ତମିଲ ରାଜନୀତିରେ ଆଉ ଜଣେ ସୁପରଷ୍ଟାର..
ପ୍ରସାଦ ରାଓ
ଅକ୍ଟୋବର ୩୦
ରାଜନୀତିରେ ବିଭିନ୍ନ ଭାଷାଭାଷୀ ଚିତ୍ର ତାରକା (ସୁପରଷ୍ଟାର)ଙ୍କ ଆବିର୍ଭାବ କିଛି କଥା ନୂଆ ନୁହେଁ । ବଲିଉଡର ଭିଷ୍ମ ପିତାମହ ଅମିତାଭ ବଚ୍ଚନ ଏକଦା ରାଜନୀତିରେ ପାଦ ଥାପି ଥିଲେ ମଧ୍ୟ ଫିଲ୍ମ ଭଳି ସଫଳତା ନପାଇ ରାଜନୀତିରୁ ଦୂରେଇ ଯାଇଥିଲେ । ତେବେ, ହେମାମାଳିନୀ, ଜୟପ୍ରଦା, ଜୟା ବଚ୍ଚନଙ୍କ ଭଳି ବଲିଉଡ ତାରକାମାନେ ଫିଲ୍ମ ଶିଳ୍ପ ଭଳି ରାଜନୀତିରେ ମଧ୍ୟ ସଫଳତା ପାଇଛନ୍ତି ଓ ଇଣ୍ଡଷ୍ଟ୍ରୀରେ ଅଛନ୍ତି । ହିନ୍ଦୀ ଫିଲ୍ମ ତାରକାଙ୍କ ତୁଳନାରେ ଦକ୍ଷିଣ ଭାରତୀୟ ଫିଲ୍ମ ତାରକାମାନେ ରାଜନୀତିରେ ଅଧିକ ସଫଳତା ପାଇଛନ୍ତି । ତାମିଲନାଡୁରେ ଏମଜିଆର ଭାବେ ପରିଚିତ ଏମ.ଜି.ରାମଚନ୍ଦ୍ରନ ଫିଲ୍ମ ଇଣ୍ଡଷ୍ଟ୍ରୀରୁ ରାଜନୀତିକୁ ଆସିଥିଲେ । ଡିଏମକେ ନେତା କେ.କରୁଣାନିଧୀ ମଧ୍ୟ ଜଣେ ପ୍ରତିଷ୍ଠିତ ତମିଲ ଅଭିନେତା ଥିଲେ । ସତୁରୀ ଦଶକରେ ଏମଜିଆର ଡିଏମକେରେ ବିଭାଜନ ଘଟାଇ ଏଆଇଏଡିଏମକେ ଗଠନ କଲେ ଏବଂ ଅଭିନେତ୍ରୀ ଜେ.ଜୟଲଳିତାଙ୍କ ନେତୃତ୍ୱରେ ଏଆଇଏଡିଏମକେ ତାମିଲନାଡୁରେ ଏକ ପ୍ରମୁଖ ରାଜନୈତିକ ଦଳ ହୋଇ ରହିଛି । ଏମଜିଆରଙ୍କ ନେତୃତ୍ୱରେ ପରିଚାଳିତ ଏହି ଦଳ ଜୟଲଳିତାଙ୍କ ଭଳି ଜଣେ ନିର୍ଭୀକ ରାଜନେତ୍ରୀଙ୍କୁ ସୃଷ୍ଟି କରି ପାରିଲା । ଜୟଲଳିତା ମୃତ୍ୟୁ ପର୍ଯ୍ୟନ୍ତ ତାମିଲନାଡୁ ମୁଖ୍ୟମନ୍ତ୍ରୀ ରହିଥିଲେ । ଦେଶର ଅନ୍ୟାନ୍ୟ ରାଜ୍ୟ ଭଳି ତାମିଲନାଡୁରେ ମଧ୍ୟ ବହୁଦଳୀୟ ରାଜନୀତି ଚାଲିଛି । ତେବେ, ଡିଏମକେ ଓ ଏଆଇଡିଏମକେ ହେଉଛନ୍ତି ଦୁଇ ପ୍ରମୁଖ ରାଜନୈତିକ ଦଳ, ଯିଏକି ରାଜ୍ୟ ରାଜନୀତିକୁ ନିୟନ୍ତ୍ରଣ କରୁଛନ୍ତି । ରାଜ୍ୟରେ ପାଂଚ ବର୍ଷ ଡିଏମକେ ଶାସନ ରହିଲେ ପରବର୍ତ୍ତୀ ପାଂଚ ବର୍ଷ ଏଆଇଏଡିଏକେ ଶାସନରେ ରହିବା ଏକପ୍ରକାର ପରଂପରା ହୋଇ ରହିଛି । ତେବେ, ଜୟଲଳିତାଙ୍କ ମୃତ୍ୟୁ ପରେ ଏଆଇଏଡିଏମକେ ପୂର୍ବ ଚମକ ହରାଇଛି । ବିରୋଧୀ ରାଜନୈତିକ ଦଳ ଭାବେ ନିଜର ସ୍ଥିତି ରକ୍ଷା ପାଇଁ ଦଳ ସଂଘର୍ଷ କରୁଛି । ଆନ୍ଧ୍ର ପ୍ରଦେଶରେ ମଧ୍ୟ ଜନପ୍ରୀୟ ତେଲୁଗୁ ସୁପରଷ୍ଟାର ଏନ.ଟି.ରାମାରାଓ (ଏନଟିଆର) ରାଜନୀତିରେ ପ୍ରବେଶ କରବା ପାଇଁ ତେଲୁଗୁ ଦେଶମ ପାର୍ଟି (ଟିଡିପି) ଗଠନ କରିଥିଲେ । ଆନ୍ଧ୍ର ପ୍ରଦେଶ ନିର୍ବାଚନ ରାଜନୀତିରେ ଟିଡିପିକୁ ବେଶ୍ ସଫଳତା ମିଳିଛି । ଏନଟିଆର ମୁଖ୍ୟମନ୍ତ୍ରୀ ମଧ୍ୟ ଥିଲେ । ଜୟଲଳିତାଙ୍କ ଭଳି ଏନଟିଆର ମଧ୍ୟ ଭାରତୀୟ ରାଜନୀତିରେ ଜଣେ ସୁପରିଚିତ ନେତା ହେବାରେ ସଫଳ ହୋଇଥିଲେ । ତେବେ, ଜ୍ୱାଇଁ ଏନ.ଚନ୍ଦ୍ରବାବୁ ନାଇଡୁଙ୍କ କଥିତ ବିଶ୍ୱାସଘାତକା କାରଣରୁ ଏନଟିଆର କ୍ଷମତା ହରାଇ ଥିଲେ । ଆଜି ଦିନରେ ତେଲୁଗୁ ଦେଶମ ପାର୍ଟି ଚନ୍ଦ୍ରବାବୁ ନାଇଡୁଙ୍କ ନିୟନ୍ତ୍ରଣରେ ରହିଛି । ଏନ.ଚନ୍ଦ୍ରବାବୁ ନାଇଡୁ ୨୦୧୯ ପର୍ଯ୍ୟନ୍ତ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଥିଲେ । ୱାଇଏସଆରସିପି ମୁଖ୍ୟ ୱାଇ.ଏସ.ଜଗନମୋହନ ରେଡ୍ଡୀ ୨୦୧୯ ବିଧାନସଭା ନିର୍ବାଚନରେ ଟିଡିପିକୁ ପରାଜିତ କରି ରାଜ୍ୟରେ କ୍ଷମତା ଦଖଲ କରିଥିଲେ । ତେବେ, ୨୦୨୪ ଆନ୍ଧ୍ର ବିଧାନସଭା ନିର୍ବାଚନରେ ଏନ. ଚନ୍ଦ୍ରବାବୁ ନାଇଡୁ ଜଗନମୋହନଙ୍କ ୱାଇଏସଆରସିପିକୁ ପରାଜିତ କରି ଟିଡିପିକୁ ପୁନଃ କ୍ଷମତାସୀନ କରିଛନ୍ତି । ଚନ୍ଦ୍ରବାବୁ ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ଗତ ବିଧାନସଭା ନିର୍ବାଚନରେ ଟିଡିପିର ପ୍ରମୁଖ ସହଯୋଗୀ ଭାବେ ନିର୍ବାଚନରେ ସାମିଲ ହୋଇଥିବା ଜନସେନା ପାର୍ଟିର ମୁଖ୍ୟ କେ.ପବନ କଲ୍ୟାଣ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ପବନ କଲ୍ୟାଣ ହେଉଛନ୍ତି ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣେ ସୁପରଷ୍ଟାର । ୨୦୨୪ ବିଧାନସଭା ନିର୍ବାଚନରେ ଆନ୍ଧ୍ର ବିଧାନସଭାର ୧୭୫ ଆସନରୁ ଟିଡିପି ୧୩୫ ଆସନରେ ବିଜୟୀ ହୋଇଥିବା ବେଳେ ସହଯୋଗୀ ଜନସେନା ପାର୍ଟି ୨୧ ଆସନରେ ବିଜୟୀ ହୋଇଛି । ୱାଇଏସଆର କଂଗ୍ରେସ ପାର୍ଟି ମାତ୍ର ୧୧ଟି ଓ ବିଜେପି ୦୮ଟି ଆସନ ପାଇଛି । ଚନ୍ଦ୍ରବାବୁ ନାଇଡୁ ଆଜି ଦିନରେ ଭାରତୀୟ ରାଜନୀତିରେ ଜଣେ ପ୍ରମୁଖ ଚେହେରା । ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ୨୪୦ ଆସନରେ ସୀମିତ ରହିବା ଫଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ରରେ ଏନଡିଏ ସରକାର ପ୍ରତିଷ୍ଠା ପାଇଁ ଚନ୍ଦ୍ରବାବୁଙ୍କ ଟିଡିପି ଓ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜେଡିୟୁର ସାହାରା ନେଇଛି । ତେଣୁ, ଭାରତୀୟ ରାଜନୀତିରେ ଚନ୍ଦ୍ରବାବୁ ଓ ନୀତୀଶଙ୍କ ଗୁରୁତ୍ୱ ବଢି ଯାଇଛି । ଚନ୍ଦ୍ରବାବୁ ତେଲୁଗୁ ସିନେମା ଶିଳ୍ପରୁ ଆସି ନଥିଲେ ମଧ୍ୟ ଜଣେ ବିଚକ୍ଷଣ ରାଜନେତା ଭାବେ ନିଜକୁ ପ୍ରମାଣିତ କରିସାରିଛନ୍ତି । ତେବେ, ଟିଡିପିର ଇତିହାଶକୁ ନେଇ ଆଲୋଚନା ହେଲେ ଏନଟିଆରଙ୍କୁ କେହି ବାଦ ଦେଇ ପାରିବ ନାହିଁ । ୨୦୨୬ରେ ତାମିଲନାଡୁ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଆଉ ଜଣେ ଦକ୍ଷିଣ ଭାରତୀୟ ସୁପରଷ୍ଟାର ଏବେ ଚର୍ଚ୍ଚାକୁ ଆସିଛନ୍ତି । ସେ ହେଉଛନ୍ତି, ତମିଲ ଫିଲ୍ମ ଇଣ୍ଡଷ୍ଟ୍ରୀ ତଥା ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀର ସୁପରିଚିତ ଅଭିନେତା ଥାଲାପାତି ବିଜୟ (୫୦) । ନିକଟରେ ସେ ନିଜର ଏକ ଆଂଚଳିକ ରାଜନୈତିକ ଦଳ ଗଠନ କରି ଆନୁଷ୍ଠାନିକ ଭାବେ ତାମିଲନାଡୁ ରାଜନୀତିରେ ପ୍ରବେଶ କରିଛନ୍ତି । ଦଳର ନାମ ରଖିଛନ୍ତି ‘ତାମିଲାଗା ଭେତ୍ରୀ କାଗଜମ୍’ । ଗତ ରବିବାର ଦିନ ସେ ତାମିଲନାଡୁ ଭିଲ୍ଲୁପୁରମ ଜିଲ୍ଲା ଭିକ୍ରାବନ୍ଦୀଠାରେ ବିରାଟ ଜନସଭାରେ ଉଦବୋଧନ ଦେଇ ଆନୁଷ୍ଠାନିକ ଭାବେ ରାଜନୀତିରେ ପ୍ରବେଶ ଘୋଷଣା କରିଥିଲେ । ତାମିଲନାଡୁର ଦୁଇ ପ୍ରମୁଖ ରାଜନୈତିକ ଦଳ ଡିଏମକେ ଓ ଏଆଇଏଡିଏମକେ ବର୍ଷ ବର୍ଷ ଧରି ରାଜ୍ୟକୁ ଶାସନ କରୁଥିବା ବେଳେ ଟିଭିକେ (ତାମିଲାଗା ଭେତ୍ରୀ କାଗଜମ୍) ତୃତୀୟ ପ୍ରମୁଖ ଆଂଚଳିକ ରାଜନୈତିକ ଦଳ ଭାବେ ଉଭା ହେବ ବୋଲି ଆଲୋଚନା ଆରମ୍ଭ ହୋଇଛି । ଥାଲାପାତି ବିଜୟ ତାଙ୍କ ରାଜନୈତିକ ଆଭିମୁଖ୍ୟ ମଧ୍ୟ ସ୍ପଷ୍ଟ କରିଛନ୍ତି । ତାମିଲନାଡୁରେ କ୍ଷମତାରେ ଥିବା ଡିଏମକେ ‘ଦ୍ରାବିଡିଆନ୍ ମଡେଲ୍’ ନାମରେ ପରିବାରିକ ଶାସନ ଚଳାଇଛି ଓ ଫାସିବାଦର ପ୍ରସାର କରିବା ସହ ଭିତିରି କାରବାର ମାଧ୍ୟମରେ ରାଜ୍ୟକୁ ଲୁଟୁଛି । ସଂଖ୍ୟାଲଘୁ ଦ୍ରାବିଡିୟ ଗୋଷ୍ଠୀକୁ ଠକୁ ଥିବାରୁ ଡିଏମକେ ହେଉଛି ତାଙ୍କ ଦଳର ପ୍ରଥମ ଶତୃ ବୋଲି ବିଜୟ କହିଛନ୍ତି । ସେହିଭଳି, ସେ ବିଜେପିକୁ ମଧ୍ୟ ସମାଲୋଚନା କରିଛନ୍ତି । ବିଜେପିକୁ ପରୋକ୍ଷରେ ଆକ୍ଷେପ କରିବାକୁ ଯାଇ ଥାଲାପାତି ବିଜୟ କହିଛନ୍ତି, ଘୃଣା ଓ ବିଭେଦ ସୃଷ୍ଟିକାରୀ ହେଉଛନ୍ତି ଟିଭିକେର ଚରମ ଶତୃ । ରାଜନୀତିରେ ଶିଷ୍ଟାଚାର ଓ ଶାଳୀନତା ରକ୍ଷା ପାଇଁ ସେ ପ୍ରତିଶ୍ରୁତିବଦ୍ଧ । ଅର୍ଥ ନୁହେଁ, ଗୋଟିଏ ଉଦ୍ଦେଶକୁ ଆଖିରେ ରଖି ତାଙ୍କ ସମାବେଶରେ ଏତେ ସଂଖ୍ୟାରେ ଲୋକଙ୍କ ଉପସ୍ଥିତି ରହିଛି । ସେ ପଛକୁ ଫେରି ଚାହିଁବା ପ୍ରଶ୍ନ ଉଠୁନାହିଁ । ବିଜେପି ତାଙ୍କର ଆଦର୍ଶଗତ ବିରୋଧୀ ହୋଇଥିବା ବେଳେ ଡିଏମକେ ରାଜନୈତିକ ବିରୋଧୀ ବୋଲି ଥାଲାପାତି କହିଛନ୍ତି । ‘ମୁଁ ତାମିଲନାଡୁ ପାଇଁ ଏକ୍ସଟ୍ରା ଲଗେଜ ନୁହେଁ, ଏକ ପ୍ରମୁଖ ରାଜନୈତିକ ଶକ୍ତି ହେବାକୁ ଚାହୁଁଛି’ ବୋଲି ବିଜୟ ଘୋଷଣା କରିଛନ୍ତି । ତାଙ୍କ ଦଳ ପେରାୟାରଙ୍କ ନୀତିକୁ ଅନୁସରଣ କରିବ, ସାମାଜିକ ନ୍ୟାୟ ଓ ମହିଳା ସଶକ୍ତୀକରଣକୁ ଗୁରୁତ୍ୱ ଦେବ ଏବଂ ୨୦୨୬ ନିର୍ବାଚନରେ ରାଜ୍ୟର ସମସ୍ତ ୨୩୪ ଆସନରେ ପ୍ରାର୍ଥୀ ଦେବ ବୋଲି ବିଜୟ କହିଛନ୍ତି । ଥାଲାପାତି ବିଜୟ ୨୦୨୪ ଫେବୃୟାରୀରେ ତାଙ୍କର ନୂତନ ରାଜନୈତିକ ଦଳ ଗଠନ କରିଥିଲେ । କରି ତାହାର ସଭାପତି ରହିଛନ୍ତି । ଏମଜିଆର, ଜେ.ଜୟଲଳିତା, କମଲ ହାସନ, ବିଜୟକାନ୍ତଙ୍କ ଭଳି ସେଲିବ୍ରିଟି ଅଭିନେତାଙ୍କ ପରେ ଥାଲାପାତି ବିଜୟ ଡିଏମକେ ଓ ଏଆଇଏଡିଏମକେ ବିରୋଧୀ ରାଜନୀତିରେ ସାମିଲ ହୋଇଛନ୍ତି । ରାଜ୍ୟରେ ଡିଏମକେ-ଏଆଇଏଡିଏମକେର ମିଳିତ ଭୋଟ ସେୟାର ଚାରି ତୃତୀୟାଂଶ ଥିବା ବେଳେ ବାକି ଏକ ତୃତୀୟାଂଶ ଭୋଟ ସେୟାର ଉପରେ ଅନ୍ୟ ଦଳଙ୍କ ଆଖି ରହି ଆସିଛି । ଡିଏମକେ-ଏଆଇଏଡିଏମକେ ଭୋଟ ସେୟାରରେ ଧସେଇ ପଶିବାକୁ ଅତୀତରେ ଅନ୍ୟମାନେ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇ ନାହାନ୍ତି । ବିଜେପି ମଧ୍ୟ ତାମିଲନାଡୁରେ ପ୍ରବେଶ ଉଦ୍ୟମ କରି ଏପର୍ଯ୍ୟନ୍ତ ସଫଳତା ପାଇ ନାହିଁ । ତେବେ, ୨୦୨୪ ଲୋକସଭା ନିର୍ବାଚନରେ ଏନଡିଏ ୧୮.୨୭ ପ୍ରତିଶତ ଭୋଟ ସେୟାର ପାଇ କିଛି ନିର୍ବାଚନ ମଣ୍ଡଳୀରେ ଏଆଇଏଡିଏମକେକୁ ଦ୍ୱିତୀୟରୁ ତୃତୀୟ ସ୍ଥାନକୁ ଖସାଇ ପାରିଛି । ୨୦୦୫ରେ କ୍ୟାପଟେନ ବିଜୟକାନ୍ତ ‘ଦେଶିୟା ମୁରପୋକୁ ଦ୍ରବିଡ କାଝଗମ୍’ (ଡିଏମଡିକେ) ନାମକ ଏକ ରାଜନୈତିକ ଦଳ ଗଠନ କରି ଭାଗ୍ୟ ପରୀକ୍ଷା କରିଥିଲେ ମଧ୍ୟ ସଫଳ ହୋଇନଥିଲେ । ତମିଲ ଓ ବଲିଉଡର ସୁପରଷ୍ଟାର କମଲ ହାସନ ମଧ୍ୟ ଡିଏମକେ ଓ ଏଆଇଏଡିଏମକେ ବିରୋଧରେ ୨୦୧୮ରେ ‘ମାକ୍କାଲା ନେଧି ମାଇଆମ’ (ଏମଏନଏମ) ନାମକ ଏକ ରାଜନୈତିକ ଦଳ ଗଠନ କରି ତାମିଲନାଡୁରେ ନିଜର ଭାଗ୍ୟ ପରୀକ୍ଷା କରିଥିଲେ । ସେ ମଧ୍ୟ ରାଜ୍ୟ ରାଜନୀତିରେ ସେଭଳି କିଛି ପ୍ରଭାବ ପକାଇ ପାରି ନାହାନ୍ତି । ଏବେ, ଥାଲାପାତି ବିଜୟ ଦ୍ରାଭିଡିଆନ ଆଇକନ୍ ଇ.ଭି.ରାମସାମୀ ପେରିୟାର, ପୂର୍ବତନ ମୁଖ୍ୟମନ୍ତ୍ରୀ କେ.କାମରାଜ ଓ ଭାରତୀୟ ସମ୍ବିଧାନର ସ୍ରଷ୍ଟା ବି.ଆର.ଆମ୍ବେଦକରଙ୍କୁ ଆଦର୍ଶ ମାନି ନୂଆ ରାଜେନ÷ତିକ ଦଳ ଆରମ୍ଭ କରିଛନ୍ତି । ତେବେ, ୨୦୨୬ରେ ସେ କେତେ ସଫଳତା ପାଇବେ ତାହା ନିର୍ବାଚନ ପରେ ଜଣାପଡିବ । ତେବେ, ଭାରତୀୟ ରାଜନୀତିରେ ଆଉ ଜଣେ ସୁପରଷ୍ଟାରଙ୍କ ପ୍ରବେଶ ହେଲା, ଏଥିରେ କିଛି ସନ୍ଦେହ ନାହିଁ । ବିଜୟ ଏନଟିଆର, ଜୟଲଳିତାଙ୍କ ଭଳି ସଫଳତା ପାଇବେ କି କମଳ ହାସନଙ୍କ ଭଳି ବିଫଳ ହେବେ – ତାହା ସମୟ କହିବ ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS