା ମୁକାବିଲାରେ ସଫଳତାକୁ ନେଇ ରାଜ୍ୟ ସରକାର ଶ୍ରେୟ ନେଉଥିବା ଅନେକଙ୍କୁ ବିସ୍ମିତ କରିଛି । ଅବଶ୍ୟ, ରାଜ୍ୟ ସରକାର ବାତ୍ୟା ଓଡ଼ିଶା ଉପକୂଳ ଛୁଇଁବା ପୂର୍ବରୁ ଆଠ ଳକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିସାରିଥିଲେ । ସେମାନଙ୍କ ଖାଦ୍ୟପେୟର ବ୍ୟବସ୍ଥା ମଧ୍ୟ କରିଥିଲେ । ଏନଡିଆରଏଫ, ଏସଡିଆରଏଫ, ତ୍ୱରିତ ଉଦ୍ଧାର କାର୍ଯ୍ୟ ପାଇଁ ରେସ୍କୁ୍ୟ ଟିମ୍ ଆଲର୍ଟ ରଖିଥିଲେ । କେନ୍ଦ୍ର ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରଣାଳୟ ସ୍ଥଳ ସେନା, ବାୟୁ ସେନା ଓ ନୌ-ସେନାକୁ ପ୍ରସ୍ତୁତ ରଖିଥିଲେ । ମୁଖ୍ୟମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ ଓ ଏସଆରସି ରାତି ଅନିଦ୍ରା ରହି ବାତ୍ୟା ଉପରେ ନଜର ରଖି ଥିଲେ । ବାତ୍ୟାରେ ପ୍ରଭାବିତ ହେବା ଆଶଙ୍କା ଥିବା ଜିଲ୍ଲାମାନଙ୍କରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ମୁତୟନ ଥିଲେ । ସରକାର ରାଜ୍ୟବାସୀଙ୍କୁ ଆଶ୍ୱସ୍ତ କରିଥିଲେ ଯେ ଯେତେ ବଡ ବିପର୍ଯ୍ୟୟ ହେଉନା କାହିଁକି ପରିସ୍ଥିତିର ମୁକାବିଲା କରିବାକୁ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ । ତେବେ, ‘ଦାନା’ ଦୁର୍ବଳ ଅବସ୍ଥାରେ ଓଡ଼ିଶା ଉପକୂଳ ଛୁଇଁ ହେନ୍ତାଳ ବଣରେ ହଜି ଗଲା । ରାଜ୍ୟ ସରକାରଙ୍କ ବଳ କଳିବାକୁ ସୁଯୋଗ ଦେଲାନି । ସରକାରଙ୍କ ସମସ୍ତ ପ୍ରସ୍ତୁତିକୁ ପାଣିଚିଆ ରହିଗଲା । ବଡ ବିପର୍ଯ୍ୟୟ ଘଟିଥିଲେ ସରକାରଙ୍କ ସାମଥ୍ୟ ଜଣାପଡି ଥା’ନ୍ତା । ତେବେ, ପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ସରକାରଙ୍କ ମର୍ଯ୍ୟାଦା ରହିଗଲା । ସରକାର କହୁଛନ୍ତି, ‘ଦାନା’ ବାତ୍ୟାରେ ଗୋଟିଏ ହେଲେ ମୃତ୍ୟୁ ଘଟିବାକୁ ଦିଆନଯିବା ହେଉଛି ସରକାରଙ୍କ ସବୁଠାରୁ ବଡ ସଫଳତା । ପୂର୍ବ ସରକାର ମଧ୍ୟ ସେହି ‘ଜିରୋ-କାଜୁଆଲିଟି’ ମନ୍ତ୍ର ଶୁଣାଉ ଥିଲେ । ତେବେ, ଗତ ୨୪ ବର୍ଷରେ ବିଭିନ୍ନ ବାତ୍ୟାରେ ବିଭିନ୍ନ କାରଣରୁ କିଛି କିଛି ମୃତ୍ୟୁ ଘଟିଛି । ‘ଦାନା’ ଯେଉଁ ଭୟଂକର ରୂପ ନେଇ ଓଡ଼ିଶା ଉପକୂଳକୁ ମାଡି ଆସୁଥିଲା ତାହା ଯଦି ଶେଷ ପର୍ଯ୍ୟନ୍ତ ଅବ୍ୟାହତ ଥାଆନ୍ତା ଓ ବାତ୍ୟା ହେନ୍ତାଳ ବଣରେ ମାଡ ନହୋଇ କୌଣସି ଜନବସତି ଥିବା ଅଂଚଳରେ ମାଡ ହୋଇଥା’ନ୍ତା ତେବେ ସରକାରଙ୍କ ‘ଶୂନ-ମୃତ୍ୟୁ’ ଶ୍ରେୟ ଗ୍ରହଣୀୟ ହୋଇଥା’ନ୍ତା । ‘ଦାନା’ ତାହା ହେବାକୁ ଦେଇନି । ମାଳିକା ଗଣନା ଅନୁଯାୟୀ ନଭେମ୍ବରରେ ଯଦି ସେଭଳି କିଛି ଭୟଂକର ବାତ୍ୟା ବା ଭୂମିକଂପ ପରିସ୍ଥିତି ହୁଏ ସରକାରଙ୍କୁ ‘ଶୂନ-ମୃତ୍ୟୁ’ର ଶ୍ରେୟ ହିଁ ମିଳୁ ବୋଲି ଆମେ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛୁ । ‘ଦାନା’ ବାତ୍ୟା ସମୟରେ ଆଉ ଗୋଟିଏ କଥା ଦେଖିବାକୁ ମିଳିଥିଲା । ତାହା ହେଉଛି, ସମ୍ଭାବ୍ୟ ବାତ୍ୟାକୁ ନେଇ ଗଣମାଧ୍ୟମରେ ଘନ ଘନ ଖବର ପରିବେଷଣ ସମୟରେ ଦେଖିବାକୁ ମିଳିଥିବା ଅସାଧୁ ପ୍ରତିଦ୍ୱନ୍ଦ୍ୱିତା । ଆଇଏମଡିରୁ ମିଳୁଥିବା ସୂଚନାକୁ ଆଧାର କରି ଗଣମାଧ୍ୟମରେ ବାତ୍ୟା ସଂପର୍କିତ ଖବର ପରିବେଷଣ ହେଉଥିଲା । ତେବେ, ପାଣିପାଗ ବିଜ୍ଞାନୀମାନେ ସମ୍ଭାବ୍ୟ ବାତ୍ୟାକୁ ନେଇ ଦେଉଥିବା ସୂଚନାକୁ ଗଣମାଧ୍ୟମ ପ୍ରତିନିଧିମାନେ ଠିକ୍ ଭାବେ ନବୁଝି ମାତ୍ରାଧିକ ଉତ୍ସାହର ସହ ତାହା ପରିବେଷଣ କରିବାରୁ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିଲା ଏବଂ ଅସାଧୁ ବ୍ୟବସାୟୀ ତାହାର ଫାଇଦା ନେଇଥିଲେ ବୋଲି ‘ଦାନା’ ଚାଲିଯିବା ପରେ ନୂଆ ବିତର୍କର ସୂତ୍ରପାତ ହୋଇଛି । ସମ୍ଭାବ୍ୟ ବାତ୍ୟା ସଂପର୍କିତ ଖବର ପରିବେଷଣ ବେଳେ ଗଣମାଧ୍ୟମ ପ୍ରତିନିଧିମାନେ କିଭଳି ସତର୍କତା ଅବଲମ୍ବନ କରିବା ଆବଶ୍ୟକ, ସେନେଇ ପାଣିଗପାଗ ବିଭାଗ କର୍ମଶାଳାମାନ ଆୟୋଜନା କରିବା ଉଚିତ ବୋଲି କିଛି ବିଶେଷଜ୍ଞ ଓ ସାମାଜିକ କର୍ମୀ ମତ ରଖିଛନ୍ତି । ସାମ୍ବାଦିକଙ୍କୁ ‘ବେଚାରା’ କୁହାଯିବା କଥାକୁ କିଛି ଗଣମାଧ୍ୟମ ସଂସ୍ଥା ପସନ୍ଦ କରିନାହାନ୍ତି । ତେବେ, ‘ଦାନା’ ପରେ ଗଣମାଧ୍ୟମରେ ବାତ୍ୟା ଖବର ପରିବେଷଣକୁ ନେଇ ପ୍ରଥମ ଥର ପାଇଁ ଏଭଳି ବିତର୍କର ବାତାବରଣ ସୃଷ୍ଟି ହୋଇଥିବାରୁ ଗଣମାଧ୍ୟମ ସଂସ୍ଥାମାନେ ଆଗକୁ ସଚେତନ ରହିବେ ବୋଲି ଆଶା କରାଯାଉଛି । ରାଜ୍ୟରେ ବର୍ଷକୁ ଥରେ ଅଧେ ବାତ୍ୟା ଆସୁଛି । ଯେଉଁ ଗଣମାଧ୍ୟମ ପ୍ରତିନିଧି ବାତ୍ୟା ସମୟରେ ବାତ୍ୟା ଖବର ପରିବେଷଣ ଦାୟିତ୍ୱରେ ରହୁଛନ୍ତି ବର୍ଷତମାମ ସେ ଅନ୍ୟାନ୍ୟ ଖବର ପରିବେଷଣ କରୁଥିବାରୁ କର୍ମଶାଳା ମାଧ୍ୟମରେ ସମସ୍ତ ସାମ୍ବାଦିକଙ୍କୁ ସଚେତନ କରାଗଲେ ହିଁ ବାତ୍ୟା ଖବର ପ୍ରସାରଣ ଠିକ୍ ବାଟରେ ଓ ଠିକ୍ ଢଙ୍ଗରେ ହୋଇପାରିବ । ଗଣମାଧ୍ୟମ ସଂସ୍ଥାମାନେ ‘ଦାନା’ ପରେ ଅନ୍ତତଃ ଏନେଇ ସଚେତନ ହୋଇଛନ୍ତି । ଏବେ, ସେମାନେ କି ପଦକ୍ଷେପ ନେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିବ ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS