ଦିୱାଲୀ କନ୍ଫ୍ୟୁଜନ୍…


ପ୍ରସାଦ ରାଓ / ଅକ୍ଟୋବର ୩୧
ଦୀପାବଳୀ ଅବସରରେ ବଲିଉଡ୍ ସୁପରଷ୍ଟାର ସଲମନ ଖାନଙ୍କ ଏକ ହିନ୍ଦୀ ଡାଏଲଗ୍ ମନେ ପଡୁଛି । ଚରିତ୍ର ଅଭିନେତାଙ୍କୁ ସଲମନ କହୁଛନ୍ତି, ‘ମୁଁ ଗୁଳି ଫୁଟାଇ ଆଗ ଓ ପଛରେ ଏତେ କଣା କରିବି ଯେ ନିଶ୍ୱାସ କେଉଁ ଆଡୁ ନେବ କନ୍ଫ୍ୟୁଜ୍ ହୋଇଯିବ’ । ଆଜି ସେହି ଡାଏଲଗ୍ କୁ ମନେ ପକାଇବା କାରଣ ହେଉଛି, ଆମ ଓଡ଼ିଆ ପାଂଜିକାରମାନେ ପାଂଜି ପ୍ରସ୍ତୁତି ସମୟରେ ଏମିତି ବିଭ୍ରାନ୍ତି ସୃଷ୍ଟି କରିଛନ୍ତି ଯେ ଦୀପାବଳି ଅକ୍ଟୋବର ୩୧ରେ ପାଳିବେ କି ନଭେମ୍ବର ୦୧ରେ – ସେନେଇ କନ୍ଫ୍ୟୁଜ୍ ଅଛନ୍ତି । ‘କନ୍ଫୁ୍ୟଜ୍’ ଏକ ଇଂରାଜୀ ଶବ୍ଦ ହୋଇଥିଲେ ମଧ୍ୟ ସଲମନ ଖାନଙ୍କ ଡାଏଲଗ୍ କୁ ପାଠକଙ୍କ ସାମ୍ନାରେ ରଖିବାକୁ ଏଠି ତାହାର ବ୍ୟବହାର କରାଯାଇଛି । ସାଧାରଣତଃ ନୂଆ ବର୍ଷ ଆରମ୍ଭରୁ ବିଭିନ୍ନ ଗଣନାକାରୀ ସଂସ୍ଥା ସେମାନଙ୍କ ନୂଆ ପାଂଜି ବଜାରକୁ ବିକ୍ରି ପାଇଁ ଛାଡି ଥା’ନ୍ତି । ଡିସେମ୍ବର ବେଳକୁ ବଜାରକୁ ପାଂଜି ଆସିବା ଆରମ୍ଭ ହୋଇଯାଏ ଏବଂ ନୂଆ ବର୍ଷରେ ବିଭିିନ୍ନ ପର୍ବ ପର୍ବାଣୀ କେବେ ପଡୁଛି ଜାଣିବା ଆଗ୍ରହରେ ଲୋକମାନେ ପାଂଜି କିଣି ଥା’ନ୍ତି । ଅନେକ ବର୍ଷ ସାରାର ରାଶି ଫଳ ଜାଣିବାକୁ ନୂଆ ପାଂଜି କିଣିଥା’ନ୍ତି । ତେବେ, ଏପ୍ରିଲ ୧୪ରେ ଓଡ଼ିଆ ନବ ବର୍ଷ ପାଳନ ଅବସରରେ ପୁରୀ ଶ୍ରୀମନ୍ଦିର ମୁକ୍ତିମଣ୍ଡପ ଦ୍ୱାରା ଅନୁମୋଦିତ ଓଡ଼ିଆ ପାଂଜି ବଜାରକୁ ଆସିଥାଏ । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତାହାର ପୂଜା କରାଯାଇ ସର୍ବସାଧାରଣଙ୍କ ପାଇଁ ବଜାରକୁ ଛଡାଯାଏ । ବର୍ଷ ଆରମ୍ଭରୁ ବଜାରକୁ ଆସିଥିବା ପାଂଜି ଓ ଓଡ଼ିଆ ନବ ବର୍ଷ ଅବସରରେ ଶ୍ରୀଜଗନ୍ନାଥଙ୍କ ନିକଟରେ ପୂଜା ହୋଇ ବଜାରକୁ ଆସିଥିବା ପାଂଜି ମଧ୍ୟରେ ମେଳ ଥିଲେ ଦ୍ୱନ୍ଦ୍ୱର କୌଣସି ଅବକାଶ ନଥାଏ । ତେବେ, ମେଳ ନ ଖାଇଲେ ହିଁ ବିଭ୍ରାନ୍ତି ଆରମ୍ଭ ହୁଏ । ଲୋକେ କନ୍ଫ୍ୟୁଜ୍ ହୁଅନ୍ତି । କେବେ କେଉଁ ପର୍ବ ପାଳିବେ ସେନେଇ ଦ୍ୱନ୍ଦ୍ୱରେ ପଡିଯା’ନ୍ତି । ଦ୍ୱନ୍ଦ୍ୱ ସୃଷ୍ଟି କରିଥିବା ପଂଜିକାର ପ୍ରସ୍ତୁତକାରୀମାନେ ପୁରୀ ଶ୍ରୀମନ୍ଦିର ମୁକ୍ତିମଣ୍ଡପ ଦ୍ୱାରା ଧାର୍ଯ୍ୟ ତାରିଖକୁ ଚ୍ୟାଲଂଜ କରିବାର ଅତୀତରେ ଅନେକ ନଜିର ରହିଛି । ଚଳିତ ବର୍ଷ ଦୁର୍ଗାପୂଜା ଭଳି ଅନେକ ଓଡ଼ିଆ ପର୍ବପର୍ବାଣୀ ତାଳରିଖକୁ ନେଇ ଏଭଳି ଦ୍ୱନ୍ଦ୍ୱ ଉପୁଜି ଥିଲା । ଏବେ, ବର୍ଷ ସରି ଆସୁଥିବା ଦୀପାବଳୀକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି । କିଛି ପାଂଜିକାର ଅକ୍ଟୋବର ୩୧ରେ ଅମାବାସ୍ୟା ଓ ପୟାଶ୍ରଦ୍ଧ ବୋଲି ଗଣନା କରି ପାଂଜିରେ ପ୍ରକାଶ କରିଥିବା ବେଳେ ଆଉ କିଛି ନଭେମ୍ବର ୦୧ ତାରିଖରେ ଦୀପାବଳୀ ଅମାବାସ୍ୟା ବୋଲି ଗଣନା କରିଛନ୍ତି । ତେଣୁ, ଏହାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିଲା । ଦିନକ ତଳେ ପୁରୀ ଶ୍ରୀମନ୍ଦିର ମୁକ୍ତିମଣ୍ଡପ ଏହି ଦ୍ୱନ୍ଦ୍ୱ ଦୂର କରିବାକୁ ଯାଇ ଅକ୍ଟୋବର ୩୧ ତାରିଖରେ ଶ୍ୟାମାକାଳୀ ପୂଜା ଓ ନଭେମ୍ବର ୦୧ ତାରିଖରେ ଅମାବାସ୍ୟା ବୋଲି ସୂଚନା ଦେଇଛନ୍ତି । ଅମାବାସ୍ୟାରେ ପିତୃପୁରୁଷଙ୍କୁ ପୟାଶ୍ରାଦ୍ଧ ଦିଆଯାଇଥାଏ । ତେଣୁ, କେଉଁ ଦିନ ପୟାଶ୍ରାଦ୍ଧ ଦେବାକୁ ହେବ – ସେନେଇ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଥିଲା । ପାଂଜି ବିଭ୍ରାଟରୁ ଗୋଟିଏ କଥା ସ୍ପଷ୍ଟ ହେଉଛି, ଏହାକୁ ପ୍ରସ୍ତୁତ କରୁଥିବା ବିଭିନ୍ନ ସଂସ୍ଥାର ଗଣନାକାରଙ୍କ ମଧ୍ୟରେ ସମନ୍ୱୟର ଘୋର ଅଭାବ ରହିଛି । ଫଳରେ, ଭିନ୍ନ ଭିନ୍ନ ପାଂଜିରେ ଭିନ୍ନ ଭିନ୍ନ ଗଣନା ରହୁଛି ଓ ତୃଟି-ଯୁକ୍ତ ତଥ୍ୟ ସାଧାରଣ ଲୋକଙ୍କୁ ବିଭ୍ରାନ୍ତି କରୁଛି । ପାଂଜି ପ୍ରସ୍ତୁତି କରୁଥିବା ଗଣନାକାରୀ ସଂସ୍ଥାଙ୍କ ଉପରେ ସରକାରଙ୍କ କୌଣସି ନିୟନ୍ତ୍ରଣ ନାହିଁ । ତେଣୁ, ବଜାରରେ ମିଳୁଥିବା ପାଂଜିକୁ ଭରସା କରି ଓଡ଼ିଶା ସରକାର ଅକ୍ଟୋବର ୩୧କୁ ସରକାରୀ ଛୁଟି ଘୋଷଣା କରିଛନ୍ତି । ତାହା ମଧ୍ୟ ଦୀପାବଳି ଛୁଟି । ପରେ, ପୁରୀ ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପଣ୍ଡିତମାନଙ୍କ ଆଡୁ ସ୍ପଷ୍ଟ ସୂଚନା ଆସିଛି । ନଭେମ୍ବର ୦୧ ତାରିଖରେ ଦୀପାବଳି ଅମାବାସ୍ୟା । ତାହା ମଧ୍ୟ ସନ୍ଧ୍ୟା ୦୬ଟା ଯାଏଁ ରହୁଛି । ସେହି ସମୟ ସୀମା ମଧ୍ୟରେ ପିତୃପୁରୁଷଙ୍କୁ ପୟାଶ୍ରାଦ୍ଧ ଦେଇ ହେବ ବୋଲି ମୁକ୍ତିମୁଣ୍ଡପ ପଣ୍ଡିତମାନେ କହିଛନ୍ତି । ଆଜି ଛୁଟି ପାଇଥିବା ସରକାରୀ କର୍ମଚାରୀଙ୍କ ପ୍ରଶ୍ନ ହେଉଛି, ଦୀପାବଳି ଓ ପୟାଶ୍ରାଦ୍ଧ ଯଦି ନଭେମ୍ବର ୦୧ ତାରିଖରେ ପଡୁଛି ରାଜ୍ୟ ସରକାର ଅକ୍ଟୋବର ୩୧ରେ ଦୀପାବଳି ଛୁଟି ଦେଲେ କାହିଁକି ? ଦୁର୍ଗାପୂଜାରେ ମଧ୍ୟ ସେଭଳି ଦ୍ୱନ୍ଦ୍ୱ ଉପୁଜି ଥିଲା । ପାଂଜି ଗଣନା ତୃଟିକୁ ନେଇ ମୁକ୍ତିମଣ୍ଡପ ପଣ୍ଡିତଙ୍କ ମତ ହେଉଛି, ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନୀତିକାନ୍ତି ସୂଯ୍ୟୋଦୟ ଆଧାରରେ ହୋଇଥାଏ । ସୂର୍ଯେ୍ୟାଦୟ ପରରୁ ଯେଉଁ ତିଥି, ନକ୍ଷତ୍ର ରହିଥାଏ ସେହି ତିଥି, ନକ୍ଷତ୍ର ଅନୁସାରେ ମହାପ୍ରଭୁଙ୍କ ସେବାପୂଜା ହୋଇଥାଏ । ଦୀପାବଳି ଅମାବାସ୍ୟା ନୀତିକାନ୍ତି ମଧ୍ୟ ସେହି ଆଧାରକୁ ନେଇ ଚୂଡାନ୍ତ ହୋଇଛି । କିଛି ଗଣକ ମହାପ୍ରଭୁଙ୍କ ତିଥି, ନକ୍ଷତ୍ର ଓ ନୀତିକାନ୍ତି ନମାନି ପାଂଜି ପ୍ରସ୍ତୁତ କରୁଥିବା କାରଣରୁ ବିଭ୍ରାନ୍ତି ସୃଷ୍ଟି ହେଉଛି, ଯାହାକି ମହାପାପ । ନଭେମ୍ବର ୦୧ ତାରିଖରେ ଅମାବାସ୍ୟା ପଡୁଥିବା ବେଳେ କିଛି ପାଂଜିକାର ପାଂଜି ଗଣନାରେ ତୃଟି କରି ଅକ୍ଟୋବର ୩୧ରେ ଦୀପାବଳି ପଡୁଛି ବୋଲି ସେମାନଙ୍କ ପାଂଜିରେ ଦର୍ଶାଇ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରିଥିଲେ । ପାଂଜିରେ ତୃଟି ରହିବା ଅମଂଗଳ । ତେଣୁ, ଶ୍ରୀମନ୍ଦିର ପ୍ରଶାସନ ଆଗାମୀ ଦିନରେ ପାଂଜିକାରଙ୍କୁ ନେଇ ସମନ୍ୱୟ ବୈଠକ କରିବା ସହ ନିଜେ ପାଂଜି ପ୍ରସ୍ତୁତ କରୁ ବୋଲି ଅନେକ ଶ୍ରୀମନ୍ଦିର ପଣ୍ଡିତ ପରାମର୍ଶ ଦେଇଛନ୍ତି । ଗୋଟି ମାସ ପରେ ୨୦୨୫ ନୂଆ ବର୍ଷ ଆସିବ । ତାହା ପୂର୍ବରୁ ପୁରୀ ଶ୍ରୀମନ୍ଦିର ପ୍ରଶାସନ ଆଗାମୀ ବର୍ଷର ପାଂଜି ପ୍ରସ୍ତୁତିକୁ ନେଇ କିଭଳି ସତର୍କତା ଅବଲମ୍ବନ କରୁଛନ୍ତି ତାହା ଆଗକୁ ଜଣାପଡିବ । ତେବେ, କିଛି ମନୁଆ ପାଂଜିକାର ଅଛନ୍ତି ଯେଉଁମାନେ କି ସମନ୍ୱୟ କମିଟି ବୈଠକରେ ଯୋଗ ଦେଇ ମଧ୍ୟ ନିଜ ନିଜ ଗଣନାକୁ ଭରସା କରି ନୂଆ ବର୍ଷ ପାଂଜି ପ୍ରସ୍ତୁତ କରିଥା’ନ୍ତ । ତାହା ବିଭ୍ରାନ୍ତିକର ବୋଲି ଜଣାପଡିଲେ ନିଜ ଗଣନା ସପକ୍ଷରେ ଯୁକ୍ତି ଉପସ୍ଥାପନ କରି ଅନ୍ୟାନଙ୍କୁ ଭୁଲ ପ୍ରମାଣିତ କରିବାକୁ ଉଦ୍ୟମ କରିଥା’ନ୍ତି । ଅତୀତରେ ଏଳି ବାଦବିବାଦ ଦେଖିବାକୁ ମିଳିଛି । ମୁକ୍ତିମଣ୍ଡପ ପଣ୍ଡିତଙ୍କୁ ମଧ୍ୟ ଚ୍ୟାଲେଂଜ କରାଯାଇଛି । ଚଳିତ ବର୍ଷ ଦୀପାବଳ ଅମାବାସ୍ୟାକୁ ନେଇ ଯେଉଁ ଦ୍ୱନ୍ଦ୍ୱ ସୃଷ୍ଟି କରାଯାଇଛି ତାହା କେବଳ ସାଧାରଣ ଜନତାକୁ ବିଭ୍ରାନ୍ତ କରି ନାହିଁ, ଏଥି ସହିତ ଯୋଡି ହୋଇଥିବା ବ୍ୟବସାୟକୁ ମଧ୍ୟ କିଛିମାତ୍ରାରେ ପ୍ରଭାବିତ କରିଥବା ଆଲୋଚନା ହେଉଛି । ସଲମାନ ଖାନଙ୍କ ଡାଏଲଗ୍ ଭଳି ଏହି ଅମାନିଆ ପାଂଜିକାରମାନେ ପାଂଜି ପ୍ରସ୍ତୁତିରେ ଏତେ କଣା କରିଛନ୍ତି ଯେ ଲୋକ କାହାକୁ ବିଶ୍ୱସ କରିବେ, କାହାକୁ ଛାଡିବେ ଶେଷ ଯାଏଁ ଦ୍ୱନ୍ଦ୍ୱରେ ହିଁ ଅଛନ୍ତି । ଅବଶ୍ୟ, ପୁରୀ ଶ୍ରୀମନ୍ଦିର ମୁକ୍ତମଣ୍ଡପ ଶ୍ରୀମନ୍ଦିରରେ ଅକ୍ଟୋବର ୩୧ ନୁହେଁ, ନଭେମ୍ବର ୦୧ ତାରିଖରେ ଦୀପାବଳି ଅମାବାସ୍ୟା ପାଳନ ହେବ ବୋଲି ସ୍ପଷ୍ଟ କରିବା ପରେ ଅକ୍ଟୋବର ୩୧ରେ ଦୀପଦାନ, ପିତୃପୁରୁଷ ଶ୍ରାଦ୍ଧ ଓ ବାଣଫୁଟା ପାଇଁ ପ୍ରସ୍ତୁତି ସାରି ଦେଇଥିବା ଲୋକମାନେ ନଭେମ୍ବର ୦୧ ତାରିଖରେ ତାହା ପାଳିବାକୁ ନିର୍ଣ୍ଣୟ ନେଇଛନ୍ତି । ଆଉ ଦୀପାବଳି ବାଣଫୁଟା, ସପ୍ତାହେ ପୂର୍ବରୁ ଢୋ ଢୋ ବାଣ ଫୁଟିବା ଆରମ୍ଭ ହୋଇସାରିଛି । ଦିପାବଳୀ ଅମାବାସ୍ୟା ଅକ୍ଟୋବର ୩୧ ହେଉ ବା ନଭେମ୍ବର ୦୧ – ତାହା ବାଣଫୁଟାରେ କିଛି ଫରକ ପକାଉ ନାହିଁ । ୩୧ରେ ବାଣଫୁଟା ଓ ନଭେମ୍ବର ୦୧ରେ ପିତୃଶ୍ରାଦ୍ଧ- ଏହାକୁ ଅମାନିଆମାନେ ମଧ୍ୟ ଗ୍ରହଣ କରି ନେଇଛନ୍ତି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS