ଦୁଇ ଦିନ ଦୀପାବଳି, କେହି ମାନିଲେନି ସରକାରୀ ନିର୍ଦେଶାବଳୀ !


ପ୍ରସାଦ ରାଓ
ଭୁବନେଶ୍ୱର,୦୨/ନଭେମ୍ବର
ଚଳିତ ବର୍ଷର ଦୀପାବଳି ବେଶ୍ ଦ୍ୱନ୍ଦ୍ୱାତ୍ମକ ବାତାବରଣ ଭିତରେ ଶେଷ ହୋଇଛି । କିଛି ପାଂଜିକାର ଅକ୍ଟୋବର ୩୧ ତାରିଖରେ ଦୀପାବଳି ଦର୍ଶାଇ ପଂଜିକା ପ୍ରସ୍ତୁତ କରିଥିବା ବେଳେ ଅନ୍ୟ କିଛି ପାଂଜିକାର ନଭେମ୍ବର ୦୧ ତାରିଖରେ ଦୀପାବଳି ପଡୁଥିବା ଦର୍ଶାଇ ପାଂଜି ପ୍ରସ୍ତୁତ କରିଥିଲେ । ଫଳରେ, ରାଜ୍ୟରେ ଦୀପାବଳୀ ପାଳନକୁ ନେଇ ଦ୍ୱନ୍ଦ୍ୱାତ୍ମକ ବାତାବରଣ ସୃଷ୍ଟି ହୋଇଥିଲା । ପୁରୀ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ନଭେମ୍ବର ୦୧ରେ ଦୀପାବଳି ଅମାବାସ୍ୟା ନୀତିକାନ୍ତି ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ଓ ମୁକ୍ତିମଣ୍ଡପ ପଣ୍ଡିତମାନେ ଘୋଷଣା କରିବା ପରେ ଆଶା କରାଯାଇଥିଲା ଏହି ବିବାଦର ଅବସାନ ଘଟିବ । କିନ୍ତୁ, ରାଜ୍ୟର ବିଭିନ୍ନ ଅଂଚଳରେ ଅକ୍ଟୋବର ୩୧ ଓ ନଭେମ୍ବର ୦୧ ତାରିଖ ଦୁଇ ଦିନ ଧରି ଦୀପାବଳି ପାଳନ ହେଲା । ରାଜ୍ୟର ବହୁ ଅଂଚଳରେ ଅକ୍ଟୋବର ୩୧ ତାରିଖରେ ପିତୃପୁରୁଷଙ୍କ ପୟାଶ୍ରାଦ୍ଧ ଓ ଦେବଦୀପାବଳି ପାଳନ ହୋଇଥିବା ବେଳେ କିଛି ଅଂଚଳରେ ନଭେମ୍ବର ୦୧ ତାରିଖରେ କାର୍ତ୍ତିକ ଅମାବାସ୍ୟାର ନୀତିକାନ୍ତି ସହ ଦୀପାବଳି ପାଳନ କରାଯାଇଥିଲା । ଉଭୟ ପାଂଜି ଗଣନାକାର ଓ ମୁକ୍ତିମଣ୍ଡପ ପଣ୍ଡିତ – କାହାରିକୁ ଅସନ୍ତୁଷ୍ଟ କରି ନାହାନ୍ତି ଓଡ଼ିଶାବାସୀ । ଦୁଇ ଦିନ ଧରି ଉତ୍ସାହ ଉଦ୍ଦିପନା ମଧ୍ୟରେ ଆଲୋକ ସଜ୍ଜା ବା ଦୀପ ପ୍ରଜ୍ୱଳନ ହୋଇଥିଲା ଏବଂ ଜବରଦସ୍ତ ବାଣଫୁଟା ଚାଲିଥିଲା । ଫଳରେ, ବାୟୁମଣ୍ଡଳ ଧୂଆଁର ବହଳ ଆସ୍ତରଣରେ ଭରିଯାଇ ଧୂସର ମେଘର ଭ୍ରମ ସୃଷ୍ଟି କରିଥିଲା । ଅବଶ୍ୟ, ରାଜଧାନୀ ଭୁବନେଶ୍ୱରରେ ଶନିବାର ସକାଳେ ବର୍ଷ ହୋଇଯିବାରୁ ସନ୍ଧ୍ୟାରେ ଆକାଶ ନିର୍ମଳ ଦିଶୁଥିଲା । ତେବେ, ସନ୍ଧ୍ୟା ପରେ ଯେଉଁ ଧୂଆଁଧାର ବାଣଫୁଟା ଚାଲିଲା ତାହା ପୁଣି ଥରେ ଆକାଶକୁ ଧୂଆଁରେ ଭରି ଦେଇଥିଲା । ରାଜ୍ୟ ସରକାର ଅକ୍ଟୋବର ୩୧ ପୂର୍ବରୁ ଦୀପାବଳୀ ପାଳନ ପାଇଁ ନିର୍ଦେଶାବଳୀ ଜାରି କରି ରାତି ୦୭ଟାରୁ ୦୯ ପର୍ଯ୍ୟନ୍ତ ବାଣଫୁଟା ପାଇଁ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଥିଲେ । ତାହା ମଧ୍ୟ ସବୁଜ ବାଣ… । ତେବେ, କେହି ମାନିଲେନି ଏହି ସରକାରୀ ନିର୍ଦେଶାବଳୀକୁ । ଦୁଇ ଦିନ କାଳ ଧୂଆଁଧାର ବାରୁଦ ଭରା ବାଣ ଫୁଟାଇ ଜନସାଧାରଣଙ୍କୁ ବେହାଲ କରି ଦେଲେ । ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ପ୍ରବଳ ଶବ୍ଦ ସୃଷ୍ଟି କରୁଥିବା ବାଣ ଫୁଟା ଚାଲିଥିଲା ଏବଂ ବୟସ୍କ ଲୋକମାନେ ଭୟରେ ଘର କବାଟ କିଳି ରହିଥିଲେ । ଅମାନିଆଙ୍କୁ ଆକଟ କରିବାକୁ କେହି ନଥିଲେ । ଦୁଇ ଦିନର ବାଣ ଫୁଟା ପରେ ଶନିବାର ସକାଳେ ଆଇଏମଡିରୁ ଯେଉଁ ସୂଚନା ଆସିଛି ଭୁବନେଶ୍ୱର-କଟକ ଦ୍ୱୈତନଗରୀବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଭୁବନେଶ୍ୱରର ସହରର ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ)୧୩୫ ରହିଥିବା ବେଳେ କଟକ ସହରର ଏକ୍ୟୁଆଇ ୧୩୮ ରହିଛି । ଦୁଇଟି ଯାକ ସହରର ଏକ୍ୟୁଆଇ ଚିନ୍ତାଜନକ ବୋଲି ବିଶେଷଜ୍ଞମାନେ କହିଛନ୍ତି । ତେବେ, ଭୁବନେଶ୍ୱର, କଟକ ସହରର ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ଦେଶର ରାଜଧାନୀ ଦିଲ୍ଲୀ ସହର ତୁଳନାରେ ଢେର କମ୍ । ଭୁବନେଶ୍ୱର, କଟକରେ ଦୀପାବଳି ପାଳନ ପରେ ବାୟୁମଣ୍ଡଳର ଏକ୍ୟୁଆଇ ୧୩୫ରୁ ୧୩୮ରେ ପହଂଚି ଆମେ ଅଣନିଶ୍ୱାସୀ ହୋଇ ଯାଉଛେ, ଦିଲ୍ଲୀ ଏନସିଆର (ଏକ୍ୟୁଆଇ ୩୦୦ରୁ ଅଧିକ) ବାସନ୍ଦା କିଭଳି ରୁନ୍ଧି ହୋଇଯାଉଥିବେ ଏଥିରୁ ଅନୁମାନ କରି ହେବ । ଦିଲ୍ଲୀ ସରକାର ମଧ୍ୟ ଦୀପାବଳିକୁ ଆଖିରେ ରଖି ବାଣଫୁଟା ଉପରେ କଟକଣା ଜାରି କରିଥିଲେ । ଦିଲ୍ଲୀ ଏନସିଆରରେ ସୀମିତ ସମୟ ପାଇଁ ସବୁଜ ବାଣ ଫୁଟାଯିବାକୁ ସରକାରଙ୍କ ନିର୍ଦେଶାବଳୀ ଥିଲା । ତେବେ, ରାଜଧାନୀ ଦିଲ୍ଲୀର ରାଜନୈତିକ ପରିସ୍ଥିତି ସଂପୂର୍ଣ୍ଣ ଭିନ୍ନ । ଆମ୍ ଆଦମୀ ପାର୍ଟି (‘ଆପ୍’) ରାଜ୍ୟରେ ଶାସନରେ ଥିବା ବେଳେ କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ରହିଛି । ଦିଲ୍ଲୀର ଆଇନ ଶୃଙ୍ଖଳା କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣରେ ରହିଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦିଲ୍ଲୀ ଜନତାଙ୍କ ଦୈନନ୍ଦିନ ଜନଜୀବନକୁ ନିୟନ୍ତ୍ରଣ କରୁଥିବା ବେଳେ ଦୁଇ ସରକାର ମଧ୍ୟରେ ସମନ୍ୱୟ ଓ ବୁଝାମଣାର ଘୋର ଅଭାବ ରହିଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦିଲ୍ଲୀ ଏନସିଆରର ଏକ୍ୟୁଆଇସ୍ତରକୁ ନେଇ ଚିନ୍ତା ବ୍ୟକ୍ତ କରି ଆସୁଛନ୍ତି । ରାଜ୍ୟ ସରକାର ଦୀପାବଳୀ ବାଣଫୁଟାକୁ ନିୟନ୍ତ୍ରଣ କରି ଏକ୍ୟୁଆଇସ୍ତର ନିୟନ୍ତ୍ରଣ କରିବାକୁ ଚାହିଁ ଥିଲେ । ନହେଲେ, ବାୟୁମଣ୍ଡଳରେ ବିଷାକ୍ତ ଗ୍ୟାସ ପରିମାଣ ବହୁମାତ୍ରାରେ ବଢି ଯାଇ ଅଧିକ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହେବ ବୋଲି ସମସ୍ତେ ଜାଣିଥିଲେ । ତେବେ, ୨୦୨୫ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ କେନ୍ଦ୍ରରେ ଶାସନରେ ଥିବା ବିଜେପି ଓ ରାଜ୍ୟରେ ଶାସନରେ ଥିବା ‘ଆପ୍’ ମଧ୍ୟରେ ରାଜନୈତିକ ଛକାପଂଝା ଚରମରେ ପହଂଚିଛି । ଦିଲ୍ଲୀବାସୀଙ୍କ ସ୍ୱାସ୍ଥ୍ୟଚିନ୍ତା ଅପେକ୍ଷା ଯେ ରାଜନୀତି ଅଧିକ ଗୁରୁତ୍ୱପୂର୍ଣ୍ଣ – ତାହା ଦୀପାବଳି ସମୟରେ ହୋଇଥିବା ରାଜନୈତିକ ଗୋଟିଚଳାନାରୁ ସ୍ପଷ୍ଟ ଜଣାପଡୁଥିଲା । ରାଜ୍ୟ ସରକାର ଦିଲ୍ଲୀର ଏକ୍ୟୁଆଇସ୍ତର ବେଶ୍ ଚିନ୍ତାଜନକ ଥିବାରୁ ତାହା ଅଧିକ ଚିନ୍ତଜନକ ନ କରିବା ପାଇଁ ‘ଆପ୍’ ସରକାର ବାଣଫୁଟା ଉପରେ କଟକଣା ଜାରି କରି ନିର୍ଦେଶାବଳୀ ପ୍ରକାଶ କରୁ କରୁ ବିଜେପି ଆଡୁ ତୁରନ୍ତ ବୟାନବାଜୀ ଆରମ୍ଭ ହୋଇଯାଇଥିଲା । ଦିଲ୍ଲୀ ରାଜନୀତିରେ ସକ୍ରୀୟ ଥିବା ବିଜେପିର ବଡ ନେତା ‘ଆପ୍’ ସରକାରଙ୍କୁ ସମାଲୋଚନା କରିବାକୁ ଯାଇ ଅନ୍ୟ ସଂପ୍ରଦାୟଙ୍କ ଧାର୍ମିକ ଉତ୍ସବ ଉପରେ କଟକଣା ଜାରି ହେଉନଥିବା ବେଳେ ହିନ୍ଦୁଙ୍କ ପର୍ବପର୍ବାଣୀ ସମୟରେ ସରକାରୀ କଟକଣା କାହିଁକି (?) ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି । ଶୁକ୍ରବାର ସନ୍ଧ୍ୟାରେ ଦିଲ୍ଲରରେ ଦୀପାବଳି ବାଣଫୁଟା ପରେ ସହରର ଅଧିକାଂଶ ଅଂଚଳରେ ଏକ୍ୟୁଆଇସ୍ତର ୩୫୦ରୁ ଅଧିକ ଥିବା ସେଂଟ୍ରାଲ ପଲ୍ୟୁସନ କଂଟ୍ରୋଲ ବୋର୍ଡ (ସିପିସିବି) ରିପୋର୍ଟରୁ ସୂଚନା ମିଳିଛି । ଦିଲ୍ଲୀ ସହର ଅବସ୍ଥା ଏହା ଅତ୍ୟନ୍ତ ଉଦବେଗଜନକ, କିଛି ଅଂଚଳରେ ଏକ୍ୟୁଆଇସ୍ତର ୩୯୫ ଥିବା ରେକର୍ଡ କରାଯାଇଛି ବୋଲି ସିପିସିବି କହିଥିବା ବେଳେ ଶନିବାର ସକାଳେ ଦିଲ୍ଲୀ ଆକାଶରେ ଧୂଳି ଧୂଆଁର ପତଳା ଆସ୍ତରଣ ଥିବା ଓ ଏକ୍ୟୁଆଇସ୍ତର ୨୯୬ ରହିଥିବା ସିଷ୍ଟମ୍ ଅଫ୍ ଏୟାର କ୍ୱାଲିଟି ଏଣ୍ଡ ୱେଦର ଫୋରକାଷ୍ଟିଙ୍ଗ ଏଣ୍ଡ ରିସର୍ଚ୍ଚ (ଏସଏଏଫଏଆର) ପକ୍ଷରୁ ସୂଚନା ଦିଆଯାଇଛି । ସେ ଦିଲ୍ଲୀ ହେଉ ବା ଓଡ଼ିଶା ରାଜଧାନୀ ଭୁବନେଶ୍ୱର ହେଉ – ଦୀପାବଳି ଦିନ, ତା’ପୂର୍ବରୁ ଓ ପରେ ଲୋକମାନେ ଗନ୍ଧକ-ଯୁକ୍ତ ବିଷାକ୍ତ ବାଣ ଫୁଟାଇ ମଜା ନେବା ଉପରେ କୌଣସି କଟକଣାକୁ ବରଦାସ୍ତ କରିନଥାନ୍ତି । ରାଜ୍ୟ ସରକାର ବା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସମସ୍ତ ନିର୍ଦେଶାବଳୀ କେବଳ ନାମକୁ ମାତ୍ର କାର୍ଯ୍ୟକାରୀ ହୁଏ ସିନା କେହି ତାହାକୁ ଗୁରୁତ୍ୱ ଦିଅନ୍ତି ନାହିଁ । ୨୦୨୪ ଦୀପାବଳିରେ ମଧ୍ୟ ତାହା ଦେଖିବାକୁ ମିଳିଛି । ସରକାରୀ କଟକଣା ତା’ ବାଟରେ ଓ ବାଣଫୁଟା ତା’ ବାଟରେ ଚାଲିଛି । ଏକ୍ୟୁଆଇ କେଉଁସ୍ତରରେ ପହଂଚିଲାଣି ତାହା ସାଧାରଣ ଜନତାଙ୍କ ମଗଜ ବାହାରେ । ଆଉ ଦିଲ୍ଲୀ ଭଳି ରାଜନୈତିକ ଦୃଷ୍ଟିରୁ ସଂବେଦନଶୀଳ ରାଜ୍ୟରେ ଜନତାଙ୍କ ସ୍ୱାସ୍ଥ୍ୟ ଅପେକ୍ଷା ରାଜନୀତି ଯେ ଅଧିକ ମହତ୍ତ୍ୱ ରଖେ, ତାହା ୨୦୨୪ ଦୀପାବଳିରେ ଦେଖିବାକୁ ମିଳିଛି ।
# ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS